ଅଚ୍ୟୁତାନନ୍ଦ ରଚନାବଳୀ ମାଳିକା ଖଣ୍ଡ

ଅଚ୍ୟୁତାନନ୍ଦ ରଚନାବଳୀ (ମାଳିକା ଖଣ୍ଡ)

 

 

 

 

 

 

 

 

 

ଅଚ୍ୟୁତାନନ୍ଦ ରଚନାବଳୀ

(ମାଳିକା ଖଣ୍ଡ)
ଡଃ ରତ୍ନାକାର ଚଇନି

 

ସୂଚୀ

ଶ୍ରୀ କଳି କାହାଣୀ

କଳି ମାଳିକା

କଳିଯୁଗ ଗୀତା

କଳି ମହିମା ଶାସ୍ତ୍ର ପ୍ରକାଶ

ଆଗତ ଭବିଷ୍ୟ ମାଳିକା

କଳି ଖେଳ ବାଣୀ

ଚିତ୍ତବୋଧ ଚଉତିଶା

ଜାଇ ଫୁଲ ମାଳିକା

ମହାଆଗତ ଭବିଷ୍ୟ ମାଳିକା

୧୦

କଳ୍ପଟୀକା ଭବିଷ୍ୟ ପୁରାଣ

୧୧

ଶିବକଳ୍ପ

 

ମୁଖବନ୍ଧ

 

ଷୋଡ଼ଶ ଶତାବ୍ଦୀର ପ୍ରଥମ ପାଦରେ ପଞ୍ଚସଖା କବିମାନଙ୍କର ପ୍ରକାଶ ଓ ପ୍ରଭାବ ଓଡ଼ିଶାର ସାମାଜିକ ଓ ଆଧ୍ୟାମିକ ଜୀବନଧାରା କ୍ଷେତ୍ରରେ ବିଶେଷ ଗୁରୁତ୍ଵପୂର୍ଣ୍ଣ । ସାମାଜିକ ଜୀବନରେ ଆଚରଣ ଶୁଦ୍ଧତା, ଧର୍ମ-ଜୀବନରେ ପବିତ୍ରତା ଓ ଆଦର୍ଶ ନୈତିକତା ଆନୟନ ଏମାନଙ୍କର ଥିଲା ସଂକଳ୍ପାବଦ୍ଧ ଆଭିମୁଖ୍ୟ । ରାଜନୀତିକ ଅସ୍ଥିରତା, ବହିଃ ଶତ୍ରୁ ଆକ୍ରମଣ ଓ ବିଶୃଙ୍ଖଳିତ ସମାଜ-ଜୀବନ ପଞ୍ଚସଖାଙ୍କୁ ସନ୍ଥକବି ଓ ମହାପୁରୁଷ ପାଇଟିବାକୁ ଏକ ପ୍ରକାର ବାଧ-ବାଧକତାର ପରିବେଶ ସୃଷ୍ଟି କରିଥିଲା । ଢଗନ୍ନାଥ ଦାସଙ୍କ ଭାଗବତ’, ବଳରାମ ଦାସଙ୍କ ରାମାୟଣ’ ଅଚ୍ୟୁତାନନ୍ଦ ଦାସଙ୍କ ‘ହରିବଂଶ’କୁ ବାଦ୍‍ଦେଲେ ମୋଟାମୋଟି ଭାବରେ କୁହାଯିବ, – ପଞ୍ଚସଖାମାନେ ସାମାଜିକ ସଂସ୍କାର ଓ ଧାର୍ମିକ ସଂତୁଳନ ରକ୍ଷା କରିବାପାଇଁ ସୃଜନ-ଯଜ୍ଞ ଆରମ୍ଭ କରିଥିଲେ । ସମାଜରେ ମୁଣ୍ଡ ଟେକିଥିବା ଅନାଚାର, ଅବିଚାର, ଅନୈତିକତା ଓ ଉତ୍‌ଶୃଙ୍ଖଳତା ବିରୁଦ୍ଧରେ ଏମାନେ ମସୀ-ସଂଗ୍ରାମ ଚଳାଇଥିଲେ । ବିଧର୍ମୀ ରାଜଶକ୍ତିର ଅତ୍ୟାଚାରକୁ ‘କଳିକାଳ’ର ଏକ ଯୁଗଧର୍ମ ବୋଲି କହି, ଭକ୍ତଜନ ଆଗାମୀ ସତ୍ୟଯୁଗକୁ ଅପେକ୍ଷା କରିବାକୁ ଉପଦେଶମାନ ବାଢ଼ିଥିଲେ ।

 

ପଞ୍ଚସଖା କବିମାନଙ୍କ ମଧ୍ୟରୁ ସନ୍ଥକବି ଅଚ୍ୟୁତାନନ୍ଦ ଥିଲେ ଦୀର୍ଘଜୀବୀ । ତାଙ୍କରି ଜୀବଦ୍ଦଶା ଭିତରେ ଓଡ଼ିଶାର ସାମାଜିକ ଓ ରାଜନୀତିକ ଆକାଶରେ ଅନେକ ଝଡଝଞ୍ଜା ଘଟିଯାଇଥିଲା । ଅନେକ ଅଶାନ୍ତିର ଘୂର୍ଣ୍ଣି ମୁଣ୍ଡ ଟେକିଥିଲା । ବୃହତ୍ତର ଜନସମାଜର ଦୀକ୍ଷାଗୁରୁ ତଥା ଆଦର୍ଶ ମହାପୁରୁଷ ହୋଇ ସାରିଥିବା ଅଚ୍ୟୁତାନନ୍ଦଙ୍କୁ ଏଭଳି ଘଟଣାବଳୀର କାରଣ ଓ ପରିଣତି ସଂପର୍କରେ ବହୁ ବ୍ୟକ୍ତି ପ୍ରଶ୍ନମାନ ପଚାରିବା ସ୍ଵାଭାବିକ ଘଟଣା ଥିଲା । ସେହି ପର୍ଯ୍ୟାୟରେ ସେ ପ୍ରତିଷ୍ଠିତ ମାଳିକାକାର ହୋଇଯିବା କିଛି ଅସ୍ୱାଭାବିକ କଥା ହୋଇ ନଥିଲା । ଆଜିକି ପ୍ରାୟ ପାଞ୍ଚଶହ ବର୍ଷ ତଳେ ଏହି ଭବିଷ୍ୟତ ଦ୍ରଷ୍ଟା କ୍ରାନ୍ତିକାରୀ କବି ଯେଉଁ ସାର୍ବକାଳିକ ତଥ୍ୟ ଓ ତତ୍ତ୍ୱ ପ୍ରଦାନ କରି ଯାଇଥିଲେ, ତାହା କ୍ରମଶଃ ଅଧିକରୁ ଅଧୁକ ସତ୍ୟରେ ପରିଣତ ହେଉଥିବାରୁ ବସ୍ତୁବାଦୀ ମଣିଷଙ୍କ ମନରେ ଆଚମ୍ବିତ ଭାବ ସହ ସତ୍ୟ ପ୍ରତ୍ୟୟର ଏକ ସୁଦୃଢ଼ ଭାବନା ଧୀରେ ଧୀରେ ଦୃଢ଼ୀଭୂତ ହୋଇ ଉଠୁଛି ।

 

ଅଚ୍ୟୁତାନନ୍ଦଙ୍କ ରଚନା ଅଜସ୍ର । ତନ୍ମଧ୍ୟରୁ ମାଳିକା ସଂଖ୍ୟାରେ କିଛି କମ୍ ନୁହେଁ । ଧାର୍ମିକ ବିଶ୍ୱାସରେ ହେଉ କିମ୍ବା ଭବିଷ୍ୟତ ଜାଣିବାର ଆସକ୍ତି ହେତୁ ହେଉ, ଏହି ମାଳିକାଗୁଡ଼ିକ ଖୁବ୍ ଜନପ୍ରିୟ । ତେଣୁ ଜନପ୍ରିୟତାର ସୁଯୋଗକୁ ହାତଛଡ଼ା ନ କରି ଜନ ଜୀବନର ନିକଟତର ଘଟଣା ବଳୀକୁ ନିଜ ସମୟର ପ୍ରତିଷ୍ଠିତ ବ୍ୟକ୍ତି ବା ଘଟଣା ସହିତ ଯୋଡ଼ି କିଛି ପୋଥି ନକଲକାର ଏବଂ କିଛି ଚତୁର ବିଷୟ-ବୁଦ୍ଧିସଂପନ୍ନ ବ୍ୟକ୍ତି ଏହି ମାଳିକାମାନଙ୍କରେ ବହୁ ପ୍ରକ୍ଷିପ୍ତାଂଶ ଯୋଡ଼ି ଯାଉଛନ୍ତି । ଭିନ୍ନ ଭିନ୍ନ ସମୟର ପୋଥିମାନଙ୍କରେ ଭିନ୍ନତା ପ୍ରଚୁର । ସେଥିରୁ ମୂଳଲେଖା ବା ଅଚ୍ୟୁତାନନ୍ଦଙ୍କ ରଚନାକୁ ଖୋଜି ପାଇବା ଦୁଃସାଧ୍ୟ କାର୍ଯ୍ୟ । ତେଣୁ ଅଚ୍ୟୁତାନନ୍ଦଙ୍କ ରଚନାବଳୀ ସଂପାଦନା କଲାବେଳେ ଏହି ‘ମାଳିକା ଖଣ୍ଡ’ରେ ମୂଳଲେଖାର ବିଶ୍ୱସ୍ତତା ଉପରେ ସନ୍ଦେହ ଆସିବା ସ୍ଵାଭାବିକ କଥା । ଅଚ୍ୟୁତାନନ୍ଦ ତାଙ୍କ ପରିଣତ ବୟସରେ ନିଜେ ତାଳପତ୍ର ଖେଦା ଧରି ନ ଲେଖି ତାଙ୍କର ପ୍ରିୟ ଶିଷ୍ୟମାନଙ୍କୁ ପଦମାନ ଡାକି ଯାଉଥିଲେ ଓ ସେମାନେ ଲେଖୁଥିଲେ । ଫଳରେ ତାଙ୍କ ଭାଷା ଓ ଶବ୍ଦ ବିନ୍ୟାସରେ କିଛିଟା ଭିନ୍ନତା ଦେଖାଯିବା ସ୍ଵାଭାବିକ । ମୋଟ ଉପରେ ଅଚ୍ୟୁତାନନ୍ଦଙ୍କ ଆଗତ ଭବିଷ୍ୟ ମାଳିକାକୁ କେବଳ ସାହିତ୍ୟ ଦୃଷ୍ଟିରୁ ବିଚାର ନ କରି ସମାଜ ସଂସ୍କାର ସଚେତନ-ବାଣୀ ରୂପେ ବିଚାର କରିବା ଅଧିକ ଶ୍ରେୟ ମନେହୁଏ ।

 

ମାଳିକା : ଭବିଷ୍ୟ କଥନ

‘ତିଷ୍ଠ ତିଷ୍ଠ କ୍ଷଣେ ମୂଢ଼ ଯାବତ୍ ମଧୁ ପିବାମ୍ୟହମ୍’ -ମହାଶକ୍ତି ସ୍ୱରୂପା ଦେବୀ ଦୁର୍ଗା ମହିଷାସୁରକୁ ବଧ କରିବା ପୂର୍ବରୁ ତାକୁ ସକଳ ପ୍ରକାରର ଉତ୍ପାତ ଓ ମନ୍ଦ କାର୍ଯ୍ୟ କରାଯିବା ପାଇଁ କିଛି ସମୟ ଦେଇଥିଲେ । ଅନ୍ତତଃ ମଧୁପାନ ଶେଷ କରିବା ପର୍ଯ୍ୟନ୍ତ ଦେବୀ ତାକୁ କୁକର୍ମ ପ୍ରବୃତ୍ତ ହୋଇ ବଞ୍ଚି ରହିବାକୁ କହିଥିବା ଜଣାପଡ଼େ । ଅତଏବ ଏଥିରୁ ଜଣାଯାଏ ସବୁ କାମପାଇଁ ଏକ ପରିପକ୍ୱ ସମୟ ଦରକାର ହୁଏ । ସେ ସମୟ ଉପସ୍ଥିତ ହେଲେ ଯାହା ଘଟିବାପାଇଁ ଦୀର୍ଘ ସମୟ ଅପେକ୍ଷା କରାଯାଇଥାଏ ତାହା ଘଟେ । ସ୍ଵୟଂ ସୃଷ୍ଟିକର୍ତ୍ତା ଈଶ୍ୱର ମଧ୍ୟ ଶାସନର ଲଗାମକୁ ଜାଣିଶୁଣି ଢିଲା କରିଦିଅନ୍ତି । ଦେବୀ ଦୁର୍ଗା ମହିଷାସୁରକୁ ପାପର ଚରମ ଅବସ୍ଥାରେ ପହଞ୍ଚିବା ପର୍ଯ୍ୟନ୍ତ ସମୟ ଦେଲାଭଳି, ଈଶ୍ୱର ଆମମାନଙ୍କୁ ସେହିଭଳି ସମୟ ଦିଅନ୍ତି । ତା ପରେ ଯାହା ଘଟିବା କଥା ଘଟେ । ସବୁ କଥାରେ ଚରମ ଅବସ୍ଥା ହିଁ ପରିବର୍ତ୍ତନର ଆବାହକ ହୁଏ ।

 

‘ମାଳିକା’ ତତ୍ତ୍ୱଟି ଏହି ଘଟଣାଚକ୍ରରୁ ନିବୃତ୍ତ ରହି ସତ୍ୟାନୁଗାମୀ ହେବାପାଇଁ ଏକ ଅକ୍ଷୟ ପ୍ରେରଣା । ନଈର ସ୍ରୋତ ସହ ତାଳଦେଇ ଭାସିଯିବା ଭାରି ସହଜ । ମାତ୍ର ନଈ ସ୍ରୋତର ବିପରୀତ ମୁଖୀ ହୋଇ ମୂଳ ସତ୍ୟକୁ ଅନୁସନ୍ଧାନ କରିବା ଭାରି କଠିନ । ଘଟଣା ପ୍ରବାହରେ ଭାସିଯାଇ ଭବିତବ୍ୟର ଶିକାର ହେବା ଏକ ଚିରନ୍ତନ ସତ୍ୟ; ମାତ୍ର ଏଥିପାଇଁ ସଚେତନତା ସୃଷ୍ଟି କରିବା ଓ ସଚେତନ ହେବା ତା’ଠାରୁ ବଳି ଆଉ ଏକ ନିରାଟ ସତ୍ୟ । ଭାରତୀୟ ସାହିତ୍ୟରେ ସନ୍ଥକବିମାନେ ଏହି ଦ୍ୱିତୀୟ ପର୍ଯ୍ୟାୟର ସତ୍ୟ ସମ୍ବନ୍ଧରେ ସଚେତନ କରିବା ପାଇଁ ରଚନା କରିଥିବା ସୃଷ୍ଟିକୁ ଆମେ କହୁ ‘ମାଳିକା’ । ସବୁଠାରୁ ସମୃଦ୍ଧ ପ୍ରାଚୀନ ସାହିତ୍ୟ ସଂସ୍କୃତରେ ଏଭଳି ‘ମାଳିକା’ ନାହିଁ । କାରଣ ସଂସ୍କୃତ ସାହିତ୍ୟ ସୃଷ୍ଟି ହେବା କାଳରେ ଭାରତୀୟ ମହାଜାତିର ପାପବୋଧ ତୀବ୍ର ହୋଇନଥିଲା । ଆର୍ଯ୍ୟବର୍ତ୍ତର ସନ୍ତାନମାନେ ସଦ୍‌ଗୁଣ, ସଦାଚାର, ସଦ୍ ବିଚାର, ସତ୍ ସଙ୍ଗ, ସଦ୍ଜ୍ଞାନ, ସାଧୁତା, ସରଳତା, ନମ୍ରତା, ବୈରାଗ୍ୟ ଓ ଈଶ୍ୱର ଭକ୍ତି ରୂପକ ଦଶବିଧ ଅମୃତ ପାନ କରିବାକୁ ଶ୍ରେୟ ମଣୁଥିଲେ । ଏଗୁଡ଼ିକ ହେଲା ଦୈବୀ ସମ୍ପଦ । ଏହି ସମ୍ପଦମାନଙ୍କର ରକ୍ଷଣାବେକ୍ଷଣ ଦାୟିତ୍ଵ ଉତ୍ତରପୁରୁଷମାନେ ବହନ କରିବା ପାଇଁ ସେମାନେ କଳି ଯୁଗ ପୁରାଣ, ସଂହିତା ଓ ତନ୍ତ୍ର ଗ୍ରଛମାନଙ୍କରେ ଉଲ୍ଲେଖ କରିଯାଇଛନ୍ତି । ତାହା ହିଁ ଭାରତୀୟ ଭବିଷ୍ୟତ ମାଳିକାର ଭିତ୍ତି ଏବଂ ତହିଁରୁ ବିଭିନ୍ନ ଭାରତୀୟ ଭାଷାରେ ଅଳ୍ପ ବହୁତ ମାଳିକା ଧର୍ମୀ ଲେଖାମାନ ଦେଖିବାକୁ ମିଳେ ।

 

ମାଳିକାର ବାହ୍ୟ ଅର୍ଥ ହେଉଛି ମାଳା, ହାର, ପଂକ୍ତି ଇତ୍ୟାଦି । ମାତ୍ର ଏହାର ଅନ୍ତଃ ଭାବଗତ ଅର୍ଥ ହେଉଛି ‘ଭବିଷ୍ୟତର ଘଟଣାବଳୀକୁ ମାଳାକାରରେ ସଜ୍ଜିତ କରି ଲେଖାଯାଇଥିବା କାବ୍ୟ କବିତା’ । ପୁଣି ତାତ୍ତ୍ୱିକ ଅର୍ଥରେ ବୁଝାଯାଏ, ସାମାଜିକ ‘ମଳ’ (ମଳ+ଇକ+ ସ୍ତ୍ରୀ.ଆ) ସମ୍ପର୍କରେ ସଚେତନ କରାଯାଇଥିବା ‘ସତର୍କ କାବ୍ୟ’ ହିଁ ମାଳିକା । ବୈଦିକ ପରମ୍ପରାରେ ଦଶ ଅମୃତ ପାନ କରିବାକୁ ଉପଦେଶ ଦିଆଯାଇଥିବା ବେଳେ ଦ୍ଵାଦଶ ଆସୁରି ସମ୍ପଦ ପରିହାର କରିବାପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହି ଦ୍ୱାଦଶ ବର୍ଜନୀୟ ଅସାର ତତ୍ତ, ହେଲା - ଅଭିମାନ, ଅଧିକ ନିଦ୍ରା, ଆଳସ୍ୟ, ଦୁର୍ଗୁଣ, ଦୁରାଚାର, ଦୁର୍ବିଚାର, ଦୁର୍ବ୍ୟସନ, ଦାମ୍ଭିକତା, ପ୍ରମାଦ, ବିଷୟ-ବାସନା, ଭୋଗାସଙ୍ଗ ଓ ମଦ୍ୟ । ଭାରତୀୟ ସନ୍ଥକବିମାନେ ଏହି ଅସାର ତତ୍ତ୍ୱକୁ କାଳୋପଯୋଗୀ କରି ଆହୁରି ବ୍ୟାପକ ‘ନିଷିଦ୍ଧାଞ୍ଚଳମାନ’ ସୃଷ୍ଟି କରିଯାଇଛନ୍ତି । ବିଶେଷ କରି ଓଡ଼ିଶାର ସନ୍ଥକବି ଗଣ ମାଳିକାର ବର୍ଣ୍ଣିତ ବିଷୟ ପରିସରକୁ – କଳିଯୁଗ ଶେଷ, କଳ୍‍କୀ ଆଗମନ, ଜଗନ୍ନାଥଙ୍କ ରୂପାନ୍ତର ଓ ସ୍ଥାନାନ୍ତର, ଲୋକ ଚରିତ୍ରର ଅଧଃପତନ, ବ୍ୟୁତ୍ପାତ, ବ୍ୟଭିଚାର, ଭ୍ରଷ୍ଟାଚାର, ଉତ୍ସୃଙ୍ଖଳତା, ପୂଜ୍ୟପୂଜା ବ୍ୟତିକ୍ରମ, ଜାତି ବିଭାଜନରେ ବିପର୍ଯ୍ୟୟ, ରାଜାର କୁଶାସନ, ପ୍ରଜା ବିଶୃଙ୍ଖଳା, ମ୍ଳେଚ୍ଛ ସଂହାର, ସାଧୁ ସଜ୍ଜନ ସୁରକ୍ଷା ଓ ସୁ-ରାଜ୍ୟ ସ୍ଥାପନ ଆଦି ଘଟଣାକୁ ପରିବ୍ୟାପ୍ତ କରିଛନ୍ତି ।

 

ମଣିଷ ମାତ୍ରେଇ ଭବିଷ୍ୟତ ସଚେତନ । ନିଜର ଭବିଷ୍ୟତକୁ ନିଜ ଅକ୍ତିଆରରେ ରଖବାକୁ ଅଧିକାଂଶ ପ୍ରୟାସୀ । ତେଣୁ ନିଜ ଭବିଷ୍ୟତ ଜାଣିବାପାଇଁ ପ୍ରତ୍ୟେକେ ବ୍ୟାକୁଳ । ମାଳିକା ଏହି ବ୍ୟାକୁଳତାକୁ ଲାଘବ କରିବାପାଇଁ ଏକ ଆଚାର ସଂହିତା । ମଣିଷ ନିଜେ ଯଦି ସାମାଜିକ ଜୀବନରେ ସଂଯତ ପଦକ୍ଷେପ ନିଏ ଏବଂ ଆଗରୁ ସଚେତନ ହୋଇଯାଏ ତେବେ ସେ ଯୋଗିନୀ ଦାଢ଼ରେ ପଡ଼ିବ ନାହିଁ, କିମ୍ବା ମ୍ଳେଛ ତାଲିକାଭୁକ୍ତ ହୋଇ ହାଣ ଖାଇବ ନାହିଁ । ସେଥିଲାଗି ଆଗୁଁ ସାବଧାନ ହେବାପାଇଁ ମାଳିକା ସତର୍କ ବାଣୀ ଶୁଣାଇଥାଏ । ଶହ ଶହ ବର୍ଷ ଧରି ଧର୍ମପ୍ରାଣ ଭାରତୀୟ / ଉତ୍କଳୀୟ ‘ମାଳିକା’କୁ ଜନ ଜୀବନର ବଳିଷ୍ଠ ନିର୍ଦ୍ଦେଶନା ରୂପେ ଗ୍ରହଣ କରିଆସିଛନ୍ତି-। ତେବେ ବହୁ ବର୍ଷ ଧରି ଏହା ଅଶିକ୍ଷିତ ଓ ଅଳ୍ପ ଶିକ୍ଷିତ ଲୋକଙ୍କର ବିଶ୍ୱାସର ବୋଧିଦ୍ରୁମ ହୋଇ ରହିଥିଲା । ଅତ୍ୟାଧୁନିକ କାଳରେ ଧର୍ମକ୍ଷେତ୍ର ଆବିଳ ହୋଇ ଉଠିବାରୁ, ମଣିଷ ମନରେ ପାପ ସଚେତନତା ବଢ଼ିଯିବାରୁ ହଠାତ୍ ମାଳିକା ଉପରେ ବିଶ୍ୱାସ ବଢ଼ିଗଲା । ବ୍ୟକ୍ତିର ଦୁର୍ବଳତାକୁ ଆଉ କେହି ଆଧ୍ୟାତ୍ମିକ ଦର୍ପଣରେ ଦେଖିନେଉ, ଏ ଭୟ କ୍ରମଶଃ ବଢ଼ିବାରେ ଲାଗିଲା । ଆଧୁନିକ ମଣିଷର ମାଳିକା ପ୍ରତି ଆସ୍ଥା ବଢ଼ିଛି ଆଧ୍ୟାତ୍ମିକ ଭାବାବେଗରୁ ନୁହେଁ , ଆତ୍ମିକ ଭୟ ଯୋଗୁ । କାହାକୁ କିଛି ଦେଲେ ଯଦି ବ୍ୟକ୍ତିଗତ ଜୀବନରେ ସ୍ଥିରତା ଓ ଶାନ୍ତି ମିଳିପାରେ, ତେବେ ତାହା କରିବାକୁ ସେ ପଛାଉ ନାହିଁ । ଯେମିତିକି ଚାକିରୀ କ୍ଷେତ୍ରରେ କିଛି ଲାଂଚ ଦେଲେ ଯଦି ବଦଳି ବନ୍ଦ ହୋଇଯାଉଛି, ପ୍ରମୋଶନ୍ ମିଳିଯାଉଛି କିମ୍ବା ଅଭୀଷ୍ଟ ପୂରଣ ହୋଇଯାଉଛି- ମଣିଷ ତାହା କୁକର୍ମ ଜାଣି ମଧ୍ୟ କରିବାକୁ ପଛାଉ ନାହିଁ ।

 

ଏହି ଭୟ ଜନିତ ଅନ୍ୱେଷା ଆଜି ନୁହେଁ, ସେ କେଉଁ ଅନାଦି କାଳରୁ ମଣିଷ ମନରେ ବସା ବାନ୍ଧିଛି । ତେଣୁ ଏ ସମ୍ବନ୍ଧରେ ପ୍ରଶ୍ନ କରିବା ଓ ଭବିଷ୍ୟତ ଜାଣିବାର ଆଗ୍ରହ ଦୈବିକ ଚରିତ୍ରମାନଙ୍କ ପାଖରେ ମଧ୍ୟ ଦେଖିବାକୁ ମିଳେ । ଗରୁଡ଼, ରୁକ୍ମିଣୀ, ଅର୍ଜ୍ଜୁନ ଆଦି ଚରିତ୍ରମାନେ କଳିଯୁଗ ସମ୍ପର୍କରେ ଜାଣିବାକୁ ବ୍ୟାକୁଳ -

 

‘‘କରଯୋଡ଼ି କହେ ପାର୍ଥ ଶ୍ରୀକୃଷ୍ଣ ଛାମୁର

କହ କଳିଯୁଗ କଥା କମଳାର ବର, କି ପ୍ରକାର

କେଉଁ ପରି ନାଶଯିବେ ନର’’

-(ଅଚ୍ୟୁତାନନ୍ଦ, କଳି ଚଉତିଶା),

 

କଳିଯୁଗ ହିଁ ଅନାଚାର, ଅତ୍ୟାଚାର, ବ୍ୟଭିଚାରର କର୍ମକ୍ଷେତ୍ର । ତେଣୁ ମାଳିକାକାରମାନେ କଳିଯୁଗ ପ୍ରସଙ୍ଗକୁ ନିଶ୍ଚିତ ରୂପେ ସ୍ଥାନ ଦେଇ ଆସିଛନ୍ତି ତାଙ୍କର ଭବିଷ୍ୟତ-ସଚେତନ-ଧର୍ମୀ ରଚନାମାନଙ୍କରେ । ଏ କ୍ଷେତ୍ରରେ ପଞ୍ଚସଖା ଯୁଗର ପ୍ରମୁଖ କବି ଅଚ୍ୟୁତାନନ୍ଦ ନିଜକୁ ଅନ୍ୟମାନଙ୍କ ଠାରୁ ବେଶ୍ କିଛି ପାଦ ଆଗରେ ରଖିଥିବା ଦେଖିବାକୁ ମିଳେ । ଜଗନ୍ନାଥ-ବଳରାମ-ଯଶୋବନ୍ତଅନନ୍ତଙ୍କ ଠାରୁ ଅଚ୍ୟୁତାନନ୍ଦଙ୍କର ବୃହତ୍ତର ଜନସମାଜ ସହିତ ନିବିଡ଼ ସମ୍ପର୍କ ଥିଲା । ନିଜର ଏହି ଜନସମ୍ପୃକ୍ତି ହିଁ ମଣିଷ-ଚରିତ୍ରକୁ ଖୁବ୍‌ ନିକଟକୁ ଜାଣିବାକୁ ସୁଯୋଗ ତାଙ୍କୁ ଦେଇଥିଲା । ତେଣୁ ସେ ଆଖ୍ୟାୟିକା ବା ପୁରାଣ-କଳ୍ପିତ-କାହାଣୀ ମାଧ୍ୟମରେ ଖୁବ୍ ଚମତ୍କାର ମାଳିକାମାନ ରଚନା କରିଯାଇଛନ୍ତି । ‘କଳି କାହାଣୀ’ ଗ୍ରନ୍ଥରେ ସେ ଲେଖୁଛନ୍ତି:

 

‘କଳି ଶେଷରେ ଭାରଥ ମାରି କୃଷ୍ଣ ବସି ଏକାମ୍ବର ବନ

ଗରୁଡ଼ ଅଛନ୍ତି ସଙ୍ଗତେଣ ପୁଣ ବିରିଜା କଲେ ଦର୍ଶନ

ନବକୋଟି ଛନ୍ତି କାନ୍ତାନୀ ଯେ ପୁଣ ଯୋଗ୍ନୀ ଚଉଷଠି ଜାଣ

ଭାରଥ ଯୁଦ୍ଧରେ ସନ୍ତୋଷ ନୋହିଲା ଆମ୍ଭର ଚିତ୍ତ ଯେ ପୁଣ

ହସ ହସ ହୋଇ ଅର୍ଜ୍ଜୁନକୁ ଚାହିଂ ଶ୍ରୀକୃଷ୍ଣ କହନ୍ତି ବାଣୀ

ଯୁଦ୍ଧ-ସ୍ରୋତ କଳିଯୁଗ ମଧ୍ୟରେଣ ତୁମ୍ଭେ ଭକ୍ଷିବ ଗୋ ପୁଣି’

-(ଅଚ୍ୟୁତାନନ୍ଦ, କଳି କାହାଣୀ)

 

ଚଣ୍ଡୀ ପୁରାଣ ବର୍ଣ୍ଣିତ ଚଉଷଠି ଯୋଗ୍ନୀ ଓ ନବକୋଟି କାନ୍ତାନୀ (କାତ୍ୟାୟନୀ) ଦିନେ ଜଗନ୍ନାଥଙ୍କ ପାଖରେ ଆପତ୍ତି କଲେ-“ପ୍ରଭୁ ! ବାରଂବାର ଆପଣ ଆମକୁ ଅତୃପ୍ତ ରଖୁଛନ୍ତି । ଏତେବଡ଼ ଭାରତ ଯୁଦ୍ଧଟାଏ କଲେ; ଆମ୍ଭ ଚିତ୍ତ ସେଥିରେ ସନ୍ତୁଷ୍ଟ ହୋଇ ପାରିଲା ନାହିଁ । କିଛି ଗୋଟାଏ ବନ୍ଦୋବସ୍ତ କରନ୍ତୁ ଆମର ଉଦର ତୃପ୍ତିପାଇଁ । ଜଗନ୍ନାଥ କହିଲେ, କଳିଯୁଗରେ ଗୋହିରା ଟିକିରିଠାରେ ଯୁଦ୍ଧ ବ୍ୟବସ୍ଥା କରିବା; ତା ପରେ ତ ଯୁଦ୍ଧସ୍ରୋତ ଲାଗିଯିବ । ତୁମ୍ଭମାନଙ୍କର ତୃପ୍ତିପାଇଁ କଳି ଯୁଗ ଉପଯୁକ୍ତ ସମୟ । କାରଣ କଳି ଯୁଗରେ –

 

ସବୁ ଅର୍ଥ ଦ୍ରବ୍ୟେ ହୋଇବେ ମତ୍ତା

ରାଜା ଶୁଣିବେ ନାହିଂ ପ୍ରଜା ବ୍ୟଥା

କରପୀଡ଼ାରେ ନାନା ଦୁଃଖ ସହି

ଯେତେକଲେ କରକୁ ନ ଅଣ୍ଟଇ

 

ବଡ଼ପଣ ପାଇବେ ଯେତେ ଲୋକ

ଦୋଷ ନ ବୁଝି ଦଣ୍ଡିବେ ସେ ଲୋକ

ତାହାକୁ ଥୋକାଏ ଦିନ ମୁଂ ରଖିବି

ଏକା ବେଳେକେ ଦେବୀ ମୁଖେ ଦେବି

(ଅଚ୍ୟୁତାନନ୍ଦ, କଳି ମାଳିକା)

 

ରାଜଶକ୍ତିର ପତନ ଘଟିବ । ରାଜା ପ୍ରଜାଙ୍କ ସମ୍ପର୍କ ତିକ୍ତ ହୋଇ ଉଠିବ । ପ୍ରଜାମାନଙ୍କର ସୁଖଦୁଃଖ ପ୍ରତି ସଚେତନ ନ ହୋଇ ଶାସକ କର ବସାଇ ଚାଲିଥିବେ । ପ୍ରଜାଙ୍କ ରୋଜଗାର ସବୁ କର ଭାରରେ ଖର୍ଚ୍ଚ ହୋଇଯାଉଥିବ । ବଞ୍ଚିବା ଦୁର୍ବିସହ ହୋଇପଡ଼ିବ। ‘ପ୍ରଜାଏ ମୁର୍ଦ୍ଦାର ହେବେ ରାଜାୟେ ଶାର୍ଗୁଣା, ଭରତଙ୍କ ବାକ୍ୟ ଯାହା ହୋଇଛି ଘୁରୁଣା’ -(ବରଣ ଚରିତ ଗୀତ)

 

ଭାରତୀୟମାନେ ଏକ ଅଭିଶପ୍ତ ଜାତି । ଅତୀତରେ ପୂଜ୍ୟପୂଜାର ବ୍ୟତିକ୍ରମ କରିଥିବାରୁ କଳିରେ ଏଭଳି ଅକଥନୀୟ ଦୁଃଖ ଭୋଗିବେ । ତା'ପରେ ଏକ ପରିବର୍ତ୍ତନ ଆସିବ । ଏ ଦେଶର ଧନଦ୍ରବ୍ୟ ବିଦେଶୀ ବୋହିନେବେ (ଇଂରେଜ ଶାସନ) । ଓଡ଼ିଶା କାଙ୍ଗାଳ ହେବ । ବହୁତ ଲୋକ ଅନାହାରରେ ମରିବେ (ନଅଙ୍କ ଦୁର୍ଭିକ୍ଷ)। ରାଜପଣ ଯାଇ ରାଜାମାନେ ପ୍ରଜା ପାଲଟିଯିବେ (ଗଡ଼ଜାତ ମିଶ୍ରଣ) । କିଛି ବର୍ଷ ସ୍ତିରୀ ରାଜ୍ୟ ହେବ (ଇନ୍ଦିରା ଗାନ୍ଧୀ ଶାସନ) । ଖାଦ୍ୟ ଦ୍ରବ୍ୟ ଦୁର୍ମୁଲ୍ୟ ହେବ । ଅଚ୍ୟୁତାନନ୍ଦଙ୍କ ଭାଷାରେ –

 

“ରାଜା ପରଜାଟି ନ ଥିବ କିଛି

ତୋ ଆଗେ କହୁଛି ଗୋପର ବଛି

ସ୍ତିରୀ ରାଜ୍ୟ କିଛି ଦିନ ହୋଇବ

ଖାଦ୍ୟ ଦ୍ରବ୍ୟମାନ ଦୁର୍ମୂଲ୍ୟ ହେବ

ମତ୍ତଗର୍ବ ଥାନେ ଭୋଳ ହୋଇବେ

ଦୁଃଖୀ ଦେଖିଲେ ଥଟ୍ଟା କରୁଥିବେ।।

ଧନ ରତ୍ନମାନ ବିଦେଶ ଯିବ

ଓଡ଼ିଶା କାଙ୍ଗାଳ ପ୍ରାଏ ହୋଇବ

ଅଠରଗଡ଼ ଯେ ଛତିଶ ରାଜା

ରାଜୁତି ନଥାଇ ସଭିଏଂ ପ୍ରଜା’

-(ଅଚ୍ୟୁତାନନ୍ଦ, କଳି ଚରିତ)

 

କଳି ଯୁଗରେ ନାନା ବିତ୍ପାତ ଦେଖାହେବ; ଅଘଟଣମାନ ଘଟିବ; ଯୁଗସନ୍ଧିରେ ସୂଚକ ଦୃଶ୍ୟସବୁ ଦେଖିବାକୁ ମିଳିବ । ଓଡ଼ିଶାର ପ୍ରଭୁ ଶ୍ରୀ ଜଗନ୍ନାଥ ଏହି ସୂଚକ ଦୃଶ୍ୟର ଭାଗୀଦାର ହେବେ । ବଡ଼ ଦେଉଳ ଉପରେ ଶାଗୁଣା ବସିବ । ବଡ଼ ଦେଉଳରୁ ପଥର ଖସିବ । ଗଜପତି ରାଜା କେବଳ ନାମମାତ୍ର ରାଜା ହୋଇ ରହିବେ ।

(କ)ନୀଳାଚଳ ବଟପୁଟରେ ଗୁଧ ପକ୍ଷୀ ବସିବ

-( ଅଚ୍ୟୁତାନନ୍ଦ, କଳି କଳ୍ପ )

(ଖ)ମୋର ବଡ଼ ଦେଉଳରୁ ଖସିବ ପଥର

ଶ୍ରୀକ୍ଷେତ୍ର ରାଜନ ମୋର ନ ସେବି ପୟର

ରାଜ୍ୟ ଯିବ ନାନା ଦୁଃଖ ପାଇବଟି ସେହୁ।

ତାକୁ ମାନ୍ୟ ନ କରିବେ ଆନ ରାଜ କେହୁ

-( ଅଚ୍ୟୁତାନନ୍ଦ, କଳିଯୁଗ ଗୀତା)

 

ଓଡ଼ିଆ ଜାତିର ଈଷ୍ଟ ଦେବତା ଜଗନ୍ନାଥ । ଶ୍ରୀକ୍ଷେତ୍ରରେ କିଛି ଅଶୁଭ ଘଟଣା ଘଟିଲେ ତାହା ଦେଶ ପ୍ରତି ବିପଦ ବୋଲି ଲୋକ ବିଶ୍ୱାସ । ପଞ୍ଚସଖାମାନେ ଏଭଳି ଘଟଣାକୁ ବିତ୍ପାତ ଯୋଗ ବୋଲି କହିଯାଇଛନ୍ତି । ଅତି ବୃଷ୍ଟି, ଅନାବୃଷ୍ଟି, ଅକାଳ ବଜ୍ରପାତ, ଅଦିନ କୁହୁଡ଼ି, ଅଦିନିଆ ପାଗ, ବାତ୍ୟା, ସମୁଦ୍ର ମାଡ଼ି ଆସିବା, ଅସମ୍ଭବ ଘଟଣା ଘଟିବା ଆଦି ଏହି ବିତ୍ପାତ ଯୋଗର ଅର୍ନ୍ତଭୁକ୍ତ । ଯେମିତିକି :

 

(କ) ଅଲୋଡ଼ା ବେଳରେ ହାତୀ ଶୁଣ୍ଢଧାରେ ଅକାଳେ ବରଷା ହେବ

ଚଇତ ମାସରେ ଜଳ ବରଷଣେ ପ୍ରବଳ ନଦୀ ବଢ଼ିବ

ମାଘମାସେ ମହାଗ୍ରୀଷମ ହୋଇବ ବୈଶାଖ ମାସରେ ଶୀତ

ତେର ଦିନେ ଛଡ଼ ଋତୁ ଭୋଗ ହେବ ଶୁଣ ତୁ ବିନତା ସୁତ

-(ଅଚ୍ୟୁତାନନ୍ଦ, ଗୁପ୍ତ ଭବିଷ୍ୟାନ୍ତ)

(ଖ)ତେର ଅଙ୍କ ଯାଇ ଚଉଦ ଅଙ୍କରେ ବୀଜ ମାରିଣୀ ହୋଇବ

ମହାଘୋର ବୃଷ୍ଟି ଅକାଳେ କରିଣ କୃଷ୍ଟି କେବେହେଂ ନୋହିବ

ପନ୍ଦର ଅଙ୍କ ଯେ ଗୁପତ ଗରୁଡ଼ କାଳ ପଡ଼ିବ ଦେଶରେ

ଭୂମିକମ୍ପ ହେବ ସତର ଅଙ୍କରେ ଜନ ହେବେ ନାରଖାରେ

ଦିନାକେତେ ଖଳ ନିନ୍ଦିବେ ଗରୁଡ଼ କଳି ଧ୍ୱନି ହେବ ସାର

ଝିଂକାରି ବୋଲିଣ ଦଳ ଦଳ ପୋକ ଉଡ଼ି ଆସିବେ ଶୁନ୍ୟର

-(ଅଚ୍ୟୁତାନନ୍ଦ, ମହା ଆଗତ ଭବିଷ୍ୟ) ,

 

ପ୍ରାକୃତିକ ବିପର୍ଯ୍ୟୟ ସହିତ ଅଦ୍‌ଭୁତ ଘଟଣାମାନ ଘଟିବ । ଦଳଦଳ ବିଚିତ୍ର ଧରଣର ଝିଣ୍ଟିକାମାନେ ମାଡ଼ି ଆସିବେ । ଏମାନଙ୍କୁ ପଙ୍ଗପାଳ କୁହାଯିବ । ଏମାନଙ୍କ ଆଗମନରେ ଆକାଶ ଆଚ୍ଛନ୍ନ ହୋଇଯିବ । ସବୁ ଶସ୍ୟକୁ ଏମାନେ ଖାଇଯିବେ । ଦିବ୍ୟଦ୍ରଷ୍ଟା ସନ୍ଥକବି ଅଚ୍ୟୁତାନନ୍ଦ ଏହି ଦୃଶ୍ୟକୁ ସୁଚକ ବିତ୍ପାତ ବୋଲି କହି ତାଙ୍କ କାବ୍ୟରେ ଉଲ୍ଲେଖ କରିଛନ୍ତି –

 

“ରାମଚନ୍ଦ୍ର ସତର ଅଙ୍କରୁ ଅଠାଇଶ

ଅଙ୍କ ଯାଏ ଧରଣୀ କମ୍ପିବ ଅହର୍ନିଶ

କଳାଧଳା ଅଶ୍ୱେ ଚଢ଼ିଯିବେ ନାରାୟଣ’’

ମ୍ଳେଚ୍ଛ ସଂହାର କରିବେ ଜଗତ ଜୀବନ

-(ଅଚ୍ୟୁତାନନ୍ଦ, ଆଗତ ଭବିଷ୍ୟ ମାଳିକ)

 

ଜଗନ୍ନାଥଙ୍କ କଳ୍‌କୀ ଅବତାରର ସ୍ଥାନ ଓ ସଂକେତକୁ ବଡ଼ କ୍କୁପ୍ତ ଭାବେ ପ୍ରକାଶ କରିଛନ୍ତି କବି ଅଚ୍ୟୁତାନନ୍ଦ । ପୁଣି ଭିନ୍ନ ଭିନ୍ନ ଗ୍ରଛରେ ତାହାକୁ ଭିନ୍ନ ଭିନ୍ନ ପ୍ରକାରେ ସେ ଉଲ୍ଲେଖ କରିଛନ୍ତି । ଏ ସବୁ ଲେଖନକାରଙ୍କ ତ୍ରୁଟି କିମ୍ବା ପ୍ରକ୍ଷିପ୍ତାଂଶ ତାହା ଜାଣିବା ସାଧ୍ୟାତୀତ । ‘କଳି ଆଗତ ଭବିଷ୍ୟ କଥନ’ ଗ୍ରନ୍ଥରେ ସେ ଉଲ୍ଲେଖ କରିଛନ୍ତି –

 

‘ତେରରେ ତରକ ହୋଇବ

ଚଉଦେ ସିନ୍ଧୁ ଘୋଷ ହେବ

ଦକ୍ଷିଣୁଂ ଲହଡ଼ି ଉଠିବ

ଗ୍ରାମ ପାଟଣା ବୁଡ଼ିଯିବ

ଚଉଦେ ଆମ୍ଭେ ହେବୁଂ ଜନ୍ମ

ରହିବୁଂ କାଶୀ ଦେଶ ଗ୍ରାମ

ପାଇବେ ଅନେକ ସୂଚକ

ଜାଣିବେ ଜ୍ଞାନୀ ସନ୍ଥଲୋକ”

-(ଅଚ୍ୟୁତାନନ୍ଦ, କଳି ଆଗତ ଭବିଷ୍ୟକଥନ)

 

ଏହି ସୂଚକ ବା ସଂକେତ ପ୍ରସଙ୍ଗକୁ ସମସ୍ତେ ସହଜ ରୂପେ ବୁଝିପାରିବେ ନାହିଁ । ତାହା ସ୍ୱାଭାବିକ ଘଟଣା ଭଳି ମନେ ହେବ । ତେବେ ଏକଥା ମନେ ରଖବାକୁ ହେବ ଯେ, ଆଚାର ନଷ୍ଟ ହେଲେ ଧର୍ମ ନଷ୍ଟ ହୋଇଯାଏ । ଧର୍ମ ନାଶ ହେଲେ ସର୍ବନାଶ ବେଳ ଉପଗତ ବୋଲି ଜାଣିବାକୁ ହେବ । ଲୋକ ଚରିତ୍ର କଳୁଷିତ ହେଲେ ଭ୍ରଷ୍ଟାଚାର, ଅନାଚାର ଓ ଅତ୍ୟାଚାର ବଢ଼ିଯିବ । ସତ୍ୟ, ଶାନ୍ତି, ଦୟା, କ୍ଷମା, ଜପ,ତପ, ଭକ୍ତି ଆଦି ସତ୍‌କର୍ମ ମଣିଷ ସମାଜରେ ଆଉ ରହିବ ନାହିଁ । କେହି କାହାର କଥାରେ ଭରସା ରଖିବେ ନାହିଁ । ପୁଣି –

 

‘କାହାରି ମନ କାହାରି ସଙ୍ଗେ ନ ମିଳିବ

ଜଣେ ବୁଡ଼ି ମରୁଥିଲେ ଜଣେ ହସୁଥିବ

ଚୋରି କରୁଥିବା ଲୋକେ ସାଧୁ ବୋଲାଇବେ

ସାଧୁଏ ଚୋରି ନକରି ଦଣ୍ଡ ପାଉଥିବେ

ଖଚୁଆ ମିଛୁଆ ଆଉ ପର ଘରବୁଡ଼ା

ଏମାନେ ବୁଲିବେ ଚଢ଼ି ପାଲିଙ୍କି ଯେ ଘୋଡ଼ା

-(ଅଚ୍ୟୁତାନନ୍ଦ, କଳିଯୁଗ ଗୀତା)

 

ସମାଜ ଜୀବନରେ ଘୋର ଅବ୍ୟବସ୍ଥା ଦେଖାଦେବ। ଲୋକ-ଚରିତ୍ର ସ୍ଖଳନର କ୍ରୀଡ଼ାକ୍ଷେତ୍ର ହେବ । ଭଲକଥା କହିଲେ କେହି ଗ୍ରହଣ କରିବେ ନାହିଁ । କୁଳଧର୍ମ, ଗ୍ରାମ ଧର୍ମ, ଜାତି ଧର୍ମ ଓ ଦେଶ ଧର୍ମ ନଷ୍ଟ ହୋଇଯିବ । ନାରୀମାନେ ସ୍ୱେଚ୍ଛାଚାରିଣୀ ଓ ସ୍ୱୈରାଚାରିଣୀ ହେବେ । ପୁରୁଷମାନେ ଦୁରାଚାରୀ ଓ ଅସଦ୍ ପଥଗାମୀ ହେବେ । ପାରିବାରିକ ଜୀବନ ଛିନ୍‌ଛତ୍ର ହୋଇଯିବ-। ଯଥା –

 

(କ)ଗେରସ୍ତ ଭାରିଯା ଭାଗ ହୋଇ ଘର କରିଥବେ ରହି

ଗେରସ୍ତ ଚାଉଳ କାନିରେ ବାନ୍ଧିବ ଭାରିଯାକୁ ପ୍ରତେ ନାହିଂ

(ଖ)ପର ପୁରୁଷକୁ ସ୍ତିରୀ ରତି ଦେବେ କରିଣ ସାହସ ପଣେ

ଗେରସ୍ତ ହୁଡ଼ିଣ କିଛି ନ ବୋଲିବ ରୁଷି ବସିଥିବ କୋଣେ

-(ଅଚ୍ୟୁତାନନ୍ଦ, କଳି କାହାଣୀ)

 

ଏ ସନାତନ ଆର୍ଯ୍ୟଧର୍ମ ଅନୁସୃତ ଭାରତୀୟ ପାରିବାରିକ ଜୀବନ ଧାରା ଭାଙ୍ଗି ପଡ଼ିବ । ଶାସ୍ତ୍ରୀୟ ଆଚାର ବିଚାର ଲୋପ ପାଇଯିବ । ଧନ ଲୋଭରେ ନିଜର ବଡ଼ ପଣ ସାବ୍ୟସ୍ତ କରିବା ପାଇଁ ଯୁବକମାନେ ଅକୁଳରେ ବିବାହ କରିବେ । ଫଳରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଅବିଶ୍ୱାସ ଓ ଆତ୍ମକେନ୍ଦ୍ରିକତାର ପ୍ରାଚୀର ମୁଣ୍ଡ ଟେକିବ । କିମ୍ବା ଏପରି ହେବ –

 

‘ବାପ ସଂଗରେ ପୁଅର ଦଣ୍ଡେ ନ ପଡ଼ିବ

ଶାଶୁଙ୍କୁ ବୋହୂ ମାରିଣ ଘଉଡ଼ାଇ ଦେବ

ଧନ ଲୋଭ ଦିନୁ ଦିନ ବଢ଼ୁ ଥିବ ପାର୍ଥ

ବାପ ମାଆକୁ ବାହାର କରିଦେବେ ସୁତ

ଭାରିଯା ବଶରେ ରହି ଧର୍ମକୁ ଲଂଘିବେ

ଠାକୁର ପରାଏ ତାର ଚରଣ ସେବିବେ

-(ଅଚ୍ୟୁତାନନ୍ଦ, କଳିଯୁଗ ଗୀତା)

 

ସମାଜ ଜୀବନରେ ଶୃଙ୍ଖଳା ରହିବ ନାହିଁ । ନିଜର ବଡ଼ ପଣ ଦେଖାଇବା ପାଇଁ ପ୍ରାଣୀ ଯେକୌଣସି ଘୃଣ୍ୟ କାମ କରିବାକୁ କୁଣ୍ଠାବୋଧ କରିବ ନାହିଁ । ଖାଦ୍ୟ ଅପମିଶ୍ରଣ କରି ବିକ୍ରି କରାଯିବ । ଅସତ୍ ପଥଗାମୀ ଲୋକେ ମଦ୍ୟ-ମାଂସ-ଯୌନାଚାର କରି କାଳାତିପାତ କରିବାକୁ ସୁଖ ମଣିବେ।

 

ଧର୍ମର ସୁରକ୍ଷା, ମାନବିକ ଆଚରଣରେ ସଂଯମ ଭାବ, ସାମାଜିକ ଜୀବନରେ ଶୃଙ୍ଖଳା ଓ ଭ୍ରଷ୍ଟାଚାର-ଅନାଚାର-ଦୁର୍ନୀତିର ବିଲୋପ ହିଁ ଏକ ସୁସ୍ଥ ସମାଜର ଲକ୍ଷଣ । ଯେତେବେଳେ ଏହାର ବିପର୍ଯ୍ୟୟ ଘଟିବ ଓ ସାଧାରଣ ଜୀବନ କ୍ଷେତ୍ରରେ ଘୋର ବିଶୃଙ୍ଖଳା ଦେଖାଯିବ, ସେତିକିବେଳେ କଳିର ପୂର୍ଣ୍ଣ ଆଗମନ ଘଟିଛି ବୋଲି ବିଚାର କରିବାକୁ ହେବ । ପାପମୟ ଜଗତର ତିନୋଟି ସ୍ତର ବା ପର୍ଯ୍ୟାୟ ରହିଛି । ଯଥା -ବାଲ୍ୟକାଳ,ମଧ୍ୟକାଳ ଏବଂ ଅନ୍ତକାଳ । ଏହି ପର୍ଯ୍ୟାୟ ମାନଙ୍କରେ ଭିନ୍ନ ଭିନ୍ନ ସମୟରେ କଳିର ସ୍ଵରୂପ ମଧ ପୃଥକ୍ ପୃଥକ୍ ମନେ ହେବ । ଏହାର ସୂଚନା ଦେବାକୁ ଯାଇ ଭବିଷ୍ୟତ ଦ୍ରଷ୍ଟା ଅଚ୍ୟୁତାନନ୍ଦ କହିଛନ୍ତି –

 

ମେଷକୁ ବୃଷ ସଙ୍ଗତେ ମିଳାଇବୁ ମିଥୁନରେ ପ୍ରକାଶିଣ

ସପ୍ତର୍ଷି ମଣ୍ଡଳ ଦକ୍ଷିଣରେ ଲେଖ ନ କହ ମୋହର ଗୁଣ

ମୀନ ଶନି ଗୁରୁବାରେ ପଡ଼ିଥିବ ଏହି ଅଙ୍କ ଜାଣ ଧ୍ରୁବ

ମିଥୁନ ମାସରେ ତେରଦିନେ ପକ୍ଷ କାଳ ଧରଣୀ ଗ୍ରାସିବ

-(ଅଚ୍ୟୁତାନନ୍ଦ, ଶିବକଳ୍ପ)

 

ଏଭଳି ଗହନ ତତ୍ତ୍ୱକୁ ଅର୍ଥ-ଅର୍ଥାନ୍ତର କରି ଅସଲ ତତ୍ତ୍ୱକୁ ଉଦ୍‌ଘାଟନ କରିବା ଭାରି କଷ୍ଟ-। କାରଣ ପଞ୍ଚସଖାମାନେ ମନ୍ତ୍ର-ତନ୍ତ୍ର-ଯନ୍ତ୍ର ପ୍ରୟୋଗ, ଗୁଣ-ଲୟ-ରସ-ହଜ-ସହଜ-ଛାୟା-ଅବାଡ଼ ସାଧନା ଏବଂ ଅଷ୍ଟାଙ୍ଗ ଭକ୍ତି ଯୋଗରେ ନିପୁଣ ଥିଲେ । ଏହା ଫଳରେ ସେମାନେ ନିଜର ଈଷ୍ଟ ଦେବ ଜଗନ୍ନାଥଙ୍କୁ କଳ୍ପିତ ସ୍ଥାନରେ ଦର୍ଶନ କରିପାରୁଥିଲେ । ଓଡ଼ିଶାର ଏହି ସନ୍ଥକବିମାନେ ମଧ୍ୟ ବୈଷ୍ଣବୀୟ ଅଷ୍ଟାଙ୍ଗ ସାଧନାରେ ସିଦ୍ଧ ଥିଲେ। ଷୋଡ଼ଶ ଶତାବ୍ଦୀର ପ୍ରଥମ ଭାଗରେ ଯେତେବେଳେ ଓଡ଼ିଶାର ସାମାଜିକ ଜୀବନ ବିଧର୍ମୀଙ୍କ ନିପୀଡ଼ନରେ ଧୂମିଳ ହୋଇ ଉଠିଥିଲା, ସେତିକିବେଳେ ଏମାନେ ସମଗ୍ର ଜାତିର ଦୀକ୍ଷାଗୁରୁ ପାଲଟି ଯାଇଥିଲେ । ଗର୍ବୋନ୍ମତ୍ତ ବ୍ରାହ୍ମଣଙ୍କ ଅଖଣ୍ଡ ଆଧିପତ୍ୟକୁ ଅସ୍ୱୀକାରକରି ଏକ ସୁସ୍ଥ ସମାଜ ଜୀବନ ଗଢ଼ିବାପାଇଁ ଏମାନେ ଅଗ୍ରସର ହୋଇ ଆସିଲେ । ସେଥିପାଇଁ ସେମାନଙ୍କ ଉଦ୍ଦେଶ୍ୟରେ ତତ୍‌କାଳୀନ ଲୋକେ କହୁଥିଲେ –

 

ଅଗମ୍ୟ ଭାବ ଜାଣେ ଯଶୋବନ୍ତ

ଗାରକଟା ଯନ୍ତ୍ର ଜାଣେ ଅନନ୍ତ

।।

ଆଗତାନାଗତ ଅଚ୍ୟୁତ ଭଣେ

ବଳରାମ ଦାସ ତତ୍ତ୍ୱ ବଖାଣେ

।।

ଭକ୍ତିର ଭାବ ଜାଣେ ଜଗନ୍ନାଥ

ପଞ୍ଚସଖା ଏ ଓଡ଼ିଶା ମହନ୍ତ ''

।।

 

ମୋଟ ଉପରେ ଏହି ପଞ୍ଚସଖାଙ୍କ ମଧ୍ୟରୁ ପ୍ରତ୍ୟେକ କବି ଆଗତ ଭବିଷ୍ୟ ମାଳିକା ରଚନା କରିଛନ୍ତି । ସମସ୍ତେ ସମକାଳୀନ ଆବିଳ ସାମାଜିକ ଜୀବନ ଧାରାର ପରିବର୍ତ୍ତନ ଚାହିଁବା ସଂଗେ ସଂଗେ ଭବିଷ୍ୟତ ପ୍ରତି ସତର୍କ ରହିବାପାଇଁ ସୂଚନା ଦେଇଛନ୍ତି । ମାତ୍ର ତା’ସତ୍ତ୍ୱେ ଏହି କବିମାନଙ୍କର ଗୋଟିଏ ଗୋଟିଏ କ୍ଷେତ୍ରରେ ଅଗାଧ ପାଣ୍ଡିତ୍ୟ ଥିଲା । ଶୂନ୍ୟ-ଚେତନାର ପ୍ରମୁଖ କବି ଅଚ୍ୟୁତାନନ୍ଦଙ୍କର ଅନ୍ୟାନ୍ୟ ଦିଗ ବ୍ୟତୀତ ମାଳିକା ବା ଭବିଷ୍ୟତ ପ୍ରସଂଗରେ ପ୍ରଚଣ୍ଡ ଜ୍ଞାନ ଥିଲା । ତେଣୁ ସେ ସାଧାରଣ ଜନତାଙ୍କ ନିକଟରେ ମହାପୁରୁଷ ଅଚ୍ୟୁତାନନ୍ଦ ବା ଭବିଷ୍ୟତ ଦ୍ରଷ୍ଟା ମହାପୁରୁଷ ରୂପେ ସୁପରିଚିତ ଥିଲେ । ଏହି କ୍ରାନ୍ତିକାରୀ କବିଙ୍କ କଥାରେ ଲୋକଙ୍କର ପ୍ରଚଣ୍ଡ ଆସ୍ଥା ଥିଲା ଏବଂ ସେହି କାଳରୁ ଅଦ୍ୟାବଧ ସେ ଆସ୍ଥା ଅତୁଟ ରହିଆସିଛି । ଏଣୁ ମାଳିକା କହିଲେ ଲୋକେ ଅଚ୍ୟୁତାନନ୍ଦଙ୍କ ରଚନାକୁ ହିଁ ବୁଝନ୍ତି । ତାଙ୍କର ବଚନ ସିଦ୍ଧି ଏଭଳି ସୁନାମକୁ କାଳ କାଳ ପାଇଁ ବଂଚାଇ ରଖିଆସିଅଛି । ସେ କେବଳ ଭବିଷ୍ୟତରେ କଣ ଘଟିବାକୁ ଯାଉଛି ତାହାକୁ ଶବ୍ଦ ସଂକେତ ମାଧ୍ୟମରେ କହିଯାଇ ନାହାଁନ୍ତି, ସେଥିପାଇଁ କି ପନ୍ଥା ଗ୍ରହଣ କରିବାକୁ ହେବ, ତାହାର ଉପାୟ ମଧ୍ୟ ବତାଇ ଦେଇଛନ୍ତି ।

 

‘କଳିକାଳ ରୀତି ବଡ଼ ବିପରୀତ ଜ୍ଞାନୀ ହେବେ ବାଟ ବଣା

ହରିନାମ ଯେହଂ ଅମୀୟ ଅମୃତ ବେଳ ହୁଂ କର ଠିକଣା ?

-(ଅଚ୍ୟୁତାନନ୍ଦ, ଶିବକଳ୍ପ)

ପୁଣି ଅନ୍ୟ ଏକ ଗ୍ରନ୍ଥର ପରିଶେଷରେ ସେ ଏହିଭଳି ଉପଦେଶ ଦେଇଛନ୍ତି -

‘ମହାଘୋର ଏହି କଳି ଯେ ଦୁସ୍ତର ହରି ଆଶ୍ରେ କର ନର

ଶ୍ରୀକୃଷ୍ଣ ପାଦରେ ଚିତ୍ତ ଦେଇଥିଲେ ଘରେ ନ ପଶିବ ଚୋର

(ଅଚ୍ୟୁତାନନ୍ଦ, ମହାଆଗତ ଭବିଷ୍ୟ)

ଅନେକ ସଂକେତ ଅନେକ କ୍କୁପ୍ତ ବାକ୍ୟଦ୍ଵାରା କବି ଅଚ୍ୟୁତାନନ୍ଦ ଉତ୍କଳୀୟଙ୍କ ହୃଦୟରେ ସନାତନ ଆର୍ଯ୍ୟଧର୍ମର ମହନୀୟତାକୁ ବଂଚାଇ ରଖିବାପାଇଁ ପ୍ରୟାସ କରିଯାଇଛନ୍ତି । ତାକୁ ଅର୍ଥଅର୍ଥାନ୍ତର କରି ଲୋକେ ତାଙ୍କରି ସମୟରେ ଘଟି ଯାଉଥିବା ଘଟଣା ସହିତ ତୁଳନାକରି ମାଳିକାର ଯୁଗୋପଯୋଗିତା ଅନୁଭବ କରୁଛନ୍ତି । ଏଥିରେ ଉଲ୍ଲେଖିଥିବା ସର୍ବକାଳିକ ସତ୍ୟର ରହସ୍ୟ ଉପଲବ୍ଧି କରି ପୁଲକିତ ହେଉଛନ୍ତି । ବର୍ଷଣମୁଖର ସନ୍ଧ୍ୟାରେ ଜେଜିମାଠାରୁ ଅପୂର୍ବ କାହାଣୀମାନ ଶୁଣି ଭୟସନ୍ତ୍ରସ୍ତ୍ର ହୋଇଉଠୁଥିବା ପିଲାମାନଙ୍କ ଭଳି ଭବିଷ୍ୟତ ମାଳିକା ପ୍ରସଙ୍ଗ ଶୁଣି ଆଗୁହୁଁ ସାବଧାନ ହେବାକୁ ଚାହୁଁଥିବା ଲୋକେ ଅଚ୍ୟୁତଙ୍କୁ ତ୍ରିକାଳଜ୍ଞ ମନେ କରନ୍ତି ଏବଂ ତାଙ୍କ ଲେଖାରୁ ସର୍ବକାଳିକ ସତ୍ୟକୁ ଉଦ୍‌ଘାଟନ କରନ୍ତି ।

 

‘ଆସୁଅଛି କାଳ ବେଳ

ସପତ ଦିନ ହେବ ଯେ ଅନ୍ଧାର, ଲୋ ଜାଇଫୁଲ !

ବେଳୁଂ ଷଡ଼ଚକ୍ର ଏକ କର

ଭଇରବୀ ଦେବ ଡାକ

ଚମକି ପଡ଼ିବ ସାରା ମୁଲକ, ଲୋ ଜାଇଫୁଲ !

ହୁଅ ସଦ୍‌ଗୁରୁଙ୍କ ସେବକ’

-(ଅଚ୍ୟୁତାନନ୍ଦ, ଜାଇଫୁଲ ମାଳିକା)

 

କବି ଅଚ୍ୟୁତାନନ୍ଦ ଖୁବ୍‌ ଆଶାବାଦୀ । ସେ ବିଶ୍ଵାସ କରୁଥିଲେ ଯେ, ଏ ଦୁଃସମୟ ସବୁଦିନ ରହିବ ନାହିଁ । କଳ୍‌କୀ ଦେବଙ୍କ ମ୍ଳେଚ୍ଛ ନିବାରଣ ପରେ ପୁଣି ପୃଥିବୀରେ ନିର୍ମଳ ସତ୍ୟର ରାଜୁତି ହେବ। ସତ୍ କର୍ମର ପୂଜା ହେବ । ପବିତ୍ର ଭାରତ ଭୂମିରେ, ଆର୍ଯ୍ୟମାନଙ୍କ ଦ୍ଵାରା ତାଙ୍କର କର୍ମଭୂମି ଓ ଧର୍ମଭୂମିର ମର୍ଯ୍ୟାଦା ରକ୍ଷା କରାହେବ । ସେଥିପାଇଁ ସାଧୁ-ସତ୍ୟବାଦୀ ଲୋକଙ୍କର ଭୂମିକା ବଳିଷ୍ଠ ହେବା ଦରକାର । ଅତଏବ ପଞ୍ଚସଖାମାନେ ଉତ୍କଳୀୟ ସମାଜ-ଜୀବନକୁ ସୁଧାରିବାପାଇଁ କେବଳ ସରମନ ଶୁଣାଇ ନାହାଁନ୍ତି ; ବରଂ ଆମ ସମାଜରେ ଘଟିବାକୁ ଯାଉଥିବା ଦୁର୍ଘଟଣାମାନଙ୍କୁ ଆଗରୁ ତର୍ଜନୀ ନିର୍ଦ୍ଦେଶ କରି ଦେଖାଇ ଯାଇଛନ୍ତି। ଏହା ସହିତ ସେମାନେ ଅନାଗତ ଭବିଷ୍ୟତ ପାଇଁ ସଚେତନ ହେବାଲାଗି ଆଧ୍ୟାତ୍ମିକ ତଥା ସାମାଜିକ ନିର୍ଦ୍ଦେଶ ଦେଇଯାଇଛନ୍ତି । ଏହାଛଡ଼ା ମନୁଷ୍ୟ ଜନ୍ମ ଓ ଲୀନ ହେବାର ରହସ୍ୟ, ସେ କଣ କରିବ ଓ କଣ ନ କରିବ, ତାହାର ସୂଚନା ଏବଂ ବିଦ୍ୟା-ଅବିଦ୍ୟାର ସଂକେତ ଦେଇ ସେ ସମଗ୍ର ମାନବ ଜାତିର ତ୍ରାଣକର୍ତ୍ତା ଓ ଗୁରୁ ହୋଇଯାଇଛନ୍ତି । ସେଇଥିପାଇଁ ବୋଧହୁଏ ଆମେ ଅଚ୍ୟୁତାନନ୍ଦଙ୍କୁ ସାଧାରଣ କବି ବୋଲି ନ କହି ‘ସନ୍ଥକବି ମହାପୁରୁଷ’ ବୋଲି କହି ଆସିଚୁ ।

 

ଅଚ୍ୟୁତାନନ୍ଦଙ୍କ ନାମରେ ଭଣିତା ହୋଇଥିବା ବହୁ ପୋଥି ଓ ପ୍ରକାଶିତ ଗ୍ରନ୍ଥ ଏବେ ଉପଲବ୍ଧ ହେଉଅଛି । ଏଥିରେ ବହୁ ଅର୍ବାଚୀନ ଶବ୍ଦ ଓ ବହୁ ପରବର୍ତ୍ତୀ ସମୟର ଘଟଣାବଳୀ ସନ୍ନିବେଶିତ ହୋଇଛି । ପରବର୍ତ୍ତୀ କାଳରେ ଏ ଦିଗରେ ପଦକ୍ଷେପ ନେଲାବେଳେ କେତେ ପରିମାଣରେ ସତର୍କତା ଅବଲମ୍ବନ କରିବାକୁ ହେବ ତାହା ସହଜେ ଅନୁମେୟ । ଏହି ଦୁରୂହ କାର୍ଯ୍ୟ ସମ୍ପାଦନା କଲାବେଳେ ଯେଉଁମାନଙ୍କର ସାହାଯ୍ୟ ଓ ସହଯୋଗ ମିଳିଛି ସେମାନଙ୍କ ନିକଟରେ ଆମେ କୃତଜ୍ଞ ।

 

ଅଚ୍ୟୁତାନନ୍ଦ ରଚନାବଳୀ ମାଳିକା ଖଣ୍ଡ

ଶ୍ରୀକଳି କାହାଣୀ

ଶ୍ରୀ ଜଗନ୍ନାଥ ଚରଣେ ଶରଣ

 

କଳି ଶେଷରେ ଭାରଥ ମାରି କୃଷ୍ଣ ବସି ୟେକାମ୍ବର ବନ

ଗରୁଡ଼ ଅଛନ୍ତି ସଙ୍ଗତେଣ ପୁଣ ବିରିଜା କଲେ ଦ୍ରଶନ

ନବ କୋଟି ଛନ୍ତି କାନ୍ତାନୀ ଯେ ପୁଣ ଯୋଗ୍ନୀ ଚଉଷଠୀ ଜାଣ

ଭାରଥ ଯୁଦ୍ଧରେ ସନ୍ତୋଷ ନୋହିଲା ଆସର ଚିତ୍ତ ଯେ ପୁଣ

 

ହସ ହସ ହୋଇ ଅର୍ଜ୍ଜୁନକୁ ଚାହିଂ ଶ୍ରୀକୃଷ୍ଣ କହନ୍ତି ବାଣୀ

ଯୁଦ୍ଧ ସ୍ରୋତ ହେବ କଳିଯୁଗ ମଧ୍ୟେ ତୁମ୍ଭେ ଭକ୍ଷିବ ଗୋ ପୁଣି

ପ୍ରଥମ ପାଦ କଳି ଭୋଗ ହୋଇବ ଦ୍ଵିତୀୟ ପାଦ ଯେ ଯିବ

ତୃତୀୟ ପାଦ ପଶନ୍ତେଣ କଳି ପୁରୁଷ ଜାତ ହୋଇବ

 

ପୁରୁଷୋତ୍ତମ ଦେବ ବୋଲିଣ ରାଜନ ଦୁତୀଅ ପାଦ ଯେ ଯିବ

ମୁକୁନ୍ଦ ଦେବ ବୋଲି ରାଜନରେ ତୃତୀୟ ପାଦ ପଶିବ

ସେହି ରାଜା ୟେକଚାଳିଶ ଅଙ୍କରେ ବଉଦ ଆସ୍ଥାନ ଛାଡ଼ିଣ

କଳଙ୍କୀ ରୂପେ ଯେ ଜନମ ହୋଇବୁଂ ଭଗତ ହିତରେ ଶୁଣ

 

ନିପୁଚି ଗୋପାଳ ଘରେ ଜନମିବୁଂ ମାତା ପିତା ହତ ହେବେ

ଗୋପ୍ୟ ଗଙ୍ଗାତୀରେ ବ୍ରାହ୍ମଣ ନେଇଣ ଆମ୍ଭଙ୍କୁ ପାଳି ରଖିବେ

ବିପ୍ର ନାରୀ ବିପ୍ର ହତ ଯେ ହୋଇବେ ଆମ୍ଭର ଦଶ ବରଷେ

ତହୁଂ ଚଳିଯାଇ ତପସ୍ୟା କରିବୁଂ ଗୁପତ ଭୁବନ ଦେଶେ      

ତିନି ଧୂପ ପାଞ୍ଚ ଅବକାଶରେ ଯେ ବଉଦ ଥାନେ ନ ଥିବୁଂ

କେବଳ ଗୋପାଳବଲ୍ଲବ ଭୋଗରେ ୟେକା ବେଳକେ ଭୁଂଜିବୁ

ଗରୁଡ଼ ପିଠିରେ ପୁଣି ଯେ ଆସିଣ ତପସ୍ୟା ଥାନେ ବସିଣ

ସେହି କାଳରେ ଯେ ବିଷ-ବିତ୍ତମାନ ଅପାର ହୋଇବ ପୁଣ

ରାବଣ ବଧ୍ୟ ହୋଇଲା ଯଉଂ କାଳେ ଦେବେ ଲଗାଇଲେ ଦୋଷ

ଦେବଙ୍କ ନିମନ୍ତେ ତପ ଯେ କରିବୁଂ ଆମ୍ଭେ ଯେ ଶଏ ବରଷ

ଆତ୍ମା ଲଏକରି ଜ୍ୟୋତିକି ଆବୋରି ଅଣକ୍ଷରେ ଧ୍ୟାନ କରି

ଏମନ୍ତ ଜପ ମାନବା ଦେହେ କଲେ ପାପରୁ ହୋଅନ୍ତି ପାରି

ଆମ୍ଭର ସଙ୍ଗେ ବେହାର ଯେତେ ଲୋକ ମଞ୍ଚମଣ୍ଡଳରେ ଥିବେ

ସଭିଏଂ ଏହି ଭଜନରେ ମଜ୍ଜିଣ ମାୟାରେ ବୁଡ଼ି ରହିବେ

ଦାସ ଚଉଷଠୀ ଦ୍ଵାଦଶ ଗୋପାଳ ଆମ୍ଭର ଅଟନ୍ତି ପ୍ରାଣ

ବଡ଼ସିଘାଂର ଭୋଗବେଳେ ଯାଇଣ ଦ୍ରର୍ଶନ ପାଇବେ ପୁଣ

କେହୁ ଥିବ ବନେ କେ ଥିବ ସଦନେ ଆରତ ହୋଇଣ ମନ

କଳି କାଳ ପାପ ବହୁତ ହୋଉଛି ବେଗେଣ ଦିଅ ଦ୍ରଶନ

ଶତେ ବରଷ ଅନ୍ତରେଣ ଆମ୍ଭେ ଯେ ଧବଳ ଗିରିକୁ ଯାଇଂ

ଭଗତଗଣଙ୍କୁ ଘେନି ୟେକାକ୍ଷର ଜପ କରିବୁଂ ସେଠାଇଂ

 

ଆମ୍ଭର ମୁରାଟ ଶୁଣି ବଡ଼ ଆଟ ଡିଲୀଶ୍ୱର ଯେ ଆସିବ

ଗଙ୍ଗା କୂଳରେ ରହିଣ ସେହୁ ପୁଣ ସମର ବଡ଼ ରଞ୍ଚିବ

ବଉଦଠାବରୁ ତିରିବେଣୀ ଯାୟେ ଆମ୍ଭର ରହିବେ ଜନ

ସେହୁ ଠାବରେଣ ମାହାରଣ ହେବ ଦେବ ଦାନବଙ୍କ ପୁଣ

 

ଶତ ଯେ ଚାଳିଶ ପଥ ଯେ ଭିତରେ ସତ୍ୟବନ୍ତ ଯେତେ ନର

ଯେତେ ଜନ ଭଜୁଥିବେ ୟେକାକ୍ଷର ରହିବେ ତହିଂ ଭିତର

ରୋଧିର ନଦୀ ବହିବ ସେହିଠାରେ ପୋତା ଖପର ପୂରିବ

କାନ୍ତାନୀଗଣଙ୍କ ମନରେ ଯେ ସୁଖ ଭୋଜନ ତୁମ୍ଭ ପୂରିବ

 

ଚନ୍ଦ୍ର ସୂର୍ଯ୍ୟଙ୍କୁ ସାକ୍ଷୀ କରି ସେଠାରେ ବିରଜା କଲେ ମେଲାଣି

ରାତ୍ରି ଦିବସ ପାପମାନ ତୁମ୍ଭଙ୍କୁ ଗୋଚର ଅଛି ତ ପୁଣି

ଆଦିଶକ୍ତି ଆସି ତୁମ୍ଭଙ୍କୁ କଟାଳ କରିବ ଯେତେବେଳେଣ

ଯେତେ ପାପ ଜନେ ମଞ୍ଚେ କରିଥିବେ ତାହାକୁ ଦେବେ ଲେଖିଣ      

 

ଚନ୍ଦ୍ର ସୂର୍ଯ୍ୟ ଦୁହେଂ କର ଯେ ଯୋଡ଼ିଣ କହନ୍ତି ବିନୟ ହୋଇଂ

ବିରିଜା ଜନ ଅଟନ୍ତି କେଉଂମାନେ ଯେହା କହ ଭାବଗ୍ରାହୀ

କହସି କେଶବ ହେ ଧର୍ମ ପୁରୁଷ ତୁମ୍ଭେ ଜାଣ ଧର୍ମମାନ

ପାପେ କଳିଯୁଗେ ଯେ ଅଂଶ ମରିବେ ତୁମ୍ଭେ ହେତୁ ମନେ ଘେନ

 

ରାମେଶ୍ଵରଠାରୁ ସକଳ ଜନଙ୍କୁ ହନୁ ଆଣିମ ଯେ ପୁଣ

ବଦରିକାଠାରୁ ଗଙ୍ଗାପାରି ଯାୟେ ବେତାଳ ଆଣିମେ ଶୁଣ

ମଧ୍ୟମା ଦେଶରୁ ଗରୁଡ଼ ଆଣିବ ସତ୍ୟବନ୍ତ ଜନ ରଖି

ପୂର୍ବ ସିନ୍ଧୁ ତଟେ ୟେକାକ୍ଷର ଜନେ ବିରିଜା ରଖିବେ ବାଛି

 

ଆପୁଖିଆ ଜଟାଧାରୀ ଯେ ଅପାର ପଡ଼ିବେ ସମର ତଳେ

ମଚ୍ଛଖିଆ ଦାସ ଅପାରୁଂ ଅପାର ହାଣ ହେବେ ମାଳମାଳେ

ଧୁଆଂଖିଆ ଜନ ଅପାର ସେଠାରେ ନାଶ ହୋଇବେଟି ଜାଣ

ପର ରମଣୀ ହରିଲା ଜନମାନେ ସେଠାରେ ହେବେ ମାରଣ

 

ଗୋବଧ କଳୀନ୍ଦ୍ର ବହୁତ ମରିବେ ମିଛୁଆ ଯେତେ ପରାଣ

ସତ କଳୀନ୍ଦ୍ର ରହିବେ ଥୋକାୟେ ୟେ କଥା ଅର୍ଜ୍ଜୁନ ଶୁଣ

ଗୋଦଣ୍ଡା ଭଙ୍ଗା ବେଳବୁଡ଼ା ଚଷା ସେଠାରେ ମରିବେ ଯାଇଂ

ସପ୍ତ ଘଡ଼ି ଚଷା ମାରଣ ହୋଇବ ଶୁଣ ହୋ ଯୁଜେଷ୍ଟି ଭାଇଂ

 

ପଣ କଳନ୍ତର ସାଧୁଏ ମରିବେ ବୋଡ଼ିକ ସାଧୁ ତ ଥିବେ

ସତ ନଳରେ ମିଛ ଲେଖା କରିଣ ବିରିଜା ଦାଢ଼େ ପଡ଼ିବେ

ସତ ଲେଖିଲାର କରଣ ରହିବେ ସତ୍ୟବନ୍ତ ରାଜା ଥିବେ

ସତ୍ୟ କଳି ପାପେ ବିହନ ହୋଇବେ ଆମ୍ଭର ସଙ୍ଗେ ଖେଳିବେ

 

 

ଅଣଗଉଣି ଯେ ନିରାଧି ବିକିଲା ସେ ନର ମରିବେ ଥୋକେ

ସତ୍ୟରେ ଯେ ନର ବିକିରି କରିବ ରହିଥିବ ୟେକେ ୟେକେ

ଅନ୍ନବସ୍ତ୍ର ଖିଆ ବିଶ୍ୱାସ ଘାତେକୀ ମାରିବେ ପାଇ କଷଣ

ଦାନଦତ୍ତ ବୃତ୍ତି ହରିଲାର ଜନ ୟେଥୁଂ ହେବେ ଥୋକେ ହାଣ

 

ବିଧବା ସ୍ତ୍ରୀରିଙ୍କି ହରିଲା ପୁରୁଷ ବାଳହତ୍ୟା ଦୋଷ ହୋୟେ

ୟେ ଅଂଶରୁ ଥୋକେ ମରିବେ ସେଠାରେ ୟେଥିରେ ନାହିଂ ସଂଶୟେ

ପାପ ଅଂଶମାନେ ବହୁତ ବଢ଼ିବେ ପାପ ପାଦ କଳି ପରେ

ପୁରାଣ ରାମାୟଣ ଗୀତା ଭାଗବତ ଶୁଣିମା ଯିବ ପାପରେ

 

ଆମ୍ଭର କୂଟକୁ କେ ଆନ କରିବ ବିଶ୍ୱକୂଟ ନାମ ମୋର

ମୋ କୂଟ ଜାଣି ଯେ ସତ ଆଚରିବ ଦେଖିବ ଲୀଳା ମୋହର

ସତ୍ୟ ଯୁଗରେ ଯେ କୂଟସ୍ଥ କରିଣ ମାଇଲି ଅସୁର ଗଣ

ତ୍ରେତୟା ଦ୍ୱାପରେଂ କୂଟ ନ ବୁଝିଲେ ରାବଣ କଂସ ଯେ ପୁଣ

 

କଳିଯୁଗରେ କୂଟ କେ ବୁଝିବେ ମୋହୋର ମାୟାର କଥା

ଭଗତ ମୋହୋର ଚେତନା ପାଇବେ କଳିଯୁଗେ ମୋହ ଯଥା

ଅଭକ୍ଷ ଭକ୍ଷିଣ ଅସତ୍ୟ କହିଣ ଦେଲା ଦାନମାନ ହରି

କଳିଯୁଗରେ ୟେ ଅସୁର ଅଟନ୍ତି ଶୁଣ ହୋ ଗାଣ୍ଡୀବଧାରୀ

 

 

ଅର୍ଜ୍ଜୁନ ବୋଇଲେ ଶୁଣ ମହାପ୍ରଭୁ ପିତାମାତା ସବୁଙ୍କର

ସାନବଡ଼ କଲ ୟେଥିର ଭିତରେ ଅଟଇ ୟେ ଅଗୋଚର

ଶୁଣ ହୋ ଅର୍ଜ୍ଜୁନ ଗୁପତ କଥନ ଆମ୍ଭର ହେତୁ ବଚନ

ଆମ୍ଭଠାରୁ ଜାତ ହୋଇଣ ଅଛନ୍ତି ତମ ସତ ରଜ ଗୁଣ

 

ତମଗୁଣ ଯେତେବେଳେ ପ୍ରବର୍ତ୍ତଇ ସତଗୁଣ ସରୁ ଥାଇଂ

ସତ ପ୍ରକାଶନ୍ତେ ତମ ଯେ ଲୁଚଇ ରଜଗୁଣ କ୍ଷୟେ ଯାଇଂ

ୟେଣୁକରି ସତ୍ୟ କଳି ଯେ ହୋଇବ ତମ କଳି ହେବ ନାଶ

ରଜ ଗୁଣ ଗୋଟା ସତରେ ଲୁଚିବ ହେବ ଯେ ଶତେ ବରଷ

 

ଆମ୍ଭର ନୀଳା ୟେ କେ ଆନ କରିବ ଯାହାର ଯେମନ୍ତ ଗୁଣ

ସାନ ବଡ଼ କରି ପିତା ଯେଉଂ ଭାବେ ପାଳଇ ପୁତ୍ରକୁ ପୁଣ

ରାଜସିଗଣ କେଉଂଠାରେ ବଢ଼ନ୍ତି ତାମସୀ କାଳ କେବଳ ତ

ସାତୁକୀଗଣ କେଉଂଠାରେ ବଢ଼ନ୍ତି ଆମ୍ଭର ସେଠାରେ ଦୂତ

 

ତମ ରାଜସ ପ୍ରାଣୀମାନେ ଯେତେକ ଆମ୍ଭର ତାହାଙ୍କୁ ମାୟା

ସାତୁକୀ ଜନକୁ ସବୁ ଯୁଗରେଣ କରୁଥାଉଂ ଆମ୍ଭେ ଦୟା

ସେନେହ ପୁତ୍ରଟି ସାତୁକୀ ଅଟଇ ଆତ୍ମାରେ ପାବନ୍ତି ସୁଖ

ଅସ୍ନେହ ପୁତ୍ର ଯେ ରାଜସି ତାମସୀ ବଡ଼ପଣେ ପାନ୍ତି ଦୁଖ

 

 

ଶ୍ରୀମୁଖ ବଚନ ଶୁଣି ଚିତ୍ତ ତୋଷ ଆବର ପୁଛଇ ରସ

କଳି ପାପ ଯୁଦ୍ଧ କେମନ୍ତ ହୋଇବ କହିବା ତହିଂ ରହସ୍ୟ

ଶୁଣ କଳି ଛନ୍ଦ ବିପରୀତ ମନ୍ଦ ରାଜନମାନଙ୍କ ଚିତ୍ତ

ଭୂମି ଖଣ୍ଡକରେ ପଣ ପାଇଣ ଯେ ନ ମାନିବେ ଧର୍ମମତ

 

ପରଜାମାନଙ୍କୁ ପୀଡ଼ା ଯେ କରିବେ ରାଜୁସି ତାମସେ କୂଟ

ପ୍ରାଣୀମାନେ ତହିଂ ଆରତ ହୋଇଣ ହୋଉଥିବେ ଛଟପଟ

ଚାରି ପାଞ୍ଚଥର କୃଷି ଯେ ଫଳିଲେ ମନରେ ନୋହିବେ ତୋଷ

ବେଳକ ଭୂମି ଦୁଇ ବେଳ ଦେଖନ୍ତେ ପୃଥିରେ ନୋହଇ ଶସ୍ୟ

 

ଭୂମି ନ ଫଳନ୍ତେ କିଛୁ କିଛୁ ହ୍ୱନ୍ତେ ମିଛ ବଚନ ହୋଇବ

ରଜା ନୋହେ ସୁଖୀ ପ୍ରଜା ନୋହେ ଦୁଖୀ ଲକ୍ଷ୍ମୀ କୂଟରେ ଘୁଞ୍ଚିବ

ୟେକା ପରଜାକୁ ତିନିଜଣ ଯାଇଂ ବୋଲୁଥିବେ ମାର ମାର

ଆରତେ ପରଜା ଦୁଖ ପାଇଣ ଯେ ହୋଉଥିବେ ଥର ଥର

 

ସୋଲ୍ୟ ପଣକୁ ଲେଖିଦେଇ ହସ୍ତେଣ ଦୁଇ ରାଶି ଧନ ନେବେ

ତେବେହେଂ ମନରେ ହରଷ ନୋହିବ ଖଜୁରି ଛାଟେ ପିଟିବେ

ତାହାଙ୍କ ବିକଳ ଶୁଣୁଥିବି ଚିତ୍ତେ ତପସ୍ୟା ଥାନରେ ରହି

ସତ୍ୟ କଳିରେ ସୁଖ ତୁମ୍ଭେ ପାଇବ ପହରା ଅଛୁ ଭିଆଇଂ

 

 

ପରଜା ରୋଧିର ନୟନରୁ ନୀର ପଡ଼ଇ ଯେ ରାଜା ଦେଶେ

ସେ ଦେଶର ଜନ ସୁଖୀ ଯେ ନୋହନ୍ତି ନ ମିଳଇ ଅନ୍ନଗ୍ରାସେ

ୟେହିମତି ମଞ୍ଚ ମଣ୍ଡଳେ ଭିଆଣ ସକଳ ଦେଶରେ ହେବ

ନୀଚ ହୋଇ ରାଜା ପରଜା ଦରିଦ୍ର କଳି ପାପ ଘୋଟିଥିବ

 

କୃଷି ନ ପାଳିବ ବଳେ ଧନ ନେବ ଧୋଇ ମରୁଡିରେ ଯିବ

ଚାଣ୍ଡାଳରୁ ହୀନ ରାଜା ଯେ ହୋଇବ କଡ଼ାକଇଂ ନ ଛାଡ଼ିବ

ରାଜା ହୋଇ କରି ପଣକ କଡ଼ାକୁ ରହିବ ତାହାଙ୍କ ଚିତ୍ତ

ରାଜପଣ ଯିବ ଦରିଦ୍ର ହୋଇବ ଚିନ୍ତା କରୁଥିବେ ବିତ୍ତ

 

ସର୍ବ ଧର୍ମ କର୍ମ ହରଣ ହୋଇବ ହରାଦି ରାଜନ କାଳେ

କଳୀନ୍ଦ୍ର ଦେଶେ ଯେ ପ୍ରବଳ ହୋଇବେ ବିରିଜା ଦେଶ ମଣ୍ଡଳେ

ଗଙ୍ଗାଠାବରୁ ଯେ ଋଷିକୋଇଲାର ନଦୀ ଯାୟେ ବଡ଼ ତେଜା

ରାଜା ଭୂପତିମାନଙ୍କର ତହିଂରେ ନ ରହିବ ଆଉ ପୂଜା

 

ଦାନ ଦତ୍ତ ସବୁ ହରଣ ହୋଇବ ରାଜା ହସ୍ତ ଲେଖାମାନ

କଳୀନ୍ଦ୍ର ହସ୍ତର ଯେ ଲେଖା ପାଇବ ସେହି ହେବ ପରମାଣ

ଶୁଦ୍ଧ ଭୂମି ଖଣ୍ଡି ନେବତ କଳୀନ୍ଦ୍ର ଅଶୁଦ୍ଧ କରିବ ଯାଇଂ

ଅପାର କାଳର ରାଜା ପୋତାଧନ ସବୁ ନେବ ସେହୁ ବହିଂ

 

 

ରାଜା ରାମ ସୁତ ଗୁପତ ବାଳୁତ କପଟ କରିବ ଚିତ୍ତ

ବ୍ୟାଧ ବୁଦ୍ଧିବନ୍ତ ପୁତ୍ର ଯେ ମାନନ୍ତ କେହି ନଥିବେ ସଙ୍ଗତ

ବିପରୀତମାନ ସେ କାଳେ ହୋଇବ କାନ୍ତାର ତିନି ବରଷ

ମହା ଆରତ ଯେ ହୋଇବେ ସେକାଳେ ସକଳ ସ୍ତିରୀ ପୁରୁଷ

 

ମାଉସୀ ପିଉସୀ ଖୁଡେଇ ଦେଠେଈ ମାତା ଭଗ୍ନୀକି ରମଣ

ଶାଶୁ ଅବିଚାରି ବୋହୂ ଯେ ଘରଣୀ ହୋଇଥିବେ ପଣ ପଣ

ପିତାକୁ ଛାଡ଼ିଣ ମାତାକୁ ୟେଡ଼ିଣ ମାଇପକୁ ଘେନି ଘର

ଶାଶୁ ବାଳ ଧରି ବୋହୂ ଯେ ମାରିବ କେହି ନ ବହିବେ ଡର

 

ଜଡ଼ କାଲ ପ୍ରାଏ ଗେରସ୍ତ ବସିଣ ନଟ ପ୍ରାୟେ ହଟ ଦେଖା

ୟେ ପାପମାନଙ୍କେ ଯୁଗ କ୍ଷୟେଯିବ ପାପ କେ କରିବ ଲେଖା

ଭାଇମାନଙ୍କର ବିଚାର ନୋହିବ ଜଣେ ଜଣେ ବଡ଼ ପଣ

ଘର ସଂପଦ ରାଶି ନଷ୍ଟ କରିବେ ଦାରିଦ୍ର ଘୋଟିବ ପୁଣ

 

ସାହୁ ଖାତେକ ମରାମରି ହୋଇବେ ଖାଇ ଲୁଚି ପଳାଇବେ

ଧର୍ମର ଡର ତ ମନରେ ନଥିବ କାଲ ପ୍ରାଏ ଶୁଣୁଥିବେ

ସାତ ବରଷର ପୁଅଙ୍କୁ ନେଇଣ କର୍ଣ୍ଣ ଉପଦେଶ ଦେଇଂ

ସ୍ତିରୀବୁଦ୍ଧି ଉପଦେଶ ଯେ ପାଇଣ ଗୁରୁଙ୍କୁ ସେବିବେ ନାହିଂ

 

 

ଗୁରୁଙ୍କୁ ଦେଖିଣ ନ ଦେବେ ବଚନ ଦେଖିଲେ ଲୁଚିବେ ଘର

ଗୁରୁଠାରେ ଶିଷ୍ୟ ୟେଡ଼େ ଅବିଶ୍ଵାସ ପାପ ହେବ ଅଗୋଚର

ନିର୍ଧନ ଶିଷ୍ୟକୁ ଗୁରୁ ପୁଣ ଯାଇ ଦଣ୍ଡମଣ୍ଡ କରୁଥିବେ

ବେଳକାଳ ଜାଣି ଗୁରୁଠାରେ ଶିଷ୍ୟ ଜାଣିଣ କିଛି ନ ଦେବେ

 

ଗୁରୁ ବୋଲୁଥିବେ କଉଡ଼ି ଭାବରେ ଶିଷ୍ୟ ବୋଲୁଥିବେ ନାହିଂ

ୟେହୁ ପାପେ ଯୁଗ କିଛୁ ତୁଟିଯିବ ସେଥିରେ ସଂଶୟ ନାହିଂ

ଅର୍ଜ୍ଜୁନ ବୋଇଲେ ଶୁଣିମା ଗୋସାଇଂ ମନକୁ ବଡ଼ ସଂଶୟେ

ୟେହୁ ପାପ ଗୋଟା କେମନ୍ତ ପ୍ରକାରେଂ ହୋଇବ ପୁଣ ଯେ କ୍ଷୟେ

 

ଶୁଣ ହୋ ଅର୍ଜ୍ଜୁନ ଆମ୍ଭ କୂଟ ପୁଣ କଳିରେ ଦିଗୁଣ ହେବ

ଦୁଇ ମତ ଶିଷ୍ୟ କଳିରେ ହୋଇବେ ତୁମ୍ଭଙ୍କୁ କହିବା ଭାବ

ଚାପୋଡ଼ ଫୋଡା ଦଣ୍ଡମଣ୍ଡ ଗୁରୁ ଭଗତି ତହିଂକୁ ନାହିଂ

ଇଣ୍ଡଭଣ୍ଡ କରି କଉଡି ଲୋଡ଼ିବେ ଯନ୍ତ୍ର ମନ୍ତ୍ର ନ ବୁଝାଇଂ

 

ୟେ ଗୁରୁ ପଦରୁ ଶିଷ୍ୟଙ୍କର ପୁଣ ମନ ହୋଇବ ଅନ୍ତର

ଶିଷ୍ୟ ଗୁରୁ ହୋଇ ୟେଥିରୁ ଥୋକାଏ ପଡ଼ିବେ ଦେବୀ ଖର୍ପର

ମନ୍ତ୍ର ଯନ୍ତ୍ର ଆଦି ସମାଦି ଅବାଡ ଛାୟା ହଜବା ଭାବେଣ

ଅଙ୍ଗନ୍ୟାସ କରନ୍ୟାସ ସପ୍ତାଙ୍ଗ ଯେ କପଚ ଦେବେ କହିଣ

 

 

ମାତୃକାଭୁତ ଶୁଦ୍ଧିମାନ ଦେଖାଇ ରଂଜାଇ କଉଡ଼ି ନେବେ

ୟେମନ୍ତ ହୋଇଣ ଯେଉଂ ଗୁରୁ ଶିଷ୍ୟ ବିରିଜା ତାଙ୍କୁ ନନେବେ

ସତ୍ୟ କଳିଠାରେ ୟେହି ଗୁରୁ ଶିଷ୍ୟ ବିହନ ହୋଇବେ ପୁଣ

ମିଛୁଆ ମାଛୁଆ ଧୂଆଂଖିଆ ଗୁରୁ ଶିଷ୍ୟ ହେବେ ଥୋକେ ହାଣ

 

ଏମନ୍ତେ ଯେମନ୍ତେ ବିହନ ହୋଇବେ ଯୁଗକୁ କ୍ଷୟେ ନୋହିବ

ବଉଦ ରୂପେଣ କପଟେ ବସିଣ ଆମ୍ଭଙ୍କୁ ପୀଡ଼ା ଲାଗିବ

ଚାରିଲକ୍ଷ ଯୁଗ ପାପରେ କଟିବ ଆହୁରି ତୁଟିବ ଥୋକେ

ତେଇଶି ସହସ୍ର ଚାରିଭାଗ କରି ବୁଝିବେ ସୁଜନ ଲୋକେ

 

ଜଡ଼ ବୁଦ୍ଧିରୁ ତ କୁଟୁମ୍ବରେ ସୁତ ଧନ ବଡ଼ପଣେ ମତ

ୟେ କଥା ୟେମାନେ ବୁଝିବେ ନାହିଂଟି ବୁଝିବେ ସତ ଭଗତ

ସତ ଭଗତଙ୍କୁ ପଥ ୟେ ହୋଇବ କଳି ଅନ୍ଧାରକୁ ଦୀପ

ଥୋକେ ଜନଙ୍କୁ ୟେ ବିଷ ପ୍ରାଏ ହୋଇ ମନକୁ ଲାଗିବ ଗପ

 

ଶ୍ରୀକୃଷ୍ଣ ଅର୍ଜ୍ଜୁନ ଗୁପତ ବିଚାର ଦେବଙ୍କୁ ୟେ ଅଗୋଚର

ସୁବର୍ଣ୍ଣ ଚୁଳ ପର୍ବତେ ବସିଣ ଆଗତ କଥା ବିଚାର

ଶୁଣ ବିପରୀତ ଅତୀଅ ରହସ୍ୟ ବଦନ୍ତି ପରମାନନ୍ଦ

ଦାରୁ ପାଷାଣ ଧାତୁ ମୂର୍ତ୍ତି ବସାଇ ଆମ୍ଭର ପୂଜା ଆନନ୍ଦ।

 

 

ଆମ୍ଭର ମୂର୍ତ୍ତିକି ଦେଖାଇଣ ଭୋଗ ଉପହାରମାନ କରି

ଭଗତ ଅତିଥି କିଛି ନ ଦେଖାଇ ଖାଇବେ ତ୍ରିପୁତେ ଧରି

ଅତିଥି ନିରାଶେ ପାପମାନ କିଛୁ ଗ୍ରାମମାନଙ୍କୁ ଲାଗିବ

ଦାରୁ ପାଷାଣ ମୂର୍ତ୍ତି କାଳରେଇଂ ୟେଣୁ ଯେ ସିଦ୍ଧ ନୋହିବ

 

ତୁଳସୀ ଲଗାଇ ଜଳ ଯେ ନଦେବେ ବେଳକାଳ ଜାଣି ପୁଣ

ବାଳକ ସ୍ତିରୀ ଅଜ୍ଞାନୀ ଜନମାନେ ମାଡ଼ିବେ ପାଦଘାତେଣ

ଏ ପାପରେ କିଛୁ ଯୁଗ ତୁଟିଯିବ କଳିଯୁଗ ବିପରୀତ

ଗ୍ରାମେ ଗ୍ରାମେ ଚୁତ ବନସ୍ତ କାଟିବେ ପ୍ରାଣୀ ହୋଇବେ ଆରତ

 

ସତ ଫଳଠାରେ ମିଛ ଯେ କରିଣ ଲେଖି ଧନ ବଳେ ନେମେ

ଭୋକୀ ଶୋଷୀ ଜନ ଗୋଟାଇ ଖାଇବେ ବନ୍ଧନ କରିବ ଢମେ

ସତ୍ୟଯୁଗରେ ସତ୍ୟବନ୍ତ ରାଜା ସେ ଫଳ ଦାନେ ଯେ ଭୁଂଜାଇ

ତ୍ରେତୟା ଯୁଗରେ ଦଶରଥ ବଂଶେ ସେ ଫଳ ମୁନିଙ୍କି ଦେଇ

 

ଦ୍ଵାପର ଯୁଗରେ ଯୁଜେଷ୍ଠି ରାଜନ ଥାପିଲେ ମଞ୍ଚ ମଣ୍ଡଳ

ଭଗତ ନିମନ୍ତେ ଭୋକୀ ଶୋଷୀ ହିତେ ରଞ୍ଚିଲେକ ୟେହୁ ଫଳ

ୟେ ଧର୍ମର ଫଳ କଳିରେ ବିକଳ ପ୍ରାଣୀମାନେ ହେବେ ପୁଣ

ୟେ ଧର୍ମରେ ଯେତେ ଜନ ପଶିଥିବେ ବିରିଜା ଖପରେ ହାଣ

 

 

ୟେ ଫଳଠାରେ ଯେ ସତ ଫଳାଇବ ଆମ୍ଭ ସଙ୍ଗତେ ସେ ଥିବ

କଳଙ୍କୀ ରାଜୁତି କାଳେଣ ସେ ଜନ ମରତେ ଜନମ ହେବ

ବିରିଜା ଦାଢ଼େଣ ଯେ ଜନ ପଡ଼ିବେ ସେହୁ ଜୀବେ ଚଉରାଶି

ଅର୍ଜ୍ଜୁନଙ୍କୁ ଚାହିଂ ଯୁଗର କାହାଣୀ କହନ୍ତି ଯେ ଋଷିକେଶି

 

ସତ୍ୟଯୁଗରେ ଯପାସୁର ନାମେଣ ମାଳା ତିଳେକ ଧରିଣ

ନାନା ଜୀବ ଜନ୍ତୁ ମାରିଣ ଭକ୍ଷିଲା କପଟ ମିଛ କରିଣ

ସେ ପାପ ଦୋଷରେ କପଟେଣ ମଲା ଯୁଗ ଶେଷରେ ସେ ପୁଣି

ପାଇଣ ରୋଧିର ସନ୍ତୋଷ ନୋହିଲେ କାନ୍ତାନୀ ଯେତେ ତରୁଣୀ

 

ତ୍ରେତୟା ଯୁଗରେ ରାବଣ ଯେ ପୁଣ ଦେବଙ୍କୁ କଲା କଷଣ

ଧର୍ମ ପୁରାଣ ସକଳ ତେଜିଣ ଅଧର୍ମ କଲା ଆଚରଣ

କପଟ ଛନ୍ଦ ମିଛ ଦୋଷ ବୁହାଇଣ ଦିବସେ ରତିର ଦୋଷ

ୟେହି କାରଣେ ମାଇଲୁଂ ଆମ୍ଭେ ତାକୁ ଦେବେ ଲଗାଇଲେ ଦୋଷ

 

ସେ ରୋଧିରେ ପୁଣ ସନ୍ତୋଷ ନୋହିଲା ଚଣ୍ଡୀ ସକଳଙ୍କ ମନ

ଯୁଗକୁ ଯୁଗ କପଟ ଖେଡ଼ ମୋର ନ ଜାଣନ୍ତି ମୂଢ଼ ଜନ

ଦ୍ଵାପର ଯୁଗରେ କଂସ ଯେ ଅସୁର ଅନେକ କଷଣ ଦେଲା

ଗୋପ ଭୁବନକୁ କପଟ ମିଛରେ ଯେତେ ଅସୁର ପେଷିଲା।

 

 

ମିଛ କପଟ ଦୋଷେ ତାକୁ ନାଶି ମଥୁରାରେ ନୂଆ ରାଜା

ଦ୍ଵାପର ଯୁଗରେ ନୀଳା ବିହିଲୁଂ ଯେ କଳି କାଳ ପ୍ରବେଶିଲା

କୋକୁଆ ସ୍ଵରୂପ ଧରି କଳିଯୁଗ ଦ୍ଵାରକା ପୁରକୁ ଆସି

ମଦମତ୍ତ ପଣେ ଯାଦବେ ନାଶଗଲେ ୟେରକା ବଣରେ ପଶି

 

ଭାରଥ ସମର ଅତି ମାହାଘୋର କୁରୁ ପାଣ୍ଡବଙ୍କ କାଳ

ସତ୍ୟବନ୍ତ ମୁଖେ ମିଛ କୁହାଇଣ ସୋଦରେ ରଞ୍ଚିଲେ ଗୋଳ

ଭାରଥ ଯୁଦ୍ଧରେ ସନ୍ତୋଷ ନୋହିଲା ଚଣ୍ଡୀ ଚାମଣ୍ଡାଙ୍କ ମନ

ୟେବେ ଯେ ୟେହାଙ୍କୁ ସନ୍ତୋଷେଣ ଦେବା ଶୁଦ୍ଧ ଶୋଣିତ ଭୋଜନ

 

ଲଲାଟରେ ଥିବ ହରି ଯେ ମନ୍ଦିର ହସ୍ତେ ଥିବ ଜପାମାଳି

ଧର୍ମ ପୁରାଣମାନ ମୁଖେ କହିଣ ଅଧର୍ମେ ହୋଇବେ ମେଳି

ପରଧନ ପର ରମଣୀ ହରିବେ ମିଥ୍ୟା ବେଶ୍ୟାରେ ପୀରତି

ଏମନ୍ତ ଶୁଦ୍ଧ ଶୋଣିତ ଯେ ଭଖିବେ ବିରଜାଈ ରଣେ ମାତି

 

ଉତ୍ତମ ଚିତ୍ତରେ ଧର୍ମ ନ କରିବେ କୁଣ୍ଠିତେ କରିବେ ଧର୍ମ

ନିଜ ଜୀବିକାରେ କେହି ନ ରହିବେ ନ କରିବେ ନିଜ କର୍ମ

ୟେଣୁକରି ପାପ ପୃଥ୍ୱୀରେ ବହୁତ ପେଟକୁ ନ ଅଣ୍ଟେ ଭାତ

ଦୁଷ୍ଟ ଜନ ମେଳି ହୋଇବେ ବହୁତ ବ୍ୟାପିବେ ଗ୍ରାମେ ଗ୍ରାମେ ତ

 

 

ବଡ଼ ଲୋକକୁ ଯେ ସଭାକୁ ନ ଡାକି ବାଳକେ କରିବେ ସଭା

ସଭା ମଧ୍ୟରେ ସେ ମିଛ ବଖାଣିବେ ଅଧର୍ମ କେତେ କହିବା

ଏ ପାପରେ ଥୋକେ ଯୁଗ କ୍ଷୟେ ଯିବ କଳିକାଳ ବିପରୀତ

ସାହସ ପଣେଶ ଗୁରୁ ଜଗନ୍ନାଥ ରାଣ ପାଡ଼ିବେ ବହୁତ

 

ଘରମାନଙ୍କରେ ପଥୁରି ଗଡ଼ିଆ ପତର କି ନ ପାଇବେ

ଅଘରୀମାନେ ଯେ ଘରୁଆ ହୋଇଣ ଅତି ଢମ କାଢ଼ୁଥିବେ

ଜନମାନେ ସବୁ ଅନ୍ଧାରେ ଭୁଜତଂବେ ଦୀପକୁ ନ ଥିବ ତେଲ

ପ୍ରାଣୀ ବୋଲୁଥିବେ ଧିକ ୟେ ଜୀବନ ମଲେ ୟେଥୁଂ ହେବ ଭଲ

 

ୟେକ ବରଷକୁ ଆରେକ ବରଷ ଦୁଃଖ ଘୋଟୁଥିବ ପୁଣି

ଭଲ ହେଉ ବୋଲି ପ୍ରାଣୀ ବଡିଆଣ ୟେହା ନପାରିବେ ଜାଣି

ଖଚୁଆ ମିଛୁଆ ବଡ଼ ଯେ ହୋଇବେ ମିଶିବେ ରାଜା ସଙ୍ଗେଣ

ଦିନ କେତେ ତାଙ୍କୁ ବଢ଼ାଇ ଦେଇଣ ରାଜା ନ ରଖିବ ପଣ

 

ସତ୍ୟବନ୍ତ ଲୋକ ମିଛୁଆ ହୋଇବେ କେହି ନୋହିବେ କାରଣ

ପେଟ ଛଟପଟ ଆରତ ହୋଇଣ ହୋଉଥିବେ ରଣଭଣ

ସୁନା ରୂପା ମୁଦି ଚୁଡି କାହିଂ ସଖା ନଥିବ ସ୍ତିରୀ ମାନନ୍ତ

ଲୁହା ସୂତା ବାନ୍ଧି ଦିନ ବଂଚୁଥିବେ ଚାଣ୍ଡାଳୀ ସ୍ତିରୀ ଯେମନ୍ତ

 

 

ଘର ଛାଇବାକୁ କଉଡ଼ି ନଥିବ ତିନ୍ତି ବଂଚୁଥିବେ ଦିନ

ୟେକ ବସନେକ ଗେରସ୍ତ ଭାରିଯା ଓଲଟ କରିବେ ପୁଣ

ଜାଉ ଶାଗ ପାଣି ଖାଇ ବଂଚୁଥିବେ ରାଜାମାନେ ଦେଖୁଥିବେ

ୟେମନ୍ତ ଲୋକକୁ ଦୟା ନ କରିଣ କିଛୁ କିଛୁ ତଣ୍ଡି ନେବେ

 

ୟେହୁ ପାପେ କିଛୁ ଯୁଗ ବିତିଯିବ ୟେ କଥା ଅର୍ଜ୍ଜୁନ ଶୁଣ

ସେହି ଅଂଶ ରାଜା ବହୁତ ହୋଇବେ ବିରିଜା ଖପରେ ହାଣ

ତଇଳ କୁଙ୍କୁମ ବାଳେକମାନଙ୍କୁ ଜନ୍ମକାଳୁଂ ନ ମିଳିବ

ଅସତ୍ୟ କଳି ୟେ ଯୁଗର ଚରିତ୍ର ଦିନକୁ ଦିନ ଘୋଟିବ

 

ପ୍ରଥମ ପାଦ ୟେ କଳିର ବିଚାର ଦ୍ଵାପରେ ଅର୍ଧ ଅଟଇ

ତୃତୀୟ ପାଦ ଯେ କଳିର ବିଚାର ପାପ ଗୋଟା ନ ପୂରଇ

ଶତେ ଗାବରେ ଯେ ଦୁଧ ୟେକଭାର ନୋହିବ ଯେ କଳି କାଳ

ଘୃତ ଗୁଡ଼ ମହୁ ବାସନା ତୁଟିବ ଲାଗିବ ସେହୁ ଆମ୍ବିଳ

 

ଚନ୍ଦନ ଫୁଲର ବାସ ଯେ ତୁଟିବ ଚିନ୍ତା ଜ୍ୱରେ ପ୍ରାଣୀ ନାଶ

ରାଜାମାନଙ୍କୁ ଦେଖି ପ୍ରାଣୀ ଡରିବେ ବ୍ୟାଧିର ପରାୟେ ଦୃଶ

ମନେ ପାଞ୍ଚୁଥିବେ ଫାନ୍ଦୟେ ପାରିବେ ନାଲିଛାଳି ନେବେ ଧନ

ବଚନେ କହିଲେ ପରତେ ନ ଯିବେ ଯେଣୁ ସେ ମିଛ ବଚନ

 

 

ଦଣ୍ଡିମଣ୍ଡି ନେଇ ରାଜାହିଂ ଦରିଦ୍ର ରାଜ୍ୟ ହେବ ଥରହର

କି ରୂପେ ପରଜା ମୁଖକୁ ଚାହିଂବି ଧର୍ମ ମୋତେ ପାରିକର

ରାଜା ପରଜାର ସତ ନ ରହିବ ତୃତୀୟ ପାଦେ କଳିର

ଅର୍ଜ୍ଜୁନ ଶ୍ରୀକୃଷ୍ଣ ଗୁପତ ବିଚାର ଯୁଗର ଯଉଂ ବେଭାର

 

ଅର୍ଜ୍ଜୁନ ବୋଇଲେ ଶୁଣିମା ଗୋସେଇଂ ଭଗତ ବଛଳ ବାନା

ଭଗତଙ୍କୁ ପୁଣ ୟେଡ଼େକ ଶରଧା ତୋହରି ଅଟଇ ସିନା

ଶୁଣ ହୋ ଅର୍ଜ୍ଜୁନ ଆମ୍ଭର ବଚନ ଭଗତ ଜନ ବାରତା

ଅନୁବ୍ରତେ ମୋର ଭଗତ ଜନ ଯେ କହଇ ମୋହୋରି କଥା

 

ଯଉଂ ନାମକୁ ଯେ ଲୟେ କରଇ ସେ ନାମରେ ଭଗତ ଚିତ୍ତ

ଯୋଡ଼ିଥାଇଂ ଭକ୍ତ ହୋଅଇ ନିଶ୍ଚିନ୍ତ ଆମ୍ଭ ନିଜ ସ୍ଥାନେ ତତ୍ତ୍ୱ

ଫଳ ପୁଷ୍ୟ ଜଳ ଅନ୍ନ ଯେ ବ୍ୟଂଜନ ଭାବରେ ଯେବା ମିଳଇ

ଅମନ ସ୍ଥଳକୁ ଲୟେ ଯେ କରିଣ ଆମ୍ଭ ରୂପକୁ ଦେଖଇ

 

ଭୁଂଜିଣ ସନ୍ତୋଷ ହୋଇ ମୋର ଦାସ ନ ଲାଗେ ସଂସାର ତାପ

ୟେଣୁ ଭକ୍ତ ମୋର ଅଭିନ୍ନ ନୁହଇଂ ପୁତ୍ରକୁ ଯେସନ ବାପ

କଳି କାଳେଣ ଯେ ଯେମନ୍ତ ଭଗତ ମନକୁ ଲାଗିବ ଚିନ୍ତା

ୟେହାଙ୍କ ନିମନ୍ତେ ସତ୍ୟବନ୍ତ ହିତେ ଆମ୍ଭେ ହେବୁଂ ଦେହବନ୍ତା

 

 

ଯଦୁବଂଶର ଯେ ରାମଚନ୍ଦ୍ର ଦେବ ୟେ ବଂଶେ ଯେତେକ ଅଂଶ

ୟେହାଙ୍କ ସମ୍ବନ୍ଧ କେହି ନ ରହିବେ ଯେତେଥିବେ ଅଂଶ ବଂଶ

ଶାମ କୁମାର ବୋଲି ରାଜା ହୋଇବ ବଉଦ କ୍ଷେତ୍ରରେ ପୁଣ

ସେ କାଳେ ବହୁତ ଅରିଷ୍ଟି ହୋଇବ ବହୁତ ଯେ ବିଡ଼ମ୍ବଣ

 

ହିନ୍ଦୁ ତୁରୁକର ଗୋଳ ଯେ ଲାଗିବ ଯାଜନଗ୍ର ଯାଏ ନେମ

ଦାନବେ ମାନବେ ପୀରତି ହୋଇବ କରିବେ ତହିଂ ଉତ୍ତମ

ସେ ରାଜାର ସାତ ଅଙ୍କରେ ଯେ ପୁଣ ପବନ ବହିବ ଟାଣ

ରାତ୍ର ଦିବା ସାତ ଦିନ ଯେ ବହିବ ଥୋକେ ଲଭିବେ ମରଣ

 

ତଦ ଅନ୍ତରେଣ ତିନି ବରଷେଣ ପଡ଼ିବ ଦୁର୍ଭିକ୍ଷ ମାନ

ଥୋକାୟେ ପ୍ରାଣୀ ମରିବେ ସେହିଠାରେ ଶୁଣ ତୁମ୍ଭେ ଅରଜୁନ

ଦିନ କେତେ ପରେ ୟେମନ୍ତ ହୋଇବ ପଣ ଗଉଣିକ ଧାନ

ଦ୍ୱାରେ ବୁଲାଇଲେ କେହି ନ ଖାଇବେ ନଥିବେ ବହୁତ ଜନ

 

ପୁଣ କିଛି ଦିନେ ୟେମନ୍ତ ହୋଇବ ପାର୍ବତୀ ଜନମ ହୋଇ

ଚଉଷଠୀ ଯୋଗ୍ନୀ ନବ କୋଟି କାନ୍ତାନୀ ସଙ୍ଗତରେ ଘେନି ଥାଇ

ଦିବ୍ୟ ଅଳଙ୍କାର ସୁନ୍ଦର ସ୍ଵରୂପ ରୂପ ଧରିଣ ୟେ ଥିବେ

ହିନ୍ଦୁ ତୁଡ଼ୁକକୁ ରତି ଯେ ମାଗିଣ ଅଙ୍ଗ ଛୁଆଇଂ ମାରିବେ

 

 

ଡରେ ଥରହର ପଳାଇଣ ଯାଇ ଗିରିକନ୍ଦରେ ପଶିବେ

ବାଳ ଧରି ଆଣି ସାତ ପାଞ୍ଚ ନାରୀ ରତିକର ବୋଲୁଥିବେ

ତଦନ୍ତରେ ପ୍ରାଣ ରଖ ରଖ ବୋଲି ବୋଲିବେ ସ୍ତିରୀ ପୁରୁଷ

ତେବେ ସେ ତାହାଙ୍କୁ ଦୟା ନ କରିଣ ମାରିବେ ବହିଣ ରୋଷ

 

ୟେମନ୍ତେଣ ଥୋକେ ନାଶ ଯେ ହୋଇବେ ଆମ୍ଭେ କହିଲୁଂ ବଚନ

ୟେମନ୍ତେ ତୁମ୍ଭେ ଯେବେ ମାରିବ ପୃଥୀରେ ନୋଇବେ ଦୁର୍ଜନ ଜନ

ଆମ୍ଭ ବଚନ ଶୁଣିଣ ସନ୍ତୋଷେ ରହିବେ ଗୁପତ ହୋଇ

ଚାଲୁକୀ ବଂଶ ରାଜା କାଳେ ୟେମନ୍ତ ଅରିଷ୍ଟି ହୋଇବ ତହିଂ

 

ୟେକାକ୍ଷର ନାମ ଯେତେ ଥିବେ ଅଂଶ ନ ଯିବେ ତାହାଙ୍କ ପାଶ

ଜ୍ୟୋତି ସମାଦି ଲୟେ ଦେଖି ତରିବେ ନ ରଖିବେ ତାଙ୍କ ଆଶ

ସଂସାରର ୟେହୁ ବିହନ ଅଟନ୍ତି ଆମ୍ଭର ନାହିଂ ଯେ ପଣ

କାଳଦଣ୍ଡ ଭୟେ ୟେହାଙ୍କୁ ନ ଲାଗେ ଅନ୍ତେ ଯେହୁ ହରିଜନ

 

ହରେ ୟେକାକ୍ଷର ଜପନ୍ତେଣ ମନୁଂ ସକଳ ପାତେକ ନାଶ

ୟେଣୁକରି ମୋହୋ ଭଗତ ଜନଙ୍କୁ ନ ଲାଗିବ କଳି ତ୍ରାସ

ଛଡ଼ ଚକ୍ରପୁର ପଞ୍ଚମ ଅକ୍ଷର ହଉଂ କ୍ଷଉଂରେ ଯା ବାସ

ସତ୍ୟ କଳିରେ ୟେ ବିହନ ଅଟନ୍ତି ନିରାଲମ୍ବ ୟେହୁ ଦାସ

 

 

ମିଛୁଆ ମାଛୁଆ ଖଚୁଆ ତଣ୍ଡୁଆ କପଟିଆ ଯେହୁ ଜନ

ମାଉସୀ ପିଉସୀ ଖୁଡ଼େଈ ଜେଠେଈ ଭଗ୍ନୀକି ହରିଲା ମାନ

ଆପୁ ଧୂଆଂଖିଆ ବିସୁନି ପାତିଆ ମାୟେଂସ ମଦିରା ଖାଇ

କଳି ଯୁଗର ୟେ ଅଗାଡ଼ି ଅସୁର ଖାଇବେ ସେ ମହାମାଈ

 

ଗୋପଥ ହରଣ ଗୋରୁ ଧନ ଜନ ଥୋରିଆ ବଳଦ ବୁହା

ଏମାନଙ୍କୁ ବାଛି ବିରିଜା ଖାଇବେ ଭଗତଙ୍କୁ କରି ଦୟା

ରଜକ ସ୍ତିରୀକି ହରିଲାର ଜନ ଅତିଅ ହୀନ ଅଟଇ

କଳିଯୁଗରେ ୟେ ଅସୁର ଅଟନ୍ତି ଏଥିରେ ସଂଶୟେ ନାହିଂ

 

ଶୁଦ୍ଧ ଶ୍ରାଦ୍ଧରେ ଯେ ସୋଦରେ ନିରାଶ ଗୁରୁଙ୍କୁ କହନ୍ତି ମିଛ

ବଡ଼ଲୋକ ଭାଷାମାନ ନ ଘେନିମେ କଳି ଅସୁର ପ୍ରତ୍ୟଛ

ଭାଇବୋହୂ ରତି ବେଶ୍ୟାରେ ପୀରତି ନେଚକୁ ହରନ୍ତି ଯେହୁ

ୟେକା ସ୍ଥିରୀକି ୟେକା ପୁରୁଷ ଯେ ଥିବ ବିହନ ହୋଇବ ସେହୁ

 

ସେରେ ଅରଜିଲେ ମୁଠେୟ ଯେ ଦେବ ଶତମୁଖେ ବୋଲୁଥିବ

ମରିଥିଲେ ସେହୁ ଜନମ ହୋଇବ ଶେଷେ ମୋ ଖେଡ଼ ଦେଖିବ

ଅର୍ଜ୍ଜୁନ ବୋଇଲେ ଶୁଣିମା ଗୋସାଇଂ ପାପ କଳି ପାଦ କଥା

ମାହା ଆରତରେ ପ୍ରାଣୀୟେ ବଞ୍ଚିବେ ମନକୁ ଲାଗଇ ବଥା

 

 

ଆବର କିସ ଯେ ବିପରୀତ ହେବ ଶ୍ରବଣେ ଶୁଣିମି ତାହା

ହସ ହସ ହୋଇ ଅର୍ଜ୍ଜୁନକୁ ଚାହିଂ କହନ୍ତି ଯେ ଚଉବାହା

ପୁଣ୍ୟ ନଈମାନ ଜଳ ନ ବହିବ ଅବୁହା ନଈରେ ଜଳ

ଦେଖାଇ ହରିବ ଭୂମି କୃଷିମାନ ସୁଖେଣ ନୋହିବ ଫଳ

 

ନିର୍ଗୁଣ ସନ୍ଧି ଯେ ବିବେକ ବିଚାର ୟେମାନ ଛାଡ଼ିବେ ଜନ

ଗୀତା ଭାଗବତ ବଚନ ନ ଘେନି ରସିକ ଶାହାସ୍ରେ ମନ

ପ୍ରାଣୀମାନେ ଥୋକେ ବିଷୟା ଆରତେ ସଂସାର ତାପକୁ ଭାରି

ଦିଗମ୍ବର ତୀର୍ଥ ବ୍ରତ କରି ପୁଣ ଆବୋରି ରହିବେ ସ୍ତିରୀ

 

ରାଜାମାନେ ସବୁ କଉଡ଼ି ଦେଇଣ ମାଡ଼ ଛାଟ ଆରତେଣ

ଭୋଖରେ ଶରଣ ପଶି ହୃଦେ ଟାଣ ନ ଛାଡ଼ିବେ ରାଜାପଣ

ନିଶଙ୍କ କଳୀନ୍ଦ୍ର ସଂସାରେ ପ୍ରବଳ ଗୁପତେ ଛଦ୍ରମ ହୋଇ

ସବୁ ଜାତିମାନେ ଗୋବଧ କରିବେ ବେପାରି ବୋଲି ଭଣାଇଂ

 

ୟେହୁ ପାପେ କିଛୁ ଯୁଗ କ୍ଷୟ ଯିବ ପାପ ଜନକୁ ଲାଗିବ

ପାପରେ ପରାଣୀ ବୁଡ଼ିଣ ମରିବେ ଜାଣିଲା ଲୋକ ତରିବ

ଅର୍ଜ୍ଜୁନ ବୋଇଲେ ଶୁଣିମା ଗୋସାଇଂ ଆବର ହୋଇବ କିସ

ତଦଅନ୍ତେ ତୁମ୍ଭେ ଜପ ଯେ କରିବ ପୁଣ କେତେକ ବରଷ

 

 

ଧବଳଗିରିରେ ବସିଣ ଯେ ଆମ୍ଭେ ଜପ କରିବୁ ଅର୍ଜ୍ଜୁନ

ସେହିକାଳେ ରାଜା ହୋଇଥିବ ଶୁଣ ଚୁହାଣ ବଂଶର ପୁଣ

ରଘୁନାଥ ଦେବ ନାମ ଯେ ଭଣିବ ତିନି ରାଜ୍ୟ ସରି ହେବ

ଛଡ଼ ପାଟ ରାଜା ୟେଠାରୁ ସରିବ କଳଙ୍କୀ ରାଜୁତି ହେବ

 

ସେହି ରାଜା କାଳେ ବିପରୀତ ମାନ କହିବା ତୁମ୍ଭଙ୍କୁ ଶୁଣ

ଧାନ ଭରଣକୁ ମୂଲ ଯେ ହୋଇବ କଉଡ଼ି କାହାଣେ ପୁଣ

ସେହି ରାଜନର ତେର ଅଙ୍କେ ପୁଣ ଇନ୍ଦ୍ର ନ ପାଳିବ ମହୀ

ଛଡ଼ ବରଷ ଯେ ଇନ୍ଦ୍ର ନ ପାଳିବ ଥୋକାୟେ ମରିବେ ତହିଂ

 

ଚାଉଳ ସେରକ କାହାଣେ ହୋଇବ ଲୋଡ଼ିଲେ ପାଇବେ ନାହିଂ

ଭୋକ ଆରତରେ ଥୋକାୟେ ମରିବେ ହୋଇଣ ଯେ ପ୍ରାଣୀ ଦହି

ଗ୍ରାମମାନଙ୍କରେ ସାତ ପାଞ୍ଚ ଜନ ରହିଣ ଯେ ଥିବେ ଶୁଣ

ତାଙ୍କ ଉଣେଇଶ ଅଙ୍କରେ ଯେ ପୁଣ ୟେମନ୍ତ ହେବ ଭିଆଣ

 

ଅଣତିରିଶ ଅଙ୍କ ଯାୟେ ଅବଶ୍ୟ ଥୋକାୟେ ବଞ୍ଚିବେ ତହିଂ

ଗ୍ରାମେ ଗ୍ରାମେ ସାତ ପାଞ୍ଚ ଯେ ରହିବେ ମୋହୋର ନାମକୁ ଧ୍ୟାଇ

ଅର୍ଜ୍ଜୁନ ବୋଇଲେ ଶୁଣିମା ଗୋସାଇଂ ଭଗତ ମହିମା କହ

ମୁକୁନ୍ଦଠାବରୁ ରଘୁନାଥ ଯାଏ କେମନ୍ତେ ଧରିବେ ଦେହ

 

 

ମୁକୁନ୍ଦଠାବରୁ ୟେକାକ୍ଷର ଦାସ ପ୍ରକାଶ ବଉଦ ଦେଶ

ଥୋକାୟେ ଥୋକାୟ ସେ କୁଳ ବଢ଼ିବେ ପଶିବେ ଯମନ ଦେଶ

ଭକ୍ତ ମୋର ତିନି ଜନମ ଧରିବେ ଆମ୍ଭର ଜନମ ୟେକ

ଭକ୍ତ ଆମ୍ଭ ଭେଟ ହୋଇବ ଯେମନ୍ତ ନଦୀ ଜଳ ସମୋଦ୍ରକ

 

ଅମନ ଠାବେଣ ଭଗତ ସେବିଣ ଅର୍ଧ ରାଧା ବିନ୍ଦୁ କୃଷ୍ଣ

ଧ୍ୟାୟେ କରି କଳି କାଳକୁ ହରିବେ ବସିଣ ଏକାନ୍ତ ସ୍ଥାନ

ଅଳପ ଭୋଜନ ସାଧିଣ ପବନ ମୁଖେ ଜପ ତପ ନାହିଂ

ଘୋର କଳି ପାଦେ ମନ୍ତ୍ର ଜପ ସାରି ସେକାଳ ସାଧନା ୟେହି

 

ୟେକାକ୍ଷର ଦାସ ପଦ୍ମେ ଯେ ପ୍ରକାଶ ରହିବେ ଆମ୍ଭର ପାଶ

ସଂସାର ଭୋଗ ସେହିମାନେ କରିବେ ସତ୍ୟ କଳି ପରିବେଶ

ଶ୍ରୀମୁଖ ବଚନ ଶୁଣି ଅରଜୁନ ହେଲେ ପରମ ସନ୍ତୋଷ

ପୁଣ ପଚାରଇ ଆହେ ଭାବଗ୍ରାହୀ ୟେଥୁଅନ୍ତେ ପରକାଶ

 

ଅଭକ୍ଷ ଭକ୍ଷନ୍ତି ଅକର୍ମ କରନ୍ତି ୟେମାନେ କରିବେ କିସ

ଅର୍ଜ୍ଜୁନକୁ ଚାହିଂ ହସ ହସ ହୋଇ କହନ୍ତି ଯେ ପୀତବାସ

ଯୋଗ୍ନୀ ଅବତାର କାଳେଣ ଥୋକାୟେ ରନ୍ତିଦେବୀ ଯେ ଖାଇବେ

ତହିଂରୁ ଥୋକାୟେ ବାଛି ରଖିକରି ଟିକିରା ହାଣ ଯେ ହେବେ

 

 

ସେହୁ ପୁଣ ମରି ଜନମ ହୋଇବେ ଯଉଂ ବୀଜ ଯଉଂ ମତ

ପାପ ପୁଣ୍ୟ ହୋଇ ଦୁଇ ଯେ ଭିଆଣ ସଂସାରରେ ଆତଯାତ

ପାପୀ ଲୋକକୁ ପାପ ସଙ୍ଗ ମିଳଇ ତହିଂ ତାର ମନ ତୋଷ

ପୁନ୍ୟ ଲୋକକୁ ପୁନ୍ୟ ସଙ୍ଗ ମିଳଇ ବସଇ ସାଧୁଙ୍କ ପାଶ

 

ମୋହୋର ନାମକୁ ଶରଧା ବଳଇଂ ମୋ କଥା ମୁଖରେ କହି

ବାର ବ୍ରତ ତୀର୍ଥ ଯେତେ କର୍ମଫଳ ମୋହୋର ପାଇଂ କରଇଂ

ଯାତ୍ରା ମଉଛବ ଯେତେ କାବ୍ୟ ଶାସ୍ତ୍ର ମୋ ଲୀଳା ଯହିଂରେ ଥାଇ

ଗ୍ରାମ୍ୟ ଗୀତମାନ କର୍ଣ୍ଣରେ ନ ଶୁଣେ ପରିମୁଣ୍ଡା ଭକ୍ତ ଯାଇ

 

ଏମନ୍ତ ହୋଇଣ ଯେ ମୋତେ ଶରଧା ତାହାକୁ ଛାଡ଼ିବି କାହିଂ

ସେ ପୁଣି ମନରେ ଯାହା କଳପଇ ମୁଂ ପୁଣି ତାହାକୁ ଦେଇଂ

ଅର୍ଜ୍ଜୁନ ବୋଲଇ ଶୁଣିମା ଗୋସାଇଂ ଆବର ପୁଚ୍ଛଇ ଯେତେ

କୋଟି ଅଇଶୁର୍ଯ୍ୟ ପଣ ତ ମାଗିଲେ ଦେବୁଂ ତୁ ତାହା ତୁରିତେ

 

ଅତି ହରଷରେ ଅର୍ଜ୍ଜୁନକୁ ଚାହିଂ କହନ୍ତି ହସି ବଚନ

ମୁହିଂ ପୁଣ ଯାହା ଦେଇ ନ ପାରଇଂ ସେହୁ ନ ଘେନଇ ଜାଣ

ନୀନଖୀନ ଥିବା କୁଟୁମ୍ବ ପୋଷିବା ଦାରା ସୁତ କିଛି ଆଶ

ମୋହୋର ଗୁଣ ଯେ ମୁଖରେ ବଦନ୍ତି ୟେହି ପଣେ ଦାସ ତୋଷ

 

 

ଡୋର କଉପୁନୀ ଆସନ ମୁଦ୍ରାୟେ ଭିକ୍ଷା ଶିକ୍ଷା କିଛୁ କରି

ଗତ ଆଗତଙ୍କୁ ସେବାର ନିମନ୍ତେ ଯାତ୍ରା ପର୍ବ ମୋର କରି

ସନକାଦି ପଥ ଜନକାଦି ମତେ ୟେମନ୍ତେଣ ଦୁଇ ହୋଇ

ୟେହି ରସେ ତାଙ୍କ ଅପାର ଶରଧା ବଡ଼ ପଣ ନ ବାଂଛଇ

 

ମୁଇଂ ରାଜାପଣ ଯାହାକୁ ଦିଅଇ ଗ୍ରାମୀକ ଭୂପତି ହୋଇ

ସ୍ତିରୀ ସୁତ ଧନେ ବନ୍ଧନ ହୋଇଣ ନାମ ଧରି ନ ପାରଇଂ

ସ୍ତିରୀ ଧନ ପୁଣି ନାମକୁ ଯେ ଧନ୍ଦା ଭଗତ ନ ବାଂଛେ ତାହା

ଅର୍ଜ୍ଜୁନକୁ ଚାହିଂ ହସ ହସ ହୋଇ ବୋଲନ୍ତି ଯେ ଚଉବାହା

 

ସ୍ଵର୍ଗେ ଇନ୍ଦ୍ରପଦ ପ୍ରହଲାଦେ ଦେଲି ସେହୁ ନ ଘେନିଲା ପୁଣ

ଲଙ୍କାଗଡ଼େ ବିଭୀଷଣେ ରାଜା କଲି ସେହୁ ନ ଧଇଲା ଟାଣ

ମଥୁରା ଦେଶରେ ଉଗ୍ରସେନ ରାଜା ସାତୁକୀ ରାଜା ସେ ହେଲା

ତମ ରାଜୁତି ଭଗତେ ନ ବାଞ୍ଚନ୍ତି ଅର୍ଜ୍ଜୁନ ସଂଶୟ ଗଲା

 

ଅର୍ଜ୍ଜୁନ ବୋଇଲେ ଶୁଣିମା ଗୋସାଇଂ କଳିକାଳ ଜନ ସୁଖୀ

ତୋହୋ ବିନା ତାଙ୍କୁ ରଖନ୍ତା କେ ନାହିଂ ହୋଇବାକ ନିରିମାଖୀ

ଶୁଣ ହୋ ଅର୍ଜ୍ଜୁନ ତିନି ରାଜ୍ୟେ ପୁଣ ତିନି ରାଜୁତିର ଜନ

ସୁଖ ଭୋଗ କରି ନ ପାଇବେ ସେହୁ ନୀନଖୀନେ ନେବେ ଦିନ       

 

 

ବ୍ରହ୍ମାର ସର୍ଜନା ଡିହମାନ ଛାଡ଼ି ବନସ୍ତେ ଘର କରିବେ

ତେବେ ତାଙ୍କୁ ରାଜା ଦୟା ନ କରିବ ତାହା ଛାଡ଼ି ପଳାଇବେ

ପେଟ ଛଟପଟେ ଆରତ ହୋଇଣ ଛାଡ଼ି ପିତାମାତା ଘର

ଗେରସ୍ତ ଭାରିଯା ବାଳ ଧରାଧରି ଛାଡ଼ି ଯିବେ ଦେଶାନ୍ତର

 

ଗେରସ୍ତ ଭାରିଯା ଭାଗ ଭାଗ ହୋଇ ଘର କରିଥିବେ ରହି

ଗେରସ୍ତ ଚାଉଳ କାନିରେ ବାନ୍ଧିବ ଭାରିଯାକୁ ପ୍ରତେ ନାହିଂ

ପର ପୁରୁଷକୁ ସ୍ତିରୀ ରତି ଦେବ କରିଣ ସାହସ ପଣ

ଗେରସ୍ତ ହୁଡ଼ିଣ କିଛି ନ ବୋଲିବ ଲୁଚି ବସିଥିବ କୋଣ

 

ପୁତ୍ରକୁ ଲୁଚାଇ ମାତା ପୁଣ ନେଇ ଅଙ୍ଗ ସଙ୍ଖାଳି କରିବ

ଭାରିଯାକୁ ଘେନି ଘର କଲେ ପୁଣି ମୋତେ ପୁଣ ନ ପୋଷିବ

କେହି କାହାକୁ ଯେ ନୋହିବ ବିଶ୍ୱାସ ମୁଖରେ ବିଶ୍ୱାସ ଥିବ

ଜଣେ ଜଣେ ମତ୍ତଗରବ ହୋଇଣ ୟେଣୁକରି ନାଶଯିବ

 

ଗୋପଥ ଦଣ୍ଡା ଯେ ହରଣ କରିବେ ଅଳପେଣ ଦେବେ ଧନ

ପାପରେ ସେ ପୁଣି କାରେଣୀ ହୋଇବେ କଉଡ଼ି ନେବେ ଯତନ

ଦେବତା ଅମାନ୍ୟ ପୂଜା ଯେ ନୋହିବ ଶିବ ଆଳେ କରି ରତି

ପାଞ୍ଚ ସାତ ବଂଶ ବସି ୟେକ ଠାବେ ନୋହିବେ ପୁଣ ଯେ ଜାତି

 

 

ଶ୍ରେଷ୍ଠ ଜନମାନେ ସବୁ ଧନ ନେଇଂ ପାପରେ କାରେଣୀ ହେବେ

ମୁହଂରହା କରି ପାଞ୍ଚ ସାତ ଜଣେ କିଛି କିଛି ପୁଣ ଦେବେ

ନେଚଙ୍କ ରମଣ ଗୋବଧ ଭିଆଣ ଅଭକ୍ଷ ଭକ୍ଷଣ ମାନ

କଳିଯୁଗେ ୟେହୁ ବହୁତ ପ୍ରବଳ ହୋଇବ ଦେଶେ ଦେଶେଣ

 

ଜାତି ଅଜାତି ୟେକ ଠାବ ହୋଇଣ ଭାଟି ଧୂଆଂନଳ ହେବ

ଶୁଦ୍ଧ ଗୁରୁ ଆନେ ନାମ କର୍ଣ୍ଣପୁଟେ ଉଚ୍ଚିଷ୍ଟ ଧୂଆଁ ରଖିବ

ବଛାଙ୍କ ଅଣ୍ଡ ଯେ ସମସ୍ତେ କାଟିବେ ବ୍ରହ୍ମ କ୍ଷତି ବଶ୍ୟ ନର

ଧର୍ମ କଥାମାନ ଧାରଣା ନ କରି ପାପରେ କାଟିବେ ଗାର

 

ଯୋଗୀ ମାଳ ମାଳ ହୋଇଣ ବୁଲିବେ ତୁଟିବ ମାଲଙ୍କ ବଳ

ସବୁ ଜନମାନେ ପେଟର ନିମନ୍ତେ ବହିବେ ତିଳେକ ମାଳ

ଅର୍ଜ୍ଜୁନ ବୋଇଲେ ଶୁଣିମା ଗୋସାଇଂ ମାଛଧୂଆଂ କିଂପା ଦୋଷ

ଏଥି ଅବିଗୁଣ ଜାଣିଲେ ବୁଝିବା ଛାଡ଼ିବ ମନୁଂ ସନ୍ଦେଶ

 

ଶୁଣ ହୋ ଅର୍ଜ୍ଜୁନ ମାଛର ମହିମା ଉଚ୍ଚିଷ୍ଟ ଜଳ ସେ ଖାଇ

ୟେଣୁକରି ମୋର ଭୋଗ ଯେ ନୋହଇ ଭଗତ ବନ ଲେଛଇଂ

ମେଦା ଦଇତର ମଳ ଯେ ଅଟଇ ନାମ ତା ବଜର ଭାଙ୍ଗ

ତାହାକୁ ଯେ ଜନ ମୁଖରେ ଭକ୍ଷଇ ମନ୍ତ୍ରସିଦ୍ଧ ନୋହେ ଅଙ୍ଗ

 

 

ଅମୃତ ହାଣ୍ଡିରେ ବିଷ୍ଠା ଯେ ପଡ଼ିଲେ ଯେମନ୍ତେ ହୋଅଇ ନାଶ

ସେ ଜନ ତେମନ୍ତେ ଭୋଗ ମୋତେ ଦିଲେ ମୁହିଂ ନ କରଇ ଗ୍ରାସ

କଳି ଯୁଗେ ଆମ୍ଭେ କପଟ କରିଣ ଚଇତନ୍ୟ ନିତ୍ୟାନନ୍ଦ

କପଟ କରିଣ ମୀନ ଖୁଆଇଲୁ ବିରିଜା ନିମନ୍ତେ ଛନ୍ଦ

 

ମୀନକୁ ମାରିଣ ହାଡ଼କୁ ଜୀଆଇଂ ସଜୀବ କରିଣ ଦେଇ

ନଦିଆ ପୁଅକୁ ଖୁଆଇବୁଂ ଆମ୍ଭେ ସୋଳ ନାମୁଂ ତିନି ହୋଇ

ବଉଦ ସ୍ଥାନରେ ଆମିଷର ହାଟ ବସାଇଛୁଂ କୂଟ କରି

ତରିଯିବା ପ୍ରାଣୀ ନିମନ୍ତେ ସେଠାବେ ବସି ବିରଜା ପାହାରି

 

ଗୁପତ କରିଣ ତିନି ନାମ ରଖି ହରେ ରାମକୃଷ୍ଣ ଦୀକ୍ଷା

ମୋହର ନାମ ସେ ଜାଣି ନ ପାରିବେ କରିବେ ଆପଣା ଇଚ୍ଛା

କୈବଲ୍ୟ ସଙ୍ଗତେ ଆମିଷ ଭକ୍ଷିଣ ପାପରେ କାରେଣୀ ହୋଇ

ଦାସ ବରରାଗୀ ମହନ୍ତ ଭୁଲିବେ ଆମ୍ଭର କଥା ଯେ ୟେହି

 

ସଂସାର ବନ୍ଧନ ଅଟେ ଯେଉଂ ଜନ ଅଜ୍ଞାନେ ଖାଇବେ ସେ ତ

ଭୋଗ ଶାସ୍ତ୍ରଠାରେ ନିଷେଧ ବୁଝିଣ ଖାଇବେ ସାଧୁ ମହନ୍ତ

ଅଭକ୍ଷ ଭକ୍ଷିଲା ପାପରେ ଯେ ଦୋଷ ଶୁଣିଣ ଅର୍ଜ୍ଜୁନ ତୋଷ

ସଂସାର ଜନକୁ ପାପ ନ ଲାଗଇ ଭକ୍ତକୁ ଲାଗଇ ଦୋଷ

 

 

ପାପ ପଥ ପୁଣି ସଂସାରେ ଚଳିଛି ପୁଣ୍ୟ ପଥେ ପାପ କ୍ଷୟ

ଗୁରୁ ବୈଷ୍ଣବେ ମୁଠିକ ଯେ ଦିୟେ ତହିଂରେ ପାପ ବିଲୟ

ଭଗତ ମୋହୋର ମୁଠିୟେ ମାଗିଣ ମୋ ମୁଖେ ଦେଇଣ ତୋଷ

ନିରାମିଷ ହୋଇ ମନ୍ତ୍ର ଜପ ନାମ ପାପ ଯେ କରଇ ନାଶ

 

ୟେଣୁକରି ମୋର ଅହ୍ମଣିଆ ଠାରେ ଯେଉଂ ପ୍ରାଣୀଙ୍କର ଚିତ୍ତ

ସେହି ଜନ ସଙ୍ଗେ ମୁହିଂ ବୁଲୁଥାଇଂ ପିତା ସଙ୍ଗେ ଯେହ୍ନେ ପୁତ୍ର

ଅର୍ଜ୍ଜୁନ ବୋଇଲେ କଳିର କାହାଣୀ ଆବର କହିବା ଯିସ

ଅର୍ଜ୍ଜୁନକୁ ଚାହିଂ ହସ ହସ ହୋଇ କହନ୍ତି ଯେ ପୀତବାସ

 

ବେଦ ଶାହାସ୍ତ୍ର ପୁରାଣ ଧର୍ମ କଥା ପ୍ରାଣୀମାନେ ଶୁଣୁଥିବେ

ବିଶ୍ରାମ ବୃକ୍ଷ ଯେ ଦାଣ୍ଡ ଅପନ୍ତରା ଜାଣୁ ଜାଣୁ କଟାଇବେ

ବିଧବା ବ୍ରାହ୍ମଣୀ ପେଟ ଯେ ଫଳାଇ ଜନମ କରୁଂ ଭାଙ୍ଗିବେ

ଥୋକେ ବ୍ରାହ୍ମଣୀ ବାହି ପିନ୍ଧା କରିଣ ଶୂଦ୍ର ଦାସ ସଙ୍ଗେ ଥିବେ

 

ଥୋକେ ବ୍ରାହ୍ମଣୀ ବିଧବା ଯେମାନେ ଗୁପତେ ଆମିଷ ଖାଇ

ଥୋକେ ବ୍ରାହ୍ମଣୀ ଯେ ଶୁଖୁଆ ଖାଇବେ ଲୁଣ ପାଣି ବୋଳା ଚାହିଂ

ଥୋକେ ବ୍ରାହ୍ମଣ ଯେ ଶୂଦ୍ରକୁ ସେବିବେ ହାତେ ଧରି ପାଣିଝରି

ଥୋକେ ବିପ୍ର ପୁଣି ପଧାନ ହୋଇବେ ଚଉଧୁରି ଥୋକେ କରି

 

 

କୋଦାଳ ଧରିଣ ଗୋଦଣ୍ଡା ଭାଙ୍ଗିବେ ଅଣ୍ଟାରେ ପଇତା ଦେଇ

କଉଂ ବିପ୍ରମାନେ ରଣରଣୀ ହୋଇ ବେପାର କରିବେ ଯାଇଂ

ଥୋକେ ବିପ୍ରଜନ ପେଟର ନିମନ୍ତେ ମାଗୁ ମାଗୁ ଦିନ ଯିବ

ବ୍ରହ୍ମ କର୍ମମାନ ଢାଳେ ହେଂ ଲୁଚିବ ୟେଣୁ ସେ ଯୁଗ ତୁଟିବ

 

ନୀନଖୀନ ୟେଥି ମଧ୍ୟରେ ବ୍ରାହ୍ମଣ ଏକ ଏକ ରଖିଥିବି

ବିରଜା ମୁଖରୁ ସେହି ସେ ରହିବେ ତାହାଙ୍କୁ ମୁଂ ସୁଖ ଦେବି

ବ୍ରାହ୍ମଣ ବଚ୍ଛଳ ଭଗତ ଅଟଇ ଯୁଗେ ଯୁଗେ ମୋର ନାମ

ସତ ବ୍ରାହ୍ମଣକୁ ସତ ଭଗତଙ୍କୁ ରଖିବା ମୋହରି କାମ

 

ଅର୍ଜ୍ଜୁନ ବୋଇଲେ ଶୁଣିମା ଗୋସାଇଂ କଉଂ ଦେଶେ କେତେ ଭକ୍ତ

ୟେହୁ କଥା ମୁହିଂ ଶ୍ରବଣେ ଶୁଣିମି କହ ତୁମ୍ଭେ ଜଗନ୍ନାଥ

ଶୁଣ ହୋ ଅର୍ଜ୍ଜୁନ ଭଗତ ମୋହୋର ଯଉଂ ଦେଶେ ଯେତେ ରହି

ସେ କଥା ଗୋଟାକୁ ବୁଝାଇ କହିବା ଶୁଣ ତୁମ୍ଭେ ମନ ଦେଇ

 

ପୁରୁଷୋତ୍ତମ ଯାଜନଗ ଭିତରେ ହେମଗିରି ଉଦେ ସ୍ଥାନ

କୁଣ୍ଡୀନଗ୍ର ପୁର ୟେଥିର ମଧ୍ୟର ଛନ୍ତି କିଛି ଭକ୍ତ ଜନ

ହଟକେଶ୍ଵର ଅଙ୍କସ୍ଥଳ ବୋଲିଣ ୟେ ଅଟଇ ପୁନ୍ୟ ଭୁବନ

ଏକାକ୍ଷର ଦାସ ୟେଥିର ମଧ୍ୟରେ ଥୋକାୟେ ବାଛିବି ପୁଣ

 

 

ବଣ ବିଷ୍ଣୁପୁର ପୂର୍ବ ଯେ ସାହେର ନଦିଆ ନଗର ସ୍ଥାନ

ଘେନିକରି ଯେହୁ ଭଜନେ ନ ଥିବ ବିରଜାରେ ହେବେ ହାଣ

ବ୍ରଜ ଉପାସିକ ନିରାମିଶ ଦାସ ମନ୍ତ୍ର ଦାସ ଜପ ଯେତେ

ହରେ ରାମକୃଷ୍ଣ ରାଧାକୃଷ୍ଣ ମନ୍ତ୍ର ଭଜନ କରିଣ ଚିତ୍ତେ

 

ପଞ୍ଚୁନାମ କାମ ଗାୟତ୍ରୀ ଭଜିଣ ମନ୍ତ୍ର ଚଇତନ୍ୟ ଧ୍ୟାୟି

ୟେମନ୍ତ ଦାସକୁ ବାଛିଣ ରଖିବି ଆମିଶ ଯେ ଭକ୍ଷି ନାହିଂ

ୟେ ଦେଶ ମଧ୍ୟରେ ପରର ରମଣୀ ହରି କରିଥିବେ ଦୋଷ

ବ୍ରଜ ଉପାସିକ କରି ମାଛ ଖାଇ ମିଛରେ କଳପି ରସ

 

ଜନମାନଙ୍କୁ ଯେ ଭୁଲାଇ କହିବେ ନିତ୍ୟାନନ୍ଦ ନାମ ଭଣି

ପର ରମଣୀକି ହରିଣ ବୋଲିବେ କାହିଂ ଗଲା ନାହିଂ ପୁଣି

ୟେମନ୍ତ ହୋଇଣ ଯେତେ ଥିବେ ଦାସ ହୋଇବେ ବିରଜା ହାଣ

ପରମ ଗୁପତ ବିଶ୍ୱାସେ କହିଲୁଂ ୟେ କଥା ଅର୍ଜ୍ଜୁନ ଶୁଣ

 

ବଦରିଠାବରୁ ବଣ ବିଷ୍ଣୁ ଯାୟେ ସମଲ ବୋଲିଣ ଦେଶ

ଉତ୍ତର ଦିଗ ସାହେର ପରିଯନ୍ତେ ୟେଥିଛନ୍ତି ଯେତେ ଅଂଶ

ଚର୍ମ ପାଣିଖିଆ ଆପୁ ଯେ ଖାଆନ୍ତି ମାୟେଂସ ଶ୍ରାଦ୍ଧରେ ଦେଇ

ୟେଥିରୁ ଥୋକାୟେ ବାଛିଣ ଖାଇବେ ବିରଜା କାନ୍ତାନୀ ମାଈ

 

 

ମଦିରା କୁକୁଡ଼ା ଭଖିଣ ଭଜନ କାହାଳୀ ଧୂଆଂ ଯେ ଖାଇ

ୟେମାନରୁ ଥୋକେ ବାଛିକରି ପୁଣ ଖାଇବେ ସେ ମହାମାଈ

ସଦବୃତ୍ତି ଜନ ସତ ଯେ ବଚନ ସ୍ୱ ଦାରା କରନ୍ତି ରତି

ୟେମାନଙ୍କୁ ତହିଂ ବାଛିଣ ରଖିବୁଂ କଳଙ୍କୀ କରି ରାଜୁତି

 

ବଉଦ କପଟ ରୂପ କାଳେ ମୋର ୟେମନ୍ତ ହୋଇବ ଶୁଣ

ମୋହୋର କୂଟ ଯେ ଜାଣି ନ ପାରିବେ ମୂରୁଖ ପଣ୍ଡିତ ପୁଣ

ଦେଖାଦେଖି ହୋଇ ସମସ୍ତେ କହିବେ ୟେକକୁ ଆରେକ ଚାହିଂ

ଯଉଂ ଜନମାନେ ବିହନ ହୋଇବେ ଅକର୍ମେ ପଶିବେ ନାହିଂ

 

ସେହି ପ୍ରାଣୀମାନେ ସତ୍ୟ ନ ଛାଡ଼ିବେ ଜପବ୍ରତ ତାଙ୍କ ସାର

ନରମାନଙ୍କର ବିହନ ୟେମାନେ ଅଗାଡ଼ି ମାଛୁଆ ନର

ଅର୍ଜ୍ଜୁନ ବୋଇଲେ ଶୁଣିମା ଗୋସାଇଂ ଅସାର ପ୍ରାଣୀ କେସନେ

ପେଟ ନ ପୂରିବ ଅନ୍ନ ନ ମିଳିବ ଧର୍ମ କରିବେ କେସନେ

 

ଶୁଣ ହେ ଅର୍ଜ୍ଜୁନ ସତ୍ୟବନ୍ତ ଜନ ଥିଲେଣ ହରଷ ହୋଇଂ

ପୃଥ୍ୱୀ ଥଏ ହେବ ସାଧୁସନ୍ଥ ଜନ ବିଅର୍ଥେ ପୀଡ଼ା ନ ପାଇ

ଦୟାଶୀଳ ଜନ ସତ ଯେ ବଚନ ନିର୍ଗୁଣ ରୂପକୁ ଧାନ

ୟେଥିରୁ ଥୋକାୟେ ବାଛିଣ ରଖିବୁ ଶୁଣ ହୋ ବୀର ଅର୍ଜ୍ଜୁନ

 

 

ଯମନ ଦେଶରୁ ଦକ୍ଷିଣ ସାହେର ଚଢ଼ାଇ ଗୁହାର ସ୍ଥାନ

ପଶ୍ଚିମ ସାହେର ୟେଥିର ମଧ୍ୟର ତହିଂରେ ଯେତେକ ଜନ

ଏଠାରୁ ପଡ଼ିବ ନାନାଦି ବୀଭଚ୍ଛ ବଚନେ ନୋହଇ କହି

ନଥିଲା ବେଳକୁ ସେରେ ଯେ ମିଳିଲେ ତାହାକୁ ବାଣ୍ଟିଣ ଖାଇ

 

ମନ ବଚନ କର୍ତ୍ତବ୍ୟରେ କଉଡ଼ି ଯେ ଅବା ମିଳଇ ପୁଣ

ଯତନ କରିଣ ହରଷରେ ଦିୟେ ଅତିଥି ମୁଖରେ ଦାନ

ନ ମିଳିଲେ ପୁଣ କୁଟୁମ୍ବ ନିମନ୍ତେ ଯେ ଅବା ମିଳିଣ ଥାଇ

କୁଟୁମ୍ବ ଜୀଆଇଂ ଅତିଥି ତୋଷଇଂ ଧର୍ମବାଟ ନ ପକାଇ

 

ଆପଣା ସ୍ତିରୀକି ସୁରତି ଦେଇଣ ସ୍ୱଜାତି ତାହାକୁ କହି

ସେ ରତି ଚଳନ୍ତେ ପୁତ୍ର ଜନମଇ ଅତିଥି ସେବା ଯେ ହୋଇ

ପର ରମଣୀ ହରନ୍ତି ଯଉଂ ନର ତହିଂରେ ବୀଜ ମରଇ

ସ୍ଵୟେଂ ନାରାୟେଣ ବଧ ଦୋଷ ପାୟେ ମନୁଷ୍ୟ ଅଗାଡ଼ି ସେହି

 

ମିଛୁଆ ପର ରମଣୀହରା ନର ସଂସାରେ ହେବେ ଅପାର

ବିରଜା ହାଣରେ ପଡ଼ିବା ନିମନ୍ତେ ଧର୍ମକୁ ନଥାଇଂ ଡର

ଅପନ୍ତରା ଗଛ କଟାଇବା ନରେ ନରଙ୍କୁ ଯେ ହିଂସା କରି

ଦେବତାମାନଙ୍କ ଅଙ୍ଗଦ୍ରବ୍ୟମାନ ଭୂପତି ନେବେ ଯେ ହରି

 

 

ଦେବସ୍ୱମାନ ରାଜାମାନେ ଖାଇବେ ପଛେ ଦେବା ବୋଲି କରି

ଦେଇ ନ ପାରିବେ ନିସତ ହୋଇବେ ପାପରେ ବୁଡ଼ିବ ଶିରୀ

କୃଷିମାନ ସବୁ ପଡ଼ିଆ ହୋଇବ ଗୋଦଣ୍ଡା ଚଷୁଣ ଥିବେ

ପଣ କଳନ୍ତର ଲୋଭ ଯେ ପାଇଣ ସମସ୍ତେ ସାହୁ ହୋଇବେ

 

ନେଚ ଲୋକମାନେ ବଡ଼ ଯେ ହୋଇବେ ବଡ଼ ନେଚକୁ ଯେ ଯିବେ

ବଡ଼ ଲୋକମାନେ ନିର୍ଧନ ହୋଇଣ ଥାନ ଛାଡ଼ି ପଳାଇବେ

କୃପଣ ପତିତ ଗୁରୁ ନ ସେବିଣ ଶାହାସ୍ତ୍ର ମୁଖୁଂ ନ ଶୁଣି

ୟେ ଜନମାନେ ଯେ ପଣ ଆବୋରିବେ ୟେଣୁ ପାପ କଳି ପୁଣି

 

ଶ୍ରାଦ୍ଧ ଶୁଦ୍ଧ ବିଭା ଗୃହ ଯେ ପ୍ରବେଶ ଉଚ୍ଛବମାନ କରିବେ

ଦୁଖୀ ଦରିଦ୍ରଙ୍କୁ ପେଜପାଣି ଦେଇ ମୁହଂଚୁହା ଖୁଆଇବେ

ସନ୍ଥ ମହୋଛବ ଯାତରା ପରବ ପ୍ରାଣୀମାନେ ଯେ କରିଣ

ଥୋକେ ଜନମାନେ ଉତ୍ତମ ଖାଇବେ ଥୋକେ କରିବେ ବାରଣ

 

ମହୋଚ୍ଛବ କଲା ବାଡ଼ଣ ଦାସ ଯେ ଥୋକେ ବିରଜାଙ୍କୁ ଦେବି

ସମତା ଦୃଷ୍ଟିରେ ଯେହୁ ସେ ପୂଜିବ ତାକୁ ବିହନ କରିବି

ଶୁଦ୍ଧ ଶ୍ରାଦ୍ଧ ବିଭା ମହୋଛବ କାଳେ ଯେ ଦୁଖୀ ଦରିଦ୍ରେ ଦେବ

କଳି ଯୁଗ ଧର୍ମ ଅଟଇ ଯେମନ୍ତ ବଡ଼ ରଙ୍କ ଖୁଆଇବ

 

 

ପଣ ଚଉଧୁରି ପଧାନ କରିଣ ପୂର୍ବାପୂର୍ବ ନ ରହିବ

ପଣ ଲୋକମାନେ ମାଗିଣ ଖାଇବେ ଆପଣେ ପଣ ହୋଇବ

ବେଳକାଳ ଜାଣି ଇନ୍ଦ୍ର ନ ପାଳିବ ଅଦିନ ବରଷା କରି

ଅଚାଷରେ ଚଷା କୃଷି ଯେ କରିବ ଫଳ ନୋହିବ ସେ ସରି

 

ଦାସମାନେ ଦମ୍ଭ ପଣେ ବସିଥିବେ ସଭା ମଧ୍ୟେ ବଡ଼ ହୋଇ

ନାମ ଅନାମକୁ ଲୟେ ନ କରିବେ ବସିବେ ମାଳି ଗଡ଼ାଇ

ମାଳିଆ ଦାସ ବହୁତ ହେବେ ନାଶ ନାମ ଲଏ ଦାସ ବୀଜ

ଅର୍ଜ୍ଜୁନ ତୁମ୍ଭଙ୍କୁ ଗୁପତ କହିଲୁଂ ୟେକଥା ହିଂ ବଡ଼ ଗୁହ୍ୟ

 

ବଇଦମାନେ ଯେ କୁଟିଳ ହୋଇଣ ମଳୁକୁ ବ୍ୟାଧି ରଖିବେ

ଅଧର୍ମ ହୋଇ ବଂଚିବେ ୟେଥୁଂ ଥୋକେ ଅନାଳିଆ ବୀଜ ହେବେ

ଯୋଗୀମାନେ ସବୁ ଛଦ୍ରମ ହୋଇଣ ପେଟ ପାଇଂ ମାଳ ମାଳ

ଛଦ୍ରମୀ ଯୋଗୀ ଥୋକାୟେ ନାଶଯିବେ ବିରଜା ଦେଶ ମଣ୍ଡଳ

 

ଭାର ଥୋର ବୁହା ଅକର୍ମା ଗୁଡ଼ାୟେ କାନ୍ତାନୀ ଖାଇବେ ପୁଣ

ତିନି ପହରେ ସ୍ନାନକଲା ଲୋକେ ୟେଥୁଂ ହେବେ ଥୋକେ ହାଣ

ପ୍ରଭାତ ସ୍ରାହାନ ଦେବତା ଦ୍ରଶନ ନିତି ଶାହାସ୍ତ୍ର ପଠନ

ୟେଥିରୁ ଥୋକାୟେ ବାଛିଣ ରଖିବା ଆଗକୁ ହେବେ ବିହନ

 

 

ଗୁରୁ ସୁଦକ୍ଷିଣା ଦିଅନ୍ତି ଯେ ଜନ ଅତୀଅ ସୁଖ ଭୁଂଜଇ

ୟେମାନରୁ ଥୋକେ ରହିବେ ସେକାଳେ ଯେଥିରେ ସଂଶୟେ ନାହିଂ

ଗୁରୁଙ୍କ ବିମୁଖ ଅତିଥି ନିରାଶ କେବଳ କୁଟୁମ୍ବ ପୋଷେ

ୟେଥିର ଥୋକାୟେ ମରଣ ହୋଇବେ ବିରଜା ମଣ୍ଡଳ ଦେଶେ

 

ଉଆଂସର ନିଶି ପ୍ରତିପ ପୌର୍ଣ୍ଣମୀ ରବି ମଙ୍ଗଳବାରର

ଦଶମୀ ତିଥି ପାହାନ୍ତି କରେ ରତି ୟେଥୁଂ ଅରେଷ୍ଟି ବେମାର

ଋତୁକାଳେ ରତି ଆପଣା ଯୁବତୀ ଯେ ଜନ କରୁଣ ଥିବ

କଳିଯୁଗ ଗତି ତାହାକୁ ବୋଲିଟି ବିରଜା ତାକୁ ଭଖିବ

 

ନିତ୍ୟାନନ୍ଦ ଖୋଳ ଚଇତନ୍ୟ ତାଳ ବ୍ରଜ ଲୟେ କରି ମନ

ମତ୍ସ୍ୟ ମାଆଂସ ଧୂମ ଆପୁଆ ଯେ ଜନ ହେବେ ବିରଜା ଭକ୍ଷଣ

କରେ ସଂକୀର୍ତନ ବୃନ୍ଦାବନ ଧ୍ୟାନ ଅଙ୍ଗ ଅଟେ ନିରାମିଶ

ଗୋଟିୟେ ଗୋଟିୟେ ବାଛିଣ ରହିବେ ଯେ ପାଳିବେ ବ୍ରଜଅଂଶ

 

ପାଦାନ୍ତି ତୁରଙ୍ଗ ଖଟ ଚଉକିରେ ସୁଖେ ଆସନ କରିଣ

ଆମିଷ ମାଆଂସ ଭୁଂଜି ବଡ଼ ତୋଷ ପଢ଼ି ଭାଗବତ ପୁଣ

ଏ ଅଂଶରୁ ଥୋକେ ବିରଜା ଦାଢ଼ରେ ପଡ଼ିବେ ଯତନ ହୋଇ

ଯାହା ପଢ଼ୁଥିବେ ତାହା ନ କରିବେ ଜାଣ ପଶୁ ତାକୁ କହି

 

 

କଦଳୀ ପଟୁଆ କମଳ ଆସନ ୟେକାକ୍ଷର ଜପା ଜନ

ମାଛ ମାଆଂସ ଛାଡ଼ି ଅହ୍ମଣିଆ ଠାରେ ଥିବ ଯାର ମନ

ୟେମନ୍ତ ମହନ୍ତ ରହିବେ ଥୋକାୟେ ସତ୍ୟ କଳିଯୁଗ ପାଇଂ

ଅନନ୍ତ କେଶରୀ ସଙ୍ଗତେ ଖେଡ଼ିବେ ବଡ଼ କଷ୍ଟ ଥିବେ ପାଇଂ

 

ବେଳ କାଳ ଜାଣି ତୃଣ ଘାସ ପାଣି ଗୋରୁଙ୍କୁ ନ ଦେବା ଜନ

ଗଲା ମଲା ଖୋଜା ନ କରିବେ ଯେହୁ ସେ ପ୍ରାଣୀ ବିରଜା ଧନ

ବେଳେ ଜଳ ଦେଇ ସୁସ୍ଥାନେ ଚରାଇ ହଜିଲେ ଖୋଜିବା ଜନ

ଏଥିରୁ ଥୋକାୟେ ବାଛିଣ ରଖିବୁ କରିବୁଂ ଆମ୍ଭେ ବିହନ

 

ରାଧାମନ୍ତ୍ର ପରି ସଖୀ ଅଙ୍ଗ କରି କୃଷ୍ଣମନ୍ତ୍ର ଶିକ୍ଷା କରି

ତ୍ରିପୁରା ଅଙ୍ଗରେ ଦୂତୀ ଅଙ୍ଗ ଥିବ ରାହାସ ଲୀଳା ଆବୋରି

ଆପୁ ଗଂଜାଜାଖିଆ ବିମୁଖ ଆବର ମାଛ ମାଆଂସ ନ ଖାଇ

ଯେଥିରୁ ଥୋକାୟେ ବାଛିଣ ରଖିବା କେଶରୀ ରାଜୁତି ପାଇଂ

 

ଛତିଶ ରାଗେଣୀ ଛଡ଼ ରାଗମାନ ନବ ତାଳ ଅଂଶୀମାନ

ସପତ ସ୍ଵରରେ ନାନା ଯନ୍ତ୍ର କରେ ଖାଇ ତୋଷିବା ତା ମନ

ନିରାମିଶ ଦାସ ସତ ଯେ ମହନ୍ତ ମନ୍ତ୍ର ଜପା ରାମ ଦାସ

ତାଙ୍କୁ ଘେନି ଆମ୍ଭେ ନୀଳା ଯେ କରିବୁଂ ନବ ସହସ୍ର ବରଷ

 

 

ଅର୍ଜ୍ଜୁନ ବୋଇଲେ କଛି ବଡ଼ ମନ୍ଦ କିମ୍ପାଇ ୟେଡ଼େ ଭବିଷ

ପ୍ରାଣୀମାନେ କିଂପା ୟେଡ଼େ ଦୁଃଖୀ ହେବେ ୟେହା କହ ପୀତବାସ

ଶୁଣ ହୋ ଅର୍ଜ୍ଜୁନ ଯୁଗର ଭିଆଣ କଳିରେ ୟେ କଥା ସାର

ପାପୀମାନଙ୍କୁ ଯେ ପାପ କଥାମାନ ନ ଲାଗଇ କେଭେଂ ଭାର

 

ସତୀ ଯତିମାନଙ୍କୁ ଯେ ପାପକର୍ମ ମହାଚିନ୍ତା ହୋଇଥିବ

ବିରଜା ଅଂଶ ଯେ ପାପ କର୍ମମାନ ବଡ଼ ହରଷେ କରିବ

ୟେ ଗ୍ରାମ ଛାଡ଼ି ସେ ଗ୍ରାମେ ପଶୁଥିବେ ପେଟ ଛଟପଟେ ଜାଣ

ପାପୀମାନେ ତାହା ବୁଝି ନ ପାରିବେ ଭଲ ହେବ ଆଗେ ପୁଣ

 

ମୋହର ଭଗତ ମୋ ଲୀଳା ବୁଝିଣ ମାହାକଷ୍ଟ ପାଉଥିବ

ମାହା ଆରତରେ ଡାକିବେ ପରାଣୀ ଉଦେ ହୁଅ ବାସୁଦେବ

ତାହାଙ୍କ ଆରତ ଶୁଣୁଥିବି ଚିତ୍ତ ତୁମ୍ଭଙ୍କୁ ଯେ ସୁଖ ଦେବା

କଳଙ୍କୀକେଶରୀ ରାଜା ଯେବେ ହେବେ ବହୁତ ସୁଖ ଭୁଂଜିବା

 

ସତ୍ୟ ଯୁଗରେ ସତ୍ୟବନ୍ତ ନର ଯେ ତ୍ରେତୟା ବିହନ ହେଲେ

ଋତୁପତି ଯଜ୍ଞ ତ୍ରେତୟା ଯେ କଲେ ଦ୍ଵାପରେ କୃଷ୍ଣ ଦେଖିଲେ

ଦୟା ଚିତ୍ତକରି ଲୀଳାକୁ ସୁମରି ଯେତେ ଜନ କରି ଆଶ

ବଉଦ ରୂପକୁ ସେବା ସେହି କଲେ ମାଳା ତିଳକରେ ଦାସ

 

 

ସତ ଦୟା କରି ୟେକାକ୍ଷର ସ୍ମରି ଯତି ଅଙ୍ଗ ଧରିଥିବେ

ନିରାମିଶ ହୋଇ ଯେତେ ଜନ ଥିବେ ସତ୍ୟକଳି ସେ ଦେଖିବେ

ପୁଣ୍ୟ ଅଂଶ ପ୍ରାଣୀ ରହନ୍ତି ବିହନ ତିନିଗୁଣ ପାପୀ ମରେ

ଯୁଗକୁ ଯୁଗ ଯେ କ୍ଷୟେ ହୋଇଥାନ୍ତି ଆମ୍ଭର ବିସ୍ମକୂଟରେ

 

ସତ୍ୟରେ ଅସୁର ମାଇଲି ଅପାର ତ୍ରେତୟା ନାଶି ରାବଣ

ଦ୍ଵାପର ଯୁଗରେ କଂସ ନାଶକରି କଳିରେ ପାପୀ ନାଶନ

ପୁଣ୍ୟ ପାପ ବୋଲି ଦୁଇ ପରକାର କରିଛୁ ଆମ୍ଭେ ଭିଆଣ

ପୁଣ୍ୟ ଜନମାନେ ବିହନ ଅଟନ୍ତି ପାପୀ ଅଗାଡ଼ିରେ ଗଣ

 

ଅର୍ଜ୍ଜୁନ ବୋଇଲେ କଳିର ଭବିଷ୍ୟ ଆବର ହୋଇବ କିସ

ଅର୍ଜ୍ଜୁନ ଶ୍ରୀକୃଷ୍ଣ ଗୁପତ ବିଚାର ଯୁଗର ଯଉଂ ରହସ୍ୟ

ପାପଭାରା ଦେଖି ପୃଥିବୀ କଂପିବ ତିନି ସେ ବାର ହୋଇଣ

ଟାଳି ପକାଇବି ଅଶାନ୍ତକ ହେବ ୟେମନ୍ତ ବୋଲି ମନେଣ।

 

ଆମ୍ଭେ ପୁଣ ତାଙ୍କୁ ସନ୍ତୋଷ କରିଣ କହିବୁଂ ବଚନମାନ

କୂଟେ ନାଶଯିବେ କିଛୁ ଦିନେ ସେହି ଆମ୍ଭର ସତ୍ୟ ବଚନ

ମହା ପାପ ଦେଖି ବରଷ ଦିନରେ ରାହୁ ଚନ୍ଦ୍ରକୁ ଘୋଟିବ

ଅତି ପାପ ଦେଖି ରାହୁ ଯେ ନିଅତ ଦିବାକରକୁ ଗ୍ରାସିବ

 

 

ପାପ ଭାରା ଦେଖି ସୂର୍ଯ୍ୟ ତେଣୁକରି ପୋଡ଼ିଦେବ ନରମାନ

କୂଟେ ମରାଇବୁ କିଛୁ ଦିନେ ରହି ମନରେ ନ ଧରି ଆନ

ମାହାପାପ ଦେଖି ପ୍ରଚଣ୍ଡ ହୋଇଣ ହେବ ରବିର କିରଣ

କେହି କାହାକୁ ଯେ ଉଶ୍ଵାସ ନୋହିବେ ପ୍ରାଣୀ ହେବେ ରଣଭଣ

 

ଚାଣ୍ଡାଳଠାରୁଂ ଯେ ରାଜା ଘର ଯାୟେ ମହନ୍ତମାନଙ୍କ ଘର

ମତ୍ତ ଗରବ କରିବେ ୟେ ସର୍ବ ଅନ୍ନ ବସ୍ତ୍ର ହେବ ଦୂର

ମାତାକୁ ପୁତ୍ର ଯେ ବିଶ୍ଵାସ ନୋହିବ ଗିରସ୍ତେ ନୋହିବେ ନାରୀ

ଭାଇକି ଭୟେଣୀ ବିଶ୍ଵାସ ନୋହିବ ଶାଶୁକୁ ବୋହୁ ଯେ ମାରି

 

ଗୁରୁଙ୍କୁ ଶିଷ୍ୟ ଯେ ବିଶ୍ଵାସ ନୋହିଣ ନୋହିବେଟି ଦଣ୍ଡବତ

ନାହିଂ ନାହିଂ ବୋଲି ବଚନ କହିବେ ମିଛ ବଚନ ବହୁତ

କଳନ୍ତର କରି ଗୁରୁଙ୍କ ପଦାର୍ଥ ଖାଇଣ ନ ଦେବେ ପୁଣ

ଗୁରୁ ବୁଲୁଥିବେ ଲଣ୍ଡଭଣ୍ଡ ହୋଇ ଶିଷ୍ୟଙ୍କ ବହୁ ବଚନ

 

ବ୍ରାହ୍ମଣମାନେ ଯେ ଦେବୀ ପୂଜା ବୋଲି ସୁରା ଭକ୍ଷିବେ ମୁଖେଣ

ଛାଗଳ ପ୍ରାଏ ମିଳି ରତି କରିବେ ସ୍ତିରୀକି କରି ଉଲଙ୍ଗନ

ଦେବଦେବୀମାନେ ପଛିମ କାନ୍ତାରେ ରହିବେ ଯେଝାରେ ଯାଇଂ

ଦେବତା ସ୍ଥାନରେ ତୁଡ଼ୁକ ବସିବ ଗୋମାଂସ ମଦିରା ଖାଇ

 

 

ଗଙ୍ଗା ଥଳ ହେବ ଜଳ ଯେ ଶୁଖିବ କଳିଯୁଗ ଶେଷ ଜାଣି

ମହା ପାପୀମାନେ ଦାନ ସ୍ନାନ ହୋନ୍ତେ ଗଙ୍ଗା ଲୁଚିବ ଯେ ପୁଣି

ତହୁଂ ଭକ୍ତମାନେ ମଉନେ ରହିବେ ଦେଖି କଳି ଘୋର ବଡ଼

ଜୋତି ଲଏ କରି ଅଣ ୟେକାକ୍ଷର କଳଙ୍କୀ ଚିନ୍ତି ହୃଦର

 

ଫଳ ଜଳ ସ୍ଥଳ କୁଳ ଦେଶ ତଳ ୟେମାନ ଆବୋରି କରି

ରଖ ରଖ ହରି ୟେ ପାପ ଅନ୍ଧାରୁ ରାଜୁତି ଯାୟେ କେଶରୀ

ସବୁ ଦେଶେ ଖଚମିଛ ବାଣ ଯୁଦ୍ଧ ପ୍ରବଳ ହୋଇବ ମହୀ

ୟେକର ଦ୍ରବ୍ୟ ଯେ ଆର ଖଚ କହି ନେଉଥିବେ ପୁଣି ବହି

 

ଅର୍ଜ୍ଜୁନ ବୋଇଲେ ଶୁଣିମା ଗୋସାଇଂ ପାପୀତ ଦୁଃଖ ପାଇବ

ହସହସ ହୋଇ କଳିକୂଟ କଥା କହନ୍ତି ଯେ ବାସୁଦେବ

ଗୋପୀମାନେ ଦିନାକେତେ ସୁଖ ପାଇ ସେହୁ ହେଲେ ନାରଖାର

ଅଳପ ବୟସେ ମରଣ ହୋଇବେ ଦରିଦ୍ର ହୋଇବେ ଆର

 

ଅଂଶ ନାଶଯିବ ସ୍ଥାନ ଯେ ଛାଡ଼ିବ ଅଗ୍ନିରେ ପୋଡ଼ିବ ଘର

ୟେମନ୍ତ କୂଟ ମୋ ବୁଝି ନ ପାରିବେ ଖଚୁଆ ମିଛୁଆ ନର

ଗଙ୍ଗା ତଟରେ ମୁକୁନ୍ଦ ଦେବ ବୀର ଯବନେ ନ ଥିବ ଡର

ଦାନେବ କୁଳକୁ ଧଂସିବ ସହଜେ ଫୁଟୁକି ମାରିବ କର

 

 

ଗୋବିନ୍ଦ ରାଜେନ୍ଦ୍ର ରାୟ ପୀତାମ୍ବର ଦାମୋଦର ବୀରବର

ଭାଗ୍ୟରଥୀ ଛୋଟରାୟ ଯେ କୁଅଂର ଯବନେ ନ ଥିବ ଡର

ୟେ ଛତ୍ରୀମାନେ ଓଡ଼ିଶାରୁ ଗଲେ ଓଡ଼ିଶା ପଠାଣ ନେବ

ଛତ୍ରୀମାନେ ୟେଣୁ ତୁରଙ୍ଗକୁ ଘାସ ଭାର ବହି ଦେଉଥିବ

 

ଓଡ଼ିଶା ତେଲଙ୍ଗା ଡିଲୀର ପଠାଣ ବଙ୍ଗଳା ଦେଶର ଜନ

ଓଡ଼ିଶା ଦେଶେ ପଶି ନାଶ କରିବେ ସେ ଦରିଦ୍ର ହେବ ଭୁବନ

ଖଣ୍ଡାଇତମାନେ ଜୀବନ ଡରେଣ ୟେକ ବିଚାର ନୋହିବେ

କୂଟ କରିନେଇ କୁରାଣ ଛୁଆଇଂ ତାଙ୍କ ରାଜ୍ୟମାନ ନେବେ

 

କୁରାଣ ଛୁଆଇଂ ପଠାଣ ନାଶଯିବେ ଟିକିରା ଗୋହିରୀ ହାଣ

ୟେ ମୋହୋର ମାୟା ଜାଣି ନ ପାରିବେ ହିନ୍ଦୁ ତୁଡ଼ୁକ ଯେ ଜାଣ

ପାଞ୍ଚ ବରଷର ପୋଅ ଯେ ମୁଖରେ କହିବ ପଠାଣ ଭାଷା

ବଉଦ ଠାବରୁ ଲଣ୍ଡା ଦେଉଳ ଯେ ପଠାଣ ନୋହେ ପଡ଼ିଶା

 

ବଉଦ ସିଂଘଦ୍ୱାରେ ଯାଇଂ ପଠାଣ ସାଧନା କରିବ ବର

ରାଜା ଡରେ ପୁଣ କଥା ନ କହିବ ହୋଇଣ ଥିବ ଥବିର

ଆମ୍ଭେ ଯେ ପୁଣ ରାତ୍ର ଦିବସରେ ନଥିବୁଂ ବଉଦ ଦେଶ

ତେଣୁକରି ସେ ଯେ ଦାନେବ କୁଳର ଲାଗିବ ଆମ୍ଭଙ୍କୁ ତ୍ରାସ

 

 

ରାତ୍ରି ଅର୍ଧମାନେ କୋଇଲି ବୈକୁଣ୍ଠେ ଗରୁଡ଼ ପିଠିରେ ଯାଇ

ଉତ୍ତର ଦୁଆରେ ପଶି ଆମ୍ଭେ ପୁଣ ବଡ଼ସିଂଘାର ଯେ ଖାଇ

ତହୁଂ ଚଳି ଆସି ସୁବର୍ଣ ଗିରିରେ ବସି ଜପୁଥିବୁଂ ନାମ

ଭଗତ ମୋହର ସେ ଥାନକୁ ଧ୍ୟାଇ ନାମ ଲୟରେ ଉତ୍ତମ

 

ଛଡ଼ ଚକ୍ରପୁର ଓମତି ଦୁଆର ଯଉଂ ଦାସ ଜଗି ଥିବ

ହଉଂ କ୍ଷଉଂ ପରେ ଠୁଳ ଯେ ମଣ୍ଡଳେ ପାଞ୍ଚୁମାତ୍ରା ଯେ ବିନ୍ଧିବ

ସେହୁ ଜନମାନେ ଜୀବନର ଅନ୍ତେ ବୃନ୍ଦାବନରେ ପଶନ୍ତି

ଆବର ସେ ଜନପୁର ଯେ ଉତ୍ତମ ପୁରୁଷୋତ୍ତମ ସେ ପାନ୍ତି

 

ମୋହର ଲୀଳା ସେ ଦେଖନ୍ତି ନୟନେ ରାତ୍ର ଦିବା ଯେ ସୁଧ୍ୟାନେ

ଅକର୍ମ କର୍ମମାନ ଯେ କରିଥିଲେ ସେ ପାଇଂ ମୋହର ସ୍ଥାନ

ମାଳିୟା ଦାସ ମାଳି ହସ୍ତେ ନଥିଲେ ମୋ କଥା ଗୁଣଇ ନାହିଂ

ହରେ କୃଷ୍ଣ ରାମ ରାଧେକୃଷ୍ଣ ଶ୍ୟାମ ମୋ କଥା ଥୋକାୟେ କହି

 

ପଞ୍ଚୁମାତ୍ରା ବିନ୍ଦୁ ନାମରେ ଯେ ଥାନ ଅନାମ ତତ୍ତ୍ୱର ଶିଖ

ନାମ ଶବଦ ଯେ ଓମତି ଅଟଇ ଓମତିରୁ ପୁଣ ସୁଖ

ଘୋର କଳିକାଳେ ନିଜ ନାମେ ମୋର ନ ଭଜିବେ ହେତୁ ଜନ

ଗୁଣ ଥୋକାୟେ ଯେ ଘୋଷୁଥିବେ ପ୍ରାଣୀ ଚାତୁରୀ କରି ଯତନ

 

 

ପଞ୍ଚୁମାତ୍ରା ତତ୍ତ୍ୱ ବୁଝି ଜପୁଥିବ ଯେବଣ ଭଗତ ମୋର

ଅବଧୂତ ଯତି ବାଛି ତାଙ୍କୁ ପୁଣ ରଖିବୁଂ ଆମ୍ଭ ସଙ୍ଗର

ଗୁରୁ ଶିଷ୍ୟ ବାଣୀ ଅଟଇ ୟେ ପୁଣି ଗୁପତ ତୁମଙ୍କୁ କହୁଂ

କୋଟିକରେ ସିନା ଗୋଟିୟେ ଯେ ଦାସ ଅଛନ୍ତି ଯେ ଯହୁଂ ତହୁଂ

 

ଅର୍ଜ୍ଜୁନ ବୋଇଲେ ନୀଳଗିରି ନାଥ ଦ୍ଵାଦଶ ଯାତ୍ରା ଭିଆଣ

ତୁମ୍ଭେ କେମନ୍ତେକ ଉଛବ ମାନଙ୍କେ ବିଜେ କରିବ ଆପଣ

ନବଦିନ ଯାତ୍ରା ଗୁଣ୍ଡିଚା ଭିଆଣ ପ୍ରତୀପ ନବମୀ ଯାୟେ

ନବ ଦିନ ଯେହୁ ଦ୍ରଶନ କରଇଂ ତାକୁ ନାହିଂ ଯମ ଭୟେ

 

ଦଶମୀ ଠାବରୁ ପ୍ରତୀପର ଯାୟେ ବାହୁଡ଼ା ବୋଲିଣ ଯାତ

ଦୁଇ ପ୍ରତୀପ ଯେ ଦ୍ରଶନ କରଇ ପୁନ୍ୟ କେ କରିବ ଅନ୍ତ

ପ୍ରତୀପ ଦିନ ମୁଂ ନୀଳାଞ୍ଚଳେ ଥାଇଂ ରତ୍ନ ସିଂଘାସନେ ବସି

ଉତ୍ତର ଦୁଆରେ ବିଜୟେ କରିଣ ସ୍ନାହାନ ମଣ୍ଡୋପେ ଆସି

 

ଗରୁଡ଼ ପିଠିରେ ବିଜୟେ କରିଣ ରଥରେ ବସିବି ଯାଇଂ

ରଥକୁ ଚଳାଇ ମୁହିଂ ପୁଣି ଯିବି ଚଢ଼ାଇ ଗୁହା ଯେ ରହି

ତପସ୍ୟା ସାରିଣ ଆସୁଥିବି ମୁଇଂ ନବ ଦିନ ଯାୟେ ପୁଣ

ଯେତେବେଳେ ରଥେ ବିଜୟେ କରିବି ରଥ ଚଳିବ ସୁଖେଣ

 

 

ଦଶମୀ ଭୋଜନ କରିଣ ଯତନ ରଥରେ ଯେ ଚଳିଯିବୁଂ

ପୂର୍ବ ସିନ୍ଧୁ ଆଳେ ବେଲେଶ୍ଵର କୂଳେ ତପସ୍ୟା ପୁଣ ରଞ୍ଚିବୁ

ଶ୍ୱେତଗଙ୍ଗାର ଯେ ଦକ୍ଷିଣ ଭାଗରେ ମଳମୂତ୍ରେ ଦୋଷ ନାହିଂ

ନରେନ୍ଦ୍ର ଶଉଚ ଦକ୍ଷିଣ ଭାଗରେ ଏଥିର ଦୋଷ ହରଇ

 

ଇନ୍ଦ୍ର ଦୁମନର ପୂରୁବ ଭାଗରେ ମଳମୂତ୍ରେ ନାହିଂ ଦୋଷ

ମଣିକଣ୍ଣିକାର ପଶ୍ଚିମ ଭାଗରେ ମୂଳମୂତ୍ରକୁ ୟେ ବାସ

ୟେଥିର ମଧ୍ୟେଣ ଯେତେ ଥାନ ଅଛି ୟେ ମୋହୋ ମଣୋହି ସ୍ଥାନ

ୟେଥି ମଧ୍ୟେ ପାପୀ ଅନେକ ମିଳିଣ କରିବେ ସ୍ତିରୀ ହରଣ

 

ୟେ ପାପୀରୁ ଥୋକେ ବିରଜା ଦାଢ଼ରେ ପଡ଼ିବେ ଯତନ ହୋଇ

ୟେଥି ମଧ୍ୟେ ଯେହୁ ଚୋରି ଯେ କରିବ ତାକୁ ନେମ ମହାମାଈ

ଅବଢ଼ା ସଙ୍ଗତେ ଶୁଖୁଆ ପୋଡ଼ିଣ ଖାଇବେ ମହନ୍ତ ଜନ

ସାକ୍ଷାନ୍ତେ ଗୋମାଂସ ମଳ ଯେ ଖଂକାର ଭଖଣ କର୍ମ ଏସନ

 

ୟେସେ ଅପରାଧ କୈବଲ୍ୟ ସଙ୍ଗତେ କରିବେ ଯେ ପ୍ରାଣୀମାନେ

ତିନିପୁର ଲୋକେ ଗଙ୍ଗା ବୋଲିଣ ଯେ ନ ପାନ୍ତି ଯାହା ଯତନେ

ଆପଣେ ଖାଇଣ କୁକର୍ମ କରିଣ ମୋତେ କିଛି ନ ଖୁଆଇ

ଗତି ହେବେ ବୋଲିକରି ଯୋଡ଼ୁଥିବେ ଶିରେ ପୁଣ କର ଦେଇ

 

 

ପୁଣ୍ୟ କ୍ଷେତ୍ର ମଧ୍ୟେ ପୁଣ୍ୟ ନ କରିବେ ଅନେକ ପାମର ଜନ

ବଡ଼ ଯାତ୍ରା ବୋଲି ଏ ମୋର ଅଟଇଂ ଶୁଣ ହୋ ବୀର ଅର୍ଜ୍ଜୁନ

ଆଡ଼ ପଞ୍ଚକା ସିଂଘାସନ ଦେଖା ମୋତେ ନିତି ଦେବ ଭୋଗ

ମୂର୍ତ୍ତି ଏକଠାରୁ ଶଏ ବା ପଞ୍ଚାଶ ମୋ ଭକ୍ତ ପୂଜିବ ବେଗ

 

ଅର୍ଦ୍ଧ ସିଂଘାସନ ମାତ୍ରା ଉପରେଣ ବିନ୍ଦୁ ଜଗନ୍ନାଥ ଦାସ

ବିରଜା ହାତରୁ ରଖିବୁଂ ତାହାଙ୍କୁ ୟେମନ୍ତ ଯେଉଂଣ ଦାସ

ଅଂଠାରୁ ସୋଲ୍ୟ ନାମ ଜପ କରିବ ରଖିବି ବୀଜ ନାମ ଧରି

ତାର ନାମ ତତ୍ତ୍ୱ ଖଂଜିଣ ରଖିବ ସଦଗୁରୁଙ୍କୁ ପଚାରି

 

ଯାତ୍ରା ସାରି କରି ଦ୍ଵିତୀୟା ଦିନ ଯେ ସୋଅର୍ଣ୍ଣ ସ୍ଥାନରେ ଆସି

ୟେକାକ୍ତ ହୋଇଣ ତପସ୍ୟା କରିବ ଦମ୍ଭେ ଜ୍ୟୋତି ଲଏ ବସି

ଠାବେ ଠାବେ ମୋହୋ ଭଗତ ଜନ ୟେ ୟେହି ତପସ୍ୟା କରିଣ

ଆରତ ହୋଇଣ ମୋତେ ଚିନ୍ତୁଥିବେ ପାଇ ଅପାର କଷଣ

 

ଭଗତି ୟେ ତପ ଜ୍ୟୋତି ଅଣ ଗୋପ୍ୟ ନର ଜନମଇଂ ସାର

ଯଉଂ ଜନମାନେ ୟେ ତପ କରନ୍ତି ତାକୁ ନ ବୋଲିଟି ନର

ମୋହୋର କୋଠ ଦଳ ଲୋକ ଅଟନ୍ତି ୟେ କଥା ଅର୍ଜ୍ଜୁନ ସତ

ଉଦ୍ଧବ ଅର୍ଜ୍ଜୁନ ତୁମ୍ଭେ ଦୁଇ ଜନ ଜାଣ ୟେ ତହିଂ ତଦନ୍ତ

 

 

ନିର୍ଗୁଣ ଗୋପୀ ଥୋକେ ମୋତେ ଜାଣିଲେ ନିର୍ଗୁଣ ରୂପରେ ତୋଷ

ଆତ୍ମା ଲଏକରି ମନ ତୋଷ କରି ଧ୍ରୁବ ହେଲେକ ସନ୍ତୋଷ

ଦଶ ଅବତାର ମୋହୋର କପଟ ଦୁଷ୍ଟ ନିବାରଣେ ଜାତ

ନିତ୍ୟ ଲୟ ମୂର୍ତ୍ତି ଜ୍ୟୋତି ରୂପ ଚିନ୍ତି ପ୍ରତେ ମୋହୋ ନିଜ ଭକ୍ତ

 

ପଣ୍ଡିତ ଭଗତ ବିଦ୍ୟାବନ୍ତ ଚିତ୍ତ ଭେକଧାରୀ ଭକ୍ତମାନେ

ଅବତାର ରୂପମାନଙ୍କୁ ଯେ ସେହୁ ପରତେ କରି ଯତନେ

ଶ୍ରୀକୃଷ୍ଣ ବଚନ ଶୁଣି ମନ ତୋଷ କଳିଯୁଗ ନୀଳା ରସ

ପ୍ରଥମ କାହାଣୀ ଅଟଇ ୟେ ପୁଣି ସୁଜନେ ଗୁପତେ ଘୋଷ

 

ଫେଡ଼ିଲେ ବିପତ୍ତି ଦରିଦ୍ର ଯେ କୋଷ୍ଠ ଥାନଭ୍ରଷ୍ଟ ଅନ୍ଧ ହୋଇ

ଗୁପତୁଂ ଗୁପତ ୟେ ମାହାଗୁପତ ଭବିଷ୍ୟ ପୁରାଣ କହି

ଅର୍ଜ୍ଜୁନ ବୋଇଲେ ଶୁଣିମା ଶ୍ରୀହରି ଗୁପତ କିଂପାଇଂ କରି

ଯାହା ଶୁଣିଲେ ପ୍ରାଣୀ ହେତୁ କରିବେ ତାହା କହିବା ବିସ୍ତାରି

 

ଶୁଣ ହୋ ଅର୍ଜ୍ଜୁନ ଗୁପତ ବିଚାର ସମସ୍ତ ଠାରେ ପଢ଼ିବ

ପ୍ରାଣୀମାନେ ୟେହା ଧରି ନ ପାରିବେ ଶାହାସ୍ର ନିନ୍ଦା ହୋଇବ

ପୁନ୍ୟ କଲା ଜନ ଆଗରେ କହିଲେ ପରତେ ପ୍ରମାଣ ହେବେ

ପାପ କଲା ଜନ ନ ରୁଚେ ପାଠକୁ ୟେହାକୁ ନିନ୍ଦା କରିବେ

 

 

ଅର୍ଜ୍ଜୁନ ବୋଇଲେ ୟେକଥା ପ୍ରମାଣ ସତ ଭଗତକୁ ହିତ

କଳିଙ୍କୀ ଭଗତ ନିମନ୍ତେ ୟେ ପାଠ କରିବା ଆମ୍ଭେ ଗୁପତ

ପୂର୍ବେ ମୁନିମାନେ ସତର ଖଣ୍ଡ ଯେ ପୁରାଣ ଉକତ କଲେ

ଅଠର ଖଣ୍ଡରୁ ଭବିଷ୍ୟ ପୁରାଣ ଗୋପ୍ୟାନ କରି ରଖିଲେ

 

ତୁମ୍ଭେ ମୋର ଯହୁଂ ଅଟ ହୋ ବିଶ୍ୱାସ ଗୁପତ ପୁରାଣ ଶୁଣ

ବଉଦର ନୀଳା କଳିର ଚରିତ୍ର ତୁମ୍ଭଙ୍କୁ କହୁଂ ଯତନ

ଶ୍ରାବଣ ମାସରେ ଚିତଉ ଦିନରେ ପୂର୍ଣ୍ଣିମା ତିଥିରେ ଶୁଣ

ଭୋଗ ଭୁଂଜି ଆମ୍ଭେ ତପସ୍ୟା କରି ଯେ ନରେନ୍ଦ୍ର ଜଗତି ସ୍ଥାନ

 

ଭାଦ୍ରବ ମାସରେ ଜନମ ତିଥିରେ ପୁଣ ପୂର୍ଣ୍ଣମୀର ଦିନ

ଭୋଗ ଭୁଂଜି ଆମ୍ଭେ ତପସ୍ୟା କରି ଯେ ମାରକଣ୍ଡ ବୋଲି ସ୍ଥାନ

ରାମ ଦଶହରା କୁଆଂର ପୂର୍ଣ୍ଣମୀ ଗୋପରେ ଉଛବ ଦିନ

ଭୋଗ ଭୁଂଜି ଆମ୍ଭେ ତପସ୍ୟାକରି ଯେ କୋଇଲି ବୈକୁଣ୍ଠ ସ୍ଥାନ

 

ଦେବଙ୍କ ଉଚ୍ଛବ କାର୍ତ୍ତିକ ମାସରେ ବଟ ତଳେ ଆମ୍ଭେ ରହି

ମାନବ ରୂପରେ ତପ କରୁଥାଉଂ ମୋତେ ନ ଚିହ୍ନତି କେହି

ମାର୍ଗଶିର ମାସ ଓଢ଼ଣ ଷଷ୍ଠୀରେ ପୁଷ୍ୟ ଅବିଷେକ ମାସ

ଭୋଗ ଭୁଂଜି ଆମ୍ଭେ ନିଶ୍ଚିନ୍ତ ବସୁ ଯେ ସୋଅର୍ଣ୍ଣ ଗିରିର ପାଶ

 

 

ମକର ବେଢ଼ାରେ ଯାତ୍ରା ଯେ କରିଣ ସୋଅର୍ଣ୍ଣ ଗିରିରେ ରହି

ଫଗୁଣରେ ଦୋଳ ଯାତରା କରିଣ ରତ୍ନ ସିଂଘାସନ ଚାହିଂ

ରାମନବମୀର ଯାତରା କରିଣ ବାଲୁକେଶ୍ୱରରେ ତପ

ଅକ୍ଷୟ ତୃତୀୟା ବୈଶାଖ ମାସରେ ଶ୍ୱେତଗଙ୍ଗା ସ୍ଥାନେ ଜପ

 

ଦେବ ସ୍ରାହାନ ଯାତ୍ରା ଆମ୍ଭେ କରିଣ ପୃଥୀରେ ଭ୍ରମଣ କରି

ଭଗତମାନଙ୍କୁ ଗୁପତେଣ ପୁଣି ଆସୁଥାଇଂ ଚେତିଆଇ

ଅଣାକ୍ଷର ୟେକାକ୍ଷର ଜ୍ୟୋତି ସ୍ମରି ମନ୍ତ୍ର ଧରନ୍ତି ମୁଖର

ମୋହୋ ନିମନ୍ତେ ଯେ ଯାତ୍ରା କରିଥାନ୍ତି ତାଙ୍କୁ ଲୋଡ଼ି ୟେ ମାସର

 

ମଞ୍ଚମଣ୍ଡଳରେ ମୋହୋର ନିମନ୍ତେ ଭୋଗମାନ ଦେଉଥାନ୍ତି

ସାରାଜଗତରେ ଗରୁଡ଼ ଉପରେ ଭୋଗ ବାସନା ଯେ ଘେତି

ଭୋଗର ବାସନା ଘେନନ୍ତେଣ ପୁଣି ଅଧେ ଭୋଗ ତହୁଂ ହୋଇ

ଅପୂରୁବ ରୂପ ଗୋଟି ମୁଇଂ ହୋଇ ତାହାଙ୍କ ସଙ୍ଗେ ଭୁଂଜଇ

 

ମୋହର ଉଛବ ଯାତ୍ରା ଯେ ପରବ କରନ୍ତି ଯେ ଭୋଗମାନ

ମୋହର ନିଜ ଭଗତ ଯେ ଅଟନ୍ତି ଶୁଣ ତୁହୋ ଅରଜୁନ

ମାତାର ନିମନ୍ତେ ପିତୃ ଜନ ହିତେ ଯେଉଂମାନେ ଦ୍ୟନ୍ତି ଅନ୍ନ

ଅର୍ଜମା ରୂପକୁ ସେ ଭୋଗ ହୋଅଇ ୟେକଥା ଶୁଣ ଅର୍ଜ୍ଜୁନ

 

 

ଗୃହ ପ୍ରବେଶର ଅନ୍ନ ଭୁଂଜାଇଲେ ବାସୁକୀ ହୋଅଇ ତୋଷ

କାଳମାନେ ଥାନୁଂ ପଳାଇ ଯାଆନ୍ତି ଅନ୍ନ ମିଳଇ ବିଶେଷ

ରୋଗ ଶୋକ କାଳେ ଅନ୍ନ ଭୁଂଜାଇଲେ କେଳେଶ କରଇ ନାଶ

ଧରମ ପୁରୁଷ ସେ ଭୋଗ ଭୁଂଜଇ ମୃତ୍ୟୁ ଦୋଷ ହୋୟେ ନାଶ

 

ଶ୍ରୀଗୁରୁ ନିମନ୍ତେ ଅନ୍ନ ଭୁଂଜାଇଲେ ମୁଂ ତାହା ଭୁଂଜଇ ଯାଇ

ଭଗତ ମୋହର ତନ ଧନ ମନ ସଅଂପିଛି ଆଗୁ ନେଇ

ସଂସାର ମଧ୍ୟରେ ଯେତେ ଛନ୍ତି ଜନ ସକଳେ ମୋହରେ ଘାରି

ଧନ ପଣମାନ ଚିର କରିଥାନ୍ତି ଅରଜିବା କେତେ ଶିରୀ

 

ଅଧା ଅନ୍ନ ଯେଣୁ ସେ ଅଟଇ ମୁଇଂ ତା ଛୁଅଇଂ ନାହିଂ

ଭାବ ଭଗତିରେ ଭଗତ ଭାବିଲେ ତୋ ପଛେ ବୁଲୁଣ ଥାଇ

ଭାବେ ଗୋପନାରୀ ସଙ୍ଗତେ ଭୁଂଜିଲୁ ଭାବରେ ବିଦୁର ଘରେ

ଭାବ ଭଗତିରେ ବନଭୋଜି କଲୁଂ ବ୍ରାହ୍ମଣୀ ଅନ୍ନ ବନରେ

 

ଦଣ୍ଡକା ବନରେ ଗୋପାଳ ଗୋଷ୍ଠରେ ମଣିଦେଇ ଦୁଧ ଖାଇ

ଭାବେ ଶବରୀର ଫଳମୂଳ ଭୁଂଜି ନୀଳଗିରିରେଣ ରହି

ଭାବେ କଳିଯୁଗ ଭଗତମାନେ ତ ମୋହୋ ପାଇଂ ମଉଛବ

ଏଣୁକରି ମୁହିଂ ବେଗେଣ ଭୁଂଜଇ ଶୁଣ ଅର୍ଜ୍ଜୁନ ଏ ଭାବ

 

 

ପ୍ରାଣୀମାନେ ମୋହ ମାୟାରେ ପଡ଼ିଣ ନିରନ୍ତରେ ବିଷୟାରେ

ରାତ୍ର ପହରକ ଠାବରୁ ଜଗିଣ ପୁଣ ସେ ରାତ୍ର ପହରେ

ମୋହୋର ମୋହୋର ମନରେ ଚିନ୍ତିଣ ପାଞ୍ଚି ରଖୁଥାନ୍ତି ଧନ

ଯଉଂ ଘରୁ ଯାହା ଯେମନ୍ତ ବେପାର ମୂଲିଆଠାରୁ ରାଜନ

 

ଜୁଆଇଂ ସମୁଧି ଶଶୁର ଶଳାରେ ନାତି ଭଣଜା ପ୍ରୀତିର

ୟେମାନଙ୍କୁ ଯହୁଂ ପ୍ରୀତିରେ ଭୁଂଜାଇ ୟେମାନ ଅଟେ ଉଧାର

ଭାରିଯା ପୁତୁରା ଭାଇ ଖୁଡ଼ୁତାଇ କୁଟୁମ୍ବ ଯେତେକ ହୋଇ

ଦେଲେ ଧର୍ମ ନାହିଂ ନ ଦେଲେଣ ପାପ ରଜ ବୀର୍ଯ୍ୟ ୟେକଠାଇଂ

 

ସହସ୍ର ପୀଢ଼ିରେ କୁଟୁମ୍ବେ ନିରାଶ କରନ୍ତି ଯେବଣ ଜନ

ଅଂଶମାନ ତାର ପୃଥ୍ୱୀରେ ନ ରହେ ୟେଣୁ ପାପ ମନେ ଘେନ

ପୁତ୍ର ଦୁହିତା ଭାରିଯା ଦାସୀ ଦାସ ୟେଥି ଲାଗି ଦଉଡ଼ିଣ

ଦୁଃଖ ଶ୍ରମ ଧନ ପାଇଂ ଅକାରଣ ନ ଯାନ୍ତି କେହି ସଙ୍ଗେଣ

 

କେବଳ କ୍ଷଣେ କ୍ଷଣେ ବସି କାନ୍ଦନ୍ତି ମୃତ୍ୟୁକ୍ଷୋଭ ଯିବା ଯାୟେ

ପୁଣି ମୋହ ମାୟା ପାଶେ ଭ୍ରମ କରି ଦଉଡ଼ି ଦଉଡ଼ି ରହେ

ମୂରୁଖ ସ୍ଵଭାବେ ମୋ ଛନ୍ଦ ନ ଜାଣି ମୋହ ଫାଶରେଣ ବନ୍ଧା

ପଣ୍ଡିତମାନେ ସବୁକଥା ଜାଣିଣ ମୋହୋରି ମାୟାରେ ଧନ୍ଦା

 

 

ପଣ୍ଡିତ ମୂର୍ଖକୁ ସୁଗତି ଦୁଆର ଆଗତ ଅତିଥିଙ୍କ ସେବ

ୟେହି କଥା ୟେକା ସଞ୍ଚିତର ଧନ ମାୟା ପାଶରୁ ତାରିବ

ଚାଳିଶ ବରଷ ଭିତରେଣ ମଲେ ଅକାଳ ପୁରୁଷ ନେଇ

ଷାଠିୟେ ବରଷ ଭିତରେଣ ମଲେ କାଳ ପୁରୁଷକୁ ବିହି।

 

କୋଡ଼ିୟେ ବରଷ ଭିତରେଣ ମଲେ ଅପମୃତ୍ୟୁ ନିଶ୍ଚେ ଶୁଣ

ଛକୋଡ଼ି ବରଷ ଭିତରେ ମଲେଣ ମୃତ୍ୟୁ ବୋଲିଣ ତା ଜାଣ

ଯମ ରାଜାକୁ ଯେ ବାମ ଚରଣରୁ ଜନମ କରି ଅଛଇ

ଜାର ପୁରୁଷ ତ ମୋର କୋପାନଳ ଦେଖିଣ ପାଦୁଂ ଜନ୍ମଇ

 

ଧର୍ମ ପୁରୁଷ ମୋ ଶ୍ରବଣୁଂ ଜନମ ଚନ୍ଦ୍ର ଜାତ ନୟନର

ଏ ଚାରି ଜଗତ ପ୍ରାଣୀ ଆତଯାତ କରିଥାନ୍ତି ନିରନ୍ତର

ଯୁଗ ଶେଷ କାଳେ ମରଣ ଲଭନ୍ତି ଯୁଗ ଭିତରେ କେ ସରି

କେ ପୁନ୍ୟ କରଇ କେ ପାପ କରଇ ଧରନ୍ତି ଯେବଣ ଶ୍ଵରୀ

 

ଯମ ଭୁବନର ପାପ ୟେହିଠାରେ ନରକୁ ଦେଖାଇ ଯାଇଂ

ମାଟିର ଘର ଏହିଠାରେ ପଡ଼ିଣ ମାଟିରେ ଯାଇ ମିଳଇ

ଭଲ ମନ୍ଦ ଦୁଇ କଥା ୟେ ସଂସାରେ କହନ୍ତି ଯେ ପ୍ରାଣୀମାନେ

ଭଲ ଅରଜିଲେ ନର ଦେହ ପାଇ ଯେ କରେ ପୁନ୍ୟ ପାତନେ

 

 

ପାପ ଅରଜିଲେ ପରାଣୀମାନେ ଯେ ଶୃଗାଳ ଶୁଆନ ହୋୟେ

ହରି ନାମେ ତାର ଚିତ୍ତ ଯେ ନ ରସେ ଛାଗଳ ଜନମ ପାୟେ

ଗଗନ ଗୁମ୍ଫାରେ ପୁରୁଷେ ରହିଛି ପ୍ରାଣର ପିତୁଳୀ ସେହି

ଘଟରେ ଯେ ଥାଇଂ ଘଟେ ନ ମିଶଇ ଯମ ତାକୁ ଧରେ ନାହିଂ

 

ପଚାରିଣ ତାକୁ ବଚନ କହନ୍ତି ଯମ ଯେ ହରଷେ ପୁଣ

ଘଟେ ଘଟେ ତୁମ୍ଭେ ନର ନାରାୟେଣ ରୂପ ବହିଅଛ ଜାଣ

ସେହି ଘଟେ ଥାଇ ପାପ କର୍ମ କରି ପାପ ଜନ୍ମ ତୁମ୍ଭେ ଧର

ପୁନ୍ୟ କର୍ମେ ଯେଉଂ ଘଟ ଧରି କର ସ୍ଵଭାବେ ପୁନ୍ୟ ଶ୍ଵରୀର

 

ଯେସନେକ ସୂର୍ଯ୍ୟ ବହୁତ ଘଟରେ ବହୁତ ସୂର୍ଯ୍ୟ ହୋଅଇ

ବହୁ ଘଟ ଭାଜି ଗଲେଣକ ପୁଣ ୟେକ ଗୋଟି ସୂର୍ଯ୍ୟ ରହି

ସେହି ପରକାରେ ମୋହୋର ରଞ୍ଚନା ତିନି ଭୁବନେ ଯେତେକ

ସ୍ଥାବର ଜଙ୍ଗମ କୀଟ ପତଙ୍ଗାଦି ମୋହୋ ନୀଳା ୟେକୁ ୟେକ

 

ଛଟକେ ଗଢ଼ଇ ଛଟକେ ଭାଙ୍ଗଇ ଦେବାସୁର ନରମାନ

ମୋହୋର ନୀଳା ସେ କେମନ୍ତେ ଜାଣିମେ ବ୍ୟାପିଛି ବିଶ୍ୱ ଭୁବନ

କଳିକାଳ ଗୋଟା ପାପର ପହରା ୟେଣୁ ପାପ ଗରାସିବ

ପାପ ନୋହିଲେକ ଯୁଗ ନ ତୁଟିବ ୟେମନ୍ତ ମୋ ନୀଳା ଭାବ

 

 

ସତ୍ୟ ଯୁଗରେ ସେ ସତ୍ୟ କହି କରି ପୁନ୍ୟ ପରାଣୀ ବହୁତ

ତ୍ରେତୟା ଯୁଗରେ ଆଚାର କରିଣ ତରିଲେ ତିନି ପାୟେ ତ

ଦ୍ଵାପର ଯୁଗରେ ଦୟା ଯେ କରିଣ ଦୁଇ ପାଏ ତରିଗଲେ

କଳି ଯୁଗେ ପାପ ଅରଜି ପରାଣୀ ତିନି ପାୟେ ପାପ ହେଲେ

 

ଗ୍ରାମକରେ ୟେକ ୟେକ ପୁଣ୍ୟବନ୍ତ ସତ ଦୟା ଆଚରଣ

ଶଏ ପଞ୍ଚାଶରେ ୟେକ ଜଣ ସେହି ନାମରେ ଥିବେ ଶରଣ

ୟେହାଙ୍କ ନିମନ୍ତେ ସତ୍ୟ କଳି ବୋଲି ପାଦେ ରଖିଛୁ ଗୁପତ

ୟେହାଙ୍କୁ ଘେନି ଆମ୍ଭେ ନୀଳା କରିବୁଂ ବିରଜା ମୁଖୁଂ ରକ୍ଷିତ

 

ଦୟା ନ କରନ୍ତି ସତ୍ୟ ନ ବଦନ୍ତି ଛଳରେ କହି ବଚନ

ଅଭକ୍ଷମାନ ମୁଖରେ ଭଖୁଥାନ୍ତି ମନିଷ ଅଗାଡ଼ି ହୀନ

ଯାହା ଖାଇବ ତା ମୋତେ ସଅଂପଇ ଗୁଣୁଥିବ ମୋର କଥା

ମୋହୋର ନାମ ମାନସିକେ ଧରିବେ ଗୁରୁପାଦେ ଦେଇ ମଥା

 

ସଦଗୁରୁ ଯଦି ସୁଗତି ମରଣ ଜୀବଙ୍କୁ କହନ୍ତି ବାଟ

ଜୀବମାନେ ତାହା ସୁଗତି ଧଇଲେ ଯମର କାହିଂଛି ଭେଟ

କ୍ଷଣେ ଦଣ୍ଡେ ବସି ନିଶ୍ଚିନ୍ତ ହୋଇଣ ମରଣ ପଥ ସାଧିବ

ଚାଳିଶି ବରଷ ଉତ୍ତାରୁ ଜାଗିଲେ ଷାଠିୟେ ଠାରୁ ଜାଣିମ

 

 

ୟେହି ପଥ ଗୁରୁ ଠାବରେ ନ ପୁଛି ପ୍ରାଣୀ ଯାଉଛନ୍ତି ମରି

ମନିଷ ମୁଣ୍ଡରେ ମୃତ୍ୟୁ ରହିଅଛି ନିରନ୍ତରେ ଜାଗି କରି

ମୃତ୍ୟୁ ସଙ୍ଗେ ୟେଣୁ ପରଚେ ହୋଇବ ପରଚେ କରିବ ଦୟା

ପରଚେ ହୋଇଲେ ସଂସାରର ବନ୍ଧ ଫିଟିଯିବ ସର୍ବ ମାୟା

 

ଛଛନ୍ଦେ ଚଳିବ ୟେ ଦେହ ଛାଡ଼ିଣ ପୁଣ ହେବ ନର ଦେହ

ଜନ୍ମେ ଜନ୍ମେ ନର ଦେହ ଯେ ହୋଇବ ଭଗତି ଭାବେ ସେନେହ

ଜନମର ବେଳେ ୟେକାନ୍ତେ ଆସଇ ମରଣେ ୟେକାନ୍ତେ ଯାଇ

ଧନ ଜନ ପଣ ବୃକ୍ଷ ଛାୟା ପ୍ରାଏ ସର୍ବ ଛାଡ଼ିଣ ଚଳଇ

 

ଶ୍ରୀହରି ବଚନ ଆତ୍ମା ଭେଦ ଗୁଣ ଶୁଣିଣ ହରଷ ଚିତ୍ତ

କଳିର କାହାଣୀ ସଂପୂର୍ଣ୍ଣ ହୋଇଲା ସୁଜନର ହିତେ ଗୀତ

ଅର୍ଜ୍ଜୁନ ବୋଇଲେ ଶୁଣିମା ଗୋସାଇଂ ସଂସାରେ କିରୂପେ ଥାଅ

ବଉଦ ରୂପରେ ନୀଳାକରି ତୁମ୍ଭେ କେମନ୍ତ ଭାବରେ ରହ

 

ଆମ୍ଭର ନୀଳାୟେ ଅତୀଅ ଗୁପତ କହିଲେ ପରତେ ଯିବ

ୟେକ ୟେକ ଭକ୍ତ ସଂସାରେ ଅଛନ୍ତି ଜାଣନ୍ତି ମୋ ନୀଳା ଭାବ

ଶୟନ କାଳ ଯଦି ମୋର ହୁଅଇ ଦେବାଳ ଶୟନ ଥାନ୍ତେ

ପଇଙ୍କେ ପଲଙ୍କେ ତହିଂ ବିଶ୍ରାମଇ ପୃଥ୍ୱୀ ଭ୍ରମଇ ନିଶ୍ଚିନ୍ତେ

 

 

ଭଗତର ଭାବେ ଶୟନର ଥାନ ଦେଖିଣ ଅଛି ମୁହାଂଇ

ରଙ୍ଗନାଥେ ଆସି ଶୟନ କରଇ ନିଶ୍ଚିନ୍ତେ ହରଷ ହୋଇ

ଭଗତମାନେ ବସିବାକୁ ମୋର କରିଥାନ୍ତି ଯେତେ ଠାର

ନିମିଷେ ନିମିଷେ ବସିଣ ଆସଇ ଋଷିଗିରି ପର୍ବତର

 

ଭଗତି ଚିତ୍ତେ ସ୍ନାହାନ ଥାନ ଯେତେ ନରମାନେ କରିଥାନ୍ତି

କିଛି କିଛି ବେଳ ରହିଣ ଆସଇ ତାଙ୍କର ଭଗତି ଘେତି

ପ୍ରୟାଗରେ ଆସି ସ୍ନାହାନ କରଇ ନିଜ ସ୍ନାନ ଥାନ ମୋର

ପ୍ରାଣୀମାନେ ୟେହା କେମନ୍ତେ ଜାଣିଲେ ପୃଥ୍ୱୀ ଗୃହ ଅଟେ ମୋର

 

ଯତନ କରି ପ୍ରାଣୀମାନେ ମୋତେ ଯେ ଜପ ଭଜନ ସାର୍ଥକ

ଉତ୍ତମ ଥାନେ ବସି ଜପ କରନ୍ତି ବିଶ୍ରାମି ଆସଇଂ ତିଳେକ

ବଦରିକା ଥାନ ଅତି ପ୍ରିୟ ମୋର ତହିଂ ନିତି ଜପ କରି

ସେ ଥାନରେ ଯେତେ ଜନମାନେ ଥାନ୍ତି ତାଙ୍କୁ ପାଶୋରି ନ ପାରି      

 

ନିତି ସେହୁ ଥାନେ ମୁଂ ଜପ କରଇ ମୋ ନିତ୍ୟ ଭଜନ ସ୍ଥାନ

ଜପର ଅନ୍ତେ ମୁଂ ବିଜୟେ କରଇ ନୀଳାଞ୍ଚଳରେ ଯତନ      

ଭୋଜନକୁ ମୋର ଅତୀଅ ସରାଗ ନୀଳଗିରି ସ୍ଥାନ କଇଂ

ସରୁ ଅଭଡ଼ା ଖେଚିଡ଼ୀ ଖିରି ପିଠା ନାନା ବର୍ଣ୍ଣେ ପାକ ହୋଇ

 

 

ନାନା ରସରେ ଭଗତମାନେ ପୁଣ ଯଶ ଗୁଣ ମୋହୋ ଗାଇ

ବତିଶି ଅବତାର ଗୁଣ ଗାଇଣ ପ୍ରେମେ ନାଚୁଥାନ୍ତି ତହିଂ

ଭୋଜନ ସାରିଣ ତହୁଂ ଚଳିଯାଇ ବସଇ ଅଯୁଧ୍ୟା ସ୍ଥାନ

କ୍ଷଣକ ମୁଇଂ ସେ ଠାବରେ ରହିଣ ଦେଖଇ ସେହୁ ଭୁବନ

 

ତହୁଂ ଚଳି ଆସି ଦ୍ଵାରିକା ପୁରେଣ ବେହାର କରଇ ମୁଇଂ

ଶ୍ରୀବୃନ୍ଦାବନ ମୋହୋର ନିଜ ଥାନ ଗୋପାଳ ସଙ୍ଗେ ଖେଡ଼ଇଂ

ଉଦାସ ଗୋପାଳ ଦେଖି ତାଙ୍କ ଖେଳ ମନ ମୋର ହୋୟେ ପ୍ରୀତି

ନାନା ବନଫଳ ତୋଳି ଆଣି ପୋୟେ ମୋ ମୁଖେ ଦେଉଣ ଥାନ୍ତି      

 

ଅଧାମ ଗୋଟିକା ସର ଯେ ଲବଣୀ ଗୋପୀୟେ ପୋଅଙ୍କୁ ଦେଇ

ବୁହା ଭାତ ସଙ୍ଗେ ଆଣି ଗୋପ ପୋୟେ ମିଳି ଭୁଂଜୁଥାଉ ତହିଂ

ଯୁଗକୁ ଯୁଗ ମୁଂ ଏହି ପରକାରେ ଭଗତ ଭାବକୁ ଜାତ

ସନ୍ଥପାଳି ମୁହିଂ ଦୁଷ୍ଟ ନିବାରଇ ୟେ କଥା ମୋ ସତ୍ୟ ସତ୍ୟ

 

ସତ୍ୟ ନିମନ୍ତେ ଆମ୍ଭେ ଦେହବନ୍ତ ତପ ଆରମ୍ଭିବୁ ଶୟେ

ଆବର ଶୟେକ ଜପ କରିଣ ଯେ ଖଣ୍ଡଗିରି ଠାବେ ରହେ

ଅବଧୂତ ରୂପ ଧରିଣ ସେଠାବେ ବିଜୟେ କରିବୁଂ ପୁଣ

ଯୋଗୀନ୍ଦ୍ର ପୁରୁଷ ବୋଲି ବୋଲୁଥିବେ ନ ଚିହ୍ନି ଆମ୍ଭଙ୍କୁ ଜାଣ

 

 

ନିର୍ଗୁଣ ଭଗତ ଯଉଂ ଜନମାନେ ଆମ୍ଭ ସଙ୍ଗରେ ରହିବେ

ଦଶଦିନରେ ୟେକାବେଳେ ଭୁଂଜିଣ ସେ ଆମ୍ଭ ସଙ୍ଗେ ଖେଳିବେ      

ଆପୁ ଧୂଆଂଖିଆ ମାଛୁଆ ମିଛୁଆ ପର ସ୍ତୀରି ହରା ଦାସ

ପଢ଼ିହାରି ଆସି ତାହାଙ୍କୁ ପିଟିବ ଜଗିଣ ପବନ ଶିଷ

 

ଗୁପତେ ଭଗତେ ମୋତେ ଦେଖୁଥିବେ ନିଶା ଅର୍ଧେ ୟେକ ଦଣ୍ଡ

ସତ ଭଗତର ନିମନ୍ତେଣ ଜପ ବସି ଘୋର ଗିରି ଖଣ୍ଡ

ଦେବ ବିଶା ଶଏ ବରଷ ରହିବୁଂ କଳଙ୍କୀ ରୂପକୁ ଧରି

ଭଗତ ଜନ ଯେ ମୋତେ ଭଜୁଥିବେ ବ୍ରହ୍ମ ୟେକାକ୍ଷର ସ୍ମରି

 

ୟେକାକ୍ଷର ମନ୍ତ୍ର ପରମ ଗୁପତ ଜାଣନ୍ତି ସୁଭକ୍ତ ଜନ

ହଅ ୟେକାକ୍ଷର ଜାଣିଣ ଅଛନ୍ତି ଗୋମାତା ଗୋପେ ଯେ ପୁଣ

ହଂର ଶବଦ ଯେ ମହାଶୂନ୍ୟରୁ କ୍ଷରେ ଶୂନ୍ୟ ଓଂକାର ହୋଇ

ଉଙ୍କାର ଘର ଯେ କୃଷ୍ଣଇଂ ଶବଦ ଉକାରୁଂ ମାତ୍ରା ଜନ୍ମଇଂ

 

ମାତ୍ରାରୁ ଯେ ବ୍ରହ୍ମ ଶବଦ ଜନ୍ମଇ ରାମରୁ ସକଳ ଜାତ

ବ୍ରହ୍ମାଣ୍ଡ ନୀଳା ସେହି ଠାବୁଂ ହୟେ ସ୍ତ୍ରୀରି ପୁରୁଷ ସଂଜାତ

ଏହୁ ହକାରକୁ ମନିଷ୍ୟ ଜପିଣ ବହୁତ ଆୟୁଷ ହେବ

ମୂଳ କମଳରେ ଦକାର ବସିବ ହକାର ସେହି ଚିହ୍ନିବ

 

 

ମାହାଶୂନ୍ୟ ତଳେ ବସିଅଛି ହଂ ତିନିକି ୟେକତ୍ୱ କରି

କ୍ଷଣେ ଦଣ୍ଡେ ଘଡ଼ି ସାଧନ କଲେକ ବଢ଼ଇ ଆଉଷ ଶିରୀ

ଶ୍ରୀକୃଷ୍ଣ ଚରିତ ଜପ କରୁଥିଲେ ଅଳପେ ମରଣ ପାଇ

ମରି ଜନମର ନାମ ଭଜୁଥାଇ ଯୁଗରେ ଯେ ଭୋଗ ଥାଇ

 

ସ୍ଵୟେଂ ନାରାୟଣ ମନ୍ତ୍ର ହରେ ହରେ ଶବଦ ମଧ୍ୟରେ ସାର

ହରି କହନ୍ତେଣ ଆଉଷ ବଢ଼ିଲା କହଇ ଅଚ୍ୟୁତ ସାର

ଆଗତ କାହାଣୀ କଳିର ଛନ୍ଦଣି ଶୁଣ ସୁଜନ ମାନସ

ଜଗୁନାଥ କହି ଅର୍ଜ୍ଜୁନ ଶୁଣଇ ଭଣିଲା ଅଚ୍ୟୁତ ଦାସ

ଇତିଶ୍ରୀ କଳି କାହାଣୀ ସଦାଜୟେ ସମ୍ପୂର୍ଣ୍ଣ

 

ଅଚ୍ୟୁତାନନ୍ଦ ରଚନାବଳୀ ମାଳିକା ଖଣ୍ଡ

କଳି ମାଳିକା ବା ଇନ୍ଦ୍ର ଗୋବିନ୍ଦ ଗୀତା

ଶ୍ରୀ ଗଣେଶାୟ ନମଃ

 

ବନ୍ଦଇ ଦେବ ଗୋପାଳ ମୂରତି

ଜଗତ ପାଳକ ଲକ୍ଷ୍ମୀଙ୍କ ପତି

।।

ନାମରେ ବଶ ପ୍ରଭୁ ଜଗନ୍ନାଥ

ନୀଳଚକ୍ର ପରେ ଉଡ଼ୁଛି ନେତ

।।

ଯେଉଂ ନୀଳଗିରି ଅକ୍ଷୟ ଭୂଇଂ

ସବୁ କ୍ଷୟ ଗଲେ ସେ ଭୂଇଂ ଥାଇ

।।

ଜଗତ ପାଳକ ବୋଲାଅ ହରି

ନୀଳଗିର କ୍ଷେତ୍ରରେ ବିଜେକରି

।।

କଳପ ବଟରେ ଆସନ ତୋ

ବଡ଼ଦେଉଳରେ ତୋହ ବେହାର

।।

ନିରାକାର ବିଷ୍ଣୁ ସଙ୍ଗରେ ଥାଇ

ପୃଥୀ ପାଳୁଥାଉ ମଉନେ ରହି

।।

ଅନନ୍ତ ନାମ ଯେ ବୋଲାଉ ହରି

ଅତି ଗହନେ ଅଛ ବିଜେକରି

।।

ଚତୁର୍ଦ୍ଧା ମୂରତି ହୋଇଣ ନାଥ

ଶଙ୍ଖ ଚକ୍ର ଗଦା ବହିଣ ହସ୍ତ

।।

କଳପ ବଟର ମୂଳ ଯେ ନାହିଂ

ଆଦି ଅନ୍ତ ତୋର ପାଇବି କାହିଂ

।।

ଜଗମୋହନ ଠାରେ ଦେବଗଣ

ଗରୁଡ଼ ପଛରେ ମିଳି ବହନ      

।।

ଶ୍ରୀମୁଖକୁ ଚାହିଂ ସ୍ତୁତି ଆଚରି

ଡାକନ୍ତି ରଖ ପ୍ରଭୁ ଚକ୍ରଧାରୀ

।।

ଇନ୍ଦ୍ର ଆଦି ଦିଗପାଳ ସହିତେ !

ଗରୁଡ଼ ପଛରେ ରହି ସମସ୍ତେ

।।

ଇନ୍ଦ୍ର ଯେ ମୁଖେ ସ୍ତୁତି ଆଚରିଲା

ପାଦ ପଦ୍ମରେ ଶିର ଲଗାଇଲା

।।

ଦେବତାଙ୍କୁ ଘେନି ନୃପତି ଇନ୍ଦ୍ର

ପାଦ ପଦ୍ମେ ଭଜେ ରଖ ଗୋବିନ୍ଦ

।।

ଇନ୍ଦ୍ରର ସ୍ତୁତି ଦେଖି ଦେବ ହରି

କଳ୍ପବଟର ମୂଳେ ବିଜେ କରି

।।

ଆଜ୍ଞା ଯେ ଦେଲେ ପ୍ରଭୁ ଜଗନ୍ନାଥ

ଛାମୁରୁ ମେଲାଣି ହୁଅ ତୁରିତ

।।

ଶ୍ରୀମୁଖୁ ଆଜ୍ଞା ପାଇ ଯେ ଯାହାରେ

ବେଗେ ଚଳିଲେ ଆପଣା ମନ୍ଦିରେ

।।

ଇନ୍ଦ୍ର ମାଳତୀ ବେନି ଜନେ ରହି

ଇନ୍ଦ୍ର ପୁଛଇ ଶ୍ରୀମୁଖକୁ ଚାହିଂ

।।

କେତେ ଦିନ ଥିବ ଏ ନୀଳଗିରି

ଆପଣେ ବଉଦ ସ୍ୱରୂପ ଧରି

।।

ଏହି ସ୍ୱରୂପକି ସର୍ବଦା ଥିବ

ମୋତେ ବୁଝାଇ କହ ବାସୁଦେବ

।।

କଳି ଆଗତ କିଛି ପଚାରଇ

ସଂଶୟ ଫେଡ଼ି କହିବା ଗୋସାଇଂ

।।

ସତ୍ୟ ଯୁଗରେ ଛଡ଼ ଯେ ଜନମ

ତ୍ରେତୟାରେ ତୋର ଶ୍ରୀରାମ ନାମ

।।

ଦ୍ଵାପରେ କହ୍ନା ଅବତାର ହରି

କଳି ଚଉଦ ରୂପେଣ ବିହରି

।।

ଦଶ ଅବତାର କଳିରେ ଶେଷ

କଳଙ୍କୀ ରୂପ ତୋ ହେବ ପ୍ରକାଶ

।।

ଭକ୍ତଜନଙ୍କୁ ରଖି ଗହଣରେ

ବସିଅଛ ହରି ନୀଳକନ୍ଦରେ

।।

କିସ ଭିଆଉଛି ମଉନେ ନାଥ

ସଂଶୟ ଫେଡ଼ି କହ ଜଗନ୍ନାଥ

।।

ଶ୍ରୀମୁଖୁ ସମ୍ମାଦ ଶୁଣିବା କିଛି

ଲୀଳା ରଙ୍ଗ କଉତୁକ ଯେ ବାଛି

।।

ତିନି ଯୁଗ ଲୀଳା କଲ ପ୍ରକାଶ

କଳିଯୁଗ ଯେ ଅତି ହିଂ ସାହସ

।।

କଳିଯୁଗରେ କଳଙ୍କୀ ପ୍ରକାଶ

କେ ଅବା ରହିବ କେ ଯିବ ନାଶ

।।

ଶ୍ରୀକୃଷ୍ଣ ଉବାଚ

ଇନ୍ଦ୍ରଙ୍କୁ ଚାହିଂ କହନ୍ତି ମାଧବ

କଳଙ୍କୀ ରୂପର ଯଉଂ ପ୍ରସ୍ତାବ

।।

ଚାଲୁକଠାରୁ ରାଜା ଯେତେ ହେବେ

ମୁଗଲଠାରୁ ରାଜା ଯେତେ ଯିବେ

।।

ଏ ବେନି ରାଜା ଏଥି ସଂହାରଣ

କଳାପାହାଡ଼ର ହେବ ମରଣ

।।

କଳାପାହାଡ଼ ଠାରୁ ଇନ୍ଦ୍ର ଶୁଣ

ସାତ ରାଜା ତହୁଂ ହୋଇବେ ପୁଣ

।।

ଏହି କଥାକୁ କରିଥାଅ ଧ୍ୟାନ

ଆମ୍ଭେ ନୀଳାଚଳ ଛାଡ଼ିବୁ ପୁଣ

।।

ବଡ଼ଦେଉଳରେ ପ୍ରତିମା ଥିବ

ମୁହିଂ ତପସ୍ୟାରେ ଥିବି ବାସବ

।।

ବହୁ କାଳ ମୁହିଂ ତପ କରିବି

କମଳପୁରେ ମୁଂ ଗୋପ୍ୟେ ରହିବି

।।

ଏ କଥା କେହି ନ ଜାଣିମେ ଆର

ପଞ୍ଚ ଋଷି ଥିବେ ମୋହ ସଙ୍ଗର

।।

ତୁ ହୋ ବାସବ ଏମନ୍ତ କରିବୁ

ଆନ ଭିନ୍ନ କରି ସୃଷ୍ଟି ପାଳିବୁ

।।

ଅଳପ ଜଳ ବରଷା ହୋଇବ

ପବନେ ବହୁତ ବିତ୍ପାତ ହେବ

।।

ପୁରସ୍ତମ କ୍ଷେତ୍ର ଭଗ୍ନ ହୋଇବ

କଳପବଟ ଛେଦନ ହୋଇବ

।।

ବାସବ ପୁଛେ ପଦ୍ମପାଦେ ପଡ଼ି

କଳିଯୁଗେ ନ୍ୟାୟ କହ ବିସ୍ତାରି

।।

କଳିଯୁଗରେ କେତେ ରାଜା ହେବେ

ବିସ୍ତାରି ମୋତେ ଆଜ୍ଞାହେଉ ଏବେ

।।

ଏ କଳି ଯୁଗ ତ ଅତି ଅସାର

ବଡ଼ିମା ପଣେ ହୋଇବେ ସଂହାର

।।

ପୁରୁଷୋତ୍ତମ ଦେବ ରାଜଠାରୁ

ଊନବିଂଶ ରାଜା ହେବେ ସେଠାରୁ

।।

ଏଥି ଉତ୍ତାରୁ ଶୁଣ ନାହିଂ ଆଉ

ଅକୁଳି ହୋଇବେ କୁଳର ବୋହୂ

।।

ମହତ ଜନଠାରେ ଲଜ୍ଜା ହେବ

କାହାରି କୁଳମୂଳ ନ ରହିବ

।।

ପାଦେ ପଡ଼ିଣ ଇନ୍ଦ୍ର ପଚାରଇ

କାହାର କୁଳ ରହିବ ଗୋସାଇଂ

।।

ଜଳଉଣାରୁ ସୃଷ୍ଟି ହେବ ନାଶ

କୃଷିମାନ ସବୁ ହେବ ବିନାଶ

।।

ଲବଣ ଉଠିବ ପୂର୍ବ ଦିଗରୁ

ଜଳ ଉଣାହେବ ସେହି ଅଙ୍କରୁ

।।

ପନ୍ଦର ଯାଇ ସତର ଅଙ୍କରେ

ସମୋଦ୍ର ମାଡ଼ିଆସିବ ପୂର୍ବରେ

।।

ଏକଥାକୁ ହେତୁ କର ବାସବ

ସେହି ଦିନୁ ମହରଗ ପଡ଼ିବ

।।

ଯେତେ ଅରଜିଲେ ଅଣ୍ଟିବ ନାହିଂ

କୂଳଥଳ ଆଉ ରହିବ କାହିଂ

।।

ଏହିରୂପେ ଦୁଇ ରାଜାହିଂ ଯିବେ

କଳଙ୍କୀ ରୂପ ମୋ ଭକ୍ତ ଦେଖିବେ

।।

ପାତ୍ର ପୁତ୍ର ରାଜା ହୋଇବ ମହୀ

ରାଜା ଅଧିକାର ନଥିବ କାହିଂ

।।

ବହୁତ ବିନୟ ନୀଳଗିରିରେ

ଆମ୍ଭେ ରହିବୁ ନାହିଂ ଦେଉଳରେ

।।

ଲଣ୍ଡା ଦେଉଳରୁ ଶ୍ରୀକ୍ଷେତ୍ର ଯାୟେ

ଏହି ସୀମା ମଧ୍ୟେ ମୋର ବିଜୟେ

।।

ୟେଥି ମଧ୍ୟେ ସବୁ ମୋହର ଖେଳ

ସର୍ବେ ହୋଇବେ ଏଥିରେ ପ୍ରଚଳ

।।

ଶୂଦ୍ରବର୍ଣ୍ଣ ଯେତେ ରାଜା ହୋଇବେ

ଅଳପ ଦିନେ ନାଶ ଯାଉଥିବେ

।।

ମିଥ୍ୟା କହିଣ ଦଣ୍ଡିବେ ପ୍ରାଣୀକି

ଦୟା ଧର୍ମ ନଥିବ କାହାରିକି

।।

ସବୁ ଦେବଆଳରେ ଦ୍ରୋହ କରି

ପାପ ଦୋଷକୁ ବିଚାର ନ କରି

।।

ସର୍ବଜନ ଯେ ହୋଇବେ ଏସନ

ଥୋକେ ଜନମ ହୋଇବେ ବାମନ

।।

ପାପ ହେତୁ ଜନେ ହୀନ ହୋଇବେ

ମିଥ୍ୟା ବିବାଦଟି ହୃଦେ ବହିବେ

।।

ନାନା ବ୍ୟାଧି ପୀଡ଼ା ରୋଗ ଘୋଟିବ

ବୈଦ୍ୟ ବ୍ୟାଧି ଔଷଧ ନ ଜାଣିବ

।।

ମୋର ବାକ୍ୟ ଅପ୍ରମାଣ କରିବେ

ଅର୍ଥ ଲୋଭରେ ସମସ୍ତେ ମାତିବେ

।।

କେହି ଦାନ ନ ଦେବେ ବ୍ରାହ୍ମଣକୁ

କେହି ନଗଣିବେ ଦୁଃଖୀ ଜନକୁ

।।

ଶାସ୍ତ୍ର ପୁରାଣ ଅନର୍ଥ ବୁଝିବେ

ସବୁକଥା ମିଛ ବୋଲି କହିବେ

।।

ସାହୁ ଖାତକେ ଅବିଶ୍ଵାସ ହେବେ

ଥିଲାଲୋକ ନାହିଂ ନାହିଂ ବୋଲିବେ

।।

କଳି ଦ୍ୱନ୍ଦରେ ସର୍ବେ ରତ ହେବେ

କୁସ୍ତିରୀ ସଙ୍ଗତେ ଭାବ ରଞ୍ଚିବେ

।।

ସ୍ତିରୀ ଲମ୍ପଟ ଅନେକ ହୋଇବେ

ଥୋକେ ପୋଷିଲା ଜନ୍ତୁକୁ ମାରିବେ

।।

ଶୂଦ୍ର କହିବେ ଜ୍ଞାନ ଉପଦେଶ

ମାଳା ପକାଇ ବୋଲାଇବେ ଦାସ

।।

ନିଜ ଯୋନିକି ବିକ୍ରୟ କରିବେ

ବେଦ ନପଢ଼ି ପାଷାଣ୍ଡ ହୋଇବେ

।।

ଥୋକେ ଦୁର୍ଜନ ମିଛୁଆ ପୃଥ୍ୱୀରେ

ବିଷ୍ଣୁ କୈବଲ୍ୟ ଦେବେ ଯେ ହାତରେ

।।

ଗୃହ ଉପଦେଶ କଥା କହିଣ

ପର ପ୍ରାଣୀ ମନ ବଶ କରିଣ

।।

ମିଥ୍ୟାକଥାକୁ ଘଟାଇ କହିବେ

ଲୋକାଚାରକୁ ମଇତ୍ର ହୋଇବେ

।।

ଭାବ ସୁହୃଦ ଲଗାଇ ଅଶେଷ

ଗର୍ଭ ଭିତରେ ରଖିଥିବେ ବିଷ

।।

ଧନଦ୍ରବ୍ୟ ଅର୍ଥେ ମଇତ୍ର ହେବେ

ମଇତ୍ର ହୋଇ ଯେ ଧନ ଗ୍ରାସିବେ

।।

ଦେବା ବୋଲିଟି ନଥିବ ବିଚାର

ମାଗି ଅଇଲେ ନଦେବେ ଉତ୍ତର

।।

ଯେବେ ଅର୍ଥ ମାଗିବ ଆଣ୍ଟକରି

ତାକୁ ବଚନ କହିବେ ଧିକ୍‌କାରି

।।

ଯେବେ ମାଗିବ ଅଲୋକ୍ୟ ଭାବେଣ

ନିଶ୍ଚେ ମଇତ୍ର ହେବ ଶତ୍ରୁପଣ

।।

କି କି ଦ୍ରବ୍ୟ ଦେଇଅଛୁ ଆମ୍ଭରେ

ଗୁହା ସାକ୍ଷୀ କି କି ରଖିଛୁ କାରେ

।।

ଏହା କହିଣ ଘଉଡ଼ିଣ ଦେବେ

ବିଷ୍ଣୁ କୈବଲ୍ୟ ଦେଇଣ ମାରିବେ

।।

କଳି ଯୁଗରେ ଯେତେ ଉତୁପାତ

ମୁଖେ ପୀରତି କରିବେ ବହୁତ

।।

ତୁ ଯେ ସ୍ୱର୍ଗରେ ଇନ୍ଦ୍ର ପଣେ ରାଜା

ମୁଁ ଯେ ପାଳଇ ପୃଥିରେ ପରଜା

।।

ଚଉଦ ବ୍ରହ୍ମାଣ୍ଡରେ ମୁଂ ଅଧିପତି

ମୋର ନାମଟି ଯେ ଦାଶରଥି

।।

ସର୍ବେ ମୋହର ଆଜ୍ଞାରେ ଖଟନ୍ତି

ଦିଗପାଳ ସହି ଦ୍ୱିଜ ନୃପତି

।।

ଚାରିଊଣା ଲକ୍ଷେ ରାଜା ମହୀରେ

ଯେତେ ଅଛନ୍ତି ମୋର ଅଧିକାରେ

।।

ସାର ବାଛି ଏଥି ରଖିବି ଅଂଶ

ଆଉ ଥୋକାଏ ଦେବୀ ମୁଖେ ନାଶ

।।

ତିନି ଭାଗକରି ଆମ୍ଭେ ବାଣ୍ଟିବୁ

ରାଜା ପରଜା ଏକତ୍ୱ କରିବୁ

।।

ଯଉଂ ଦୋଷକୁ ଯେ ଦଣ୍ଡ ପାଇବେ

ଅନ୍ୟାଚାରୀକି ବାରାହୀ ଖାଇବେ

।।

ଯେମାନେ ଅଦୋଷେ ପ୍ରାଣୀ ନାଶନ୍ତି

ତାକୁ ଚାମଣ୍ଡା ଯେ ଖାଇବେ ବାଛି

।।

ଥୋକେ ମରିବେ ଯବନ ହସ୍ତରେ

ଦୁଷ୍ଟ ମାହାସୁର ଯେତେ ମହୀରେ      o।

।।

ଥୋକେ କପଟୀ ପରଘର ବୁଡ଼ା

ଥୋକେ ମରିବେ ସହୋଦର ଛଡ଼ା

।।

ଯେହୁ ସଭାରେ ସତ୍ୟ ହିଂ ନକହେ

ସେହି ପଡ଼ିବେ ବିରଜାଈ ମୁହେଂ

।।

ଯେହୁ ପ୍ରାଣୀଙ୍କୁ ସଙ୍କଟୁ ଉଦ୍ଧାରି

ମୋହ ନାମ ଯେହୁ ହୃଦରେ ଧରି

।।

ତାକୁ ଯେତେ ବିପତ୍ତି ପଡ଼ୁଥିବ

ରଖିବି ତାକୁ ଏ ବଚନ ଧ୍ରୁବ

।।

ନିଧନା ହୋଇବେ ପୃଥିରେ ବଡ଼

ମାଛମାଂସ ଖାଉଥିବେ ସେ ରାଢ଼

।।

ମର୍ଯ୍ୟାଦାପଣ ଦାଣ୍ଡେ ଦେଖାଇବେ

ବଚନ ବଡ଼ ଚଞ୍ଚଳ କହିବେ

।।

ଶୂଦ୍ର ଉପସ୍ଥିତି ବର୍ଣ୍ଣ ସଙ୍କର

ସବୁ ଜାତିରେ ସେ ହୋଇବେ ସାର

।।

ବର୍ଣ୍ଣସଙ୍କର ଜାତି ଶ୍ରେଷ୍ଠ ହେବ

ଅକୁଳୀଙ୍କ ହସ୍ତେ ଧନ ରହିବ

।।

ଯେଉଂମାନେ ସେ ହୋଇବେ ନିଧନୀ

ସଭାରେ ତାହାକୁ କେହି ନ ଗଣି

।।

ତାକୁ ଗଣିତା କେହି ନକରିବେ

ସତ୍ୟ କହିଲେଣ ମିଥ୍ୟା ମଣିବେ

।।

ପତି ପତ୍ନୀରେ ବିଶ୍ୱାସ ନକରି

ପର ପୁରୁଷରେ ରତି ଆଚରି

।।

ବର୍ଣ୍ଣ ଆଚାର ଧର୍ମ ନ କରିବେ

ସୁଜନଠାରେ କଳଙ୍କ ଲେପିବେ

।।

ବ୍ରାହ୍ମଣେ ହୀନ ଆାଚାର କରିବେ

ନାନା ବାଣିଜ୍ୟ ସେ କରିର ବଞ୍ଚିବେ

।।

ବିଦ୍ୟା ପଠନେ ନୋହିବେ ଶକତା

ତୁଣ୍ଡେ କହିବେ ନାନା ଦେଶ କଥା

।।

ଯଉଂ ଜନେ ଅଳପ ଜାଣିଥିବେ

ସଭାରେ ସେ ଲୋକ ବକତା ହେବେ

।।

ଧନ ଥିଲା ଲୋକ କହିବେ ମିଛ

ତାଙ୍କ କଥା ଗୋଟି ହୋଇବ ସତ୍ୟ

।।

କୁଳବଧୂଏ ଅନୀତି କରିବେ

ଗୁରୁ ବଚନ ଶିଷ୍ୟ ନ ମାନିବେ

।।

ଗୁରୁ ବଚନ ଯେ ହୋଇବ ପଣ୍ୟ

ଗୁରୁ ଗଲେ କାହିଂ ପଶିବେ ପୁଣ

।।

ସର୍ବେ ବୀଟପ ଯେ ହୋଇବେ ନାରୀ

ସତୀ ପଣ ନ ରହିବ କାହାରି

।।

ପରଦ୍ରବ୍ୟ ନେବାରେ ମାତ୍ର ଥିବେ

ମିଥ୍ୟା କହିଣ ତଣ୍ଟି କାଟୁଥିବେ

।।

ଭଲ ଭଲ ଲୋକ ଦିଶିବେ ନାହିଂ

ଗେରସ୍ତ ଛାଡ଼ିବେ ସୋଦର ବ୍ୟାହି

।।

ବହୁ ଆହାର ଭୋଜନ କରିବେ

ଦିନକରେ ତିନ ବେଳ ଭୁଞ୍ଜିବେ

।।

କୁରୁଷି ଫଳିବ କଡ଼ମ୍ବା ଭାବ

। ଉତ୍ତର ଦକ୍ଷିଣୁଂ ବାତ ବହିବ

।।

ମୁର୍ଖ ପାଷାଣ୍ଡ ଯେ ଥୋକାୟେ ହେବେ

ମିଥ୍ୟା କହିଣ ଅଧର୍ମେ ବଢ଼ିବେ

।।

ୟେତେ ଉପଦର୍ପ ସେ ବେଳେ ହୋଇ

କଳଙ୍କୀ ରୂପ ମୋ ଭଗତ ପାଇ

।।

ବାସବ ପୁଛଇ କର ଯୋଡ଼ିଣ

କେଉଂ ଠାବରେ ଯେ ହୋଇବ ରଣ

।।

ଏହା ବିଶେଷି କହୁ ପଦ୍ମନାଭ

ରଣ ହାଣ କେଉଂ ଠାବରେ ହେବ

।।

ଇନ୍ଦ୍ର ବଚନେ ପ୍ରଭୁ ଚକ୍ରଧାରୀ

କହନ୍ତି ଗୁପତ କଥା ବିସ୍ତାରି

।।

ଋଷିକୋଇଲା ଯେ ଦକ୍ଷିଣେ ଅଛି

ନିଆଳୀ ମାଧବ ପୂର୍ବରେ ଅଛି

।।

ମଲ୍ଲାସାଇ ବୋଲି କଟକ ଧାମ

ପାରେଶ୍ୱର ଲୋକନାଥ ବଖାଣ

।।

ମାହାଳ ବଣ ଭଗବତୀ ଠାରେ

ଗଡ଼ ଗଡ଼ି ଘାଟ ଅଛି ଉତ୍ତରେ

।।

ଲଣ୍ଡା ଦେଉଳ ବୋଲି ଯେଉଂ ସ୍ଥାନ

ଯାଜପୁର ଗ୍ରାମ ପାଶରେ ଜାଣ

।।

ବାଙ୍କି ଚାଚଖାଇ ଉତ୍ତର କୋଣେ

କାଳିଆ ଘାଇ ବୋଲି ଏକ ସ୍ଥାନେ

।।

କାଳିଆ ଘାଇ ଉତ୍ତର କୋଣରେ

ରଣ ଲାଗିବଟି ଏହି ସ୍ଥାନରେ

।।

ଫତେମୁଖ ବୋଲି ନଦୀର କୂଳ

ଗୁପତ କାଳିଆ ଘାଇ ସେଠାର

।।

କଟକ ବୀସେ ମହାନଦୀ କୂଳ

ଚଉଦ୍ୱାର ଠାରୁ ଲାଗିବ ଗୋଳ

।।

ଦକ୍ଷିଣ ଭାଗେ କାଠଯୋଡ଼ି ନଈ

ପଶ୍ଚିମ ଦିଗେ ନଦୀ କୁଆଖାଇ

।।

ତିନି ନଦୀ ବେଢ଼ି କଟକ ସ୍ଥାନ

ବ୍ରହ୍ମା ବିଷ୍ଣୁ ଶିବ ସେ ନଦୀ ନାମ

।।

କାଠଯୋଡ଼ି ନଦୀ ବୋଲି ଯାହାକୁ

ମହାନଦୀ ଘାଟ ବୋଲି ତାହାକୁ

।।

ଗୁପତରେ ଶିବ ଅଛନ୍ତି ରହି

ତିନି ମୁହାଣି ଠାରେ ଦୃଷ୍ଟି ଦେଇ

।।

ମହାନଦୀ ବୋଲି ଯେବଣ ନଈ

ଆମ୍ଭ ନାଭିରୁ ଯାଉଅଛି ବହି

।।

ହିରଣ୍ୟଗର୍ଭ ସେ ନଦୀର ନାମ

ସବୁ ନଦୀ ତହୁଂ ହେଲେ ଜନମ

।।

କୁଆଖାଇ ବୋଲି ଯେବଣ ନଦୀ

ବ୍ରହ୍ମା ଯେ ସାକ୍ଷାତେ ବହୁଛି ଭେଦି

।।

ଏହି ସ୍ଥାନରେ ଶୁଣ ହୋ ବାସବ .

ରଣ ହୋଇବ ଏ ବଚନ ଧ୍ରୁବ

।।

ଫତେସଖା ଯହିଂ କାଳିଆ ଘାଇ

ଯବନ ହାଣ ହେବେ ସେହି ଠାଇଂ

।।

ଭଗବତୀ ଠାରେ ମନ୍ତ୍ର ପ୍ରଚ୍ଛିନ୍ନ

କାଠ ମାଳିଆ ଦାସ ହେବେ ହାଣ

।।

ଯେଉଂ ଜନ ଏକାକ୍ଷର କହିବ

ସେହି ଦାସ ବୈଷ୍ଣବ ବୋଲାଇବ

।।

ଇନ୍ଦ୍ର ପୁଛଇ ଶ୍ରୀମୁଖକୁ ଚାହିଂ

I

କଉଂ ଦିନରେ ଏ ହେବ ଗୋସାଇଂ

।।

କେଉଂ ରାଜା କେଉଂ ଅଙ୍କରେ ହେବ

I

ଏକଥା ଫିଟାଇ କହିବା ଦେବo

।।

ଶ୍ରୀହରି କହନ୍ତି ଶୁଣ ବାସବ

ଅଳପ ଦିନରେ ଏ ହେବ ସର୍ବ

।।

କଳିଯୁଗ ସର୍ବ ନୋହିବ ଭାଗେ

ଚାରିଲକ୍ଷ ବତିଶ ସସ୍ର ଏ ଯୁଗ

।।

ଅନେକ କାଳ ପାପେ ତୁଟିଯିବ

ପାପରେ ସବୁ ଯେ ଭୋଗ ନୋହିବ

।।

ଦେବ ବରଷରେ ବାର ବରଷ

କଳିଯୁଗର ଏତେକ ଆୟୁଷା

।।

ଅଠାଇଶି ସସ୍ର ଭୋଗ ସେ ଜାଣ

କଳିଯୁଗ ଏଥେ ହେବ ସମ୍ପୂର୍ଣ୍ଣ

।।

ତେର ସହସ୍ର ଯେ ନଅ ବରଷେ

ଅଠାଶି ବରଷର ଅନ୍ତେ ଯେ ସେ

।।

ଆମ୍ଭେ ଜନମ ହୋଇବୁ ହୋ ଇନ୍ଦ୍ର

କଳି ଭାରତ କରି ରଣଦ୍ୱନ୍ଦ

।।

ରାଜା ହୋଇବ ଅନନ୍ତ କେଶରୀ

ତେର ଅଙ୍କରେ ଆମ୍ଭେ ଶସ୍ତ୍ରଧରି

।।

ଇନ୍ଦ୍ର ପଚାରଇ ପଡ଼ି ଚରଣେ

ଯୁଗ ତୁଟିଯିବ କେଉଂ କାରଣେ

।।

ସବୁ ଭୋଗ ନୋହିବ କାହିଂ ପାଇଂ

ମୋତେ ଆଜ୍ଞା ହୋଇବ ଲକ୍ଷ୍ମୀସାଇଂ

।।

ହରି କହନ୍ତି ଶୁଣ ହୋ ବାସବ

ଯେଉଂ କାରଣୁ ଯୁଗ ତୁଟିଯିବ

।।

ବ୍ରହ୍ମହତ୍ୟା ସ୍ଥିରୀ ବାଳକ ହତ୍ୟା

ଗୋରୁହତ୍ୟା ପରେ ସେ ଯେଉଂ କଥା

।।

ବିଶ୍ୱାସ ଘାତେକୀ ମାତୃ ହରଣ

କୂଟ ଅପବାଦ ବୃକ୍ଷ ଛେଦନ

।।

ପୋଷିଲା ଜନ୍ତୁ ବଧିବାର ଦୋଷ

ଋଣ ନ ସୁଝାଣ ହରେ ବ୍ରହ୍ମସ୍ୱ

।।

ତୁଳସୀ ଲଗାଇ ନଦେଇ ପାଣି

ମାତା ପିତାଙ୍କୁ ନପୋଷିଲା ପ୍ରାଣୀ

।।

ସୁକୃତ ନକରି ହରିବେ ଧନ

ସଭାରେ କହିବେ ମିଥ୍ୟା ବଚନ

।।

ବ୍ରାହ୍ମଣ ଯେ ଅନ୍ୟାଚାରୀ ହୋଇବେ

ଶୂଦ୍ର ସଙ୍ଗତେ ପୀରତି କରିବେ

।।

ଧନ ଲୋଭରେ ଯେ ଶୂଦ୍ର ଜନର

ରାନ୍ଧଣା ପଣେ କରିବେ ବିଚାର

।।

କ୍ରିୟା ତଣ୍ଡୁଳ ରାନ୍ଧଣା ଖାଇବେ

ଆପଣା ତନୟା ବିକ୍ରୀ କରିବେ

।।

ଏଣୁକରି ବ୍ରହ୍ମ ତେଜ ନଥିବ

କଲ୍ୟାଣ କଲେ ଫଳ ନ ଫଳିବ

।।

ଏଣୁକରି ଯୁଗ ଯିବଟି ତୁଟି

ଠିକରେ କହିଲୁ ଏହି ତତ୍ତ୍ୱଟି

।।

ୟେତେ ପାପକୁ ଯୁଗ ନ ସହିବ

ଅଳପ ଦିନରେ ସର୍ବ ହୋଇବ

।।

ଗୁରୁକ ବଳ ଯେ ଯିବେ ପଳାଇ

ଦମନ ବଳ ପଶିବେ ଧସାଇ

।।

ଜାଣିଥାଅ ଏହି କଥା ସୂଚକ

ଝିଣ୍ଟିକା ବୋଲି ୟେକ ବର୍ଣ୍ଣ ପୋକ

।।

ଉତ୍ତର ଦିଗକୁ ଉଡ଼ି ଆସିବେ

ଯବନ ବଳ ତେଣିକି ମରିବେ

।।

ଦେବ ବରଷରେ ପାଞ୍ଚ ବରଷ

ଫିରଙ୍ଗି ଠାରୁ ପୂରିବ ଅବଶ୍ୟ

।।

ଦଶ ସସ୍ର ଚୋର ଧରିବା ଯାକେ

ଫିରିଙ୍ଗି ଯେ ଘୋଟିଥିବ କଟକେ

।।

ଆମ୍ଭର ଜନ୍ମ ଅଣତିରିଶରେ

ଜନ୍ମ ହୋଇବୁ ବିରଜା ନଗରେ

।।

ପଦ୍ମାବତୀ ଗର୍ଭେ ଜନ୍ମ ହୋଇବୁ

ଖଣ୍ଡଗିରିରେ ଧ୍ୟାନେ ବସିଥିବୁ

।।

ବଡ଼ଭାଇ ଜନ୍ମ ଶୁଣ ବାସବ

ଦକ୍ଷିଣେ ଜନ୍ମ ହେବେ ବଳଦେବ

।।

ସତ୍ୟବତୀ ଗର୍ଭେ ଜନ୍ମ ହୋଇବେ

ବ୍ରହ୍ମ ତସ୍ୱର ପୁତ୍ର ବୋଲାଇବେ

।।

ବେନିଭାଇ ବିଜେ ହେବୁ ସେଠାରେ

ମକର ମାସ ଶୁକ୍ଳ ସପ୍ତମୀରେ

।।

ବିଶ୍ୱାମିତ୍ର ଜଗି ପାଇବେ ଭେଟ

ଗୁମ୍ଫାରେ ଋଷି କରିଥିବେ ମଠ

।।

ସବୁ ଶାସ୍ତ୍ର ବିଦ୍ୟା ଯନ୍ତ୍ର ଯେତେକ

ଉପଦେଶ ଧନୁ ସହସ୍ର ଯାକ

।।

ଯେଉଂ ଶରକୁ ଯେଉଂ ମନ୍ତ୍ର ଅଛି

ମୁନି ଦେବେ ଦୁଇ ଭାଇଙ୍କି ବାଛି

।।

ସାତଦିନେ ସବୁ ଶିକ୍ଷା ଘେନିବୁ

ଧନୁ ଖଡ଼ଗ ହସ୍ତରେ ଧରିବୁ

।।

ସୁଦର୍ଶନ ଚକ୍ର ଥିବ ଆଜ୍ଞାରେ

ଆସିଣ ଭେଟିବୁ ବିନ୍ଦୁ ସାଗରେ

।।

ଆମ୍ଭେ ପାଦରେ କରିବୁ ଗମନ

ଥୋକେ ଭଗତ ସଙ୍ଗତେ ଘେନିଣ

।।

ବିନ୍ଦୁ ସାଗର ଥାଟ ଉହାଡ଼େ ଥିବ

ରଥ ଅଶ୍ୱ ସହିତ ହେ ବାସେବ

।।

ଦିନ ଆଦିତ୍ୟ ସାତଘଡ଼ି ଠାରେ

ପୁଷ୍ୟା ନକ୍ଷତ୍ର ଚକ୍ର ରୋହିଣୀରେ

।।

ତେର ସୁଆର ଥିବେ ସଙ୍ଗତର

ବାରହାତ ଖଣ୍ଡା ହେବ ବାହାର

।।

ଅନନ୍ତ କେଶରୀ ରାଜା ସହିତେ

ବେନି ଅଶ୍ୱ ଚଢ଼ିଣ ବେନି ଭ୍ରାତେ

।।

ଥାଟ ସହିତେ ଘେନି ସଙ୍ଗତରେ

ବାହିଆସିବୁ ଯେ ବେନି ପହରେ

।।

ଥାଟ ଚଳାଇ ଆସିବୁ ଯେ ଖରେ

ଓଗାଳନ୍ତା କେ ନଥିବେ ପୃଥିରେ

।।

କେଶରୀ ରାଜା ପାଞ୍ଚଅଙ୍କେ ଜାଣ

ନୂଆ ଆରମ୍ଭଟି ସେହି ଦିନେଣ

।।

ଆମ୍ଭେ ବାହି ଆସିବୁ ହୋ ବାସବ

ଆସି ରହିବୁ ପଦ୍ମବନ ଠାବ

।।

ଯେତେ ଭଗତ ଛନ୍ତି ପୃଥିବୀରେ

ସର୍ବେ ଭେଟ ହେବେ ଆମ୍ଭ ଛାମୁରେ

।।

ସବୁ ଭଗତକୁ ଆମ୍ଭେ ରାଇବୁ

ଜଣ ଜଣକେ ଶାନ୍ତି ଦିଆଇବୁ

।।

ଇନ୍ଦ୍ର ପୁଛଇ ଶୁଣ ଭାବଗ୍ରାହୀ

କେତେ ରାଉତ ଆସିବେ ଏ ମହୀ

।।

ସଞ୍ଚପି କହ ପ୍ରଭୁ ଜଗନ୍ନାଥ

କଳି ଭବିଷ୍ୟ ପୁରାଣ ଆଗତ

।।

ଇନ୍ଦ୍ର ବିନତି ଶୁଣି ଚକ୍ରଧର

ରଙ୍ଗାଅଧରେ ଦିଅନ୍ତି ଉତ୍ତର

।।

ତୁ ହୋ ବାସବ ହେତୁକରି ଶୁଣ

ଠଗଙ୍କ ଅନ୍ତେ ଆସିବେ ଦମନ

।।

ଦମନ ଆସି କଟକେ ପଶିବେ

ବାରବାଟୀର ଭିତର ଧଂସିବେ

।।

ପାତ୍ର ମକୁନ୍ଦଦେବ ଆଠ ଅଙ୍କେ

କନ୍ୟା ମାସ ଶେଷ ତୁଳର ପାକେ

।।

ଏହି ସମୟେ ଓଡ଼ିଶା ରାଜ୍ୟରେ

ଦମନ ବଳ ପଶିବେ ନିର୍ଭରେ

।।

ଦୁର୍ଗ ଅଙ୍ଗନରେ ଘଡ଼ିଏ ଘୋର

ରଣ ସେଠାରେ ହେବ ଧାତିକାର

।।

କଟକରେ ପଶି ପୁଣ ଦମନ

ଏଥୁ ଅନ୍ତେ ବୋଲାଇବ ରାଜନ

।।

ରଜା ନୃପବର ଧରା ହୋଇବ

ଗଡ଼ ଭିତରେ ସମର ଲାଗିବ

।।

ମନ୍ତ୍ରୀମାନେ ଆସି ଭେଦ କହିବେ

କୂଟ କରି ରାଜାକୁ ଧରାଇବେ

।।

ଧରା ହୋଇବ ଓଡ଼ିଶାର ପତି

ଖୋରଧା ଗଡ଼େ ସେ ହେବ ନୃପତି

।।

ରଖିବ ନେଇ ବାରବାଟୀ ଠାରେ

ରାଜା ବନ୍ଧନ ପଡ଼ିବ ସେଠାରେ

।।

ତିନିଦିଗ ମାଡ଼ି ସାଧ୍ୟ କରିବ

କେତେ ପାତକ ଦମନ କରିବ

।।

ଗୋରୁହତ୍ୟା କେତେ କରିବ ସେହୁ

ପୃଥ୍ୱୀ ଭାରା ହେବ ସେ ଦିନୁ ଆଉ

।।

ସବୁ ବର୍ଣ୍ଣ ଜାତି ଏକ ମଣିବେ

ଚିନା ମାଢ଼ରେ ଧନ ନେଉଥିବେ

।।

ଗୋରୁ ହତ୍ୟା ପୃଥ୍ୱୀରେ ହେଲାଠାରୁ

ଜଳା ଊଣା ହେବ ସେହି ଦିନରୁ

।।

ଲୋଡ଼ା ନଥିବ ଯେତେବେଳେ ଜଳ

ଇନ୍ଦ୍ର ବରଷା କରିବ ଗହଳ

।।

ନାନା ଦୁର୍ଭିକ୍ଷ ସଂସାରେ ପଡ଼ିବ

ମୋଠାରେ ଘଞ୍ଚାଳ ଲାଗୁଣଥିବ

।।

ଏହି ରୂପେ କିଛି ଦିନ ଅନ୍ତେଣ

ତିନି ଦଶ ସାତ ଅଙ୍କ ଶେଷେଣ

।।

ଘୋର ଦୁଃଖୀ ହୋଇବେ ପ୍ରଜାଜନ

ଜଳ ବିହୁନେ ନ ମିଳିବ ଅନ୍ନ

।।

ଏତେ ଅଙ୍କ ଶେଷ ଛଡ଼ ମାସରେ

ଯୁଦ୍ଧ ହୋଇବ ଏହି ଓଡ଼ିଶାରେ

।।

ଏଥୁଅନ୍ତେ ଫିରିଙ୍ଗି ଯିବ ନାଶ

କେତେ ପଳାଇଯିବେ ନିଜ ଦେଶ

।।

ମୁଗଲର ବଳ ମାଡ଼ି ଆସିବେ

ଏହି କଟକ ଭିତରେ ପଶିବେ

।।

ତାର ନାମଟି ମୋହନା ମୁଗଲ

ସର୍ବ ଜାତି ଉପରେ ହେବ ସଲ

।।

ସବୁ ବର୍ଣ୍ଣରୁ ବାଛି ୟେକ ୟେକ

ଧରି ରଖିଥିବ ନେଇ କଟକ

।।

ଗ୍ରାମ ଗ୍ରାମକେ ପଡ଼ିବ ଚହଳ

ଦୁଃଖ ପୂରିଣ ଥିବ ରବିତଳ

।।

ଠାବେ ଠାବେ ପ୍ରଜାକୁ ସେ ଦହିବ

ମୂଢ଼କାରୀ ସେ ବୋଲ ନ କରିବ

।।

ଯେଉଂମାନେ ହୋଇଥିବେ ବିବେକ

ତାଙ୍କ କୁଳରେ ନ ଲାଗିବ କଳଙ୍କ

।।

ଆଉ ଜାତି ମହତ ନ ରହିବ

କେତେ କହିବା କଳିଯୁଗ ଭାବ

।।

ଠିକ ଠିକରେ କହିଲୁ ହୋ ଇନ୍ଦ୍ର

ସେହି ରୂପେଣ ମୁଗଲର ଦ୍ୱନ୍ଦ

।।

ଦେବ ଅଙ୍କରେ ଯେ ଦୁଇ ବରଷ

ଓଡ଼ିଶାରେ ହୋଇଥିବ ନରେଶ

।।

ଏହି ଥାଉଂ ଆନ ରାଜା ଆସିବ

ଓଡ଼ିଶା ଭିତରେ ଆସି ପଶିବ

।।

ପାଟରାଜା ଯେ ହୋଇବ ବନ୍ଧନ

ତାର ସଙ୍ଗତେ ତିନି ଖର୍ବ ସୈନ୍ୟ

।।

ଜାତି ତାହାର ମୂଳ ନାହିଂ ଆଉ

ହିଡ଼ିମ୍ବିକ ବୋଲିଣ ମ୍ଳେଛ ସେହୁ

।।

ତାକୁ ଦେଖିଣ ମୁଗଲ ରାଜନ

ତକ୍ତ ଛାଡ଼ି ହୋଇବ ଛନଛନ

।।

ଥୋକେ ରଣଗୋଳ ଏଥେ କରିବେ

ଥୋକେ ପ୍ରାଣ ଘେନିଣ ପଳାଇବେ

।।

ଏହିରୂପେ ନାରଖାର ହୋଇବେ

ସର୍ବେ ମୋହ ରାଜ୍ୟ ବୋଲି କହିବେ

।।

ଦେବ ଅଙ୍କରେ ସାତ ମାସ ଶେଷ

ଭୋଗ କରିବ ସେ ଓଡ଼ିଶା ଦେଶ

।।

ଦକ୍ଷିଣରୁ ଯେ ତେଲଙ୍ଗା ଆସିବ

ଏହି ଶଙ୍ଖ କ୍ଷେତ୍ରରେଣ ପଶିବ

।।

ପଶ୍ଚିମରୁ ଆସିବେଟି ହୋ ରାମ

ପଦ୍ମେ ଥାଟ ଘେନି ଯେ ସଙ୍ଗତେଣ

।।

ଏଥୁଅନ୍ତେ ତୁ ଶୁଣ ଶଚୀପତି

ବାହି ଆସିବ ଉତ୍ତରୁ ନପତି

।।

କତଲମଲିକା ତାକୁ ଯେ କହି

ଅତି ବିରୂପ ଦିଶୁଥିବ ସେହି

।।

ଓଡ଼ିଶା ଭୂଇଂରେ ରୁଣ୍ଡ ହୋଇବେ

ସର୍ବେ ମୋହରି ଚକ୍ରେ ନାଶିଯିବେ

।।

ସେହି ଦିନକୁ ଦେଇଥାଅ ଦୃଷ୍ଟି

ସବୁ ଅନ୍ଧାର ହେବ ନବସୃଷ୍ଟି

।।

ଏହା ହେତୁ ରଖିଥା ଶଚୀପତି

ଏକ ରାତ୍ର ହୋଇବ ସାତରାତି

।।

ଆମ୍ଭ କଥା ଏ ଭିଆଣ ବାସବ

ସେହି ଦିନଯାଏ ସ୍ୱର୍ଗେ ତୁମେ ଥିବ

।।

ଦୁଷ୍ଟ ମାରିଣ ସୁଜନ ରଖିବୁ

ମ୍ଳେଚ୍ଛ ଦମନ ମାରି ସଂହାରିବୁ

।।

ଆଉ କଳି ଉତପାତ ନୋହିବ

ନୂଆ ପାତନା କରିବୁଂ ବାସବ

।।

ତେଣିକି ହୋଇବ ସୁଖ ସଂସାର

ସତ୍ୟ ସତ୍ୟ ବଚନ ଏ ମୋହର

।।

ଇନ୍ଦ୍ର ପଚାରଇ ପାଦେ ପଡ଼ିଣ

କେଉଂମାନେଟି ରହିବେ ଭ୍ରମେଣ

।।

କେଉଂମାନେ ଦୋଷରେ ପ୍ରବର୍ତ୍ତିବେ

କେଉଂମାନେ ଅନାଚାରୀ ହୋଇବେ

।।

କେଉଂମାନେ ହରିବେ ପରଦ୍ରବ୍ୟ

କେହୁ ହୋଇବେ ଦାସ ବଇଷ୍ଣବ

।।

କେଉଂରାଜା ହୋଇବେ ନିତ୍ୟାଚାର

କିୟେ ଦାନ ଦେବ ସତ୍ୟ ଆଚାର

।।

ଏହା ଫିଟାଇ କହ ଚକ୍ରଧର

ଶୁଣି ପରତେ ଯିବ ମୋ ମନର

।।

ଶୁଣି କହନ୍ତି ପ୍ରଭୁ ପଦ୍ମଲାଭ

ଯାହା ପଚାରିଲୁ ଶୁଣ ବାସେବ

।।

ସବୁ ଅନର୍ଥ କରିବେ ମହୀରେ

ଆପେ ସମର୍ଥ ହେବେ ଯେ ଯାହାରେ

।।

ମୋର ପାଦରେ ଚିତ୍ତ ଯାର ଥିବ

ସତ୍ୟ ସୁକୃତ ଯେ ସେହୁ ଲଭିବ

।।

ଯେବେ ହୋଇବେ ସେ ଧନେଶ୍ଵର

ଯେବେ ପ୍ରାଣୀଙ୍କି କରିବେ ଉଦ୍ଧାର

।।

ଦାନ ଦେଇ ତୋଷିବେ ବିପ୍ରଜନ

ଦୁଃଖୀଲୋକେ ଅନ୍ନ ଦେବେ ଭୋଜନ

।।

ଭ୍ରମ ରହିବ ସେହିମାନଙ୍କର

ସତ୍ୟ କହିଲୁ ମନେ ହେତୁକର

।।

ଯେଉଂମାନେ ଦୁଷ୍ଟପଣ କରିବେ

ବାଦ ହିଂସାରେ ପରକୁ ପାରିବେ

।।

ଦୋଷ ନ ବୁଝି ଯେ ଦଣ୍ଡ ବିହିବ

ସେଟି ବହୁତ କୁଟୁମ୍ବୀ ହୋଇବ

।।

ନାନା ଅନାଚାର ସେହୁ କରିବ

ପର ଦ୍ରବ୍ୟ ଭଣ୍ଡି କରି ଖାଇବ

।।

ଏଣୁ ବ୍ରହ୍ମଦୋଷୀ କରିବି ତାଙ୍କୁ

ପର ପାତେକ ଆଣିବେ ଗୃହକୁ

।।

ଶୁକ୍ଳପକ୍ଷେ ଚନ୍ଦ୍ର ଯେହ୍ନେ ବଢ଼ଇ

କୃଷ୍ଣପକ୍ଷେ ଚନ୍ଦ୍ର ପୁଣି ଛିଡ଼ଇ

।।

ଚନ୍ଦ୍ରମା ସଦୃଶେ ଏହୁ ଯିବେ ନାଶ

ଚଣ୍ଡୀ ଖାଇବେଟି ତାଙ୍କ ମାୟେଂସ

।।

ଏହିରୂପେ ତାହାଙ୍କୁ ନାରଖାର

ନାନା ପାତକଟି ହେବ ପ୍ରଚାର

।।

ଯେତେ ଅର୍ଜିଲେ ପେଟ ନ ପୂରିବ

ପର ଦ୍ରବ୍ୟକୁ ଆଶ କରିଥିବ

।।

ଏହିମାନଙ୍କ କୁଳ ଯିବ ନାଶ

ଆଉ ରହିବ ନାହିଂ ତାଙ୍କ ଅଂଶ

।।

ଯେଉଂ ରାଜା ଅଧିକାରୀ ହୋଇବ

ତାଙ୍କ ପ୍ରସ୍ତାପ ଶୁଣି ହୋ ବାସେବ

।।

ପର ଦ୍ରବ୍ୟରେ ବୋଲାଇବେ ବଡ଼

ପ୍ରଜାମାନଙ୍କୁ ବହୁତ ପୀଡ଼ିବ

।।

ଭୂମି ମାଣକୁ ପଞ୍ଚାଶ କାହାଣ

କର ପୀଡ଼ା କରିବେ ରାଢ଼ପଣ

।।

ପ୍ରଜା ଗୁହାରି କଲେ ନ ଶୁଣିବ

ସାନ ଲୋକ ଯେବେ ବଡ଼ ହୋଇବ

।।

ଅଳପ କଥାକୁ ରାଗ ବହିବେ

ଦୋଷ ଗୁଣ ଥିଲେ ଦିଗୁଣେ ଦଣ୍ଡିବେ

।।

ସବୁ ଅର୍ଥ ଦ୍ରବ୍ୟେ ହୋଇବେ ମତା

ରାଜା ଶୁଣିବେ ନାହିଂ ପ୍ରଜା ବ୍ୟଥା

।।

କର ପୀଡ଼ାରେ ନାନା ଦୁଃଖ ସହି

ଯେତେ କଲେ କରକୁ ନ ଅଣ୍ଟଇ

।।

ବଡ଼ପଣ ପାଇବେ ଯେତେ ଲୋକ

ଦୋଷ ନ ବୁଝି ଦଣ୍ଡିବେ ଯେ ଲୋକ

।।

ତାକୁ ଥୋକାଏ ଦିନ ମୁଂ ରଖିବି

ଏକାବେଳକେ ଦେବୀ ମୁଖେ ଦେବି

।।

ତାର କୁଳ କୁଟୁମ୍ବ ଯେତେ ଥିବେ

ସବୁ ବିରଜାଈ ବାଛି ଖାଇବେ

।।

ସବୁଦିନେ ନଥିବ ବଡ଼ ପଣ

ସବୁଦିନେ କି ଉଇଂଥାଇ ଜହ୍ନ

।।

ସତେ ମନୁଷ୍ୟ ଦେହ ଅଟେ ସାର

ହିଂସା ଲୋଭ କଳ୍ପଣା ପରିବାର

।।

ତିନି କଥାକୁ ସେ କରେ ଆଦର

ସେହି ମନୁଷ୍ୟ ମଧ୍ୟେ ଅଟେ ସାର

।।

ଅନ୍ତେ ମୋହ ଶରୀରେ ଲୀନ ହୋଇ

ମୋହରି ବିନୁ ଅନ୍ୟ ନ ଜାଣଇ

।।

ଏବେ ଶୁଣ ହେତୁ କରି ବାସବ

ଯେଉଂମାନେ ହୋଇଥିବେ ବୈଷ୍ଣବ

।।

ଗଳେ କାଠମାଳୀ ଘେନି ବାନ୍ଧିବେ

କଟୀ ଡୋରରେ ବସନ ପିନ୍ଧିବେ

।।

ଜଟା ବାନ୍ଧିଣ ହୋଇବେ ଜଟିଳ

ମୁଖେ ବଚନ କହିବେ ଚଞ୍ଚଳ

।।

ଧୂଆଁ ଗଞ୍ଜାଇ ଆପୁ ଖାଇକରି

ଗୃହ ଧର୍ମରେ ରହିବେ ଆବରି

।।

ପର ସ୍ତିରୀ ସଙ୍ଗେ ପ୍ରୀତି କରିବେ

ପଶୁପାଳେକ ପ୍ରାୟେ ହୋଇଥିବେ

।।

ଫନ୍ଦା ନ କରି ପାରି ସେହୁ ଜନ

ଦେହେ ବିଭୂତି କରିବେ ଲେପନ

।।

ରାଗ କ୍ରୋଧ ହିଂସା ମିଥ୍ୟା ଆଚରି

ଜାତି ଅଜାତି ବାରଣ ନକରି

।।

ମୋର ନାମ ନଧରି ହୃଦଗତେ

ଧନ ଲୋଭରେ ହୋଇବେ ଏମନ୍ତେ

।।

କପଟେ ବୈରାଗୀ ବେଶ ଧରିଣ

ଦେଶ ଦେଶକେ ଫେରୁଥବେ ପୁଣ

।।

ମୋହ ନାମରେ ମାୟାକଲେ ନିକି

ସେ ପାପୀ ମୂଢ଼ଙ୍କୁ ପାର ଅଛି କି

।।

ଏମନ୍ତେ ଓଡ଼ିଶା ଖଣ୍ଡ ମହୀରେ

ପ୍ରବଳ ହୋଇବେ ଦୃଷ୍ଟ ୟେଥିରେ

।।

ଷାଠିଏ ସହସ୍ର ବିଟପ ନାରୀ

ପର ପୁରୁଷ ସୁରତି ଆଚରି

।।

ପତିକୁ ଛଟକେ ଛାଡ଼ିବେ ଘର

ବେଶ୍ୟା ପଣରେ ପୋଷିବେ ଉଦର

।।

ଶାଶୁ ଶଶୁର ଭାଷା ନ ସହିବେ

ଶାଶୁ ବାଳଧରି ବୋହୂ ମାରିବେ

।।

କଥା କହିବେ ଅତି ଅସୁନ୍ଦର

ଲମ୍ବ ପାଦଚାଲି ବଡ଼ ପ୍ରଖର

।।

ତାହାଙ୍କ କୁଳ ନ ରହିବ ଆଉ

ଚନ୍ଦ୍ରମାକୁ ଯେହ୍ନେ ଘୋଟଇ ରାହୁ

।।

ବିଧବା ବ୍ରାହ୍ମଣୀ ଶୂଦ୍ର ହରିବ

ପର ପୁରୁଷରେ ରତି ହୋଇବ

।।

ପର ପୁରୁଷେ ନାରୀ ଗର୍ଭବାସ

ପୁତ୍ର ପ୍ରସବିଣ ରଖିବ ଯଶ

।।

ବିଟପ ସ୍ତିରୀର ଯେଉଂ କୁମାର

କଳିଯୁଗେ ପ୍ରଭା ହେବ ତାଙ୍କର

।।

ସେମାନଙ୍କୁ ଧର୍ମ ସାହା ହୋଇବ

ତାଙ୍କରି ହସ୍ତରେ ଧନ ରହିବ

।।

ସେହୁ ଜାତିରେ ହୋଇବେଟି ଶ୍ରେଷ୍ଠ

ସେମାନେ ପ୍ରାଣୀଙ୍କି ଦେବେଟି କଷ୍ଟ

।।

ସେହି ସଭାରେ ମିଥ୍ୟ ଯେ କହିବେ

ସଂସାରେ ସେହୁ ବଡ଼ ବୋଲାଇବେ

।।

ବର୍ଣ୍ଣସଙ୍କରଟି ସେହି ବାସବ

ଦୟା ଧର୍ମଟି ବୁଡ଼ାଇବେ ସର୍ବ

।।

ବର୍ଣ୍ଣସଙ୍କରଙ୍କ ଯୁବତୀ ପୁଣ

ପର ପୁରୁଷେ କରିବେ ରମଣ

।।

ପାତ୍ର ପୁତ୍ର ଅନ୍ତରେ ରାଜା ଶୁଣ

ନୀଳକିଶୋରୀ ବୋଲି ଯେ ରାଜନ

।।

ଚଉଦ୍ଵାର ବିଲ ଠାରେ ପ୍ରବେଶ

ସେହିଠାରେ ରାଜା କରିବେ ବାସ

।।

ସେ ରାଜା ଜାଣଇ ବିଷ୍ଣୁର ନାମ

ଏକ ଅକ୍ଷରେ ମନ୍ତ୍ର ଏ ପ୍ରଚ୍ଛିନ୍ନ

।।

ଭଲମନ୍ଦ ସେହି ରାଜା କହିବ

ଦେବୀ ଆଗରେ ପ୍ରଚ୍ଛିନ୍ନ କହିବ

।।

ଭଗବତୀ ଘାଟ ବସିବ ମାଡ଼ି

କାଠ ମାଳିଆଙ୍କ ପ୍ରଥମ ଧାଡ଼ି

।।

କପଟୀ ଲମ୍ଫଟୀ ଦାସ ଯେତେକ

ଦୁତୀୟେ ରାଇବ ତାହାଙ୍କୁ ପାଶ

।।

ତୃତୀୟେ ବିଟପୀ ନାରୀ ସକଳ

ଗାୟେ ଷାଠିଏ ସସ୍ର ହେବେ ଠୁଳ

।।

ଚିତ୍ରୋତ୍ପଳା କୂଳେ ଭଗବତୀଠାରେ

ସର୍ବେ ଠୁଳହେବେ ସେହି ଠାବରେ

।।

ଜଣ ଜଣକେ ବାଛି ପଚାରିବ

ଏକାକ୍ଷର ମନ୍ତ୍ର ଯେହୁ କହିବ

।।

ସେ କାହୁ ଜାଣିବେ ଏକାକ୍ଷର ବୀଜ

ଏକା ଜଣକେ କହିବ ମନ୍ତ୍ରରାଜ

।।

ସେହି ମାତ୍ରକ ରହିବ ବାସବ

ଆବର ଯେତେ ଦେବୀମୁଖେ ଦେବ

।।

ଖପର ପାତି ଦେବୀ ମହାମାୟୀ

ପ୍ରଛିନ୍ନ କରିଣ ଖାଇବ ସେହି

।।

ସ୍ତିରୀ ସହିତେ ଦୁଷ୍ଟ ଯେତେ ମୂଢ଼

ମିଛୁଆ ମାଛୁଆ ଲମ୍ପଟୀ ରାଢ଼।

।।

ଦେବୀ ମୁଖରେ ହୋଇବେ ୟେ ହାଣ

ଠୁଳରେ ଚାରିଲକ୍ଷ ଯେ ପ୍ରମାଣ

।।

ଇନ୍ଦ୍ର ପୁଛଇ ଶୁଣ ଚଉବାହା

କେଉଂ ରଜା ଅଙ୍କେ ହୋଇବ ଏହା

।।

ଶ୍ରୀହରି କହନ୍ତି ବାସବ ଶୁଣ

ଚବିଶ ଠାରୁ ସତାଇଶ ଜାଣ

।।

ଏଥି ଭିତରେ ଯେ ହୋଇବ ଗୋଳ

କାହାରି ନ ରହିବ କୁଳମୂଳ

।।

ଚବିଶ ଅଙ୍କେ ନିଘୋଡ଼ ମାରେଣି

ଠାବେ ଠାବେ ଯୁଦ୍ଧ ହୋଇବ ପୁଣି

।।

ଚବିଶିଠାରୁ ଯେ ବତିଶ ଯାୟେ

ଚଣ୍ଡୀ ଚାମଣ୍ଡା ମାତି ଠାୟେ ଠାୟେ

।।

ଭୈରୋବ ଡାକିବ ଭୋବନିଶରେ

ଚଇତ୍ର ମାସ ଯେ ଗୁରୁବାରରେ

।।

ଚବଶି ଅଙ୍କ ଭିତରେ ହୋ ଜାଣ

ଭୈରୋବ ଡାକିବ ନିଶା ଅର୍ଦ୍ଧେଣ

।।

ସେ ଡାକ ଶୁଭିବ ଯାଜପୁରକୁ

ବିରଜାଈ ଯିବ ବ୍ରହ୍ମା ସ୍ଥାନକୁ

।।

ଦେବୀ ବିରଜାଈ ଧ୍ୟାନ ଭାଙ୍ଗିବ

ଏକା ଡାକରେ ବ୍ରହ୍ମାଣ୍ଡ ପୂରିବ

।।

ଦ୍ୱିତୀୟ ଡାକରେ ସ୍ଥାନ ଛାଡ଼ିବେ

ତୃତୀୟେ ଉତ୍ତର ମୁଖ ହୋଇବେ

।।

ସେ ଡାକ ଯାହାର କର୍ଣ୍ଣେ ଶୁଭିବ

ଅକାଳ ମୃତ୍ୟୁଟି ତାହାକୁ ହେବ

।।

ଏକ ଆରକେ କେହି ନ ଜାଣିବେ

ଶୁଣିବା ମାତ୍ରକେ ପ୍ରାଣ ହାରିବେ

।।

ଥୋକାଏ ଜନର ମୃତ୍ୟୁ ହୋଇବ

ସେ ଶବଦେ ବ୍ରହ୍ମାଣ୍ଡ ଉଛୁଳିବ

।।

ଅନେକ ଜନଟି ହୋଇବେ ନାଶ

ହତ୍ୟାହେବେ କେତେ ସ୍ତିରୀ ପୁରୁଷ

।।

ଗୋରୁ ବାଳକ ବନଜନ୍ତୁ ଯେତେ

କାଳମୁଖେ ମୃତ୍ୟୁ ହେବେ ସମସ୍ତେ

।।

ସେଥିରୁ ଯାହାକୁ ରଖିବି ମୁହିଂ

କଳକୀ ରୂପ ମୋ ଦେଖିବ ସେହି

।।

ବାସବ ବୋଲଇ ଶୁଣ ଗୋସାଇଂ

ସେ ଡାକରେ ପୃଥ୍ୱୀ କମ୍ପିବ ଯହିଂ

।।

କେଉଂଜନ ନ ଶୁଣିବ ଶବଦ

ବିରିଜା ମଣ୍ଡଳ ଯହିଂ କମ୍ପିବ

।।

ଶ୍ରୀହରି ବୋଲନ୍ତି ଶୁଣ ବାସବ

ଓଡ଼ିଶାଭୂଇଂ ସେ ହିରଣ୍ୟ ଗର୍ଭ

।।

ଯେଉଂସ୍ଥାନେ ମୋର ଅଛନ୍ତି ଭକ୍ତ

ସେ ସ୍ଥାନେ ମୋର ନକରିବ କ୍ଷାତ

।।

ବାସବ ବୋଲଇ ଶୁଣ ଶ୍ରୀହରି

କେଉଂସ୍ଥାନେ ଭକ୍ତ ଛନ୍ତି ତୋହରି

।।

ପ୍ରଭୁ ବୋଲନ୍ତି ଗଭୀର ବଚନ

ବିଶେଷ ସ୍ଥାନର କହିବା ନାମ

।।

ଖୋରଧା ଗଡ଼ ଗହନ ଭିତରେ

ବାଣପୁର ରଣପୁର ମଧ୍ୟରେ

।।

ଥୋକେ ଭଗତ ଅଛନ୍ତି ଏଠାରେ

ଥୋକେ ଅଛନ୍ତି ଯେ ଖଣ୍ଡଗିରିରେ

।।

ଥୋକେ ଅଛନ୍ତି ଲେମ୍ବାଇ ଶିରାଇ

ଭକ୍ତ ଅଛନ୍ତି ନିଜ କ୍ଷେତ୍ର ଚାହିଂ

।।

ଥୋକେ କପିଳେଶ୍ୱରଙ୍କ ପୂର୍ବରେ

ଥୋକେ ଅଛନ୍ତି ଗଙ୍ଗପଡ଼ା ଠାରେ

।।

ସୁଜନ ଅଛନ୍ତି ଲଟ ବଣରେ

ଭକ୍ତ ଅଛନ୍ତି ଯେ ପ୍ରାଚୀ ତଟରେ

।।

ଥୋକେ କୋଟରାଙ୍ଗରେ କଲେ ସ୍ଥିତି

ଥୋକେ ଭଗତ ରମ୍ଭାରେ ଅଛନ୍ତି

।।

ଭକ୍ତ ଅଛନ୍ତି କୋଠ ଦେଶ କତି

ଥୋକେ ସାଇଲୋ ନଗ୍ରେ ଉପସ୍ଥିତି

।।

ଥୋକେ ବାଲିଅନ୍ତା ଗ୍ରାମ ଉତ୍ତରେ

ଥୋକେ ରଖିଲୁ ଡିଆଭଣ୍ଡରେ

।।

ଥୋକେ ମଞ୍ଚେଶ୍ଵର ପୂର୍ବ ଦିଗକୁ

ଥୋକେ ସାରିତ ଗ୍ରାମ ପଶ୍ଚିମକୁ

।।

ଥୋକେ ସାରଙ୍ଗଗଡ଼ରେ ରଖିଲୁ

ଥୋକେ ପଟିଆ ସୀମାରେ ରଖିଲୁ

।।

ଥୋକେ କଟକ ପଶ୍ଚିମେ ରହିଲେ

ଥୋକେ ପରାଚୀ କୂଳେ ବିଶ୍ରାମିଲେ

।।

ଥୋକେ ଅଛନ୍ତି ହଂସନାଥ ପାଶ

ଥୋକେ କୁଜଙ୍ଗ ସୀମାରେ ଯେ ବାସ

।।

ତିନିତିଅର ହରିହର ପୁରେ

ଭକ୍ତ ଅଛନ୍ତି କାଠଯୋଡ଼ି କୂଳେ

।।

ଥୋକେ ଓଡ଼ାସିଙ୍ଗ ଗ୍ରାମ ଉତ୍ତରେ

ଥୋକେ ରହିଲେ କପିଳାସ ଠାରେ

।।

ବାଙ୍କେଶ୍ୱର ଅଡ଼ଙ୍ଗ ଶାସନରେ

ଭକ୍ତ ଅଛନ୍ତି ଚୁଙ୍ଗିଡ଼ିଆ କୁଳେ

।।

ଥୋକେ ଭାର୍ଗବୀ ନଦୀକୂଳେ ଘେନି

ଥୋକେ ଅଛନ୍ତି ଶାରୋଳେ ରହଣି

।।

ଥୋକେ କୋଦଣ୍ଡା ସୀମାରେ ଅଛନ୍ତି

ଭକ୍ତ ପାଏନ୍ଦାରେ ମୁଂ କଲି ସ୍ଥିତି

।।

ଆଳିକେରଡ଼ା ଚନ୍ଦନ ନଗରେ

ଥୋକେ ରହିଲେ ରାଜନଗରରେ

।।

ଭକ୍ତ ରହିଲେ ସେ ବାଲିବିଶିରେ

କାହିଂ ରହିଲେ ଗୋବରୀ କୂଳରେ

।।

କାହିଂ ପାଈନ୍ଦା ମଣ୍ଡଳେ ଅଛନ୍ତି

କାହିଂ ମଧୁପୁର ସୀମାରେ ସ୍ଥିତି

।।

କାହିଂ ପୁନ୍ଦାଳୋ ନେମ୍ବାଳ ଗ୍ରାମରେ

ଭକ୍ତଛନ୍ତି ଚିତ୍ରତୋଳା କୂଳରେ

।।

କେତେ ହନୁ ମଞ୍ଚେଶ୍ୱରେ ରହିଣ

କେତେ ବିରୂପା ନଦୀକୂଳେ ଜାଣ

।।

ଅଛନ୍ତି କୁଣ୍ଡୀନଗ୍ରେ ମୋର ଦାସ

ସବୁ ଠିକ ପଦ୍ମବନେ ନିବାସ

।।

ଏହିରୂପେ ଠିକେ ଠିକେ କହିଲୁ

ଯାଜନଗରେ ଥୋକାୟେ ରଖିଲୁ

।।

ଏହି ସ୍ଥାନରେ କାଳ ନ ପଶିବ

ଏହି ବଚନଟି କହିଲୁଂ ଧ୍ରୁବ

।।

ଲଣ୍ଡା ଦେଉଳ କ୍ଷେତ୍ର ଯାଜପୁର

ଋଷିକୋଇଲା ଦକ୍ଷିଣ ଦୁଆର

।।

ଏହିଠାବେ ଭକ୍ତମାନେ ଅଛନ୍ତି

ସର୍ବେ କଳଙ୍କୀ ରୂପକୁ ଚିନ୍ତନ୍ତି

।।

ସର୍ବ ଭଗତ ରହିଲେ ଗୁପତ

ଦ୍ଵାଦଶ ଶାଖା ମୋ ନାମ ବିଖ୍ୟାତ

।।

ଇନ୍ଦ୍ର ବୋଲଇ ବେନିକର ଯୋଡ଼ି

ବାର ଶାଖା ନାମ କହ ମୁରାରି

।।

ପ୍ରଭୁ କହନ୍ତି ଶୁଣ ହୋ ନୃପତି

ଗ୍ରନ୍ଥ ପୁରାଣ ବାର ଶାଖା ସ୍ଥିତି

।।

ମୋର ଖେଳ କଉତୁକ ବେହାର

ସବୁ ନାମ କ୍ଷାତ କଲେ ଗ୍ରଛର

।।

ଭାଗବତ ଯେ ଭାରତ ବିସ୍ତାରି

ଭକ୍ତ ଲେଖନ୍ତି ମୋର ନାମ ଧରି

।।

ସାତ ଖଣ୍ଡ ରାମାୟଣ ସହିତେ

ଜ୍ଞାନଗୋଚର ନାମ ମୋର ଯେତେ

।।

ଆଗତ ଭବିଷ୍ୟ ଗୁପତ ବାଣୀ

ଆଦ୍ୟ ଜନ୍ମରେ ସେ ଏତେ ବଖାଣି

।।

ଦୁତୀୟେ ଜନ୍ମ ଲଭିବେ ହେ ଇନ୍ଦ୍ର

ଗୀତା ଗୁପତ ଗ୍ରନ୍ଥିବେ ଆନନ୍ଦ

।।

ଚାଣକ୍ୟ ଶ୍ଳୋକ ଦୃଷ୍ଟାନ୍ତର ଯେତେ

ଏହା ଗ୍ରନ୍ଥିବେ ସେ ହରଷ ଚିତ୍ତେ

।।

ପଟଳ ଶାହାସ୍ର ମହିମା ଆଦି

ସେ ଜନ୍ମ ପୁରାଣ ସମ୍ପୂର୍ଣ ସିଦ୍ଧି

।।

ସର୍ବ ପୁରାଣ ସମ୍ପୂର୍ଣ୍ଣ କରିବେ

ତୃତୀୟ ଜନ୍ମ ସେ ପୁଣି ଲଭିବେ

।।

ତୃତୀୟ ଜନ୍ମ ହେଲେ ଭଗବାନ

ଗୁପତେ ବେ ମଳିଣ ଭାବେଣ

।।

କଳି ଭାରତଟି ଲେଖିବେ ସେହି

ଯେତେ ଥିବେଟି ଚିହ୍ନା ନ ଦେଇ

।।

ତିନିଜନ୍ମ ମୋ କଳିଯୁଗ ଶେଷ

କଳଙ୍କୀ ରୂପ ମୋ ପାଇବେ ଦାସ

।।

ପୁଣି ପଚାରଇ ଇନ୍ଦ୍ର ନୃପତି

ତୁମ୍ଭେ ଯାହାକୁ ରଖିବ ଶ୍ରୀପତି

।।

ସେହି ଜନମାନେ ତିଷ୍ଠି ରହିବ

ଯେ ତୋର ଭକ୍ତ ଅଟେ ବାସୁଦେବ

।।

ଥୋକେ ଭୈରବ ଡାକେ ଯିବେ ନାଶ

କେଉଂ ପାପରେ ହୋଇବେ ବିନାଶ

।।

ଏହା ସଂକ୍ଷେପି କହ ଭଗବାନ

ଶୁଣି ପରତେ ହେବ ଜନାର୍ଦ୍ଦନ

।।

 

ଅଚ୍ୟୁତାନନ୍ଦ ରଚନାବଳୀ ମାଳିକା ଖଣ୍ଡ

ଶ୍ରୀ ଭଗବାନ ଉବାଚ

 

କହନ୍ତି ପ୍ରଭୁ ଇନ୍ଦ୍ରମୁଖ ଚାହିଂ

ତୁହୋ ବାସବ ଶୁଣ ମନଦେଇ

।।

ଖୋଡ଼ୀ ଅକୁଳା ବିଶ୍ୱାସଘାତକୀ

ଯେଉଂ ନିୟମରେ ସତ୍ୟ ଲଘିଂକି

।।

ଯେଉଂମାନେ ଖାଇଣ ପରଦ୍ରବ୍ୟ

ଯେଉଂମାନେ ଧନରେ ମତ୍ତଗର୍ବ

।।

ଯେଉଂ ଜନ ନ ଗଣଇ କାହାକୁ

ଯେଉଂ ଜନ ଦଣ୍ଡ ଦ୍ୟନ୍ତି ପରକୁ

।।

ସେହି ଜନକୁ ଅକାଳ ମରଣ

ଏକା ରାତ୍ରକେ ମୃତ୍ୟୁ ହେବ ଜାଣ

।।

କାଳ ଶବଦଟି ସେହୁ ଶୁଣିବେ

ଯମ ଭୁବନେ ସେ ଶାସ୍ତି ପାଇବେ

।।

ମୁଖୁ ରୁଧିର କରିଣ ବାହାର

ଏହିରୂପେ ମୃତ୍ୟୁ ହେବ ତାଙ୍କର

।।

ଏହିରୂପେ ଯେ ହେବେ ନାରଖାର

ଆଉ ଯେତେକ ଥିବେଟି ତାଙ୍କର

।।

ସେହୁ ଦୁର୍ଗାଙ୍କ ମୁଖରେ ପଡ଼ିବେ

କେତେ ଶାହାସ୍ର ଘାତରେ ମରିବେ

।।

ଏହିରୂପେ ତୁହୋ ଶୁଣ ବାସବ

କଳି ଅର୍ଦ୍ଧରେ ୟେ ସବୁ ହୋଇବ

।।

ତୁହୋ ବାସବ ୟେମନ୍ତ କରିବୁ

ଆମ୍ଭ ଆଜ୍ଞାକୁ ଶିରେ ଘେନିଥିବୁ

।।

ଆମ୍ଭ ଆଜ୍ଞା ପ୍ରମାଣେ ଯେଉଂ ବିଧି

ଚାରି ମେଘକୁ କହିଦେବୁ ବୁଦ୍ଧି

।।

ଏହି ମୁକୁନ୍ଦଦେବ ଅଙ୍କଠାରୁ

ଏକଚାଳିଶ ମାନେବ ଅଙ୍କରୁ

।।

ଏହି ଅଙ୍କ ଚଳନ୍ତେ ହୋ ବାସବ

ପୂର୍ବରୁ ଲବଣ ମାଡ଼ି ଆସିବ

।।

ଘୋର ପବନ ବହିବ ରାତ୍ରରେ

ଶେଷ ହେବ ଯେ ତେପନ ଘଡ଼ିରେ

।।

ପୂର୍ବ ଦିଗରୁ ଯେ ତିନି ଯୋଜନ

ଥୋକେ ନାଶ ହୋଇବେ ପ୍ରଜାଜନ

।।

ଏହିମତି ଛଡ଼ ଅଙ୍କ ଶେଷରେ

ଘୋର ଅଚାନକ ହେବ ପୃଥ୍ୱୀରେ

।।

ଗ୍ରାମ ଗ୍ରାମରେ ଦୁର୍ଭିକ୍ଷ ପଡ଼ିବ

ଠାବେ ଠାବେ ମଡ଼ା କୁଢ଼ ହୋଇବ

।।

ଥିଲା ଜନଟି ହୋଇବେ ନିଊନ

ଆଉ ନଥିବ ପ୍ରଜାଙ୍କର ଧନ

।।

ଡାକୁଆ ଜଟିଳା ଗ୍ରାମ ରଖିବେ

ଦୋସାଧୁ ପଣେ ସେ ବଡ଼ ହୋଇବେ

।।

ଚୋର ଖଣ୍ଟ ଆକଟେ ନ ଧରିବେ

ଭଲ ଜନକୁ ବାଛି କହୁଥିବେ

।।

ଯେଉଂ ଗ୍ରାମରେ ଧନ ଚୋରି ଯିବ

ଆର ଦେଶ ଲୋକ ଧରା ହୋଇବ

।।

ଖଣ୍ଡା ଖଣ୍ଡାଇତ ଜନ ଯେତେକ

ଦୋସାଧୁ ବୋଲିବେ କିଙ୍କର ଲୋକ

।।

ତାଙ୍କ କଷ୍ଟ କହିଲେ ନ ସରଇ

ପର ହସ୍ତରେ ମୁଂ ଦଣ୍ଡ ଦିଅଇ

।।

ପର ଯାଜନ ପରଦେଶ ଯହୁଂ

ପରକୁଟି ଦୋଷ ବାଛିବେ ଯେହୁ

।।

ତେଣୁକରି ତାଙ୍କୁ ଦଣ୍ଡ ବିହିଲି

ଦମନ ହସ୍ତରେ ଶାସ୍ତି ମୁଂ ଦେଲି

।।

ପରହିଂସକିଟୀ ୟେହାକୁ କହି

ଏମାନଙ୍କୁ ଇନ୍ଦ୍ର ପରତେ ନାହିଂ

।।

ସାଇ ପଡ଼ିଶାରେ ଯେତେକ ଥିବେ

ଚୁଗୁଲିଆ ଲୋକ ଭେଦ କହିବେ

।।

ମହତ ଜନେ ଦେବେ ଅପଖ୍ୟାତି

କିଙ୍କର ଗଣେଟି ବିସୁକୁପାତ

।।

ମୋହୋ ଜନମ ଦିନରୁ ବାସବ

ପରହିଂସେଙ୍କର ହେବଟି ଭୋଗ୍ୟ

।।

ୟେହାଙ୍କ ପ୍ରଭା ହେବ ଠାବେ ଠାବେ

ସାଇ ପଡ଼ିଶାରେ ସ୍ତବ କରିବେ

।।

ଲେଞ୍ଚ ଲୋକମାନେ ହୋଇବେ ଉଞ୍ଚ

ଉଞ୍ଚ ଲୋକକୁଟି ବାଛିବେ ଲେଞ୍ଚ

।।

ଖଣ୍ଟ ଖଣ୍ଡାଇତ ମାନେ ଯେତେକ

ଆକଟରେ ରଖିଥିବେ ବିବେକ

।।

ବଡ଼ ହୋଇବେ ବିସୁଳୁପାତିଆ

ବଡ଼ ମିଛ କହିବେ ଧୂଆଁଖିଆ

।।

ଇକ୍ଷ୍ମୀ ନବେ କାହାରି କନ୍ଧର

ମ୍ଳେଛ ସମାନେ ହେବେ ଅସୁନ୍ଦର

।।

ହତଲକ୍ଷ୍ମୀ ହେବେ ସ୍ତିରୀ ପୁରୁଷ

ମିଛ କହିବେ ଭଲ ଭଲ ଲୋକ

।।

ଦେବଆଳରେ ଅନ୍ୟାୟେ କରୁଥିବେ

ସାଇ ପଡ଼ିଶାରେ ପ୍ରତେ ନଥିବେ

।।

ଘରେ ଘରେ ଅନ୍ୟାୟ କରୁଥିବେ

ଦାଣ୍ଡେ ଧୋବ ଧାଉଳିଆ ହୋଇବେ

।।

ଧୂଆଂ ଖାଇବେ ଉତ୍ତମ ବ୍ରାହ୍ମଣ

ମାଛ ମାଉଂସ କରିବେ ଭୋଜନ

।।

ଗୋରୁ ଚର୍ମ ଦ୍ୱିଜ ଗୋଡ଼େ ମାଡ଼ିବେ

ମୁଖେ ତାମ୍ବୁଳ ଖାଇ ଚାଲୁଥିବେ

।।

ମୁଗୁଲ ତକତ ମାଡ଼ି ବସିବ

ସେହିଦିନୁ ଅନ୍ୟାଚାର ହୋଇବ

।।

ସେହି ଦିନରୁ ଦୁର୍ଭିକ୍ଷ ପଡ଼ିବ

ଦକ୍ଷିଣରେ ଯେ ସଂଗ୍ରାମ ହୋଇବ

।।

ପୂର୍ବ ଦିଗରେ କେହି ନ ରହିବେ

ଉତ୍ତରୁଟି ଥାଟ ମାଡ଼ି ଆସିବେ

।।

ଠାବେ ଠାବେ ହୋଇବ ରଣଗୋଳ

କାହାରି ନ ରହିବ ଥଳକୂଳ

।।

ଧାନ ଗଉଣି କାହାଣେ କଉଡ଼ି

ଖୋଜିଲେ ନ ପାଇବେ ପ୍ରଜା ଲୋଡ଼ି

।।

ସାନ ଅଢ଼ା ସାନ ବିଶାରେ ଦେବେ

ଦୁର୍ଭିକ୍ଷ ଦେଖିଣ ବିକା ବିକିବେ

।।

ରାତ୍ରରେ ଲୁଚାଇ ବିକିବେ ଧାନ

ଅନ୍ୟାୟ କରି ବନ୍ଧା ନେବେ ଧନ

।।

ଅଗାଡ଼ି ମିଶାଇ ଧାନ ବିକିବେ

ସାନ ଅଢ଼ା ସାନ ମାଣରେ ଦେବେ

।।

ଦୟା ଓପ୍ରଧଟି ନଥିବ ମନ

ଅଜ୍ଞାନେ ମୃତ୍ୟୁ ହେବେ ମୂଢ଼ଜନ

।।

ବତାଶ ପବନ ଘୋର ବହିବ

ଦକ୍ଷିଣ ଦିଗୁ ଗାମ ଭାଙ୍ଗିଯିବ

।।

ଠାବେ ଠାବେ ଲାଗିଥିବ ବିଚାର

ଠାବେ ଠାବେ ଖଣ୍ଟ ହେବେ ପ୍ରବଳ

।।

ଡାକୁଆ ଡହରା ପୃଥ୍ୱୀ ଘୋଟିବେ

ଅନେକ ଚୋରଟି ଧରା ହୋଇବେ

।।

ରାଜା କେତେକ ଥାଇ ନ ଶୁଣିବ

ଅନ୍ୟାୟ ଚବିଶ ଅଙ୍କେ ହୋଇବ

।।

କଳି ଗ୍ରାସିବ ଦିନୁଦିନ ପୁଣି

ମାୟା ସ୍ଵଭାବ ରାଜାମାନ ଜାଣି

।।

ସବୁ ଶୂଦ୍ର ବର୍ଣ୍ଣ ରାଜା ହୋଇବେ

ଅତି ଅଧାର୍ମିକ ପଣେ ବଢ଼ିବେ

।।

ଏହିରୂପେ ସର୍ବେ ହୋଇବେ ନାଶ

କେତେ କହିବା ଏ କଳି ଭବିଷ୍ୟ

।।

ପୁଣି ବାସବ ପୁଛେ କରଯୋଡ଼ି

କେତେ ରାଜା ଗଲେ ହୋଇବ ବଢ଼ି

।।

କେଉଂ ରାଜା କେଉଂ ଅଙ୍କରେ ଗୋଳ

ହୋଇବ ମୋତେ କହିବା ସକଳ

।।

ଶୁଣି କହନ୍ତି ପ୍ରଭୁ ଗୋପୀନାଥ

ରାଜା ହୋଇଛି ଯେ ବିକ୍ରମାଦିତ୍ୟ

।।

ୟା ଠାରୁ ରାଜା ଶନି ଅନିଗ୍ରହ

ଅନିଗ୍ରହ ପୁତ୍ର ମହାବିଭୟ

।।

ସେ ଏଥି ହୋଇବ ରାଜାଧିଶ୍ୱର

ରାଜ ବଲ୍ଲଭ ପୁତ୍ର ଯେ ତାହାର

।।

ସେ ରାଜା ହୋଇବ ସମୟେ ପୁଣି

ତାହାର ପୁତ୍ର ଅନ୍ତ ଚୁଡ଼ାମଣି

।।

ଜମ୍ବୁଦ୍ୱୀପର ଋଷି ରାଜା ଜାଣ

ତାର ପାଦତଳେ ପଶିବ ଶରଣ

।।

ଠାକୁର ରାଜନ ତହୁଂ ହୋଇବ

ଠାବେ ଠାବେ ସେ କୀର୍ତ୍ତି କରାଇବ

।।

ତାହାଠାରୁ ପାଞ୍ଚ ପୁରୁଷ ରାଜା

ସମୟେ ପାଳିବେ ଜନ ପରଜା

।।

କ୍ଷତ୍ରିବଂଶ ରାଜା ୟେଠାରୁ ହତ

କ୍ଷୀରୋଦ୍ର ବଂଶ ଯେ ହେବେ ଉଦିତ

।।

କ୍ଷୀରୋଦ୍ର ରାଜା ପୁତ୍ର ପଶୁପତି

ସମୟେକେ ସେହୁ ହେବ ନୃପତି

।।

ପୂର୍ବ ସମୁଦ୍ର କୁଳେ ସେହୁ କ୍ଷାତ

ତେଣୁ କ୍ଷୀରୋଦ୍ର ବଂଶ ଯେ ବିଖ୍ୟାତ

।।

ପଶୁପତି ପୁତ୍ର କଟାଳ ଦେବ

କଟାଳ ପୁତ୍ର ବିଲଗ୍ନ ଜାହ୍ନବ

।।

ରାଜା ହୋଇବ ଯେ ଜମ୍ବୁଦ୍ୱୀପରେ

ପରଜା ପାଳିବ ଅତି ସୁସ୍ଥରେ

।।

କ୍ଷେତ୍ରଦେବ ବୋଲି ତାର ତନୟେ

ଏହି କ୍ଷେତ୍ରେ ଜାତ ସେ ନୃପରାଏ

।।

ତାର ତନୟ ମତ୍ତଦେବ ବୋଲି

ତାର ଦେବବ୍ରତ ପୁତ୍ର କହିଲି

।।

ତାଠାରୁ ଅନ୍ତ କ୍ଷୀରୋଦ ନୃପତି

ଭୋଜବଂଶ ହୋଇବ ୟେଥୁ ପୃଥ୍ୱୀ

।।

ଭୋଜବଂଶରେ ଶେଷଦେବ ବୋଲି

ରଜା ହୋଇବ ମୁଂ ଫେଡ଼ି କହିଲି

।।

ଏହାର ପୁତ୍ର ପୁରସ୍ତମ ଦେବ

ଏହି ରାଜା ଯେ ପରଜା ପାଳିବ

।।

ଏହାର ଅଂଶରେ ପ୍ରତାପରୁଦ୍ର

ରୁଦ୍ର ଅଂଶରେ ସମ୍ଭବ ସେ ଭଦ୍ର

।।

ସେ ରାଜା ମୋ ପାଦେ ବଡ଼ ଭଗତି

ଋଷି ହରିଦେବ ତାର ସନ୍ତତି

।।

ନୃସିଂହ ଦେବର ପୁତ୍ର ନୋହିବ

ତେଲଙ୍ଗ ବ୍ରାହ୍ମଣୀ ରାଜା ରଖିବ

।।

ତା ଗର୍ଭୁ ପୁତ୍ର ଯେ ହୋଇବ ଜାତ

ତେଲଙ୍ଗ ରାଜା ବୋଲିଣ ବିଖ୍ୟାତ

।।

ୟେ ପରେ ତେଲଙ୍ଗ ରାଜା ହୋଇବ

ଏହାରି ଅଙ୍କେ ଯବନ ଆସିବ

।।

କଳାପାହାଡ଼ ବୋଲି ତାର ନାମ

ଅନେକ ସଂଗ୍ରାମ କରିବ ପୁଣ

।।

ସଂଗ୍ରାମକୁ ରାଜା କେହି ନଥିବେ

ପାଟରାଜା ଗଙ୍ଗାତଟରେ ଥିବେ

।।

ତେଲଙ୍ଗା ମୁକୁନ୍ଦଦେବଠାରେ ପୁଣ

କଳାପାହାଡ଼ ଲଭିବ ମରଣ

।।

ଏହାର ଅଂଶ ଏଥୁ ହେବ ଶେଷ

ଭୋଜବଂଶ ଭୋଇ ହେବ ନରେଶ

।।

ବୀରକିଶୋର ବୋଲି ରାଜା ହେବ

ଏହା ଅଂଶେ ଛଡ଼ ରାଜା ହୋଇବ

।।

ଭୋଇବଂଶରେ ରାଜା ପାତ୍ର ପୁତ୍ର

ସର୍ବଦା ଥିବେଟି ଏ ଶଙ୍ଖକ୍ଷେତ୍ର

।।

ମାହାଳିଆ ମକୁନ୍ଦ ବୋଲି ରାଜନ

ତାର ୟେକଚାଳିଶରେ ଜନମ

।।

ଆମ୍ଭେ ହୋଇବୁ ମର୍ତ୍ତ୍ୟେ ଦେହଧାରୀ

ଗୁପତେ ଥିବ ତପସ୍ୟା ଆଚରି

।।

ଏହି ରାଜା ଅଙ୍କ ଏକସ୍ତରିରେ

ନୂଆ ପାତନା ହୋଇବ ମହୀରେ

।।

ନିଜର ବଚନ କହୁଛୁ ତୋତେ

ଉତୁପାତ ଏଥି ଅଛଇ ଯେତେ

।।

କେଶୋରି ରାଜା ହୋଇଥିବ ପୁଣ

ସେ ରାଜା ହେବ ଦୋସରି ବନ୍ଧନ

।।

ଆମ୍ଭେଟି ତାକୁ ରାଜାପଣ ଦେବୁ

ଭକ୍ତକୁ ଘେନିଣ ଶାଢ଼ୀ ବାନ୍ଧିବୁ

।।

ମୁକୁନ୍ଦଦେବ ସତଚାଳିଶରେ

ଅଚାନକ ବଢ଼ି ହେବ ପୃଥ୍ୱୀରେ

।।

ଚବିଶି ଅଙ୍କଟି ତାହାକୁ କହି

ଗୁପତ କଥା କହିଲୁ ଫିଟାଇ

।।

ଏହି ଅଙ୍କଠାରୁ ଦୁଃଖ ବାସବ

ଅକାଳ ମରଣ ଗୁପତେ ହେବ

।।

ପ୍ରଜାଜନ ଘୋର କଷ୍ଟ ସହିବେ

ଅନ୍ୟାୟ କଳାରୁ ଦୁଃଖ ପାଇବେ

।।

ଆଉ ସୁଖ ନାହିଂ ଏଥୁଟି ପୁଣ

ଅଷ୍ଟ ବରଷ ପାଇବେ କଷଣ

।।

କେହୁ ଜଳରେଟି ପ୍ରାଣ ହାରିବେ

କେହୁ ଖଡ଼ଗରେ ପ୍ରାଣ ନାଶିବେ

।।

କେତେ ଜନ କାଳ ମୁଖେ ପଡ଼ିବେ

କେତେ ଚାମୁଣ୍ଡା ଖପରେ ଶୋଇବେ

।।

କେତେ ଭୈରବୀ ଡାକେ ଯିବେଟି

କେତେ ରଣେ ଧ୍ୱଂସ ହେବେଟି

।।

ରଜା ବଳେ ଧରି ନେବେ ଯୁଦ୍ଧକୁ

ବଳାତ୍କାର ଯେ କରିବେ କାହାକୁ

।।

କେତେ ଅନ୍ନ ବସ୍ତ୍ରହୀନେ ମରିବେ

କେତେ ପାପୀ ରଣଭଣ ହୋଇବେ

।।

ବତିଶ ଅଙ୍କରେ ଆମ୍ଭ ବେହାର

ଦମନ ବଳଟି ହେବେ ସଂହାର

।।

ପୁଣି ପୁଛଇ ଇନ୍ଦ୍ର ପାଦେ ପଡ଼ି

କଳିଯୁଗ ରୂପ କହ ବିସ୍ତାରି

।।

ପରଦେଶ ରଜା ଆସିବେ କେତେ

ଏହା ବିଚାରି କହ ଜଗନ୍ନାଥେ

।।

ଯୁଗ ଆଦ୍ୟରୁ ଅସ୍ତ ପରିଯନ୍ତେ

ଶ୍ରୀମୁଖରୁ ଫେଡ଼ି କହିବା ମୋତେ

।।

ହରି କହନ୍ତି ଶୁଣ ଶଚୀପତି

ଆଦ୍ୟ କଳିରେ ଯୁଜେଷ୍ଠି ନୃପତି

।।

ରଜା ଯୁଜେଷ୍ଠି ବତିଶ ବରଷ

ତାଙ୍କ ଅନ୍ତେ ପରୀକ୍ଷିତ ପ୍ରକାଶ

।।

ସୋମବଂଶେ ପରୀକ୍ଷିତ ରାଜନ

ଏକଷଠୀ ବରଷ ରଜାପଣ

।।

ଜନ୍ମେଜୟ ପରୀକ୍ଷିତ ନନ୍ଦନ

ଯଜ୍ଞ ଆରମ୍ଭ କଲା ସେ ରାଜନ

।।

ଶତେ ବରଷ ପୃଥ୍ୱୀରେ ସେ ରାଜା

ତାର ନନ୍ଦନ ଶତାନୀକ ତେଜା

।।

ନଉ ସମ୍ବତ୍ସର ହେଲା ରାଜନ

ତାର ପୁତ୍ର ଅଶ୍ୱମେଧି ନାମେନ

।।

ଅଶି ବରଷ ହୋଇଲା ନୃପତି

ତାହାର ପୁତ୍ର ଅଜଙ୍କ ସନ୍ତତି

।।

ପଞ୍ଚସ୍ତରୀ ବରଷ ପୃଥ୍ୱୀ ପାଳି

ଦେବଳକ ପୁତ୍ର ରାଜ୍ୟ ସମ୍ଭାଳି

।।

ସତୁରୀ ବରଷ ପାଳିଲା ରାଜ୍ୟ

ସୁପାରୁଷ ବୋଲି ତାର ତନୁଜ

।।

ପଞ୍ଚାବନ ବରଷ ଭୋଗକରି

ପୁତ୍ର ତାର ନଘୁଷ ଦଣ୍ଡଧାରୀ

।।

ପାଞ୍ଚ ପାଞ୍ଚ ବରଷ ନୃପରାଏ

ପୁତ୍ର ତାହାର ଯେ ଶଶି ତନୟେ

।।

ପଞ୍ଚାଶ ବରଷ ରାଜା ଯୋଗରେ

ସୁବଳ ପୁତ୍ର ତାହାର କୁମରେ

।।

ପଞ୍ଚଚାଳିଶ ବରଷ ନୃପତି

ଦେବଭୋଗ୍ୟ ବୋଲି ତାର ସନ୍ତତି

।।

ଚାଳିଶ ବରଷ ସେ ଭୋଗକରି

ତାହାଙ୍କ ପୁତ୍ରକୁ ରାଜ୍ୟ ଆବୋରି

।।

ପଞ୍ଚତିରିଶି ବରଷ ସେ ରାଜା

ବଡ଼ ସୁଖରେ ପାଳିଲା ପରଜା

।।

ତାର ସୁତ ଅବକର୍ଣ୍ଣ କୁମର

ପଞ୍ଚତିରିଶ ବର୍ଷ ଆୟୁ ତାର

।।

ତାର କୁମର ଶାନ୍ତିଶୀଳ ରାୟେ

ଅଠତିରିଶ ବର୍ଷ ରାଜା ହୋୟେ

।।

ତାର କୁମର ମହାବୀର ରାଜା

ଚାଳିଶି ବରଷ ପାଳି ପରଜା

।।

ଶ୍ୟାମ ବୋଲିଣ ଯେ ତାର କୁମର

ତେଇଶ ବରଷ ସେ ନୃପବର

।।

ତାର ସୁତ ବିଶାଖ ବୋଲି ନୃପ

ପଞ୍ଚତିରିଶ ବରଷ ସେ ଭୂପ

।।

ସୋହତି ବୋଲି ଯେ କୁମର ତାର

ତିରିଶ ବରଷ ସେ ନୃପବର

।।

ଯୁଜେଷ୍ଠି ଆଦ୍ୟ ଉନବିଂଶ ରାଜା

ସହସ୍ର ବରଷ ହୋଇଲେ ରାଜା

।।

ଏଥୁ ଅନ୍ତେ ଶୁଣ ତୁ ଶଚୀପତି

ଇନ୍ଦ୍ରଶିଖା ବୋଲି ଏକ ନୃପତି

।।

ପାଟଦେଶରେ ଯେ ତାହାର ଘର

ରାଜା ହୋଇବ ସେ ବିଂଶ ବତ୍ସର

।।

ତାର କୁମର ଶୁଭ ବୋଲି ନାମ

ଅଠର ବରଷ ତା ରାଜପଣ

।।

ତାହାରି ବଂଶରେ ଛଡ଼ ପୁରୁଷ

ଶତେ ପଞ୍ଚ ବରଷ ଯେ ନରେଶ

।।

ଏଥୁ ଅନ୍ତେ ମଗଧ ଦେଶ ରାଜା

ବଳେ ଘେନିମ ସେହୁ ଜନ ପ୍ରଜା

।।

ପାଞ୍ଚ ପୁରୁଷ ଯେ ରାଜା ହୋଇବ

ଶତେ ଅଠତିରିଶ ବର୍ଷ ଶାସିବ

।।

ସେହି ରାଜାର ମନ୍ତ୍ରୀ ନନ୍ଦୀବର୍ଦ୍ଧନ

ଶିଶୁନାଗ ବୋଲି ହେବ ରାଜନ

।।

ଏ ଦଶ ପୁରୁଷରେ ଯେ ରାଜନ

ନନ୍ଦ ସୁମାଲ୍ୟ ବେନି ରାଜ ବଂଶେଣ

।।

ଶୟେ ଶତଚାଳିଶି ଯେ ବରଷ

ଭୋଗ କରିବେ ସେ ଦଶ ପୁରୁଷ

।।

ଏଥି ମଧ୍ୟେ ମନ୍ତ୍ରୀ ବଂଶ ଯିବେ ହତ

ଦେବ ବୋଲି ସୂର୍ଯ୍ୟବଂଶ ବିଖ୍ୟାତ

।।

ତାକୁ ମାରି ବଳେ ରାଜ୍ୟ ଘେନିବେ

ଶହେ ଅଷ୍ଟୋତ୍ତର ବର୍ଷ ରାଜା ହେବେ

।।

ବଳେ ଘେନିବ ପୃଥ୍ୱୀ ମହାଭାର

ତିରିଶ ବରଷ ସେ ନୃପବର

।।

ସେହି ରାଜା ଅଂଶେ ହେବେ ରାଜନ

ରାଜ୍ୟ କରିବେ ଚାରିଶ ଛପନ

।।

ଏଥୁଅନ୍ତେ ତୁହୋ ଶୁଣ ବାସବ

ଗୁଆଳା ଦେଶର ରାଜା ହୋଇବ

।।

ଗୋପାଳ ବଂଶରେ ସେ ଉତପନ୍ନ

ମହୁରା ନଗ୍ରେଟି ସେହୁ ରାଜନ

।।

ଗୁଆଳୀକ ବୋଲି ନାମ ବିଖ୍ୟାତ

ରାଜା ହୋଇବ ତା ବଂଶରେ ସାତ

।।

ସାତ ପୁରୁଷ ସେ ହେବ ନୃପତି

ବଡ଼ ଧାର୍ମିକରେ ପାଳିବ ପୃଥ୍ୱୀ

।।

ଶହେ ସତୁରୀ ବରଷଟି ଭୋଗ

ଏଥୁଅନ୍ତେ ତୁହୋ ଶୁଣ ବାସବ

।।

ଅବନ୍ତୀକ ବୋଲି ଏକ ନଗର

ଅବନୀ ବୋଲିଣ ଯେ ନୃପବର

।।

ଏହାଠାରୁ ଯେ ଗନ୍ଧର୍ବ ଶାସନ

ପାଞ୍ଚ ପୁରୁଷ ସେ ହେବେ ରାଜନ

।।

ଶହେଅଶି ବର୍ଷ ପାଳିବେ ପ୍ରଜା

ଏହାଠାରୁ ଯିବେ ଗନ୍ଧର୍ବ ରାଜା

।।

ରାମଗୟା ପାରୁଶେ ତା ନବର

ଗନ୍ଧର୍ବ ଦେଶରେ ତା ଅଧିକାର

।।

ଗକନିୟା ରାଜବଂଶ ନୃପତି

ଗୟାନିକ ବୋଲିଣ ସେ ନୃପତି

।।

ତାର ବଂଶରେ ସେ ଦଶପୁରୁଷ

ରାଜା ହୋଇବେ ଓଡ଼ରାଷ୍ଟ୍ର ଦେଶ

।।

ମଥୁରା ଆଦି ହସ୍ତିନା ସହିତେ

ଗଙ୍ଗା ବାଣରାଶି କ୍ଷେତ୍ର ସେ ଯେତେ

।।

ଶୟେ ନଉବରଷ ଭୋଗ କରି

ଥିବ ରାଜା ରାଜ୍ୟ ପ୍ରଜା ଆବୋରି

।।

ଏଥୁ ଅନ୍ତେ କଳିଙ୍ଗ ସେନ ବଂଶରେ

ଧାଡ଼ି ଦେବ ଥାଟ ଘେନି ସଙ୍ଗରେ

।।

ବଳେ ଘେନିବ ପୃଥ୍ୱୀ ମହାଭାର

ଷୋଳ ବରଷ ହେବ ନୃପବର

।।

ଦୁଇଶ ଅଶି ବରଷହିଂ ଜାଣ

ପ୍ରଜାଙ୍କୁଟି ସେହି ଦେବ କଷଣ

।।

ଅତି ଅଧାର୍ମିକ ପଣ କରିବେ

ହୀନ ଆଚାର ସେ ରାଜା ହୋଇବେ

।।

ଅତ୍ୟନ୍ତ ମ୍ଳେଚ୍ଛ ଆଚରଣ କର୍ମ

ଏ ଅନ୍ତେ ରାଜା ହିନ୍ଦୁ ମୁସଲମାନ

।।

ହିନ୍ଦୁ ଯବନ ଆସିବେ ଉତ୍ତରୁ

ରାଜା ହୋଇବେ ସେ ଏହା ଉତ୍ତାରୁ

।।

ଦଶ ପୁରୁଷ ହୋଇବେ ରାଜନ

ତିନିଶ ବରଷ ଭୋଗ କରିଣ

।।

ପୁଣି ଏଥୁ ଅନ୍ତରେ ଶଚୀପତି

ଖୁରୁଶାଣୀ ବୋଲିଣ ଏକ ଜାତି

।।

ସବୁ ରାଜାଙ୍କୁ ସେ ସାଧ୍ୟ କରିବ

ବଳେ ପୃଥ୍ୱୀରେ ସେ ରାଜା ହୋଇବ

।।

ଆଠ ପୁରୁଷ ସେ ହେବେ ନୃପତି

ଏଥୁ ଅନ୍ତେ ଶୁଣିମା ଆନ ରୀତି

।।

ତୁତକ ବୋଲି ଜାତି ମରହଟା

ଘୋଟିବେ ବଳରେ ଓଡ଼ିଶା ଗୋଟା

।।

ମୁଗଲ ସଙ୍ଗରେ ଗୋଳ କରିବେ

ଚଉଦ ପୁରୁଷ ରାଜା ହୋଇବେ

।।

ପ୍ରଜାଙ୍କୁ ବହୁତ ଦେବେ କଷଣ

ଲୁଟ କରିବେ ଯେ ପ୍ରଜାଙ୍କ ଧନ

।।

ଫଜଲ ବାହି ଆସି ଓଡ଼ିଶାରେ

ପ୍ରବେଶ ହୋଇବ ଏ କ୍ଷେତ୍ରବରେ

।।

ଏ ଯବନ କଥା ଶୁଣ ବାସବ

ବହୁତ ଅନର୍ଥ ଏଥି କରିବ

।।

ସମସ୍ତଙ୍କ ଜାତି ସେହୁ ହରିବ

କେତେ ଜଣକୁ ଧରି ଦଣ୍ଡ ଦେବ

।।

ଗୋରୁ ମାୟେଂସ ପଞ୍ଜରା ଯେ କାଟି

ଖାଉଥିବେ ମ୍ଳେଚ୍ଛ ଯବନ ଘୋଟି

।।

ଏହା ରାଜୁତିରେ ତେର ବରଷ

କେତେ ରାଜା ସାଧ୍ୟ କରିବ ଧ୍ୱଂସ

।।

ବେଳକୁ ବେଳ ଅନ୍ୟାୟ କରିବ

ତେର ବରଷ ସରିଲେ ସେ ଯିବ

।।

ଏ ଅନ୍ତେ ବିରଞ୍ଚି ଦେଶ ରାଜନ

ମୋହନା ମୁଗଲ ନାମେ ପଠାଣ

।।

ବଡ଼ ମୁରାଟ ସେ ପାମର ପୁଣ

ବାହି ଆସିବ ଓଡ଼ିଶାକୁ ଶୁଣ

।।

କାହାରି ବଚନ ସେ ନ କରିବ

ମୂଢ଼ ବହୁତ ପ୍ରାଣୀଙ୍କି ଦଣ୍ଡିବ

।।

ଘୋର ଅନ୍ୟାୟ କରିବ ଦୁର୍ଜନ

ନୀତି ଆଚାର ଛଡ଼ାଇବ ପୁଣ

।।

ଅଧର୍ମରେ ପୃଥ୍ୱୀ ସେ ଆବୋରିବ

ୟେଗାର ବରିଷ ଭୋଗ କରିବ

।।

ଚାରି ରାଜାଙ୍କ ପ୍ରସିଦ୍ଧି କହଇ

ଛୟାଳିଶ ବରଷ ରାଜା ହୋଇ

।।

ଏଥୁ ଅନ୍ତରେ ହୋ ଶୁଣିମା ଇନ୍ଦ୍ର

କିଳିକିଳା ନାମେଣ ଏକ ନଗ୍ର

।।

ଯଶନନ୍ଦ ନାମେ ରାଜାଏ ହେବ

କିଛି ବରଷ ସେ ଭୋଗ କରିବ

।।

ଶହେ ଅଷ୍ଟୋତ୍ତର ଯେ ସମ୍ବତ୍ସର

ତାର ବଂଶରେ ହେବ ଅଧିକାର

।।

ଏହିଠାରୁ ଆସିବେ ଆନ ରାଜା

ନାନା ରୂପରେ ପାଳିବେ ପରଜା

।।

ଏଥୁ ଅନ୍ତେ ତୁ ଶୁଣ ହୋ ବାସବ

ଅଙ୍ଗଦେଶ ରାଜା ବାହି ଆସିବ

।।

ତଦଅନ୍ତେ ଯେ କୁଶଳ ଦେଶର

ଆସିବ ରାଜା ବାହି ଧାତିକାର

।।

ବୈଡ଼ୁର୍ଯ୍ୟ ବୋଲିଣ ଏକ ନବର

ସେ ରାଜା ଆସିବ ଓଡ଼ିଶା ପୁର

।।

ଚଉଦ ସତୁରୀ ବରଷ ରାଜା

ସେ ରାଜା ବଳେ ଯେ ପାଳିବ ପ୍ରଜା

।।

ୟେକ ରାଜା ୟେକା ସାତ ପୁରୁଷ

ଚାରିରାଜା ଅଠାଇଶ ପୁରୁଷ

।।

କଳି ଅଧରଟି ଭୋଗ କରିବେ

ଯବନ ବଳଟି କେହି ନଥିବେ

।।

ବଡ଼ ଧାର୍ମିକରେ ପାଳିବେ ରାଜ୍ୟ

ଧର୍ମକୁ ଟେକି ଏ କରିବେ କାର୍ଯ୍ୟ

।।

ଏଥୁ ଅନ୍ତରେ ଶୁଣ ଶଚୀପତି

ମଗଧ ଦେଶର ଏକ ନୃପତି

।।

ବଡ଼ ଅନାଚାରୀ ସେହୁ ଚଣ୍ଡାଳ

ପ୍ରଜାଙ୍କୁ କରିବେ ବଡ଼ କଟାଳ

।।

ସବୁ ବର୍ଣ୍ଣର ସେ ଜାତି ହରିବ

ତାହାରି ନିତ୍ୟାଚାର ସେ କରିବ

।।

ତାହାରି ବିଦ୍ୟାଟି ଶିକ୍ଷା କରିବେ

ତାହାରି ଭାଷାଟି ସର୍ବେ କହିବେ

।।

କେହି କାହାରି ଯେ ନୋହିବେ ସାହା

ବାପ ନ କରିବ ଝିଅକୁ ବେହା

।।

ଯେ ଯାହା ଇଚ୍ଛାରେ ବିଭା ହୋଇବେ

ସମର୍ଥ ପରେ କେହି ନଥିବେ

।।

କଳି ଯୁଗ ଘୋର ଗ୍ରାସିବ ପୁଣି

ରଣଭଣଟି ହେଉଥିବେ ପ୍ରାଣୀ

।।

ଏମାନେ ଯେଉଂ ରୂପେ ହେବେ ରାଜା

ବିରଜା ଖପରେ ହୋଇବେ ଭୋଜା

।।

ଏକ ଥାଉ ଆନ ରାଜା ଆସିବ

ଚନ୍ଦ୍ରଭାଗା ଠାରେ ରାଜା ହୋଇବ

।।

ସେ ପୁଣିଟି କରିବ ନାନା ଗୋଳ

କେତେ ଜନ ହୋଇବେ ଖଳବଳ

।।

ପାଦେ ପଡ଼ିଣ ଇନ୍ଦ୍ର ପଚାରଇ

ମୋମନେ କଥାୟେ ପଡ଼େ ଗୋସାଇଂ

।।

ୟେତେ ରାଜା ହୋଇ ହୋଇବ ରଣ

ଉଛୁର ଗଲକି ତୁମ୍ଭ ଜନମ

।।

ପ୍ରଭୁ ବୋଲନ୍ତି ବାସବକୁ ଚାହିଂ

ଉଛୁର କିମ୍ପା ହେବ ଶଚିସାଇଂ

।।

ଗୁପତ କଥାୟେ କହୁଛି ତୋତେ

ନ କହିବୁ କାହି ରଖିବୁ ଚିତ୍ତେ

।।

ଏ ଯେଉଂ ରାଜା ହୋଇବେ ଯେ ସର୍ବ

ଯେତେ ବରଷ ସଂଖ୍ୟା ଦେଲି ସର୍ବ

।।

ଏକ ସମ୍ବତ୍ସରେ ଏକ ଦିବସ

ରାଜା ହୋଇବେ ସେ ଓଡ଼ିଶା ଦେଶ

।।

ସମସ୍ତେ ଯେବେ ମିଳି ଏହି ଠାବେ

ମୋହ ଚକ୍ରରେ ସର୍ବେ ନାଶ ଯିବେ

।।

ମୋର ଉଦିତ ସେହିଦିନୁ ଜାଣ

ଏହି ବଚନ ମୋ ନୋହିବ ଆନ

।।

ସବୁ ଭକ୍ତଙ୍କର କଟିବ ରିଷ୍ଟ

ସେହିଦିନ ଯାଏ ପାଇବେ କଷ୍ଟ

।।

କେଶୋରୀ ରାଜା ତେରଅଙ୍କ ଜାଣ

ନୂଆ ପାତନା କରିବୁଂ ଭିଆଣ

।।

ଶୁଣିକରି ଇନ୍ଦ୍ର ପାଦେ ପଡ଼ିଲେ

କୋଟିୟେ ବାର ନମସ୍କାର କଲେ

।।

ଆପଣା ଭୁବନେ ଚଳିଲା ଇନ୍ଦ୍ର

ନୀଳାଞ୍ଚଳେ ବିଜେ କଲେ ଗୋବିନ୍ଦ

।।

ଏଥୁ ଅନ୍ତରେ ନିଶି ଗଲା ପାହି

ଅଚ୍ୟୁତା ଦାସ ମନରେ ଭାବଇ

।।

ନିତ୍ୟକର୍ମ ସବୁ ସାରିଲି ମୁହିଂ

ମୁକତ ମଣ୍ଡପେ ମିଳିଲି ଯାଇ

।।

ସୁଜନ ବିଜ୍ଞ ଗ୍ରନ୍ଥ ବିଚାରନ୍ତି

ମାଘ ଶୁକଳ ଏକାଦଶୀ ତିଥି

।।

ମୁକତ ମଣ୍ଡପେ କରି ଦ୍ରଶନ

ପ୍ରବେଶ ହେଲି ମୁଂ ଜଗମୋହନ

।।

ଗରୁଡ଼ ପଛରେ ହୋଇଲି ଉଭା

ପ୍ରଭୁଙ୍କ ଶ୍ରୀମୁଖ ପାଉଛି ଶୋଭା

।।

ଦର୍ଶନ କଲି ସ୍ତୁତି ଆଚରିଣ

ମିଳିଲି ଯାଇ ମୋହର ଆଶ୍ରମ

।।

ଏ ଅନ୍ତେ ସୂର୍ଯ୍ୟ ହୋଇଗଲେ ଅସ୍ତ

ସନ୍ଧ୍ୟା ସୁମରିଲି ବସି ଏକାନ୍ତ

।।

ଏମନ୍ତେ ରାତ୍ରି ହେଲା ନବଘଡ଼ି

ପ୍ରଭୁ ବିଜୟେ ନୀଳାଞ୍ଚଳ ଛାଡ଼ି

।।

ମୋର ମଠରେ ହୋଇଲେ ପ୍ରବେଶ

ଉଠ ଉଠ ବୋଇଲେ ହୃଷିକେଶ

।।

ହରି ଆଜ୍ଞା ଶୁଣି ଉଠି ବସିଲି

ପ୍ରଭୁଙ୍କ ପାଦେ ନମସ୍କାର କଲି

।।

ତୋଳି ଧରିଲେ ମୋତେ ଭାବଗ୍ରାହୀ

ଦକ୍ଷିଣ ଜାନୁରେଦେଲେ ବସାଇ

।।

ଆଜ୍ଞାଦେଲେ ଇନ୍ଦ୍ର ସମ୍ବାଦ ଲେଖ

କଳି ଭବିଷ୍ୟ ପୁରାଣ ପରଖ

।।

ଶ୍ରୀମୁଖେ ହରି ଆଜ୍ଞା ଦେଲେ ମୋତେ

ନୀଳାଞ୍ଚଳକୁ ଗଲେ ଜଗନ୍ନାଥେ

।।

ଯହୁଂ ଶ୍ରୀମୁଖରୁ ଆଜ୍ଞା ଶୁଣିଲି

କୃଷ୍ଣାଞ୍ଜନ ଆସନ ମୁହିଂ କଲି

।।

ଯେତେ ମହିମା କହିଥିଲେ ହରି

ସବୁ କହିଲି ମୁଂ ବିସ୍ତାର କରି

।।

ସୁଜନ ହିତେ ନ କରିବ ହାସ୍ୟ

ପ୍ରଭୁଙ୍କ ଭୃତ୍ୟ ମୁଂ ଅଚ୍ୟୁତ ଦାସ

।।

ସୁଜନ ହିତେ କହିଲେ ମାଧବ

ସୁଜନ ଜନେ ଗୁପତେ ରଖିବ

।।

କହିଲେ ପରେ ହେବ ଅପରାଧ

ସୁଜନ ଜନକୁ ଏ ଗ୍ରନ୍ଥ ଭେଦ

।।

ଆଜ୍ଞା ହେଲାକୁ କ୍ଷେତ୍ରେ କଲି ବାସ

ମୁଂ ସିନା ଅଟଇ ଦାସର ଦାସ

।।

ଅରକ୍ଷିତ ଟୋକା ଅଚ୍ୟୁତା ପୁଣି

l

ଏ ଗ୍ରନ୍ଥ ଲେଖିବ କରେ ଭାଳେଣି

।।

ମୁହିଂ ଯେ ଅଟଇ ଅପ୍ରାଧି ହୀନ

ସାଧୁଜନମାନ ଚରଣେ ଧ୍ୟାନ

।।

କହଇ ଅଚ୍ୟୁତ ଅଜ୍ଞାନ ରାଢ଼ି

ଏଗ୍ରନ୍ଥ ଲେଖିଲି ପଦ୍ମପାଦେ ପଡ଼ି

।।

।। ଇତିଶ୍ରୀ କଳିମାଳିକା ସଦାଜୟେ ସମ୍ପୂର୍ଣ୍ଣ

 

ଅଚ୍ୟୁତାନନ୍ଦ ରଚନାବଳୀ ମାଳିକା ଖଣ୍ଡ

କଳିଯୁଗ ଗୀତା

ପ୍ରଥମ ଅଧ୍ୟାୟ

 

ଜୟ ଜୟ ହରି ଜୟ ହେ ମୁରାରି ଜୟ ଶଙ୍ଖ ଚକ୍ରଧାରୀ

ଜୟ ପାପ ତାପ ହାରି ହେ ମୁକୁନ୍ଦ ଜୟ ଚାଣୁର କଂସାରି

ଜୟ ଦୀନବନ୍ଧୁ ଜୟ କୃପାସିନ୍ଧୁ ଜୟ ମଦନ ମୋହନ

ଜୟ ଭକ୍ତଜନ ହୃଦୟ ବାନ୍ଧବ ଜୟ ମୁରଲୀବାଦନ

 

ଅଜାମିଳ ପାପୀ ଥରେ ନାମ ଜପି ଯମ ଭୟରୁ ତରିଲା

ନିତ୍ୟ ବଇକୁଣ୍ଠେ ସୁଖରେ ବିହରି ତୁମ୍ଭ ଦାସ ବୋଲାଇଲା

ତୁମ୍ଭରି ମହିମା ନ ଜାଣଇ ବ୍ରହ୍ମା ନ ଜାଣନ୍ତି ସୁରାସୁର

କେବଳ ଜାଣନ୍ତି ନାରଦ ପ୍ରହ୍ଲାଦ ଧ୍ରୁବ ଗୋଲେଖ ଆବର

 

ଗୋପପୁର ଗୋପୀ ଜାଣନ୍ତି ହେ ଗୋପୀହୃଦୟତଟଚନ୍ଦନ

ବିପସ ନାଶନ ଆରତ ଧ୍ୱଂସନ ଯଶୋଦାଦେବୀ ନୟନ

ଦୁଃଖ ସମୟରେ ଦୁଖୀଙ୍କ ଡାକକୁ ଶୁଣୁଥାଅ କର୍ଣ୍ଣ ଡେରି

ଲକ୍ଷେକ ଯୋଜନେ ଗଜ ଡାକଦେଲା ଧାଇଁଗଲ ଚକ୍ରଧରି

 

ନକ୍ରକୁ ବିଦାରି ଗଜକୁ ଉଦ୍ଧାରି ଦ୍ୱାରିକା ଫେରି ଅଇଲ

କୁରୁସଭା ତଳେ ଦ୍ରୌପଦୀ ବିକଳେ ଡାକନ୍ତେ ତାହା ଶୁଣିଲ

କୋଟି କୋଟି ବସ୍ତ୍ର ଦେଇ ପଦ୍ମନେତ୍ର ତାହାଙ୍କ ଲଜ୍ଜା ନିବାରି

ପାଣ୍ଡବଙ୍କ ପାଇଂ କୁରୁସାଗରକୁ ଚକ୍ରେ ଛେଦିଲ ହେ ହରି

ଗୋପପୁରେ ଗୋପୀ ଗୋପାଳଙ୍କ ପାଇଂ ବାମହାତ ଅଙ୍ଗୁଳିରେ

ସାତ ଦିନ ସାତ ରାତି ଗୋବର୍ଦ୍ଧନ ଧଇଲ ସର୍ବେ ଦେଖିଲେ

ଅନ୍ଧକୁ ଯେ ଚକ୍ଷୁଦାନ ଦେଲ ହରି କାଳୀୟ ହ୍ରଦରେ ପଶି

ପଦ୍ମ ଫୁଲ ତୋଳି କାଳୀ ଗର୍ବ ଦଳି ଜଳକୁ କଲ ନିର୍ବିଷି

ବାମନ ରୂପରେ ତିନିପୁର ଦାନ ଘେନିଲ ଯେ ବଳିଠାରୁ

ଇନ୍ଦ୍ରେ ଇନ୍ଦ୍ରପଦ ଦେଇ ଯେ ବଳିକି ବାନ୍ଧିଲ ମହିମା ମେରୁ

କୁବୁଜା ନାରୀକି କଲ ବିଦ୍ୟାଧରୀ ଭକତ ଭାବରେ ଭୋଳ

ମୁହିଂ ଦୀନ ଜନ ଅଧମ ଅଜ୍ଞାନ ତୁମ୍ଭ ଚରଣ କମଳ

ଅନବରତରେ ରାତି ଦିନ ନାହିଂ ଭାବନା ଥାଏ କରିଣ

ମୋ ଦୁଃଖ ନ ଗଲା ବୟସ ସରିଲା କହିବି କାହା ଆଗେଣ

ଆହେ ସୁଜ୍ଞଜନେ ନ ଧରିବ ଦୋଷ ଯାହା ମୁଂ ଶୁଣିଛି ତାହା

ଲେଖୁଅଛି ପାର୍ଥ ଆଗେ କହିଥିଲେ ଯେଉଂପରି ଚଉବାହା

ହସ୍ତିନା ନଗର ରାଜା ଯୁଧୁଷ୍ଠିର ଦିନେ ଅର୍ଜ୍ଜୁନକୁ ଚାହିଂ

ବୋଇଲେ ହେ ବୀର ପିତୃପକ୍ଷ ଅତି ପୁଣ୍ୟକାଳ ଜାଣ ଏହି

ମୃଗମାଂସେ ଶ୍ରାଦ୍ଧ କଲେ ମହାଫଳ କହିଛନ୍ତି ମୁନିଜନେ

ଯେବେ ତାହା ଆଣି ଦେଇପାର ବାବୁ ଏହିକ୍ଷଣି ଯାଇ ବନେ

 

ନୃପତି ବଚନ ଶୁଣି ଅରଜୁନ ହସ୍ତରେ ଗାଣ୍ଡୀବ ଧରି

ଅରଣ୍ୟେ ପଶିଲା ମୃଗେକ ମାଇଲା ଅଇଲା ଘରକୁ ଫେରି

ମୃଗଭାର କରି ବାଟରେ ଆସନ୍ତେ ଦେଖିଲା ବୁଢ଼ା ବ୍ରାହ୍ମଣ

କ୍ଷେତ କିଆରୀରେ ବସିଅଛି ହସ୍ତେ ଖଣ୍ଡିଏ କାଠି ଧରିଣ

 

ଗହମ କାଟିଣ ଘେନି ଯାଇଛନ୍ତି କିଆରୀରୁ ଚଷାମାନେ

କାଟିଲା ବେଳରେ ସେସବୁ ଗହମ ଝଡ଼ିପଡିଣ ସେ ସ୍ଥାନେ

କିଆରୀ ଫାଟରେ ରହିଯାଇଅଛି ତାହା ଗୋଟି ଗୋଟି କରି

ଅତିକଷ୍ଟେ ବୁଢ଼ା ବାହାର କରଇ ହସ୍ତେ କାଠି ଖଣ୍ଡେ ଧରି

 

ନଖରେ ଗହମ ଚୋପାକୁ ଛଡ଼ାଇ ଗର୍ଭକୁ ଦିଅଇ କ୍ଷେପି

ନିଦାଘ ଖରାରେ ସର୍ବାଙ୍ଗରୁ ଝାଳ ବହିପଡ଼େ ଟୋପି ଟୋପି

ତା ଦେଖି ଅର୍ଜ୍ଜୁନ ବିକଳ ହୋଇଣ ଯାଇ ସେ ବୁଢ଼ା ପାଖକୁ

ବୋଇଲେ ହେ ଦ୍ୱିଜ ଗୋସାଇଂ ଆଶ୍ଚର୍ଯ୍ୟ ହେଲି ମୁଁ ଦେଖି ତୁମ୍ଭଙ୍କୁ

 

କାହିଂ ତୁମ୍ଭ ଘର କି ନାମ ତୁମ୍ଭର କେଉଂ ବଂଶେ ତୁମ୍ଭ ଜନ୍ମ

ବଇଶାଖ ମାସ ପ୍ରଖର ତାତିରେ ଜଳିଯାଉଛି ମୋ ବ୍ରହ୍ମ

ପଶୁପକ୍ଷୀ ବୃକ୍ଷ ଆଶ୍ରାରେ ରହିଣ ଖରା ବରଷା ପାଳନ୍ତି

ତତଲା ଭୂମିରେ ତୁମ୍ଭ ପାଦ ବେନି ନଯାଉଛି କେହ୍ନେ ତାତି

 

ଶିରେ ନାହିଂ ଛତା ପାଦେ ନାହିଂ ଯୋତା କେମନ୍ତେ ଏ ଖରା ସହି

ଏ ବୃଦ୍ଧ ବୟସେ ଏ ବିଲ ମଝିରେ ଗହମ ଖାଉଛି ରହି

ସେ ବୁଢ଼ା ବ୍ରାହ୍ମଣ ବୋଲେ ବୀର ଶୁଣ ପଚାରିଲ ଯାହା ମୋତେ

ଗର୍ଗକୁଳେ ମୋର ଜନମ ମୋ ଘର ଅଟଇ ଇନ୍ଦ୍ର ପ୍ରଶସ୍ତେ

 

ଦିବାକର ପଣ୍ଡା ମୋ ନାମ ଅଟଇ ଭୋକେ ପେଟ ଜଳିଯାଏ

ଖରା ବରଷା ଯେ ମୋତେ ନ କାଟଇ ଗହମ ମୁଂ ଖୁଣ୍ଟି ଖାଏ

ବ୍ରାହ୍ମଣ ବଚନ ଶୁଣି ଅରଜୁନ ବୋଇଲେ କର ଯୋଡ଼ିଣ

ଯେଉଂ ରାଜ୍ୟେ ରାଜା ହୋଇ ରାଜ୍ୟ ପାଳୁଛନ୍ତି ଧର୍ମ ନୃପରାଣ

 

ସେ ରାଜ୍ୟେ ଏପରି ଦରିଦ୍ର କିପରି ରହିଲା ଏ ଆଚମ୍ବିତ

ଏବେ ମୋର ବୋଲ କର ଦ୍ୱିଜବର ଆସ ମୋହର ସଙ୍ଗତ

ଯୁଧିଷ୍ଠି ରାଜାଙ୍କ ଛାମୁରେ କହିଣ କରାଇବି ଦରଶନ

ତୁମ୍ଭ ପରା ଦ୍ୱିଜ ପାଇଲେ ସେ ଆଜ ହୋଇବେ ଆନନ୍ଦ ମନ

 

ଧନରତ୍ନ ଦେଇ ଚିରଦିନ ଦୁଃଖ ହରିବେ ତୁମ୍ଭର ସେହି

ଆଜିଠାରୁ ମହା ସୁଖରେ ରହିବ ହେ ବୃଦ୍ଧ ଦ୍ୱିଜ ଗୋସାଇଂ

ପାର୍ଥର ଏ ବାଣୀ ଶୁଣି ଦ୍ୱିଜମଣି ଆକ୍ଷିରୁ ବହିଲା ପାଣି

ଶ୍ରାବଣ ମାସର ବରଷା ପରାୟ ତିନ୍ତିଗଲା ଯେ ଧରଣୀ

 

 

ଏହା ଦେଖି ପାର୍ଥ ହୋଇ ଆଚମ୍ବିତ ବୋଇଲେ ଏ କି ଆଶ୍ଚର୍ଯ୍ୟ

ଭଲକଥା ମୁହିଂ ତୁମ୍ଭଙ୍କୁ କହୁଛି କାନ୍ଦୁଛ କିପାଂ ଭୋ ଦ୍ୱିଜ

କିଛି ନ କହିଲା ମଉନେ ରହିଲା ସେ ବୁଢ଼ା ମୁଖକୁ ପୋତି

ଯେତେକ ପରାୟେ ଅର୍ଜ୍ଜୁନ କହିଲା ନ ବଳିଲା ତାର ମତି

 

ବଧିର ପରାୟେ ଅର୍ଜ୍ଜୁନ କଥାକୁ ନ ଶୁଣିଲା ସେହି ଦ୍ୱିଜ

ତାହା ଦେଖି ଅତି ଆଶ୍ଚର୍ଯ୍ୟ ହୋଇଣ ଗଲା ବାସବ ଆତ୍ମଜ

ବିସ୍ମୟ ମନରେ ମୃଗ ଭାରା ନେଇ ଯୁଧିଷ୍ଠି ଛାମୁରେ ଦେଲା

ପାଦତଳେ ପଡ଼ି ବେନିକର ଯୋଡ଼ି ପୁଣି ଉଠି ଉଭା ହେଲା

 

ବୋଇଲା ମୁଂ ଆଜ ଦେଖିଲି ଆଶ୍ଚର୍ଯ୍ୟ ଆହେ ଧର୍ମ ନରପତି

ଗହମ କ୍ଷେତରେ ବିପ୍ରେକ ବସିଛି ସେ ଅଟେ ଦରିଦ୍ର ଅତି

ଅତି ବୃଦ୍ଧ ପୁଣି ଆହେ ନୃପମଣି କାଠି ଖଣ୍ଡିଏ ଘେନିଣ

କିଆରୀ ଫାଟରେ ରହି ଯାଇଥିବା ଗହମ କଷ୍ଟେ କାଢ଼ିଣ

 

ନଖରେ ଛଡ଼ାଇ ଭକ୍ଷଣ କରଇ ଏ ଖରା ବେଳରେ ବସି

ଦେଖିଲା ମାତ୍ରକେ ତାହାକୁ ମୋହର ମନ ହେଲା ବଡ଼ ଖୁସି

ମନେ ବିଚାରିଲି ଏ ଗରିବ ଦ୍ୱିଜ ରାଜାର ଛାମୁକୁ ନେଲେ

ଅତ୍ୟନ୍ତ ଆନନ୍ଦ ହୋଇବେ ରାଜନ ଏମନ୍ତ ଦ୍ୱିଜ ପାଇଲେ

 

 

ଏମନ୍ତ ବିଚାର ସେ ବୃଦ୍ଧ ଦ୍ୱିଜକୁ କହନ୍ତେ ମୁହିଂ ବୁଝାଇ

ଭୋ-ଭୋ ହୋଇ ଡକା ପାଡ଼ିଲା ସେ ଦ୍ୱିଜ ତାହା ଦେଖିକରି ମୁହିଂ

ବହୁତ ପ୍ରକାରେ ବୁଝି କହିଲି ସେ ନ ଶୁଣିଲା ମୋର କଥା

ତୁମ୍ଭ ଆଗେ ଏହା କହିବା ନିମନ୍ତେ ଅଇଲି ହେ ମହାରଥା

 

ପାର୍ଥର ଏ ବାଣୀ ଶୁଣି ନୃପମଣି ନ ଦେଇ କିଛି ଉତ୍ତର

ଭୋ-ଭୋ ହୋଇ ଡକା ପାରିଲେ ଯୁଜେଷ୍ଠି ଆଶ୍ଚର୍ଯ୍ୟ ଗାଣ୍ଡୀବଧର

ଯେତେକ ପ୍ରକାରେ ପଚାରିଲେ କିଛି ନ କହିଲେ ତାଙ୍କୁ କଥା

ବାଳକ ପରାୟେ ରୋଦନ କରନ୍ତି ଦେଖି ପାର୍ଥ ମହାରଥା

 

ସେଠାରୁ ଉଠିଲେ ଦ୍ଵାରକାକୁ ଗଲେ ଶୁଖି ଯାଇଛି ବଦନ

ଶ୍ରୀହରିଙ୍କ ପାଖେ ପ୍ରବେଶ ହୋଇଣ କଲେ ଚରଣ ବନ୍ଦନ

ତାହାଙ୍କ ମୁଖକୁ ଚାହିଂଣ ଶ୍ରୀକୃଷ୍ଣ ବୋଇଲେ କି ଦୁଃଖ ତୋର

ମୋହର ପ୍ରାଣହୁଂ ଅଧିକ ତୁ ପ୍ରିୟ ଅଟୁହୋ ପାଣ୍ଠୁ କୁମର

 

କିପାଇଂ ବିରସ ବଦନ ତୋହର କହୁ କି ନା ମୋର ଆଗ

ତୋତେ ଦେଖି ମୋହ ଆତ୍ମା ଦଗ୍‌ଧ ହୁଏ ବିଳମ୍ବ ନକର ବେଗେ

କହିଲେ ତୋହର ଶତ୍ରୁକୁ ମାରିବି ଏ କଥା ମୋହର ସତ୍ୟ

ଶୁଣି ଅରଜୁନ ବୋଇଲେ ତାହା ମୁଂ କହୁଅଛି ହେ ଅଚ୍ୟୁତ

 

 

ରାଜାଙ୍କ ବଚନେ ମୃଗ ମାରିବାକୁ ବନକୁ ମୁଂ ଯାଇଥିଲି

କ୍ଷେତ କିଆରୀରେ ଗୋଟିଏ ଦରିଦ୍ର ବୃଦ୍ଧ ବ୍ରାହ୍ମଣ ଦେଖିଲି

କାଠି ଖଣ୍ଡକରେ ଗହମ ଫାଟରୁ କାଢ଼ି ନଖରେ ଛଡ଼ାଇ

ଭୋଜନ କରୁଛି ଏହା ଦେଖି ମୁହିଂ କହିଲି ତାଙ୍କୁ ବୁଝାଇ

 

ଯୁଧିଷ୍ଠି ରାଜାଙ୍କ ପାଖକୁ ଚାଲ ହେ ଯିବା ବ୍ରାହ୍ମଣ ଗୋସାଇଂ

ସେ ତୁମ୍ଭ ଦରିଦ୍ର ଦଶାକୁ ନାଶିବେ ନିଶ୍ଚେ ଧନରତ୍ନ ଦେଇ

ଏହା ଶୁଣି ବିପ୍ର ବହୁତ କାନ୍ଦିଲା କିଛି ନକହିଲା ମୋତେ

ଆଶ୍ଚର୍ଯ୍ୟ ହୋଇଣ ଏ କଥା ମୁଂ ଯାଇ କହିଲି ରାଜା ଅଗ୍ରତେ

 

ସେ ଶୁଣି କାନ୍ଦିଲେ କିଛି ନ କହିଲେ ତେଣୁ ମୋ ମୁଖ ମଳିନ

ଏ କଥା ଶୁଣିଲା ମାତ୍ରକେ ଶ୍ରୀକୃଷ୍ଣ ଉଚ୍ଚରେ କଲେ ରୋଦନ

ଝର ଝର ହୋଇ ତାହାଙ୍କ ନୟନୁ ଝରିଲା ଲୋତକ ବିନ୍ଦୁ

ଅର୍ଜ୍ଜୁନ ବୋଇଲେ ହେ କରୁଣା ସିନ୍ଧୁ କହ ତୁ କିପାଇଂ କାନ୍ଦୁ

 

ଏମନ୍ତ ପ୍ରକାରେ ଅର୍ଜ୍ଜୁନ ଯେତେକ କହିଲା ତାହା ଶ୍ରୀହରି

କର୍ଣ୍ଣେ ନ ଶୁଣିଲେ କିଛି ନ କହିଲେ ତା ଦେଖି ଗାଣ୍ଡୀବଧାରୀ

ଅରଣ୍ୟକୁ ଯାଇ କାଠ ବୋହି ଆଣି ଖଞ୍ଜିଲା ଅତି ଯତ୍ନରେ

ଅଗ୍ନି ଲଗାଇଣ ଘିଅ ଢାଳିଦ୍ୟନ୍ତେ ଶିଖା ଉଠିଲା ପ୍ରଖରେ

 

 

ସାତବାର ତାକୁ ପ୍ରଦକ୍ଷିଣ କରି କରେ ଧରି ଧନୁଶର।

ଅଗ୍ନିରେ ପଶନ୍ତେ ଧାଇଂଯାଇ କର ଧଇଲେ ନନ୍ଦକୁମର

ହେ ବୀର ତୁ ଆତ୍ମଘାତୀ କାହିଂପାଇଂ ହେଉଛୁ କହ ତା ମୋତେ

ଜାଣୁ ଜାଣୁ କିମ୍ପା ନରକେ ପଡ଼ିବୁ ଦଣ୍ଡିବେ ଯମର ଦୂତେ

 

ଶ୍ରୀକୃଷ୍ଣ ବଚନ ଶୁଣିଣ ଅର୍ଜ୍ଜୁନ ବୋଲଇ ଛାଡ଼ ମୋ ହସ୍ତ

ମୁହିଂ ବଡ଼ ପାପୀ ଅନଳରେ ଝାସି ତେଜିବି ପ୍ରାଣ ନିୟତ

ଶ୍ରୀକୃଷ୍ଣ ତାହାକୁ ଧରିଆଣି ପାଖେ ବସାଇ ବୋଇଲେ ଯାହା

ପଚାରିବୁ ମୋତେ କହିବି ମୁଂ ତୋତେ ଅନ୍ୟଥା ନୋହିବ ତାହା

 

ମୋତେ ତୋହ ରାଣ ଭୂଇଂ ଛୁଇଂ ପୁଣ ସତ୍ୟ କରୁଛି ତ୍ରିବାର

ଏହା ଶୁଣି ପାର୍ଥ ବୋଇଲେ ଭୋ ନାଥ କି ଦୋଷ କଲି ତୋହର

ପଚାରୁ ପଚାରୁ କାନ୍ଦିଲୁ କିପାଇଂ ଏତ ବଡ଼ ଆଚମ୍ବିତ

ବ୍ରାହ୍ମଣକୁ ଭଲ କଥା କହୁଂ କହୁଂ ସେତ ବୁଝି ବିପରୀତ

 

ଡକା ପକାଇଲା କିଛି ନକହିଲା କାହାକୁ କହିବି ତାହା

କର୍ମକୁ ଆଦରି ରାଜାକୁ କହନ୍ତେ ତାଙ୍କ ବୁଝାମଣା ଯାହା

ବୋଇଲା ହେ ହରି କହିବି କା ଆଗେ ମୋହର କରମ ମନ୍ଦ

ଭଲ କହୁଂ କହୁଂ କାନ୍ଦି ପକାଇଲେ ଚିନ୍ତିତ ହୋଇ ଗୋବିନ୍ଦ

 

 

ତୋ ପାଖକୁ ଧାଇଂ ଅଇଲି ତୋହର ବୁଝାମଣା ତ ଦେଖିଲି

ଆଉ କାହା ଆଗେ ଗୁହାରି କରିବି ମନରେ ଏହା ପାଞ୍ଚଲି

ଏ ଜୀବନ ଥାଇ କିବା ପ୍ରୟୋଜନ ଜଗତଜନ ଠାକୁର

ମୋଠାରେ ନିର୍ଦ୍ଦୟ ହେଲେଣି ମୋ ମନ ଜାଣିବ କେବଣ ନର

 

ଏମନ୍ତ ବିଚାରି ଅନଳେ ପଶନ୍ତେ ତାହା ନିବାରିଲୁ ତୁହି

ବ୍ରାହ୍ମଣ କିମ୍ପାଇଂ କାନ୍ଦିଲା କିପାଇଂ କାନ୍ଦିଲେ ହେ ନରସାଇଂ

ତୁମେ କାହିଂପାଇଂ କାନ୍ଦିଲ ସେ କଥା ନ କହିବ ଯେବେ ମୋତେ

ସତ କହୁଅଛି ଅନଳେ ପଶିବି ନିଶ୍ଚୟ ତୋର ସାକ୍ଷାତେ

 

ଜଳେ ଝାସ ଦେବି ବିଷ ଗ୍ରାସି ଅବା ତେଜିବି ପାପ ଜୀବନ

ଏହା ଶୁଣି ହରି ବୋଇଲେ ହେ ପାର୍ଥ କହୁଛି କର ଶ୍ରବଣ

ବ୍ରାହ୍ମଣ କହିଲା ଯହିଂ ପାଇଂ ତାର ମନକଥା ଅଟେ ଯାହା

ତୋ କଥା ଶୁଣିଣ ସେ ବୁଦ୍ଧ ବ୍ରାହ୍ମଣ ମନେ ବିଚାରିଲା ଏହା

 

ଆଜିଯାଏ ମୁହିଂ ଦିନେ କାଳେ ଯାହା ଶୁଣି ନଥିଲି ତା ଆଜ

ଶୁଣିଲି ଏ ବୃଦ୍ଧ ବୟସରେ ପୁଣି ଧିକ ଧିକ ମୁହିଂ ଦ୍ଵିଜ

ଧିକ ମୋର ପ୍ରାଣ ଧିକ ମୋ ଜନମ ଧିକ ଧିକ ମୋର କର୍ମ

କେଉଂ ମହାପାପ କରିଥିଲି ଅବା କେଉଂ ପାପୀର ବଦନ

 

 

ସକାଳୁ ଉଠି ମୁଂ ଚାହିଂଥିଲି ତେଣୁ ଶୁଣିଲି ଏ ପାପ କଥା

ରାଜାର ଯେ ଧନ ଖାଇବାକୁ ମୋତେ କହୁଛି ଏ ମହାରଥା

ରାଜସ୍ୱ ଦେବସ୍ୱ ବ୍ରହ୍ମସ୍ୱ ଏ ତିନି କାଳକୁଟ ବିଷ ସମ

ଏହାକୁ ଖାଇଣ କେ ପାର କରିବ ଧରିନେଇ କାଳ ଯମ

 

ଯେଉଂ ଦଣ୍ଡ ଦେବ କେ ମୁଖେ କହିବ ତହିଂର ଯାତନା ଯେତେ

ଏମନ୍ତ ବିଚାରି ସେ ବୃଦ୍ଧ ବ୍ରାହ୍ମଣ କିଛି ନ କହିଲା ତୋତେ

କର୍ମକୁ ନିନ୍ଦିଣ କାନ୍ଦିଣ ହେ ପାର୍ଥ ଶୁଣ ଧର୍ମ ନରସାଇଂ

କାନ୍ଦିଲେ ଯହିଂ କି ତାହା କହୁଅଛି ଏବେ ସାବଧାନ ହୋଇ

 

ତୋ ମୁଖୁଂ ଶୁଣିଲା ମାତ୍ରକେ ମନରେ ବିଚାର କଲେ ଏମନ୍ତ

ଧିକ ଧିକ ମୋର ଧରମ କରମ ରାଜା କୋଳେ ହେବା ଜାତ

ଏପରି ଦରିଦ୍ର ଦ୍ୱିଜର ହସ୍ତରେ ଦେଇ ନ ପାରିଲି ଧନ

ଧିକ ମୋର ଯଜ୍ଞ ଧିକ ମୋର ରାଜ୍ୟ ଧିକ ମୋର ସର୍ବ ଦାନ

 

ଏମନ୍ତ ମନରେ ବିଚାରି ରାଜନ କିଛି ନ କହି କାନ୍ଦିଲେ

ମୁହିଂ ଯହିଂ ପାଇଂ କାନ୍ଦିଲି ସେ କଥା କହୁଛି ତୋ ଆଗେ ଭଲେ

ଏ ଯୁଗେ ଏପରି ହେଉଅଛି ପୁଣ ରାଜା ପ୍ରଜାଙ୍କର ମନ

ଆଉ କେତେ ଦିନେ କଳିଯୁଗ ହେବ ଆହେ ବୀର ଅରଜୁନ

 

 

ଏହି ରାଜା ପୁଣି ବ୍ରାହ୍ମଣର ଧନ ହରି ଭଣ୍ଡାରେ ଭରିବେ

ଏହି ଦ୍ୱିଜମାନେ ରାଜସ୍ୱ ନିମନ୍ତେ ଧାରଣା ଯେ ଦେଉଥିବେ

ରାଜାର ପାହାରି ବେକରେ ହାବୁକା ମାରି ଦେଉଥିବେ ଗାଳି

ତାହା ସହି ତାଙ୍କୁ ବିନୟରେ କହି ଦେଖାଉଥିବେ ଆଞ୍ଜୋଳି

ଏହାଙ୍କର ମନ ଏପରି ହୋଇବ ଏ ସବୁ କଥା ବିଚାରି

କାନ୍ଦିଲି ହେ ପାର୍ଥ ତୋ ଆଗରେ ସତ କହିଲି ଛନ୍ଦ ନ କରି

ଶ୍ରୀହରି ମୁଖରୁ ଏମନ୍ତ ବଚନ ଶୁଣି ବାସବ ନନ୍ଦନ

ରଙ୍ଗାଚରଣରେ ଶରଣ ପଶିଣ କହଇ ହେ ଜନାର୍ଦ୍ଦନ

କଳିଯୁଗ କଥା ବିସ୍ତାର କରିଣ କହ ମୋତେ ଦୟାକରି

ମୁହିଂ ତୋର ଦାସ ନକର ନିରାଶ ଦୀନବନ୍ଧୁ ଦଇତାରି

ଶରଣ ରକ୍ଷଣ ଭକ୍ତ ନିସ୍ତାରଣ କରୁଣା ନିଧାନ ବିଭୁ

କଳିଯୁଗ ଗୀତା କହି ମୋ ପାତକ ରାଶିକି ଛେଦ ହେ ପ୍ରଭୁ

ଏମନ୍ତେ ଅର୍ଜ୍ଜୁନ ବିନୟ ବଚନ ଶୁଣି ଦେବ ଚକ୍ରଧର

ବୋଇଲେ କହିବା ବିସ୍ତାର କରିଣ କଳିଯୁଗର ବେଭାର

ସେ ହରି ଚରଣତଳରେ ଶରଣ ପଶିଣ ଅଚ୍ୟୁତ ଦୀନ

ଅନବରତରେ ଭବଭୟ ଡରେ ଡାକୁଛି ହେ ଜନାର୍ଦ୍ଦନ

ଇତିଶ୍ରୀ କଳିଯୁଗଗୀତାୟାଂ ବ୍ରହ୍ମବିଦ୍ୟାୟାଂ

ଶ୍ରୀକୃଷ୍ଣାର୍ଜ୍ଜୁନ ସମ୍ବାଦେ ନାମ ପ୍ରଥମୋଽଧ୍ୟାୟଃ

 

ଦ୍ଵିତୀୟ ଅଧ୍ୟାୟ

ରାଗ କଳସା

 

ଶ୍ରୀହରି ବୋଇଲେ ଶୁଣ ପାର୍ଥ ଧନୁର୍ଦ୍ଧର

କଳିଯୁଗରେ ଯେ କଥା ଅତି ଅଗୋଚର

ଧର୍ମବନ୍ତ ପ୍ରାଣୀମାନେ ଅଧର୍ମ କରିବେ

ଖାଇବା ନିମନ୍ତେ ଯତ୍ନେ ପଶୁଙ୍କୁ ପାଳିବେ

 

ବଢ଼ିଲେ ତାହାର ପ୍ରାଣ କଲବଲ କରି

ସାତ ପାଞ୍ଚ ମିଳି ତାକୁ ପକାଇବେ ମାରି

ବାଣ୍ଟିକୁଣ୍ଟି ନେଇ ମାଂସ ଖାଇବେ ସିଝାଇ

ଅଧର୍ମବନ୍ତଙ୍କ କଥା କି କହିବି ମୁହିଂ

 

ପୁରୁଷେ ଅସତ୍ୟ କରି ଅରଜିବେ ଧନ

ନାରୀମାନେ କହିବେ ଯେ କପଟ ବଚନ

ଗୁରୁ ବିପ୍ର ବୈଷ୍ଣବଙ୍କୁ ନ ମାନିବେ କେହି

ତାହାଙ୍କୁ ଦେଖିଲାକ୍ଷଣି କରିବେ ଟାହି

 

 

ଏକା ଗୁରୁର ଯେ ପିତା ପୁତ୍ର ହେବେ ଶିଷ୍ୟ

ମନ୍ତ୍ର ମନେ ନ ରହିବ ଜ୍ଞାନ ଯିବ ଭ୍ରଂଶ

ତମ ଆଚ୍ଛାଦିଦ ପ୍ରାଣୀ ହେବେ ଦୁଷ୍ଟମନା

ଶୂନ୍ୟ ମାର୍ଗେ ଉଡ଼ୁଥିବ ଚକ୍ରକୁଟ ବାନା

ଥିବି ମୁହିଂ ମଣିନାଗ ପର୍ବତେ ନିରତେ

ମୋତେ ଏକା ଦେଖୁଥିବେ ମୋହର ଭକତେ

ଶୁଣ ହେ ଅର୍ଜ୍ଜୁନ କଳିଯୁଗର କାହାଣୀ

ଏ ଅତି ଗୁପତ କଥା ଭବିଷ୍ୟତ ବାଣୀ

ତୁ ଯେଣୁ ଅର୍ଜ୍ଜୁନ ମୋର ପ୍ରିୟ ପ୍ରାଣସଖା

ସତ୍ୟ କଳି ପ୍ରକାଶିଲେ ତୋହ ମୋହ ଦେଖା

ଚିନ୍ତୁଥିବୁ ନିରନ୍ତର ଅଭୟ ପୟର

ତେବେ ମୁଂ ହୋଇବି ତୋର ନୟନ ଗୋଚର

ଶୁଣ ତୁ ଅର୍ଜ୍ଜୁନ ମୋର ଏ ଅମୁଲ୍ୟ ବାଣୀ

ସୁବର୍ଣ୍ଣେଶ୍ୱର ନିକଟେ ରହିଥିବି ପୁଣି

ଶୁଣି ଅର୍ଜ୍ଜୁନ ପଡ଼ିଣ କହେ କୃଷ୍ଣ ପାୟେ

ଏ ଘୋର କଳିର କଥା ଶୁଣି ଲାଗେ ଭୟେ

 

ଶ୍ରୀହରି ବୋଇଲେ ଭବଭୟେ ନୁହ ଛନ୍ନ

ଏକାକ୍ଷର ମନ୍ତ୍ରସାର କର ତୁ ଭଜନ

ଜ୍ୟୋତି ଅବାଡ଼ ଯେ ତାହା ବୁଝାଇଣ ଦେବା

ପରମହଂସକୁ ତହିଂ କରିବୁ ଯେ ସେବା

ଏବେ ଯେ କହିବା ତୋତେ କଳିର ବୃତ୍ତାନ୍ତ

ଆଗତ ଭବିଷ୍ୟ କଥା ଅଟଇ ଅମୃତ

ସାଧୁସନ୍ଥ ଜନମାନେ ହେବେ ହତମାନ୍ୟ

ତାହାକୁ ନିନ୍ଦା କରିବେ ପାଷାଣ୍ଡ ଦୁର୍ଜନ

ସମ୍ପଦ ଧନ୍ଦାରେ ପଡ଼ି ହେଉଥିବେ ଧନ୍ଦି

ସମ୍ପଦ ବିନାଶେ ମରୁଥିବେ କାନ୍ଦି କାନ୍ଦି

ଆଖି ଥାଉଂ ଥାଉଂ ଅନ୍ଧ ପ୍ରାୟ ହୋଇ ଜନ

ବାଟ ଛାଡ଼ି ଅବାଟରେ କରିବେ ଗମନ

ଅତି ଦୁଃଖିତରେ ଥିବେ ମୋହର ଭକତ

ତାହାଙ୍କୁ ଦେଖିଣ ଲୋକେ ବୋଲୁଥିବେ ଭୂତ

କେହି ବା ପାଗଳ କହି ଘଉଡ଼ାଇ ଦେବେ

କେହି ଚୋର କହି ତାଙ୍କୁ ମାଡ଼ ଯେ ମାରିବେ

ସର୍ବାଙ୍ଗେ ଚନ୍ଦନ ଛାପା ଲଗାଇଣ ଭଣ୍ଡେ

କଣ୍ଠି ବାନ୍ଧି ମାଳା ଧରି ବୁଲିବେକ ଦାଣ୍ଡେ

ବୋଲୁଥିବେ ଆମ୍ଭେ ଅଟୁ ଶ୍ରୀହରି ଭକତ

ଆମ୍ଭଠାରୁ ଜ୍ଞାନ ଶିଖ ହୋଇବ ମୁକତ

 

ଏହା କହି ଠକିଠାକି ନେଉଥିବେ ଧନ

କୁଳବତୀ ନାରୀମାନେ ଖାଇବେ ଯେ ପାନ

ଲାଜ ଭୟ ଛାଡ଼ି ଗୁରୁ ଗୌରବ ନ ମାନି

ଦାଣ୍ଡେଘାଟେ ବୁଲୁଥିବେ ଯୁବତୀ କାମିନୀ

 

କେହି ଲେଙ୍ଗୁଟି ମାରିଣ ଜଟା ବାନ୍ଧି ଶିରେ

ହସ୍ତେ କମଣ୍ଡଳୁ ଧରି ମାଳା ବାନ୍ଧି କରେ

ସର୍ବାଙ୍ଗେ ପାଉଂଶ ବୋଳି ହୋଇ ଛାଲ ପାତି

ଧୁନି ଥାପି ବୋଲାଉଣଥିବେ ଆମ୍ଭେ ଯତି

 

ଭଣ୍ଡାଇ ଲୋକଙ୍କୁ ଖାଉଥିବେ ରୋଟି ଘିଅ

ଗଞ୍ଜାଇ ପିଇଣ କରୁଥିବେ ଯେ ଅନ୍ୟାୟ

ଧର୍ମ ଅଧର୍ମକୁ ଭୟ ନଥିବ ତାଙ୍କର

କଳିଜନ୍ମ କଥା କହିଦେଲି ତୋ ଆଗର

 

ବାଲ୍ୟ ଅବସ୍ଥା ତାହାର ଶୁଣ ମନ ଦେଇ

ପାଞ୍ଚ ସାତ ମେଳ ହୋଇ ଖାଇଣ ଗଞ୍ଜାଇ

ଜ୍ଞାନ ବୁଝାଉଣ ଥିବେ ଦେଇ ଦୃଷ୍ଟାନ୍ତର

ଆପେ ଆପେ କରୁଥିବେ ନାନା ଅତ୍ୟାଚାର

 

 

ପର ଘର ଭାଙ୍ଗୁଥିବେ ନାନା କଥା କହି

ପରଧନ ହରୁଥିବେ ଗୁପତରେ ରହି

ରାଜ୍ୟରେ ସବୁ ପଦାର୍ଥ ମହରଗ ହେବ

ଅକାଳରେ ମେଘ ଧରି ପାଣି ବରଷିବ

 

ଆଷାଢ଼ ଶ୍ରାବଣ ମାସେ ନ ବଢ଼ିବ ନଈ

ଅକାଳେ ମାଡ଼ି ଆସିବ କୂଳକୁ ବୁଡ଼ାଇ

ଝିପିରି ଝିପିରି ପାଣି ବରଷିବ ମେଘ

ସର୍ବଦା ଗ୍ରାସିବ ଜନମାନଙ୍କୁ ଯେ ରୋଗ

 

ବିପ୍ରେ ବେଦ ନ ପଢ଼ିବେ ଶଉଚ ନ ହେବେ

ସନ୍ଧ୍ୟା ଚଳୁ ତରପଣ ସକଳ ଛାଡ଼ିବେ

ସୁରାପାନେ ମତ୍ତହୋଇ ବେଶ୍ୟା ସଙ୍ଗେ ମାତି

ତାହାରି ହାତରେ ଖାଇ ହରାଇବେ ଜାତି

 

ଥୋକେ ବିପ୍ର କହୁଥିବେ ଆପଣା ବଡ଼ାଇ

ପୂଜା ଖିସା କୁଶପାତ୍ରୀ ଜାଉଂଳି ପକାଇ

ମିଛେ ମିଛେ ନାକ କାନ ଛୁଉଂଥିବେ ବସି

ବେଦମନ୍ତ୍ର ଦୁଇକାଣ୍ଡି ପକାଇ ସେ ଘୋଷି

 

 

ଏହିପରି ବିପ୍ରେ ଲୋକମାନଙ୍କୁ ଭଣ୍ଡାଇ

ଆପଣାର କ୍ରିୟା ଧର୍ମ କର୍ମକୁ ବୁଡ଼ାଇ

ଯାହା କିଛି ଧନ ରତ୍ନ ମାଗି ନେଉଥିବେ

ତହିଂରେ ତାହାଙ୍କ ପେଟ ନ ପୂରିବ କେବେ

 

ଥୋକେ ବିପ୍ର ଶୂଦ୍ରଘରେ ରୋଷାଇ କରିବେ

ଶୂଦ୍ର ସେବା କରି ଦିନକାଳ କଟାଇବେ

ଆବର ଥୋକାଏ ବିପ୍ର କରିବେ ଚାକିରୀ

ଥୋକେ ବିପ୍ର କଣ୍ଠି ବାନ୍ଧି ହେବେ ପୂଜାହାରୀ

 

କେତେକ ବ୍ରାହ୍ମଣ ନୀଚ ଜାତିଙ୍କି ଯଜାଇ

ତାଙ୍କ ପିତୃଗଣଙ୍କର ଭୁକ୍ତ ଅନ୍ନ ଖାଇ

କାମ କ୍ରୋଧ ଲୋଭ ମୋହ ମଦେ ହୋଇ ଅନ୍ଧ

କରିବେ ନୀଚ ଲୋକଙ୍କ ସଙ୍ଗରେ ବିବାଦ

 

ଧର୍ମବନ୍ତ ଲୋକମାନେ ଅଧର୍ମେ ଚଳିବେ

ପଶୁ ବଧକରି ନିତ୍ୟ ଆହାର କରିବେ

କାହାଠାରେ ଲେଶମାତ୍ର ନ ରହିବ ସତ୍ୟ

ଅସତ୍ୟ କହି ତୋଷିବେ ଲୋକଙ୍କର ଚିତ୍ତ

 

 

ବେଦ ଶାସ୍ତ୍ରର ବିଚାର କିଛି ନ ରହିବ

ପୁଣ୍ୟ କର୍ମରେ କାହାର ମନ ନ ଚଳିବ

ଗାୟତ୍ରୀ ମନ୍ତ୍ରକୁ ଛାଡ଼ି ଗାରେଡ଼ି ମନ୍ତ୍ରର

ଶିକ୍ଷା କରିଣ ତହିଂରେ ପୋଷିବେ ଉଦର

 

ଛନ୍ଦ କୁଟ କପଟରେ ସଂସାର ଚଳିବ

ସମସ୍ତଙ୍କ ଘରେ ନିତ୍ୟ କଳି ଉପୁଜିବ

ପଥ ଛାଡ଼ି ଅପଥରେ ଯିବେ ନିରନ୍ତରେ

ବିପ୍ରେ କୁଟୁମ୍ବ ପୋଷିବେ କୃଷି ବାଣିଜ୍ୟରେ

 

କେହି ବିପ୍ର ରାଜସେବା କରି ହେବେ ଧନୀ

କେହି ବା ଭିକ୍ଷା କରିବେ ଭିକ୍ଷା ମୁଣି ଘେନି

ଭାଇରେ ଭାଇରେ ନିତ୍ୟ କହଳ ହୋଇବ

ପୁଅ ସଙ୍ଗରେ ବାପର ଦଣ୍ଡେ ନ ପଡ଼ିବ

 

ଶାଶୁଙ୍କୁ ବୋହୂ ମାରିଣ ଦେବ ଘଉଡ଼ାଇ

କଳିଯୁଗର ଅର୍ଜ୍ଜୁନ ବାଲ୍ୟାବସ୍ଥା ଏହି

ଏବେ ଯୁବାବସ୍ଥା କଥା ଶୁଣ ଆହେ ପାର୍ଥ

ବେଳୁଂ ବେଳ ବଢ଼ିଯିବ ସଂସାର ଅସତ୍ୟ

 

 

ଗ୍ରାମଦେବତାଏ ପୃଥ୍ୱୀ ଛାଡ଼ି ପଳାଇବେ

ମହୀମଣ୍ଡଳରେ ଗଙ୍ଗାଦେବୀ ନ ରହିବେ

ମୁହିଂ ନୀଳାଚଳ ଛାଡ଼ି ଯିବି ହୋ ଅର୍ଜ୍ଜୁନ

ମୋହର ଭଣ୍ଡାର ଘରେ ଥିବ ଯେତେ ଧନ

 

ତହିଂରେ କଳଙ୍କ ଲାଗି ଯିବ କ୍ଷୟ ହୋଇ

ମୋହର ସେବକେ ନ୍ୟାୟ ବାଟରେ ନ ଯାଇ

ବହୁତ ଅନ୍ୟାୟ କରି ଅରଜିବେ ଧନ

ତହିଂରେ ତାହାଙ୍କ ଦୁଃଖ ନୋହିବ ମୋଚନ

 

ଖାଇବାକୁ ନ ମିଳିବ କିଛି ନ ଅଣ୍ଟିବ

ମୋହର ବଡ଼ପଣ୍ଡାକୁ ଅନ୍ନ ନ ମିଳିବ

ମୋର ବଡ଼ ଦେଉଳରୁ ଖସିବ ପଥର

ଶ୍ରୀକ୍ଷେତ୍ର ରାଜନ ମୋର ନ ସେବି ପୟର

 

ରାଜ୍ୟ ଯିବ ନାନା ଦୁଃଖ ପାଇବଟି ସେହି

ତାକୁ ମାନ୍ୟ ନ କରିଲେ ଆନ ରାଜା କେହି

ବିପ୍ର କ୍ଷତ୍ରିୟେ ଅନଳେ ଆହୁତି ନ ଦେବେ

ସ୍ଥାନେ ସ୍ଥାନେ ଶିବଲିଙ୍ଗ ଅପୂଜା ରହିବେ

 

 

ଶୂଦ୍ର ହେବେ ବଡ଼ଲୋକ ପଣ୍ଡିତ ଆବର

ସନ୍ଧ୍ୟା ପୂଜା କରି ମନେ ବହି ଅହଙ୍କାର

କହୁଥିବେ ଆମ୍ଭେମାନେ ଅଟୁ ଶ୍ରେଷ୍ଠଜାତି

ବେଦକୁ ପଢ଼ି ବୁଝାଉଥିବେ ଧର୍ମ ନୀତି

 

ବୋଲିବେ ବେଦରେ ନାହିଂ ଜାତିଭେଦ କଥା

ବେଦର କଥାକୁ କେହି କରିବ ଅନ୍ୟଥା

ଯେଉଂମାନେ ଯୁଦ୍ଧବିଦ୍ୟା ଜାଣିଥିଲେ ସେହି

ରାଜା ହୋଇଣ ପୃଥ୍ୱୀରେ କ୍ଷତ୍ରିୟ ବୋଲାଇ

 

ବିପ୍ରେ ତପ ଜପ ଆଦି କର୍ମମାନ କରି

ବ୍ରହ୍ମଜ୍ଞାନ ପାଇବାରୁ ବ୍ରହ୍ମ ଚିହ୍ନିପାରି

ବ୍ରାହ୍ମଣ ନାମ ବୋଲାଇ ହୋଇବେ ପ୍ରଧାନ

ବାଣିଜ୍ୟ କରି ସବୁ ଅରଜିବେ ଧନ

 

ସେମାନେ ଧନୀ ହୋଇଣ ବୈଶ୍ୟ ବୋଲାଇଲେ

ଆଉ ଯେଉଂଲୋକ ଏହି ସଂସାରରେ ଥିଲେ

ସେମାନେ ଦୁର୍ବଳ ଆଉ ଜ୍ଞାନ ଧନହୀନ

ହୋଇବାରୁ ହେଲେ ତାଙ୍କ ସେବାରେ ଭାଜନ

 

 

ଏଣୁ ଶୂଦ୍ର ବୋଲି ତାଙ୍କୁ କହିଲେ ସକଳେ

ଆମ୍ଭେମାନେ ଜ୍ଞାନଲାଭ କଲୁ କର୍ମବଳେ

ଏଣୁ ଶ୍ରେଷ୍ଠ ଜାତି ଆମେ ବେଦ ଅନୁସାରେ

ଖଟନ୍ତି ବ୍ରାହ୍ମଣମାନେ ଆମ୍ଭର ପୟରେ

 

ଏହି ଜ୍ଞାନ ପାଇ ତାଙ୍କଠାରୁ ବିପ୍ରଗଣ

ତାହାଙ୍କୁ ଗୁରୁ କରିଣ ପୂଜିବେ ଚରଣ

କେତେକ ଶୂଦ୍ର ହୋଇବେ ମହା ବ୍ରହ୍ମଜ୍ଞାନୀ

ପୂଜା କରିବେ ସକଳେ ତାଙ୍କ ପାଦ ବେନି

 

ଠାକୁର ପରାୟେ ତାଙ୍କୁ କରୁଥବେ ମାନ୍ୟ

ତାହାଙ୍କ ଚରଣାମୃତ ନିତ୍ୟ କରି ପାନ

ଆପକୁ ଆପେ ନିଷ୍ପାପୀ ବୋଲି କହୁଥିବେ

କେତେକ ଶୂଦ୍ର ସେକାଳେ ଋଷି ବୋଲାଇବେ

 

କ୍ଷତ୍ରିୟେ ଆପଣା ବିଦ୍ୟା ତେଜି ହେବେ ଦୁଃଖୀ

ଶୂଦ୍ର ସେବି ମନେ ମନେ ହେଉଥିବେ ସୁଖୀ

ବାଣିଜ୍ୟ ନ କରି ବୈଶ୍ୟ ହୋଇବେ ନିର୍ଧନ

କଳିର ଯୌବନାବସ୍ଥା ଶୁଣିଲୁ ଅର୍ଜ୍ଜୁନ

 

 

ଏବେ କହୁଅଛି ତୋତେ ଶୁଣ ମନଦେଇ

କଳିର ବୃଦ୍ଧାବସ୍ଥା ଭୟଙ୍କର ଯେହି

ଯେତେବେଳେ ବୃଦ୍ଧାବସ୍ଥା ହୋଇବ କଳିର

ବାଦ ଅହଙ୍କାରେ ପୂର୍ଣ୍ଣ ହୋଇବ ସଂସାର

 

ଆପେ ଆପେ କହୁଥବେ ଆପଣା ବଡ଼ାଇ

କାହାରି ଶିରୀକି ପାର୍ଥ ନ ଦେଖିବେ କେହି

ବଳବନ୍ତ ଦୁର୍ବଳକୁ ଦେବେ ବହୁ ଦଣ୍ଡ

ରାଜାର ଆଗେ ଗୁହାରି କରି ଦେବେ ତଣ୍ଡ

 

ତାହାଙ୍କର ବୃତ୍ତି ବାଡ଼ି ହରି ନେଉଥିବେ

ଗୁହାରି କଲେ ତା କଥା କେହି ନଶୁଣିବେ

ଧନ ଲୋଭ ଦିନୁଂ ଦିନ ବଢୁଥିବ ପାର୍ଥ

ବାପ ମାଆକୁ ବାହାର କରିଦେବେ ସୁତ

 

ଭାରିଯା ବଶରେ ରହି ଧର୍ମକୁ ଲଙ୍ଘିବେ

ଠାକୁର ପରାୟ ତାର ଚରଣ ସେବିବେ

ସେ ଯାହା କହିବ ତାହା ନକରିବେ ଆନ

ନାରୀଙ୍କ ଚରିତ୍ର ଏବେ ଶୁଣ ହୋ ଅର୍ଜ୍ଜୁନ

 

 

ପରପୁରୁଷକୁ ଯେବେ ଦେଖିବେ ସୁନ୍ଦର

ତାହା ସଙ୍ଗେ ପ୍ରୀତି କରୁଥବେ ନିରନ୍ତର

ଧନ ଲୋଭେ କେଉଂ ନାରୀ ପର ପ୍ରୀତି କରି

ଆପଣା ସ୍ୱାମୀକି ଛାଡ଼ି ହେବେ ଦେଶାନ୍ତରୀ

 

କୁଳବତୀ କୁଳ ଛାଡ଼ି ଅକୁଳେ ରହିବେ

ଦାନ ଧର୍ମ ତପ ବ୍ରତ କିଛି ନ କରିବେ

ଦେବତା ଗୃହରେ ସନ୍ଧ୍ୟାବତୀ ନ ଜାଳିବେ

ପତି ପୁତ୍ରଠାରେ ସ୍ନେହ ଶ୍ରଦ୍ଧା ନ ରଖିବେ

 

ବେଶ୍ୟା ନାରୀଏ କରିବେ ଧର୍ମ ଆଚରଣ

ନୀଚ ନାରୀରେ ରହିବ ସତୀର ଲକ୍ଷଣ

ସ୍ମୃତିର ଅର୍ଥକୁ ଲୋକେ କରିବେ ଅନର୍ଥ

ବେଦବାକ୍ୟକୁ ପାଷାଣ୍ଡେ କରିଦେବେ ବ୍ୟର୍ଥ

 

ନବ ଦଶ ବର୍ଷେ ନାରୀ ହେବେ ଋତୁମତୀ

ଏକାଦଶ ବରଷରେ ହେବେ ପୁତ୍ରବତୀ

ପଚିଶ ବରଷେ ନାରୀ ହୋଇଯିବେ ବୁଢ଼ୀ

ଅରଜା କନ୍ୟା ହରିବେ କାମଲୋଭେ ପଡ଼ି

 

 

କାହାରି ମନ କାହାରି ସଙ୍ଗେ ନ ମିଳିବ

ଜଣେ ବୁଡ଼ି ମରୁଥିଲେ ଜଣେ ହସୁଥିବ

ଚୋରି କରୁଥିବା ଲୋକେ ସାଧୁ ବୋଲାଇବେ

ସାଧୁଏ ଚୋରି ନ କରି ଦଣ୍ଡ ପାଉଥିବେ

 

ଜାତି ଅଜାତି ସକଳେ ଏକପତ୍ରେ ବସି

ଆହାର କରିବେ ଯେତେବେଳେ ହୋଇ ଖୁସି

ଜାଣିଥିବୁ ହୋ ଅର୍ଜ୍ଜୁନ କଳି ହେବ ଶେଷ

ମୋହର ଭକତମାନେ ହୋଇବେ ପ୍ରକାଶ

 

ବ୍ୟାସ ବାଲମିକ ଆଦି ଯେତେ ଋଷିଗଣ

ହିମାଳୟରେ ଗୁପତେ ରହିଥିବେ ପୁଣ

କଳିର ଭୟରେ ମୋର ପଦେ କରି ଲୟ

ବହୁତ କଷ୍ଟରେ କାଟୁଥିବେ ସେ ସମୟ

 

ଖରା ବରଷା କାକର ଶୀତ ସହିକରି

ଘୋର କଳିକି ଜିଣିମେ ମୋର ନାମ ଧରି

ବେଦଆଦି ଶାସ୍ତ୍ରମାନେ ଲୋପ ହୋଇଯିବେ

କଳିଯୁଗର ଲୋକେଟି ବାମନ ହୋଇବେ

 

 

ବଳବୁଦ୍ଧି ହୀନ ହୋଇଯିବ ତାହାଙ୍କର

ନାନାଦି ରୋଗ ଗ୍ରାସିବ ତାହାଙ୍କ ଶରୀର

ବିଷୟାବିଷରେ ଜ୍ଞାନ ହୋଇଯିବ ହତ

ଅସତ କଥାମାନଙ୍କୁ ମଣୁଥିବେ ସତ

 

ଖଚୁଆ ମିଛୁଆ ଆଉ ପର ଘରବୁଡ଼ା

ଏମାନେ ବୁଲିବେ ଚଢ଼ି ପାଲିଙ୍କି ଯେ ଘୋଡ଼ା

ବାଟ ହୋଇବ ଅବାଟ ଅଘାଟ ଯେ ଘାଟ

ଲୋଭରେ ପ୍ରାଣୀ ମରିବେ ହୋଇ ଛଟପଟ

 

ବ୍ରାହ୍ମଣମାନେ ଗୋରୁକୁ କରିବେ ବାହନ

ଆବର କରିବେ ଗୋରୁ ମୁଷ୍କକୁ ଛେଦନ।

ଗୋରୁଙ୍କୁ କ୍ରୟ ବିକ୍ରୟ କରି ପେଟ ପୋଷି

ପର ମନ୍ଦ ଚିନ୍ତା କରୁଥିବେ ଦିବା ନିଶି

 

ଗୋଖାଦକକୁ ଯେ ଗୋରୁ ବିକିରି କରିବେ

ବିଷ୍ଣୁ ବୃକ୍ଷକୁ ଛେଦନ କରିଣ ଜାଳିବେ

ବୈଦ୍ୟମାନେ ବୈଦ୍ୟଶାସ୍ତ୍ର ନ ପଢ଼ି ନଶୁଣି

ରୋଗ ନାଡ଼ୀର ଲକ୍ଷଣ ନ ଚିହ୍ନି ନ ଜାଣି

 

 

ସତ ମିଛ କରି ଠକି ନେଉଥବେ ଧନ

ବାଳକେ ଜ୍ଞାନୀ ହୋଇଣ ବୁଝାଇବେ ଜ୍ଞାନ

ଗୋମାତାର ସ୍ତନୁ କ୍ଷୀର ନ ଝରିବ ବେଶି

ଦିନୁଂଦିନ ପୃଥିବୀରେ ହାନି ହେବ କୃଷି

 

ଚାଷ ଚଷିବାକୁ ବିଲ ନ ପାଇବେ ଲୋକେ

ପଡ଼ିଆ ଗୋଦଣ୍ଡା ତାଡ଼ି ପକାଇବେ ଥୋକେ

ଯେ ଯେତେ ଚଷିଲେ ତାକୁ ନ ଅଣ୍ଟିବ କିଛି

ଘରକରେ ଜଣେ ଜଣେ ହେବେ ପରବାସୀ

 

ସୁନା ରୂପା ଆଦି ଧାତୁ ଶସ୍ତା ହୋଇଯିବ

କେବଳ ଧାନ ଚାଉଳ ମହରଗ ହେବ

ଏହିପରି କଳିଯୁଗେ ହେବ ହେ ଅର୍ଜ୍ଜୁନ

ଶୁଣିକରି ପାର୍ଥ ଭୟେ ହୋଇ ଛନ୍ନ ଛନ୍ନ

 

ଉଠି ଶ୍ରୀହରିଙ୍କ ପାଦତଳରେ ପଡ଼ିଲା

ଦୀନ ଯେ ଅଚ୍ୟୁତାନନ୍ଦ ଗୀତରେ ଭଣିଲା

ଇତିଶ୍ରୀ କଳିଯୁଗଗୀତାୟାଂ ବ୍ରହ୍ମବିଦ୍ୟାୟାଂ

ଶ୍ରୀକୃଷ୍ଣାର୍ଜ୍ଜୁନ ସମ୍ବାଦେ ନାମ ଦ୍ୱିତୀୟୋଽଧ୍ୟାୟ

 

ତୃତୀୟ ଅଧ୍ୟାୟ

ରାଗଚକ୍ରକେଳି

 

ଦର୍ଶନ କଲି ସ୍ତୁତି ଆଚରିଣ

ମିଳିଲି ଯାଇ ମୋହର ଆଶ୍ରମ

।।

ଅର୍ଜ୍ଜୁନ ବୋଇଲେ ଭୋ ଦେବରାୟେ

ଘୋର କଳିକି ତ ଲାଗୁଛି ଭୟେ

।।

ଭବଭ୍ରମେ ଛନ୍ନ ମୋହର ମନ

ଉଦ୍ଧାର କର ହେ ପଦ୍ମଲୋଚନ

।।

ଶ୍ରୀହରି ବୋଇଲେ ଶୁଣ ହୋ ପାର୍ଥ

ଏକାକ୍ଷର ଠାରେ ଲଗା ତୁ ଚତ୍ତ

।।

ଛାୟାବାଡ଼େ ଯେବେ ମଜ୍ଜିବୁ ବାବୁ

ଛାୟା ସଞ୍ଚାରେଟି ରହିଛି ସବୁ

।।

ଜ୍ୟୋତିକି ଛାୟାଟି ଅଛି ଗୋଡ଼ାଇ

ଛାୟାର ଜ୍ୟୋତିର ଅଭିନ୍ନ ନାହିଂ

।।

ଯେଉଂ ଅନାଦିଟି ଅଶେଷ ସାଧି

ଶୂନ୍ୟ ମହାଶୂନ୍ୟ ଯାହାର ଗାଦି

।।

ରୂପ ନୁହଇ ସେ ଅରୂପ ନୋହି

ଇଚ୍ଛା ସୁଖରେ ସଂସାର ସୃଜଇ

।।

ଏମନ୍ତ ପ୍ରଭୁଙ୍କୁ ଆଶ୍ରୟ କର

ଆଶ୍ରୟ ନାମଟି ଏକା ଅକ୍ଷର

।।

ଓମିତି ଆଦିଶକ୍ତି ବୋଲି ଜାଣ

ଅବନାରୁ ବନାକ୍ଷର ପ୍ରମାଣ

।।

ବନା ବ୍ରହ୍ମା ବିଷ୍ଣୁ ମହେଶ ତିନି

ପଞ୍ଚତତ୍ତ୍ୱ ତହୁଂ ଯୁଗଳ ଘେନି

।।

ଯୁଗକୁ ଷଡ଼ବାର ହେଲା ଲେଖା

ସପତଙ୍ଗ ତହିଂ ହୋଇଲା ଶାଖା

।।

ଆଦି ଉଦୟରୁ ଅଷ୍ଟାଙ୍ଗ ସ୍ଥିତ

ଏକାଦଶ ତହୁଂ ନାମ ବିଖ୍ୟାତ

।।

ଏକାଦଶୁଂ ତୋର ପ୍ରକାଶ ହେଲା

ମିଶାଇ ପଚିଶି ପ୍ରକୃତି କଲା

।।

ପ୍ରକୃତି ପଞ୍ଚାଶ ଅକ୍ଷର ଘେନି

ବାରମାତ୍ରା ତାକୁ ଅଛଇ ମାନି

।।

ଚତୁର୍ଦ୍ଧାମୂର୍ତ୍ତି ଦେଉଳେ ପ୍ରକାଶ

ଚଉବନରେ ବାନା ନାମ ଯିସ

।।

ଧୂତପଣେ ତହିଂ କିଛି ହିଂ ନାହିଂ

ଅବଧୂତ ବୋଲି ଅଛି କୁହାଇ

।।

ଉତ୍ପତ୍ତି ପ୍ରଳୟ ଆବର ସ୍ଥିତି

ଏହି ଅବଧୂତୁଂ ସକଳ ମୂର୍ତ୍ତି

।।

ଏଥିରେ ଆତ୍ମାକୁ ଦେଖିବୁ ସମ

ସେହିଟି ଜାଣିବୁ ଅଟେ ପରମ

।।

ଜୀବର ଗତି କହିବଇଂ ଯାହା

ଅଜୀବର ପୁଣ ଅନେକ ମାୟା

।।

ଦୁର୍ଜ୍ଜୟ ଘରେ ଅନେକ ଆକୃତି

ଶୁଣ ତ ଅର୍ଜ୍ଜୁନ ଦେଇଣ ମତି

।।

ଜ୍ୟୋତି ଅବାଡ଼ ଛାୟାର ବିଧାନ

ଏବେ କହିବା ହୋ କୁନ୍ତୀନନ୍ଦନ

।।

ଶବଦ ସ୍ଵରୂପ ହଂସର ଦୀକ୍ଷା

ଏମାନ ତୋତେ କରାଇବା ଦେଖା

।।

ଜ୍ୟୋତିରୂପ ଗୋଟି ଅଟଇ ନୀଳ

ଶବଦ ସ୍ଵରୂପ ଅଟେ ଧବଳ

।।

ଅବାଡ଼ ଗୋଟି ହୋଇଅଛି ଶୂନ୍ୟ

ବାଡ଼ଟି ଛାୟା ଯତନରେ ଚିହ୍ନ

।।

ହଂସଟି ଅଟଇ ସକଳ ଖେଳା

ଜାଣିଥିବୁ ଏହା ନିହାର ଡୋଳା

।।

ଏମନ୍ତେ ଅନନ୍ତ ଶୟନ ଗୋଟି

ଅଶେଷ ସଂସାରେ ଅଛଇ ଘୋଟି

।।

ଏଟି ବିରାଟ ମନ୍ତ୍ର ଉପହାର

ଅଣ ମରୁତର କୋଠ ଭଣ୍ଡାର

।।

ଦିକି ଦିକି ହୋଇ ଦିଶିବ ବାବୁ

ଦେବଦେବୀ ସେଟି ଅଟଇ ସବୁ

।।

ଏହା ପରମମୟ ଏକାକ୍ଷର

ଅଧେକ ମାଇ ଅଧେକ ଅଣ୍ଡିର

।।

ଯେଉଂଠାରେ ସ୍ତିରୀ ପୁରୁଷ ନାସ୍ତି

ଅଣାକାର ବ୍ରହ୍ମ ଅଖଣ୍ଡ ଜ୍ୟୋତି

।।

ଶିବ ସଉନକ ବ୍ରହ୍ମାଦି ସୁରେ

ଭେଟ ନ ପାନ୍ତି ଅଶେଷ ଯୁଗରେ

।।

ସେଠାରେ ମଳୟ ହୋଇଣ ଜାତ

ମନ୍ଦ ମନ୍ଦ ହୋଇ ବହେ ମରୁତ

।।

କହିଲି ଅଖଣ୍ଡ ବହ୍ମର ଜ୍ୟୋତି

ଛାୟା ମାୟା ତହିଂ ବେନି ଆକୃତି

।।

ହଂସ ହୋଇ ସେ ଯେ ଅଟଇ କିସ

ମହାପ୍ରଭୁ ୟା କରିବା ପ୍ରକାଶ

।।

ଶୁଣ ସବ୍ୟସାଚୀ ଅମୂଲ୍ୟ ଛନ୍ଦ

ହଂସରୂପ ଗୋଟି ଅଟଇ ଧନ୍ଦ

।।

ଥଣ୍ଟ ଗୋଟି ତା କନ୍ଦର୍ପ ବୋଲାଇ

ଡେଣା ତା ପ୍ରକୃତି ଅଛଇ ହୋଇ

।।

ପାଦ ତା ଷଡ଼ ଅଇରି ଯେ ଜାଣ

ମନକୁ ଖଞ୍ଜିଛି ଡେଣା ପାଦେଣ

।।

କଟିରେ ରଖିଛି ଚତୁର ଗୁଣ

ମୁଖ ନାସା ଯେଟି ଚକ୍ଷୁ ଶ୍ରବଣ

।।

ଏମନ୍ତ ହଂସର ମୁଖ ନିଃଶ୍ୱାସ

ଡେଣାରେ ଗମଇ ସକଳ ଦେଶ

।।

ଏମନ୍ତ ହଂସକୁ ଦେଖିଲେ ବାବୁ

ବ୍ରହ୍ମଜ୍ଞାନ ପଦ ନିଶ୍ଚେଂ ଲଭିବୁ

।।

ହଂସଟି ଉଦୟ ହଂସଟି ସ୍ଥିତି

ହଂସୁଂ ପ୍ରଳୟ ଯାହା ବୋଲୁଥାନ୍ତି

।।

ହଂସଟି ବାଳକ ହିଂସଟି ଯୁବା

ହଂସକୁ ଜରା ଅବସ୍ଥା ଜାଣିବା

।।

ହଂସଟି ରଜନୀ ହଂସ ଦିବସ

ହଂସ ରାଜା ପ୍ରଜା ଗୁରୁ ଯେ ଶିଷ୍ୟ

।।

ହଂସ ଲାଞ୍ଜ ଦେଇ ଖାଉଛି ପାଣି

ବହିବା କହିବା ଲାଞ୍ଜେ ସେ ଶୁଣି

।।

ଚାହାଣି ଭ୍ରୂଲତା ଅଛଇ ଢାଙ୍କି

ଏଣୁ ଖେଳେ ସରୋବର ଉପେକ୍ଷି

।।

ମାନସ ଗିରି ଶିଖେ କରି ବାସ

ନୂଆ ପୁରୁଣା କରଇ ଅଶେଷ

।।

ମରଇ ନାହିଂ ସେ ଜୀଅଇ ନାହିଂ

ଏମନ୍ତ ହଂସ ମହାସୂକ୍ଷ୍ମ ଦେହୀ

।।

ଏ ହଂସ ରୂପଟି ଅଟେ ଶୁକଳ

ଆଶ୍ରେ କଲେ ଦିଏ ଅଶେଷ ଫଳ

।।

ଏ ଗୀତ ଗାଇଲେ ଶ୍ରଦ୍ଧା ମନେଣ

ଶୁଣିଲେ ଖଣ୍ଡିବ ଦୁର୍ଗତି ମାନ

।।

ନିଶ୍ଚେ ତା ଜନମ ହେବ ସୁଫଳ

କାଳର ଉପରେ ହେବ ତା ବଳ

।।

ଅପୁତ୍ରିକ ଲୋକ ଲଭିବ ପୁତ୍ର

ନିର୍ଧନ ଗାଇଲେ ଧନ ପ୍ରାପତ

।।

କୋଢ଼ୀ କୁଷ୍ଠୀ ଅବା ବନ୍ଦୀ ଘରେଣ

ଗାଇ ଉପେକ୍ଷିବ ନାନା କଷଣ

।।

ଅଜ୍ଞାନ ଫିଟି ଜ୍ଞାନ ହେବ ଜାତ

ଜନମ ଅନ୍ଧକୁ ଦିଶିବ ପଥ

।।

ଏଥେଂ ବିମୁଖ ଯେ ହୋଇବ ବାବୁ

ଅନ୍ନ ବସ୍ତ୍ର ଛାଡ଼ି ମିଳିବ ସବୁ

।।

ଏବେ ବିଷ୍ଣୁମାୟା ଦେବା ବୁଝାଇ

ଯେଉଂ ମାୟାବଳେ ସବୁ ଅଛଇ

।।

ଉଦେ ଅସ୍ତ ସ୍ଥିତି ଅଟଇ ମିଛ

ତା ଲୟ କର ହୋ ପାଣ୍ଡୁର ବତ୍ସ

।।

ତା ଲୟ ରଖିବ ଯେଉଂ ସ୍ଥାନକୁ

ଅବିଦ୍ୟା ମନ୍ଦିର ବୋଲିଟି ତାକୁ

।।

ଚାହୁଂଥିବୁ ଦିବ୍ୟ ଚକ୍ଷୁରେ ବାବୁ

ରୂପ ନ ଦିଶିବ ଦିଶିବ ସବୁ

।।

ଏମନ୍ତ ସ୍ଥାନଟି ଅଟେ ନିକର

ଅପଦାର୍ଥର ଏତେ ଖେଳଘର

।।

ତହୁଂଟି ଶବଦ ଅଛଇ ଆସି

ରୂପ ନୀପମୂଳେ ଅଛି ପ୍ରକାଶି

।।

ଆଜ୍ଞାରେ ଆସଇ ଆଜ୍ଞାରେ ଥାଇ

ଆଜ୍ଞା ପ୍ରମାଣରେ ତହିଂ ମିଳଇ

।।

ଆଜ୍ଞାଟି ଓଂ କାର ବ୍ରହ୍ମ ସୁରୂପ

ପଞ୍ଚ ନଳା ସଙ୍ଗେ ନିର୍ଗୁଣ କୂପ

।।

କୂପେ ପଡ଼ି ଆତ୍ମା ହୋଇଲା ଭୋଳ

ପାଦପଦ୍ମ କୂପେ ରହିଛି ଜଳ

।।

ଜଳଗୋଟି ବ୍ରହ୍ମ ପବନ ଅନ୍ନ

ପାରିଲେ ପ୍ରକୃତି ଏହିଟି ଚିହ୍ନ

।।

ଅନ୍ନ ରହିବ ଜଳକୁ ଆରୋହି

ଜଳେ ଫୁଟିବ ପାଦପଦ୍ମ ଯେହି

।।

ତେତେବେଳେ ଜ୍ଞାନ ହୁଅଇ ଭ୍ରଂଶ

ମନ୍ତ୍ର ତନ୍ତ୍ର ଯନ୍ତ୍ର ବିଦ୍ୟା ଅଦୃଶ

।।

ତେତେବେଳେ ମାତ୍ର ରହିବ ସେହି

ଅନାମିକା ବୋଲି ଯାହାକୁ କହି

।।

ସେହି ଅନାମିକା ଅଣଅକ୍ଷର

କାହିଂ ପ୍ରକାଶିଛି କେତେ ସଂସାର

।।

ଏହି ଭଜନକୁ ଭଜିବୁ ଯେବେ

ଅଜ୍ରାମର ପଦ ଲଭିବୁ ତେବେ

।।

ଅଫୁଟା ପଦ୍ମ ଭ୍ରମର ଆଦରି

ଧ୍ୱନି କରଇ ସେ କଳି ଆବୋରି

।।

ଫୁଟିଲେ ପୁଷ୍ପ ବସେ ତୁନି ହୋଇ

ପାଖୁଡ଼ା ଢାଙ୍କନ୍ତେ ରହେ ସମ୍ଭାଇ

।।

ସର୍ବ ଜାଣି ଶୁଣି ନିଆଶେ ରହି

ଭ୍ରମର ଗୁମ୍ଫାଟି ଏହାକୁ କହି

।।

ଏ ତତ୍ତ୍ୱ ଗୁପତ କଥାକୁ ଧୀରେ

ବସି ଅଭ୍ୟାସିବ ଶୁଦ୍ଧ ମନରେ

।।

ଏହାକୁ ଭଜିବ ନିର୍ଜର ମନେ

ଜରା ପଡ଼ିଲେ ଗମି ନୋହେ ସ୍ଥାନେ

।।

ଜନ୍ମିବ ଜନ୍ମ ମୃତ୍ୟୁକୁ ଅନାଇଂ

ଭକ୍ତି ନିକଟ ଏ ଅମର ଭୂଇଂ

।।

ହରେ ରାମ କୃଷ୍ଣ ମନ୍ତ୍ର ଅଭ୍ୟାସ

ଅବିନାଶୀ ସଙ୍ଗେ ମିଶା ବିନାଶ

।।

ଦଶାକ୍ଷରୀ ମନ୍ତ୍ର ସୁମର ମନ

ସ୍ତୁତି କରିବେଟି ଯଶ ଶମନ

।।

ଉଦେ ଅସ୍ତ ସ୍ଥିତି ଦେଖିବୁ ବାବୁ

ଯୁଗଳ ନାମ ଭାବକୁ ଭେଟିବୁ

।।

ଦେହରୁ ଖଣ୍ଡିବ ଦଶା ଅପାର

କିବା ବାଣିଜ୍ୟ କିବା ରାଜଦ୍ୱାର

।।

ରଣେ ବଣେ ଗଲେ ନଥିବ ଭୟ

ଜଳେ ଅନଳେ ଯଶ ନୋହେ କାୟ

।।

ବିଘ୍ନଗଣମାନେ ପାଇବେ ତ୍ରାସ

ଆହୋ ପାର୍ଥ ଏହା ଶ୍ରଦ୍ଧାରେ ଘୋଷ

।।

ଶୁଣି ଅରଜୁନ ହେଲେ ଆନନ୍ଦ

ମୁଖ ବିକାଶିଲା ପୂର୍ଣ୍ଣିମା ଚାନ୍ଦ

।।

ଶ୍ରୀହରି ପାଦରେ ଲଗାଇ ଶିର

ବୋଇଲେ ସ୍ଵାମୀ ପରିତ୍ରାଣ କର

।।

ଭବକୂପେ ମୁହିଂ ଅଛଇଂ ପଡ଼ି

କୃପା କର ଛାଡ଼ୁ ମାୟା କୁହୁଡ଼ି

।।

ଅର୍ଥ ସମ୍ପଦ ଦାରା ସୁତ ଆଦି

ଏମାନେ ସର୍ବେ ମୋ ଆତ୍ମାର ବାଦି

।।

ବାଣିଜ୍ୟ ସ୍ନେହରେ ହୋଇ ବନ୍ଧନ

ଜ୍ଞାନ ବର୍ଜ୍ଜିତ ହେଲା ମୋର ମନ

।।

ସମ୍ପଦ ଧନ୍ଦେ ହୋଇଥିଲି ଅନ୍ଧ

ଦିବ୍ୟଚକ୍ଷୁ ଦେଲେ ତୁଟିଲା ଧନ୍ଦ

।।

ଲୁଛିଯାଇ କିନା ଅଭୟ ପାଦ

ଯାହା ଚିନ୍ତିଲେ ନ ଲାଗେ ପ୍ରମାଦ

।।

ଏମନ୍ତ କହିଣ ପାଦେ ପଡ଼ିଲେ

ଭାବଗ୍ରାହୀ ଭାବେ ବୁଡ଼ିଣଗଲେ

।।

ବୋଇଲେ ପରିମୁଣ୍ଡା ଯାଇ ପ୍ରଭୁ

ବ୍ରହ୍ମଜ୍ଞାନ ପଦ କହିବା ସବୁ

।।

ଯାହା ଶୁଣିଲେ ନର୍କ ବିନାଶନ

ଅଭୟ ପାଦକୁ ଗମଇ ମନ

।।

ମୁହଂ ମନେ କରେଂ ମୋହରି ଭାବ

ମୋ ଗୁଣ ମୋତେ ଅତି ଅସମ୍ଭବ

।।

ମୁହିଂ ମହାଶୂନ୍ୟ ଅଣମଣ୍ଡଳା

ଶୁନ୍ୟ ସମାଧି ଯେ ମୋହରି ଖେଳା

।।

ଶୂନ୍ୟ ବୋଲି ସେ ଯେ ଅଟଇ ବିନ୍ଦୁ

ଯହୁଂ ପ୍ରକାଶିଲା ସପତ ସିନ୍ଧୁ

।।

ସପତ ଛନ୍ଦ ଆଦି ମହାଜଳ

ଭକ୍ତମାତ୍ର ଥିଲେ ପାଇବ ଥଳ

।।

ଏବେ ନିଷ୍ଠା ତୋତେ କହିବା ବାବୁ

ମୋ ଗୁଣଯେତେ ରଖିବୁ ଶୁଣିବୁ

।।

ମୁହିଂ ପୂର୍ବେ ମତ୍ସ୍ୟ କୂର୍ମ ହୋଇଲି

ବରାହରୂପେ ମହୀ ଉଦ୍ଧାରିଲି

।।

ମୁହିଂ ନୃସିଂହ ଯେ ବାମନ ରୂପ

ପର୍ଶୁରାମ ରାମ ଯାହାକୁ ଜପ

।।

ମୁହିଂ ଦଶରଥ ନନ୍ଦର ବଚ୍ଛି

ମୋହରି ତହିଂ ଏତେମାତ୍ର ଅଛି

।।

ମୁହିଂ ବଉଧ କଳ୍କୀ ଅବତାର

ସମୟ ପଡ଼ିଲେ ଉଶ୍ୱାସେଂ ଭାର

।।

ଏଣୁଟି ଶୁଣ ମୋ ଦଶ ଲକ୍ଷଣ

ବୀରବର ପାର୍ଥ ତୁ ମୋର ପ୍ରାଣ

।।

ମୁହିଂଟି କପିଳ ପୌଲସ୍ତ୍ୟ ମୁନି

ବ୍ୟାସ ଅଙ୍ଗିରସ ଦଣ୍ଡି ପାଣିନି

।।

ଶୁକ ସଉନକ ନାରଦ ଯତି

ବାଲ୍ମୀକି ଜନକ ମୁନି ଅଗସ୍ତି

।।

ବିଶ୍ଵାମିତ୍ର ପରାଶର ଏ ଆଦି

ଦୁର୍ବାସା ମୈତ୍ରେୟ ମାର୍କଣ୍ଡ ଗାଧୀ

।।

ଅଗ୍ନିକା ଗୋମନ୍ଥ ଋଷି ଗାର୍ଗବ

ପୃଥୁ ଋଷ୍ୟଶୃଙ୍ଗ ଆଦି ଏ ସର୍ବ

।।

ଏମନ୍ତ ବୟାଳିଶ ଅବତାର

ଏମାନେ ଜାଣଟି ମୋହ ଶରୀର

।।

ଏ ସର୍ବ ମୋ ବିନା ନୁହନ୍ତି କେହି

ସତ କଥା ତୋତେ ଦେଲିଟି କହି

।।

ମୁହିଂ ପଞ୍ଚଭୂତ ଚତୁର ଗୁଣ

କୀଟ ପତଙ୍ଗ ସ୍ଥାବର ଜଙ୍ଗମ

।।

ଜ୍ଞାନ ବିଜ୍ଞାନଟି ମୋହରି ଦେହୀ

ମୁହିଂ ହର୍ତ୍ତା କର୍ତ୍ତା ଆନଟି ନାହିଂ

।।

ମାଂସ ଦେହଗୋଟି କହିଲି ଯାହା

ସେ ସପ୍ତଦ୍ୱୀପ ଯେ ମୋହରି ଦିଆ

।।

ଏଣୁ ମୋ ଭକ୍ତି ପରିତ୍ରାଣ କଳା

ଅପର ଭକତି ହୋଇ ନିଷ୍ଫଳା

।।

ଭକ୍ତି ଗୋଟି ଜାଣ ରଖଇ ଭବ

ଉଦେ ଅସ୍ତ ସ୍ଥିତି ଅତି ଦୁର୍ଲ୍ଲଭ

।।

ଭବ ବିରଞ୍ଚି ଏଟି ଭଗବାନ

ଶଙ୍ଖ ଚକ୍ର ଗଦା ପଦ୍ମକୁ ଚିହ୍ନ

।।

ଶଙ୍ଖଟି ଛନ୍ନ ଅଟଇ ରେ ବାବୁ

ପଦ୍ମଟି ହରଷ ଯାହା ଦେଖିବୁ

।।

ଗଦାଟି ଅଟଇ ମୁହାଂସମୟ

ଚକ୍ରଗୋଟି ବୁଦ୍ଧି ରୂପେ ଉଦୟ

।।

ଏ ଆୟୁଧ ଘେନି ପରମେଶ୍ୱର

ନିତ୍ୟ ପାଳେ ସୃଜେ କରେ ସଂହାର

।।

ଏହା ଗାଇ ଶୁଣି ଶ୍ରଦ୍ଧାରେ ପ୍ରାଣୀ

ଭବତରଙ୍ଗିଣୀ ତରିବେ ପୁଣି

।।

ଏହା ଶୁଣି ପାର୍ଥ ବୋଲଇ ହରି

ତୋର କୃପାରୁ ମୁଂ ଗଲି ନିସ୍ତରି

।।

କଳ୍କୀ ରୂପେ କିପାଂ ଧରିବ ପ୍ରଭୁ

ବୁଝାଇଣ ତାହା କହିବା ସବୁ

।।

ଶ୍ରୀକୃଷ୍ଣ ବୋଲନ୍ତି ହେ ଅରଜୁନ

କହୁଅଛି ଏବେ ତାହା ତ ଶୁଣ

।।

ଅଜ୍ଞାନ ପାଷାଣ୍ଡ ମୂରୁଖ ଜାତି

ଗୁରୁଦ୍ରବ୍ୟ ଲୋଭ ମୋହରେ ମତି

।।

ପାଞ୍ଚକାହାଣ ପାଞ୍ଚପଣ ପାଇଂ

ଗ୍ରାମେ ଗ୍ରାମେ ଶିଷ୍ୟ କହିବେ ରହି

।।

ଜ୍ଞାନ ନ ଥିବଟି ଆପଣା ଗାତ୍ର

ପରକୁ ଧରି ଦେବେ ଯନ୍ତ୍ର ମନ୍ତ୍ର

।।

ଶିଖୁଥିବେ ନାନା ସାକ୍ଷୀ ଶବଦ

ଗୁରୁସେବା ବୋଲି କରିବେ ବାଦ

।।

ସାତ ପାଞ୍ଚ ତହୁଂ ଘେନିବେ ଦୀକ୍ଷା

ତେବେ ନଜାଣିବେ ଆତ୍ମାର ରକ୍ଷା

।।

କର୍ଣ୍ଣ ଦେଶରେ ଲଗାଇବେ ଫୁଲ

ଅଙ୍ଗ ପୋଛାଇ ହେଉଥବେ ଗେଲ

।।

ହସି ବଚନ କହି ପରିହାସେ

ଚୁଆ ଚନ୍ଦନ ଲଗାଇଣ ବାସେ

।।

ଅତର ଅଙ୍ଗରେ ହୋଇଣ ବୋଳି

ଗର୍ବରେ ଚାଲୁଥବେ ହଲି ହଲି

।।

ଏମନ୍ତ ଲୋକଟି ଅଟନ୍ତି କ୍ରୂର

ନିର୍ଭୟେ ବୁଲନ୍ତି ଭୂତ ଆକାର

।।

ଧରି ନେଉଥିବେ କାଳ ଶମନ

ଜାଣ ଅର୍ଜ୍ଜୁନ ଏ ନିଷ୍ଠା ବଚନ

।।

ଭୁଞ୍ଜିବେ କୈବଲ୍ୟ ସଙ୍ଗେ ଆମିସ

ଗଞ୍ଜାଇ ଖାଇ ବୋଲାଇବେ ଦାସ

।।

ଧର୍ମ ନ ଜାଣିବେ କଳି ପାଷାଣ୍ଡେ

ହିଂସା ରଜଗୁଣ ବହିବେ ପିଣ୍ଡେ

।।

କର୍ଣ୍ଣେ ନ ଶୁଣିବେ ଗୁରୁ ବଚନ

ବୋଲୁଥିବେ ଆମ୍ଭେ ଜାଣୁ ଯେ ଜ୍ଞାନ

।।

ସାତ ସତରରେ କରିବେ ମେଳ

ଗୀତା ଗ୍ରନ୍ଥ ପଢ଼ି ଇନ୍ଦ୍ରି ପ୍ରବଳ

।।

ଗୁରୁଠାରୁ ହରିବେ ଯେଉଂ ନାରୀ

ଗୁରୁମାନ୍ୟ ସ୍ତିରୀ ସାଧିକା କରି

।।

ବୋଲିବେ କର ତୁ ଚରଣ ସେବା

ଇନ୍ଦ୍ରି ପ୍ରବଳ ନିବର୍ତ୍ତ କରିବା

।।

ବିପ୍ରମାନେ ମନେ ବହିବେ ବାଦ

ଜ୍ଞାନଭ୍ରଷ୍ଟ ହେବେ ନପଢ଼ି ବେଦ

।।

ନାରୀ ସୁହାଗିନୀ କାମ ନିମନ୍ତେ

ମାରିବେ ନିର୍ବଳ ପତି ଗୁପତେ

।।

ଶୁଣିଲା ଲୋକେ ତ କହିବେ ଜ୍ଞାନ

ଅର୍ଥ କରୁଥିବେ ରଖି ପୁରାଣ

।।

ବେଦମନ୍ତ୍ର ବିପ୍ରେ ଶୂଦ୍ରଙ୍କୁ ଦେବେ

ଦକ୍ଷିଣା ଘେନିଣ ପିନ୍ଧା ପିନ୍ଧିବେ

।।

ଜିହ୍ୱାରେ ବସାଣ କରି ଅକ୍ଷର

ବୋଲିବେ ସାଧକ ହେଲୁ ଆମ୍ଭର

।।

ଷଡ଼ଚକ୍ର ଯନ୍ତ୍ରେ ବସାଣ କହି

ଅନାଦି ଛନ୍ଦକୁ ଦେବେ ବୁଝାଇ

।।

ଜ୍ୟୋତି ଅବାଡ଼ ଛାୟାମନ୍ତ୍ରଦେବେ

ହଂସଦୀକ୍ଷା ଦେଲୁ ବୋଲିବୋଲିବେ

।।

ଏକାକ୍ଷର ବୋଲି କରିବେ ଠଣା

ଉଦୟ ପଥକୁ କରିଣ ବଣା

।।

ଏହିପରି ହେବ କଳିର ପ୍ରଭା

ସିଂହଦ୍ୱାରେ ସ୍ତମ୍ଭ ହୋଇବ ଉଭା

।।

ଆଷାଢ଼ମାସେ ପୋଡ଼ୁଥିବ ଘର

ଶ୍ରାବଣମାସେ ନ ଅଣ୍ଟିବ ନୀର

।।

ଆକାଶେ ଦେବଧ୍ୱଜା ହେବ ଦୃଶ୍ୟ

ଖସିବ ଉଲୁକା ଶୂନ୍ୟୁ ବିଶେଷ

।।

ମେଘ ଘୋଟିଯିବ ଅନ୍ଧାର କରି

ଝିପିରି ଝିପିରି ବର୍ଷିବ ବାରି

।।

ଘଡ଼ଘଡ଼ି ଚଡ଼ଚଡ଼ି ମାରିବ

କେତେ ଘରଦ୍ୱାର ଭାଙ୍ଗି ପଡ଼ିବ

।।

ପଙ୍କ ବରଷିବ ଆହୋ ଅର୍ଜ୍ଜୁନ

ଜଳସଙ୍ଗେ ବୃଷ୍ଟି ହେବ ପାଷାଣ

।।

ନଦୀଏ ବଢ଼ିବେ ପ୍ରବଳ ହୋଇ

କେତେ ଘରଦ୍ଵାର ନେବ ଭସାଇ

।।

ଘୋର ପ୍ରଚଣ୍ଡ ବତାସ ବହିବ

ବଡ଼ ବଡ଼ ତରୁ ଉପୁଡ଼ି ଯିବ

।।

ମାଣକ ଭରଣ ପୂରିବ ନାହିଂ

ଶୂନ୍ୟରୁ ଶଲଭ ଆସିବେ ଧାଇଂ

।।

ସିନ୍ଦୂର ପରାୟ ତାହାଙ୍କ ରୂପ

ଉଡ଼ି ଆସୁଥିବେ ଅମାପ ମାପ

।।

ଗଛପତ୍ର ଖାଇ ଯାଉଥବେ ସେ

ମୂଷା କୀଟ ଲାଗୁଥିବେଟି ଶସ୍ୟେ

।।

ପୃଥିବୀ ରୋଦନ କରିବ ବସି

କଳିକାଳ ତାକୁ ଯିବଟି ଗ୍ରାସି

।।

ଘନ ଘନ କମ୍ପୁଥିବ ତା ଦେହ

ଭୂମିକମ୍ପେ ଲୋକେ ପାଇବେ ଭୟ

।।

କେତେ ଘରଦ୍ୱାର ଭାଙ୍ଗି ପଡ଼ିବ

ସମୁଦ୍ରରୁ ପାଣି ଉଠି ଆସିବ

।।

ମରିବେ ତହିଂରେ ବହୁତ ଜନ

ମନୁଷ୍ୟେ କରିବେ ଭୂତ ଜନମ

।।

ଦିନୁଦିନ ଘୋର ଉତ୍ପାତ ହେବ

ରାତି ଅଧେ ଭଇରବୀ ଡାକିବ

।।

ଆନନ୍ଦେ ଯୋଗିନୀଗଣ ମାତିବେ

ଭେଣ୍ଡା ମାନଙ୍କର ରକ୍ତ ଶୋଷିବେ

।।

ଶିବଜ୍ୱର ବିଷ୍ଣୁଜ୍ୱର ଏ ଦୁହେଂ

ଗ୍ରାସିଯିବେ ଆସି ଲୋକଙ୍କ ଦେହେ

।।

ଦିନକ ମଧ୍ୟରେ ହରିବେ ପ୍ରାଣ

ରଖି ନ ପାରିବେ ଭେଷଜଗଣ

।।

ଦେବେ ନ ଶୁଣିବେ ଲୋକଙ୍କ ଡାକ

ଭୟରେ କାତର ହେବେ ଅନେକ

।।

ମୋହର ପାଦରେ କରିବେ ଲୟ

ମୁହିଂ ତାହାଙ୍କର ନାଶିବି ଭୟ

।।

କଳ୍କୀ ଅବତାର ହେବ ମୋହର

ମୋହର ରୂପକୁ ଦେଖିଲେ ନର

।।

ଭୟ ଭ୍ରାନ୍ତି ସବୁ ପଳାଇ ଯିବ

କ୍ରମେ ସତ୍ୟ କଳିଯୁଗ ହୋଇବ

।।

ଲୋକେ ଦେବେ ଧର୍ମକାର୍ଯ୍ୟରେ ମନ

ଅସତ୍ୟ ପଳାଇଯିବ ବହନ

।।

ଏ ଗୁପତ କଥା ତୋ ଆଗେ ମୁହିଂ

କହିଲି ତୁ କାହିଂ କହିବୁ ନାହିଂ

।।

ହଂସକୁ ତୁ ଆଶ୍ରା କର ଅର୍ଜ୍ଜୁନ

ମୋହର ଚରଣେ ରହିବ ମନ

।।

ଟାଣ ଅହଙ୍କାର ଏମାନ ଛାଡ଼ି

ଷଡ଼ ଅଇରୀକି ଦିଅ ତୁ ଏଡ଼ି

।।

ତ୍ରିଗୁଣ ଦଉଡ଼ି ତୁ କାଟିପକା

ଛାଡ଼ିଯିବ ତୋର ହୃଦୟ ଦକା

।।

ଶୁଣି ଅରଜୁନ ଉଚ୍ଚେ ବୋଲଇ

ତ୍ରାହିକର ମୋତେ ହେ ଭାବଗ୍ରାହୀ

।।

ମୁଂ ତୁମ୍ଭ ଚରଣ ତଳର ଦାସ

ଯେ ପାଦେ କମଳାଦେବୀଙ୍କ ବାସ

।।

ଏ ଦୀନ ଅଚ୍ୟୁତ ଅଟେ ମୂରୁଖ

ତା ଦୁଃଖ ବିନାଶ ହେ ପଦ୍ମମୁଖ

।।

ଏହି ଗୀତା ସାଧୁ ସନ୍ଥର ଧନ

ପଢ଼ିଲେ ଶୁଣିଲେ ବଢ଼ିବ ଜ୍ଞାନ

।।

କଳି କଳୁଷକୁ ପାରିବ ନାଶି

ଭବଜଳେ ଆଉ ନ ଯିବ ଭାସି

।।

ଜ୍ଞାନସାଗର ଏ ଅଜ୍ଞାନ ଅସି

ଦିବାନିଶି ଏଥେଂ ଥିଲେଟି ରସି

।।

ତ୍ରିଗୁଣ ରଜୁକୁ କାଟିବ ହେଳେ

ଅଚ୍ୟୁତା ଅଚ୍ୟୁତ ପୟର ଭାଳେ

।।

 

 

 

 

ଇତିଶ୍ରୀ କଳିଯୁଗ ଗୀତାୟାଂ ବ୍ରହ୍ମବିଦ୍ୟାୟାଂ ହରିଅର୍ଜ୍ଜୁନ ସମ୍ବାଦେ ନାମ ତୃତୀୟୋଽଧ୍ୟାୟ

 

କଳି ମହିମା ଶାସ୍ତ୍ର ପ୍ରକାଶ

ପ୍ରଥମ ଅଧ୍ୟାୟ

 

ଜୟ ଶ୍ରୀକୃଷ୍ଣ ଦାମୋଦର

ପତିତ ଜନଙ୍କୁ ଉଦ୍ଧର

।।

ତୋହର ଆଦି ଅନ୍ତଂ ନାହିଂ

କେ ଅବା ପାରେ ମୁଖେ କହି

।।

ୟେ ପୃଥ୍ୱୀ ଆପ ତେଜ ବାଇ

ମନ ଅହଙ୍କାର ଭେଦଇଂ

।।

ମୁଂ ମୂଢ଼ ଅଟଇ ଅଗ୍ୟନ

ତୁମ୍ଭ ଚରଣେ ଥାଉ ଧ୍ୟାନ

।।

ତୋ ପାଦ ପଦ୍ମେ ରହୁଂ ମନ

ସୁଜନେ ସାବଧାନେ ଶୁଣ

।।

କୃଷ୍ଣ ଚରଣ ତଳେ ପଡ଼ି

ଗରୁଡ଼ ବୋଲେ କରଯୋଡ଼ି

।।

ଭୋ ପ୍ରଭୁ କମଳା ରମଣ

ଅନାଦି ପରମ କାରଣ

।।

ମୁଂ ମୂଢ଼ ତୁମ୍ଭଙ୍କୁ ପୁଚ୍ଛଇ

ଭୋ ପ୍ରଭୁ ତୈଲୋକ୍ୟ ଗୋସାଇଂ

।।

ତୋହର ମାୟା ଯୋଗବଳେ

ସଂସାର ଜନ ଅବହେଳେ

।।

ମାୟାରେ ପଡ଼ିହୋନ୍ତି ବଣା

ଭୋ ପ୍ରଭୁ କରିବା କରୁଣା

।।

ସକଳ ତୁହି ସେ ଭିଆଉ

ତୋ ବିନୁ ଅନ୍ୟ ନାହିଂ ଆଉ

।।

ମୁଂ ହୀନ ତୋହର କିଙ୍କର

ଶୁଣିଣ ହୋଇବି ନିସ୍ତାର

।।

ଗରୁଡ଼ ବାକ୍ୟେ ଦାମୋଦର

ବୋଲନ୍ତି ଶୁଣ ପକ୍ଷୀବର

।।

ଶୁଣି ତ ଇଚ୍ଛା ଯେବେ ତୋର

କହିବା ସକଳ ବିଚାର

।।

ଶୁଣ ଗରୁଡ଼ ମନ ଦେଇ

ପୃଥ୍ୱୀ ଉତ୍ପାତ ତୋତେ କହିଂ

।।

ପ୍ରାଣୀଏ ଅନ୍ଧ ଯେ ହୋଇବେ

ଧର୍ମାଧର୍ମ ସେ ନଜାଣିବେ

।।

ଗୁରୁ ବୈଷ୍ଣବ ସେ ନ ମାନି

ସବିହେଂ ହେବେ ହିଂସାଗାମୀ

।।

ଏ ରୂପେ ହେବେ ସେ ଅପାର

ତେଣୁ ହୋଇବେ ନାରଖାର

।।

ଏମନ୍ତେ ଶ୍ରୀକୃଷ୍ଣର ବାଣୀ

ଗରୁଡ଼ କାନ୍ଦି ଉଠେ ପୁଣି

।।

ପ୍ରେମରେ ଅଜ୍ଞାନ ହୋଇଲା

ଶ୍ରୀକୃଷ୍ଣ ପାଦରେ ପଡ଼ିଲା

।।

ସେଠାରେ ମନ ମୋର ଥିଲା

ତେଣୁ ଶ୍ରୀକୃଷ୍ଣ କୃପା ହେଲା

।।

କିଛି ହିଂ ନ ଜାଣଇଂ ମୁହିଂ

ସାଧୁଙ୍କ ସଙ୍ଗେ ମୋର ନାହିଂ

।।

ଦୁର୍ଜନ ଜନକୁ ଡରଇ

ବୃତ୍ତି ପାଟଣା ମୋର ନାହିଂ

।।

ଚିତ୍ରଉତ୍ପଳା ନଦୀ ତୀରେ

ଅଛଇ ନେମ୍ବାଳ ଗ୍ରାମରେ

।।

ଏହି ଥାନରେ ଅଛି ରହି

ମୁଂ ମୂଢ଼ ପାଇବିଟି କାହିଂ

।।

ଏଣୁ ଯେ ଇଚ୍ଛା ହେଲା ମୋର

ସୁଦୟା କଲେ ଚକ୍ରଧର

।।

ତେଣୁ ସେବା ଆଶ୍ରିଛି ମୁହିଂ

ସୁଜନ ପାଦେ ଚିତ୍ତ ଦେଇ

।।

ଅଜ୍ଞାନ ପାମର ଅଟଇ

ସାଧୁଙ୍କ ସେବା ମୋର ନାହିଂ

।।

କହୁଛି ଶ୍ରୀକୃଷ୍ଣ ବିଚାରି

ସୁଜନେ ନାମ ଆଶ୍ରେ କରି

।।

ସକଳ ମାୟା ମୋହ ଛାଡ଼ି

ଶ୍ରୀହରି ନାମେ ରହ ବୁଡ଼ି

।।

ନାମହୁଂ ଅନ୍ୟ କେହି ନାହିଂ

ଧଇଲେ କାଳ ହିଂ କାଟଇଂ

।।

କାଳଟି କରିଅଛି ବଣା

ଗୋବିନ୍ଦ ପାଦେ କର ଠଣା

।।

ଶ୍ରୀହରି ବଚନଟି ଏହି

ପାଷାଣ୍ଡେ ନ କହିବ ଫେଇ

।।

ଗରୁଡ଼ ମୁଖକୁ ଅନାଇ

ବୋଲନ୍ତି ପ୍ରଭୁ ଭାବଗ୍ରାହୀ

।।

ଶୁଣ ତୁ ବିନତାର ସୁତ

କହିବା ସକଳ ଚରିତ

।।

ଶୁଣ ଗରୁଡ଼ ତୋଷ ଚିତ୍ତେ

ଦ୍ୱନ୍ଦ୍ୱ ପଡ଼ିବ ଯେତେ ଯେତେ

।।

କେହି ତା ଜାଣି ନ ପାରିବେ

ଜାଣିଲା ଜନ ନ କହିବେ

।।

ଅନେକ ପଡ଼ିବ ପ୍ରମାଦ

ବ୍ରାହ୍ମଣେ ହୋଇବେଟି ବଧ

।।

ବର୍ଣ୍ଣ ଆଚାର ନ ରହିବ

ଏକାକାରଟି ସେ ହୋଇବ

।।

କାହାକୁ କେହି ବାନ୍ଧୁଥିବ

କିସ କିଏସେ ଘେନିଯିବ

।।

ଏମନ୍ତେ ଦିନା କେତେ ହେବ

ବିଚାର କାହିଂ ନ ରହିବ

।।

ପୁଣି ଅଘଟ ଘଟି ଜାଣ

ଅଳପ ଆସିବେ ଦମନ

।।

ନବ ଅଙ୍କରେ ପରବେଶ

ହୋଇବେ ଓଡ଼ିଶାର ଦେଶ

।।

ଆଶ୍ୱିନ କାର୍ତ୍ତିକ ମାସରେ

ଅବଶ୍ୟ ଆସିବେଟି ଖରେ

।।

ଚଢ଼ି ଘୋଡ଼ାରେ ରାଜ୍ୟ ନେବେ

ରହିଣ କେହି ନ ପାରିବେ

।।

ଯେ ଦିନ ଆସିବେ ଯମନ

 

ସେ ଦିନ କଥା ଏବେ ଶୁଣ

।।

ଦ୍ରୋଣ ମେଘ ଶୂନ୍ୟେ ଘୋଟିବ

ଇଶାନ୍ୟ କୋଣରୁ ଆସିବ

।।

ବରଷା ଫିରି ଫିରି କରି

ବରଷୁଥିବ ଦିନ ଧରି

।।

ସୂର୍ଯ୍ୟଙ୍କୁ ଦ୍ରଶନ ନୋହିବ

ଦିନକୁ ଅନ୍ଧକାର ହେବ

।।

ଅଣଚାଶ ବାଇ ବହିବ

ଜଳରେ ଆଚ୍ଛାଦନ ହେବ

।।

ମରିବେ ଅନେକଟି ଜନ

ନାଶ ହିଂ ଯିବି ବହୁଧନ

।।

ଘର ଛାଡ଼ିଣ ପଳାଇବେ

ବାଘ ଭଲ୍ଲୁକ ଖାଉଥିବେ

।।

ଏ ରୂପେ ହୋଇବେଟି ବଣା

ଗୋବିନ୍ଦ ପାଦେ କର ଠଣା

।।

ସକଳ ପାପରୁ ତରିବ

ଯେ ପ୍ରାଣୀ ଏହା ଘୋଷୁଥିବ

।।

ତେଣୁ ମୋ ମନ ହିଂ ଉଠିଲା

କି କଳ୍ପତରୁ ଉଦେ ହେଲା

।।

ସୁଜନେ ସାଧୁ ସଙ୍ଗ କର

ପ୍ରମାଣ ସିନ୍ଧୁ ହେବ ପାର

।।

ଶ୍ରୀକୃଷ୍ଣ ପାଦେ ଦେଇ ଚିତ୍ତ

ଭଣନ୍ତି ଦୀନ ଯେ ଅଚ୍ୟୁତ

।।

 

 

 

 

ଇତିଶ୍ରୀ ମହିମା ଶାସ୍ତ୍ର ପ୍ରକାଶେ ଶ୍ରୀକୃଷ୍ଣ ଗରୁଡ଼ ସମ୍ବାଦେ ନାମ ପ୍ରଥମୋଽଧ୍ୟାୟ

 

ଦ୍ୱିତୀୟ ଅଧ୍ୟାୟ

 

ବୋଲନ୍ତି ବିନତା କୁମର

ହେ ପ୍ରଭୁ ବ୍ରହ୍ମାଣ୍ଡ ଠାକୁର

।।

ଏମନ୍ତ କହିଲ ଗୋସାଇଂ

ଶୁଣି ତାଟକା ହେଲି ମୁହିଂ

।।

ପବନ ଯୋଗେ ନାଶ ହେବେ

ପୁଣି କେମନ୍ତେ କି କରିବେ

।।

କହନ୍ତି ଯଶୋଦା କୁମର

ଖଗୟା ଶୁଣ ମୋ ଉତ୍ତର

।।

ଅଧର୍ମ ଜନେ ହେବେ ଦାସ

ବହୁତ ମରିବେ ବଉଂଶ

।।

ଏଥୁ ଉତ୍ତାରେ ଶୁଣ ତୁହି

କଟକେ ଦମନ ଯେ ରହି

।।

କାହାକୁ ଆଉ ନ ଥୋଇବ

ସକଳ ସାଧ୍ୟ ସେ କରିବ

।।

ଯେତେକ ଖଣ୍ଡା ଖଣ୍ଡାଇତ

ସମସ୍ତେ ହୋଇବେ ଶଙ୍କିତ

।।

କେହି ସେ ରହି ନ ପାରିବେ

ସବିହେଂ ନିଉନ ହୋଇବେ

।।

ସୁଜନ ମାନେ ହେବେ ଗୋପ୍ୟ

ଦୁର୍ଜନେ ବଢ଼ିବେ ଅନେକ

।।

ଏ ରୂପେ ବହୁବାର ହେବ

ଦମନ ଉତ୍ପାତ କରିବ

।।

ଦମନ ମଧ୍ୟେ ଏକ ଜଣ

ବଡ଼ାଇ ପ୍ରାକର୍ମ ସେ ପୁଣ

।।

ସେ ପୁଣି ସକଳ ସାଧିବ

ତାକୁ ଜିଣନ୍ତା କେ ନୋହିବ

।।

କୁତର୍କ ଜାଣଇ ଅପାର

ପୃଥ୍ୱୀ କରିବ ନାରଖାର

।।

ଅଭକ୍ଷ୍ୟ ଭକ୍ଷ୍ୟ ସେ କରନ୍ତି

ମଦିରା ପାନେ ମାତିଥାନ୍ତି

।।

ଜନ୍ତୁଙ୍କୁ ଦୟା ନ କରନ୍ତି

ଦୋଷ କଲେ ନିଶ୍ଚେ ମାରନ୍ତି

।।

ଅନେକ ଦେବେ ଫାଶୀ ଜାଣ

ଚର୍ମଡୋରରେ ତାଙ୍କୁ ପୁଣ

।।

ଏ ରୂପେ ଅନେକ ନାଶିବେ

ଦୟା କେବେହେଂ ନ ବହିବେ

।।

ପୁଣିହିଂ ଦିନାକେତେ ଯିବ

ରାଉତ ଧରାଟି ପଡ଼ିବ

।।

ସୈନ୍ୟ ସାଜି ଯବନ ଯିବ

ଖୋରଧା ଫତେଟି କରିବ

।।

ବ୍ରହ୍ମହତ୍ୟା ହୋଇବ ତହିଂ

ଫାଶୀ ଯେ ଦେବେ ସେହିଠାଇଂ

।।

ଏଗାର ଅଙ୍କରେ ସେ ପୁଣ

ଅଗାଧ ଲାଗିବ ପ୍ରମାଣ

।।

ସମସ୍ତେ ନିଉନ ହୋଇବେ

ନିଷ୍ଠୁର ପ୍ରାଣୀଟି ବଢ଼ିବେ

।।

ଅଥାନୀମାନେ ଥାନୀ ହେବେ

ଥାନୀ ସେ ରହି ନ ପାରିବେ

।।

ଏମନ୍ତ ହୋଇବ ପ୍ରମାଣ

କହିଲୁ ତୋହର ଆଗେଣ

।।

ଖାଇବା ପଦାର୍ଥରୁ ଜୀବ

ଗୁହାରି କଲେ ନ ଶୁଣିବ

।।

ଇନ୍ଦ୍ର ହିଂ ଭଲେ ନ ପାଳିବ

କୁରୁଷି ଉଣା ଯେ ହୋଇବ

।।

ଅଙ୍କକୁ ଅଙ୍କ ଜଗି ଜାଣ

ଇନ୍ଦ୍ର ଅନ୍ୟାୟେ ହେବ ପୁଣ

।।

ଏ ରୂପେ ଦିନାକେତେ ଯିବ

ବାର ଅଙ୍କରେ ପରାଭବ

।।

ନକ୍ଷତ୍ର ଲଞ୍ଜା ହେବେ ପୁଣ

ଅଦିନେ ଶୁଭିବ ଘୋଷଣ

।।

ମିଥ୍ୟାରେ ପ୍ରତେ ଯେ କରିବେ

ଦେଖିଲି ବୋଲି କହୁଥିବେ

।।

ଏହି ପ୍ରକାରେ ହେବ ଖଳ

ରହିବ ନାହିଂ ଥଳକୂଳ

।।

ଜୀବକୁ ଦୟା ନ ବହିବେ

ମୂକ ବଧିର ପ୍ରାଣୀ ହେବେ

।।

ସତ୍ୟ ୟେ କହିଲୁ ଫେଇଣ

ଗରୁଡ଼ ଧନ୍ୟ ତୋ ଜୀବନ

।।

କାହିଂବା କେତେକ ଦୂଷଣ

ପ୍ରମାଦ ଲାଗୁଥିବ ପୁଣ

।।

ଏ ରୂପେ ହୋଇବ ବିଚାର

ତେର ଅଙ୍କର ଯେ ମଧ୍ୟର

।।

ସମସ୍ତେ ବେଢ଼ି କହୁଥିବେ

ଆଗତ ବଖାଣିଣ ଯିବେ

।।

ଗୁରୁ ବୈଷ୍ଣବ ନ ମାନିବେ

ମାୟା ମୋହରେ ନାଶଯିବେ

।।

ବଚନ ସତ୍ୟ ଆଚରିବ

କଳିରେ ସତ୍ୟ ଉଦେ ହେବ

।।

ଯେ ସତ୍ୟ କହି ନ ପାରିବେ

ସେମାନେ ଦୋଷ ଘେନୁଥିବେ

।।

ଦୋଷୀକୁ ଦଣ୍ଡ ଦେବା ପାଇଂ

ତାଙ୍କୁ ଆଣିବି ସିନା ମୁହିଂ

।।

ଦୁଷ୍ଟଙ୍କୁ ନିବାର କରିବୁ

ସନ୍ଥକୁ ସୁଖେଣ ପାଳିବୁ

।।

ତାହାଙ୍କ ହାଥେ ଦଣ୍ଡାଇବୁଂ

ମହୀକି ଉଶ୍ୱାସ କରିବୁଂ

।।

ସବୁଟି ମୋହୋର ଭିଆଣ

ମୋ ବିନୁଂ ନ ହଲେ ତିରଣ

।।

ସକଳ ମୁହିଂଟି କରଇ

ମୋ ବିନୁ ଆଉ କେହି ନାହିଂ

।।

କୁଳ ଗୋତ୍ରକୁ ସେ ଛାଡ଼ିବେ

ଅକୁଳେ ପ୍ରଚାର କରିବେ

।।

ପିତାକୁ ପୁଅ ନ ମାନିବେ

ଶାଶୁକୁ ବୋହୂ ଡେଇଂଯିବେ

।।

ଭାରିଯା ବଚନେଣ ଥିବେ

ଗୁରୁ ବଚନ ନ ମାନିବେ

।।

ବ୍ରାହ୍ମଣେ ଅକର୍ମ କରିବେ

ଗାୟତ୍ରୀ ମନ୍ତ୍ରକୁ ଛାଡ଼ିବେ

।।

ୟେ ରୂପେ ହୋଇବେ ସକଳ

ନ ଥିବ ଧର୍ମର ବିଚାର

।।

କୁରୁଷି ହୋଇବଟି ନାହିଂ

କହିଲେ ନ ଶୁଣିବେ କେହି

।।

ହୋମକୁ ଦଣ୍ଡ ହେବ ଜାଣ

ମରିବେ ୟେହି ରୂପେ ଜନ

।।

ଏମନ୍ତେ ଗୋବିନ୍ଦର ବାଣୀ

ଗରୁଡ଼ ଥମ୍ବୀଭୂତ ଶୁଣି

।।

ବୋଲଇ ପ୍ରଭୁ ଭଗବାନ

କହିଲ ୟେମନ୍ତ ବଚନ

।।

କି ରୂପେ ପ୍ରମାଦ ଲାଗିବ

କି ରୂପେ କାହାକୁ ରଖବ

।।

ତାହା କହିବା ହୋଉ ମୋତେ

ଶରଣ ତୁମ୍ଭ ପାଦ ଗତେ

।।

ହସି ବୋଲନ୍ତି ପଦ୍ମପାଣି

ଗରୁଡ଼ ଶୁଣ ପରିମାଣି

।।

ତୋ ଆଗେ କହିବା ସକଳ

ତୁ ଯେଣୁ ଭଗତ ମୋହର

।।

ଗୁପତ ବଚନଟି ୟେହି

ଶ୍ରୀମୁଖେ କହୁଅଛି ମୁହିଂ

।।

ରାଉତ ଧରାଟି ପଡ଼ିବ

ତା ନାମ ମକୁନ୍ଦ ଯେ ଦେବ

।।

ଧରିଣ ତାକୁ ଘେନିଯିବ

କଟକେ ନେଇଣ ରଖିବ

।।

ତହୁଂ ସେ ଦିନାକେତେ ଯିବ

ଉତ୍ତର ମୁଖଟି ହୋଇବ

।।

ଘେନିଣ ଯିବେ ରାଉତକୁ

ଯବନ ଉତ୍ତର ଦିଗକୁ

।।

ତହିଂ ସେ କିଛି ଦିନ ରହିଂ

ଆସିବେ ଓଡ଼ିଶାର ଭୂଇଂ

।।

ଗୁଣ୍ଡିଚା ଯାତରା ସମଏ

ଆସିବ ରାଉତ ୟେ ଠାଏଂ

।।

ମୋତେ ସେ ଦ୍ରଶନ କରିବ

ଦଣ୍ଡ ଛତ୍ର ସେ ଧରାଇବ

।।

ଏଥୁ ଉତ୍ତାରେ ପୁଣ ଜାଣ

ଦେଖିବାପାଇଂ ବହୁଜନ

।।

ଆସିଣ ସମସ୍ତେ ମିଳିବେ

ପଣ୍ଡା ଯେ ପଢ଼ିହାରି ସର୍ବେ

।।

ଦେଖିବେ ରାଉତକୁ ୟେଥି

ଭଏ ନ ଥିବ କାହା କତି

।।

ଅଙ୍କ ଯେ କଟାଇବ ସେହି

ଅରିଷ୍ଟି ହେବ ତାହା ତହିଂ

।।

ଏଥିର ବିଚାର ୟେମନ୍ତ

କହିବା ଭବିଷ୍ୟ ଯେମନ୍ତ

।।

ଚଉଦ ଅଙ୍କ ପରବେଶ

ଲାଗିବ ବିଚାର ଅଶେଷ

।।

ଉତ୍ତମ ପ୍ରାଣୀମାନେ ପୁଣ

ହୋଇବେ କିଙ୍କର ସମାନ

।।

ମ୍ଳେଛ ଏ ସଂସାର ହୋଇବ

କାହାରି ବିଚାର ନଥିବ

।।

କୁତର୍କ ହୋଇବ ଅପାର

ହିଂସା ଯେ ବହି ହୃଦୟର

।।

ୟେଣୁ ହୋଇବେ ନାରଖାର

ପ୍ରମାଦ ପଡ଼ିବ ଅପାର

।।

ୟେ ରୂପେ ଶ୍ରୀକୃଷ୍ଣର ବାଣୀ

ଗରୁଡ଼ କାନ୍ଦିଉଠେ ଶୁଣି

।।

ବୋଲଇ ଅନାଦି ନିଧାନ

କହିଲୁଂ ଏମନ୍ତ ବଚନ

।।

ୟେ ରୂପେ ହେବ ଯେବେ ପୁଣ

କେମନ୍ତ କରିବେଟି ଜନ

।।

କିରୂପେ ସଂସାରେ ରହିବେ

ସଂଖ୍ୟାରେ କେତେହେଂ ମରିବେ

।।

ତୋହୋର ଦୟା ମୋତେ ଯେବେ

ସଂଶୟ ଫେଡ଼ିବ ମୋ ତେବେ

।।

ପଦ୍ମପାଦରେ ମୋର ସେବା

ଭୋ ନାଥ ଫିଟାଇଂ କହିବା

।।

ଏମନ୍ତେ କହି କାନ୍ଦେ ପୁଣି

ହସି ବୋଲନ୍ତି ଚକ୍ରପାଣି

।।

ଗରୁଡ଼ ଧନ୍ୟ ତୋ ଜୀବନ

ପଚାରୁ ଏତେ କଥାମାନ

।।

ତୁ ଯେଣୁ ଅର୍ଧ ଅଙ୍ଗ ମୋର

କହିବା ତୋହୋର ଆଗର

।।

ପୃଥି ଧୂଳି ଆକାର ହେବ

କେହି କାହାକୁ ନ ଚାହିଂବ

।।

ଅପ୍ରମୟେ ନଘଟ ହେବ

ଚମକ ସଂସାରେ ପଡ଼ିବ

।।

ଥୋକେ ହୋଇବେ ନାରଖାର

ଚଉଦ ଅଙ୍କେ ୟେ ବେଭାର

।।

ନଦେଖି ମିଛ କହୁଥିବେ

ନୋହିଲା କଥା ଘଟାଇବେ

।।

ଚଇତ୍ର ମାସରେ ଧୂସଣ

ଲାଗିବ ଠାବେ ଠାବେ ପୁଣ

।।

ଉତ୍ତର କାଶୀ ଯେ ଭୁବନ

ମୁଂ ତହିଂ ହୋଇବିଟି ଜନ୍ମ

।।

ସେଠାରୁ ପ୍ରମାଣ ହୋଇବ

ମୋ ଲୀଳା ରୂପରେ ଫେରିବ

।।

ବ୍ରାହ୍ମଣ ଘରେ ଥିବି ମୁହିଂ

ଏବେ କହିବା ଶୁଣ ତୁହି

।।

ଚଉଦ ଅଙ୍କେ ୟେ ବିଚାର

ୟେ କଥା ହୋଇବ ନିକର

।।

ଯବନ ସତ୍ୟ ନାଶ କରି

ଧରି ମାରିବ ପାଞ୍ଚ ଚାରି

।।

ଅନେକେ ଏ ରୂପେ ମରିବେ

ଠାବେ ଠାବେଣ ପଡ଼ୁଥିବେ

।।

ୟେମନ୍ତେ ହେବ ନାରଖାର

ଥୋକେ ଜାଣିବେ ଅବା ନର

।।

ସୁଜନ ଖାନ ଯେ ପଠାଣ

ଉତ୍ତର ଦିଗରୁ ପୟାଣ

।।

କରି ଆସିବ ମହାବଳୀ

ଅନେକ ସନ୍ୟ ଥିବେ ପୁଣି

।।

ଓଡ଼ିଶା ରାଜ୍ୟରେ ପଶିବ

ମନସୁଖରେ ରହିଥିବ

।।

ଛୟାଣୋଇ ସସ୍ର ଯବନ

ୟେକା ଦିନକେ ହେବେ ହାଣ

।।

ଅଶି ସସ୍ର କାଠମାଳିଆ

।ତାହାଙ୍କୁ ହାଣିବେ ଲଙ୍ଗଳା

।।

ୟେ କଥା ଅବଶ୍ୟ ଘଟିବ

ପନ୍ଦର ଅଙ୍କରେ ହୋଇବ

।।

ଚଉଦ ଅଙ୍କ ହେବ ଅନ୍ତ

କହିବା ବିନନ୍ତାର ସୁତ

।।

ଗଜକୁ ଷଣ୍ଢ ଯେ ମାରିବ

ମହିଂମା ଉଦୟେ ହୋଇବ

।।

ନୃପତି ଥିବେ ରହି ତହିଂ

ଆୟେତ ନ ରହିବ କାହିଂ

।।

ୟେମନ୍ତେ ଶ୍ରୀକୃଷ୍ଣର ବାଣୀ

ଗରୁଡ଼ ପୁଚ୍ଛା କରେ ପୁଣି

।।

ଭୋ ପ୍ରଭୁ ଅନାଦି ପୁରୁଷ

ମୁଂ ତୁମ୍ଭ ଦାସଙ୍କର ଦାସ

।।

ମୋତେ ସୁଦୟା ହେଲା ଯେବେ

ସଂଶୟ ଫେଡ଼ି କହି ୟେବେ

।।

ଏମନ୍ତେ ଭକ୍ତ ବାକ୍ୟ ଶୁଣି

ହସି ବୋଲନ୍ତି କମ୍ଭୁପାଣି

।।

ଗରୁଡ଼ ଧନ୍ୟ ତୋ ଜୀବନ

ପଚାରୁ ୟେତେ କଥାମାନ

।।

କହିବା ତୋତେ ତାହା ଫେଇ

ସକଳ ମୁଇଂ ସେ କରଇ

।।

ଏଥିକି ପଚାରିଲୁଂ ଯେବେ

ଫେଇ କହିବା ତୋତେ ୟେବେ

।।

ମନରେ ରଖିଣ ତୁ ଥିବୁ

ଫେଇ କାହାକୁ ନ କହିବୁ

।।

କହିଲେ ହେବ ବହୁ ଦୋଷ

ଶୁଣୁ ତୁ ବିନନ୍ତାର ଶିଷ୍ୟ

।।

ହସି ବୋଇନ୍ତି ପଦ୍ମନାଭ

ଶୁଣ ହୋ କଳିକାଳ ଭାବ

।।

ତାହା କହିବା ତୋତେ ସବୁ

ତୁ ମୋର ପ୍ରାଣ ଅଟୁଂ ବାବୁ

।।

ୟେ ରୂପେ ଗୋବିନ୍ଦ ବଚନ

କହନ୍ତି ଗରୁଡ଼କୁ ପୁଣ

।।

ହେ ସୁଗ୍ୟଂ ଜନମାନେ ତୁମ୍ଭେ

ପ୍ରଘଟ ନ କରିବ କେଭେଂ

।।

ଅଗ୍ୟାଂନୀ ଜନେ ନ କହିବ

କହିଲେ ପ୍ରାଭବ ପାଇବ

।।

ଏଥିକି କର ଲଏ ଚିତ୍ତ

ଭଣଇଂ ଦୀନ ଯେ ଅଚ୍ୟୁତ

।।

 

 

 

 

ଇତିଶ୍ରୀ ମହିମା ଶାସ୍ତ୍ର ପ୍ରକାଶେ ଶ୍ରୀହରି ଗରୁଡ଼ ସମ୍ବାଦେ ନାମ ଦ୍ୱିତୀୟୋଽଧାୟଃ

 

ତୃତୀୟ ଅଧ୍ୟାୟ

 

ଗୋବିନ୍ଦ ଚରଣରେ ପଡ଼ି

ଗରୁଡ଼ ବୋଲେ କରଯୋଡ଼ି

।।

ହେ ପ୍ରଭୁ ଅନାଦି ପୁରୁଷ

କହିଲ ଯେତେକ ଭବିଷ୍ୟ

।।

ଶୁଣି ମୁଂ ହୋଇଲି କୃତାର୍ଥ

ମୁଂ ତୁମ୍ଭ ଭୃତ୍ୟଙ୍କର ଭୃତ୍ୟ

।।

ଭୋ ନାଥ କରୁଣା ସାଗର

ସକଳ ତୋହର ଗର୍ଭର

।।

ହରଣ କାରୀ ତୁ ଶ୍ରୀହରି

ଚଉଦ ପୁର ଅଧିକାରୀ

।।

ମୁଂ ହୀନ ଅଟଇ ଅଗ୍ୟାନ

ମୁଂ କାହିଂ ଜାଣିମି ତୋ ନାମ

।।

ପୁଣି ସେ କେମନ୍ତ ହୋଇବ

ଫେଇଣ ସକଳ କହିବ

।।

ଖଗୟା ବାଣୀ ଶୁଣିକରି

ବୋଲନ୍ତି ପ୍ରଭୁ ମଧୁହାରି

।।

ଶୁଣ ହୋ ବିନନ୍ତା ନନ୍ଦନ

ଅବଶ୍ୟ ଲାଗିବ ସଂଗ୍ରାମ

।।

ଚଉଦ ଅଙ୍କେ ଶୁଣୁଥବ

ପନ୍ଦର ଅଙ୍କରେ ଦେଖିବ

।।

କୁଣ୍ଡୀ କଟକ ବୋଲି ନାମ

।ରୁକ୍ମିଣୀ ହରଣର ଥାନ

।।

ଚିତ୍ରଉତ୍ପଳା ନଦୀ ତୀର

ଅଛନ୍ତି ପରମ ଈଶ୍ଵର

।।

ଦୁର୍ଗା ଅଛନ୍ତି ସେହି ଥାନ

ପରମ ବଷ୍ଟମ୍ୱୀ ସେ ପୁଣ

।।

ଅଗମ୍ୟ ଥାନ ସେ ଅଟଇ

ଭଗତ ଜନଛନ୍ତି ରହି

।।

ନାମରେ ମୋର ଭୋଳ ହୋଇ

ଖୀର ନଦୀ ଯେ ଅଛି ତହିଂ

।।

ସେଠାବେ ଉଦ୍‌ଯୋଗ ହେବ

ଯୋଗ୍ନୀଙ୍କ ଚମକ ପଡ଼ିବ

।।

ଦୁଇ ମୁଣ୍ଡରେ ଦୁଇ ଲିଙ୍ଗ

ମଧ୍ୟରେ ୟେକ ବଟ ଥିବ

।।

ସେ ବଟେ ପାଟ ବନ୍ଧାଇବୁଂ

କଳଙ୍କୀ ଅବତାର ହେବୁଂ

।।

ଅନନ୍ତ କେଶରୀ ସେ ନାମ

ନୃପତି ହୋଇବେ ସେ ପୁଣ

।।

ମାହାଳ ବଣ ଅଛି ଯହିଂ

ନଦୀର କୂଳେଣ ସେ ଥାଇ

।।

ସେଠାବେ ମେଳଣ ହୋଇବ

କେ ତାହା ଜାଣି ନ ପାରିବ

।।

ଆସିବେ ଅନେକ ସଇନ

ନିର୍ଘାତ ଶୁଭିବ ବଚନ

।।

ବିପ୍ର ହୋଇବ ଦଣ୍ଡଧାରୀ

ଧବଳେଶ୍ୱର ନାମେ ଗିରି

।।

ତିନିପକ୍ଷ ସେ ରାଜା ହେବ

ବଡ଼ାଇଂ ସଙ୍କଟ ପଡ଼ିବ

।।

ରୁଦ୍ରେଶ୍ଵରଙ୍କର ପାଶରୁ

ନନ୍ଦିକେଶ୍ଵରୀ ବାମ କରୁ

।।

କାଳିଆ ଘାଇ ବୋଲି ଜାଣ

ହଂସନାଥଙ୍କ ଯାୟେ ପୁଣ

।।

ଏଥିରେ ହେବ ମହାମାରୁ

ଆସିବେ ଅନେକ ଦେଶରୁ

।।

ପୃଥିରେ ରହି ନ ପାରିବେ

ଯବନ ସଂଗ୍ରାମ କରିବେ

।।

ମୋହୋର ଭିଆଣ ୟେ ସିନା

ମୁହିଂ ସେ ଭାଂଜଇ ଗାରିମା

।।

ନୃପତି ଅଣାୟରେ ଥିବ

ଦମନ ସଂଗ୍ରାମ କରିବ

।।

ୟେମନ୍ତେ ଶ୍ରୀକୃଷ୍ଣ ବଚନ

ଶୁଣି ଗରୁଡ଼ ପୁଚ୍ଛେ ପୁଣ

।।

ୟେ ରୂପ ଯେବେ ସେ ହୋଇବ

ଏ କଥା କେମନ୍ତେ ଘଟିବ

।।

ଭୋ ପ୍ରଭୁ ଅନାଦି ପୁରୁଷ

ମୋତେ ତ ଲାଗିଲା ସନ୍ଦେଶ

।।

ସୂଚକ କହିଦେବା ମୋତେ

ଶରଣ ତୁମ୍ଭ ପାଦଗତେ

।।

ବୋଲନ୍ତି ବ୍ରହ୍ମାଣ୍ଡ ଗୋସାଇଂ

ଶୁଣ ହୋ ପକ୍ଷୀରାଜ ତୁହି

।।

ଯାହା କହିବା ତୋ ଆଗର

ଜନ୍ମିବେ ପଞ୍ଚ ଯେ କୁମର

।।

ଗୋରୁ ମନିଷ୍ୟ ପ୍ରସବିବ

ପାଷାଣେ ବୃଛଟି ହୋଇବ

।।

ସଂସାର କୁହୁକା ଦିଶିବ

ଜଳ ବରଷଣ ନୋହିବ

।।

ସନ୍ଥ ସାଧୁ ଗୋପ୍ୟାନ ହେବେ

ଦୁଷ୍ଟମାନେ ହିଂ ବଢ଼ିଯିବେ

।।

ଉଚ୍ଚ ନୀଚ ଯେ ସମସରି

ଡର ହିଂ ନଥିବ କାହାରି

।।

ପୃଥିବୀ ଚମତ୍କାର ହେବ

ଶୂନ୍ୟ ପ୍ରାୟେକ ଲାଗୁଥିବ

।।

ୟେ ରୂପେ ହେବ ଯହୁଂ ଜାଣ

ଚିହ୍ନିବା ଯଶ ନାହିଂ ପୁଣ

।।

ସତର ଅଙ୍କେ ଭୂଇଂ କଂପ

ମକର ମାସରେ ଚମକ

।।

ସେଠାରୁ ଉଦଯୋଗ ହେବ

ଅଚଳ ଆସନ ଟଳିବ

।।

ଏଥକୁ ହୋଅ ସାବଧାନ

ସୁଜନେ ବୋଲ ହରିନାମ

।।

ନାମରୁ ଅନ୍ୟ ଆଉ ନାହିଂ

ନାମ ହିଂ ସଙ୍ଖାଳି ଅଟଇ

।।

ଅଳପ ଦିନର ସମୟ

ଏଥିକି ତଲେ କରିଥାଅ

।।

ମୂର୍ଖ ପାଷାଣ୍ଡେ ନ କହିବ

କହିଲେ ଅପ୍ରାଧ ହୋଇବ

।।

ତେଣୁ ସେ ମୋ ମନ କଳ୍ପିଲା

ଶ୍ରୀକୃଷ୍ଣ କୃପା ମୋତେ ହେଲା

।।

ଏଣୁ ସେ କଲି ସୁପ୍ରକାଶ

ସାଧୁଙ୍କ ପାଦେ ରହୁ ଆଶ

।।

ଗରୁଡ଼ ଶ୍ରୀକୃଷ୍ଣ ଚରଣେ

ଅଧମ ଅଚ୍ୟୁତ ପ୍ରଣମେ

।।

 

 

 

 

ଇତିଶ୍ରୀ ମହିମା ଶାସ୍ତ୍ର ପ୍ରକାଶେ ଶ୍ରୀହରି ଗରୁଡ଼ ସମ୍ବାଦେ ନାମ ତୃତୀୟୋଽଧାୟଃ

 

ଚତୁର୍ଥ ଅଧ୍ୟାୟ

 

ବୋଲେ ଗରୁଡ଼ ପାଦେ ପଡ଼ି

ଭୋ ନାଥ ଶୁଣ ଚକ୍ରଧାରୀ

।।

ୟେଥୁ ଉତ୍ତାରେ କିସ ହେବ

ଭୋ ପ୍ରଭୁ ମୋତେ ତା କହିବ

।।

ଗରୁଡ଼ ବାକ୍ୟେ ନାରାୟଣ

ବୋଲନ୍ତି ଖଗୟା ତୁ ଶୁଣ

।।

ତିଥି ବାର ନକ୍ଷତ୍ର ମାନ

ସତରେ ବଢ଼ିବ ପ୍ରମାଣ

।।

ୟେ ରୂପେ ଅବଶ୍ୟ ହୋଇବ

ପୁଣି ହିଂ ପ୍ରମାଦ ପଡ଼ିବ

।।

ଚବିଶି ଅଙ୍କରେ ନିର୍ଘାତ

ମାଡ଼ିଣ ପଡ଼ିବ ଡହକ

।।

ଉତ୍ତର ଦିଗରୁ ପୟାଣ

ମୁଗଲ ଯବନ ପଠାଣ

।।

ବଡ଼ାଇ ପ୍ରାକର୍ମ ଅଟନ୍ତି

ଜୀବକୁ ଦୟା ନ ବହନ୍ତି

।।

ଘୋର ଉତ୍ପାତେ ସେ ଆସିବେ

ପୃଥିରେ ଅଘଟ କରିବେ

।।

ମୁଗଲ ବଂଶ ୟେକ ରାଜା

ସମରେ ବଡ଼ାଇ ତରିଜା

।।

ତା ସଙ୍ଗେ ଯେ ସନ୍ୟ ଆସିବେ

ରୋଧିର ଆପ୍ୟାନ କରିବେ

।।

ଅଶ୍ୱ ପିଠିରେ ଚଢ଼ିଥାନ୍ତି

ଅଭଖ୍ୟ ଆହାର କରନ୍ତି

।।

ଦର୍ପିଷ୍ଠ ଅଟନ୍ତି ସେ ଜାଣ

ରୁମ ଚଉକେ ପରମାଣ

।।

ଯେ ଦେଶକୁ ସେହୁ ଚଳନ୍ତି

ଖଣ୍ଡା ସିନାନ ସେ କରନ୍ତି

।।

ଫତେ କଲେ ସେ ଥଏ ହୋନ୍ତି

ସାଂଗ୍ରାମେ ପ୍ରାଣକୁ ମୃଛନ୍ତି

।।

ୟେଗାର ସହସ୍ରେକ ଜାଣ

ଆସିବେ ତାର ସଙ୍ଗେ ପୁଣ

।।

ଘୋର ସାଂଗ୍ରାମ ଯେ ଲାଗିବ

 

ଚଇତ୍ର ମାସରେ ଘଟିବ

।।

ଯବନ ଚଇତ୍ର ମାସରେ

ଛାଡ଼ି ପଳାଇବେ ସକଳେ

।।

ଅନେକେ ସଂଗ୍ରାମେ ମରିବେ

ବଜ୍ର ଯେ ତୋପ ମାରୁଥିବେ

।।

ଲାଗିବ ନିଘୋଡ଼ ସଂଗ୍ରାମ

ମରିବେ ଅନେକଟି ଜନ

।।

କେତେ ବଧିରା ହୋଇଯିବେ

କେ ଅବା ବନରେ ମରିବେ

।।

କାହାର ଧନ କିଏ ନେବ

କେ ଅବା ଛାଡ଼ି ପଳାଇବ

।।

ତାଟଙ୍କା ହୋଇ କେ ମରିବ

ଯୋଗ୍ନୀ ମୁଖରେ କେ ପଡ଼ିବ

।।

ଏ ରୂପେ ଲାଗିବ ହିଂ ଖଳ

ମୁଇଂଟି କଲଇଂ ସକଳ

।।

ମୁଇଂଟି ସକଳ କରଇଂ

ମୋ ବିନା ନାହିଂ ଆନ କେହି

।।

ନୃପତି ଅପ୍ରାଧି ହୋଇବ

ପାଟ ଅଥଳେ ତା ବୁଡ଼ିବ

।।

ଯବନ ଦଳ ନିଶୋଧନ

ହୋଇବେ ଗରୁଡ଼ ତୁ ଜାଣ

।।

ଯେତେକ ସନ୍ୟ ସେ ଆସିବେ

 

କାଳିଆ ଘାଇରେ ମରିବେ

।।

ଗୋହିରା ଟିକିରି ପୂରିବ

ରୋଧିର ନଦୀ ଯେ ବହିବ

।।

ଧବଳେଶ୍ଵରେ ଗଜ ଜାଣ

ଗୁପତେ ଥିବ ପରମାଣ

।।

ଗଜ କଳସକୁ ଢାଳିବ

ତକ୍ଷଣେ ନୃପତି ହୋଇବ

।।

ଭୁବନେଶ୍ଵରଙ୍କ ଠାବରେ

ବିନ୍ଦୁ ଯେ ସରୋବର ତୀରେ

।।

ସେଠାରୁ ପାୟେଡ଼ା ପଡ଼ିବ

ନୃପତି ଉଜ୍ୱଳ ହୋଇବ

।।

ୟେ ରୂପେ ହୋଇବ ଘଟଣ

ମୋହନା ମୁଗଲ ପୟାଣ

।।

ତା ସଙ୍ଗେ ଅସଂଖ୍ୟ ସଇନ

ପୃଥି ହୋଇବ କଂପମାନ

।।

ଶ୍ରାବଣ ମାସରେ ଆସିବ

ମାହାନଦୀରେ ଥଳ ହେବ

।।

ଚଣ୍ଡୀ ଚାମୁଣ୍ଡା ଠୁଳ ହୋଇଂ

ତାକୁ ସେ ଉଗାଳିବେ ଯାଇଂ

।।

ଉଗାଳି କେବେ ନ ପାରିବେ

ପଥ ଛାଡ଼ିଣ ପଳାଇବେ

।।

ସେ ପୁଣି ସବୁଙ୍କୁ ଜିଣିମ

 

ତାପରେ କେହୁ ହିଂ ନଥିବ

।।

ଦିନାକେତେ ଭୋଗ କରିବ

ଗଡ଼ମାନ ସେ ଫତେ ହେବ

।।

ସବୁଙ୍କୁ ଆୟତ୍ତ କରିଣ

ଓଲଟା ସାଜିବେ ସଇନ୍ୟ

।।

କିଳିକିଳା ନାମେ ନବର

ସେହି ଦେଶରେ ତାଙ୍କ ଘର

।।

ସେ ଦେଶୁଂ ଚଳାଇ ଆସିବେ

ମୁଗଲ ସଙ୍ଗରେ ଲଢ଼ିବେ

।।

ଘୋର ସାଂଗ୍ରାମ ଯେ ହୋଇବ

ପୃଥିରେ ଠାବ ନ ମିଳିବ

।।

ଏମନ୍ତେ ଦହିଯ୍ୟ ସଂସାର

ଆରତେ ଡାକିବେ ନିକର

।।

ଏ ରୂପେ ହେଉଥିବେ ଦହି

ଭଲ ମନ୍ଦ ବିଚାର ନାହିଂ

।।

ଦୁର୍ଭିକ୍ଷ କାଳଟି ପଡ଼ିବ

।ବୀଜ ମାରିଣୀ ଯେ ହୋଇବ

।।

ହାଡ଼ ଯେ କୁଢ଼ କୁଢ଼ ହେବ

କେହି କାହାକୁ ନ ଚାହିଂବ

।।

ବହୁତ କୁତର୍କେ ମରିବେ

କପଟୀ ବହୁ ନାଶଯିବେ

।।

ଦୁସ୍ତରେ ଥାଉଂ ଥାଉଂ ଜାଣ

ଦୁଷ୍ଟ ମରିବେ ଅପ୍ରମାଣ

।।

ଥୋକେ ପଡ଼ିବେ ଯୋଗ୍ନୀ ମୁଖେ

ୟେ ରୂପେ ମରିବେ ଅନେକେ

।।

ଅପ୍ରାଧୀ ହୋଇବେ ବିନାଶ

ଚଉର ମାତିବେ ବିଶେଷ

।।

ଅଶେଷ ଦୁଷ୍ଟ ଯିବେ ନାଶ

ସନ୍ଥକୁ ପାଳିବୁଂ ଅବଶ୍ୟ

।।

ଭୋବନେଶ୍ଵର ଭଇରୋବ

ରାତ୍ର ଅର୍ଧରେ ସେ ଡାକିବ

।।

ବରୁଣ ବୁଚ୍ଛକୁ ଭକ୍ଷଣ

ବାସୁଆ ଉଠିବ ତକ୍ଷଣ

।।

ଯାଜପୁର ସେ ବିରିଜାଙ୍କୁ

ଭୈରୋବୀ ଡାକିବ ତାହାଙ୍କୁ

।।

ସେ ଡାକ ଯାହାକୁ ଶୁଭିବ

ସେ ପ୍ରାଣୀ କେଭେଂ ନ ବଂଚିବ

।।

କଳଙ୍କୀ ଅବତାର ହେବୁଂ

ଦୁଷ୍ଟଙ୍କୁ ସଂଘାର କରିବୁ

।।

ଅନନ୍ତ କେଶରୀ ସେ ଜାଣ

ନାମ ବହିବେ ବଳରାମ

।।

ୟେମନ୍ତେ ଗରୁଡ଼ ଶୁଣିଲା

ପଦ୍ମପାଦରେ ସେ ଶୁତିଲା

।।

ଉଠିଲା ଯୋଡ଼ି ବେନିକର

ସୁଜନେ ନାମ ଆଶ୍ରେ କର

।।

କାଳ କେବେହେଂ ନ କାଟିବ

ଶ୍ରୀକୃଷ୍ଣ ପାଦେ ଚିତ୍ତ ଥିବ

।।

ଶ୍ରୀମୁଖ ବଚନ ପ୍ରକାଶ

ଭଣିଲେ ଅଚ୍ୟୁତ ଯେ ଦାସ

।।

 

 

 

 

ଇତିଶ୍ରୀ ମହିମା ଶାସ୍ତ୍ର ପ୍ରକାଶେ ଶ୍ରୀକୃଷ୍ଣ ଗରୁଡ଼ ସମ୍ବାଦେ ନାମ ଚତୁର୍ଥୋଽଧ୍ୟାୟଃ

 

ଅଚ୍ୟୁତାନନ୍ଦ ରଚନାବଳୀ ମାଳିକା ଖଣ୍ଡ

ପଞ୍ଚମ ଅଧ୍ୟାୟ

 

ଗରୁଡ଼ କାନ୍ଦିଣ କହଇ

ଭୋ ନାଥ ଶୁଣ ଭାବଗ୍ରାହୀ

।।

ମୁଂ ହୀନ ଅଟଇ ଅଧମ

ତୁମ୍ଭର ଶ୍ରୀପାଦେ ଶରଣ

।।

ମୋତେ ଲାଗିଲା ବଡ଼ ଭଏ

ଭୋ ନାଥ ଶୁଣ ଦେବରାୟେ

।।

ଶ୍ରୀମୁଖେ କହିଲ ଆପଣ

କଳଙ୍କୀରୂପେ ହେବୁ ଜନ୍ମ

।।

କେଡ଼େ ଅଘଟ ହେବ କାହିଂ

ଭୋ ନାଥ କହିବା ବୁଝାଇ

।।

ଗୁପତ ନ କର ଗୋସାଇଂ

କହିବା ସଂଶୟ ଫିଟାଇ

।।

ମୁଂ ଯେଣୁ ତୋର ନିଜ ଦାସ

କହ ହେ ପ୍ରଭୁ ପୀତବାସ

।।

ମାୟା ନ କରି ସତ୍ୟ କହ

ମୋ ଚିତୁଂ ପିଟିବା ସନ୍ଦେହ

।।

ୟେରୂପେ ଗରୁଡ଼ ବଚନ

ଶୁଣି କହନ୍ତି ନାରାୟଣ

।।

ଶୁଣ ହୋ ବିନନ୍ତା ନନ୍ଦନ

କହିବା ଗୁପ୍ତ କଥାମାନ

।।

ଯାହା ତୁ ପଚାରିଲୁ ମୋତେ

କହିବା ଶୁଣ ୟେକ ଚିତ୍ତେ

।।

ଗୁପତ କରିଣ ରଖିବୁ

ଫେଡ଼ି କାହାକୁ ନ କହିବୁ

।।

ସତ୍ୟ ତ୍ରେତୟା ଦୁଆପର

କଳିରେ ଅବତାର ମୋର

।।

ଯୁଗକୁ ଯୁଗ ଏହି ମତେ

ଦୁଷ୍ଟ ନାଶଇ କୋପ ଚିତ୍ତେ

।।

ଦୁଷ୍ଟଙ୍କୁ ନାଶି ସନ୍ଥ ପାଳୁ

ଦୁଷ୍ଟନାଶନ ନାମ ୟେଣୁ

।।

ଏ ରୂପେ ମୋହୋର ମହିମା

ଗରୁଡ଼ ଶୁଣ ଗୁଣ ସୀମା

।।

ତୋତେ କହିବା ତାହା ଫେଇ

ତୋ ଠାରେ ମାୟା ମୋର ନାହିଂ

।।

ଶୁଣ ହୋ ବିନତାର ଶିଷ୍ୟ

କଳିର ଆଗତ ଭବିଷ୍ୟ

।।

ଅଧର୍ମା ପାଷାଣ୍ଡେ ମାତିବେ

ଧର୍ମ ଆଚାର ନ ରଖିବେ

।।

ଅନେକ ଦାସ ବୋଲାଇବେ

ମାୟାରେ ତପୁସୀ ହୋଇବେ

।।

ହରିବେ ପର ଦ୍ରବ୍ୟମାନ

କହୁଣ ଥିବେ ବ୍ରହ୍ମଗ୍ୟାଂନ

।।

ଦେଶ ବିଦେଶ ବୁଲୁଥିବେ

ହୃଦେ ଅହଂକାର ଧରିବେ

।।

ଜୀବରେ ଥିବ ହିଂସା ଭାବ

ଆପଣା ଗର୍ବ କହୁଥିବ

।।

ନ ଜାଣି ଅର୍ଥ ବଖାଣିବେ

ଭୁଲାଇ କରି ଧନ ନେବେ

।।

ପାଇଲେ କହିବେଟି ଗ୍ୟାନ

ୟେ ରୂପ ହେବେ ଥୋକେ ଜନ

।।

ୟେସନେ ଏଗାର ସହସ୍ର

ହୋଇବେ କପଟିଆ ଦାସ

।।

ଆବର କଥାୟେକ ଶୁଣ

ୟେ ଭାବେ ଯେ ଅଛନ୍ତି ପୁଣ

।।

ଶୂଦ୍ର ହୋଇବେ ବ୍ରହ୍ମଗ୍ୟାନୀ

ବ୍ରାହ୍ମଣେ ହେବେ କୁଳ ହାନି

।।

ଶିଷ୍ୟ ଗୁରୁଙ୍କୁ ଗ୍ୟାଂନ ଦେବେ

ଗୁରୁ ନିଉନ ଭାବେ ଥିବେ

।।

ୟେସନେ ଦାମ୍ଭିକ ଯେ ଦାସ

ଠୁଳେଣ ସତର ସହସ୍ର

।।

ଆବର କହିଦେବା ତୋତେ

ଲମ୍ପଟ ଗ୍ୟାନୀ ହେବେ ଯେତେ

।।

ଜୀବିକା ବୃତ୍ତିକୁ ଢାଙ୍କିଣ

କପଟେ ଭଜୁଥିବେ ନାମ

।।

କପଟେ ରୋଦନ କରିବେ

ଆପଣା ଭଲ ଚାହୁଂଥିବେ

।।

ଲମ୍ପଟେ ହେବ ସ୍ତିରୀ ମେଳ

ନଥିବ ଅଧର୍ମକୁ ଡର

।।

ଦିବସେ ଗ୍ୟାନ ବଖାଣିବେ

ରାତ୍ରରେ ଲମ୍ପଟ ହୋଇବେ

।।

ୟେ ରୂପେ ଏଗାର ସହସ୍ର

ଲମ୍ପଟ ଦାସ ହେବେ ଶେଷ

।।

ଆବର ଖଗୟା ତୁ ଶୁଣ

ସବୁ କହିବା ତୋ ଆଗେଣ

।।

ଶୁଣ ହୋ ସାବଧାନ ହୋଇ

ଗୁପତ କଥା ୟେ ଅଟଇ

।।

ଆପଣା ହୃଦରେ ରଖିବୁ

ଫେଡ଼ି କାହାକୁ ନ କହିବୁ

।।

ୟେ ରୂପେ ଶ୍ରୀକୃଷ୍ଣର ବାଣୀ

ଗରୁଡ଼ କାନ୍ଦି ଉଠେ ଶୁଣି

।।

ସେଠାରେ ମନ ମୋର ଥିଲା

ଶ୍ରୀକୃଷ୍ଣ ଦୟା ମୋତେ ହେଲା

।।

ସୁଜନେ ହରିନାମ ଘୋଷ

ଭଣିଲେ ଶ୍ରୀଅଚ୍ୟୁତ ଦାସ

।।

 

 

 

 

ଇତିଶ୍ରୀ ମହିମା ଶାସ୍ତ୍ର ପ୍ରକାଶେ ଶ୍ରୀକୃଷ୍ଣ ଗରୁଡ଼ ସମ୍ବାଦେ ନାମ ପଞ୍ଚମୋଽଧ୍ୟାୟଃ

 

ଷଷ୍ଠ ଅଧ୍ୟାୟ

 

ହସି ବୋଲନ୍ତି ଭାବଗ୍ରାହୀ

ଅଥିର ନୁହ ବୀର ତୁହି

।।

ତୋଠାରେ ମାୟା ମୋର ନାହିଂ

ତୋହୋର ପୃଷ୍ଠେ ବସିଥାଇଂ

।।

କୁତର୍କୀ ଦାସ ହେବେ ଯେତେ

ତାହା କହିବା ତୋ ଅଗ୍ରତେ

।।

ତାହା ତୁ ଥଏ ହୋଇ ଶୁଣ

କହୁଛି ମହିମାର ଗୁଣ

।।

ଥୋକେ ହୋଇବେ ମାୟାଧାରୀ

ଓରକେ ନେବେ ଚୋରିକରି

।।

ତରକେ ଗ୍ୟାନ ସାଧୁଥିବେ

ଆମ୍ଭେ ସେବକଟି ବୋଲିବେ

।।

ନାନା କୁତର୍କୀ ବିଦ୍ୟା ସାଧି

କହିବେ ବହୁତ ପ୍ରବୋଧି

।।

କୁହୁକ ପ୍ରାୟେ ଦେଖାଇବେ

ଭାବ ନଜାଣି କହୁଥିବେ

।।

ଦେଖାଣ ବହୁତ ସାଧିବେ

ହୃଦରେ କପଟ ରଖିବେ

।।

ୟେ ହେବେ ଚାରି ସସ୍ର ଜାଣ

କୁତର୍କୀ ଦାସ ଯେ ପ୍ରମାଣ

।।

ୟେରୂପେ ଅପାରୁଂ ଅପାର

ହୋଇବେ ଚଉଦ ଅଙ୍କର

।।

ମନର ମାୟା ଦେଖାଇବେ

ସାଧୁଙ୍କୁ ନିନ୍ଦା କରୁଥିବେ

।।

ଶୁଣିଲା କଥା ସତ୍ୟ କରି

ବିକିବେ ସାତ ପାଞ୍ଚ କରି

।।

ୟେ ରୂପେ ହୋଇବେଟି ମତ୍ତା

ନଥିବ କାହିଂକିଛି ଚିନ୍ତା

।।

ବିଷୟା ଦ୍ଵନ୍ଦକୁ ଛାଡ଼ିବେ

ପର ଦୁଃଖରେ ଚିତ୍ତ ଦେବେ

।।

ଯେ ରୂପେ ଦୁଷ୍ଟ ହେବେ ଜାଣ

ସନ୍ଥ ତରିବା ଅପ୍ରମାଣ

।।

ଭାବ ଭଗତି ହେବ ନାହିଂ

ଗୁପତେ ରହିବେଟି କାହିଂ

।।

ଠାବେ ଠାବେ ହେବେ ଗୁପତ

ଦୁଷ୍ଟ ବଢ଼ିବେ ଅପ୍ରମିତ

।।

ଦୋଷୀକୁ ଦଣ୍ଡ ଦେବାପାଇଂ

ଯବନ ଆଣିବିଟି ମୁହିଂ

।।

ତାହାଙ୍କ ହାତେ ଦଣ୍ଡାଇବୁ

ମହୀକି ଉଶ୍ୱାସ କରିବୁଂ

।।

ତ୍ରେତୟା ଯୁଗରେଣ ମୁହିଂ

ରାବଣ ବଧକଲା ପାଇଂ

।।

ଦେବତାମାନେ ଗର୍ବ କଲେ

ମୋତେ ସେ ଦୋଷ ଲଗାଇଲେ

।।

ସ୍ଵର୍ଗ ଭୁବନକୁ ସେ ଗଲା

ଶର୍ମ ସେ ବହୁତ ପାଇଲା

।।

ଶର୍ମରୁ କାଳ ହେଲା ଜାତ

ଘୋଟିଲା ସ୍ଵର୍ଗପୁର ପଥ

।।

ଦେବତା ବିକଳ ହୋଇଲେ

ପୁଣିହିଂ ମୋତେ ସେ ଡାକିଲେ

।।

ପୁଣି ହିଂ କଂସ ଅବତାର

ମଥୁରା ବ୍ୟାପିଲେ ଅସୁର

।।

ଯେଣୁ ସେ ମୋତେ ଦୋଷଦେଲେ

ତେଣୁ କଂସକୁ ସେବାକଲେ

।।

ୟେ ରୂପେ ମୋହୋର ମହିମା

ଗରୁଡ଼ ଶୁଣ ଗୁଣ ସୀମା

।।

ପୁଣି ଯେ ଘୋର ଆର୍ତ୍ତ ହେଲା

ଧରଣୀ ଗୁହାରି ଯେ କଲା

।।

ପୁଣି ସେ ଜନମ ହୋଇଲୁଂ

କଂସକୁ ହେଳେ ନାଶକଲୁଂ

।।

ପୃଥି ଯେ ହୋଇଲା ଉଶ୍ୱାସ

ମୁଂ ପୁଣି ଗଲି ନିଜ ଦେଶ

।।

ୟେ ରୂପେ ଅବତାର ହୋଇ

ଦୁଷ୍ଟ ସଂହାରି ପାଳୁଂ ମହୀ

।।

କଳି କାଳରେ ଦୁଷ୍ଟ ଜନ

ନିନ୍ଦିବେ ସାଧୁ ସୁଗ୍ୟଂ ଜନ

।।

ଘୋର ଅନ୍ୟାୟେ ଯେଣୁ ହେବ

ତେଣୁ ଧରଣୀ ଡାକଦେବ

।।

ସହିଣ ରହି ନ ପାରିବୁ

ମାୟା ଭିଆଣ ଯେ କରିବୁ

।।

ମୁହିଂ ସେ ଆଣିମି ଯବନ

ନାଶ ହୋଇବେ ଦୁଷ୍ଟଜନ

।।

ଶୁଣିଲୁ ବିନତାର ଶିଷ୍ୟ

କହି ହସନ୍ତି ପୀତବାସ

।।

ସେ ହରି ଅଭୟ ଚରଣେ

ପାମର ଅଚ୍ୟୁତ ଯେ ଭଣେ

।।

 

 

 

 

ଇତିଶ୍ରୀ ମହିମାଶାସ୍ତ୍ର ପ୍ରକାଶେ ଶ୍ରୀକୃଷ୍ଣ ଗରୁଡ଼ ସମ୍ବାଦେ ନାମ ଷଷ୍ଠ ଅଧ୍ୟାୟଃ

 

ସପ୍ତମ ଅଧ୍ୟାୟ

 

ଶୁଣ କହିବି ମୁହିଂ ତୋତେ

ତୁ ଯେବେ ପଚାରିଲୁ ମୋତେ

।।

ଅନେକ ଉତ୍ପାତ ଉଠିବ

ମୋ ନାମ ଯେହୁ ଧରିଥିବ

।।

ସେ ପ୍ରାଣୀ ହୋଇବଟି ପାର

କିଛି ନ ଯିବ ତାହାଙ୍କର

।।

ତୁ ୟେବେ ଚିତ୍ତ ସ୍ଥିର କର

କାଳ ଘୋଟିବ ବଳିୟାର

।।

ୟେମନ୍ତେ ଶ୍ରୀକୃଷ୍ଣ ବଚନ

।ଗରୁଡ଼ ଶୁଣି ତୋଷମନ

।।

ବୋଲଇ ପ୍ରଭୁ ଭଗବାନ

କହିଲ ଆଚମ୍ବିତ ମାନ

।।

ଏ ରୂପେ ତୋହର ବିଚାର

ଆଜ୍ଞା ଯେ କଲ ଦାମୋଦର

।।

ମୋତେ ଲାଗିଲା ବଡ଼ ଭୟେ

ଭୋ ନାଥ ପୁଛେ ତୋର ପାୟେ

।।

ଏ ଯେ ବିଚିତ୍ର ତୋର ମାୟା

ମୁହିଂ ଜାଣିମି କାହିଂ ତାହା

।।

ବ୍ରହ୍ମାଦି ଦଶ ଦିଗପାଳେ

ମାୟାରେ ଭ୍ରମନ୍ତି ଶୟଳେ

।।

ତୋ ମାୟା ନ ପାରନ୍ତି ଜାଣି

ମୁଂ କି ଭାର୍ଜନ ଚକ୍ରପାଣି

।।

ତୋର ବଚନ ସୁଧା ସାର

ଶୁଣି ପବିତ୍ର ହୋନ୍ତି ନର

।।

ମୁଂ ଯେବେ ତୋ ଭୃତ୍ୟର ଦାସ

କହ ତୋ ମହିମା ବିଶେଷ

।।

ହସି ବୋଲନ୍ତି ପଦ୍ମପାଣି

ଧନ୍ୟ ଗରୁଡ଼ ତୁ ସେ ପୁଣି

।।

କଥାକୁ ଗଣ୍ଠି କରି ଧରି

ପୁଣି ହିଂ ମୋତେ ତୁ ପଚାରି

।।

ଶୁଣ ହୋ ପକ୍ଷୀରାଜ ତୁହି

କହିବା ସବୁ ତୋତେ ଫେଇ

।।

ପ୍ରାଣୀଏ ଉତୁପାତ ହେବେ

ଜାଣିଣ ହୁଡ଼ି ପଡ଼ୁଥିବେ

।।

ଆୟତ ରହିବଟି ନାହିଂ

କାଳ ଘୋଟିବ ସବୁଙ୍କୁ ହିଂ

।।

ମଙ୍ଗଳ ବାର ଦିନ ଜାଣ

ଯୋଗ୍ନୀମୁଖା ହୋଇବେ ଜନ୍ମ

।।

ଏଥିରେ ହେବେ ବହୁ ନାଶ

ନୋହିବ ଶନିବାର ଶେଷ

।।

କାର୍ତ୍ତିକ ତେର ଶୁକ୍ରବାର

ନୋହିଲେ ମାର୍ଗଶୀର ବାର

।।

ଏଥିରେ ଯେବେ ନ ଘଟିବ

ମକ୍ର ମାସକୁ ଯେ ଦେଖିବ

।।

ଏଥିରୁ ଅବା ସେ ମେଣ୍ଟଣ

ହୋଇଲେ ଚଇତ୍ର ମାସେଣ

।।

ଏ ରୂପେ ନବ ଅଙ୍କ ଠାରୁ

ବିଚାର ଲାଗିବ ସଂସାରୁ

।।

କେହୁ ବୋଲିବେ ନିଶ୍ଚେ ହେବ

ଯବନ ଛାଡ଼ି ପଳାଇବ

।।

କେ ବୋଲେ ଆସୁଛନ୍ତି ଧାଇଂ

ସନ୍ୟରେ ଠାବ ଆଉ ନାହିଂ

।।

କେ ବୋଲେ ଗଡ଼ ଜୟ କଲେ

ଉତ୍ତରୁ ସନ୍ୟ ଆସି ବଳେ

।।

ଏ ରୂପେ ବିଚାର ଲାଗିବ

କେବେ ଏ କଥା ନ ଘଟିବ

।।

ସମୟେ ଗୋପ୍ୟ ହେଉଥିବ

ସମୟେ ପୁଣି ସେ ଉଠିବ

।।

ଏ ରୂପେ ଲାଗିବ ତରକ

କହିଲୁ ତୋ ଆଗେ ସତର୍କ

।।

ଏମନ୍ତେ ଶ୍ରୀକୃଷ୍ଣ ବଚନ

ଗରୁଡ଼ କହୁଅଛି ଶୁଣ

।।

ପୁଣି ଘଟିବ କେଉଂ ମତେ

ଭୋ ନାଥ କହ ଦୟା ଚିତ୍ତେ

।।

ବୋଲନ୍ତି କମଳା ରମଣ

କହିବା ସାବଧାନେ ଶୁଣ

।।

ଆଗେ ମୁଂ କହିଅଛି ଯାହା

ହେତୁ ତୁ କର ପକ୍ଷୀନାହା

।।

ଏଗାର ଅଙ୍କକୁ ପ୍ରମାଣ

ବାରେ ଲାଗିବ ଛନ୍ଦ ପୁଣ

।।

ତେରରେ ତରକ ହୋଇବ

ଚଉଦେ ସିନ୍ଧୁ ଘୋଷ ହେବ

।।

ଦକ୍ଷିଣୁ ଲହଡ଼ି ଉଠିବ

ଗ୍ରାମ ପାଟଣା ବୁଡ଼ିଯିବ

।।

ଚଉଦେ ଆମ୍ଭେ ହେବୁ ଜନ୍ମ

ରହିବୁଂ କାଶୀ ଦେଶ ଗ୍ରାମ

।।

ଅନେକ ଅପଘାତ ବାଣୀ

ଚଉଦେ ଶୁଣିଥିବେ ପ୍ରାଣୀ

।।

ପାଇବେ ଅନେକ ସୂଚକ

ଦେଖିବେ ସନ୍ଥ ଗ୍ୟାନୀଲୋକ

।।

ଏମନ୍ତେ ଗରୁଡ଼କୁ କହି

ଦ୍ରହାସ କଲେକ ଗୋସାଇଂ

।।

ସୁଜନେ ଶୁଣ କର୍ଣ୍ଣ ଡେରି

ତରିବ ଭବାର୍ଣ୍ଣବ ବାରି

।।

ନିନ୍ଦୁକ ଦାମ୍ଭିକ ସେ ଯେତେ

ତାଙ୍କୁ ନ ଦେବ କଦାଚିତେ

।।

ସୁଜନେ ଏଥି ତଲେ କର

କହଇ ଅଚ୍ୟୁତ ପାମର

।।

 

 

 

 

ଇତିଶ୍ରୀ ମହିମା ଶାସ୍ତ୍ର ପ୍ରକାଶେ ଶ୍ରୀହରି ଗରୁଡ଼ ସମ୍ବାଦେ ନାମ ସପ୍ତମୋଽଧ୍ୟାୟଃ

 

ଅଷ୍ଟମ ଅଧ୍ୟାୟ

 

ହସି ବୋଲନ୍ତି ଚକ୍ରଧର

ଗରୁଡ଼ ଯୋଡ଼ିଅଛି କର

।।

ଚଉଦେ ଏତେ ଉତୁପାତ

ହୋଇବ ବିନନ୍ତାର ସୂତ

।।

ଠିକେ କହୁଛି ତୋତେ ମୁହିଂ

ଆଗତ କହୁଅଛି ଫେଇ

।।

ପନ୍ଦରେ ଲାଗିବ ସଂଗ୍ରାମ

ନାଶ ହୋଇବେ ବହୁଜନ

।।

ଯେ ଦିନ ସଇନ୍ୟ ଆସିବେ

କେହି ତା ଜାଣି ନ ପାରିବେ

।।

ଘୋଟି ଆସିବେ ଚାରିଦିନେ

ପଚ୍ଛିମ ଉତ୍ତର ଦଖିଣେ

।।

ସୂର୍ଯ୍ୟର କିରଣ ପ୍ରଖର

ଢଳି ପଡ଼ୁଣଥିବେ ନର

।।

ଦିନକୁ ଦିନ କୃଷି ଉଣା

ପନ୍ଦରେ ଲାଗିବ ଟିହଣା

।।

ୟେ ଦିନେ ଚହଳ ପଡ଼ିବ

ଓଡ଼ିଶା ପୁର କଂପୁଥିବ

।।

ଡହକ ପଡ଼ିବଟି ମାଡ଼ି

ଅନେକ ମରିବେକ ପୋଡ଼ି

।।

ବିଚାର ନ ରହିବ କାହିଂ

ଅବିଚାର ଯେ ହେବ ତହିଂ

।।

ଜଳର କଷ୍ଟ ବଡ଼ ହେବ

ଇନ୍ଦ୍ର ଯେ ଭଲେ ନ ପାଳିବ

।।

ଅଳପେ ସର୍ବ ହେବ ନାଶ

ରହିବ ସାତ ପାଞ୍ଚ ଦେଶ

।।

ଏ କଥା ପ୍ରମାଣ ହୋଇବ

ଚବିଶ ଅଙ୍କରେ ସରିବ

।।

ହାଡ଼ ପଡ଼ିବ କୁଢ଼ କୁଢ଼ା

ମଡ଼ା ଉପରେ ଗଦା ମଡ଼ା

।।

ଗ୍ରାମ ଗ୍ରାମକେ ହେବ ମାର

ଏ କଥା ଶୁଣ ପକ୍ଷୀବର

।।

ଅନ୍ନ ବିହୁନେ ନାଶ ଯିବେ

ଅର୍ଜିଲା ଧନ ଆନ ନେବେ

।।

ରାଜା ଯେ ହୋଇବ ଯବନ

ଚୋରି କରିଣ ନେବ ଧନ

।।

ଅନେକ ପ୍ରକାରେଣ ନେବ

ବିନା ଯନ୍ତ୍ରରେ ନଚାଇବ

।।

ଏଣୁ ସେ କାଙ୍ଗାଳ ହୋଇବେ

ପ୍ରାଣୀୟେ ବହୁ ନାଶ ଯିବେ

।।

ୟେ କଥା ଯେବେ ନ ଘଟିବ

ଦାରୁ ସ୍ୱରୂପ କିଂପା ଥିବ

।।

ୟେମନ୍ତ ବଚନ ଶୁଣିଣ

ଗରୁଡ଼ ମୁର୍ଚ୍ଛାଗତ ପ୍ରାଣ

।।

ବିକଳେ ରୋଦନ ଯେ କଲା

ପଦ୍ମ ଚରଣେ ସେ ପଡ଼ିଲା

।।

କାନ୍ଦଇ ଅତି ଉଂଚେ ପୁଣି

ଦୟା ବହିଲେ ଚକ୍ରପାଣି

।।

ଶ୍ରୀଭୁଜେ ଭୃତ୍ୟକୁ ତୋଳିଣ

ବୋଲନ୍ତି ପ୍ରଭୁ ଭଗବାନ

।।

କିଂପାଇଂ ହେଉଛି ବିକଳ

ୟେ ସବୁ ମୋହର ବିଧାନ

।।

ୟେଥିକି ନ କର ତୁ ଭୟେ

ମୁହିଂଟି କରଇ ସଞ୍ଚୟେ

।।

ଯେମନ୍ତେ ଗୋବିନ୍ଦ ବଚନ

ଶୁଣି ଗରୁଡ଼ ହେଲା ଗ୍ୟାନ

।।

ମୁଂ ମୂଢ଼ ସେହି ସ୍ଥାନେ ଥିଲି

ଗରୁଡ଼ ପଛରେ ଦେଖିଲି

।।

ତେଣୁ ଯେ କିଛି ବଖାଣଇ

ତା ବିନୁ ମୋର କେହି ନାହିଂ

।।

ସୁଜନେ ବୋଲ ହରିହରି

କାଳ ଯେ ପଳାଇବ ଡରି

।।

କାଳ ଯେ କରଇଟି ବଣା

କାଳ ହିଂ ମନର କଳ୍ପନା

।।

ତେଣୁ ସେ କାଳକୁ ନ ଡର

ସୁଜନେ କୃଷ୍ଣ ଆଶ୍ରେ କର

।।

ହରି ଚରଣେ ଦେଇ ମତି

ଭଣିଲେ ଦୀନ ଯେ ଅଚ୍ୟୁତି

।।

 

 

 

 

ଇତିଶ୍ରୀ ମହିମା ଶାସ୍ତ୍ର ପ୍ରକାଶେ ଶ୍ରୀକୃଷ୍ଣ ଗରୁଡ଼ ସମ୍ବାଦେ ନାମ ଅଷ୍ଟମୋଽଧ୍ୟାୟଃ

 

ନବମ ଅଧ୍ୟାୟ

 

କୃଷ୍ଣ ଚରଣେ ଦେଇ ମତି

ବୋଇନ୍ତି ବିନତା ସନ୍ତତି

।।

ଯାହା କହିଲେ ପ୍ରଭୁ ମୋତେ

ସନ୍ଦେହ ଲାଗିଲାକି ଚିତ୍ତେ

।।

ବୋଇଲ ଦୁଇ ଚାରି ଦେଶ

କେକେ ରହିବ ପୀତବାସ

।।

ୟେଡ଼େ ଉତ୍ପାତ ନ ବାଧିବ

ପ୍ରମାଦ ଅବା ପଡ଼ୁଥିବ

।।

ସେମାନ କହିବାକ ମୋତେ

ଶୁଣିଣ ହୋଇବି କୁତାର୍ଥେ

।।

ୟେମନ୍ତେ ଖଗୟାର ବାଣୀ

ଶୁଣି ବୋଲନ୍ତି ଚକ୍ରପାଣି

।।

ତାହା କହିବି ତୋ ଆଗର

ଗୁପତ ରଖ ପକ୍ଷୀବର

।।

ଶ୍ରୀ ଯାଜପୁର ପାଦ ଜାଣ

ବିରଜା ଦେବୀଙ୍କ ଆଶ୍ରମ

।।

ସେ ଥାନ ଅଟଇ ଅଗମ୍ୟ

ଗମି ନ ପାରଇଟି ଯମ

।।

କୋଟିଏ ଲିଙ୍ଗ ଛନ୍ତି ତହିଂ

ଆଦି ବିରଜା ଦେବୀ ଯହିଂ

।।

ସ୍ଵର୍ଗକୁ ବାଟ ତହିଂ ଅଛି

କେ ତାହା ନ ପାରନ୍ତି ଦେଖି

।।

ଦଶ ଶାସନୀ ଘାଟ ଯହିଂ

ଘାଟେ ଅଛନ୍ତି ଯୋଗ୍ନୀ ରହି

।।

ପାତାଳ ବୈକୁଣ୍ଠ ଭୁବନ

ସେଠାରେ ବାଟ ଅଛି ପୁଣ

।।

ବରେହା ଅବତାର ତହିଂ

ନଦୀର ମଧ୍ୟରେଣ ଯାଇଂ

।।

ଋଷି ମାନଙ୍କ ତପ ଥାନ

ସେ ଠାବେ ଛନ୍ତି ବହୁ ଜନ

।।

ମୋହୋର ପାଦ ସେହୁ ଜାଣ

ସେଠାରୁ ଯେଣିକି ଅଗମ୍ୟ

।।

ଠିକେ ଠିକେ କହିବା ତୋତେ

ତୁ ଯେବେ ପଚାରିଲୁ ମୋତେ

।।

ଆଦି ବିଚାର ହେବ ତହିଂ

ବିରଜା ପାରୁଶେଣ ଯାଇଂ

।।

ବହୁତ ସଇନ୍ୟ ଆସିବେ

ବିରଜା ତାଙ୍କୁ ନ ଛାଡ଼ିବେ

।।

ସେଠାରେ ରହିବେଟି ପୁଣ

ଗୋହିରା ଟିକିରିରେ ହାଣ

।।

ରୋଧିର ନଦୀ ଯିବ ବହି

କିସ କହିବି ତୋତେ ମୁହିଂ

।।

ସେଠାରେ ବଳ ନ କାଟିବ

ମୋ ଚକ୍ର ତହିଂ ବୁଲୁଥିବ

।।

ଆବର କହିଦେବା ତୋତେ

ତେଣିକି ଥାନ ଅଛି ଯେତେ

।।

ବିରୂପା ବୋଲି ନଦୀ ନାମ

ମହାନଦୀରୁ ସେ ଜନମ

।।

ଭୀମକୁ ଗ୍ରାହା ମୁଖେ ଦେଇ

ଯୁଜେଷ୍ଠି ପାରିହେଲେ ଯହିଂ

।।

ସେ ନଦୀ ତୀରରେଟି ଜାଣ

ଜଳୁକା ବୋଲି ଗିରି ନାମ

।।

ସେ ଗିରି ଅଟଇ ଅଗମ୍ୟ

ତହିଂ ଅଛନ୍ତି ସାଧୁଜନ

।।

ଅନେକ ସିଦ୍ଧ ସାଧୁ ତହିଂ

ସ୍ୱର୍ଗ ଗୁପତେ ଅଛି ଯହିଂ

।।

ପଶିଲେ ଜଳକା ହୁଅନ୍ତି

ତେଣୁ ଜଳୁକା ନାମ ଖ୍ୟାତି

।।

ତହିଂ ପଛକୁ ଶୁଣ ବୀର

ଅମରାବତୀ ନାମ ଯାର

।।

ଅମରା ଭୂମି ଅଛି ଯହିଂ

ତା ଭେଦ କେହି ପାଇ ନାହିଂ

।।

ସେ ଠାବେ ପାଣ୍ଡବେଟି ଥିଲେ

ଅନେକ ଯଶ କରିଗଲେ

।।

ସେ ଥାନେ ଦୁଷ୍ଟ ନ ରହିବେ

ସନ୍ଥ କେବଳ ତହିଂ ଥିବେ

।।

ଆବର କହି ତୋତେ ପୁଣ

ଶ୍ରୀ ମଞ୍ଚେଶ୍ୱର ବୋଲି ନାମ

।।

ତ୍ରିତୟା ଯୁଗର ଥାପନ

ତହିଂ ରହିଣ ଥିଲେ ରାମ

।।

ତହିଂ ରହିବେ କିଛି ନର

ସେ ସ୍ଥାନ ବଡ଼ାଇ ଦୁସ୍ତର

।।

ଆବର କହିଦେବା ତୋତେ

ତୁ ୟେବେ ପଚାରିଲୁ ମୋତେ

।।

ଚିତ୍ରଉତ୍ପଳା ନଦୀ ତୀର

ଶ୍ରୀ ଭଗବତୀ ନାମ ଯାର

।।

ସେ ଥାନ ମହିମା ଅପାର

କେ ତାହା କହିବ ମୁଖର

।।

ତୁ ଯେଣୁ ମୋର ନିଜ ଦାସ

ତେଣୁ କହିଲି ଏ ସନ୍ଦେଶ

।।

ଶ୍ରୀକୃଷ୍ଣ ଚରଣ କମଳେ

ମନ ମୋ ଥାଉ ସୁନିଶ୍ଚଳେ

।।

ହରି ଚରଣେ ଦେଇ ଚିତ୍ତ

ଭଣିଲେ ଦୀନ ଯେ ଅଚ୍ୟୁତ

।।

 

 

 

 

ଇତିଶ୍ରୀ ମହିମା ଶାସ୍ତ୍ର ପ୍ରକାଶେ ଶ୍ରୀକୃଷ୍ଣ ଗରୁଡ଼ ସମ୍ବାଦେ ନାମ ନବମୋଽଧ୍ୟାୟଃ

 

ଦଶମ ଅଧ୍ୟାୟ

 

ଆବର ଶୁଣ ମନ ଦେଇ

ନେମ୍ବାଳ ବଟ ଯାଏ ତହିଂ

।।

ସେଠାରେ ନିତ୍ୟେ ନାମକେଳି

କାଳ ନ ପଶେ ଡରି କରି

।।

ମୋହୋର ଗୁପ୍ତ ସ୍ଥାନ ୟେହି

ଭକ୍ତଙ୍କ ମେଳ ଯହିଂ ହୋଇ

।।

ଆବର ଅଛି ଯେଉଂ ଥାନ

ଶାଳ ଶୀଳ ବଟଟି ପୁଣ

।।

ସେଠାରୁ ମହାନଦୀ କୂଳ

ମାହାଳ ବନ ଯାଏ ବୀର

।।

ୟେ ଠାରୁ ଯାଜପୁର ଯାୟ

ଯାହା କହିଲି ତୋହ ଠାୟେ

।।

ୟେ ଅଟେ ବୈକୁଣ୍ଠ ଭୁବନ

ଯହିଂରେ ନାମ କୀରିତନ

।।

ଶୁଣହୋ ଠୁଳେ କହିଂ ତୋତେ

ଚଉଦ ଅଙ୍କ ଯାଏ ଯେତେ

।।

ସତରେ ଯେମନ୍ତ ବିଚାର

କହିଲି ତୋହୋର ଆଗର

।।

ଚବିଶ ଯାୟେ ମହାମାରୁ

ଏଥିରେ ଯଶ ନାହିଂ ଆରୁ

।।

ନିଘୋଡ଼ ମାରୁଣୀ ଅବଶ୍ୟ

ବହୁତ ହୋଇବେ ବିନାଶ

।।

କୃତର୍କୀ ଲଂପଟୀ ମରିବେ

ହିଂସୁକ ବହୁ ନାଶ ଯିବେ

।।

ଚଇତ୍ର ମାସରେ ସାଂଗ୍ରାମ

ଭାଙ୍ଗିବ ଗରୁଡ଼ ତୁ ଶୁଣ

।।

ଶୂନ୍ୟରେ ଡାକ ପଡ଼ୁଥିବ

ପାଣ୍ଡୁର ବର୍ଣ୍ଣ ହିଂ ଦିଶିବ

।।

ଉତ୍ତରୁ ଆସିବେଟି ସନ୍ୟ

ୟେକେ ୟେକେକ ବଳବାନ

।।

ସୁଜନେ ଶ୍ରୀମୁଖ ବଚନ

ପ୍ରଘଟ ନ କରିବ ପୁଣ

।।

ପ୍ରଘଟ କଲେ ଦୋଷ ହେବ

ସୁଜନେ ଚିତ୍ତେ ରଖିଥିବ

।।

କାହାକୁ ନ କହି ନିକର

ଗୁପତ ମହିମା ଏ ସାର

।।

ପୂର୍ବ ବାସନା ଯାର ଥିବ

ୟେ ଶାସ୍ତ୍ର ତାହାକୁ ମିଳିବ

।।

ସମ୍ଭାଳି ରଖିଲେଟି ଜାଣ

ଅଧିକେ ବିକାଶିବ ଗୁଣ

।।

ହରି ଭରସା କର ନର

ତରିବ ସଂସାର ସାଗର

।।

ଅନେକେ ଦୁର୍ଘଟ ପଡ଼ିବ

ଯେ ପ୍ରାଣୀ ନାମେ ଆଶ୍ରେଥିବ

।।

ତାହାକୁ ରଖିବେ ଗୋସାଇଂ

ମୁଂ କିସ ପାରିବିଟି କହି

।।

ସୁଜନେ ଦୋଷ କ୍ଷମାକର

ସାଧୁଙ୍କ ସେବା ନାହିଂ ମୋର

।।

ଗରୁଡ଼ ଶ୍ରୀହରି ପଙ୍କଜେ

ଦୀନ ଅଚ୍ୟୁତ ନିତ୍ୟେ ଭଜେ

।।

 

 

 

 

ଇତିଶ୍ରୀ ମହିମା ଶାସ୍ତ୍ର ପ୍ରକାଶେ ଶ୍ରୀକୃଷ୍ଣ ଗରୁଡ଼ ସମ୍ବାଦେ କଳି ଆଗତ ଭବିଷ୍ୟ କଥନେ ନାମ ଦଶମୋଽଧ୍ୟାୟଃ

 

ଆଗତ ଭବିଷ୍ୟ ମାଳିକା

ପ୍ରଥମ ବାଣୀ

 

କହୁଛନ୍ତି ରାମଚନ୍ଦ୍ର ଶ୍ରୀଗୁରୁଙ୍କୁ ଚାହିଂ

କଳିଯୁଗ ଲୀଳା ମୋତେ କହିବା ବୁଝାଇ

କେଉଂ ଗ୍ରାମେ ଜନ୍ମ ତୁମ୍ଭେ ହୋଇବ ଆପଣେ

କହନ୍ତି ଦୀନ ଅଚ୍ୟୁତ ରାମଚନ୍ଦ୍ର ଶୁଣେ

 

କ୍ଷୀରନଦୀ ଦକ୍ଷିଣରେ ନିଗ ନାମେ ଦେଶ

ଖଞ୍ଜିଛି ଧାତା ପଶ୍ଚିମେ ନିଗମେ ମହେଶ

ଖ୍ୟାତି ବଟ ଗୁପ୍ତ ତାର ପୁର୍ବଭାଗେ ଉଦେ

କ୍ଷମେ କହିଲେ ଅଚ୍ୟୁତ ଗୀତ ପଦ ଛାନ୍ଦେ

 

ଗିରି ଗୋପ୍ୟ ହୋଇଛି ଯେ ମାଟି ପ୍ରାୟ ହୋଇ

ଗହ ଗହ ସର୍ବଦା ଯେ ଶବଦ ହୁଅଇ

ଗୁପ୍ତକଥା ଏ ଅଟଇ ନ କରିବୁ ଖ୍ୟାତ

ଗୀତରେ ଭଣିଲେ ଦୀନ ହୀନ ଯେ ଅଚ୍ୟୁତ

 

ଘୋର କଳି ମହାଘୋର ତମ ଆଚ୍ଛାଦିବ

ଘଟ ଗୁପ୍ତ ବହିବୁଂ ଯେ କେହି ନ ଜାଣିବ

ଘରଣିଆ ପଣରେ ଯେ ହରୁଥିବି ଦିନ

ଘୋଷେ ଦୀନ ଅଚ୍ୟୁତ ଯେ ଏ କଥା ପ୍ରମାଣ

ନ ପାଇବେ ଭକ୍ତେ ଖୋଜି ଭ୍ରମି ନାନା ଦେଶ

ନୀଚେ ଖ୍ୟାତ କରିବୁ ଯେ ଶୁଣ ରାମଦାସ

ନୀଳା କରୁଥିବୁ ଆମେ ଗୁପତ ଭାବରେ

ନିଷ୍ଠାକରି କହିଲେ ଯେ ଅଚ୍ୟୁତ ଗୀତରେ

ଚହଟିବ ଲୀଳା ତୁ ଚାରିରେ ମିଶା ଏକ

ଚଢ଼ା ତିନି ଶୂନ୍ୟ ତହିଂ ଯେତେ ହେଲା ଠିକ

ଚଳିଯାଉ ଘୋର କଳି ଦଳି ଦେବେ ମିଳି

ଚେତାଇଣ ଗୀତ ଛନ୍ଦେ ଅଚ୍ୟୁତ ଯେ ଭାଳି

ଛିତି ମଧ୍ୟେ ଯେତେ ଭକ୍ତ ଜନ୍ମ ହୋଇଛନ୍ତି

ଛାଡ଼ିଯିବ ତାହାଙ୍କର ମନୁ ବୁଦ୍ଧି ଭ୍ରାନ୍ତି

ଛାମୁରେ ମିଳିବେ ଉଦବେଗ ବେଗ ହୋଇ

ଛଛନ୍ଦ୍ରେ ଭଣିଲେ ଗୀତେ ଅଚ୍ୟୁତ ଗୋସାଇଂ

ଯେବେ ଧ୍ୱଜା ଉଡ଼ିବ ହୋ ନୂଆ ପାଟଣାର

ଜାଣିବୁ ନିଶ୍ଚୟ ବେଳ ହୋଇଲା ନିକର

ଜାଣିଥିଲା ଭକ୍ତେ ଦେଖି ହୋଇବେ ତୃପତ

ଜାଣିଥାଆ ଠିକେ ଗୀତେ କହିଲେ ଅଚ୍ୟୁତ

 

ଝଞ୍ଜକା ମଣିବେ ଦୁଷ୍ଟେ ଅଜ୍ଞାନେ ମାତିବେ

ଝଗଡ଼ା କଥା ବଖାଣି ଭକ୍ତକୁ ନିନ୍ଦିବେ

ଝାସଦେବେ କାଳକ୍ରମେ ଝିମିଟକେ ଯାଇ

ଝାମ କଲା ପ୍ରାୟେ ହେବେ ଅଚ୍ୟୁତ କହଇ

 

ନଳିନ ବନ ଲୁଚିଛି ନେମାଳ ଗ୍ରାମରେ

ନୀଳା ପ୍ରକାଶିବ ଆଦ୍ୟେ ସେହି ଯେ ଠାବରେ

ନାଶଯିବେ ଦୁଷ୍ଟଲୋକ ହେବ ହାଣଗୋଳ

ନିତ୍ୟେ ଦେଖୁଥିବ ବସି ଅଚ୍ୟୁତ ପାମର

 

ଟାଣକରି ଦେଖୁଥିବେ ଯେଉଂ ଲୋକମାନେ

ଟଳମଳ ହୋଇବେ କଳଙ୍କୀ ନିକଟେଣେ

ଟାକିଅଛି ମହାମାୟୀ ଖପର ପତାଇ

ଟାଣ ଭାଙ୍ଗିଦେବ ଦୀନ ଅଚ୍ୟୁତ କହଇ

 

ଠିକ ଜ୍ଞାନେ ଭାଷୁଥବେ ଥୋକେ ସାଧୁଜନ

ଠାବ ନ ପାଇଣ ବଣା ହୋଇବେ ସେ ପୁଣ

ଠକ ବୃତ୍ତି ଆଚରିଣ ଠୋକର ଖାଇବେ

ଠିକେ କହଇ ଅଚ୍ୟୁତ ଠାବ ନ ପାଇବେ

 

ଡାକିବେ ଭୈରବୀ ଯେତେବେଳେ ସ୍ଥାନ ଛାଡ଼ି

ଡରିବେ ସକଳ ଜନ ପଡ଼ିଯିବ ହୁରି

ଡାଙ୍କେଣୀ ମୁଖେ ପଡ଼ିବେ ହୋଇ ନାରଖାର

ଡାକି କହଇ ଅଚ୍ୟୁତ ମନେ ହେତୁ କର

 

ଢମପଣ ନ କହିବ ଗୋଟିଏ କାହାରି

ଢାଳେ ସବୁ ଚୁନାହେବ ବୁଝ ହେତୁକରି

ଢାଙ୍କି ରଖିଥିବେ ଜନ ଯେତେ ଧନ ବୃତ୍ତି

ଢାଳେ ନାଶଯିବ ସର୍ବେ କହିଲେ ଅତ୍ୟୁତି

 

ଏକାକ୍ଷର ମନ୍ତ୍ର ଜପ ଯେଉଂମାନଙ୍କର

ଆନନ୍ଦ ହୋଇବେ ଦେଖି ଲୀଳା ଯେ ପ୍ରଭୁର

ଅତିସୁଖେ ଦିନ ନେବେ ଦୁଃଖ ଥିଲେ ପାଇ

ଅଚ୍ୟୁତି ଗୀତେ ଯୋଡ଼ଇ ପଦ୍ମପାଦ ଧ୍ୟାୟି

 

ତେର ଜଣ ଯେତେବେଳେ ହୋଇଯିବ ମେଳି

ତେତେବେଳେ ଲାଗିଯିବ କଳିଯୁଗ କଳି

ଜଳରେ ତଇଳ ପ୍ରାୟେ ରହିଥିବି ମୁହିଂ

ଦିନେ ଯେ ଭେଟ ହୋଇବ ଅଚ୍ୟୁତି କହଇ

 

 

ଥାନଛାଡ଼ି ବିରଜା ଯେ ହୋଇବେ ବାହାର

ଥିବେ ତାଙ୍କର ସଙ୍ଗତେ ଯେତେ ଜଳଚର

ଥିଲା ଲୋକମାନଙ୍କୁ ଯେ ଖାଇବେ ଗୋଡ଼ାଇ

ଥୟ ନ ରହିବ ଦୀନ ଅଚ୍ୟୁତ କହଇ

 

ଦିନୁଂ ଦିନ ଗୋଳ ହେବ ଅପାରୁଂ ଅପାର

ଦୀନ ଦିଶିବ ଯେ ରାମ ମନେ ହେତୁକର

ଦେଖୁ ଦେଖୁ ସୈନ୍ୟଦଳ ପଶିବେ ଝସାଇ

ଦିହୁଡ଼ି ଲାଗିବ ଦିନେ ଅଚ୍ୟୁତ ଯେ କହି

 

ଧରି ମାରୁଥିବେ ଜଣେ ଜଣେ ସୈନ୍ୟବଳ

ଧ୍ୱଂସିବେ ଦମନବଳ କରି ରଣଗୋଳ

ଧରିଥିବେ ଖପର ଯେ ହସ୍ତେ ମହାମାୟୀ

ଧରି ମୋଡ଼ିବେଟି ମୁଣ୍ଡ ଅଚ୍ୟୁତ କହଇ

 

ନ ରହିବେ ଦମନ ଯେ ପଳାଇବେ ଛାଡ଼ି

ନିସତ ହୋଇଣ ଯିବେ ନିଜ ପଥ ମାଡ଼ି

ନୃପତିମାନେଟି ମର୍ତ୍ତ୍ୟେ ନ ରହିବେ କେହି

ନୟନେ ଦେଖିବୁ ଦୀନ ଅଚ୍ୟୁତ କହଇ

 

 

ପଥରେ ରାତ୍ରି ଦିବସ ଯୁଦ୍ଧ ଯେ ଲାଗିବ

ପ୍ରସ୍ତାବିତ କଳି ମହାଭାରତ ସରିବ

ପୃଥ୍ୱୀ ଭାରାଭାର ହେବ ତେବେ ଉଶୁଆସ

ପ୍ରମାଣେ ଭଣିଲେ ଦୀନ ଅଚ୍ୟୁତ ଯେ ଦାସ

 

ଫଣି ପ୍ରମାଣରେ ଛତ୍ର ଧରା ଯେ ହୋଇବ

ଫିଟିବ ପ୍ରଜାଙ୍କ କଷ୍ଟ ସୁବୃଷ୍ଟି ହୋଇବ

ଫେଡ଼ି କହିଦେଲି ଏହା ରଖିବୁ ଗୁପତ

ଫୁକାରି କହଇ ଗୀତେ ପାମର ଅଚ୍ୟୁତ

 

ବଳରାମ ହେବ ରାଜା କାହ୍ନୁ ପରିଚାର

ବସିବ ସୁଧର୍ମା ସଭା ଯାଜପୁର ଠାର

ବୀଣା ବାଇ ନାରଦ ଯେ ଛାମୁରେ ନାଚିବେ

ବେଦ ପଢ଼ୁଥିବେ ବ୍ରହ୍ମା ଅଚ୍ୟୁତ ଶୁଣିବେ

 

ଭୂତ ଭବିଷ୍ୟ ବିଚାର ହୋଇବ ଯେ ତହିଂ

ଭଲମନ୍ଦ କଥା ବାଛି ଦେବେଟି ବୁଝାଇ

ଭକ୍ତବୃନ୍ଦ ମହାନନ୍ଦ ହେଉଥିବେ ସୁଖେ

ଭାଷଇ ଅଚ୍ୟୁତ ହରିବୋଲ ସର୍ବେ ମୁଖେ

 

 

ମନୁ ମାନ ତେଜ ଦ୍ୱନ୍ଦ କଥାରେ ନ ପଡ଼

ମୋଡ଼ି ଖାଇବେଟି ଦେବୀ ନାହିଂ ତହିଂ ବାଡ଼

ମାତ୍ର ଏ ସହଜ ମୁଖେ ହୋଇଣ ବିମଗ୍ନ

ମଜ୍ଜିଣ କହଇ ଦୀନ ଅଚ୍ୟୁତ ଯେ ହୀନ

 

ଯାହା ମୁଂ କହୁଛି ବାବୁ ଚିତ୍ତରେ ତୁ ଘେନ

ଜାଗ ମନେ ହେତୁକରି ପଶ ଯା ଶରଣ

ଯମ ଯାତନାକୁ ସିନା ସମସ୍ତେ ଡରନ୍ତି

ଜପ ଏକାକ୍ଷର ମନ୍ତ୍ର କହଇ ଅଚ୍ୟୁତି

 

ରାମ ନାମ ଦୁଇଲକ୍ଷ ଭିତରେ ବାହାରେ

ରଖ ହୋ ଚିତ୍ତରେ ଲକ୍ଷ ଲକ୍ଷ ନିରନ୍ତରେ

ରସ ରସନାରେ ରସ ଭାବନାରେ ରସ

ରାହାସ ଦେଖିବୁ କହେ ଅଚ୍ୟୁତ ଯେ ଦାସ

 

ଲୟେ ଅଙ୍ଗ ନେଇ ଲୀଳା ଅଙ୍ଗରେ ତୁ ଭର

ଲାବଣ୍ୟ ମୂର୍ତ୍ତିକି ହେତୁ ଅଙ୍ଗେ ଠାବ କର

ଲାଗି ଅଲଗାରେ ଛନ୍ତି ରାଧାକୃଷ୍ଣ ବେନି

ଲୟେ ଅଙ୍ଗ ଏକ କରି ଅଚ୍ୟୁତ ଯେ ଭଣି

 

 

ବାଇ ପ୍ରାୟେ ହୋଇ ଚିତ୍ତ ମଜାଅ ତୁ ନେଇ

ବଂଶୀବଟ ମୂଳେ ଲୀଳା ଦେଖିବୁ ତୁ ରହି

ବାର ଜଣେ ନୁହ ଦଶ ତେର ଯେ ପ୍ରକାଶ

ବଙ୍କୁନାଳେ ଭେଟ କହେ ଅଚ୍ୟୁତ ଯେ ଦାସ

 

ସହଜେ ସୂତ୍ରେଣ ଦେଖି ତ୍ରିବେଣୀ ଯେ ନଈ

ସହସ୍ର ପାଖୁଡ଼ା ପଦ୍ମ ଫୁଟିଅଛି ତହିଂ

ସତ ଶାନ୍ତି ଦୟା କ୍ଷମା ସେହିଠାରେ ଜୁର

ସିଦ୍ଧମାର୍ଗେ ଭଣିଲେ ଯେ ଅଚ୍ୟୁତ ପାମର

 

ଛୁଞ୍ଚି ଅଗ୍ର ବାଜି ଲାଇ ପ୍ରାୟ ଦିଶେ ବାଟ

ସେ ବାଟେ ଚଳିଲେ ଶୂନ୍ୟ ମଣ୍ଡଳରେ ଭେଟ

ଶୂନ୍ୟ ଶୂନ୍ୟ ଆକୃତିରେ ବିଜେ ବିନ୍ଦୁ ବ୍ରହ୍ମ

ସାରକଥା ବାଛି କହେ ଅଚ୍ୟୁତ ଅଧମ

 

ସେବାରେ ମିଶାଇ ଯେ ପରଚେ ହୁଅ ତୁହି

ସଂସାର ବାସନା ଆଉ ଲାଗିବ ଯେ ନାହିଂ

ଶୋକ ମୋହ ଏ ଦେହକୁ ଘେରି ରହିଅଛି

ସର୍ବେ ଛାଡ଼ି ପଳାଇବେ କହଇ ଅଚ୍ୟୁତି

 

 

ହଜାରରେ ହେଜ ଯାଇ ହେଜ ଗୁରୁପାଦ

ହେତୁରେ ଜାଗି ପାରିଲେ ହେବୁ କଳ୍ପବୃଦ୍ଧ

ହରି ଗୁଣି ମିଶାଇବା ନୁହଇ ସହଜ

ହାଙ୍କଇ ଅଚ୍ୟୁତ ଆଗେ ବାନ୍ଧେ ମତ୍ତଗଜ

କ୍ଷୋଭନରେ ଥିବୁ ବାବୁ ଖ୍ୟାତ ନ କରିବୁ

କ୍ଷିତି ମଧ୍ୟେ କାଲଜଡ଼ା ପ୍ରାୟେ ହୋଇଥିବୁ

ଛାଡ଼ିବ ଗାରିମା ତୋର ହୋଇବୁ ନିର୍ମଳ

ଛାର ଅଚ୍ୟୁତ ଦାସର ଏହି ଭାବ ମୂଳ

ଇତିଶ୍ରୀ ଆଗତ ଭବିଷ୍ୟ ମାଳିକା ପ୍ରଥମ ବାଣୀ ସମାପ୍ତ

 

ଦ୍ୱିତୀୟ ବାଣୀ

 

କଲେ ଅଚ୍ୟୁତ ଭାବନ       କହୁଂ କହୁଂ କଳି ଗଲା ଘୋଟିଣ ଯେ

କାଳ ରୂପ ନାହିଂ ଦରଶନ, ସୁଜନ ହେ

ଖିନ୍ନ ଏଣୁଟି ଅଚ୍ୟୁତ       ଖଳଗୋଳ ହେଲା ବେଳକୁ ବେଳ ଯେ

ଖଣ୍ଟେ ମାତି ଘେରିବେ ପ୍ରବଳ, ସୁଜନେ ହେ

ଗୀତ ଅଚ୍ୟୁତ ଯୋଡ଼ଇ       ଗୁପତେ ରହି ସେ ଲୀଳା କରଇ ଯେ

ଗଣ୍ଠି ବେଳେ ପ୍ରକାଶିବି ମୁହିଂ, ସୁଜନେ ହେ

ଘୋଷନ୍ତି ଅଚ୍ୟୁତ ୟେତେ       ଘଟିଣଯିବ ଠକି ଗୋଟାକେତେ ଯେ

ଘୁମେ ନ ଚେତିବେ କେହି ଚିତ୍ତେ, ସୁଜନ ହେ

 

ଉଚ୍ଚେ ଯେ ଅଚ୍ୟୁତ ଭଣି ଊନବିଂଶରେ ନେତ୍ର ଅଙ୍କ ଜାଣି ଯେ

ଉଇଂ ଆସିବେ ପୂର୍ବ ସଇନି, ସୁଜନେ ହେ

ଚେତାଇ କହେ ଅଚ୍ୟୁତ       ଚାରି ଘନ ଋତୁ ଅଙ୍କରେ ସତ ଯେ

ଚେତା ଅବଶ୍ୟ ବୁଡ଼ିଯିବ ତ, ସୁଜନେ ହେ

 

ଛଛନ୍ଦ୍ରେ ଅଚ୍ୟୁତି କହେ       ଛକ ଜଗ ମୋର ସକଳ ପୋଏ ଯେ

ଛନ୍ଦେ ନାମରେ କରି ଉପାଏ, ସୁଜନ ହେ

ଜାଗିଥାଅ ଥିର ମନେ       ଜଣାଣ କରିଣ ଜଗୁ ଜୀବନେ ଯେ

ଜନ୍ମ ଜନ୍ମାନ୍ତର ହେଜି ଧ୍ୟାନେ, ସୁଜନ ହେ

 

ଝଗଡ଼ା ଅଚ୍ୟୁତି କଥା       ଝାଡ଼େ ପଶିବେ ମୋ ସକଳ ପୁତା ଯେ

ଝୁରି କରୁଥିବେ ମୋତେ ଚିନ୍ତା, ସୁଜନେ ହେ

ନିଷ୍ଠାବାଣୀ ଅଚ୍ୟୁତିର       ନିଲୀନ ନେମ୍ବାଳ ଅତି ପ୍ରଖର ଯେ

ନୀଳା ଆଦ୍ୟ ହେବ ସେହି ଠାର, ସୁଜନ ହେ

 

ଟାକି ଅଚ୍ୟୁତିର ବୋଲ       ଟଳିବ କି ପୃଥ୍ୱୀ ହେଲେ ଦିଫାଳ ଯେ

ଟାପରା ମଣିବେ ମୂଢ଼ ମେଳ, ସୁଜନ ହେ

ଠିକଣା ଅଚ୍ୟୁତି କଲେ       ଠ ତିନି ବାମେ ପାଞ୍ଚ ରଖିଲେ ଯେ

ଠକିଯିବ ମୀନ ଶନି ଭଲେ, ସୁଜନେ ହେ

 

ଡାକି କହଇ ଅଚ୍ୟୁତି       ଡାଙ୍କିଣୀ ଗୋଳ ଲଗାଇବେ କ୍ଷିତି ଯେ

ଡର ଘଟେ ଘଟେ ପଶିବଟି, ସୁଜନେ ହେ

ଢମାଳି ଅଚ୍ୟୁତି ବାଇ       ଢମାଳିଆ ହରବଇ ଲଗାଇ ଯେ

ଢମେ ମରିବେ ଦରାଣ୍ଡି ହୋଇ, ସୁଜନେ ହେ

 

ଅଚ୍ୟୁତ ଯୋଡ଼ଇ ଗୀତେ       ଏକାକ୍ଷର ଜପା ଯେତେ ମୋ ଭକ୍ତେ ଯେ

ଅବଶ୍ୟ ଲୀଳା ଦେଖିବେ ନେତ୍ରେ, ସୁଜନ ହେ

ତିଆରି ଅଚ୍ୟୁତି କହି       ତ୍ରିବିଂଶରେ ଥୟ ରହିବ ନାହିଂ ଯେ

ତିନି ରଡ଼ି କେ ପାରିବ ସହି, ସୁଜନ ହେ

 

ଥିର ବାଣୀ ଅଚ୍ୟୁତିର       ଥିଲା ନଥିଲାକୁ ସମାନ କର ଯେ

ଥୁଳେ ନୋହିବ ବେଳ କାହାର, ସୁଜନ ହେ

ଦମ୍ଭେ କହଇ ଅଚ୍ୟୁତି       ଦଧିସାର ତୀରେ ଗିରି ଲୁଚିଛି ଯେ

ଦୃଶ୍ୟ ଲୀଳା ହୋଇବ ଉତ୍ପତ୍ତି, ସୁଜନ ହେ

 

ଧୀର ବାଣୀ ଅଚ୍ୟୁତିର      ଧବଳ କେତନ ଗିରି ଉପର ଯେ

ଧରାଯିବ ସେହିଠାରେ ଚୋର, ସୁଜନେ ହେ

ନିଷ୍ଠା କହିଲେ ଅଚ୍ୟୁତ        ନ ତିନି ଘନରେ ପାଞ୍ଚ ମିଶା ତ ଯେ

ନ ରହିବ ଯବନ ତୁରିତ, ସୁଜନ ହେ

 

 

ପାଞ୍ଚିଣ ଅଚ୍ୟୁତ ମନେ       ପଳାଇବ ଚୋର ପରି ଦମନ ଯେ

ପୁଣି ପତିତ ହେବେ ସ୍ନାହାନେ, ସୁଜନ ହେ

ଫାନ୍ଦିଣ କହେ ଅଚ୍ୟୁତ      ଫନ୍ଦ ସେ ଅନେକ ବୁଡ଼ିଯିବ ତ ଯେ

ଫନ୍ଦା ଲୋଭ ହେବ ଅପ୍ରମିତ, ସୁଜନ ହେ

 

ବାଳୁତ ଅଚ୍ୟୁତ ବାଣୀ        ବଡ଼ଲୋକ ଧରାହୋଇବେ ପୁଣି ଯେ

ବିନାଶରେ ଶିରେ ହେବ ଗଣି, ସୁଜନ ହେ

ଭାବିଣ ଅଚ୍ୟୁତ କହି       ଭାବବିନୋଦିଆ ଭାବ ଲଗାଇ ଯେ

ଭାଳି ଭୂପତି କରିବେ ଭାଇ, ସୁଜନ ହେ

 

ମନାସ ଅଚ୍ୟୁତିଙ୍କର       ମହତ ପରୀକ୍ଷା ହେବ ନିକର ଯେ

ମନ ପୋଡ଼ିବ ମେଳିଆଙ୍କର, ସୁଜନେ ହେ

ଯହିଂକି ଅଚ୍ୟୁତ ବାଇ       ଯତନେ ଘଟଣ ହୋଇବ ସେହି ଯେ

ଜଗି ରହିଅଛି ତହିଂ ପାଇଂ, ସୁଜନ ହେ

 

ରଖିଛି ଅଚ୍ୟୁତ ଆଶା       ରାତି ଗୋଳ ଦିନ ଫିଟିବ ବସା ଯେ

ରଙ୍କରତ୍ନେ ମିଳିବେ ଭରସା, ସୁଜନେ ହେ

ଲୟେ ଅଚ୍ୟୁତିଙ୍କ ଚିତ୍ତ       ଲୀଳାଏ ସତେ ହୋଇବେ ଉଦିତ ଯେ

ଲୋକେ ପ୍ରତ୍ୟକ୍ଷ ଜୀବ ମୁକତ, ସୁଜନ ହେ

 

 

ବଢ଼ି ନ କହେ ଅଚ୍ୟୁତ       ବାଲିପାଟଣା ପାଇବୁ ସଙ୍କେତ ଯେ

ବଳେ ତହୁଂ ଆଜ୍ଞା ହୋଇବ ତ, ସୁଜନ ହେ

ଶବ୍ଦେ ଅଚ୍ୟୁତ ଭଣିଲେ       ସମ ପଦମାନ ଠିକଣା କଲେ ଯେ

ସନ ବିନା ଅଙ୍କରେ ରଖିଲେ, ସୁଜନେ ହେ

ସତ୍ୟ କହିଲେ ଅତ୍ୟୁତ       ସର୍ବେ ଶୁଣିବେ ଭାବି ସ୍ଵପ୍ନମତ ଯେ

ସେହି ହେଲେ ଭଲ ହୋଇବ ତ, ସୁଜନ ହେ

ସଂକ୍ଷେପେ ଅଚ୍ୟୁତ କହି       ଶନିବାର ଦିନ ଗୁପତେ ରହି ଯେ

ସମୂଳେ ସର୍ବସିଦ୍ଧି ସାଧଇ, ସୁଜନ ହେ

ହରଷେ ଅଚ୍ୟୁତି ବୋଲେ       ହରିବୋଲ କରତାଳି ମାରିଲେ ଯେ

ହଜି ହଜାଣରେ ପଦ କଲେ, ସୁଜନ ହେ

କ୍ଷମେ କହଇ ଅଚ୍ୟୁତି       କ୍ଷଣକେ ମଧ୍ୟେ ଲୋଡ଼ା କଳି ପତି ଯେ

ଛନ୍ଦେ ଆଦ୍ୟ ପଦେ ନାମ ଖ୍ୟାତି, ସୁଜନେ ହେ

ଇତିଶ୍ରୀ ଆଗତ ଭବିଷ୍ୟ ମାଳିକା ଦ୍ୱିତୀୟ ବାଣୀ ସମାପ୍ତ

 

ତୃତୀୟ ବାଣୀ

 

କହୁଅଛି ମନ ଶୁଣ ହେ       ଚାଲ ଶ୍ରୀ ବୃନ୍ଦାବନ

ଖିତିରେ ଜନମ ହୋଇଣ ବୃଥାରେ ଗଲା ଦିନ

ଗଣ୍ଠି କରିଛି ଯେଉଂ ଧନ       ଦିନେହୋଇବ ଦୂର

ଘଡ଼ିକେ ଭେଳିକି ଲଗାଇ ପଶିଯିବେଟି ଚୋର

 

ଉଦେ ହୋଇଛନ୍ତି ଦେଖହେ       ଉଦେ ଗିରିକି ଚାହିଂ

ଚାରି ଘେନିଣ ଚଉକଳା ବିସ୍ତାରି ଚଉବାହି

ଛନକା ନୋହିଣ ମନ ହୋ       ଛାଡ଼ି କର ତୁ ଆଣ୍ଟ

ଜଗି ନ ପାରିଲେ ସୁମନ ମାରି ନେବଟି ଖଣ୍ଟ

 

ଝଗଡ଼ା ମୁଣିରେ ତୁ ଅଛୁ       ଝଗଡ଼ା ନୋହେ ସେହି

ନିର୍ମଳେ ପ୍ରକାଶ ହୋଇବ ନଳିନ ବନ ତହିଂ

ଟାହି ଟାପରା ତୁ ନ ମଣ       ଦୁର୍ଜନରେ ଶରଣ

ଠୁଳେ ପଶିବାକୁ କହୁଛି ଏହି କଥା ପ୍ରମାଣ

 

ଡର ପୂରିଅଛି ଜଗତେ       ଡରି ରହ ନିଶ୍ଚିନ୍ତେ

ଢମାଳି ମହିମା ନିନ୍ଦିବେ ତେଣୁ ଭୟ ମୋ ଚିତ୍ତେ

ଅଣଅକ୍ଷର ବାରବାର       ବତିଶରେ ଉପର

ତିନି ତେତିଶକୁ ଜଗିଥା କେହି ନୁହେଂ କାହାର

 

ଥିଲା ଲୋକମାନେ ଭାବିବେ       ହରାଇ ନିଜ ଧନ

ଦୁଃଖୀ ଲୋକେ ଦୟା କରିବେ ଅନାଦି ଭଗବାନ

ଧନ୍ଦାଳି ହୋଇବେ ସକଳେ        ଆଗେ ଧୂମ ଘୋଟିବ

ନାନା ରଙ୍ଗରେ ନାରାୟଣୀ ଲୀଳା ଲଗାଇଥିବ

 

ପାତିଣ ଖପର ବିରୋଜା       ଅଛି ପଥ ଆବୋରି

ଫେଡ଼ି କହୁଅଛି ଜାଣିଥା ସେହି ପଥକୁ ହେରି

ବାହି ଆସିବେ ସୈନ୍ୟବଳ       ବାୟବ୍ୟ କୋଣଠାରୁ

ଭାଙ୍ଗି ଜୁର କରୁଥିବେ ହୋ ଓଡ଼ିଶା ମଣ୍ଡଳରୁ

 

ମହିମା ମେଳ ସଙ୍ଗେ ଗୋଳ       ହେବ ପଦ୍ମ ବନର

ଜାଣି ନ ପାରିବେ କେହି ଯେ ପ୍ରଭୁ ମାୟାରେ ଭୋଳ

ରାସ୍ତା ଶୂନ୍ୟେ ମହାନଦୀରେ ଯେବେ ହେବ ପ୍ରକାଶ

ଲୀଳା ନାନାକାରେ ଲାଗିବ ୟେ ଯେ ଓଡ଼ିଶା ଦେଶ

 

ବନ୍ଦୋବସ୍ତ ହେବ ଓଡ଼ିଶା କର ନେବ ନିକର

ସଂସାର ଉଚ୍ଛନ୍ନ ହୋଇବ ପୃଥ୍ୱୀ ହୋଇବ ଗୋଳ

ସକଳ ଗ୍ରାମରେ ଗୁପତ ଭାବେ ଭକତ ଜନ୍ମ

ସଂଛେପି ଭକତ ଖୋଜିବେ ଭେଟ ନୋହିଣ ଭ୍ରମ

 

ହେତୁ ରଖିଥାଅ ଏତିକି କଳ୍‌କି ଲୀଳା ହେବାର

ପାମର ଅଚ୍ୟୁତ ଭଣଇ ଜଗନ୍ନାଥ ପୟର

 

ଇତିଶ୍ରୀ ଆଗତ ଭବିଷ୍ୟ ମାଳିକା ତୃତୀୟ ବାଣୀ ସମାପ୍ତ

 

ଚତୁର୍ଥ ବାଣୀ

 

ଶୁଣ ହୋ ଭକତ ଶ୍ରୁତିରେ ପ୍ରଭୁ ଶ୍ରୀମୁଖ ବାଣୀ

କଳିରେ ଯେ ରୂପେ ଖେଳିବେ ପ୍ରଭୁ ଶାରଙ୍ଗପାଣି

ମହାନଦୀ ତଟ ଯୋବରା କାଳିଆବୋଦା ଘାଟ

କାଳିଆ ଘାଇଟି ସେଠାରେ ସୈନ୍ୟମାନଙ୍କ ପେଣ୍ଠ

 

ହରାଦି ରାମାଦି ସନ୍ତାନ ଆସି ହୋଇବେ ଠୁଳ

ଅପ୍ରମିତ ସୈନ୍ୟ ଘେରିବେ ଲୀଳା ହେବ ଚହଳ

ରାମଚନ୍ଦ୍ର ଦେବ ପନ୍ଦର ଅଙ୍କ କାର୍ତ୍ତିକ ମାସ

ବୈଶାଖ ପର୍ଯ୍ୟନ୍ତ ଲାଗିବ ଲୀଳା ଗୋଳ ଅଶେଷ

 

କୋଟି କୋଟି ଭକ୍ତ ଆସିବେ ପ୍ରଭୁ ଗୁଣକୁ ଗାଇ

କଟକ କଟୀରେ ଯୁଧିଷ୍ଠି ଦେବ ଥିବେଟି ରହି

ପଦ୍ମବନୁଂ ଭୁଆସୁଣୀର ଯାଏ ହୋଇବ ଠୁଳ

ଯୋଗାନ୍ତ ନାଗାନ୍ତ ଯୋଗୀଏ ଜ୍ଞାନୀ ହେବେ ପ୍ରବଳ

 

ଯୋଗମାୟା ଖେଳ କରିବେ ଯୋଗୀ ହୋଇବେ ମେଳ

ଡାଙ୍କେଣୀ ଘେରିବେ ଜଗତେ ଦୁଷ୍ଟ ହେବେ ପ୍ରବଳ

ନବଲକ୍ଷ ସାଧୁ ଘୋଟିବେ ଘୋର କଳି ଲାଗିବ

ମହିମା ନଥିବା ସାଧୁଙ୍କ ମଥା କଟିଣ ଯିବ

ବାଲିକୁଦ ମାଳ ପୂରିବ ଭକ୍ତ ହୋଇବେ ମେଳ

ଖଣ୍ଟମାନେ ମିଳି ବହିବେ ଧନ ଜନ ସକଳ

ବଡ଼ଲୋକଙ୍କର ଧନକୁ ବହି ନେବେ ସଅଳ

ମହାନଦୀ ଜଳେ ପକାଇଦେବେ ସେକାଳେ ମେଳ

ଦିବସେ କୁହୁଡ଼ି ଘୋଟିବ ରାତ୍ର ପ୍ରାୟ ହୋଇବ

କଟକ କଟୀର ଅବସ୍ଥା କେହୁ ମୁଖେ କହିବ

ହରାଦି ରାମାଦି ସାଧୁଏ ଠୁଳ ହୋଇଣ ଥିବେ

ସତର ହଜାର ନାଗାନ୍ତ ଆସିଣ ପ୍ରବେଶିବେ

ସେ ବେଳେ ଲଙ୍ଗୁଳି ତେରଶ ଉତ୍ତରରୁ ଆସିବେ

ଦକ୍ଷିଣ ଦିଗରୁ ତେଲଙ୍ଗା ରଣରଙ୍କା ହୋଇବେ      

ଋଷିକୂଲ୍ୟାଠାରୁ କାଶୀ ଯେ ନଗ୍ରଯାଏ ବେଢ଼ିବେ

ସେଠାରୁ ସମ୍ବଲପୁରକୁ ସର୍ବେ ବେଢ଼ି ଆସିବେ      

ପଶ୍ଚିମ ଦିଗରୁ ଦମନ ବଳ ଧାଇଂ ଆସିବେ

ଅମର ସହରେ ପଶିଣ ନରହତ୍ୟା କରିବେ

କାଶୀ ନଗ୍ରେ ଗୋଳ କରିଣ ବହୁ ସୈନ୍ୟଙ୍କୁ ନାଶି

ସମ୍ବଲପୁରରେ ପ୍ରବେଶି ଗୋଳ ଦେବ ବିଶେଷି

 

ଯୋଗମାୟା ତହିଂ ଗୋଡ଼ାଇ ବହୁ ସୈନ୍ୟ ନାଶିବେ

ଦମନ ପଳାଇ କଟକ ନଗ୍ରେ ଆସି ମିଳିବେ

ବହୁତ ତରିଜା ଦେଖାଇ ଭୋଗ ଆଶା ଜାଗିବ

ଯୋଗିନୀ ଭକ୍ଷିବେ ଯବନ ବଳ ତହୁଂ ଭାଜିବ      

 

ନୀଳାଚଳ ନାଥ ଗୋବିନ୍ଦ ସେତେବେଳରେ ପୁଣ

ସହି ନ ପାରିଣ ଭକତଗଣ ସଙ୍ଗେ ନେଇଣ

ନରେନ୍ଦ୍ର ସ୍ନାହାନ ସାରିଣ ପ୍ରଭୁ ହେବେ ବାହାର

ତେର ସୁଆରଙ୍କ ସଙ୍ଗରେ ଚଢ଼ି ଅଶ୍ଵ ଉପର

 

ରାମଚନ୍ଦ୍ର ଦେବ ସେକାଳେ ଗୁପ୍ତ ବେଶରେ ଥିବେ

ବିନ୍ଧ୍ୟାଚଳ ବନ ପର୍ବତ ସେହୁ ଭ୍ରମୁଣ ଥିବେ

ପ୍ରଭୁର ମହିଂମା ନ ଜାଣି ଗଞ୍ଜି ହେଉଣ ଥିବେ

କଟକ କଟୀରେ ଗୁପ୍ତରେ ଆସି ପ୍ରବେଶ ହେବେ

 

ନ ଚିହ୍ନିବେ କେହି ରାଜାଙ୍କୁ ରାଜା ମଉନେ ଥିବେ

କାଠଯୋଡ଼ି ତଟ ଦେଖିଣ ରଣାଷଣ୍ଢେ ରହିବେ

କାଳିଆ ବୋଦାରେ ସାଧୁଏ ଲୀଳା ଖେଳା କରିବେ

ନାନା ଉପଯୋଗେ ରହିଣ ପ୍ରଭୁ ଗୁଣ ଘୋଷିବେ

 

 

ଭୀମସେନ ପ୍ରଭୁ ଥିବେ ଯେ ହଂସନାଥଙ୍କ ପାଶ

ତାଙ୍କ ସଙ୍ଗେ ହଂସନାଥ ଯେ କହୁଥିବେ ଭବିଷ୍ୟ

ଅଷ୍ଟଚଣ୍ଡୀ ସଙ୍ଗେ ନେଇଣ ଯୋବରାରେ ପ୍ରବେଶ

ଶାରଦା ଖେଳିବେ କଟକେ ଭକ୍ତ ହୋଇବେ ବଶ

 

ଅଲୋକିକ ଲୀଳା କରିବେ ଦେବୀ ଝଙ୍କଡ଼ବାସୀ

ପଦ୍ମେ ଭକ୍ତ ଦେଖି ଉଲ୍ଲାସ ହେବେ କଟକବାସୀ

କଳା ଧଳା ଅଶ୍ୱ ଉପରେ ପ୍ରଭୁ ହେବେ ବାହାର

ଭୁବନେଶ୍ୱରରେ ରହିବେ ପ୍ରଭୁ ରଙ୍ଗା ଅଧର

 

ଖଣ୍ଡଗିରି ସିଦ୍ଧ ସ୍ଥାନରେ ଯେତେ ଅଛନ୍ତି ଋଷି

ସକଳେ ବାହାର ହୋଇବେ ପ୍ରଭୁ ନାମକୁ ଘୋଷି

ସଭିହେଂ ସେବେଳେ ଠୁଳ ଯେ ହେବେ ବିନ୍ଦୁସାଗର

କପିଳେଶ୍ଵରେ ଭେଟ ଦେଇ ହୋଇବେ ସୁପକାର

 

ତ୍ରିଜଟା ଅଂଶ ଯେ ବୁଲିଣ ସବୁ ଦେଖୁଣ ଥିବେ

ମାୟାଧର ଲୀଳା କାହୁଂ ସେ ଅବା ଜାଣି ପାରିବେ

ଭ୍ରମରେ ପକାଇ ଯାଇଣ କୋଣାର୍କରେ ମିଳିବ

ମହାଯୁଦ୍ଧ ଦେଖି ସେଠାରେ ଭ୍ରମ ଜାତ ହୋଇବ

 

 

ସାଗରେ ସାଗରେ ପଳାଇ ଯିବ ସେ ଚାନ୍ଦବାଲି

ବିରୋଜା ଧାଇଂଣ ଦମନେ କରିବେ ବିଶାବଳି      

ଯାଜପୁର ନଗ୍ରେ ସେ କାଳେ ଶୂନ୍ୟବାଣୀ ହୋଇବ

ଲାଖବିନ୍ଧା ପଡ଼ିଆରେ ଯେ ଲକ୍ଷେ ବଳି ହୋଇବ

 

ସକଳ ଦିଗରୁ ଦେବତା ଦେବୀ ହେବେ ବାହାର

ନର ଅଙ୍ଗେ ମିଳି ଖେଳିବେ କଟକ ଯେ କଟୀର

କ୍ଷଣକରେ ଛାଡ଼ି ପଳାଇ ଯିବ ତ୍ରିଜଟା ଅଂଶ

ଜଗନ୍ନାଥ ପ୍ରଭୁ କଟକେ ହୋଇବେ ପରକାଶ

 

ସନ୍ଥଙ୍କ ମଧ୍ୟରେ ମିଳିଣ ଦେବେ ପ୍ରଭୁ ଦର୍ଶନ

ସାଧୁମାନେ ଚିହ୍ନି ସେବିବେ ପ୍ରଭୁ ଜଗତ ବନ୍ଦନ      

ଜୟଧ୍ୱନି ଗୋଳ ଶବଦ ଜଗତରେ ପୂରିବ

ଯୋଗମାୟା ଖେଳି କୁହୁକ ଜାଲ ପ୍ରାୟ ଘେରିବ

 

ଦାୟିକ କୁଟିଳ କପଟୀଙ୍କର ବଚନ ମାନ

ସେକାଳେ ହୋଇବ ଖଣ୍ଡନ ପ୍ରଭୁ ଥିବେ ମଉନ      

ପଞ୍ଚସଖା ପଞ୍ଚୁପାଣ୍ଡବେ ସର୍ବେ ହୋଇବେ ଠୁଳ

କଟକଚଣ୍ଡୀ ଯେ ସେକାଳେ ତାଙ୍କ ମଧ୍ୟରେ ମେଳ

 

 

ଭୁଆସୁଣୀ ସଙ୍ଗେ ନେଇଣ ଯିବେ ବାରଦା ପାଶ

ଅର୍ଘ୍ୟଥାଳି ଘେନି ପୂଜିବେ ଦେବୀ ହୋଇ ଉଲ୍ଲାସ

ଅମରାବତୀରୁ ବାହାର ହେବେ ସିଦ୍ଧାନ୍ତ ଯୋଗୀ

ଛତିଆବଟରେ ପ୍ରବେଶି ନାନା ରୂପରେ ଭୋଗୀ

 

ଲଣ୍ଡଭଣ୍ଡ ହୋଇ ଭକତଗଣ ସଙ୍ଗରେ ନେଇ

କାଳିଆବୋଦାରେ ପ୍ରବେଶି ପ୍ରଭୁ ଗୁଣକୁ ଗାଇ      

ଷୋଳ ମଠର ଯେ ମହନ୍ତ ସର୍ବେ ହୋଇବେ ଠୁଳ

ଜଗତ ଦିଶିବ ସେକାଳେ ସିନା ବହୁ ଉଜ୍ଜ୍ୱଳ

 

ଏକାକ୍ଷର ନାମ ଭଜନ କରୁଥିବାର ଜନ

ସମସ୍ତ ସେକାଳେ ଜାଣିବେ ଭକ୍ତ ହୋଇବେ ପୂର୍ଣ୍ଣ

ଧର୍ମରେ ଆଶ୍ରିତ ଯେ ଜନ ସଦା ହୋଇଣ ଥିବ

ଭୈରବୀ ଚକ୍ରରୁ ସେବେଳେ ସିନା ସେହୁ ବଞ୍ଚିବ

 

ପ୍ରଭୁଙ୍କର ପ୍ରତିନିଧି ଯେ ପଞ୍ଚ ପାଣ୍ଡବ ଗଣ

ଅସ୍ତ୍ରଶସ୍ତ୍ର ଘେନି ବାହାର ହେବେ ସେ ଦେବଗଣ

ଟିକିରା ଗୋହିରୀ ଯୁଦ୍ଧକୁ ପ୍ରଭୁ ହେବେ ବାହାର

ପାମର ଅଚ୍ୟୁତ କହଇ ଦୋଷ ନ ଧର ମୋର      

 

 

ନବଲକ୍ଷ ସାଧୁ ପୂରିବେ ପୁରୀଠାରୁ କଟକ

ଭୁବନେଶ୍ୱରରେ ରହିବେ ନାଗାନ୍ତ ଯେ ଅନେକ

କଟକ କଟୀରେ ଲଙ୍ଗୁଳି ଧରା ହୋଇବେ ପୁଣ

କାଳିଆବୋଦାରେ ସହସ୍ରେ ଦୁଷ୍ଟ ହେବେ ନିଧନ

 

ସୁଭଦ୍ରା ନଈରେ ତେରଶ ଦମନ ନାଶ ଯିବେ

ଯାଜପୁରେ ପାଞ୍ଚ ହଜାର ତେଲଙ୍ଗା ଯେ ମରିବେ

ପଥର ମୁଣ୍ଡେଇଠାରୁ ଯେ ବ୍ୟାଘ୍ର ବାହାର ହେବ

ଭୋଗ ଗର୍ବୀ ସୈନ୍ୟ ଭକ୍ଷିବ ଏକା ଭକତ ଥିବ      

 

ଦ୍ଵାଦଶ ଦୁର୍ଗର ଗୁମ୍ଫା ଯେ ସେବେଳରେ ଫିଟିବ

ଗଡ଼ଗଡ଼ା ମହାଦେବରେ ଚଅଂର ଯେ ପଡ଼ିବ      

ଧବଳ ଲିଙ୍ଗରେ ଯଜ୍ଞ ଯେ ହୋଇବଟି ଅପାର

ବହୁତ ଭକତ ମିଳିବେ ଈଶ୍ଵରଙ୍କ ପାଶର

 

ହରିହରପୁର କମ୍ପିବ ଭକ୍ତ ଧାଇଂ ଆସିବେ

ରତ୍ନଯୋଡ଼ି ମାଡ଼ି ବସିବେ ଭକ୍ତମାନେ ଦେଖିବେ

ପ୍ରଭୁ ଗୁଣ ଗୁଣି ଭକତେ ସର୍ବେ ହୋଇଣ ଧୀର

କହଇ ଅଚ୍ୟୁତ ପାମର ସଦା ଯୋଡ଼ିଣ କର

 

ଇତିଶ୍ରୀ ଆଗତ ଭବିଷ୍ୟ ମାଳିକା କଥନେ ଚତୁର୍ଥ ବାଣୀ ସମାପ୍ତ

 

ପଞ୍ଚମ ବାଣୀ

 

କହଇ ଅଚ୍ୟୁତ ଦାସ ଶୁଣ ସାଧୁଜନ

ହେଜି ନିତ୍ୟ ବ୍ରହ୍ମଜ୍ଞାନ କର ହରିଗୁଣ      

ପ୍ରଭୁର ଅଦ୍ଭୁତ ଲୀଳା ଜଗତେ ବ୍ୟାପିବ

କଳି କଳୁଷ ନାଶିବ ଭୟ ସେ ଛାଡ଼ିବ      

 

ରାମଚନ୍ଦ୍ର ସତର ଅଙ୍କର ଯେହୁ ପୁଣ

ବୟାଳିଶ ଅଙ୍କଯାଏ ପୃଥ୍ୱୀ କମ୍ପମାନ

ଚବିଶ ଅଙ୍କ ଯାଏ ଯେ ହେବ ଗୋଳକୁଣ୍ଡା

ରାମଚନ୍ଦ୍ର ଦେବ ସଙ୍ଗେ ଲଢ଼ିବେ ଯେ ପଣ୍ଡା

 

ଏ କଳିଯୁଗ ଅଟଇ ବହୁତ ଭୀଷଣ

ଏ ଯୁଗରେ ଭକ୍ତେ ବହୁ ଲଭିବେ କଷଣ

ଶ୍ରୀମୁଖ ବଚନ କେବେ ଆନଟି ନୁହଇ

ଅନନ୍ତ କୋଟି ବୈଷ୍ଣବେ ସେବିବେ ପାଦ ଦୁଇ      

 

 

 

କଳିଯୁଗ ପାପା ତାପ ଖଣ୍ଡନର ପାଇଂ

କଳ୍‌କୀରାମ ଅବତାର ହେବେ ଭାବଗ୍ରାହୀ

ଚିତ୍ରୋତ୍ପଳା ନଦୀ ତଟୁ ବାହାର ହୋଇବେ

ଚତୁର୍ଦ୍ଦଶ ବ୍ରହ୍ମାଣ୍ଡକୁ କୀର୍ତ୍ତି ରଖାଇବେ

 

ଯାହାର ଆଜ୍ଞା ଏମନ୍ତ ଜଗତେ ବିଦିତ

ଯାହା ନାମ ଧରି ଭକ୍ତେ ଅଛନ୍ତି ଜଗତ

ତହିଂକି ଦୁଷ୍ଟବଳ ଯେ ହୋଇବେ ପ୍ରବଳ

ପିତା ପୁତ୍ର ନ ମାନିବେ ହୋଇ ମତି ଭୋଳ

 

ଏ ଯୁଗର ଧର୍ମମାନ ଅତି ଅଲୋକିତ

କହିଲେ ମୋ ଆଗେ ପ୍ରଭୁ ଶୁଣ ହୋ ଅଚ୍ୟୁତ      

ତୁମ୍ଭେ ମୋର ଭକ୍ତ ଯେଣୁ କହିଲି ତୁମ୍ଭଙ୍କୁ

ନ କହିବ କାହାକୁ ଯେ ଆମ୍ଭର କଥାକୁ

 

ନୀଳାଚଳ ଧାମ ଛାଡ଼ି ଆମେ ଯିବୁ ପୁଣ

ଜଗତ ସେବେଳେ ଦିଶିବ ତ ଅଶୋଭନ

ଚିତ୍ରୋତ୍ପଳା ନଦୀ ତଟେ ଆମ୍ଭେ ହେବୁ ଜାତ

ଆମ୍ଭ ମାୟା କଟକରେ କରିବୁ ଯେ ଖ୍ୟାତ

 

 

କୋଟି କୋଟି ନର ନାରୀ ସେବିବେ ଚରଣ

ଆମ୍ଭର ଏ ମୁଖ ବାକ୍ୟ ନୁହଇ ସେ ଆନ

ନିଅ ଏହୁ ବ୍ରହ୍ମ ଏକାକ୍ଷର ମନ୍ତ୍ର ଜପ ନିତ୍ୟ

ଗୁଜ୍ଜରୀ ଲୀଳା ଦେଖିବେ ନାମ ହେବ ଖ୍ୟାତ

 

ଅଲୋକିତ ଲୀଳାମାନ ଜଗତେ ବ୍ୟାପିବ

ସେତେବେଳେ ମୋର ସେବାମାନ ଦେଖୁଥିବ      

କେତେ ଭକ୍ତ ଭକ୍ତିଭାବେ ସେବିବେ ଚରଣ

କନ୍ୟା ରାଜା ଖଣ୍ଟ ପ୍ରଜା କରାଇବି ପୁଣ

 

ଯାଜନଗ୍ର ଠାରୁ ନୀଳାଚଳ ଧାମ ଯାଏ

କମ୍ପି ଉଠିବ ଜଗତ ଲୋକ ହେବେ କ୍ଷୟେ

ତିନିଦିଗୁଂ ଲଞ୍ଜା ଏକା ବେଳକେ ପଡ଼ିବ

ଆକାଶ ମଣ୍ଡଳ ଧୂମ୍ରବର୍ଣ୍ଣ ପ୍ରକାଶିବ

 

ଆକାଶରେ ସୁଦର୍ଶନ ଚକ୍ରହିଂ ବୁଲିବ

ସଂସାର ମଧ୍ୟରେ ପଡ଼ି ଦୁଷ୍ଟଙ୍କୁ ନାଶିବ

ଶ୍ରୀଚରଣ ଛୁଇଂ ବାରେ ସତ୍ୟ ଏବେ କର

କେବେ ନ କହିବ ମୁର୍ଖଜନର ପାଖର      

 

 

ପ୍ରଭୁର ମହିମା ବୋଲି ଧର୍ମ ପାଳିଥିବ

ଦୟା ଧର୍ମ ସତ୍ୟ ଶାନ୍ତି ଭାବ ପ୍ରକାଶିବ

କଳିଯୁଗ ଲୀଳା ଦେଖି ହେବ ଭୋଳମତି

ନଥିବ ମନରେ କାର କ୍ଷଣେ ମାତ୍ର ଭୀତି

 

ଜଗତ ଜୀବନ ପ୍ରଭୁ କରିବେ ଭୂଷଣ

ଭକତଙ୍କ କଷଣ ଯେ ମେଣ୍ଟିଯିବ ପୁଣ

ପଦ୍ମେ ଭକ୍ତ ଯେଉଂ ଦିନ ପୂରଣ ହୋଇବ

ସେହି ଦିନ ମହାନଦୀ ବଢ଼ିଣ ଉଠିବ

 

ଚାହୁଂ ଚାହୁଂ କ୍ଷଣକରେ ଜଗତ ଘୋଟିବ

ରାମ ନାମ ସବୁବେଳେ ନଗ୍ରେ ଜାରିହେବ

ଘରେ ଘରେ ଭାଗବତ ପଢ଼ିବେ ସକଳ

ଜଗତ ସେତେବେଳେ ଯେ ଦିଶିବ ଉଜ୍ଜ୍ୱଳ

 

ଉତ୍ତର ଦିଗୁଂ ସନ୍ୟାସୀ ମାଡ଼ିଣ ଆସିବେ

ଯାଜନଗ୍ରେ ଘେରିଯିବେ ସର୍ବେ ଦେଖୁଥିବେ

ବିଶ୍ୱ ବ୍ରହ୍ମାଣ୍ଡ ଯାକ ଯେ କମ୍ପିଣ ଉଠିବ

ମହାଘୋର ଶବଦ ଯେ ବ୍ରହ୍ମାଣ୍ଡ ଘୋଟିବ

 

 

ମଧୁମାସ ଶୁକଳ ଦଶମୀ ଗୁରୁବାର

ସେଦିନ ଭକ୍ତଙ୍କୁ ଭେଟି ଦେବେ ଦାମୋଦର

କଳା ଧଳା ଅଶ୍ଵପରେ ଚଢ଼ି ଜଗନ୍ନାଥ

ଭ୍ରମଣକାଳେ ଭକତେ ଭେଟିବେ ଅଚ୍ୟୁତ

 

ଭବ ଭୟ ପରିହରି ଭକ୍ତେ ହେବେ ଠୁଳ

ସାରା ଜଗତ ସେବେଳେ ଦିଶିବ ଉଜ୍ଜ୍ୱଳ

ପଶ୍ଚିମ ଦିଗରୁ ଦଳ ମାଡ଼ିଣ ଆସିବେ

ଯୋବରା କଟକ ଘେରି ସକଳେ ରହିବେ

 

ଦକ୍ଷିଣ ଦିଗୁଂ ତେଲଙ୍ଗା ମୁକୁନ୍ଦ ଆସିବ

ଖଣ୍ଡଗିରି ଗୁମ୍ଫାମାନ ଖୋଜିଣ ଦେଖିବ

ଜଗନ୍ନାଥ ଧାମେ ଗଣ୍ଡଗୋଳ ଜାତ ହେବ

ଗୋଳକୁଣ୍ଡା ରାଜା ରାମଚନ୍ଦ୍ର ଦେବ ଥିବ

 

ଗୁପତ ହୋଇବ ରାଜା ବଳଙ୍କୁ ଦେଖିଣ

କଳି ଶେଷେ ବାହାରିବ ସେ ରାଜନ ପଣ

ଏକ ଦିନେ ତେର ତିଥି ହୋଇବ ଯେ ଠୁଳ

ମାହାଗୋଳ ହେବ ଜାଣ ମହୋଦଧି କୂଳ

 

 

ସକଳେ ନିନ୍ଦିବେ ଜଗନ୍ନାଥ ଦାରୁମୂର୍ତ୍ତି

ହିଂସା କପଟେ ଚଳିବେ ସକଳ ସମ୍ପତ୍ତି

ପ୍ରଭୁଙ୍କୁ ନିନ୍ଦିବେ ଯେଣୁ ମରିଯିବେ ତେଣୁ

ଦମନ ଅଂଶ ଯେ ଭୟେ ପଳାଇବେ ୟେଣୁ

 

ଶିବିରାଜ ବାହାର ଯେ ହୋଇବେଟି ପୁଣ

ମହା ସଂଗ୍ରାମ କରିବେ ଭୁବନେଶ୍ଵରେଣ

ଏହିପରି କେତେ ରାଜା ବାହାର ହୋଇବେ

ଢେଙ୍କାନାଳ ସୁବୀର ପ୍ରତାପ ଲଢ଼ିବେ      

 

କହୁଛନ୍ତି ଚେତା ରଖିଥିବୁ ତୁ ଭକତ

ପ୍ରଭୁର ନାମ ସୁମରି ରହ ତୁ ନିଶ୍ଚିନ୍ତ

ଅଣାକାର ଏକାକ୍ଷର ଭଜ ବାରମ୍ବାର

ମରହଟ୍ଟା ରାଜାମାନେ ହୋଇବେ ବାହାର

 

କଳଙ୍କୀ ରୂପେ ଯେ ପ୍ରଭୁ ହୋଇବେ ବାହାର

କୋଟି କୋଟି ଭକ୍ତ ଥିବେ ପ୍ରଭୁଙ୍କ ସଙ୍ଗର

ପଞ୍ଚ କଟକ ମଧ୍ୟରେ କରିଥିବେ ଠଣା

କହେ ଅଚ୍ୟୁତି ପ୍ରଭୁଙ୍କ ନାମ ହେବ ଗଣା

 

ଇତିଶ୍ରୀ ଆଗତ ଭବିଷ୍ୟ ମାଳିକା କଥନେ ପଞ୍ଚମବାଣୀ ସମାପ୍ତ

 

ଷଷ୍ଠ ବାଣୀ

 

ଶୁଣ ସୁଜନେ ହୋଇ ତୋଷ

ମହିମା ହୋଇବ ପ୍ରକାଶ

।।

ନେମ୍ବାଳ ଚିତ୍ରୋତ୍ପଳା ତଟ

ଅଛଇ ତହିଂ ସିଦ୍ଧ ବଟ

।।

ସେ ବଟ ସିଦ୍ଧି ଗୁପ୍ତ ସ୍ଥାନ

ସେବେଳେ ହୋଇବ ଶୋଭନ

।।

ଛତିଆବଟ ନିତ୍ୟସ୍ଥଳୀ

ଭକତେ ବହୁ ହେବେ ମେଳି

।।

ଗୋସାଣୀ ମାଳ ମାଳ ହୋଇ

ନଗ୍ରେ ବୁଲିବେ ମେଳା ହୋଇ

।।

ଦୁଷ୍ଟଙ୍କୁ କରିବେ ଭକ୍ଷଣ

ଅଧର୍ମୀ ନାଶିବେଟି ପୁଣ

।।

ଡାଙ୍କିଣୀ ଆକାଶେ ବୁଲିବେ

ପାପୀମାନଙ୍କୁ ନାଶୁଥିବେ।।

।।

ସଂସାର ହେବ କୋଳାହଳ

ମଲା ଯେ ପଡ଼ିବ ଚହଳ

।।

ବହୁତ ମଡ଼ା ଯେ ପଡ଼ିବ

ପଥମାନ ଯେ ନ ଦିଶିବ

।।

ଦେବାଳ ପଣ୍ଡା ପଢ଼ିହାରୀ

ସର୍ବ ଭକ୍ଷିବେ ନିଶାଚରୀ

।।

ଯେ ଜନ ଅଧର୍ମରେ ଥିବ

ତାହାକୁ ବାସେଳି ଭକ୍ଷିବ

।।

ବ୍ରାହ୍ମଣ କନ୍ୟା ଯେ ହରିବ

ଚାମୁଣ୍ଡା ମୁଖେ ସେ ପଡ଼ିବ

।।

ଗୋବଧ ଯେହୁ କରିଥିବେ

ଯୋଗିନୀଗଣେ ପ୍ରାଣ ନେବେ

।।

ପର ସମ୍ପତ୍ତି ଯେହୁ ଜନ

ହରିଣଥିବ ହୋ ସୁମନ

।।

ସେବେଳେ ତାର ତଣ୍ଟି ଚିପି

ଦେବୀ ରକତ ଯିବେ ଭକ୍ଷି

।।

ଅତି ଆଶ୍ଚର୍ଯ୍ୟ ଲୀଳାମାନ

କରିବେ ପ୍ରଭୁ ଭଗବାନ

।।

ଖୋରଧା କଟକରେ ଜାଣ

ଲାଗିବ ବହୁ ଗୋଳମାଳ

।।

ଅନେକ ଲୋକ ଯିବେ ମରି

ଅଚ୍ୟୁତ ଥିବ ଦେହ ଧରି

।।

ଦେଖିବୁ ୟେତେ ଲୀଳାମାନ

ଗୁପତେ କର ମୋ ଭଜନ

।।

ମୁହିଂ ମୋ ହାଟକ ନାଶିବ

ଶୂନ୍ୟରେ ଲୀଳା ଭିଆଇବି

।।

ଉତ୍କଳ କଷ୍ଟ ନ ସହିଣ

ଜଗତେ କରିବି ଭ୍ରମଣ

।।

ହୁମାଧୁମା ଯେ ସମଲାଈ

ଜାଗିଉଠିବେ ମହାମାୟୀ

।।

ଦକ୍ଷିଣ ଜଳେ ପୂର୍ଣ୍ଣ ହେବ

ପଶ୍ଚିମେ ମଡ଼କ ପଡ଼ିବ

।।

ପୂରୁବ ଖଣ୍ଡ ଭାସିଯିବ

ଉତ୍ତରେ ଲଞ୍ଜା ଯେ ପଡ଼ିବ

।।

କାଳିଆ ବୋଦାରେ ମୋ ଲୀଳା

ଲାଗିଣଥିବ ଭକ୍ତ ମେଳା

।।

ଅସଂଖ୍ୟ ଭକ୍ତ ହେବେ ଠୁଳ

ଭୈରବୀ ଡାକିବେ ସେ ବେଳ

।।

ସେ ଡାକ ଯେ ଜନ ଶୁଣିବ

ସେ ଜନ ଆଉ ନ ବଞ୍ଚିବ

।।

ଉଲୁକାମାନ ଯେ ଖସିବ

ବହୁତ ଲୋକ ନାଶଯିବ

।।

ମାନସିଂପାଟଣାକୁ ଫେରି

ମୁହିଂ ଯେ ଯିବି ଭକ୍ତ ଧରି

।।

ଫେରିଲା ବେଳେ ଏକ ଭକ୍ତ

ତା ନାମ ଥିବ ଜଗନ୍ନାଥ

।।

ଜାତିରେ ସେ ଅଟେ କମାର

ସେହୁ ଯେ ଭେଟ ହେବ ମୋର

।।

ତାହାକୁ ସଙ୍ଗରେ ଘେନିଣ

ଫତିମୁଖାକୁ ଯିବି ପୁଣ

।।

ଅନେକ ଭକ୍ତ ହେବେ ଠୁଳ

ଭକତପୁରେ ହୋଇ ମେଳ

।।

ଯୋବରା ସାଙ୍ଗ ପାଙ୍ଗ ହୋଇ

ଯିବୁ ଯେ ଚଳି ଭକ୍ତ ନେଇ

।।

ବ୍ରାହ୍ମଣ ହରିହର ଥିବ

ଅନେକ ପୂଜା ଯେ କରିବ

।।

ଭୋବନି ବଢ଼େଇ ଭକତ

ସେବା କରିବ ଅପ୍ରମିତ

।।

ତେଲଙ୍ଗା ମାରଣ ଆସିବ

ଅନେକ ଟଙ୍କା ଗଣି ଦେବ

।।

ମହାନଦୀର ତଟେ ଭୋଜି

ଦେଉଣଥିବେ ଭକ୍ତେ ମଜ୍ଜି

।।

ଗୋପାଳ ଅର୍ଜ୍ଜୁନି ମିଳିବ

ବହୁତ କ୍ଷୀର ଯୋଗାଇବ

।।

ଆବର ବଣିଆ କେଶବ

ଅନେକ ଦ୍ରବ୍ୟ ଯୋଗାଇବ

।।

ମାରୁଆଡ଼ି ଯେ ଆଦି ହରି

ଅନେକ ଧନ ଦେବ ଭରି

।।

କରୁଣାକର ତେଲି ଯିବ

ସୁନ୍ଦର ସଭା ଭିଆଇବ

।।

ମଙ୍ଗନା ରାଧାନାଥ ଯିବ

ପ୍ରଭୁର ସେବାରେ ଲାଗିବ

।।

ପଣ୍ଡିତ ରମାନାଥ ଯିବ

ଯୋବରା ବ୍ରହ୍ମଜ୍ଞାନୀ ହେବ

।।

ଏହି ପ୍ରକାରେ କେତେ ଭକ୍ତ

ମିଳିବେ ଯୋବରାର କ୍ଷେତ୍ର

।।

ଅଚ୍ୟୁତ ଦାସ ବାରମ୍ବାର

ବୁଝାଏ ଭକତଙ୍କୁ ଧୀର

।।

ନ ମଣ ଏହାକୁ ଯେ ଆନ

ମୋହର ପ୍ରଭୁ ପାଦେ ଧ୍ୟାନ

।।

କଳି କଳୁଷ ନାଶଯିବ

ଅଚ୍ୟୁତ ବାକ୍ୟ ନ ଟଳିବ

।।

ଅନନ୍ତ ଅଚ୍ୟୁତଙ୍କ ଲୀଳା

ଭେଇବେ ପ୍ରଭୁ ଚକାଡୋଳା

।।

ଗୋପନେ ମୁକୁନ୍ଦ ଯେ ଆସି

ଖଣ୍ଡଗିରିରେ ଥିବେ ବସି

।।

ଅନନ୍ତ ବଟପୁଟେ ଜାଣ

ଲୀଳା କରିବେ ନାରାୟଣ

।।

ଭାବ କହେ ଅଚ୍ୟୁତ ଦାସ

କ୍ଷମା କରିବେ ଜଗଦୀଶ

।।

 

 

 

 

ଇତିଶ୍ରୀ ଆଗତ ଭବିଷ୍ୟ ମାଳିକା କଥନେ ଷଷ୍ଠବାଣୀ ସମାପ୍ତ

 

ସପ୍ତମ ବାଣୀ

 

କହୁଛନ୍ତି ନିରାକାର ଅଚ୍ୟୁତ ମୁଖ ଚାହିଂ

ଶୁଣ ତୁ ଭକତ ମୋର କଥା ମନ ଦେଇ

ବ୍ରହ୍ମାଣ୍ଡ ଠାକୁର ଯାର ଲୀଳା ଅପ୍ରମିତ

ବ୍ରହ୍ମା ଶିବ ହରି ଆଦି ନ ପାଆନ୍ତି ଅନ୍ତ

ଯେଣୁ ତୁ ଭକ୍ତ ପ୍ରଧାନ ତେଣୁ ମୋର ମତି

ଅନ୍ତର୍ଗତେ ଜାଣି ଭକ୍ତେ ଭଜୁଅଛି ନିତି

ସତ୍ୟ ଶାନ୍ତି ଧର୍ମ ବ୍ରତ କରିଲୁ ଧାରଣ

ତେବେ ଶ୍ରୀହରି ଚରଣ କଲୁ ଦରଶନ

ଶୁଣ ତୁ ସରଳ ଚିତ୍ତେ ମତି କରି ସ୍ଥିର

କଳିଯୁଗ ସମାଚାର ଦେବେ ଅଗୋଚର

ଯେଣୁ ମୋ ଭକତ ତୁହି କହିଲି ବୁଝାଇ

ଅପୂର୍ବ କଥାମାନଙ୍କୁ ଚେତାଇ ହେଜାଇ

ଚେତା ଘଟେ ଜଗିଥିବୁ ବଣାଟି ନୋହିବୁ

ଫୁଙ୍କାବନ୍ଧେ ବସି ଶିଶୁମୁନାକୁ ଭେଟିବୁ

ଅଲୌକିକ ଲୀଳାମାନ ଜଗତେ ପୂରିଛି

ଯାର ଆଜ୍ଞା ଯୋଗମାୟା ଘେନିଣ ଭ୍ରମୁଛି

 

ନ ଧରିବୁ ଆନ ମନେ ପ୍ରଭୁ ଡାକୁଥିବୁ

କଳି କଳୁଷ ନାଶନ ପ୍ରଭୁଙ୍କୁ ଚିହ୍ନିବୁ

କୋଟି ଭକ୍ତଙ୍କ ମେଳରେ ହୋଇବୁଟି ସାର

ନିରାକାର ଆଜ୍ଞା ବାବୁ ପଥରର ଗାର

 

ଶ୍ରୀହରି ଏକଇ ଦିନେ ଆସିଲେ ମୋ ପୁର

ନିରାକାର ବୋଲି ବାଣୀ ଭାଷିଲେ ସତ୍ଵର

ବେଦବାଣୀ ଶୁଣି କର୍ଣ୍ଣେ ପାଛୋଟି ଅଇଲି

ଅବାଡ଼ ଜ୍ୟୋତି ମଧ୍ୟରେ ଦରଶନ ଦେଲି

 

ସେବେଳେ ସକଳ କଥା ବୁଝାଇଲେ ହରି

କଳିଯୁଗ ପାପ ଭାରା ମୋ ଅଙ୍ଗରେ ଭରି

ଭକ୍ତମାନଙ୍କର ଟାଣ ରଖିବାର ପାଇଂ

ଲୀଳା ଖେଳା କରିବ ମୁଂ ଶୂନ୍ୟମାର୍ଗେ ରହି

 

ପୁଣ ଶୁଣ ନିରାକାର ଦେଖ ଲୀଳାମାନ

ଯେଉଂ ରୂପେ କଳି ପାପ ହୋଇବ ଖଣ୍ଡନ

ନୀଳ ଧବଳ ରୂପ ମୋ କେଣେ ଲୁଚିଯିବ

କଳା ଧଳା ଅଶ୍ୱେ ଥିବୁଂ ଅବାଡ଼େ ଢାଙ୍କିବ

 

କାହିଂ ଜଳରୂପେ ମୁହିଂ ଜଗତ ନାଶିବି

କାହିଂ ପବନ ରୂପରେ ସକଳ ଗ୍ରାସିବି

କାହିଂ ଯୋଗମାୟା ନେଇ ସଂହାର କରିବି

କାହିଂ ନିଜେ ବିଶ୍ଵରୂପ ଧାରଣ କରିବି

 

କାହିଂ ମଉନ ବ୍ରତ ଯେ ଧାରଣ କରିବି

କାହିଂ କାଳରୂପେ ମୁହିଂ ପାପୀଙ୍କୁ ନାଶିବି

ଏମନ୍ତ ବେଳେ ମୋ ପାଶେ ପାଶେ ଜଗିଥିବ

ଅବାଡ଼ ଜ୍ୟୋତିରେ ମୋତେ ଲୁଚାଇ ରଖିବ

 

ଏକା ଭକତଙ୍କ ପାଇଂ ଦର୍ଶନ ମିଳିବ

ସକଳ ଘଟରେ ରହି ଶୂନ୍ୟେ ଖେଳୁଥିବ

କଳଙ୍କୀ ରାମ ରୂପରେ ମୁହିଂ ଏ ଜଗତ

କଟକ କଟୀରେ ମୋର ଅଛନ୍ତି ଭକତ

 

ତାହାଙ୍କୁ ରଖିବାପାଇଂ ହେବି ତର ତର

ମହାନଦୀ ତଟରେ କରିବି ଖେଳଘର

ପୂର୍ବ ବର ମୋର ଘର ଅନେକ ଭକତ

ଗୁପତେ ରହିଅଛନ୍ତି ଜାଣେ ଅନ୍ତର୍ଗତ

 

 

ତାଙ୍କ ନିମନ୍ତରେ ମୁହିଂ ହେବି ବିଶ୍ଵମୂର୍ତ୍ତି

ଭକତଙ୍କର କଷଣ ମେଣ୍ଟାଇବି କ୍ଷିତି

ଚାନ୍ଦବାଲି ଦରିଆର କୂଳରୁ ମୋ ଖେଳା

କେନ୍ଦ୍ରାପଡ଼ା ସହିତରେ ଠାବେ ଠାବେ ଲୀଳା

 

ହରିହର ପୁର ଲିଆଖିଆ ପଡ଼ିଆରେ

ପୂରିବେ ଅନେକ ଭକ୍ତ ମାଘ ସପ୍ତମୀରେ

ଏହିପରି ଅନେକ ସ୍ଥାନରେ ମୋର ଖେଳ

ଦେଖି ଶୁଣି ନରନାରୀ ହୋଇବେଟି ଭୋଳ

 

କଂସାଇ କୁଦ ଠାବରୁ ଯୋବରା ପର୍ଯ୍ୟନ୍ତ

ପୂରି ରହିଥିବେ ଭକ୍ତ ମାୟା ଅପ୍ରମିତ

ବିରଜା ଶାସନ ମହାବୀର ହନୁମାନ

ଜାଗି ଉଠିବେ ସେବେଳେ ଦେଇ ଗରିଜନ

 

ତାର ପୂର୍ବଦିଗେ ଏକ ଗୁପ୍ତସ୍ଥାନ ଅଛି

ଅକରା ଗ୍ରାମ ନିକଟ ସେହୁ ସ୍ଥାନ ସ୍ଥିତି

କାଳିଆ ଘାଇ ଧାରେ ଯେ ଦୃଶ୍ୟଟି ହୋଇବ

ଦଳେଇ ଘାଇ ଯେ ବନ୍ଧ ଉଛୁଳି ପଡ଼ିବ

 

 

ଗୁପ୍ତେ ଗୁପ୍ତେ ପାତାଳକୁ ସେ ସ୍ରୋତ ଫିଟିବ

ସେ ଧାରେ ଧାରେ କରିଣ ପୂର୍ବକୁ ମାଡ଼ିବ

ଚିତଳ ମାଛ ସେବେଳେ ବାହାରିଣ ଯିବ

ଶାରଦା ଦର୍ଶନେ ପୁଣି ଗମନ କରିବ

 

ରତ୍ନଯୋଡ଼ିରେ ମିଳିଣ ବହନ ଚଳିବ

ଅନେକ ନଗରମାନ ଭସାଇଣ ନେବ

ସେଠାରୁ ଯାଇଣ ଗଙ୍ଗା ଶଙ୍ଖନଦୀ ତୀରେ

ପ୍ରବେଶିଣ ଚଳିଯିବ ଶାରଦା ପାଶରେ

 

ପୂର୍ବଖଣ୍ଡ ଦରିଆରେ ସେ ଜଳ ମିଶିବ

ବଉଳା କୁମ୍ଭୀର ତହୁଂ ବାହାର ହୋଇବ

ଶାରଦା ଦର୍ଶନ କରି ଲେଉଟି ଆସିବ

କାଠଯୋଡ଼ି ତଟ ହଂସନାଥଙ୍କୁ ଭେଟିବ

 

ଗୁପ୍ତେ ତହୁଂ ଚାଣ୍ଡେ ଯାଇ ରତ୍ନଯୋଡ଼ି ତୀର

ଭକ୍ତଗଣେ ଭେଟି ଯିବେ ଚିତ୍ରୋତ୍ପଳା ଧାର

ଚିତଳ ମାଛ କୁମ୍ଭୀର ଭେଟଣ ଦେଖିଣ

ଛତିଆବଟରେ ଯାଇ ପ୍ରାଣ ହରାଇଣ      

 

 

ସେହି ସ୍ଥାନେ ମୃତ୍ୟୁ ଲଭି ହୋଇବ କାରଣ

ଅମରାବତୀ ଆଜ୍ଞା ଏ ନୋହିବଟି ଆନ

ସେ ମତ୍ସ୍ୟର ଅସ୍ଥି ତହିଂ କବାଟ ହୋଇବ

ଯୁଗ ଯୁଗାନ୍ତରକୁ କଥାଗୋଟି ଥିବ

ସେ କୁମ୍ଭୀର ଅସ୍ଥି ତହିଂ ମୁର୍ଧନା ହୋଇବ

ଅମରାବତୀ କଟକ ନାମ ଜାରି ହେବ

ମହୋଦଧି ସେହିକାଳେ ମାଡ଼ିଣ ଆସିବ

ମହାପ୍ରଳୟ ବୋଲିଣ ଜଗତ ଜାଣିବ

ନୀଳାଚଳ ବାଞ୍ଛାବଟ କମ୍ପିଣ ଉଠିବ

ଧ୍ୱଜ ବଜ୍ରାଙ୍କୁଶ ପଦ ଚିହ୍ନ ଦୃଶ୍ୟ ହେବ

ଚକ୍ରଧର ମାୟା ସିନା ଜଗତେ ବ୍ୟାପିବ

ଯୋଗୀଜନମାନଙ୍କର ଟାଣଟି ରହିବ

ହରାଦି ରାମାଦି ସିଦ୍ଧ ଯୋଗୀଜନ ମିଳି

ଜୟ ଶବଦ ପକାଉଥିବେ ହୋଇ ମେଳି

ଅନେକ ସଂଖ୍ୟକ ଲୋକ ନାଶ ହୋଇଯିବେ

ନଗ୍ରେ ନଗ୍ରେ ଚଣ୍ଡୀ ଯେ ଚାମୁଣ୍ଡୀ ଘୋଟିଯିବେ

ଗୁପ୍ତ ବୃନ୍ଦାବନ ଧ୍ୟାନ କୁଦରେ ମିଳିବୁ

ନାରଣ ମିଶ୍ରଙ୍କୁ ସଙ୍ଗେ ଘେନିଣ ବୁଲିବୁ

ଗୁଜ୍ଜରୀ ଲୀଳା ଭିଆଇ ସକଳେ ତୋଷିବୁ

ଆଦି ଅନାଦିଙ୍କ ମାୟା ଖେଳ ଭିଆଇବୁ

 

ଇନ୍ଦ୍ରଜାଲ ବିଦ୍ୟାମାନ ଭକ୍ତ ଦେଖାଇବେ

ଘୋର କଳି ନାଶଗଲା ବୋଲିଣ ଜାଣିବେ

ଶୁଣ ତୁ ଅଚ୍ୟୁତ ଭକ୍ତ ଶ୍ରୁତି କରି ସାର

ଅମରାବତୀ କଟକ ହେବ ସିନା ସାର

ରାମ ନାମ ଗୁଣୁଥିବୁ ହୃଦୟ ପଞ୍ଜର

ଅଚ୍ୟୁତ ଦାସ ତୁ ମୋର ପଦ ସେବା କର

ଅଚ୍ୟୁତ ଅଲେଖ ପରଂବ୍ରହ୍ମ ସନାତନ

ନିରାକାର ସେବି ହରିପଦ କରେ ଧ୍ୟାନ

ଇତିଶ୍ରୀ ଆଗତ ଭବିଷ୍ୟ ମାଳିକା କଥନେ ସପ୍ତମ ବାଣୀ ସମାପ୍ତ

 

ଅଷ୍ଟମ ବାଣୀ

 

ନିରାକାର ଅଚ୍ୟୁତଙ୍କୁ କହନ୍ତି ବୁଝାଇ

ଶୁଣ ଭକ୍ତ ପ୍ରବର ତୁ ଥିର ଚିତ୍ତ ଦେଇ

ନୀଳାଚଳନାଥ ଯେତେବେଳେ ଆଜ୍ଞା ଦେବେ

ତାଙ୍କ ଆଜ୍ଞା ଆଦିଶକ୍ତି ପାଳନ କରିବେ

ଅଷ୍ଟଦିଗୁଂ ଅଷ୍ଟଚଣ୍ଡୀ ବାହାର ହୋଇବେ

ଆପଣା ଆପଣା ସୈନ୍ୟ ସଙ୍ଗେ ଘେନିଥିବେ

ଚଣ୍ଡୀ ଯେ ଚାମଣ୍ଡା ମେଳା ମେଳା ହିଂ ହୋଇବେ

ପୃଥିବୀର ଚତୁର୍ଦ୍ଦିଗ ମାଡ଼ିଣ ବସିବେ

ପରମ ବୈଷ୍ଣବ ଦେବୀ ଝଙ୍କଡ଼ବାସିନୀ

ଆଜ୍ଞାଦେବେ ଯୋଗମାୟା ଶାରଦା ଭବାନୀ

ପୂର୍ବଦିଗ ସୀମା ମୋର ସମର ଭୂଇଂରେ

କେହି ପଶି ନ ପାରି ରହିବେ ଧାତିକାରେ

ନବକୋଟି କାତ୍ୟାୟନୀ ବେଗେ ଚଳିଯାଅ

ଜଗନ୍ନାଥ ଦରଶନ କରି ସୁସ୍ଥ ହୁଅ

ପ୍ରଭୁର ଆଜ୍ଞା ପାଳିଣ ଦିଗକୁ ବାହୁଡ଼ି

ସୀମାନ୍ତ ଜଗିଣ ସୁଖେ ଆନନ୍ଦରେ ଖେଡ଼ି

ଏ କଳିଯୁଗ ଗୋ ଦେବୀ ଅତ୍ୟନ୍ତ ଅସାଧ୍ୟ

ବହୁତ ଦୁଷ୍ଟ ଲୋକଙ୍କ ମେଳ ଯେ ପ୍ରମାଦ

ଜାଗିଥିବେ ଦେବୀଗଣ ଭକ୍ତଙ୍କ ନିମନ୍ତେ

ପ୍ରଭୁର ନାମକୁ ଭଜୁଥିବ ହୃଦଗତେ

ପଶ୍ଚିମ ଦିଗୁଂ ହିଙ୍ଗୁଳା ବାହାର ହୋଇବେ

ତାଙ୍କ ସଙ୍ଗେ ସମଲାଈ ରଣରଙ୍କା ଥିବେ

ଚଉଷଠି ଯୋଗ୍ନୀ କାତ୍ୟାୟନୀ ହେବେ ଠୁଳ

ଜଗତକୁ କ୍ଷଣିକରେ କରିବେ ନିର୍ମୂଳ

ଦେଖୁଥିବୁ ନୟନ ପୂରାଇ ତେତେବେଳେ

ଅଚ୍ୟୁତ ଦାସର ସେବା ରହିବ ନିଶ୍ଚଳେ

ଅଷ୍ଟଦିଗୁଂ ଅଷ୍ଟ ଆଦିଶକ୍ତି ବାହାରିବେ

କଟକ ଚଣ୍ଡୀରେ ସବୁ ଠୁଳ ଯେ ହୋଇବେ

କମ୍ପି ଉଠିବ ସେବେଳେ ଆକାଶ ଧରିତ୍ରୀ

ଦେବଗଣମାନେ ମିଳି ଦେଖୁଥିବେ କ୍ଷିତି

କଟକ ଯୋବରାର କାଳିଆବୋଦା ଯାଏ

ବ୍ରହ୍ମଜ୍ଞାନ ପରୀକ୍ଷା କରିବେ ଶାରଦାଏ

ମାତଙ୍ଗୀ ରୂପ ଧରିଣ ହୋଇବେ ବାହାର

ବ୍ରହ୍ମା ହରିହର ଆଦି ଯୋଡ଼ୁଥିବେ କର

ଉତ୍ତର ଦିଗୁଂ ବିରୋଜା ବାହାର ହୋଇବେ

ସଙ୍ଗେ ବହୁ ସୈନ୍ୟ ଘେନି କଟକେ ମିଳିବେ

ତାଙ୍କ କୋଳାହଳ ବାଣୀ ଆକାଶେ ପୂରିବ

କଲିକତା କାଳୀମାତା ରଡ଼ିଏ ଯେ ଦେବ

କାମାକ୍ଷୀ ଶୁଣି ଐଶାନ୍ୟ ଦିଗୁ ବାହାରିବେ

ଶତ ଶତ ଚାମୁଣ୍ଡା ମଶାଣିଚଣ୍ଡୀ ଥିବେ

 

ଫତିମୁଖା ଘାଟେ ପରବେଶ ହେବ ତହିଂ

ଭଇରବୀ ଡାକଦେବେ ଜଗତ ପୂରଇ

ଦୁଷ୍ଟଜନଙ୍କର ବଳ ବପୁ ଯେ ଭାଙ୍ଗିବ

ଶ୍ରୀକ୍ଷେତ୍ରରୁ ବିମଳା ଯେ ବାହାର ହୋଇବ

 

ସଙ୍ଗେ ରାମଚଣ୍ଡୀ ଜୟଚଣ୍ଡୀ ଇରାବତୀ

ଭୁବନେଶ୍ଵରୀଙ୍କି ଘେନିଥବେ ଭଗବତୀ

କାଠଯୋଡ଼ି ତଟ ହଂସମଣିଙ୍କ ନିକଟ

ପ୍ରବେଶି ଦର୍ଶନଦେଇ ଫେଡ଼ିବେ ସଂକଟ

 

ବାଣପୁର ଭଗବତୀ ବାହାର ହୋଇବେ

ଚର୍ଚ୍ଚିକା ଦେବୀ ତାଙ୍କ ସଙ୍ଗତରେ ଥିବେ

ସକଳେ ଆସିଣ ଠୁଳ ଚହଟାଘାଟର

ଦିବା ରାତ୍ରି ଲାଗିଥିବ ବହୁ ଖେଳଗୋଳ

 

ସକଳ ଦେବୀମାନଙ୍କୁ ବରଣ କରିବେ

କଟକ ଚଣ୍ଡୀ କାଳିକା ତାଣ୍ଡବ ଭେଇବେ

ତାଙ୍କ ସଙ୍ଗେ ଭୁଆସୁଣି ଅର୍ଘ୍ୟସ୍ଥାଳୀ ଧରି

ସମସ୍ଥଙ୍କୁ ବନ୍ଦାଇବେ ଭକ୍ତେ ଥବେ ପୂରି

 

 

ବିରଜା ବିମଳା ସଭା ମଣ୍ଡଣ ହୋଇବେ

ଶାରଦା ପଢ଼ିଆରୀ ଯେ ସେବେଳେ ହୋଇବେ

ଅନେକ ଦିଗୁଂ ଭକତ ଅନେକ ଆସିବେ

ଆଦି ନାରାୟଣୀ ଭେଟି ଶରଣ ପଶିବେ

 

ଦିଗମ୍ବରୀ ସାଧୁମାନେ ହେବେ ଆନନ୍ଦିତ

ସେବେଳେ ଅଚ୍ୟୁତ ତୁହି ଦେଖିବୁ ସମସ୍ତ

ମାନି ଚଳ ହେତୁ କରି ହୁଅ ସାବଧାନ

ଦେଖିବୁ ପ୍ରଭୁର ଲୀଳା ହୁଅ ଶୁଦ୍ଧମନ

 

ନଗ୍ରେ ନଗ୍ରେ ନାମ ଜାରି ପଡ଼ିବ ଚହଳ

ଯୋଗମାୟା ଖେଳ ହେବ ଉଠିବ ଯେ ଗୋଳ

ନ ଡରିବୁ ଭକ୍ତ ତୁହି କହୁଛି ବୁଝାଇ

ନିରାକାର ଜ୍ଞାନ ଆନ କେବେଟି ନୁହଇଂ

 

ରାମଚନ୍ଦ୍ର ସତର ଅଙ୍କରୁ ଅଠାଇଶ

ଅଙ୍କଯାଏ ପୃଥିବୀ କମ୍ପିବ ଅହର୍ନିଶ

କଳା ଧଳା ଅଶ୍ୱେ ଚଢ଼ି ଦେବ ନାରାୟଣ

ମ୍ଳେଚ୍ଛ ସଂହାର କରିବେ ଜଗତ ଜୀବନ

 

 

ପତିତ ତାରିବା ପାଇଂ ପତିତପାବନ

ଏ ଲୀଳା ଲଗାଇ ହରି ହୋଇବେ ମଉନ

ନରନାରୀ ଘେନି ସଦା ଦେଖୁଥିବେ ଲୀଳା

ରାଜାମାନେ ଶ୍ରୀଚରଣେ ହେଉଥିବେ ମେଳା

 

ସତ୍ୟ ତ୍ରେତୟା ଦ୍ୱାପର କଳିଯୁଗ ଭକ୍ତ

ଗୁପ୍ତେ ଯିଏ ଯେଉଂ ଠାରେ ଥିବେ ଉପସ୍ଥିତ

ସେବେଳେ ପ୍ରଭୁ ଚରଣେ ଆସି ପଡ଼ିବେ

ଶାରଳା ପରୀକ୍ଷାକରି ଭୀମ ସଙ୍ଗେ ଥିବେ

 

ବ୍ରହ୍ମ ଏକାକ୍ଷର ମନ୍ତ୍ର ଯନ୍ତ୍ର ବସାଇବେ

ଯେ ଜନ ବୁଝାଇଦେବ ଦେବୀ ସେ ବୁଝିବେ

ଯେଉଂ ମୂର୍ଖ ମନ୍ଦମତି ନ ମାନିବ କିଛି

ଚଣ୍ଡୀ ଚାମଣ୍ଡୀ ତାହାକୁ ଖାଇଯିବେ ବାଛି

 

ବଡ଼ଲୋକମାନେ ଧନ ଦ୍ରବ୍ୟ କରେ ଧରି

ଆସିବେ ସୈନ୍ୟମାନଙ୍କ ସେବାରେ ବାହାରି

ଯେଉଂ ଲୋକ ଖଳନିନ୍ଦା ମାର୍ଜନା କରିବ

ତାର ବଂଶ ସବୁ ଚଣ୍ଡୀ ଚାମଣ୍ଡା ଭକ୍ଷିବ

 

 

ହାହାକାର ଶବ୍ଦମାନ ଅଦଭୂତେ ଉଠି

ଦମ୍ଭ ଦର୍ପ ବଳରାମ ପକାଇବେ କାଟି

ଏକ ବ୍ରହ୍ମ ହୁଅ ବୋଲି ହେବ ଶୂନ୍ୟ ବାଣୀ

ଶୁଣ ତୁ ଅଚ୍ୟୁତ ଦାସ ମୋହର କାହାଣୀ

 

ଅଷ୍ଟକିଳା ଅଷ୍ଟଦିଗେ ପୋତା ଯେ ହୋଇବ

ଦମନ ଅଂଶ ତା ମଧ୍ୟେ ପଶି ନ ପାରିବ

ଯେବେ ସେ ବଳତ୍କାରରେ ପଶିବ ଗହଳେ

ପ୍ରାଣହାରି ପଳାଇବେ ଦେଖିବେ ସକଳେ

 

ଅତି ଆଶ୍ଚର୍ଯ୍ୟ ଏ ଖେଳ ପ୍ରଭୁ ଲଗାଇବେ

ଅଚ୍ୟୁତ ଦାସର ମନୁ ଭୟ ଉପେକ୍ଷିବେ

କେଉଂ ଦିନ ଜଗନ୍ନାଥ ଥୟଟି କରିବେ

ଜଗତ ଜନମାନେ ଯେ ଆନନ୍ଦେ ରହିବେ

 

ଭରସା କରିଛି ପାଦପଦ୍ମେ ଚିତ୍ତ ଦେଇ

ଅଚ୍ୟୁତ ଦାସ କହଇ ନିରାକାର ଧ୍ୟାୟି      

 

ଇତିଶ୍ରୀ ଆଗତ ଭବିଷ୍ୟ ମାଳିକା କଥନେ ଅଷ୍ଟମବାଣୀ ସମାପ୍ତ

 

ନବମ ବାଣୀ

 

କହନ୍ତି ଅଚ୍ୟୁତ ଆଗରେ ପ୍ରଭୁ ଶ୍ରୀଜଗନ୍ନାଥ

ଶୁଣ ପୁତ୍ର କଳ୍‌କି ଚରିତ ଅବାଡ଼ ଅନାହତ

ଯେତେକାଳ ଘେରି ବସିବ ଶୁଣ ତାର ବ୍ୟବସ୍ଥା

ଆକାଶରୁ ତାରା ଖସିବା ଦେଖି ହେବ ଦୁଃଖିତା

ପାହାନ୍ତା ପହର ନକ୍ଷତ୍ର ଖସିବାର ଦେଖିଲେ

ପିତା ନାଶଯାଇ ସେ କାଳେ ଷଡ଼ମାସ ପୂରିଲେ

ନିଶି ଅଧେ ତାରା ଖସିବା ଦେଖିବ ଯେଉଂ ଲୋକ

ମାତା ମରିବାର ଜାଣିବ ଚାରି ମାସେ ବିବେକ

ସନ୍ଧ୍ୟାକାଳେ ଯେବେ ଉତ୍ତର ଦିଗେ ତାରା ଖସଇ

ଦେଖିବା ଲୋକ ଯେ ମରଇ ତିନିମାସରେ ତହିଂ

ରାତ୍ର ଦଶଦଣ୍ଡ ସମୟେ ପୂର୍ବ ଦିଗରୁ ତାରା

ଦେଖିବ ଯେ ଲୋକ ମରଇ ଜାଣ ଭାଇ ପୁତୁରା

ସନ୍ଧ୍ୟା ଛଅଟାରେ ଯେବେ ସେ ଦେଖେ ପଶ୍ଚିମ ତାରା

ନିଜ ସ୍ତିରୀ ମରେ ମାସକେ ଏହି ଅବାଡ଼ ଧାରା

ଜ୍ୟୋତିର୍ମୟ ପ୍ରଭୁ ଚରଣେ ନିତ୍ୟ କରିଲେ ଧ୍ୟାନ

ଅବାଡ଼ ମଣ୍ଡଳ ଦର୍ଶନ କରିବୁ ରେ ସୁମନ

 

ଆଗତ କଥା ତୁ ଜାଣିବୁ ଯେବେ ଉଠିବୁ ଜାଗି

ବ୍ରାହ୍ମ ମୁହୂର୍ତ୍ତରେ ଭଜିବୁ ଯେବେ ପରମ ଯୋଗୀ

ଧୂର୍ମ ବର୍ଣ୍ଣ ଦେଖିବୁ ତିନି ମାସ ତିନି ପକ୍ଷର

ନିଶ୍ଚୟ ମୃତ୍ୟୁଟି ହୋଇବ ଜାଣିଥାଅ ନିକର

 

ସେଥି ନିମନ୍ତେ ତୁ ତ୍ରିଦିନ ଏକାନ୍ତରେ ରହିବୁ

ଶ୍ରୀଗୁରୁ ଗୋବିନ୍ଦ ନାମକୁ ହୃଦପଦ୍ମେ ଗୁଣିବୁ

ସେ ଦୋଷ ବିଷଟି କ୍ଷଣକେ ହୋଇବ ଯେ ଖଣ୍ଡନ

ଶୁଣିଲେ ଅଚ୍ୟୁତ ଶ୍ରୀହରି ଶ୍ରୀମୁଖର ବଚନ

 

ଇତିଶ୍ରୀ ଆଗତ ଭବିଷ୍ୟ ମାଳିକା କଥନେ ନବମ ବାଣୀ ସମାପ୍ତ

 

ଦଶମ ବାଣୀ

 

ଶୁଣ ତୁ ଅଚ୍ୟୁତ ସୁଚିତ୍ତେ ସ୍ଥିର କରି ତୋ ମତି

ଯୁଗଳ ଶ୍ରୁତିରେ ଶୁଣ ତୁ ବତ୍ସ ଦେଇଣ ମତି

ଜ୍ୟୋତିଘରେ ଲୟ ରଖିଲେ ହେବୁଟି ଅଜ୍ରାମର

ଅବାଡ଼ ଦର୍ଶନ କରିବୁ ଖେଳୁଥିବୁ ସଂସାର

 

 

ଆକାଶ ପାତାଳ ଭେଦିବୁ ଭେଦ ନଥିବ କିଛି

ଅଣଚାଶ ତୋତେ ଘେରିଲେ ଘଟେ ନ ପାରେ ପଶି

ଉଦୟରୁ ଯେବେ ଅବନା ବନାନ ତୁ କରିବୁ

ଅବାଡ଼ ଭୂମିରେ ବସି ତୁ ହାଟ ବାଟ କରିବୁ

ଫୁଙ୍କାବନ୍ଧ ଲୀଳା ଲହରୀ ସଦା ଲାଗି ଅଛଇ

ପାଷାଣ ହୋଇଲେ କ୍ଷଣକେ ତରଳ ସେ ହୁଅଇ

ହେତୁ ରଖିଥିଲେ ପୁତାରେ ଯାଜନଗ୍ରେ ବସିବୁ

କାଉଂରୀ ମଣ୍ଡଳ ମଧ୍ୟରେ ଲୀଳା ଖେଳା ଦେଖିବୁ

ଇଅଂଳା ପିଅଂଳା ଶିଶୁମୁନା ଯେଉଂ ନାଡ଼ି ରହିଛି

ସବୁ ନିରାକାରଙ୍କ ଖେଳ ଜ୍ୟୋତିର୍ମୟ ବ୍ୟାପିଛି

ଗୁରୁ ସେବି ଥିଲେ ଅବଶ୍ୟ ଆଶା ପୂର୍ଣ୍ଣ ହୋଇବ

ଶୂନ୍ୟ ଖେଳଘର ପୁତାରେ ନେତ୍ର ତୋର ଦେଖିବ

ଶୂନ୍ୟରୁ ଆସୁଛି ପୁତାରେ ଶୂନ୍ୟେ ଯାଇ ଖେଳୁଛି

ଗୁରୁ ଅନାଦିଙ୍କ ଅବାଡ଼ ଜ୍ୟୋତିଘରେ ମିଶୁଛି

ଅତି ବିଚିତ୍ର ଲୀଳା ତାର ଦେବେ ନୁହେଂ ଗୋଚର

କେମନ୍ତେ ସେ ଭେଦ ପାଇବୁ ବୁଝାଅ ମୋ ଆଗର

ଅର୍ଦ୍ଧମାତ୍ରା ତହିଂ ରହିଛି ଧ୍ୱନି ଜାଗି ନିରତେ

କେମନ୍ତେ ତା ସଙ୍ଗେ ଖେଳିବୁ କହ ଗୁପତେ ମୋତେ

କାଉଂରୀମଣ୍ଡଳ ଭେଦିଲେ ଜ୍ୟୋତି ଭେଦ ପାଇବୁ

ସଦଗୁରୁ ସେବା କରିଲେ ଭବୁ ପାରି ହୋଇବୁ

ମନକୁ ତିଆରି କହଇ ଚଇତନ ଅରେଖ

ଫୁଙ୍କାବନ୍ଧେ ବନ୍ଧ ବାନ୍ଧିଲେ ହୋଇପାରୁ ବିବେକ l

ଅର୍ଦ୍ଧମାତ୍ରା ପରେ ବିନ୍ଦୁ ଯେ ବାସ କରି ଅଛଇ

କହଇ ଅଚ୍ୟୁତ ଠିକଣା କଲେ ସକଳ ପାଇ

ଇତିଶ୍ରୀ ଆଗତ ଭବିଷ୍ୟ ମାଳିକା କଥନେ ଦଶମ ବାଣୀ ସମାପ୍ତ

ଅଚ୍ୟୁତାନନ୍ଦ ରଚନାବଳୀ ମାଳିକା ଖଣ୍ଡ

ଏକାଦଶ ବାଣୀ

ଶୁଣରେ ମନୁଆ ତୁହି ଗୁରୁଘର ପାଠ

ଏ ପାଠ ପଢ଼ିଲେ ତୋତେ ଦିଶିଯିବ ବାଟ

ଅମଡ଼ା ମାଡ଼ିବୁ ପଥେ କରିଲେ ଗମନ

କାହିଂ କଣ୍ଟା ନ ମାଡ଼ିବୁ ଜାଣିଲେ ଭଜନ

ବଙ୍କୁନାଳ ମୂଳାଧାର ଯେବେ ଜଗିପାରୁ

ତେବେ ଗୋଲାହାଟ କରି ଯାଇ ଆସିପାରୁ

ଅନାଦି ଅରେଖ ନିରଞ୍ଜନ ପରଂବ୍ରହ୍ମ

ଅବ୍ୟକ୍ତ ପୁରୁଷ ହରି ଜଗତ ଜୀବନ

 

ଯାହାଙ୍କର ଲୀଳା ଏହି ଜଗତେ ପୂରିଛି

ତାହାଙ୍କୁ ଚିହ୍ନିଲେ ମନ ଭୟ ନାହିଂ କିଛି

ସଦଗୁରୁ ପାଦେ ସେବି ହୁଅ ଶୁଦ୍ଧମତି

ଶ୍ରୀଗୁରୁ ଆଜ୍ଞାରୁ କାହିଂ ନଥିବଟି ଭୀତି

ଦାସ ଭାବେ ସେବାକରି ହୁଅ ଅଜ୍ରାମର

ଶୁଣ ତୁ ଅଚ୍ୟୁତ ପ୍ରଭୁ ମହିଂମା ବିଚାର

କରୁଣା ସାଗର ପଦେ ଦିଅ ମତି ତୋର

ଅବଶ୍ୟ ଭେଟିବୁ ପ୍ରଭୁ କମଳାର ବର

ଓଡ଼ିଶା ଦେଶରେ ପ୍ରଭୁ ନାମ କରି ଜାରି

ଶୂନ୍ୟେ ଉଡ଼ାଇବେ ଧ୍ୱଜା ପ୍ରଭୁ ଦଇତାରି

ଚାରିମଠ ଚାରିବାଟ କମ୍ପିଣ ଉଠିବ

ଭକ୍ତମାନଙ୍କ କଷଣ କ୍ଷଣକେ ମେଣ୍ଟିବ

ସେ ହରି ପଦ ସ୍ମରଣ କର ହୋ ଅଚ୍ୟୁତି

ଦେଖିବୁ ଗୁଜ୍ଜରୀ ଲୀଳା ଅବ୍ୟକ୍ତ ମୂରତି

ପତିତପାବନ ପ୍ରଭୁ କମଳା ରମଣ

ଉଗତଙ୍କ ପାଇଂ କଲେ ଏ ଲୀଳା ଭିଆଣ

ସର୍ବଲୀଳା ମଧ୍ୟେ ଯେ ଗୁଜ୍ଜରୀ ଲୀଳା ସାର

ନିରାକାର କହୁଛନ୍ତି ଅଚ୍ୟୁତ ଆଗର

ଖଣ୍ଡଗିରି ବଟପୁଟେ ଦେବ ଜନାର୍ଦ୍ଦନ

ଶିରେ ଶାଢ଼ୀ ବାନ୍ଧି ପ୍ରଭୁ ରହିବେ ସେ ସ୍ଥାନ

କୋଟି କୋଟି ଭକ୍ତ ସ୍ଥାନେ ସ୍ଥାନେ ହେବେ ମେଳ

ସେତେବେଳେ ଜଗତ ଯେ ଦିଶିବ ଉଜ୍ଜ୍ୱଳ

ନ କର ମନେ ଭାଳେଣି ଭଜ କମ୍ବୁପାଣି

ଭକତ ବତ୍ସଳ ପଦ୍ମପାଦ ସେବ ଜାଣି

କଳି କଳୁଷ ନାଶନ ପ୍ରଭୁଙ୍କର ଭେଟ

ଅବଶ୍ୟ ଭେଟିବୁ ଭକ୍ତ ମନେ ଧର ଆଣ୍ଟ

ଗୁପ୍ତ ସ୍ଥାନମାନ ସେହି ବେଳରେ ଫିଟିବ

ଏକାମ୍ର ବନର ଶୋଭା କେ ଅବା କହିବ

ସତ୍ୟଭାଷ ଲୋକମାନେ ମୁଖରେ ଭଣିବେ

ହିଂସା କପଟ ସେବେଳେ ସବୁ ପାଶୋରିବେ

ସାଧୁ ଜନମାନଙ୍କର ନାମ ଟାଣ ହେବ

ଦୁଃଖୀଲୋକଙ୍କର ଦୁଃଖ ସେକାଳେ ମେଣ୍ଟିବ

ଶ୍ରୀହରି କୃପାରୁ ମୁହିଂ କହିଲି ଏମାନ

ଅଚ୍ୟୁତ ଦାସ ତୁ ଭଜ ଜଗତ ଜୀବନ

କାର୍ତ୍ତିକ ଶୁକ୍ଳ ଦଶମୀ ଦିନ ପୂର୍ଣ୍ଣ ହେଲା

ପିଲା ଅଚ୍ୟୁତ ଦାସ ଯେ ଗୀତରେ ଭଣିଲା

 

ଇତିଶ୍ରୀ ଆଗତ ଭବିଷ୍ୟ ମାଳିକା କଥନେ ଏକାଦଶ ବାଣୀ ସମାପ୍ତ

 

ଦ୍ୱାଦଶ ବାଣୀ

 

ଶୁଣ ତୁ ଅଚ୍ୟୁତ ଦାସ ଭକତ ପ୍ରଧାନ

ତୋତେ ପ୍ରସନ୍ନ ହୋଇଣ କହୁଛୁଂ ବଚନ

ନ ଧରିବୁ ମନେ କିଛି କଥାମାନ ତୁହି

ତୋହ ଜାଣିବାର ପାଇଂ ଆଜ୍ଞା ମୁଂ କହଇ

 

ହେତୁ ରଖିଥିବୁ ବତ୍ସ ଚିତ୍ତ କରି ଛୋଟ

ଗୋବିନ୍ଦ ପଦ ସରୋଜେ ଲଗାଇବୁ ହାଟ

ଅଲୋକିକ ଲୀଳାମାନ କରିବେ ମୋହନ

ଜଗତ ଜୀବନ ପ୍ରଭୁ ପତିତପାବନ

 

ଭକ୍ତଙ୍କ ନିମନ୍ତେ ପ୍ରଭୁ ଭବେ କଲେ ଲୀଳା

ଯୋଗୀଜନେ ଦେଖି ତାହା ହୁଅନ୍ତି ଯେ ଭୋଳା

ଦୁଃଖୀଜନଙ୍କର ଦୁଃଖ ହରାଇବା ପାଇଂ

ଦୂରେ ଥାଇ ଦେଖୁଥାନ୍ତି ପ୍ରଭୁ ଭାବଗ୍ରାହୀ

 

 

ଶ୍ରୀହରିଙ୍କ ଲୀଳାମାନ କେ ଜାଣି ପାରିବ

ତାଙ୍କ କୃପା ହେଲେ ଭକ୍ତ ସକଳ ଜାଣିବ

ପଦ୍ମପାଦ ଦୃଶ୍ୟ ହେଲେ ଦୁଃଖ ହୋଇ ନାଶ

ଭକ୍ତ ଭଜ ନିରନ୍ତରେ ତାଙ୍କୁ ହୃଦଦେଶ

 

ଯୁଗେ ଯୁଗ ଜଗନ୍ନାଥ ସଂସାରେ ଜନମି

ନାନା ଲୀଳା କରୁଛନ୍ତି ଦେବ ଅନ୍ତର୍ଯ୍ୟାମୀ

ଭକ୍ତ ବିନା ଭାବ କାହୁଂ ଅନ୍ୟ କେ ଜାଣିବ

ଆନନ୍ଦାନନ୍ଦ ଚରଣେ ଚିତ୍ତ ସମର୍ପିବ

 

ଶୁଣ ତୁ ସୁମନ ମୋତେ କହ ହେତୁକରି

ଯେଉଂପରି ତବ ଲୀଳା ଜାଣିବି ମୁରାରି

ମୁହିଂ ମୂର୍ଖ ମନ୍ଦମତି ନ ଜାଣେ ଭକତି

କୃପାସିନ୍ଧୁ କୃପାକରି ଦେଖାଅ ତୋ ଜ୍ୟୋତି

 

ଆରତ ନାଶନ ବାନା ପ୍ରଭୁ ଦାଶରଥି

ଅଗତିର ଗତି ଦାତା ଅଟୁ ଯଦୁପତି

କେତେ କେତେ ଭକ୍ତ ତାରିଅଛି କମ୍ବୁପାଣି

ପୂର୍ଣ୍ଣବ୍ରହ୍ମ ସତ୍ୟବାଦୀ ଦେବ ଅନ୍ତର୍ଯ୍ୟାମୀ

 

 

ନନ୍ଦର ନନ୍ଦନ ତୁମ୍ଭେ ଅଟ ଜଗନ୍ନାଥ

ଭକ୍ତଙ୍କର କୋଠଧନ ଅଟ ହେ ଅନନ୍ତ

କହି କେ ପାରିବ ତବ ଗୁଣ କୀର୍ତ୍ତିମାନ

ଆହେ ଜଗତ ଜୀବନ ଶ୍ରୀମଧୁସୂଦନ

 

କିଞ୍ଚିତରେ କୃପାଦୃଷ୍ଟି ଯାହାକୁ ହେ ଦିଅ

ତାହାର ଯେ ଧନ ଜନ କ୍ଷଣକେ ପୂରାଅ

ଅଚ୍ୟୁତ ପୁରୁଷୋତ୍ତମ ନାରାୟଣ ହରି

ଭାବବିନୋଦିଆ ପ୍ରଭୋ ମୁକୁନ୍ଦ ମୁରାରି

 

ଅଖିଳ କରତା ନାଥ ଅଟ ନୀଳମଣି

ଯୋଗୀମାନଙ୍କର ହୃଦେ ବାସ କର ପୁଣି

ଜନ୍ମ ଜନ୍ମାନ୍ତର କ୍ଳେଶ କ୍ଷଣକେ ପଳାଏ

ଯାହାକୁ ତୁ ବଶ ହେଉ କିଞ୍ଚିତରେ ଜୟେ

 

କେତେ ଯୋଗୀ ମୁନି ଋଷି କରନ୍ତି ଯେ ଧ୍ୟାନ

ତୋର କୃପା ନ ହୋଇଲେ ହୁଅନ୍ତି ଅଜ୍ଞାନ

ଆହେ ପ୍ରଭୁ ଅନ୍ତର୍ଯ୍ୟାମୀ ଜଗତ ଜୀବନ

ଶ୍ରୀଚରଣ ଦିନେ ମୁହିଂ ନ କଲି ଦର୍ଶନ

 

 

ଭାବୁଅଛି ଅନ୍ତର୍ଗତେ ଆହେ ନାରାୟଣ

କ୍ଷଣେ ହେଲେ ଭକ୍ତିଭାବ ଦିଅହେ ଶରଣ

ତବ ମାୟା ଅନ୍ଧକାରେ ପଡ଼ିଣ ଅଛଇ

କାହିଂ ମୁହିଂ ବସିବାକୁ ସ୍ଥାନ ନ ଦିଶଇ

 

ଭରସା ମାତ୍ର ଚରଣେ ଭକ୍ତି ବାରମ୍ବାର

ପାରି କର ନ କର ବା ବ୍ରହ୍ମାଣ୍ଡ ଠାକୁର

ଶତ ଶତ ନମସ୍କାର କରେ ଶ୍ରୀଚରଣେ

ଦାସଙ୍କର ଦାସ କରି ରଖ ପ୍ରଭୁ କ୍ଷଣେ

 

ନ କରିବ ମୋତେ ପର ଆହେ ଚକାଡୋଳା

ଅଚ୍ୟୁତ ଦାସ ତୋ ପାଦପଦ୍ମ କରେ ଭେଳା

ଏକଦିନେ ନିରାକାର ଅଚ୍ୟୁତଙ୍କୁ ଚାହିଂ

ବୁଝାଇ କହନ୍ତି ବତ୍ସ ଶୁଣ ମନ ଦେଇ

 

ଗୋଲୋକ ବୈକୁଣ୍ଠ ଧାମ ଅତ୍ୟନ୍ତ ସୁନ୍ଦର

ସେ ପୁରେ ବିଜୟ କରିଛନ୍ତି ଦାମୋଦର

ଷୋଳକଳା ଘେନି ହରି ବସି ବ୍ରହ୍ମଦ୍ୱାରେ

ପଦ୍ମାସନେ ରହିଛନ୍ତି ଅନାହତ ପୁରେ      

 

 

ଧ୍ୟାନ ଦେଇଛନ୍ତି ପ୍ରଭୁ କାଉଂରୀ ମଣ୍ଡଳେ

ସେ ରୂପ ଦେଖିଲେ ଚିତ୍ତ ରହିବ ନିଶ୍ଚଳେ

ଅରୁଣ ବରୁଣ ଜ୍ୟୋତି ଅବଳା ଖୋଲିଛି

ଅଣାକାରରୁ ଆକାର ଜ୍ୟୋତି ପ୍ରକାଶୁଛି

ନାହିଂ ଜଳ ନାହିଂ ସ୍ଥଳ ନାହିଂ କିଛି ଚିହ୍ନ

ଅଚ୍ୟୁତ ଦାସ ସେ ପଦ୍ମପାଦେ ଥୁଏ ମନ

ଇତିଶ୍ରୀ ଆଗତ ଭବିଷ୍ୟ ମାଳିକା କଥନେ ଦ୍ଵାଦଶ ବାଣୀ ସମାପ୍ତ

 

ତ୍ରୟୋଦଶ ବାଣୀ

 

ନିରାକାରଙ୍କର କଥା       ଶୁଣ ତୁ ଅଚ୍ୟୁତ ରଖିଣ ଚେତା

ଅଚ୍ୟୁତରେ ! କଳିଯୁଗରେ ନ ପୋତ ମଥା

ଗୁରୁ ଶିକ୍ଷକଙ୍କର ଖେଳ        ଲାଗିବ କଳିରେ ପୃଥ୍ୱୀ ଚହଳ

ଅଚ୍ୟୁତରେ ! ବସି ଦେଖୁ ଥିବ ବେନିଡୋଳା

କହିବା କଥାଟି ରଖ       କାଳରୂପ ଗୋଟି ନେତ୍ରରେ ଦେଖ

ଅଚ୍ୟୁତରେ ! କାଳ ଯମ ନ ଦେବଟି ଦୁଃଖ

ଯୋଗମାୟା ଯାର ନାମ       ସେହି ଜଗିଅଛି ପ୍ରଥମ ଧାମ

ଅଚ୍ୟୁତରେ ! ତୋଷେ ସେବିଲେ ନୋହିବୁ ଭ୍ରମ

 

ଆଶା କରିଥିଲେ ତୁହି       ଅବଶ୍ୟ ଦେଖିବୁ ସମରଭୂଇଂ

ଅଚ୍ୟୁତରେ ! କଳି ଭାରତ ଯୋବରା ଭୂଇଂ

ଉଇଂ ଆସିବ ସୁଦିନ       ମୂଳମନ୍ତ୍ର ଘୋଷି ହୁଅ ମଉନ

ଅଚ୍ୟୁତରେ ! ପ୍ରଭୁ ଆସିବେ ଭକ୍ତ ସଙ୍ଗେଣ

 

ଯୋଗମାୟା ଯୋଗବଳେ       ଆଦି ନଗ୍ର ଲୀଳା ଦେଖିବୁ ଡୋଳେ

ଅଚ୍ୟୁତରେ ! ଜଗି ରହିଥିବୁ ସବୁବେଳେ

ପଲକ ପଡ଼ିବ ନାହିଂ       ଫୁଙ୍କାବନ୍ଧ ପଥ ଦେବୁ ଫିଟାଇ

ଅଚ୍ୟୁତରେ ! ଫନ୍ଦା ଲାଗିଥିବ ଯହିଂ ତହିଂ

 

ଅପୂର୍ବ ଲୀଳା ଭିଆଣ       ଯହିଂ ଖେଳୁଥିବେ ଜଗମୋହନ

ଅଚ୍ୟୁତରେ ! ଯାହା ମାୟାଟି ଦେବେ ଶୋଭନ

ଜଗିଲେ ପାଇବୁ ଭେଟ       କଳ୍ମଷ ନାଶନ ଘୋଷ ହେ ଚାଟ

ଅଚ୍ୟୁତରେ ! ନିରାକାରଙ୍କର ଜ୍ଞାନ ବାଟ

 

ସବୁ ଭ୍ରମ ଯିବ ତୋର       ଦେଖିବୁ ନେତ୍ରରେ କମଳାବର

ଅଚ୍ୟୁତରେ ! ଜଗି ବସ ଏବେ ମୂଳାଧାର

ଗୋଲାହାଟ ଠାରେ ହାଟ       ହାଟ ଲଗାଇବେ ବରଜରାଟ

ଅଚ୍ୟୁତରେ ! ଭାଙ୍ଗିଯିବ ମନ ମୋଟ

 

 

ମନ ମଜ୍ଜା ପ୍ରଭୁ ଭାବେ       ନିରାକାର ମୂର୍ତ୍ତି ଦେଖିବୁ ଯେବେ

ଅଚ୍ୟୁତରେ ! ପାଦପଦ୍ମରେ ଲୋଟିବୁ ତେବେ

ଫୁଙ୍କାବନ୍ଧଠାରେ ଥିର       ହୋଇ ପାରିଲେଟି କୁମରବର

ଅଚ୍ୟୁତରେ ! ତେବେ ପାଇବୁ ଜଗତେ ବର

 

ଆଗତ ଭବିଷ୍ୟ କଥା        ହେଜି କରି କହେ ଅଚ୍ୟୁତ ପୁତା

ସୁଜନେ ହେ ! ଏହି କଥାକୁ ମନେ ରଖିଥା

ଇତିଶ୍ରୀ ଅଚ୍ୟୁତାନନ୍ଦ ଦାସ ବର୍ଣ୍ଣିତ ଆଗତ ଭବିଷ୍ୟ ମାଳିକାୟାଂ

ତ୍ରୟୋଦଶ ବାଣୀ ସଦାଜୟ ସମ୍ପୂର୍ଣ୍ଣ

 

କଳି ଖେଳ ବାଣୀ

 

ଶୁଣ ହେ ଭକତ ଶୁତିରେ ପ୍ରଭୁ ଶ୍ରୀମୁଖ ବାଣୀ

କଳିରେ ଯେ ରୂପେ ଖେଳିବେ ପ୍ରଭୁ ସାରଙ୍ଗପାଣି

ମହାନଦୀ ତଟ ଯୋବରା କାଳି ବୋଦା ଘାଟ

କାଳିଆ ଘାଇଟି ସେଠାରେ ସୈନ୍ୟମାନଙ୍କ ପେଣ୍ଠ

ହରାଦି ରାମାଦି ସନ୍ତାନ ଆସି ହୋଇବେ ଠୁଳ

ଅପ୍ରମିତ ସୈନ୍ୟ ଘେରିବେ ଲୀଳା ହେବ ଚହଳ

ରାମଚନ୍ଦ୍ର ଦେବ ପନ୍ଦର ଅଙ୍କ କାର୍ତ୍ତିକ ମାସ

ବୈଶାଖ ପର୍ଯ୍ୟନ୍ତ ଲାଗିବ ଲୀଳା ଗୋଳ ଅଶେଷ

କୋଟି କୋଟି ଭକ୍ତ ଆସିବେ ପ୍ରଭୁ ଗୁଣକୁ ଗାଇ

କଟକ କଟୀରେ ଯୁଧିଷ୍ଠି ଦେବ ଥିବେଟି ରହି

ପଦ୍ମବନୁ ଭୁଆସୁଣୀର ଯାଏ ହୋଇବେ ଠୁଳ

ଯୋଗାନ୍ତ ନାଗାନ୍ତ ଯୋଗୀଏ ଜ୍ଞାନୀ ହେବେ ପ୍ରବଳ

ଯୋଗମାୟା ଖେଳ କରିବେ ଯୋଗୀ ହୋଇବେ ଭୋଳ

ଡାଙ୍କିଣୀ ଘେରିବେ ଜଗତେ ଦୁଷ୍ଟ ହେବେ ପ୍ରବଳ

ନବଲକ୍ଷ ସାଧୁ ମିଳିବେ ଘୋର କଳି ଲାଗିବ

ଭଣ୍ଡମାଳାଧାରୀ ସାଧୁଙ୍କ ମଥା କଟିଣ ଯିବ

 

ବାଲିକୁଦମାନ ପୂରିବ ଭକ୍ତ ହୋଇବେ ମେଳ

ଖଣ୍ଟମାନେ ମିଳି ବହିବେ ଧନଜନ ସକଳ

ବଡ଼ ଲୋକଙ୍କର ଧନକୁ ବହିନେବେ ସକଳ

ମହାନଦୀ ଜଳେ ପକାଇଦେବେ ହେଲେ କନ୍ଦଳ

 

ଦିବସେ କୁହୁଡ଼ି ଘେରିବ ରାତ୍ର ପ୍ରାୟ ହୋଇବ

କଟକ କଟୀର ଅବସ୍ଥା କେହୁ ମୁଖେ କହିବ

ହରାଦି ରାମାଦି ସାଧୁଏ ଠୁଳ ହୋଇଣ ଥିବେ

ସତର ହଜାର ନାଗାନ୍ତ ଆସିଣ ପ୍ରବେଶିବେ

 

ସେବେଳେ ଲଙ୍ଗୁଳି ତେରଶ ଉତ୍ତରରୁ ଆସିବେ

ଦକ୍ଷିଣ ଦିଗରୁ ତେଲେଙ୍ଗା ରଣରଙ୍କା ହୋଇବେ

ଋଷିକୁଲ୍ୟାଠାରୁ କାଶୀ ଯେ ନଗ୍ରଯାଏ ବେଢ଼ିବେ

ସେଠାରୁ ସମ୍ବଲପୁରକୁ ସର୍ବେ ବେଢ଼ି ବସିବେ

 

ପଶ୍ଚିମ ଦିଗରୁ ଯବନ ବଳ ଧାଇଂ ଆସିବେ

ବାମରା ସହରେ ପଶିଣ ନରହତ୍ୟା କରିବେ

କାଶୀ ନଗ୍ରେ ଗୋଳ କରିବେ ବହୁ ସୈନ୍ୟକୁ ନାଶି

ସମ୍ବଲପୁରରେ ପ୍ରବେଶ ଗୋଳ ହେବ ବିଶେଷି

 

 

ଯୋଗମାୟା ତହିଂ ଗୋଡ଼ାଇ ବହୁ ସୈନ୍ୟ ନାଶିବେ

ଦମନ ପଳାଇ କଟକ ନଗ୍ରେ ଆସି ମିଳିବେ

ବହୁତ ପହିଜ ଦେଖାଇ ଭୋବନେଶ୍ୱର ଯିବ

ଯୋଗିନୀ ଭକ୍ଷିବେ ଦମନ ବଳ ତହୁଂ ଭାଜିବ

 

ନୀଳାଚଳ ନାଥ ଗୋବିନ୍ଦ ସେତେବେଳରେ ପୁଣ

ସହି ନ ପାରିଣ ଭକତଗଣ ସଙ୍ଗେ ନେଇଣ

ନରେନ୍ଦ୍ର ସ୍ନାହାନ ସାରିଣ ପ୍ରଭୁ ହେବେ ବାହାର

ତେର ସୁଆର ସଙ୍ଗରେ ଚଢ଼ି ଅଶ୍ୱ ଉପର

 

ରାମଚନ୍ଦ୍ର ଦେବ ସେ କାଳେ ଗୁପ୍ତ ବେଶରେ ଥିବ

ବିନ୍ଧ୍ୟାଚଳ ବନ ପର୍ବତ ସେହୁ ଭ୍ରମୁଣ ଥିବ

ପ୍ରଭୁର ମହିଂମା ନଜାଣି ଗଞ୍ଜି ହେଉଣ ଥିବେ

କଟକ କଟୀରେ ଆସିଣ ସେହୁ ପ୍ରବେଶ ହେବେ

 

ନ ଚିହ୍ନିବେ କେହି ରାଜାଙ୍କୁ ରାଜା ମଉନେ ଥିବେ

କାଠଯୋଡ଼ି ତଟ ଦେଖିଣ ରଣାଷଣ୍ଡେ ରହିବେ

କାଳିଆବୋଦାରେ ସାଧୁ ଯେ ଲୀଳାଖେଳା କରିବେ

ନାନା ଉପଯୋଗେ ରହିଣ ପ୍ରଭୁ ଗୁଣ ଘୋଷିବେ

 

 

ଭୀମସେନ ପ୍ରଭୁ ଥିବେ ଯେ ହଂସନାଥଙ୍କ ପାଶ

ତାଙ୍କ ସଙ୍ଗେ ହଂସନାଥ ଯେ କହୁଥିବେ ଭବିଷ୍ୟ

ଅଷ୍ଟଚଣ୍ଡୀ ସଙ୍ଗେ ନେଇଣ ଯୋବରାରେ ପ୍ରବେଶ

ଶାରଦା ଖେଳିବେ କଟକେ ଭକ୍ତ ହୋଇବେ ବଶ

 

ଅଲୋକିକ ଲୀଳା କରିବେ ଦେବୀ ଝଙ୍କଡ଼ବାସୀ

ପଦ୍ମେ ଭକ୍ତ ଦେଖି ଉଲ୍ଲାସ ହେବେ କଟକବାସୀ

କଳାଧଳା ଅଶ୍ୱ ଉପରେ ପ୍ରଭୁ ହେବେ ବାହାର

ଭୁବନେଶ୍ୱରରେ ରହିବେ ପ୍ରଭୁ ରଙ୍ଗାଅଧର

 

ଖଣ୍ଡଗିରି ସିଦ୍ଧ ସ୍ଥାନରେ ଯେତେ ଅଛନ୍ତି ଋଷି

ସକଳେ ବାହାର ହୋଇବେ ପ୍ରଭୁ ନାମକୁ ଘୋଷି

ସକଳେ ସେବେଳେ ଠୁଳ ଯେ ହେବେ ବିନ୍ଦୁସାଗର

କପିଳେଶ୍ଵରରେ ଭେଟ ଯେ ହୋଇବେ ସୁପ୍ରକାର

 

ତ୍ରିଜଟା ଅଂଶ ଯେ ବୁଲିଣ ସବୁ ଦେଖୁଣଥିବେ

ମାୟାଧର ଲୀଳା କାହୁଂ ସେ ଅବା ଜାଣି ପାରିବେ

ଭ୍ରମରେ ପଳାଇ ଯାଇଣ କୋଣାର୍କରେ ମିଳିବ

ମହାଯୁଦ୍ଧ ଦେଖି ସେଠାରେ ଭ୍ରମ ଜାତ ହୋଇବ

 

 

ସାଗରେ ସାଗରେ ପଳାଇ ଯିବ ସେ ଚାନ୍ଦବାଲି

ବିରୋଜା ଧାଇଂଣ ଯବନେ କରିଦେବେଟି ବଳି

ଯାଜପୁର ନଗ୍ରେ ସେକାଳେ ଶୂନ୍ୟବାଣୀ ହୋଇବ

ଲାଖବିନ୍ଧା ପଡ଼ିଆରେ ଯେ ଲକ୍ଷେ ବଳୀ ପଡ଼ିବ

 

ସକଳ ଦିଗର ଦେବତା ଦେବୀ ହେବେ ବାହାର

ନର ଅଙ୍ଗେ ମିଳି ଖେଳିବେ କଟକ ଯେ କଟୀର

କ୍ଷଣିକରେ ଛାଡ଼ି ପଳାଇ ଯିବ ତ୍ରିଜଟା ଅଂଶ

ଜଗନ୍ନାଥ ପ୍ରଭୁ କଟକେ ହୋଇବେ ଯେ ପ୍ରବେଶ

 

ସନ୍ଥଙ୍କ ମଧ୍ୟରେ ମିଳିଣ ଦେବେ ପ୍ରଭୁ ଦର୍ଶନ।

ସାଧୁମାନେ ଚିହ୍ନି ସେବିବେ ପ୍ରଭୁ ଜଗତ ବନ୍ଦନ

ଜୟଧ୍ୱନି ଗୋଳ ଶବଦ ଜଗତରେ ପୂରିବ

ଯୋଗମାୟା ଖେଳକୁହୁକ ଜାଲ ପ୍ରାୟ ଘେରିବ

 

ଦାମ୍ଭିକ କୁଟିଳ କପଟୀଙ୍କର ବଚନ ମାନ

ସେ କାଳେ ହୋଇବ ଖଣ୍ଡନ ପ୍ରଭୁ ଥିବେ ମଉନ

ପଞ୍ଚସଖା ପଞ୍ଚୁ ପାଣ୍ଡବେ ସର୍ବେ ହୋଇବେ ଠୁଳ

କଟକଚଣ୍ଡୀ ଯେ ସେକାଳେ ତାଙ୍କ ମଧ୍ୟରେ ମେଳ

 

 

ଭୁଆସୁଣୀ ସଙ୍ଗେ ନେଇଣ ଯିବେ ଶାରଦା ପାଶ

ଅର୍ଘ୍ୟଥାଳୀ ଘେନି ପୂଜିବେ ଦେବୀ ହୋଇ ଉଲ୍ଲାସ

ଅମରାବତୀରୁ ବାହାର ହେବେ ସିଦ୍ଧାନ୍ତ ଯୋଗୀ

ଛତିଆ ବଟରେ ପ୍ରବେଶି ନାନା ରୂପରେ ଭୋଗି

 

ଲଣ୍ଡଭଣ୍ଡ ହୋଇ ଭକତଗଣ ସଙ୍ଗରେ ନେଇ

କାଳିଆବୋଦାରେ ପ୍ରବେଶି ପ୍ରଭୁ ଗୁଣକୁ ଗାଇ

ଷୋଳ ମଠର ଯେ ସନ୍ତାନ ସର୍ବେ ହୋଇବେ ଠୁଳ

ଜଗତ ଦିଶିବ ସେକାଳେ ସିନା ବହୁ ଉଚ୍ଛଳ

 

ଏକାକ୍ଷରେ ନାମ ଭଜନ କରୁଥିବାର ଜନ

ସମସ୍ତ ସେକାଳେ ଜାଣିବେ ଭକ୍ତି ହୋଇବ ପୂର୍ଣ୍ଣ

ଧର୍ମରେ ଆଶ୍ରିତ ଯେ ଜନ ସଦା ହୋଇଣ ଥିବ

ଭୈରବୀ ଚକ୍ରରୁ ସେବେଳେ ସିନା ସେହୁ ବଞ୍ଚିବ

 

ପ୍ରଭୁଙ୍କର ପ୍ରତିନିଧ ଯେ ପଞ୍ଚୁ ପାଣ୍ଡବଗଣ

ଶସ୍ତ୍ର ଧରି ବାହାର ହେବେ ଦେବଗଣ ସଙ୍ଗେଣ

ଟିକିରା ଗୋହିରୀ ଯୁଦ୍ଧକୁ ପ୍ରଭୁ ହେବେ ବାହାର

ପାମର ଅଚ୍ୟୁତ କହଇଦୋଷ ନଧର ମୋର

 

 

ନବଲକ୍ଷ ସାଧୁ ପୂରିବେ ପୁରୀଠାରୁ କଟକ

ଭୁବନେଶ୍ୱରରେ ରହିବେ ନାଗାନ୍ତ ଯେ ଅନେକ

କଟକ କଟୀରେ ଲଙ୍ଗୁଳି ଧରା ହୋଇଣ ପୁଣ

କାଳିଆବୋଦାରେ ସହସ୍ରେ ଦୁଷ୍ଟ ହେବେ ନିଧନ

 

ସୁଭଦ୍ରା ନଈରେ ତେରଶ ଦମନ ଯେ ମରିବେ

ଯାଜପୁରେ ପାଞ୍ଚହଜାର ତେଲଙ୍ଗା ଯେ ମାତିବେ

ପଥର ମୁଣ୍ଡିଆଠାରୁ ଯେ ବ୍ୟାଘ୍ର ବାହାର ହେବ

ଜଗଦମ୍ବା ସୈନ୍ୟ ଭକ୍ଷିବ ଏକା ଭକତ ଥିବ

 

ଦ୍ଵାଦଶ ଦୁର୍ଗର ଗୁମ୍ପା ଯେ ସେ ବେଳରେ ଫିଟିବ

ବଡ଼ଗଡ଼ ମହାଦେବରେ ଚଅଂର ଯେ ପଡ଼ିବ

ଧବଳଲିଙ୍ଗରେ ଯଜ୍ଞ ଯେ ହୋଇବଟି ଅପାର

ବହୁତ ଭକତ ମିଳିବେ ଈଶ୍ଵରଙ୍କ ପାଖର

 

ହରିହରପୁର କମ୍ପିବ ଭକ୍ତ ଧାଇଂ ଆସିବେ

ରତ୍ନଯୋଡ଼ି ମାଡ଼ିବସିବେ ଭକ୍ତମାନେ ଦେଖିବେ

ପ୍ରଭୁ ଗୁଣ ଗୁଣି ଭକତେ ସର୍ବେ ହୋଇଣ ଧୀର

କହଇ ଅଚ୍ୟୁତ ଦାସ ଯେ ସଦା ଯୋଡ଼ିଣ କର

 

 

ଏସନେକ ଖେଳ ଖେଳିବ କଳି ମନାସ ତାର

ସୁଜନେ ସଜାଗ ହୁଅହେ ଏହୁ ଅଚ୍ୟୁତ ଗିର

ଇତିଶ୍ରୀ କଳି ଖେଳ ବାଣୀ ସମାପ୍ତ

 

ଚିତ୍ତବୋଧ ଚଉତିଶା

 

କହଇ ମନକୁ ଚୈତନ୍ୟ ଜ୍ଞାନ

କର ସାଧୁ ସଙ୍ଗ ହେବ କାରଣ

।।

କୃତାର୍ଥ ହୋଇବ ଏ ଜନ୍ମ ତୋର

କାଳଦଣ୍ଡ ବାଧା ହୋଇବ ଦୂର

।।

ମନହୋ ! କୃଷ୍ଣ ନାମକୁ ଘୋଷ

କଳୁଷମାନ ହୋଇଯିବ ନାଶ

।।

କ୍ଷୁଦ୍ର ନ ଛାଡ଼ିଲୁ ହୃଦରୁ ତୁହି

କ୍ଷିତି ମଧ୍ୟରୁ କି ନେବୁଟି ବହି

।।

ଖେଦ ଜଳୁଂ ପାରି ହୋଇବୁ ଯେବେ

ଖଣ୍ଡିବୁ ବିଷୟ ବିଷକୁ ତେବେ

।।

ମନ ହୋ ! ଖୀନ ହେଉ କିମ୍ପାଇ

ଖଣ୍ଡକ୍ଷୀର ଦେଉ ଦୂରେ ପକାଇ

।।

ଗହନ ତେଜି ନ ଲଭିବୁ ଗତି

ଗୁରୁ ସେବା କଲେ ହେବୁ ମୁକତି

।।

ଜ୍ଞାନ ପାଇଲେ ଖଣ୍ଡିବୁ ଅଜ୍ଞାନ

ଗୁପତେ ଭଜ ଶ୍ରୀ ଗୁରୁଙ୍କ ନାମ

।।

ମନ ହୋ ! ଗର୍ବ ଛାଡ଼ିଲୁ ନାହିଂ

ଗଲା ଏତେ କାଳ ବୃଥାରେ ବହି

।।

ଘରେ ଅଛି ତୋର ସର୍ବଦା ରହି

ଘୋଟିଛି ଅଶେଷ ବ୍ରହ୍ମାଣ୍ଡ ସେହି

।।

ଘଡ଼ିଏ ଅନ୍ତର ହୋଇଲେ ପୁଣ

ଘୋଟିବ ପ୍ରଳୟ ହେବୁ ମଉନ

।।

ମନ ହୋ ! ଘଟ ଟଳି ପଡ଼ିବ

ଘୋର ଅନ୍ଧାର କ୍ଷଣକେ ଘୋଟିବ

।।

ଅଣାକାର ତାର ନାହିଂ ଆକାର

ଅରୂପରେ ନିତ୍ୟେ କରେ ବେହାର

।।

ଅକ୍ଷୟ ପୁରୁଷ କ୍ଷୟ ନୋହଇ

ଅନାମିକା ଦିଅଂ ଅଟଇ ସେହି

।।

ମନ ହୋ ! ଅଛି ଦୃଷ୍ଟି ଗୋଚରେ

ଅବିରତେ ଖେଳୁଅଛି ଆଗରେ

।।

ଚଞ୍ଚଳ ଚିତ୍ତ ତା ନାହିଂ ଚରଣ

ଚିହ୍ନିଲେ ହୋଇବୁ ତହିଂରେ ଲୀନ

।।

ଚିତ୍ତ ଚୈତନ୍ୟକୁ ଥୟ କରିବୁ

ଚନ୍ଦ୍ର ସୂର୍ଯ୍ୟଙ୍କୁ ନିଶ୍ଚଳେ ରଖିବୁ

।।

ମନ ହୋ ! ଚିନ୍ତ ଶ୍ରୀକୃଷ୍ଣ ନାମ

ଚଉବନ ଛନ୍ଦି କରିବୁ ଧ୍ୟାନ

।।

ଛନ୍ଦିବୁ ଅବନା ଆଠ ମିଶାଇ

ଛଡ଼ଚକ୍ର ପରେ ଗୋଲୋକ ଭୂଇଂ

।।

ଛାମୁ ଦ୍ୱାରେ ଅହି ଜଗିଛି ପେଣ୍ଠ

ଛାଡ଼ି ନ ଦେବ ଭିତରକୁ ବାଟ

।।

ମନ ହୋ! ଛାଡ଼ ଓପ୍ରୋଧ ମାନ

ଛେଦିବୁ ଗ୍ୟାନ-ଖଡ଼ଗେ ବହନ

।।

ଯାଇଂ ମିଳିବୁ ଅନହତ ପୁରେ

ଜଳୁଛି ପ୍ରଦୀପ ଶୂନ୍ୟ ମନ୍ଦିର

।।

ଯୋଗମାୟା ପଲଙ୍କରେ ଆସିନ

ଜ୍ୟୋତି ରୂପକୁ କରିବୁ ଦ୍ରଶନ

।।

ମନ ହୋ ! ଯିବା ଆସିବା ଦୁଇ

ଜଗିବୁ ସଂଶୟ ଦେଲୁଂ ଫିଟାଇ

।।

ଝରୁଛି ଗଗନ ମଣ୍ଡଳୁ ଝର

ଝରମୂଳେ ରହି ଅଛଇ ହର

।।

ଝର ଶୁଖିଲେ ନ ରହିବ କ୍ଷଣେ

ଝରିଛୁ ଝର ରହିଣ ଗୋପ୍ୟାନେ

।।

ମନ ହୋ ! ଝରନୀର ନୁହଇଂ

ଝରୁଛି ଅମୀୟ ପଡ଼ୁଛି ବୋହି

।।

ନୟନ ନିଶ୍ଚଳେ ଅନାଅ ତୁହି

ନାସାରନ୍ଧ୍ରରେ କେମନ୍ତେ ଖେଳଇ

।।

ନିଶ୍ଚୟ ପରମ ବ୍ରହ୍ମ ସେ ଜାଣ

ନାନା ରୂପଧରି କରେ ଭ୍ରମଣ

।।

ମନ ହୋ ! ନିଜ ରୂପ ତୋହୋର

ନ ରହିବ ସେ ହୋଇଲେ ଅନ୍ତର

।।

ଟାଣ ଛାଡ଼ ଏବେ ମୋ ବୋଲକର

ଟୋପରେ ପଡ଼ି ତୁ ବୁଡ଼ି ନମର

।।

ଟାଣେ ହରିନାମ କର ଭଜନ

ଟେକିଣ ଧର ଉଜାଣି ବାରିଣ

।।

ମନ ହୋ ! ଟେରା ଦୁଆରେ ରହି

ଟେକି ଚାହିଂ କିଏ ରହିଛି ତହିଂ

।।

ଠକ ଘରେ ମନ କରିଛୁ ବାସ

ଠୁଳ ଶୂନ୍ୟରେ ଲାଗିଛି ରାହାସ

।।

ଠାକୁରଙ୍କ ପାଦୁଂ ଅମୀୟ ଧାର

ଠୁଳ ମଣ୍ଡଳେ ବହେ ନିରନ୍ତର

।।

ମନ ହୋ ! ଠାବ କହୁଛି ମୁହିଂ

ଠିକେ ସିଷୁମୁନା ଦ୍ଵାରେ ବହଇ

।।

ଡାହାଣ ଚନ୍ଦ୍ରେ ଭଜନ କରିବୁ

ଡମ୍ବରୁଧରଙ୍କୁ ଯାଇ ପାଇବୁ

।।

ଡେରିବୁ ଶ୍ରବଣ କରି ନିଶ୍ଚଳ

ଡାକହାକ ତହିଂ ଶୁଭେ ଗହଳ

।।

ମନ ହୋ ! ଡାକ ନୁହଇଂ ସେହି

ଡମ୍ବରୁ ଶବଦ ଶୁଭୁ ଅଛଇ

।।

ଢଳ ଢଳ ରୂପ ଅଙ୍ଗ ଚଞ୍ଚଳ

ଢାଙ୍କୁଣିକି ଢାଙ୍କି ଦର୍ଶନ କର

।।

ଢୋଲ ଶବଦ ଶୁଭୁଅଛି ତହିଂ

ଢୋଲ ଶବଦ ଯେ ବାଜଇ ତହିଂ

।।

ମନ ହୋ ! ଢେଉ ତହୁଂ ଆସୁଛି

ଢେଉ ନୁହଂ ସେ ପରମ ଖେଳୁଛି

।।

ଅନହତ ପୁର ଅତି ଯତନ

ଅଣ ଅକ୍ଷର ଲାଗିଛି ଭଜନ

।।

ଅଦଭୂତେ ବଂଶୀ ସ୍ଵନ ଶୁଭଇ

ଅନ୍ତର୍ଯ୍ୟାମୀ ତହିଂ ଅଛନ୍ତି ରହି

।।

ମନ ହୋ ! ଅଣସୂତ୍ରରେ ଚାହାଂ

ଅବିରତେ ଟେକି ଅଛନ୍ତି ବାହା

।।

ତ୍ରିକୂଟ ସନ୍ଧିରେ ତ୍ରିବେଣୀଧାର

ତିନିଦ୍ୱାରେ ଭେଦି ବହଇ ନୀର

।।

ତଟରେ କଳପ ବଟ ରହିଛି

ତହିଂମଧ୍ୟେ ଗୋଲହାଟ ଲାଗିଛି

।।

ମନ ହୋ ! ତହିଂ କର ବାରଣ

ତୁ ଥରେ ଦେଖି ଖଣ୍ଡିବୁ ଅଗ୍ୟାଂନ

।।

ଥାନ ଆସନ ଶେଷଦେବ ପୁରେ

ଥୟକରି ଦେଖ ଦୃଷ୍ଟି ଗୋଚରେ

।।

ଥାପନା ଦିଅଂ ନୋହଇଟି ସେହି

ଥିଲେ ପୂର୍ବଭାଗ୍ୟ ଭେଟ ମିଳଇ

।।

ମନ ହୋ ! ଥକାଘରେ ରହିଛି

ଥୟେ ସେ ଗୁପତ ଭାବେ ବସିଛି

।।

ଦୁର୍ଲ୍ଲଭ ଜନମ ଗଲା ବୃଥାରେ

ଦିନେ ନ ଭଜିଲୁ କୃଷ୍ଣ କଥାରେ

।।

ଦିନୁଂ ଦିନ ଖୀନ ହେଲା ଶ୍ଵରୀର

ଦିନେ ଘୋଟିବ ଅବଶ୍ୟ ଅନ୍ଧାର

।।

ମନ ହୋ ! ଦମ୍ଭକରୁ କିମ୍ପାଇ

ଦଦରା ନାବେ ବସିଅଛୁ ତୁହି

।।

ଧଇର୍ଯ୍ୟ ଧରି ତୁ ରହିବୁ ନାହିଂ

ଧରଣୀ ମଧ୍ୟରେ ଅଛନ୍ତି କେହି

।।

ଧନ ଦାରା ସୁତ ବିଅର୍ଥ ଜାଣ

ଧନ୍ଦି ହେଉଅଛୁ ବୃଥାରେ ପୁଣ

।।

ମନ ହୋ ! ଧନ୍ଦା କାଟିବୁ ଯେବେ

ଧାତିକାରେ ଭେଟ ପାଇବୁ ତେବେ

।।

ନିଶ୍ଚଳେ କର ତୁ ନାମ ଭଜନ

ନ ରହିବ ତୋର କଳୁଷ ମାନ

।।

ନିଶ୍ଚୟ ପରମ ବ୍ରହ୍ମ ଭେଟିବୁ

ନାନା ତୀର୍ଥ ଫଳ ତହିଂ ଲଭିବୁ

।।

ମନ ହୋ ! ନିଜ ଘରେ ତୋହର

ଲୁଚି ରହିଛନ୍ତି ଦର୍ଶନ କର

।।

ପାଞ୍ଚ ତିନି ତେର ଏଗାର ଥୋଇ

ପାଞ୍ଚ ଚାରି ଠୁଳ କରିବୁ ତହିଂ

।।

ପାରିବୁ ଯେବେ କରି ଭିନ୍ନାଭିନ୍ନ

ପାଇ ପାରିବୁ ଠାକୁରଙ୍କ ସ୍ଥାନ

।।

ମନ ହୋ ! ପ୍ରଳୟକୁ ଜାଣିବୁ

ପରମ ସଙ୍ଗେ ଯାଇଣ ମିଶିବୁ

।।

ଫେରି ଉପରକୁ ଥରେ ତୁ ଅନା

ଫୁଟି କମଳ କରୁଛି ବାସନା

।।

ଫୁଲରୁ ମଧୁ ଚୁମ୍ବଇ ଭ୍ରମର

ଫୁଲ ନୁହେଂ ସେ ଅମୂଲ୍ୟ ଭଣ୍ଡାର

।।

ମନ ହୋ ! ଫିଙ୍ଗିଦେଉ କିପାଇଂ

ଫୁଲଣା ଦେହ ତୋ ରହିବ ନାହିଂ

।।

ବଟମୂଳେ ଦେଖ ଏ ଚାରି ପେଣ୍ଠ

ବସିଅଛି ତହିଂ ଗୁପତେ ଖଣ୍ଟ

।।

ବେଳ ଥାଉଂ ଯେବେ ବନ୍ଦୀ କରିବୁ

ବିପୁଳ ସମ୍ପଦ ସୁଖେ ଭୁଞ୍ଜିବୁ

।।

ମନ ହୋ ! ବାଦୀ ଅଟଇ ସେହି

ବହୁତ ଦିନରୁ ରହିଛି ତହିଂ

।।

ଭଗାଂଘରେ ରହି କରୁଛୁ ଦମ୍ଭ

ଭାଙ୍ଗି ପଡ଼ିଲେ ଖେଳିଣ ନୋହିବ

।।

ଭଲ ସ୍ଥାନ ଦେଖି କର ତୁ ବାସ

ଭ୍ରାନ୍ତି ନ ରହିବ ଘୁଞ୍ଚିବ ତ୍ରାସ

।।

ମନ ହୋ ! ଭେଦ କହୁଛି ଯାହା

ଭାବ ଅନ୍ତର୍ଗତ ନିରତେ ତାହା

।।

ମାଳା ତିଳକ ତୁ କରୁ କିମ୍ପାଇଂ

ମନ୍ଦବୁଦ୍ଧି ସିନା ଅଟଇ ସେହି

।।

ମନ ଚୈତନ୍ୟକୁ କର ତୁ ଧ୍ୟାନ

ମନ୍ତ୍ର ଯନ୍ତ୍ର ଭେଦ ଦେଖ ସେମାନ

।।

ମନ ହୋ ! ମୋହ ବୋଲି ତୁ କର

ମାୟା ଜାଲେ ପଡ଼ି ବୁଡ଼ି ନ ମର

।।

ଯତନ କରୁ ଅଯତନ ଭୂଇଂ

ଜାଲ ଚଉପାଶେ ବେଢ଼ି ଅଛଇ

।।

ଯିବାକୁ ପଥ ନ ମିଳିବ ତୋତେ

ଜାଲ ଛିଣ୍ଡାଇ ପକାଅ ତୁରିତେ

।।

ମନ ହୋ ! ଯେବେ ପଡ଼ିବୁ ଧରା

ଜୀବନେ ମାରିବ ନେଇ ଧୀବରା

।।

ରାଗ ହିଂସା ଏହା କାହା ସଙ୍ଗରେ

ରହିଛନ୍ତି ପ୍ରଭୁ ସବୁ ସ୍ଥାନରେ

।।

ରଙ୍ଗସଭା ଏ ଅଟଇ ସକଳ

ରାମ ନାମ ମନ୍ତ୍ର ସବୁରି ମୂଳ

।।

ମନ ହୋ ! ରାଉଅଛି ପରମ

ରହିଛି ସର୍ବଦା ହୋଇ ମଉନ

।।

ଲାଭ ବଣିଜରେ ବୁଡ଼ାଉ ମୂଳ

ଲୋଭ କରିଣ ଏ କଲୁ ସକଳ

।।

ଲଗାଇବ ସାହୁ ଜଞ୍ଜାଳ ତୋତେ

ଲେଖିରଖ ଧନ ଆଣିଛୁ ଯେତେ

।।

ମନ ହୋ ! ଲାଭ ଅଟଇ ତୋର

ନୋହିଲେ ଜୀବିକା ଛାଡ଼ ଏଥର

।।

ବେନି ସନ୍ଧିରେ ଲାଗିଛି ଭଜନ

କରିଛନ୍ତି ବିଜେ ଜଗୁ ଜୀବନ

।।

ବେଦପତି ସ୍ତୁତି ପଢ଼େ ଛାମୁରେ

ବେଳେ ଦେଖ ତାକୁ ଦୃଷ୍ଟିଗୋଚରେ

।।

ମନ ହୋ ! ବାଞ୍ଚ। ସିଦ୍ଧ ହୋଇବ

ବ୍ରହ୍ମାଣ୍ଡରେ ତୋ କୀରତି ରହିବ

।।

ଶ୍ରୀଗୁରୁ ଚରଣେ ଲଗାଅ ଧ୍ୟାନ

ସେ ତୋତେ କହିବେ ଗୁପତଗ୍ୟାନ

।।

ସେ ଗ୍ୟାନ ପାଇ ଅଗ୍ୟାଂନ ଖଣ୍ଡିବ

ସକଳ ବାଞ୍ଚା ତୋ ପୂର୍ଣ୍ଣ ହୋଇବ

।।

ମନ ହୋ ! ସାଧିପାରିବୁ ଯେବେ

ସକଳ ଦେଖିବୁ ତୁ ଏକଠାବେ

।।

ସୁବୁଦ୍ଧି ସୁସଙ୍ଗ ସୁପଥ ହେଜ

ସର୍ବଦା ଶ୍ରୀକୃଷ୍ଣ ନାମକୁ ଭଜ

।।

ସକଳ ଜୀବରେ କରିବୁ ଦୟା

ସୁଗ୍ୟାନୀଠାରେ ନ କରିବୁ ମାୟା

।।

ମନ ହୋ ! ଶତ୍ରୁ ମିତ୍ର ପରାଏ

ସର୍ବଦା ମଣିବୁ ତୋର ହୃଦୟେ

।।

ସର୍ବଦା କରିବୁ ନିର୍ମଳ ଚିତ୍ତ

ସକଳ ସୁଖ ହୋଇବ ପ୍ରାପତ

।।

ସଂଶୟ ନାହିଂଟି କହୁଛି ମୁହିଂ

ଶ୍ରୀ ଗୁରୁ ଭଣ୍ଡାର ଧନଟି ଏହି

।।

ମନ ହୋ ! ସମ୍ପାଦିଣ ରଖିବୁ

ସମ୍ଭାଳିଣ ଆୟ ବ୍ୟୟ କରିବୁ

।।

ହେତୁ ରଖିବୁ ହୃଦ ମଧ୍ୟରେ

ହଜାଇଲେ ତୁ ପଡ଼ିବୁ ଦଗାରେ

।।

ହାର କରିଥିବୁ ଗଳାରେ ତୁହି

ହେତୁ ଚୈତନ୍ୟକୁ ନିମଗ୍ନେ ଥୋଇ

।।

ମନ ହୋ ! ହୀନବୁଦ୍ଧି କି ଛାଡ଼

ହରି ଚରଣ କମଳରେ ଜଡ଼

।।

କ୍ଷେଦ ଜଳେ ବୁଡ଼ି ନ ମର ଗୁଣ

କ୍ଷମାନିଧି ପାଦେ ପଶ ଶରଣ

।।

କ୍ଷଣ ଭଗୁଂର ଶରୀର ଅଟଇ

ଛାର ହୀନ ଯେ ଅଚ୍ୟୁତ ଭଣଇ

।।

ମନ ହୋ ! ଛନ୍ଦି ହେଉଛି ଯେତେ

ଛନ୍ଦ କଥା ଫେଡ଼ି କହିଲି ତୋତେ

।।

 

ଜାଇଫୁଲ ମାଳିକା

 

ଶୁଣ ଆରେ ବାଇମନ

କଳିଯୁଗ ଭବିଷ୍ୟତ ପୁରାଣ, ଲୋ ଜାଇଫୁଲ

 

କହୁଅଛି ହୁଅ ସାବଧାନ

ବେଳୁ ଆଶ୍ରେ କର ନାମ

ହୃଦେ ଭଜ ସେହି ଛନ୍ଦାଚରଣ, ଲୋ ଜାଇଫୁଲ

 

ଯେବେ ଦେଖିବୁ ପଦ୍ମ ନୟନ

ଏକନିଷ୍ଠ ଭକ୍ତି କର

ଗୁରୁ ଅଙ୍ଗ ସେବା କର ତତ୍ପର, ଲୋ ଜାଇଫୁଲ

 

ତୁହି ନ ଭୁଲ ମାୟା ସଂସାର

ସଦଗୁରୁ ନାମ ସ୍ମର

ଯେବେ ଭବସିନ୍ଧୁ ହୋଇବୁ ପାର, ଲୋ ଜାଇଫୁଲ

 

ବେଗେ ଏକାନ୍ତ ସାଧନା କର

ଭଗବାନ ଦୃଷ୍ଟି ଆଗେ

ଖେଳୁଛନ୍ତି ପରା ଭକତ ସଙ୍ଗେ, ଲୋ ଜାଇଫୁଲ

 

ଥରେ ଦେଖ ତାହାଙ୍କୁ ଲୟାଙ୍ଗେ

ଆସୁଅଛି କାଳ ବେଳ

ସପତ ଦିନ ଯେ ହେବ ଅନ୍ଧାର, ଲୋ ଜାଇଫୁଲ

 

ବେଳୁ ଷଡ଼ଚକ୍ର ଏକ କର

ଭଇରବୀ ଦେବ ଡାକ

ଚମକ ପଡ଼ିବ ସାରା ମୁଲକ, ଲୋ ଜାଇଫୁଲ

 

ତହିଂ ନଷ୍ଟ ହେବେ ଥୋକାଏକ

ଲାଗିବ ମହା ସମର

ଦେଶ ଦେଶ ମଧ୍ୟେ ଅତି ପ୍ରବଳ, ଲୋ ଜାଇଫୁଲ

 

ପୃଥ୍ୱୀ ହୋଇଯିବ ନାରଖାର

ତୁରୁକ ଧାଇଂ ଆସିବ

ଭାରତରେ ହାଣକାଟ କରିବ, ଲୋ ଜାଇଫୁଲ

 

ଗୁଳିଗୁଳା ତହିଂ ବରଷିବ

ଓଡ଼ିଶାରେ ଯୁଦ୍ଧ ସ୍ଥାନ

କଟକରୁ ଚଉଦ୍ଵାରଟି ଜାଣ, ଲୋ ଜାଇଫୁଲ

 

 

ତହିଂ ବହିବ ରକତ ପୁଣ

ଯୋବରା ଠାରୁ ଜଟଣୀ

ଏହା ମଧ୍ୟେ ଗୋଳ ହୋଇବ ପୁଣି, ଲୋ ଜାଇଫୁଲ

 

ଦୈତ୍ୟେ ଭାଙ୍ଗିବେ ଏହୁ ଧରଣୀ

ଶତ ଶତ କୋଠାଘର

ପୋଡ଼ି ଜଳି ହେବ କି ନାରଖାର, ଲୋ ଜାଇଫୁଲ

 

ତାହା ଶୁଣିବୁ ବେନି କର୍ଣ୍ଣର

କୋଣାରକରେ ଯେ ଆଉ

ସହିବ କେ ଅବା ଯୁଦ୍ଧର ଦାଉ, ଲୋ ଜାଇଫୁଲ

 

ଦୃଷ୍ଟ ମାରିଦେବେ ଚାହୁଂ ଚାହୁଂ

ବଡ଼ଦେଉଳ ଭିତରେ

ହାଣଗୋଳ ହେବ ସେହି ବେଳରେ, ଲୋ ଜାଇଫୁଲ

 

ତୁହି ଦେଖିବୁ ଏହା ନେତ୍ରରେ

ଛୁଆଂ ଅଛୁଆଂ ଯେ ପୁଣି

ଦେଉଳ ଭିତରେ ପଶିବେ ଜାଣି, ଲୋ ଜାଇଫୁଲ

 

 

ରଖ ମନରେ ଅଚ୍ୟୁତ ବାଣୀ

ଅଧର୍ମୀ ଯେ ଶତ ଶତ

ଛାଗଳ ପରାଏ ହୋଇବେ ହତ, ଲୋ ଜାଇଫୁଲ

 

ତାଙ୍କ କର୍ମ ଅଟଇ ଅସତ୍ୟ

ଭକ୍ତି ପଥରେ ଯେ ଥିବ

ତାଙ୍କୁ କି କରିବ ଦୁଷ୍ଟ ଦାନବ, ଲୋ ଜାଇଫୁଲ

 

ଯାର ବନ୍ଧୁ ନିଜେ ବାସୁଦେବ

ହେରା ଗଉରୀ ସାହିରେ

ରକତ ଧାରଟି ବହିବ ଖରେ, ଲୋ ଜାଇଫୁଲ

 

ଯାହା ହେବଟି ସେହି ବେଳରେ

ତ୍ରିଜଟାର ବଂଶ ମିଳି

ଦାରୁକୁ ନେବେଟି ଯାନରେ ଭରି, ଲୋ ଜାଇଫୁଲ

 

ସବୁ ବୁଦ୍ଧି ଯିବଟି ପାଶୋରି

ବଇରି ନିକଟେ ପୁଣ

ସେଠାରେ ବିମାନ ହୋଇବ ଚୂର୍ଣ, ଲୋ ଜାଇଫୁଲ

 

 

ତହିଂ ପ୍ରଭୁ ହେବେ ଅନ୍ତର୍ଦ୍ଧାନ

ଭକତେ ହୋଇ ଆଗମ

ଦାରୁକୁ ନେବେ ସେ ଛତିଆ ଗ୍ରାମ, ଲୋ ଜାଇଫୁଲ

 

ତହିଂ ଭେଇବେ ପୀଠ ସୁଠାମ

ଶ୍ରୀକ୍ଷେତ୍ର ଛାଡ଼ି ସେ ଦିନ

ଲୀଳା ଆରମ୍ଭିବେ ଛତିଆ ଧାମ, ଲୋ ଜାଇଫୁଲ

 

ବହୁ ଭକତ ମେଳି ସେ ସ୍ଥାନ

ପୁଣ ଶ୍ରୀକ୍ଷେତ୍ରେ ଆସିବେ

ଦାରୁବ୍ରହ୍ମ ତହିଂ ପୂଜା ପାଇବେ, ଲୋ ଜାଇଫୁଲ

 

ଜନେ ସତ୍ୟାଗ୍ରହୀ ଯହୁଂ ହେବେ

ଧର୍ମ କର୍ମ ନୀତି ନ୍ୟାସ

ଯବନଙ୍କ ଯୋଗୁଂ ହୋଇବ ନାଶ, ଲୋ ଜାଇଫୁଲ

 

ଭାବ ଏ କଥା ମିଥ୍ୟା ନ ଭାଷ

ଟିକିରୀ ଗୋହିରା ବାଲି

ଯୁଦ୍ଧ ଲାଗିଥିବ ଯେ ହାଲହୁଳି, ଲୋ ଜାଇଫୁଲ

 

 

ଦେଶେ ଆସିବେ ଯବନ ଧାଡ଼ି

କୁଟ ପୋଖରୀ ଉପରେ

ମହାଘୋର ଯୁଦ୍ଧ ହେବ ସେଠାରେ, ଲୋ ଜାଇଫୁଲ

 

ମହା ଶସ୍ତ୍ର ଅଛି ସେହିଠାରେ

ବିରାଟ ଦେଶରେ ପୁଣ

ପାଣ୍ଡବଙ୍କ ଅସ୍ତ୍ର ରହିଛି ଜାଣ, ଲୋ ଜାଇଫୁଲ

 

ଦେଖ ଶମୀ ବୃକ୍ଷର ପ୍ରମାଣ

ଅଶ୍ଵତ୍‌ଥମା ପୁଣି ଥରେ

ଜନମ ଲଭିଛି ଅତି ଗୁପ୍ତରେ, ଲୋ ଜାଇଫୁଲ

 

ବୀର ସମରେ କେ ତାକୁ ପାରେ

ଭୁରିଶ୍ରବା ଆନ ଦେଶେ

ଜନମ ଲଭିଛି ଭକତ ବେଶେ, ଲୋ ଜାଇଫୁଲ

 

ବୀର ପାଗ ବାନ୍ଧିବ ବରଷେ

ସମୋଦ୍ର ସେପାରି ଦେଶେ

ଜନମିବେ ତହିଂ ଭକତ ବେଶେ, ଲୋ ଜାଇଫୁଲ

 

 

ବେଳେ ଆସିବେ ଧର୍ମ ବିଶ୍ୱାସେ

ଅଭିମନ୍ୟୁ ବାଳ ବୀର

ବେଲାଳସେନକୁ ଧରି ସଙ୍ଗର, ଲୋ ଜାଇଫୁଲ

 

ଦିନେ କରିବ ମହାସମର

ଏକଲବ୍ୟ ଘଟୋତ୍କଚ

ବବ୍ରୁବାହନ ଏ ମିଳିଣ ପାଞ୍ଚ, ଲୋ ଜାଇଫୁଲ

 

ଭାଙ୍ଗିଦେବେ ବିଦେଶୀଙ୍କ ପାଞ୍ଚ

ଭାରତ ଯୁଦ୍ଧରେ ଏହି

ରଣରଙ୍କ ହୋଇ ଅଛନ୍ତି ରହି, ଲୋ ଜାଇଫୁଲ

 

ସେହି ଲମ୍ପଟ କୃଷ୍ଣର ପାଇଂ

ତେଣୁ ଏହି ପାଞ୍ଚବୀର

ଭାରତେ କରିବେ ମହାସମର, ଲୋ ଜାଇଫୁଲ

 

ଦେଖି ଅମରେ ହୋଇବେ ଭୋଳ

ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଶଲ୍ୟ

କପଟ ସମରେ ଏହାଙ୍କ ବଳ, ଲୋ ଜାଇଫୁଲ

 

 

ଭାଙ୍ଗିଛନ୍ତି ଯେ ନନ୍ଦ ଦୁଲାଳ

ପୁଣି ଏହି ବୀରଗଣ

ଭାରତ ସମର କରିବେ ପୂର୍ଣ୍ଣ, ଲୋ ଜାଇଫୁଲ

 

କିଏ ବୁଝିବ ସେହି ସମର

ସର୍ବେ ହୋଇ ରଣରଙ୍କା

ଭାଙ୍ଗିଦେବେ ବିଦେଶୀଙ୍କର ପଖା, ଲୋ ଜାଇଫୁଲ

 

ଉଡ଼ାଇବେଟି ଜୟ ପତାକା

ଛଦ୍ମେ ଏହି ବୀରଗଣ

ଜନମି ଅଛନ୍ତି ଭାରତ ଧାମ, ଲୋ ଜାଇଫୁଲ

 

ଦିନେ ରଖିବେ ମାତୃ ସମ୍ମାନ

ଓଳିଏ ଭାରତ ଯୁଦ୍ଧ

ଓଡ଼ିଶା ଦେଶରେ ପୁଣି ହୋଇବ, ଲୋ ଜାଇଫୁଲ

 

ବଳେ ଯବନ ବାହି ଆସିବ

ସେହି ବେଳ କାଳ ଜାଣି

ଓଡ଼ିଶାରେ ପ୍ରଭୁ ଜନ୍ମିବେ ପୁଣି, ଲୋ ଜାଇଫୁଲ

 

 

କେହି ତାଙ୍କ ମାୟାକୁ ନ ଚିହ୍ନି

ପିତା ନାମ ଅରଜୁନ

ମାତାଙ୍କ ନାମ ଯେ ସୁଭଦ୍ରା ଜାଣ, ଲୋ ଜାଇଫୁଲ

 

ତାଙ୍କ କୋଳେ ହୋଇଥିବେ ଜନ୍ମ

ଗୁପତେ ଖେଳ ଲାଗିଛି

ଘରେ ଘରଣିଆ ଲୁଚି ବୁଲୁଛି, ଲୋ ଜାଇଫୁଲ

 

ସେହି ଭକତଙ୍କୁ ଖୋଜୁଅଛି

ପଞ୍ଚୁ ପାଣ୍ଡବଙ୍କୁ ଘେନି

ଗଡ଼ମାଣ୍ଟୁକୁ ସେ ଭାଙ୍ଗିବେ ଟାଣି, ଲୋ ଜାଇଫୁଲ

 

ତାଙ୍କ ସଙ୍ଗେ ଥିବେ ହଳପାଣି

ଗଡ଼ମାଣ୍ଟୁକୁ ସେ ବାଟ

ଫିଟାଇଣ ଦେବେ ପଠାଣ ଚାଟ, ଲୋ ଜାଇଫୁଲ

 

କେହି ନ ଜାଣିବେ ଦେବକୂଟ

ପଠାଣ କୁଳରେ ଜାଣ

ଶଲ୍ୟକାର ପରା ହୋଇଛି ଜନ୍ମ, ଲୋ ଜାଇଫୁଲ

 

 

ସେହୁ ଅଟେ ଫଳରେ ନିପୁଣ

ଅର୍ଜ୍ଜୁନ ଏକ ଶରରେ

ଯବନ ସୈନ୍ୟକୁ ମାରିବେ ଖରେ, ଲୋ ଜାଇଫୁଲ

 

କେହି ନ ଜାଣିବ ସେ ମାୟାରେ

ଭାରତେ ବିଜାତି ଗଣ

ନ ରହିବେ କେହି ଗୋଟାଏ ଜାଣ, ଲୋ ଜାଇଫୁଲ

 

ସେହି ସରବେ ହେବେ ନିଧନ

ଅସତିଆ ଶତ ଶତ

ଚଣ୍ଡୀଙ୍କ ହାତରେ ହୋଇବେ ହତ, ଲୋ ଜାଇଫୁଲ

 

ଏହା ଅନାଦି ସ୍ୱାମୀଙ୍କ କୃତ

ପଶ୍ଚିମ ଉତ୍ତର ଦେଶ

ହାଡ଼ମାଳ ହୋଇଯିବ ବିଶେଷ, ଲୋ ଜାଇଫୁଲ

 

ମହୀ ଦୁଲୁଦୁଲ ହେବ ଧ୍ୱଂସ

ବଙ୍ଗଦେଶର ସହର

ପୋଡ଼ି ଜଳି ହେବ କି ନାରଖାର, ଲୋ ଜାଇଫୁଲ

 

 

ହେବ ଭାରତ ସମର ସାର

ନିରାକାର କର୍ମ ଧର୍ମ

ବୌଦ୍ଧ ଜୈନ ଖ୍ରୀଷ୍ଟ ଯେ ଇସଲାମ, ଲୋ ଜାଇଫୁଲ

 

ଅଛି ଆବର ଯେତେକ ଧର୍ମ

ସରବେ ପଡ଼ିବେ ଭାଜି

ଦମ୍ଭ ଗର୍ବ ତାଙ୍କ ଯିବଟି ହଜି, ଲୋ ଜାଇଫୁଲ

 

ଶୂନ୍ୟବାଦୀ ଶୂନ୍ୟେ ଦେବ ଖଞ୍ଜି

କେବଳ ଏ ସନାତନ

ଧର୍ମକୁ ସ୍ଥାପିବେ ସେ ନାରାୟଣ, ଲୋ ଜାଇଫୁଲ

 

ଆଉ ଅନ୍ୟ ଧର୍ମ ହେବ ଚୁର୍ଣ୍ଣ

ଗରୁଡ଼ ପୃଷ୍ଠରେ ବସି

ବିଦେଶକୁ ଯିବେ ସେ ବ୍ରହ୍ମରାଶି, ଲୋ ଜାଇଫୁଲ

 

ସେଠୁ ଆଣିବେ ଶ୍ୱେତ ତୁଳସୀ

ମୟୂର ଖଂଜା ଆସନ

କଉସ୍ତୁଭ ମଣି କରେ ଧରିଣ, ଲୋ ଜାଇଫୁଲ

 

 

ପ୍ରଭୁ ଆସିବେ ସେ ନାରାୟଣ

ଗରୁଡ଼ ପକ୍ଷ ଆଘାତେ

ତୁରୁକ ସଇନ ମରିବେ କେତେ, ଲୋ ଜାଇଫୁଲ

 

ଯେଉଂମାନେ ଥିବେ ଧର୍ମ ସତ୍ୟେ

ସେମାନଙ୍କୁ ସେହି ରାଜ୍ୟ

ସମର୍ପି ଆସିବେ ନନ୍ଦ ଆତ୍ମଜ, ଲୋ ଜାଇଫୁଲ

 

ତୁହି ହିଂସା ଅସତ୍ୟକୁ ତେଜ

ଲକ୍ଷେ ମାଢ଼ ସ୍ୱର୍ଣ୍ଣ ଧରି

ରୁଷିଏ ଆସିବ ଦର୍ଶନ କରି, ଲୋ ଜାଇଫୁଲ

 

ଦେଖି ହସିବେ କୁଞ୍ଜବିହାରୀ

ବଳଦେବ ରାଜା ହେବେ

ଶହେ ଆଠବର୍ଷ ଭୋଗ କରିବେ, ଲୋ ଜାଇଫୁଲ

 

ସେହୁ ସତ୍ୟରେ ପୃଥ୍ୱୀ ପାଳିବେ

ଅଗ୍ନିର ଦାହିକା ଶକ୍ତି

ଟାଣି ଆଣିବେ ସେ କମଳା ପତି, ଲୋ ଜାଇଫୁଲ

 

 

ତହୁଂ ବିଦେଶୀଏ ଯିବେ ହଟି

ସେନାପତି ଯେ ମୋହନ

ପ୍ରଥମ ଯୁଦ୍ଧରେ ହୋଇବେ ଜାଣ, ଲୋ ଜାଇଫୁଲ

 

କୃପାସିଦ୍ଧ ଫଳରେ ନିପୁଣ

ଅନନ୍ତ କିଶୋର ଦେବ

ଭୂମି ଚକ୍ରବର୍ତ୍ତୀ ନିଶ୍ଚେ ହୋଇବ, ଲୋ ଜାଇଫୁଲ

 

ଏହି କଥା ଅଟଇଟି ଧ୍ରୁବ

ପ୍ରକୃତ ଯେ ସତ୍ୟାଶ୍ରୟୀ

ସେମାନଙ୍କୁ ଗୁଳି କାଟିବ ନାହିଂ, ଲୋ ଜାଇଫୁଲ

 

ଏହି କଥାକୁ ଥାଅ ତୁ ଧ୍ୟାୟୀ

ନିଶ୍ଚେ ଅରାଜ୍ୟ ହୋଇବ

ଯବନ ଭାରତ ଛାଡ଼ି ବସିବ, ଲୋ ଜାଇଫୁଲ

 

ରାଜ୍ୟେ ଘୋର କଳି ଉପୁଜିବ

ମହାକଳି ଯେତେବେଳେ

ଆସି ଆଚ୍ଛାଦିବ ମହୀ ମଣ୍ଡଳେ, ଲୋ ଜାଇଫୁଲ

 

 

ହିଂସା ବାଦ ହେବ ପରସ୍ପରେ

ଗ୍ରାମେ ଗ୍ରାମେ ଛେଳି ହଣା

ଦେଖି ଦେବଦେବୀ ହୋଇବେ ବଣା, ଲୋ ଜାଇଫୁଲ

 

ଘୋର ପାପ କରିବଟି ଠଣା

ସକଳ ଦୁର୍ମିଳ ହେବ

କାଗଜେ କାଗଜେ ପୃଥି ଚଳିବ, ଲୋ ଜାଇଫୁଲ

 

ଦେଶେ ଟଙ୍କା ପଇସା ନଥିବ

କଳପ ବଟର ଡାଳ

ମଲାଙ୍ଗ ହୋଇଣ ପୂର୍ବ ଭାଗର, ଲୋ ଜାଇଫୁଲ

 

ଯେବେ ଐଶାନ୍ୟ ଜୀବନ୍ତ ତାର

ବେକରେ ନଥିବ ମାଳ

ଲୁଙ୍ଗି ପିନ୍ଧିବେଟି ଦଳକୁ ଦଳ, ଲୋ ଜାଇଫୁଲ

 

ଦେଖ ସରବେ ହେବେ ନିର୍ମୂଳ

ହୋଇବେ ପଠାଣ ବେଶ

ଏଥକୁ ଅଚ୍ୟୁତି କରିବ କିସ, ଲୋ ଜାଇଫୁଲ

 

 

ଏଣୁ ହୋଇବେଟି ଅଳ୍ପାୟୁଷ

ସର୍ବେ ହେବେ ଏକାକାର

ନ ରଖିବେ ବେଦ ବିଦ୍ୟା ବିଚାର, ଲୋ ଜାଇଫୁଲ

 

ଅତି ମିଥ୍ୟାବାଦୀ ହେବେ ନର

ବିଧବା ବ୍ରାହ୍ମଣୀ ବିଭା

କଥା ଶୁଣିଲେ ତୁ ହୋଇବୁ କାବା, ଲୋ ଜାଇଫୁଲ

 

କାହିଂ ନ ରହିବ ଭକ୍ତି ସେବା

ଖୁଡ଼ୀ ପିଉସୀ ହରିବେ

ମାତୁଳ ଭାଣିଜୀ ପାଶେ ରଖିବେ, ଲୋ ଜାଇଫୁଲ

 

ଭାଇ ଭଉଣୀ ସଙ୍ଗେ ରମିବେ

ନାନା ଅନ୍ୟାୟକୁ କରି

ଭୋଗ ପ୍ରାୟ ଖାଇ ମାରିବେ ତାଳି, ଲୋ ଜାଇଫୁଲ

 

ତେଣୁ ଚଣ୍ଡୀଙ୍କ ପଡିବ ପାଳି

ନାରୀମାନେ ଉଗ୍ର ହେବେ

ପୁରୁଷଙ୍କୁ ହତମାନ୍ୟ କରିବେ, ଲୋ ଜାଇଫୁଲ

 

 

ସେହୁ ପର ପୁରୁଷ ରମିବେ

ବ୍ରାହ୍ମଣ ଶୂଦ୍ରାଣୀ ପ୍ରୀତି

ଶୂଦ୍ରଙ୍କ ସଙ୍ଗତେ ବ୍ରାହ୍ମଣୀ ପ୍ରୀତି, ଲୋ ଜାଇଫୁଲ

 

ରାଜ୍ୟେ ଗୋଦଣ୍ଡା ଚଷିବେ ବୃତ୍ତି

ସହଜେ ବାଳିକା ଗର୍ଭ

ଗୁପତରେ କେତେ ନଷ୍ଟ ହୋଇବ, ଲୋ ଜାଇଫୁଲ

 

ଏହୁ ପାପ ପଥେ ରତ ହେବ

ଗାୟତ୍ରୀ ଛାଡ଼ି ବ୍ରାହ୍ମଣ

ଶୂଦ୍ରଙ୍କ ପରାୟେ ହରିବେ ଦିନ, ଲୋ ଜାଇଫୁଲ

 

ତେଣୁ ହୋଇବେ ସେ ଜ୍ଞାନଶୂନ୍ୟ

ସାଧୁ ବୈଷ୍ଣବ ମିଳିବେ

ମଦ ବେଶ୍ୟା ପଶା ସାର କରିବେ, ଲୋ ଜାଇଫୁଲ

 

ଥୋକେ ହଇଜାରେ ମରିଯିବେ

ବହୁ ଅନ୍ୟାୟ ବଢ଼ିବ

ଭୂମିକମ୍ପ ଘଡ଼ଘଡ଼ି ହୋଇବ, ଲୋ ଜାଇଫୁଲ

 

 

ବେଳେ ତୋଫାନ ପ୍ରବଳ ହେବ

ବଡ଼ ଦେଉଳୁ ପଥର

ଖସୁଥିବ ପୁଣି ଥରକୁ ଥର, ଲୋ ଜାଇଫୁଲ

 

ତୁହିଂ ଦେଖିବୁ ବେନି ନେତ୍ରର

ପଣ୍ଡା ପଢ଼ିହାରି ମାତି

ବେଶ୍ୟାଙ୍କ ସଙ୍ଗତେ କାଟିବେ ରାତି, ଲୋ ଜାଇଫୁଲ

 

କାଳ ଖଡ଼ଗେ ଯେ ତାଙ୍କୁ ଶାନ୍ତି

ନବ କୋଟି ଯେ କାନ୍ତାନୀ

ଘଡ଼ିକରେ ଧାଇଂ ଆସିବେ ପୁଣି, ଲୋ ଜାଇଫୁଲ

 

ଘୋଟି ଯିବେଟି ସାରା ମେଦିନୀ

ବେଳୁଂ ସାବଧାନ ହୁଅ

ଏକାକ୍ଷର ଜପି ଦିନ କଟାଅ, ଲୋ ଜାଇଫୁଲ

 

ତୁଣ୍ଡେ ଗୀତା ଭାଗବତ ଗାଅ

ସପତ ଦିନ ଯେ ମହୀ

ହୁଲସ୍ତୁଲ ହେବ କହୁଛି ମୁହିଂ, ଲୋ ଜାଇଫୁଲ

 

 

ଦୃଢ଼େ ତ୍ରିକୂଟକୁ ଥାଅ ଧ୍ୟାୟି

ଦଶ ଦ୍ୱାର ଏକ କରି

କୁଳ କୁଣ୍ଡଳିନୀ ଜାଗ୍ରତ କରି, ଲୋ ଜାଇଫୁଲ

 

ତେବେ ଦେଖିବୁ ତୁହି ଶ୍ରୀହରି

ଘୋର ନଦୀ ବଢ଼ି ହେବ

ଶତ ଶତ ଲୋକ ବିନାଶ ଯିବ, ଲୋ ଜାଇଫୁଲ

 

ପୁଣି ବେଳକୁ ବୃଷ୍ଟି ନ ହେବ

ବାରଣା ଚାରଣା ହେବ

ଗ୍ରାମ ଖଣ୍ଡିକରେ ଭାଗ ପଡ଼ିବ, ଲୋ ଜାଇଫୁଲ

 

ତହୁଂ ଚଣ୍ଡୀଙ୍କ ପାଳି ପଡ଼ିବ

ପୋତା ଧନ ହଜିଯିବ

କିଛିଦିନ ଅରାଜକ ହୋଇବ, ଲୋ ଜାଇଫୁଲ

 

ଦେଶୁ ଧରମ ଛାଡ଼ିଣ ଯିବ

ଗୋରୁ ମରିବେ ଅପାର

ପଡ଼ିବ ଦୁର୍ଭିକ୍ଷ ଆଦ୍ୟ ପ୍ରାନ୍ତର, ଲୋ ଜାଇଫୁଲ

 

 

ଭାବେ କହୁଅଛି ହେତୁକର

ଘରେ ଘରେ ଏକାକ୍ଷର

ମନ୍ତ୍ର ସାର ହୋଇଯିବ ପ୍ରଚାର, ଲୋ ଜାଇଫୁଲ

 

ଯେବେ ପିତା ପୁତ୍ର ହେବେ ପର

ଏ ଜମ୍ବୁ ଦ୍ୱୀପରେ ଜାଣ

ଜନ୍ମିଛନ୍ତି ଭକ୍ତ ସେ ଦେବଗଣ, ଲୋ ଜାଇଫୁଲ

 

ସେହୁ ଅଛନ୍ତି ଗୁପ୍ତ ଭାବେଣ

ମହାଲକ୍ଷ୍ମୀ କ୍ଷେତ୍ରବରେ

ଜନମ ଅନନ୍ତ ପଣ୍ଡାଙ୍କ ଘରେ, ଲୋ ଜାଇଫୁଲ

 

ପ୍ରଭୁ ଜନ୍ମ ନେବେ ସେ ଦିନରେ

ଆକାଶରେ ଯେଉଂ ଦିନ

ଦେବଧ୍ୱଜା ପଡ଼ିଥିବଟି ଜାଣ, ଲୋ ଜାଇଫୁଲ

 

ସେହି ଦିନ ପ୍ରଭୁ ହେବେ ଜନ୍ମ

ସେ ପ୍ରଭୁ ଚିଆଂ ଚୈତନ୍ୟ

ଜନମିବେ ଆସି ଏହି ମର୍ତ୍ତ୍ୟେଣ, ଲୋ ଜାଇଫୁଲ

 

 

ସତଚାଳିଶକୁ ମନେ ଘେନ

କଳିରେ ତିନି ଜନମ

ହେବେ ପରା ପ୍ରଭୁ ସେ ନାରାୟଣ, ଲୋ ଜାଇଫୁଲ

 

ଥୋକେ ବୁଝିବେ ଏହାର ମର୍ମ

କଳି ଯେ ଶେଷ ହୋଇବ

ସତ୍ୟ କିଛି ଦିନ ଭୋଗ କରିବ, ଲୋ ଜାଇଫୁଲ

 

ରାମ ରାଇଜ ପୁଣ ହୋଇବ

ଆଦ୍ୟ ଭୂମି ଏ ନେମାଳ

ଭକତମାନେ ଯେ ହୋଇବେ ଠୁଳ, ଲୋ ଜାଇଫୁଲ

 

ନାମ ପ୍ରେମରେ ହୋଇବେ ଭୋଳ

ଛତିଆ ଶ୍ରୀକ୍ଷେତ୍ର ହେବ

ମହା କଇବଲ୍ୟ ହାଟ ବସିବ, ଲୋ ଜାଇଫୁଲ

 

ତହୁଂ ଅନନ୍ତ ଯୁଗ ହୋଇବ

ଯାଜପୁର ଆଦି କରି

ଏହା ମଧ୍ୟେ ଭକ୍ତ ଅଛନ୍ତି ପୂରି, ଲୋ ଜାଇଫୁଲ

 

 

ମଧ୍ୟେ ଆବର ଯେ ଖଣ୍ଡଗିରି

ଓଳାଶୁଣି ପର୍ବତରେ

ଚାରି ଦିଗ ଭକ୍ତ ମିଳି ସେଠାରେ, ଲୋ ଜାଇଫୁଲ

 

ନାମ ହୋଇବ ସେହି ଠାବରେ

ନେମାଳ ଆମ୍ଭର ବାସ

ଲୀଳା ଆରମ୍ଭିବେ ସେ ପୀତବାସ, ଲୋ ଜାଇଫୁଲ

 

ତହିଂ ଭକତ ମେଳି ବିଶେଷ

ପ୍ରାଚୀ ତଟରେ ଯେ ଋଷି

ଯୋଗ ସାଧୁଛନ୍ତି ସେଠାରେ ବସି, ଲୋ ଜାଇଫୁଲ

 

ଅଣସୂତ୍ରକୁ ବାରରେ ଘୋଷି

ଆବର ସେ ସିଦ୍ଧମାନେ

ନାମ ତତ୍ତ୍ୱ ଧ୍ୟାଉଛନ୍ତି ଗୋପନେ, ଲୋ ଜାଇଫୁଲ

 

ମେଳ ହୋଇବେ ଆସି ସେ ଦିନେ

କଳି ଭାରତର ଖେଳ

ଗୁପତେ ଚଳିବେ ମିଳି ସକଳ, ଲୋ ଜାଇଫୁଲ

 

 

ରାଜା ଅନନ୍ତ ଦେବ କିଶୋର

ସତ୍ୟର ପରୀକ୍ଷା ନେବେ

ଲକ୍ଷ ଲକ୍ଷ ଲୋକ ରୁଣ୍ଡ ହୋଇବେ, ଲୋ ଜାଇଫୁଲ

 

ନୀଳ ମାଧବ ଯେ ଦେଖା ଦେବେ

ସିଦ୍ଧ ପୁରୁଷ ଯେ ମିଳି

ଭଗତମାନଙ୍କୁ ନେବେ ଉଦ୍ଧାରି, ଲୋ ଜାଇଫୁଲ

 

ବଳରାମଙ୍କ ଚରଣେ ପଡ଼ି

ସେ ବେଳକୁ ଚିତ୍ତେ ଧର

ଏକାକ୍ଷର ମନ୍ତ୍ର କରିଣ ସାର, ଲୋ ଜାଇଫୁଲ

 

ଧ୍ୟାଅ ହେତୁ ଚିତ୍ତ କରି ଥିର

ଗୃହ ତ୍ୟାଗୀଙ୍କ ପରୀକ୍ଷା

ସେତିକି ବେଳକୁ ହୋଇବ ଦେଖା, ଲୋ ଜାଇଫୁଲ

 

ସେହି ଦିନକୁ କର ତୁ ଭିକ୍ଷା

ଲକ୍ଷ୍ମୀ ନୃସିଂହ ମିଳନ

ଖଣ୍ଡଗିରିଠାରେ ହୋଇବ ଜାଣ, ଲୋ ଜାଇଫୁଲ

 

 

ତହିଂ ଆସିବେ ଚତୁରାନନ

ମହାଦେବ ଯେ ଆସିବେ

ତାଣ୍ଡବ ନୃତ୍ୟରେ ମଗ୍ନ ହୋଇବେ, ଲୋ ଜାଇଫୁଲ

 

ଅଷ୍ଟ ଦୁର୍ଗା ତାଙ୍କ ସଙ୍ଗେ ଥିବେ

ଏ ଲୀଳା ଗୁପତେ ହେବ

ଭକ୍ତ ବିନା ଅନ୍ୟ କେବା ଜାଣିବ, ଲୋ ଜାଇଫୁଲ

 

ଏହି ବାଣୀ ଅଟଇଟି ଧ୍ରୁବ

ସମ ଆସନ ତୁ କର

ମନକୁ ନେଇଣ ଚୈତନ୍ୟେ ଧର, ଲୋ ଜାଇଫୁଲ

 

ତୋର ଅପଲକ ନେତ୍ର କର

ଯେବେ ଦେଖିବୁ ଶ୍ରୀହରି

ଲାବଣ୍ୟ ମୂରତି ମୁରଲୀ ଧାରୀ, ଲୋ ଜାଇଫୁଲ

 

ତେବେ ଭବସାଗରକୁ ଯିବୁ ତରି

ଭକତଙ୍କ ସୁଖ ବେଳ

ବହି ଆସୁଅଛି ସ୍ରୋତ ପ୍ରବଳ, ଲୋ ଜାଇଫୁଲ

 

 

ଆସେ ପାଷାଣ୍ଡଙ୍କ ଦୁଃଖ ବେଳ

କଳଂକୀ ଉଦୟେ ହେବେ

ମ୍ଳେଚ୍ଛଗଣ ସର୍ବେ ବିନାଶ ହେବେ, ଲୋ ଜାଇଫୁଲ

 

ସେହି ଅନନ୍ତ କିଶୋର ଥିବେ

ବିରଜା ମଣ୍ଡଳ ପୂର୍ବେ

ସଭା ଆରମ୍ଭିବେ ପ୍ରଭୁ ସେଠାବେ, ଲୋ ଜାଇଫୁଲ

 

ପଞ୍ଚସଖା ଭକ୍ତ ସଙ୍ଗେ ଥିବେ

କର ତୁହି ସତ ଶିକ୍ଷା

ଶ୍ରୀଗୁରୁ ଚରଣେ କର ତୁ ଭିକ୍ଷା, ଲୋ ଜାଇଫୁଲ

 

ନିଅ ସଦଗୁରୁ ଠାରୁ ଦୀକ୍ଷା

କଳିଯୁଗୁଂ ନିସ୍ତରିବ

ଏକାକ୍ଷର ଜପ ଲୀଳା ଦେଖିବ, ଲୋ ଜାଇଫୁଲ

 

ସତ୍ୟ ଧର୍ମେ ବିହନ ହୋଇବ

ଭକତମାନଙ୍କ ସାର

କଳଂକୀ ଢାଙ୍କିଛି ବେଢ଼ି ଶରୀର, ଲୋ ଜାଇଫୁଲ

 

 

ତାଙ୍କୁ ନ ଚିହ୍ନିବେ ମୂଢ଼ ନର

ନୀଚ ଲୋକ ଉଚ୍ଚ ହେବେ

ନିଗମ ବଚନ ନିନ୍ଦା କରିବେ, ଲୋ ଜାଇଫୁଲ

 

ସତ୍ୟ ଭକ୍ତଙ୍କୁ ସେ ନ ଚିହ୍ନିବେ

ଭକତ ନିନ୍ଦିବା ଜନ

ପ୍ରଭୁ ତାଙ୍କ ଗର୍ବ କରିବେ ଚୂର୍ଣ୍ଣ, ଲୋ ଜାଇଫୁଲ

 

ଅପମୃତ୍ୟୁ ହେବ ନିଶ୍ଚେ ଜାଣ

ଦୁଷ୍ଟ ଦଳି ସନ୍ଥ ରଖି

କ୍ଷିତିରେ ଯେ ବାନା ଥାପିବେ ଟେକି, ଲୋ ଜାଇଫୁଲ

 

ମୂଢ଼ ନ ବୁଝିବେ ଅବିବେକୀ

କିଛିଦିନ ଖେଳି ବୁଲି

ଅନ୍ତର ହେବେ ବୈକୁଣ୍ଠ ବିହାରୀ, ଲୋ ଜାଇଫୁଲ

 

ଦୀନ ଅଚ୍ୟୁତ କହେ ବିଚାରି

ଇତିଶ୍ରୀ ଅଚ୍ୟୁତାନନ୍ଦ ଦାସ କୃତ ଜାଇଫୁଲ ମାଳିକା

କଥନେ ଶିଷ୍ୟ ଚିତ୍ତ ବୋଧନେ ନାମ ସଦାଜୟ ସମ୍ପୂର୍ଣ୍ଣ

 

ମହା ଆଗତ ଭବିଷ୍ୟ ମାଳିକା

ପ୍ରଥମ ଅଧ୍ୟାୟ

ଜୟ ନାରାୟଣ ଅନନ୍ତଶୟନ ଜୟ କମଳା ବିଳାସ

ଜୟ ନରହରି ଜୟ ଆଦିକନ୍ଦ ସବୁଠାରେ ତୁମ୍ଭ ବାସ

ଆହେ ମହାପ୍ରଭୁ ଲକ୍ଷ୍ମୀଙ୍କ ବଲ୍ଲଭ ପତିତପାବନ ହରି

ତୁମ୍ଭ ଚରଣକୁ ଭରସା କରିଛି ଶୁଣିବା ହେଉ ଗୁହାରି

ଶ୍ରୀନୀଳ କନ୍ଦରେ ଉଦୟ ହୋଇଛ ବଉଧ ରୂପ ଧରିଣ

ଭକତ ନିମନ୍ତେ ରୂପ ବହିଅଛ ସବୁ ତୁମ୍ଭର ଭିଆଣ

ଥାନେ ଥାନେ ପ୍ରଭୁ ତୁମ୍ଭର ମହିମା ହେଉଅଛି ଗୋପୀ ମେଳି

ତୃମ୍ଭର ମହିମା କେ କହି ପାରିବ ବ୍ରହ୍ମା ନ ପାରିଲେ କଳି

ଅକାର ମକାର ଚାରିବେଦ ହର ବିଲଗେ ତୋହର ଠାବ

ଆଗେ ଚାରିବେଦ ସ୍ଵରରୁ ଯେ ଯାଇ ହୋଇଅଛି ବାସୁଦେବ

ନାଭିରୁ ଯେ ପଦ୍ମ ନାଡ଼େକ ଜନ୍ମିଲା ତହୁଂ ବ୍ରହ୍ମା ଜାତ ହେଲେ

ତୁମରି ଆଜ୍ଞାକୁ ପାଇ ବେଦପତି ସଂସାର ଭିଆଣ କଲେ

ସ୍ଥାବର ଜଙ୍ଗମ କୀଟପତଙ୍ଗାଦି ଲୋକାଲୋକ କରି ଆଦି

ତୁମ୍ଭରି ଆଜ୍ଞାରେ ସକଳ ହୋଇଛି ତୁମ୍ଭକୁ କେ ପାରେ ଭେଦି

ମହିମା ଅନନ୍ତ କେ କରିବ ଅନ୍ତ ନାମ ମହିମା ଯାହାର

ଅନ୍ତ ନାହିଂ ଯହିଂ କି ଉପମା ତହିଂ ନାହିଂଯହିଂ ପରାତ୍ପର

 

କମଳ ନୟନ ଚନ୍ଦ୍ରମା ବଦନ କୋଟି ସୂର୍ଯ୍ୟ ଜିଣି ତେଜ

ପୃଥି ଆପ ତେଜ ବାର ଯେ ଆକାଶ ସବୁଠାରେ ତୁମ୍ଭ ରାଜ

ଆହେ ମହାପ୍ରଭୁ ବାଞ୍ଛା କଳ୍ପତରୁ କମଳା ବିଳାସ ହରି

ସବୁଠାରେ ତୁମ୍ଭ ମହିମା ପୂରିଛି କହୁଅଛି ଦୃଢ଼କରି

 

ହେ ଜ୍ୟୋତିରାନନ୍ଦ ଜ୍ୟୋତିରୁ ଆନନ୍ଦ ଜ୍ୟୋତିରୁ ଜ୍ୟୋତି ପ୍ରକାଶ

ଜ୍ୟୋତିକି ଘେନି ଜ୍ୟୋତି ଉଦେ ହେଉଛି ଜ୍ୟୋତିଠାରେ ସବୁ ବାସ

ଯୋଗ ଳୟ କରି ମୁନି ବସିଛନ୍ତି ଯୁଗ ଯୁଗାନ୍ତଟି ଜାଣ

ଯୁଗକୁ ତ ଯୁଗ ଏହିରୂପେ ଲୀଳା କରିଛନ୍ତି ଭଗବାନ

 

ମୁହିଂ ମୂଢ଼ଜନ କିଛି ନ ଜାଣଇ ଭକତ ପାଦେ ଶରଣ

ପତିତପାବନ ଆହେ ନାରାୟଣ ଶ୍ରୀକରେ ଚକ୍ର ଧରିଣ

ଚକ୍ରର ତେଜରେ ପୃଥିବୀ ଦହିଜ୍ୟ ଯେହେତୁ ହୋଇପାରଇ

ତୁମ୍ଭର ଆଜ୍ଞା ନୋହିଲେ ମହାପ୍ରଭୁ ତାରଣ ସିନା ଲୋଡ଼ଇ

 

ଆହେ ନାରାୟଣ ପତିତପାବନ ଆହେ ସଂସାର ଧାରଣ

ତୁମ୍ଭରି ଲୀଳା କଉତୁକ ଲାଗିଛି ସବୁ ତୁମ୍ଭର ଭିଆଣ

ତୁମ୍ଭରି କରୁଣା କେ ପାରିବ ଚେତି ତୁମ୍ଭ ଆଜ୍ଞା ଯାକୁ ନାହିଂ

ତୁମ୍ଭ ଆଜ୍ଞା ହେଲେ ଆହେ ମହାପ୍ରଭୁ ଅବ୍ୟଗତ ପାରେ କହି

 

ଛଡ଼ ଚକ୍ର ଭେଦି ପଚାଶ ଅକ୍ଷର ହେଉଅଛି ଚରାଚର

କ୍ଷଣକ ଭିତରେ ଚଉଦ ବ୍ରହ୍ମାଣ୍ଡ ହଜିପାରେ ଦାମୋଦରI

ପାଦ ଯାଜପୁର କଟୀ ତୋ କଟକ ନାଭି ତୋ ଭୁବନେଶ୍ଵର

ତୁଳସୀ ଚଉରା ହୃଦୟ ତୁମ୍ଭର ଅଠରନଳା କଣ୍ଠର

 

ବଡ଼ଦାଣ୍ଡର ଶରଧାବାଲି ଯାକୁ ସୁବର୍ଣ୍ଣ ଚୁଳଟି ସେହି

ଗୁଣ୍ଡିଚାଘର ବୋଲି ଯେଉଂସ୍ଥାନ ଯୋଗମାୟା ଛନ୍ତି ତହିଂ

ଯୋଗ ଲଏ କରି ବସିଛନ୍ତି ମୁନି ଗୁଣ୍ଡିଚା ନବର ଯହିଂ

ଇନ୍ଦ୍ରଦୃମନ ଯେ ଯେଉଂ ସରୋବର ଶୁଦ୍ଧ ଜଳ ସେ ଅଟଇ

 

ସାଆନ୍ତ ମହିମା ପ୍ରକାଶ କରିଛ ସବୁଠାରେ ଖେଳ ତୋର

କ୍ଷଣକ ଭିତରେ ଆନ କରିପାର ତୁମ୍ଭେ ପ୍ରଭୁ ଦାମୋଦର

ମୁହିଂ ସେ ଅଜ୍ଞାନ ହୀନଜନ ପୁଣି ତୁମ୍ଭ ଭକ୍ତଙ୍କ କୋୟର

ମୁଂ କାହୁଂ ଜାଣିବି ତୁମ୍ଭର ମହିମା କୃପା ନାହିଂ ଯେବେ ତୋର

 

କୃପାସିନ୍ଧୁ ବୋଲି ଦୁଃଖ ଜଣାଉଛି କୃପା ହୋଇବ ଗୋସାଇଂ

ତୁମ୍ଭ କୃପା ଯେବେ ହୋଇବ ମୋଠାରେ ତୁମ ରଚିଲା ସେ ମୁହିଂ

ତୁମ୍ଭେ ଯେବେ ନ ରଖିବ ଭାବଗ୍ରାହୀ ଅନ୍ୟକେ ରଖିପାରଇ

ସତେ ଯେବେ ମୋତେ ଜନ୍ମ ଦେଇଥିବ କୃପାକର ଭାବଗ୍ରାହୀ

 

 

ମୋଠାରେ କରୁଣା କର ଚକାଡୋଳା ତୋର ବିନୁ ଆନ ନାହିଂ

ତୋହର ଚରଣ ସେବା କରିଅଛି ରକ୍ଷା କରିବ ଗୋସାଇଂ

ଗରୁଡ଼କୁ ଯାହା କହିଲ ଗୋସାଇଂ ସେ କଥାରେ ମୋର ମନ

ତୁମ୍ଭ ଚରଣେ ମୁଂ ଜଣାଣ କରୁଛି ସୁଦୟା କର ବହନ

 

ଅଚ୍ୟୁତ ନାମ ଯେ ଅଟଇ ମୋହର ମୋଠାରୁ କେ ଦୁଃଖୀ ନାହିଂ

ଚିତ୍ରଉତ୍ପଳାର ଉତ୍ତର ଭାଗରେ ନେମାଳ ଗ୍ରାମରେ ରହି

ଅତି ବିନୟରେ ଡାକୁ ଅଛିମୁହିଂ ସୁଦୟା କର ବହନ

ତୋହର ସୁଦୟା ମୋଠାରେ ନହେଲେ କରିବି କେହ୍ନେ ଜଣାଣ

 

ବିନତା ସୁତକୁ ଯାହା ବୁଝାଇଇ ରମ୍ୟକ ଦ୍ୱୀପରେ ଥାଇ

ଗୁପତ ବଚନ ଯାହା କହିଥିଲ ସବୁ ନିର୍ଣ୍ଣୟ ବୁଝାଇ

ମୋର ପଞ୍ଚସଖା ମଧ୍ୟ ମୂଳେ ଲେଖା ତୁମ୍ଭ ସଞ୍ଚିତଟି ମୁହିଂ

ମୋହ ଅଭାଗ୍ୟକୁ ନିରେଖ କରୁଛ କୃପାକଟାକ୍ଷ ଗୋସାଇଂ

 

ତୁମ୍ଭେ ଯେ ସାମନ୍ତ ମୁହିଂ ତୁମ୍ଭ ଭୃତ୍ୟ ଭୃତ୍ୟର ଭୃତ୍ୟରୁ ହୀନ

ଅତି ଆରତରେ ଭରସା କରିଛି କୃପାକର ଭଗବାନ

ଚଉବର୍ଗଦାନୀ ଆଶ୍ରେ କରିଥାଇ ସେ କିମ୍ପା ଭିକ୍ଷା ମାଗିବ

ମାତା ସରସ୍ଵତୀ ଯା କଣ୍ଠେ ବସନ୍ତି କିମ୍ପା ପଣ୍ଡିତ ନୋହିବ

 

 

ସାମନ୍ତକୁ ଭୃତ୍ୟ ସେବା କରୁଥିଲେ ସେ ବର୍ତ୍ତନ କି ନଥାଇଂ

ସେବାଶ୍ରିତଠାରେ କିମ୍ପାଇ ନିର୍ଦ୍ଦୟ ହୋଉଛ ଆହେ ଗୋସେଇଂ

ତୁମ୍ଭେ ମୋ ସାମନ୍ତ ମୁହିଂ ତୁମ୍ଭ ଭୃତ୍ୟ ମୋରେ ନକର ନିରାଶ

ହେ କୃପାସାଗର ହେଲ କି ଅକୃପା ଆହେ ପ୍ରଭୁ ପୀତବାସ

 

ଗରୁଡ଼କୁ ଯାହା ଆଜ୍ଞା ହୋଇଥିଲା ଗୁପତ ଭବିଷ୍ୟ ବାଣୀ

ସ୍ଥାନର ବିଶେଷ ମହିମା କହିଛ ଏକାନ୍ତରେ ଚକ୍ରପାଣି

ସୁଦୟା ହୋଇଲେ ତାହା ବଖାଣିବି ସଞ୍ଚିତ ହେବ ସଂସାର

ସୁଜନେ ଶୁଣି ତା ଆଗତ ପଥରେ ଜ୍ଞାନ ହେବ ହୃଦୟର

 

ଗୁପତ କହିଲୁ ପ୍ରକଟ ନୋହିବ ଶ୍ରୀମୁଖ ବଚନ ତୋର

ଦୀନ ଅଚ୍ୟୁତ ଯେ ଭରସା କରିଛି ଜନ୍ମେ ଜନ୍ମେ ଯେ କୋୟର

ମୁଂ ତ ବାଇମନ ତୋ ପାଦରେ ଧ୍ୟାନ କରିଥାଇ ଇକ୍ଷ୍ମୀସାଇଂ

ଜନ୍ମରୁ ମୂରୁଖ ପାଠ ପଢ଼ିନାହିଂ ଅତି ଅଯୋଗ୍ୟ ଅଟଇ

 

ରଖ ରଖ ପ୍ରଭୁ ନରଖିଲେ ମୁହିଂ ଭାସିଲି ଗୁହାରି ମୋର

ଦୀନ ଅଚ୍ୟୁତ ଛାମୁରେ ଜଣାଉଛି ରଖ ହେ ସାରଙ୍ଗଧର

କୃପାସାଗର ହେ କୃପାକରି ମୋରେ ପ୍ରଭୁ କରୁଣା ନିଧାନ

ସୁଜନଜନେ ଶ୍ରବଣ ଡେରି ଶୁଣ ପାପକର ବିମୋଚନ

 

 

ଶ୍ରୀକୃଷ୍ଣ ଚରଣେ ଶରଣ ପଶିଲି ମୁହିଂ ଅଟଇ ଅଜ୍ଞାନ

ଶ୍ରୀରଙ୍ଗାଚରଣ ବିନୁ ଅନ୍ୟ ଆଶ୍ରେ ନାହିଂ ଅନ୍ୟ ପରିତ୍ରାଣ

ଇତିଶ୍ରୀ ମହା ଆଗତ ଭବିଷ୍ୟ ମାଳିକା କଥନେ ଶ୍ରୀକୃଷ୍ଣ

ଗରୁଡ଼ ସମ୍ବାଦେ ନାମ ପ୍ରଥମ ଅଧ୍ୟାୟଃ।।

 

ଦ୍ୱିତୀୟ ଅଧ୍ୟାୟ

 

ଅବକାଶ ବେଳେ ବଟ ମୁଣ୍ଡାଇରେ କଳ୍ପବଟ ମୂଳେ ଯାଇ

ତେତିଶକୋଟି ଦେବତା ଆସି ରୁଣ୍ଡ ପ୍ରଭୁ ଦରଶନ ପାଇଂ

ବ୍ରହ୍ମା ଇନ୍ଦ୍ର ରୁଦ୍ର ପବନ ପୁଣି ସେ ଅଣଚାଶ ମୂର୍ତ୍ତି ଧରି

ଗହଣେ ଦେବତା ଗ୍ରହଗଣ ସଙ୍ଗେ ହୋଇଛନ୍ତି ପଟୁଆରୀ

 

ଦେବଦେବୀଗଣ ସହିତେ ଅଛନ୍ତି ପାରୁଶ ଅଷ୍ଟ ନାଏକ

କଳ୍ପବଟ ଠାରୁ ପୂରି ରହିଛନ୍ତି ସମୁଦ୍ର କୂଳ ପର୍ଯ୍ୟନ୍ତ

ଭକ୍ତଗଣମାନେ ପାଶେ ଖଟିଛନ୍ତି ଯେଝା ସେବାରେ ବହନ

ଧ୍ରୁବ ପ୍ରହଲାଦ ଜନକ ସନକ ନାରଦ ଗୋରେଖ ପୁଣ

 

ଅପୂର୍ବ ମହିମା କହିବା ଉପମା ଯହିଂ ଏକାକ୍ଷର ଠୁଳ

ଚାରିବେଦ ଯହିଂ ବୃକ୍ଷ ରୂପ ହୋଇ ଅଛନ୍ତି ଯାର ଦୁଆର

ବ୍ରହ୍ମ ଗାୟତ୍ରୀଯେ ସଙ୍ଗରେ ପାବଚ୍ଛ ବେଦ ରହିଛନ୍ତି ଦ୍ୱାରେ

ହରେ ରାମ କୃଷ୍ଣ ଯହିଂରେ ଆଲଟ କି ଉପମା ଦେବା ତାରେ

ଏମନ୍ତ ସ୍ଥାନ ଯେ ନୀଳଗିରି ଏହି ମର୍ତ୍ତ୍ୟ ବଇକୁଣ୍ଠ କହି

ଗୁପତ ଗଙ୍ଗା ସେ ତ୍ରିବେଣୀ ଯମୁନା ବହୁଛନ୍ତି ଯେଉଂଠାଇଂ

କାଶୀ ବିଶ୍ୱନାଥ ଯହିଂ ଯାଉଛନ୍ତି ଝର ପଡ଼ୁଛି ଉପରେ

ବିମଳା ଆଦି ଯହିଂ ନ ବସନ୍ତି ସିଦ୍ଧିରସ୍ତୁ ଛନ୍ତି ଚାରିଦ୍ଵାରେ

ରାହାସ ଲାଗିଛି ଶ୍ରୀକୁଞ୍ଜ ଭିତରେ ଷୋଳ ଗୋପୀଛନ୍ତି ଯହିଂ

ରାଧାକୃଷ୍ଣଙ୍କର ନିତ୍ୟରେ ବେହାର କ୍ଷଣେ ଭଙ୍ଗ ହୁଏ ନାହିଂ

ଶ୍ରୀଲକ୍ଷ୍ମୀ ବସନ୍ତି ପାଦ ମଚାଳନ୍ତି ତହିଂକି ଉପମା ନାହିଂ

ଉଦେ ଅସ୍ତ ନାହିଂ କି ଉପମା ତହିଂ ଆଦିମାତା ଛନ୍ତି ରହି

ବଟର ମୂଳରେ ହର ବିଜେକଲେ ଦର୍ଶନ କରିବା ପାଇଂ

ବ୍ରହ୍ମା ଇନ୍ଦ୍ର ଦେବ ଗୁହାରି କରନ୍ତି କୃପା କରିବା ଗୋସାଇଂ

ୟେହିମତେ ସର୍ବେ ଗୁହାରି କରନ୍ତି ଚଉପାଶରେ ବେଢ଼ିଣ

ସମସ୍ତ ଦେବଙ୍କୁ ମେଲାଣି କରନ୍ତି ଯାଅ ତୁମ୍ଭର ଭୁବନ

ଶୁଣିମା ହେ ନାଥ ଶୁଣିମା ଗୁହାରି ଜଣାଉଛି ପରା ମୁହିଂ

ତୁମ ଚରଣରେ କରୁଅଛି ସେବା କହିବା ନାଥ ଫିଟାଇ

କ୍ଷେତ୍ରର ମହିମା ପଞ୍ଚକୋଶ ସୀମା ସତ୍ୟବାଦୀ ପୀଠ ଯାଏ

ଜଣାଣ କରୁଛି ଆହେ ଯଦୁନାଥ ମୋରେ କହିବ ଥୋକାଏ

 

ଅକଳନା ଏହି ଅକଳଣ ଭୂଇଂ ବିଷ୍ଣୁ ଗର୍ଭ ଯେ ତୋହର

ସୁଦୟା ନାଥ ମୋହଠାରେ ଶୁଣିଲେ ହୋଇବି ନିଶ୍ଚେ ମୁଂ ପାର

ଆଦିମୂଳ ତୁମ୍ଭେ ଯଶୋଦାଙ୍କ ବାଳ ଆହେ ଭକତ ପାଳଣ

କଇବଲ୍ୟଦାନୀ ଆହେ ଚକ୍ରପାଣି ବିନୟ ମୋହର ଘେନ

 

ସମସ୍ତ ଫିଟାଇ କହିବା ଗୋସାଇଂ ଜନ୍ମେ ଜନ୍ମେ ଭୃତ୍ୟ ତୋର

ଭୃତ୍ୟଠାରେ ଯେବେ ସୁଦୟା ହୋଇବ ଶୁଣି ହୋଇବି ଉଧାର

ଏମନ୍ତ ବୋଲିଣ ଚରଣେ ପଡ଼ିଲା ଗୁହାରି ଶୁଣ ଗୋସାଇଂ

ଗରୁଡ଼ ବିକଳ ଶୁଣି ଆଦିମୂଳ ଦୟାକଲେ ଭାବଗ୍ରାହୀ

 

ଶୁଣ କହିବା ଯେବେ ହେତୁହେଲା ସେହି କଥା ମନେ ତୋର

ଗୁପତ କରିଣ ତୋ ଆଗେ କହିବା ଶୁଣ ବିନତା କୁମର

ଗୁପତ କରିଣ ହୃଦେ ରଖିଥିବୁ ମୂର୍ଖକୁ କହିବୁ ନାହିଂ

କହିଲେ ଗରୁଡ଼ ଅପ୍ରାଧ ପାଇବୁ କହିଲି ତୋତେ ଫିଟାଇ

 

ମୋହର ବିଭୂତି ମୁହିଂ ଯେ ଜାଣଇ ଅନ୍ୟ କେହୁ କହିପାରି

ମୋହର ଭଗତ କହି ସେ ପାରିନି ମୋ ଆଜ୍ଞା ଶିରରେ ଧରି

ପାର୍ଥ ଧନୁର୍ଦ୍ଧର ପଣ୍ଡୁଙ୍କ କୁମର ପଚାରିଲା ଯାହା ମୋତେ

ମୁହିଂ ତାହାକୁ ରଣ ମଧ୍ୟେ କହିଲି ମୋହର ବିଭୂତି ଯେତେ

 

 

ତୋହଠାରେ ମାୟା ନାହିଂ ଯେ ମୋହର କହିବା ଆଗତ ବାଣୀ

ଗୁପତ ବଚନ କହୁଅଛି ଶୁଣ ବିନତା ନନ୍ଦନ ପୁଣି

ଯାଜପୁରଠାରୁ କ୍ଷେତ୍ର ଯାଏ ୟେହୁ ପୃଥି ମଧ୍ୟେ ଏକ ବୀର

ବିରାଟ ଅଙ୍ଗ ଅଟଇ ହେ ଗରୁଡ଼ ସବୁରି ଉପରେ ସାର

 

ମୋହ ଜ୍ୟେଷ୍ଠ ଭାଇ ନାମ ସଂନ୍ତ୍ରୀସେଣ ଲକ୍ଷ୍ମୀ ଘରଣୀ ମୋହର

ତାହାଙ୍କୁ ମୁଂ ଏହା କେବେ ନକହଇ ଶୁଣ ବିନତା କୁମର

ମୋହର ମହିମା ଭକ୍ତେ ମୋ ଜାଣନ୍ତି କହୁଛି ତୋତେ ଫିଟାଇ

ଭକ୍ତ ଯେଣୁ ମୋର ତେଣୁ ମୁଂ କହିବି ସବୁ ସଂଶୟ ଫିଟାଇ

 

ଶୁଣ ହେ ଗରୁଡ଼ ଦୃଢ଼ କରି ମନ ମୋହର ବିଭୂତି ତୋତେ

ପାଦଠାରୁ କ୍ଷେତ୍ରଯାଏ ମୁଂ କହିବି ସବୁ ମହିମା ଭକତେ

ଦଶାସନୀ ଘାଟ ବୈତରଣୀ ତଟ ବରେହନାଥଙ୍କ ସ୍ଥାନ

ଗୁପତେ ବଳ ରହିଛନ୍ତି ସେଠାରେ ଶୁଣ ବିନତା ନନ୍ଦନ

 

କୋଟି କୋଟି ସାଧୁ ଯହିଂରେ ଅଛନ୍ତି ବୈକୁଣ୍ଠକୁ ବାଟ ତହିଂ

ସ୍ଵର୍ଗରୁ ଯେ ବ୍ରହ୍ମା ଆସି ଯାଗକରେ ସେହିଠାରେ ଗୋପ୍ୟହୋଇ

ଶୁଣ ହୋ ଗରୁଡ଼ ବିନତା ନନ୍ଦନ ତୁ ଯେଣୁ ଭଗତ ମୋର

ତେଣୁ ହୋ ଆଗତ ଫିଟାଇ କହୁଛି ମାୟା ନାହିଂଟି ମୋହର

 

 

ଦେବୀ ବିରଜା ଯେ ବିଜେ କରିଛନ୍ତି ଜଗତଜନନୀ ସେହି

ଯୋଗ୍ନୀ ସଙ୍ଗେ ଘେନି ଘାଟ ଜଗିଛନ୍ତି ପଶି ନ ପାରନ୍ତି କେହି

ଯାଉଂଳି ବନ୍ଧ ସେ ଯାକୁ କହିଥାଇଂ ଯାଉଂଳି କବାଟ ରହି

ଷଡ଼ଚକ୍ର ଭେଦି ପଚାଶ ଅକ୍ଷର ଆଦିମାତା ଛନ୍ତି ରହି

 

ସାତ ଥମ୍ବ ବ୍ରହ୍ମା ପୋତିଲେ ସେଠାର ପୃଥି ଧାରଣା ସେଠାଇଂ

ଯୋଗୀ ଲଏକରି ଓଂକାରକୁ ଭରି ବସିଛନ୍ତି ମହାମାୟୀ

ସେ ସ୍ଥାନ ମହିମା ନାହିଂ ତା ଉପମା ଶୁଣ ବିନତା ନନ୍ଦନ

ଭୁବନେଶ୍ୱରରେ ଭୈରବୀ ଡାକିବ ଶୁଭିବଟି ସେହି ସ୍ଥାନ

 

ଗହନ ମରୁଡ଼ି ସଂସାରେ ହୋଇବ ବହୁତ ଜନ ମରିବେ

କହିବା ଗରୁଡ଼ ଶୁଣିବୁ ଆଗକୁ ଯେମନ୍ତେ ସେ ନାଶଯିବେ

ଏମନ୍ତ ଶୁଣିଣ ବିନତାନନ୍ଦନ ପଦ୍ମ ଚରଣେ ପଡ଼ଇ

ନିସ୍ତରିଲି ନିସ୍ତରିଲି ବୋଲି କରପତ୍ର ଯୋଡ଼ି କହେ ସେହି

 

ଗରୁଡ଼ ବଚନ ଶୁଣି ଯଦୁପତି ମୃଦୁ ହସି ଉଠାଇଲେ

କହଇ ଅଚ୍ୟୁତ କରପତ୍ର ଯୋଡ଼ି ଗରୁଡ଼ ଆନନ୍ଦ ହେଲେ      

ଇତିଶ୍ରୀ ମହା ଆଗତ ଭବିଷ୍ୟ ମାଳିକା କଥନେ ଶ୍ରୀକୃଷ୍ଣ

ଗରୁଡ଼ ସମ୍ବାଦେ ନାମ ଦ୍ଵିତୀୟ ଅଧ୍ୟାୟଃ

 

ଅଚ୍ୟୁତାନନ୍ଦ ରଚନାବଳୀ ମାଳିକା ଖଣ୍ଡ

ତୃତୀୟ ଅଧ୍ୟାୟ

 

କରପତ୍ର ଯୋଡ଼ି କହଇ ଗରୁଡ଼ ପଦ୍ମପାଦରେ ପଡ଼ିଣ

ଘେନିମା ଗୋସାଇଂ ମୋହର ବିନତି ଗୁହାରି ବାରେକ ଶୁଣ

ପାଦ ଯାଜପୁର ବୋଲି ଯେଉଂ ସ୍ଥାନ ଯାହା କହିଲଟି ମୋତେ

ସେହିଠାରୁ ଏବେ ଏଣିକି କହିବା ଶୁଣି ହୋଇବି କୃତାର୍ଥେ

ଶୁଣିଣ ଗରୁଡ଼ ମୁଖରୁ ଏମନ୍ତ କହୁଛନ୍ତି କମ୍ଭୁପାଣି

ଧନ୍ୟ ହେ ଗରୁଡ଼ ଯାହା ପଚାରିଲୁ ଧନ୍ୟ ତୋ ଜୀବନ ପୁଣି

କହୁଛି ସେ କଥା ଶୁଣହୋ ଏଣିକି ଯେତେ ସ୍ଥାନର ମହିମା

ଯେଉଂ ପ୍ରାଣୀମାନେ କର୍ଣ୍ଣରେ ଶୁଣିବେ ତହିଂକି ନାହିଂ ଉପମା

ଏବେ ଶୁଣ ବୀର କହୁଅଛି ତୋତେ ମୋହ ଗୁପତ ବିଚାର

ଗଡ଼ଗଡ଼ି ଘାଟ ବୋଲନ୍ତି ଯାହାକୁ ଗୁପତ ଗୁମ୍ଫା ବିହାର

ଆଦିମାତା ତହିଂ କବାଟ ହୋଇଣ ଘାଟ ଜଗିଛନ୍ତି ପୁଣ

ନିରଞ୍ଜନ ଜ୍ୟୋତି ଜାଳିଛନ୍ତି ତହିଂ ଉଲଟେ ଜଳ ପ୍ରୟାଣ

ସେଠାବରେ ଏକ ବୃକ୍ଷହିଂ ଯେ ଅଛି ସାଧୁଙ୍କ ଆହାର ସେହି

ସିଦ୍ଧକୂଟୀ ବୋଲି ତାହାର ସେ ନାମ ଶୁଣ ବିନତା ତନୟୀ

ତୁ ଯେଣୁ ଭଗତ ଅଟୁ ବୀର ମୋର କହିବି ବୁଝାଇ ତୋତେ

ଗୁପତ ରଖିବୁ କାହିଂ ନ କହିବୁ ଏହାକୁଟି କଦାଚିତେ

 

ମହାନଦୀ ବୋଲି ଦିବ୍ୟନଦୀ ଏକ ପଶ୍ଚିମୁଂ ଆସିଛି ବହି

ତହିଂରୁ ଧାରେକ ଫିଟିଛି ଗରୁଡ଼ ବିରୂପା ବୋଲିଣ କହି

ସେ ନଦୀ କୂଳରେ ଏକ ଗିରିବର ଜଳୁକା ବୋଲିଣ ଥିତି

କଳ୍ପନା ସେ ନାହିଂ ଅକଳନା ସ୍ଥାନ ସିଦ୍ଧ ସାଧୁ ଯହିଂ ଗତି

 

ନଦୀର ମହିମା କହିବା ଏମନ୍ତେ ଶୁଣ ବିନତା ନନ୍ଦନ

ଦ୍ଵାପର ଯୁଗରେ ପାଣ୍ଡବ ସେଠାରେ ପାରିହୋଇଥିଲେ ଜାଣ

ଭୀମକୁ କୁମ୍ଭୀର ସେହି ନଦୀରେଣ ଧରିଥିଲା ସିନା ଜାଣ

କୁମ୍ଭୀରକୁ ମାରି ପାରି ହୋଇଥିଲା ଭୀମସେନ ରଥୀ ପୁଣ

 

ନଦୀପାର ହୋଇ ସେହି ଗିରିବରେ କାଟିଲେ ପାଣ୍ଡବେ ଦିନ

କିଛିଦିନ ତହିଂ ଯୁଜେଷ୍ଠି ରହିଲେ ଶୁଣ ବିନତା ନନ୍ଦନ

ଗିରିବର କ୍ରୋଟେ ଅତ୍ୟନ୍ତ ଗୋପନେ ଏକ ଭୁଜଙ୍ଗ ରହିଛି

ସେ ସର୍ପ ଅଗ୍ରତେ ଆଢ଼ୁଆଳ କରି ବୃକ୍ଷ ଗୋଟିୟେକ ଅଛି

 

ସେ ବୃକ୍ଷ ପ୍ରସରେ ସର୍ପ ନ ଚଳଇ ରହିଛି ତାହାକୁ ଚାହିଂ

ସେ ବୃକ୍ଷ ନଥିଲେ ଶୁଣ ହୋ ଗରୁଡ଼ ସଂସାର ହୁଅନ୍ତା ଦହି

ଏମନ୍ତ ମହିମା ଗିରିର ଉପମା କହିଲୁ ଫିଟାଇ ତୋତେ

ଆଉ ଯେତେ ସ୍ଥାନ ଗୁପତ ଅଛଇ ସବୁ କହିବା ଏକାନ୍ତେ

 

କହିବା ଗରୁଡ଼ ଶୁଣ ହୋ ଗୁପତ ଗୋଳ ଲାଗିବଟି ତହିଂ

ଅବାରଣ ବୋଲି ବାରଣ ସେ ନାହିଂ ଶୁଣ ବିନତା ତନୟୀ

ଅମରାବତୀ ସେ ବୋଲିଣ ସ୍ଥାନେକ ଅମର କଟକ ସେହି

ଅମୂଲ୍ୟନିଧି ବୋଲିଣ ଏତେ ଦ୍ରବ୍ୟ ଅଛି ଗରୁଡ଼ ସେଠାଇଂ

 

ସେଠାରେ ଯୁଧିଷ୍ଠି ବିଭା ହୋଇଥିଲେ ଦ୍ଵାପର ଯୁଗରେ ଯାଇ

ସେଠାବର କଥା କହିବାକ ଶୁଣ ଅପୂର୍ବ ସ୍ଥାନଟି ସେହି

ସାଧୁମାନଙ୍କର ମେଳ ସେହିଠାରେ କରୁଛନ୍ତି ରାତ୍ର ଦିନ

ମୋହ ପାଦେ ଚିତ୍ତ ଦେଇ ମୋ ଭକତନାମ କରନ୍ତି ଭଜନ

 

ସେ ଠାବକୁ କାଳ କେବେ ନ ପଶିବ କହୁଅଛି ବୀର ତୋତେ

ସିଦ୍ଧଗିରି କୋଲି ଯେଉଂ ଗିରି କହି ସେଠାର ମହିମା ଯେତେ

ସିଦ୍ଧମାନଙ୍କର ସ୍ଥାନ ସେ ଅଟଇ ଅହର୍ନିଶ ଯେ କୀର୍ତ୍ତନ

ଗୁପତେ ଭଜନ ଲାଗିଅଛି ତହିଂ ଶୁଣ ବିନତା ନନ୍ଦନ

 

ସେଠାବରେ ମୋ ଭଗତେ ଛନ୍ତି ଯେତେ କହିବା ଫିଟାଇ ତୋତେ

ସେହିପରି ଏବେ ଏଣିକି କହିବା ଶୁଣ ଗରୁଡ଼ ଏକାନ୍ତେ

ଯୁଗ ଯୁଗାନ୍ତରେ ସେ ସ୍ଥାନ ମାନରେ କାଳ କେବେ ନ ପଶଇ

ପରାପର ରହି କେବେହେଂଟି ନାହିଂ ଅବାରଣ ସେହୁ ଭୂଇଂ

 

 

ତୁ ଯେଣୁ ଭଗତ କହିଲି ଏ ତତ୍ତ୍ୱ ଏଥିରେ ସନ୍ଦେହ ନାହିଂ

ଗୁପତ ରଖିବୁ କାହିଂ ନ କହିବୁ କହିଲେ ଅପ୍ରାଧ ପାଇ

ଶ୍ରୀକୃଷ୍ଣ ମୁଖରୁ ଏମନ୍ତ ଶୁଣିଣ ପଚାରଇ ପକ୍ଷୀବର

ଆଉ କେଉଂ କଥା ଅଛି ଯଦୁନାଥ ଫେଡ଼ି କହ ମୋ ଆଗର

 

ଗରୁଡ଼ ମୁଖରୁ ଏମନ୍ତ ଶୁଣିଣ ବୋଲନ୍ତି ବ୍ରହ୍ମାଣ୍ଡପତି

ଧନ୍ୟହୋ ଗରୁଡ଼ ଧନ୍ୟ ତୋ ଜୀବନ କହନ୍ତି ପ୍ରଭୁ ଶ୍ରୀପତି

ମହାଘୋର କାଳ ଦୁସ୍ତର ଆଗମ ହେବ ଏ ବଚନ ଶୁଣ

ମହାମହା ବୀରମାନେଟି ଆସିବେ ଏହି ଓଡ଼ିଶା ଭୁବନ

 

ଭଗତମାନେ ଯେ ଗୁପ୍ତରେ ରହିବେ ଦୁର୍ଜନମାନଙ୍କୁ ଡରି

ଦୁର୍ଜନମାନେ ଯେ ସେ ଘୋର କଳିରେ ମାତିବେ ଯେସନେ ବଢ଼ି

ହୀନ ଲୋକମାନେ ବଡ଼ ବୋଲାଇବେ ବଡ଼ ବୋଲାଇବେ ହୀନ

ନିଊନ ଭାବରେ ବଡ଼େ ଯେ ରହିବେ କିଛି ନ କହିବେ ପୁଣ

 

ଏମନ୍ତେ ଏ ଘୋର କଳିରେ ରହିବେ କାହାରି ନଥିବ ଭୟ

ନଟ ମାୟାରେ ସମସ୍ତେ ମାତିଥିବେ ହୋଇବେ ଭୂତଙ୍କ ପ୍ରାୟ

ସାନ ସାନ ମାନେ ବଡ଼କୁ ମାରିବେ ଶାଶୁଙ୍କୁ ମାରିବେ ବୋହୁ

ଗୁଆ ଘୃତମାନେ ଆମ୍ବିଳା ଲାଗିବେ କଷାଟି ଲାଗିବ ମହୁ

 

 

ଶତେ ଗ୍ରାମରେ ଏକ ଗ୍ରାମ ହେବ ଶୁଣ ବିନତା ନନ୍ଦନ

ଅତି ଅନ୍ୟାଚାର କରିବେଟି ପ୍ରାଣୀ ଏଣୁ ବୋଲାଇବେ ହୀନ

ବ୍ରାହ୍ମଣମାନେ ଯେ ଗାରେଡ଼ି ଶିଖିବେ ଗାୟତ୍ରୀ ମନ୍ତ୍ରକୁ ଛାଡ଼ି

ଗଉଡ଼ମାନେ ଯେ ବୈଷ୍ଣବ ହୋଇବେ ବୋଲାଇବେ ବ୍ରହ୍ମଚାରୀ

 

ପିତାଙ୍କୁ ପୁତ୍ର କେବେ ନ ମାନିବେ ସ୍ତିରୀ ବଶେ ଯିବେ ନାଶ

ଗୁରୁଙ୍କୁ ଶିଷ୍ୟ ବ୍ରହ୍ମଜ୍ଞାନ ପଚାରି ଅଳ୍ପଦିନେ ଯିବେ ନାଶ

ଏମନ୍ତ ଶୁଣିଣ ବିନତା ନନ୍ଦନ କାନ୍ଦି ଉଠିଲା ବହନ

ଭଣଇ ଅଚ୍ୟୁତ ଶ୍ରୀଗୁରୁ ଚରଣେ ଗୁପ୍ତରଖ ବ୍ରହ୍ମଜ୍ଞାନ

 

ଇତିଶ୍ରୀ ମହା ଆଗତ ଭବିଷ୍ୟ ମାଳିକା ବର୍ଣ୍ଣନେ ଶ୍ରୀକୃଷ୍ଣ

ଗରୁଡ଼ ସମ୍ବାଦେ ନାମ ତୃତୀୟ ଅଧ୍ୟାୟଃ

 

ଚତୁର୍ଥ ଅଧ୍ୟାୟ

 

ଗରୁଡ଼ ବୋଲଇ ଆହେ ଦେବ ହରି ପଡ଼ିଲା କଥାଏ ମନେ

ଆଉ କେଉଂ କଥା କହ ମହା ପ୍ରଭୁସଂଶୟ ଫିଟୁ ବହନେ ``

ଜନ୍ମେ ଜନ୍ମେ ମୁହିଂ ତୁମ୍ଭର ସେବକ ଅଟଇ ହେ ନାରାୟଣ

ସକଳ ସନ୍ଦେହ ଫିଟାଇ କହିବ ଆହେ ଦେବକୀ ନନ୍ଦନ

 

 

 

ସୁଦୟାଟି ଯେବେ ଅଛି ମୋହଠାରେ କହିବ ନାଥ ଫିଟାଇ

ଶୁଣିଲେ ମୁକତ ହୋଇବି ହେ ନାଥ ସଂଶୟ ନ ଥିବ ରହି I

ଗରୁଡ଼ ମୁଖରୁ ଏମନ୍ତ ଶୁଣିଣ ହସିଲେ କମଳା ବର

ଧନ୍ୟହୋ ଗରୁଡ଼ ଧନ୍ୟ ପକ୍ଷୀବର ପଚାରିଲୁ କଥା ସାର

 

କହୁଛି ଗହନ ଶୁଣ ମନ ଦେଇ ସ୍ଥାନେ ସ୍ଥାନେ ଗୋଳ ହେବ

ଭଲମନ୍ଦ କିଛି ବାରଣଟି ନାହିଂ ଏକାକାରଟି ହୋଇବ

ସ୍ତିରୀମାନେ ସବୁ ଉଲଗ୍ନ ହୋଇବେ କାହାକୁ ନଥିବ ଭୟ

ସ୍ତିରୀରେ ସ୍ତିରୀରେ ରମଣ କରିବେ ଏଣୁ ହୋଇବଟି କ୍ଷୟ

 

ମହତମାନେ ସେ ଅସଙ୍ଗ କରିବେ କୁସଙ୍ଗ ଗୋଠେ ପଡ଼ିଣ

ଗରିବ ଗୁହାରି କେହି ନ ଶୁଣିବେ ଏ ହେବେ ମୂଢ଼ ପୁଣ

ଅଧର୍ମ ହେବାରୁ ଇନ୍ଦ୍ର ନ ପାଳିବ କୃଷି ଯେ ହୋଇବ ନାହିଂ

ତେଣୁକରି ସିନା ଦୁର୍ଭିକ୍ଷ ପଡ଼ିବ ପ୍ରାଣୀମାନେ ହେବେ ଦହି

 

ଧର୍ମାଧର୍ମକୁ ସେ ବିଚାର ନଥିବ ଅବିଚାରେ ହେବେ ମତ୍ତ

ପର ଦ୍ରବ୍ୟକୁ ଯେ ବଳେ ନେଉଥିବେ ସବୁ ହୋଇଥିବେ ମତ୍ତ

ପ୍ରାଣୀମାନେ ସବୁ ରାଢ଼ ଯେ ହୋଇବେ ଦୁଷ୍ଟପଣ ସେ କରିବେ

ସାନ ବଡ଼ ସବୁ ଏକତ୍ର କରିଣ ଅନ୍ୟାୟ ଘୋର ଘୋଟିବେ

 

 

କୂଟ ସ୍ତିରୀମାନେ ଉଲଗ୍ନ ହୋଇଣ ଲଜ୍ଜ୍ୟାଭରକୁ ଛାଡ଼ିବେ

ଧନ ଲୋଭରେ ସେ ଚଣ୍ଡାଳ ଲୋକରେ ସୁରତି ରସ କରିବେ

ଏହି ପରକାରେ ହୋଇବ ଗରୁଡ଼ ପ୍ରାଣୀମାନେ ହେବେ ନାଶ

ସୁଧର୍ମ ଜୀବିକା କେହି ନ କରିବେ ଶୁଣ ବିନତାର ଶିଷ୍ୟ

 

ବ୍ରାହ୍ମଣମାନେ ଯେ ବେପାର କରିବେ ଆପଣା କର୍ମକୁ ଛାଡ଼ି

କୁକର୍ମ କରିବେ ସୁକର୍ମ ଯିବ ସେ କୁଣ୍ଠିତ କର୍ମରେ ବଢ଼ି

ଆଚାରଶୀଳ ବ୍ରାହ୍ମଣମାନେ ସେ ଆପଣା କର୍ମକୁ ଛାଡ଼ି

ଦିବସ ରଜନୀ ଅନ୍ୟାୟ କରିବେ ଘରେ ଘରେ ହେବ ବାଡ଼ି

 

ଘରେ ଘରେ ସବୁ ଅନର୍ଥ ହୋଇବ ସ୍ତିରୀ ହେବେ ବାରୁଆଳି

ଅର୍ଥ ଲୋଭରେ ଉତ୍ତମ ଜନମାନେ ହୀନ ଲୋକ ସଙ୍ଗେ କଳି

ସୁଜନ ଜନକୁ କେହି ନ ମାନିବେ ନିନ୍ଦିବେ ଗୁରୁ ବ୍ରାହ୍ମଣ

ଜଉତିଷମାନେ ଜ୍ଞାନ ନ ଜାଣିବେ କହିବେ ମିଥ୍ୟା ବଚନ

 

ଦେବତା ବ୍ରାହ୍ମଣ ପୂଜା ନ ପାଇବେ ବେଶ୍ୟାଠାରେ ଧନ ଦେବେ

ଭାଇ ଭାଇଠାରୁ ଛାଡ଼ିଯିବେ ପୁଣ ଅନ୍ୟ ସ୍ତିରୀକୁ ରମିବେ

ମହତମାନେ ଯେ ଅମହତ ହେବେ ନୀଚ ଲୋକ ସଙ୍ଗେ ଭାବ

ଅଜ୍ଞାନୀମାନେ ଯେ ଜ୍ଞାନୀ ବୋଲାଇବେ ଶୁଣ ବିନତା ତନୟ

 

 

ଅର୍ଥ ଲୋଭେ ଜନେ ଅନର୍ଥ କରିବେ କାହାକୁ ମାନିବେ ନାହିଂ

ଏହି ପରକାର ହୋଇବେଟି ପ୍ରାଣୀ କହିଲି ତୋତେ ବୁଝାଇl

ବିନତାଙ୍କ ସୁତ ଶୁଣିଣ ଏମନ୍ତ ପଦ୍ମପାଦରେ ପଡ଼ିଲା

ଧନ୍ୟ ମୋର ଭାଗ୍ୟ ଶୁଣିଲି ଗୋସାଇଂ ପୂର୍ବ ଭାଗ୍ୟ ମୋର ଥିଲା

 

ତୁମ୍ଭେ ନାରାୟଣ ସବୁ କଥା ଜାଣ ସବୁ ତୁମରି ଭିଆଣ

ତୁମ୍ଭ ବିନୁଂ ଆଉ ଅନ୍ୟ କେହି ନାହିଂ ତୁମ୍ଭେ ଜଗତ ପାଳଣ

ଆହେ ନାରାୟଣ ଭଗତ ପାଳନ ଆହେ କମଳାରମଣ

ଆଗତ ବଚନ ଯେତେକ କହିଲ ଶୁଣି ନିସ୍ତରିଲି ପୁଣ

 

ଗରୁଡ଼ ମୁଖରୁ ଏମନ୍ତ ଶୁଣିଣ ହସିଲେ ବ୍ରହ୍ମାଣ୍ଡନାଥ

ଧନ୍ୟ ହୋ ଗରୁଡ଼ ଯାହା ପଚାରିଲୁ ଏକାନ୍ତ ତାହା ଗୁପତ

ଲୟେ ଚିତ୍ତେ ଶୁଣି ହେତୁ ରଖିଥିବୁ ଫେଡ଼ି କାହିଂ ନ କହିବୁ

କହୁଅଛି ତୋତେ ଶୁଣୁ ତୁ ଏକାନ୍ତେ ଦୁର୍ଜନ ବଢ଼ିବେ ସବୁ

 

ଅକଳଙ୍କରେ ଯେ କଳଙ୍କ ଲାଗିବ ଆୟତ୍ତ ନଥିବ କାହିଂ

ପରଜା ଗୁହାରି କେହି ନ ଶୁଣିବେ ସର୍ବସ୍ଵ ନେବେଟି ବହି

ଦିନୁଂ ଦିନୁ ଇନ୍ଦ୍ର ଅନ୍ୟାୟ କରିବ ଜଳ ଯେ ଊଣା ହୋଇବ

ମାଣରେ କୋଡ଼ିଏ ଲେଖାଏଂ ଫଳିବ ଆଉ ଅଧିକ ନୋହିବ

 

 

ଲାଗିବ ସଂଗ୍ରାମ ପଶ୍ଚିମ ଦିଗରୁ ରୁଧିର ଧାର ବୋହିବ

କାଞ୍ଚି-କାବେରୀରୁ କର୍ଣ୍ଣାଟ ଦେଶରୁ ସୈନ୍ୟମାନେ ଆସୁଥିବ

ତୁରୁକ ଆସିବେ ପଶ୍ଚିମ ଦେଶରୁ ଏହି ଓଡ଼ିଶା ଭୁବନ

ଅଶ୍ୱ ପିଠିରେ ସେ ଚଢ଼ି ଧାଉଂଥିବେ ମରିବେ ଅନେକ ଜନ

 

ଭଲ ଭଲ ଲୋକେ ଘର ଛାଡ଼ିକରି ବନସ୍ତେ ଯାଇ ଲୁଚିବେ

କନ୍ଦି ବିକନ୍ଦି ବୁଲିଣ ତୁରୁକ ପ୍ରାଣୀକି ଟି ଦୁଃଖ ଦେବେ

ଓଡ଼ିଶା ଭୁବନେ ଅଶ୍ଵମେଳି ହେବ ତୁରୁକ ଧାଡ଼ି ପଡ଼ିବ

ଗୋଳ ଗହଳରେ ଗିରିମାଳ ମାନ କମ୍ପମାନଟି ହୋଇବ      

 

ଏମନ୍ତ ଭାବେଣ ମାଡ଼ି ଆସିକରି ଓଡ଼ିଶା ଭୋଗ କରିବେ

ମୋଗଲ ସଙ୍ଗତେ ଗୋଳକରି ଯାଇ ପୃଥି ସେ ଛାଡ଼ି ବସିବେ

ଦେବଆଳ ସ୍ଥାନେ ଦ୍ୱନ୍ଦ ଭିଆଇବେ ଦେବତା ଦ୍ରବ୍ୟ ହରିବେ

ଧର୍ମ ଅଧର୍ମ ଆଚାର ନୋହିବ ସର୍ବେ ଅଣାୟତ୍ତ ହେବେ

 

ଖଣ୍ଡ ଖଣ୍ଡାୟତମାନଙ୍କ ସାଙ୍ଗରେ କନ୍ଦଳ କରି ବହୁତ

ସବୁଙ୍କୁ ଜିଣିଣ ଏକ କରାଇବେ କେହି ନଥିବେ ସଙ୍ଗତ

ଦିନାକେତେ ଯାଇ ପୁଣି ଗୋଳହୋଇ କରିବେ ସେହୁ ସଂଗ୍ରାମ

ଏହି ଖୋରଧା କଟକରେ ପଶିଣ ନାଶିବେ ଯେ ଘର ଗ୍ରାମ

 

 

ଛତ୍ରକୋଟ ଦ୍ଵାରେ ଆଗ ମୁହାଂଇବେ ବାଣପୁରରେ ରହିବେ

ପାତ୍ର ଭେଦାଭେଦ କରିଣ ଗରୁଡ଼ ରାଜାଙ୍କୁ ଧରାଇ ଦେବେ

ଧରି ନେଇକରି ଓଡ଼ିଶା ରାଜନ ବାରବାଟୀରେ ରଖିଣ

ଅରାଜକ ହେବ ତୁରୁକ କରିବ ରାଜା ହୋଇବେ ବନ୍ଧନ

 

ଶୁଣିଣ ଗରୁଡ଼ ବୋଲଇ ଗୋସାଇଂ ଆଚମ୍ବିତ ଲାଗେ ମୋତେ

ତୁମ୍ଭ ରାଉତକୁ ତୁରୁକ ଧରିଲେ ଏହା ସହିଲ କେମନ୍ତେ

ଗରୁଡ଼ ମୁଖରରୁ ଏମନ୍ତ ଶୁଣିଣ ବୋଲନ୍ତି କମଳା ସାଇଂ

ଯାହା ପଚାରିଲୁ ବିନତା ନନ୍ଦନ କହିବି ତୋତେ ବୁଝାଇ

 

ମୋର ସେ କରଣ ସକଳ ବିଧାନ ମୁହିଂ ସେ ସକଳ ଜାଣ

ମୋହ ଆଜ୍ଞାରେ ସକଳ ହୁଅଇ ମୋର ସକଳ ଭିଆଣ

ଖୋରଧାଗଡ଼ର ରାଉତ ସେ ମନେ ତାର ବଡ଼ ଅଭିମାନ

ମୁହିଂ ଦଣ୍ଡ ଛତ୍ର ଦେଇଣ ତାହାକୁ ଛଳେ କରଇ ରାଜନ

 

ପ୍ରାଣୀମାନଙ୍କୁ ସେ ଅଳ୍ପକେ ଦଣ୍ଡନ୍ତି କଷ୍ଟ ଦିଅନ୍ତି ଅପାର

ତେଣୁକରି ତାଙ୍କ ଠାବରେ ଗରୁଡ଼ କ୍ରୋଧ ହୋଇଲା ଅପାର

ସକଳ ଘଟରେ ବାସ ମୁଂ କରିଛି ପରାପର ମୋର ନାହିଂ

ଛପନ କୋଟି ଜୀବକୁ ଜଗତେ ମୁହିଂ ପଡ଼ି ଦେଉଥାଇ

 

 

ଯେଉଂ ରାଜ୍ୟରେ ସେ ଯେଉଂ ରାଜାମାନେ ଧର୍ମାଧର୍ମ ନ ରଖନ୍ତି

ମୋହର ପଡ଼ି ତାଙ୍କୁ ଊଣା କରିଣ ପୁଣି ସେହୁ ଦଣ୍ଡ ପାନ୍ତି

ସତ୍ୟ ତ୍ରେତୟା ଦ୍ଵାପର ଯୁଗରେ କେତେ ରାଜା ଅବା ଥିଲେ

ବଳୀ ବେଣୁ ମାନଧାତା ପର୍ଶୁରାମ ଏମାନେଟି ବୀର ଗଲେ

 

ସହସ୍ରା ଅର୍ଜ୍ଜୁନ ଆଉ ବାଣାସୁର କଂସ ରାଜାଙ୍କ ସହିତେ

ଏଡ଼େ ରଥୀ ମହାବୀର ଗଲେ ମୋର ଏହି କାଳଚକ୍ର ଘାତେ

ଭକ୍ତଠାରେ ଯେ ସୁଦୟା ରଖିଥାଇ ମୋର ଦୟା ତାହାଠାରେ

ସେହି ନୃପତି ଦିନୁ ଦିନ ବଢ଼ଇ ଚକ୍ରବର୍ତ୍ତୀ ନୃପବରେ

 

ତେଣୁ ସେ ତୁରୁକ ହସ୍ତରେ ହୋ ଦଣ୍ଡ ରାଜନ ନିଶ୍ଚେ ପାଇବ

ଖୋରଧାକୁ ଛାଡ଼ି ବାରବାଟୀ ଦ୍ଵାରେ ରାଉତ ଧରା ରହିବ

ଏହିରୂପେ ଲୀଳା ଏ ଯୁଗେ କରଇ ଶୁଣରେ ଗରୁଡ଼ ଶୁଣ

ଆଦ୍ୟ ପ୍ରାନ୍ତ କରି ତୋତେ ବୁଝାଇବା ଶୁଣ ବିନତା ନନ୍ଦନ

 

ଏସନ ଅବଶ୍ୟ ଘଟିବ ହୋ ଶୁଣ ରାଜା ଉପର ବଂଶରେ

କେତେ କେତେ ରାଜା ଗଲେଟି ଗରୁଡ଼ ଏହି ଖୋରଧା ରାଜ୍ୟରେ

ତେଲଙ୍ଗା ମୁକୁନ୍ଦ ବୋଲି ଏକ ରାଜା ଉପରେ ବଂଶରେ ଜାଣ

ବାରବାଟୀ କିଲ୍ଲା ସେହି ଖୋଳାଇଲା ଗଙ୍ଗାକୁ ଗଲା ବହନ

 

 

ଗଙ୍ଗାର ତୀରରେ ତ୍ରିବେଣୀ ଘାଟରେ ନୃପତି ତହିଂ ସେ ଥିବ

ଏହି ସମୟରେ ଯବନ ଗୋଟାଏ ଉତ୍ତର ଦିଗୁ ଆସିବ

ସେହି ସେ ଯବନ ପ୍ରମାଦ କରିବ ଭ୍ରଷ୍ଟ ହୋଇବ ସଂସାର

ରାଉତ ରାଣୀମାନେ ଝାସ ଦେବେଟି ଗଳେ ଖନ୍ଦକ ଭିତର

 

ଦେବଦେବୀମାନେ କମ୍ପମାନ ହେବେ ଯବନ ଧାଡ଼ିର ଘାତେ

କେହି କାହାକୁ ସେ ବାରଣ ନୋହିବେ ସବୁ ହେବେ ଆଚମ୍ବିତେ

ଏହି ପରକାରେ ଘଟିବ ଗରୁଡ଼ କହିଲୁ କିଛି ବୁଝାଇ

କିଛି ସେ ରହିଲା ଆଗତ ଭବିଷ୍ୟ ଶୁଣ ବୀର ମନ ଦେଇ

 

ଶ୍ରୀକୃଷ୍ଣ ମୁଖରୁ ଶୁଣିଣ ଗରୁଡ଼ ଏମନ୍ତ କହଇ ପୁଣ

ଶୁଣି ମୁକତ ହୋଇଲି ନାରାୟଣ ସଂଶୟ ଗଲାଟି ଜାଣ

ନିସ୍ତରିଲି ନିସ୍ତରିଲି ପଦ୍ମମୁଖ ଦୁରିତ ମୋକ୍ଷ ହୋଇଲା

ଆଗତ ବଚନ ଶ୍ରୀମୁଖୁ ଶୁଣିଣ ପାତକ କ୍ଷୟ ଯେ ଗଲା

 

ଶ୍ରୀକୃଷ୍ଣ ଗରୁଡ଼ ସମ୍ବାଦ ଶୁଣିଲେ ସୁଜନେ ତରିବେ ପୁଣ

ଦୀନ ଅଚ୍ୟୁତ କହଇ କରଯୋଡ଼ି ଶ୍ରୀକୃଷ୍ଣ ପାଦେ ପଡ଼ିଣ      

ଇତିଶ୍ରୀ ମହା ଆଗତ ଭବିଷ୍ୟ ମାଳିକା କଥନେ

ଶ୍ରୀକୃଷ୍ଣ ଗରୁଡ଼ ସମ୍ବାଦେ ନାମ ଚତୁର୍ଥ ଅଧ୍ୟାୟଃ

 

ପଞ୍ଚମ ଅଧ୍ୟାୟ

 

ଶୁଣ ହୋ ଗରୁଡ଼ କହୁଅଛି ପୁଣି ଆଗତ ଭବିଷ୍ୟ ବାଣୀ

ଘୋର ଅନାଚାର ସଂସାରେ କରିବେ ନାଶହେବେ ତେଣୁ ପ୍ରାଣୀ

ବ୍ରାହ୍ମଣମାନେ ସେ ବ୍ରହ୍ମକର୍ମ ଛାଡ଼ି ହୀନ କର୍ମରେ ବଞ୍ଚିବେ

ଶୂଦ୍ରର ଉଚ୍ଚିଷ୍ଟ ଆହାର କରିବେ ତେଣୁ ତେଜହୀନ ହେବେ

ଗାରେଡ଼ି ଶିଖିବେ କୁହୁକେ ମାତିବେ ଶୁଦ୍ର ଯୋନି ବିହରିବେ

ଏହି ପରକାର କଳିର ଲକ୍ଷଣ ପ୍ରାଣୀମାନେ ଭ୍ରଷ୍ଟହେବେ

କହିବା କେତେକ ହୋଇବ ତରକ ନ ରହିବ ଥଳକୂଳ

ଯୋନି ବିକ୍ରିକରି ସ୍ତିରୀଏ ବଞ୍ଚିବେ ନ ସରିବ ଦିନକାଳ

ପ୍ରାଣୀମାନେ ପୁଣି ସୁଖ ନ ପାଇବେ ଦୀନ ଦୁଃଖୀ ହୋଇଥିବେ

ଦେବତା ଉଚ୍ଛର୍ଗ ଦ୍ରବ୍ୟମାନ ହରି ତେଣୁ ଅଧର୍ମେ ମରିବେ

ସାତ୍ତ୍ୱିକ ଭଗତି କାହାରି ନୋହିବ ଅସାତ୍ତ୍ୱିକ ହେବେ ସଦା

ତେଣୁକରି ତୋତେ କହିଲୁ ଗରୁଡ଼ ଏ ରୂପେ ହୋଇବେ ପଦା

ତୁ ଯେଣୁ ଭଗତ ବିଶ୍ଵାସ ମୋହର କହିଲୁ ସକଳ ତୋତେ

ଆଉ ଯେ ଏଣିକି କହିବା ଯେମାନ ଶୁଣ ତୁହି ଏକ ଚିତ୍ତେ

ଦୁର୍ଜନକୁ ସନ୍ଥଜନେ ଯେ ଡରିବେ ହୀନ ଲୋକ ବଡ଼ ହେବେ

ମୂର୍ଖ ପାଷାଣ୍ଡ ଯେଉଂମାନେ ଥିବେ ବ୍ରହ୍ମଜ୍ଞାନୀ ବୋଲାଇବେ

 

ପରଦ୍ରବ୍ୟମାନ ଖାଇବାକୁ ମନ ଭୟେ ନଥିବ କାହାର

ପରଜା ଗୁହାରି କେହି ନ ଶୁଣିବେ ଦୁଃଖ ପାଇବେ ଅପାର

ଅଧର୍ମ କଥାରେ ଭୟ ସେ ନଥିବ ଶୁଣ ବିନତାର ସୁତ

ଯୁବକ କିଶୋର ଅଳପ ବୟସେ ହୋଇବେଟି ପ୍ରାଣେ ହତ

 

ଠାବେ ଠାବେ କଳି ଲାଗିବ କନ୍ଦଳ ମିଛ କଥାରେ ବହନ

ଶାସ୍ତ୍ରକୁ ଅନ୍ୟଥା ମଣିବେଟି ପ୍ରାଣୀ ଶୁଣ ବିନତା ନନ୍ଦନ

ଏହି ରୂପେ କଳି ଘୋଟିଣ ଆସିବ ଆୟତ୍ତ ନଥିବ ରହି

ଅତି ପାପରେ ସମସ୍ତେ ମରିବେ କୁହୁକ ବିଦ୍ୟାଟି କହି

 

ଚୋର ଖଣ୍ଟ ପୁଣ ବହୁତ ମାତିବେ କନ୍ଦି ବିକନ୍ଦି ବୁଲିଣ

ବ୍ରହ୍ମଜ୍ଞାନ କହି ତଣ୍ଟି କାଟୁଥିବେ ଦୟା ନଥିବଟି ପୁଣ

ମାଳ ପକାଇଣ ଦାସ ବୋଲାଇବେ ବୋଲିବେଟି ଆମ୍ଭେ ବଡ଼

ପରର ରମଣୀ ପରଧନେ ଲୋଭ ଅତ୍ୟନ୍ତ ହୋଇବେ ରାଢ଼

 

ହୀନ ଲୋକଙ୍କୁ ଶିଷ୍ୟ ହିଂ କରିବେ ଅର୍ଥଲୋଭରେଟି ଜାଣ

କୁଳ ଆଚାରକୁ ବିଚାର ନକରି ତହିଂ କରିବେ ଭୋଜନ

ଗୋଷ୍ଠୀ କରିବେ ହୀନ ଲୋକ ସଙ୍ଗେ ବିଚାର ରହିବ ନାହିଂ

ଅବିଚାର କର୍ମ ବୈଷ୍ଣବେ କରିବେ ଶୁଣ ଏହା ମନ ଦେଇ

 

 

ନିର୍ଦ୍ଧନ ଯେଉଂ ପ୍ରାଣୀଏ ହୋଇବେ ତାକୁ କେହି ନମାନିବେ

ସତ୍ୟ କହୁଥିଲେ ମିଥ୍ୟା ତା ବଚନ ଏହି ବିଚାର କରିବେ

ଉତ୍ତମ କୁଳେ ସେ ଜନମ ହୋଇଲେ ନିର୍ଦ୍ଧନ ହୋଇବେ ଯହୁଂ

ତାହାକୁ କେହି ପାଶକୁ ନ ଡାକିବେ ହୀନ ବୋଲାଇବେ ସେହୁ

 

ଠାବେ ଠାବେ ସବୁ ଅନୀତି କରିବେ କହିବା ତହିଂର ଚିହ୍ନ

ଅତି ଅନ୍ୟାୟଟି କରିବେ ସେ ଜନ ଶୁଣ ବିନତା ନନ୍ଦନ

ଅନେକ ପ୍ରକାରେ ତରକ ଖେଳିବେ ହୀନବୁଦ୍ଧି ଆଚରିଣ

ନିର୍ମଳ ସାତ୍ତ୍ୱିକ କେହି ନ ଭଜିବେ ହୋଇବେ ବଡ଼ ଦାରୁଣ

 

ଧର୍ମ କଥାରେ ସେ ବିଘ୍ନ କରୁଥିବେ ନଥିବ ଡର ତାଙ୍କର।

ଅଗ୍ନି ମୁଖରେ ସେ ଘୃତ ନ ଦେବେଟି ଏଣୁ ହେବେ ନାରଖାର

ମୋହ ପାଦେ ଚିତ୍ତ ଯେହୁ ଦେଇଥିବ ତାକୁ ନ ଚିହ୍ନିବେ କେହି

ନିଊନ ହୋଇ ଗୁପତ ଭାବେ ଥିବେ ମୋହର ଭଗତ ସେହି

 

ନ ଦେଖିଲା କଥା ମିଛେ ଘଟାଇବେ ବୋଲିବେ ଏ ସତ୍ୟ ସତ୍ୟ

ଏହିରୂପେ ସତ ପ୍ରାଣୀ ଯେ କଷଣ ଭୋଗିବେ ହୋଇ ଅନାଥ

ପରଦ୍ରବ୍ୟ ଖାଇ ଦମ୍ଭ ଦେଖାଇବେ ମାଗିଲେ ନଦେବେ ଧନ

ପରବୃତ୍ତି ହରି ପରକୁ ଦଣ୍ଡିବେ ଅନ୍ୟାୟ କରିବେ ପୁଣ

 

 

ସଭାରେ ଯେ ମିଥ୍ୟା କହିବେ ନିର୍ଭୟେ ଧର୍ମାଧର୍ମ ନ କହିବେ

ନିଊନ ଦେଖିବେ ଯେଉଂ ପ୍ରାଣୀକୁ ସେ ଯାତନା ଅନେକ ଦେବେ

ଏହି ମତେ ଖେଳ ହୋଇବ ଅନେକ ଓଡ଼ିଶା ଭୁବନେ ବୀର

ଠାବେ ଠାବେ ପୁଣ ବିଚାର ଲାଗିବ ଗ୍ରାସିବଟି କଳି ଘୋର

 

କୁଳ ଆଚାରକୁ ବିଚାର ନ କରି ଅତି ଅନ୍ୟାୟ କରିବେ

ପର ଅପର ବାଦ ଭେଦ ଘେନି ପରକୁଟି କଷ୍ଟ ଦେବେ

ଦିନୁ ଦିନୁ ପ୍ରାଣୀ ଦୁଃଖ ପାଇବେଟି ସୁଖ ନ ଥିବ କାହାର

କାହାକୁ ନ ମାନି ଅମଡ଼ା ମାଡ଼ିବେ ମନରେ ନ ଥିବ ଡର

 

ଘରେ ଘରେ ସବୁ ଜ୍ଞାନୀ ବୋଲାଇବେ ବ୍ରାହ୍ମଣ କୁଳ ନିନ୍ଦିବେ

ଚାଣ୍ଡାଳମାନେ ସେ ବ୍ରହ୍ମଜ୍ଞାନ ସାଧି ସଭାରେ ଜ୍ଞାନ କହିବେ

ଜୀବରେ ସେ ଦୟା କାହାରି ନଥିବ ଅନର୍ଥରେ ଦୟା ଜାଣ

ମୁଗଲ ପାଶେ ଯେ ବ୍ରାହ୍ମଣ ବସିବେ ଚଉଧୁରୀ ବୋଲାଇଣ

 

ବାହାରୁ ବିଚାର ନଥିବ କାହାରି ସବୁ ଭିଆଇବେ ମାୟା

ଏଣୁ କରି ଇନ୍ଦ୍ର ଅନ୍ୟାୟ କରିବ ଜଳ କରିବନି ଦୟା

ଶ୍ରୀକୃଷ୍ଣ ମୁଖରୁ ଏମନ୍ତ ଶୁଣିଣ ଗରୁଡ଼ କର ଯୋଡ଼ିଲା।

ମୁହିଂ ଛାର ମୂର୍ଖ ଶୁଣିଲି ଗୋସାଇଂ ପୁଣ୍ୟ ମୋହର ବଢ଼ିଲା

 

 

ତୋହ ଦୟା ଯାକୁ କି ଅପୂର୍ବ ଯିଏ ଚଉବର୍ଗ ଅଧିକାରୀ

ଭଗତ ଜନମାନଙ୍କ ପାଇଂ ପ୍ରଭୁ ଶଙ୍ଖ ଚକ୍ର କରେ ଧରି

କୁରୁ ବଳ ନାଶି ପାଣ୍ଡବେ ରଖିଲ ଲକ୍ଷ ରାଜା ଉଧାରିଲ।

ଯୁଗେ ଯୁଗେ ଏହି ରୂପେ ଲୀଳାକରି ପ୍ରଭୁ ଭିଆଣ ତ କଲ

ସତ୍ୟ ଯୁଗେ ତପୀ ତ୍ରେତୟାରେ କପି ତୋହର ସଖା ସୋଦର

ଦ୍ଵାପରରେ ଗୋପୀ ଯୋଗୀଙ୍କ ଭଜନ କଳିରେ ଅଟଇ ସାର

ନାମ ସଂକୀର୍ତ୍ତନ ତୋ ନାମ ଭଜନ ତୋର ଭକ୍ତମାନେ କରି

ଚରଣେ ଧ୍ୟାନ କରିଣ ଭବନ ସଂସାର ଯାଆନ୍ତି ତରି

ଏମନ୍ତେ କହିଣ ଗରୁଡ଼ ଶ୍ରୀପଦ୍ମ ଚରଣେ ଯାଇ ପଡ଼ିଲା

କହଇ ଅଚ୍ୟୁତ ଅତି ମୂଢ଼ ମତି ପାରିକର ଚକାଡୋଳା

ଇତିଶ୍ରୀ ମହା ଆଗତ ଭବିଷ୍ୟ ମାଳିକା କଥନେ

ଶ୍ରୀକୃଷ୍ଣ ଗରୁଡ଼ ସମ୍ବାଦେ ନାମ ପଞ୍ଚମ ଅଧ୍ୟାୟଃ

ଷଷ୍ଠ ଅଧ୍ୟାୟ

ଶୁଣ ସୁଜନେ ନିର୍ମଳ ମନ ଦେଇ ଶ୍ରୀକୃଷ୍ଣ ଭବିଷ୍ୟ ବାଣୀ

ଯେଉଂ ଜନମାନେ ଶ୍ରବଣେ ଶୁଣିବେ ମୁକତ ହୋଇବେ ପୁଣି

ଶ୍ରୀକୃଷ୍ଣ ଭୃତ୍ୟଙ୍କ ଦାସର ଯେ ଦାସ ଜନ୍ମେ ଜନ୍ମେ ମୁଂ ଅଟଇ

ତେଣୁକରି ମୋର କଣ୍ଠରେ ସ୍ଫୁରିଲା ଦୟାକଲେ ଲକ୍ଷ୍ମୀସାଇଂ

 

ଗରୁଡ଼କୁ ଯାହା କହିଲେ ଅନନ୍ତ ଗୁପତ ଭବିଷ୍ୟ ବାଣୀ

ଶୁଣି ସୁଜ୍ଞ ଜନମାନେ ନିସ୍ତରିବେ ସଂଶୟ ନଥିବ ପୁଣି

ମହା କଳିକାଳ ଘୋଟିବ ପ୍ରବଳ ହେତୁ ଚେତନା ବୁଡ଼ିବ

କାହାରି ସେ କେଉଂ ଗୁଣ ଧର୍ମ କର୍ମ ସବୁ ଏକାକାର ହେବ

 

କହଇ ଗରୁଡ଼ ଶୁଣ ଆଦିକନ୍ଦ ଶୁଣ ଭଗତ ପାଳଣ

କହିବା ସକଳ ବୁଝାଇଣ ହରି ସଂଶୟ ଫିଟୁ ବହନ

ଗରୁଡ଼ ମୁଖରୁ ଏମନ୍ତ ଶୁଣିଣ ବୋଲନ୍ତି କମଳା ବର

ଶୁଣ ତୁ ଗରୁଡ଼ ସ୍ଥିର କରି ମନ କଳି ଆଗତ ବିଚାର

 

ଦୟା ନାହିଂ ମୋର ମାୟାର ବିସ୍ତାର କହୁଛି ଗରୁଡ଼ ତୋତେ

ମହା ମହା ଘୋର ଦୁସ୍ତର ପଡ଼ିବ ଏହି ଓଡ଼ିଶା ପ୍ରଶସ୍ଥେ

ଶ୍ରୀକ୍ଷେତ୍ରଠାରୁ ଯାଜପୁର ଯାଏ ଉତ୍ତମ ସ୍ଥାନ ଅଟଇ

ଠାବେ ଠାବେ ପୁଣ ସାଧୁଙ୍କର ମେଳ ଅହର୍ନିଶ ହେଉଥାଇ

 

କେଉଂଠାରେ ମୋର ଭକ୍ତଙ୍କର ମେଳ କେଉଂଠାରେ ମୋ ରାହାସ

କେଉଂ ଠାବରେ ସେ ମୁନିମାନେ ଅବା ବସିଅଛନ୍ତି ବିଶେଷ

ପାଦ ଯାଜପୁର ଠାବରୁ ଆବର ପ୍ରସାର ଜଳୁକା ଯାଏ

ଅମରାବତୀ ଯେ ସିଦ୍ଧଗିରି ସ୍ଥାନ କହିଣ ଅଛି ଥୋକାଏ

 

 

ହନୁମନ୍ତେଶ୍ଵର ବୋଲିଣ ସେ ଦେବ ଅଛନ୍ତି ପାହାଡ଼େ ରହି

ଉତ୍ତରା ଧାର ସେହି ଠାବରେ ବହୁଛି ସିଦ୍ଧପୀଠଟି ଅଟଇ

ସେ ସ୍ଥାନ ମହିମା ଅତି ଅଗୋଚର ଦେବଙ୍କ ନିବାସ ପୁର

ରାମ ଅବତାରେ ସେହିଠାରେ ରାମ ପୂଜିଥିଲେ ବିଶ୍ଵେଶ୍ଵର

 

କୁଣ୍ଡି କଟକ ବୋଲିଣ ଯାହା କହି ନିଗମ ସ୍ଥାନ ଅଟଇ

ଚିତ୍ରଉତ୍ପଳା ନଦୀ କୂଳଠାରେ ଥିବ ବୃକ୍ଷ ବଟ ଯହିଂ

ଲେମ୍ବାଳ ବୋଲି ଯେଉଂ ପଦ୍ମବନ କହିବା ତହିଂର ନାମ

ସିଦ୍ଧ ସାଧୁ ଯହିଂ ଅହର୍ନିଶ ଛନ୍ତି ମୋର ଅଚ୍ୟୁତ ଆଶ୍ରମ

 

ଚିତ୍ରଉତ୍ପଳା କୂଳରେ ଯେଉଂ ବଟ ଲିମ୍ବବନ ତାର ତଟେ

ଲିମ୍ବ ବୃକ୍ଷ ବୋଲି ଏକଇ ଯେ ବାରି ଅଛି ବଟର ଅଗ୍ରତେ

ସେ ବୃକ୍ଷେ ଅନେକ ବୀର ରହିଛନ୍ତି କଳଣା ନାହିଂଟି ତାର

ବ୍ରହ୍ମ ବିଶ୍ଵେଶ୍ଵର ଯେଉଂସ୍ଥାନେ ଛନ୍ତି ସେ ସ୍ଥାନ ସଂସାରେ ସାର

 

ମହାଳୟା ବୋଲି ଯେଉଂ ସ୍ଥାନ କହି ସାଧୁଙ୍କ ମେଳଟି ତହିଂ

ମାହାଳ ବଟ ବୋଲି ଯେଉଂ ବୃକ୍ଷ ରୁକ୍ମିଣୀ ହରଣ ଭୂଇଂ

ଦେବୀ ଭଗବତୀ ଯହିଂରେ ଅଛନ୍ତି ଶୁଣିବୁ ତାଙ୍କ ମହିମା

ଏ ଦେବୀ ଅଗ୍ରତେ ପ୍ରଚ୍ଛନ୍ନ ହୋଇବ ଏକାକ୍ଷର ମନ୍ତ୍ର ସୀମା

 

 

ଜ୍ଞାନୀଯାକ ସବୁ ତହିଂ ମେଳହେବେ କଳଙ୍କୀ ବାହାର ବେଳେ

ଦ୍ଵାଦଶ ଦିନ ଭାଗବତ ହୋଇବ ଅବଶ୍ୟ ସେତିକି ବେଳେ

ବେନି ବେନି ଲିଙ୍ଗ ତହିଂରେ ଅଛନ୍ତି ମଧ୍ୟରେ ଏକଇ ବଟ

ନୀଳକଣ୍ଠେଶ୍ଵର ନାମ ବୋଲାଇବେ ବଟରେ ବାନ୍ଧିବେ ପାଟ

 

ଗୁପତେ କ୍ଷୀରନଦୀ ତହିଂ ରହିଛି ଧାରେକ ବହିବ ପୁଣ

ଅମୃତ ଯୋଗରେ ଧାରେକ ବହିବ ଏହି ବଟ ଯାଏ ଶୁଣ

ନିଗମ ସ୍ଥାନ ଗୁପତ ବୋଲି ଜାଣ ଭକ୍ତଛନ୍ତି ମୋର ତହିଂ

ଆବର କହିବା ଶୁଣ ହୋ ଗରୁଡ଼ ଯେଉଂ ସ୍ଥାନେ ଯାହା ହୋଇ

 

ତୁରୁକ ଆସିବେ ପଶ୍ଚିମ ଦେଶରୁ ଓଡ଼ିଶାରେ ସେ ରହିବେ

ଖୋରଧା ରାଉତକୁ ବନ୍ଦୀ କରିଣ ଓଡ଼ିଶା ଭୋଗ କରିବେ

ଠାବେ ଠାବେ ସବୁ ଅନ୍ୟାୟ କରିବେ ଅର୍ଥ ଲୋଭରେଟି ଜାଣ

ଖଳ ବୁଦ୍ଧିରେ ଧନ ଦ୍ରବ୍ୟ ଲୁଟିବେ ଅବଶ୍ୟ ଖାଇବେ ହାଣ

 

ଗିରିମାଳମାନେ ନିପାତ ହୋଇବେ କେହି ରହନ୍ତାଟି ନାହିଂ

ଖଣ୍ଡା ଖଣ୍ଡାୟତ ସବୁଙ୍କୁ ଜିଣିବେ ଅତି ଦୁରୁଦମ ହୋଇ

ଅଶ୍ୱଙ୍କ ଉପରେ ଚଢ଼ିଣ ସେ ଥିବେ ଧୂଳି ଉଡ଼ୁଥିବ ଉଂଚ

ଖଣ୍ଡାବଳରେ ପୃଥି ଭୋଗ କରି ସଭିଙ୍କୁ ମଣିବେ ନୀଚ

 

 

ଅଗ୍ନି ଲଗାଇ ଗ୍ରାମେ ଗ୍ରାମେ ପୋଡ଼ି ପ୍ରାଣୀକିଟି ଦୁଃଖ ଦେବେ

ସ୍ତିରୀ ବାଳକ ବହୁତ ନାଶ କରି ଘୋର ଅନ୍ୟାୟ କରିବେ

ଛଅରେ ତିନି ପୁଣ ପାଞ୍ଚ ଯହୁଂ ଏତେଦିନ ତାହା ଭୋଗ ହେବ

ଲେମ୍ବାଳ ସ୍ଥାନକୁ ଅଶ୍ୱ ବାନ୍ଧି ଆସି ଦେବେ ନାନା ପରାଭବ

 

ସେହିଦିନଠାରୁ ରହି ନ ପାରିବେ ଅସ୍ଥିର ସବୁ ହୋଇବ

ମୁକୁନ୍ଦଦେବଙ୍କ ନଅ ଅଙ୍କେ ଜାଣ ଯବନ ମାଡ଼ି ଆସିବ

ଶ୍ରୀକୃଷ୍ଣ ମୁଖରୁ ଏମନ୍ତ ଶୁଣିଣ ଗରୁଡ଼ ପାଦେ ପଡ଼ିଲା

ବୃଥାଏ ସଂଶୟ ଲାଗିଲା ଗୋସାଇଂ କର ଯୋଡ଼ିଣ କହିଲା

 

ତୁରୁକ ବୋଲିଣ କେବଣ ସେ ଜାତି କେଉଂ ଦେଶେ ତାଙ୍କ ଘର

ଓଡ଼ିଶା ପୃଥ୍ୱୀ କେମନ୍ତ ସେ ଭୋଗକଲେ କହ ଦାମୋଦର

ଗରୁଡ଼ ବଚନ ଶୁଣି ଦାମୋଦର ବୋଲନ୍ତି ଶୁଣ ସେମାନ

ଗୋଦାବରୀ କୂଳେ ପଶ୍ଚିମ ଦେଶରେ କର୍ଣ୍ଣାଟ ଦେଶ ଭୁବନ

 

ଗଙ୍ଗାକୂଳ ଲାଗି ପୃଥ୍ୱୀ ଭୋଗ କରି ଜାତି ମରହଟ୍ଟା ସେହି

ସେହି ସେ ତୁରୁକ ସେହି ମରହଟ୍ଟା ଏକ କର୍ମ ସେ ଅଟଇ

ଏମନ୍ତ ମହିମା ଅଟଇ ତାଙ୍କର ସିନ୍ଧୁ ପଟୁ ଆଗମନ

ଏହି ପୃଥିରେ ସେ ଅପାର ଦିନରୁ ବର୍ତ୍ତିବେ ସେ ଦିନୁ ଦିନ

 

 

ସେହି ସେ ତୁରୁକ ଓଡ଼ିଶା ରାଜ୍ୟକୁ ବଳେ ଆସିବ ଧସାଇ

ଯେଉଂଦିନୁ ଏଥି ଧସାଇ ପଶିବ ପୃଥିବୀ ଦିଶିବ ନାହିଂ

ମାହାଳୀ ସୋମକୁଳ ଦେବ ବୋଲି ଏକ ରାଜା ନାମ ହେବ

ତାଙ୍କର ନବ ଅଙ୍କରେ ହୋ ଗରୁଡ଼ ଯବନ ପୁଣି ଆସିବ

 

ଦକ୍ଷିଣ ଦିଗରୁ ଆସିବେ ଯବନ ବରଷା ଋତୁରେ ଜାଣ

ଜନ ପ୍ରଜା ସୁଖେ ରହି ନ ପାରିବେ ପଳାଇଯିବେ ବହନ

ଆପଣାର ଧନ ସମ୍ପଦକୁ ନେଇ ଛାଡ଼ି କରି ପଳାଇବେ

ଘରଦ୍ୱାର ଛାଡ଼ି ବନସ୍ତେ ପଶିଣ ଜୀବନ ସେ ହରାଇବେ

 

ଦିବସେ ମାତିବେ ଧୋବ ଧଉଳିଆ ରାତିରେ ମାରିବେ ଘାଣ୍ଟି

ଯେଉଂ ବୁଦା ମୂଳେ ପଳାଇ ପଶିବେ ବାଘ ଧରୁଥିବ ତଣ୍ଟି

ମରିବେକ ମଲ୍ଲ ପୃଥିବୀର ସଲ ଭଲ ଭେଲ ନାଶିଯିବେ

ନିର୍ମଳ ଭଗତି ଯେଉଂଠାରେ ଉଦେ ସେହିଟି ଯଶ ପାଇବେ

 

ଉତ୍ତର ଦିଗରୁ ମେଘ ସେ ଘୋଟିବ ଦ୍ରୋଣ ମେଘ ସେହି ଜାଣ

ପିଇଂ ପିଇଂ ପାଣି ବରଷା କରିବ ଅସ୍ଥିର ହେବ ଜୀବନ

ରାତ୍ର ପାଞ୍ଚ ଘଡ଼ିଠାରେ ହେ ଗରୁଡ଼ ଘୋର ପବନ ବହିବ

ଠାବେ ଠାବେ ସବୁ ଅନ୍ଧକାର ହେବ ଘରଦ୍ୱାର ଉଡ଼ିଯିବ

 

 

ଅଣଚାଶ ମୂର୍ତ୍ତୀ ପ୍ରାଏକ ହୋଇଣ ଦକ୍ଷିଣ ଦିଗୁଂ ଆସିବ

ଅପ୍ରମଏ ଜଳ ବରଷା କରିଣ ଥଳକୂଳ ନ ରହିବ

ବିତିପାତ ହେବ ବିନାଶ ଘଟିବ ପୁଣି ହେବ ସବୁ ଥୟ

କିଛି ଦିନ ଅନ୍ତେ ଆସିବେ ପାଦାନ୍ତି କମାଣେ କରି ଅଥୟ

 

ପରକୁ ଚାହିଂ ଛାଡ଼ି ପଳାଇବେ କଣେ ରହି ନ ପାରିବେ

ଦକ୍ଷିଣ ଦିଗରୁ ଶୁଣ ହୋ ଗରୁଡ଼ ଯବନ ଧାଇଂ ପଡ଼ିବେ

ନିଆଂରେ ଅନେକ ଦ୍ରବ୍ୟ ପୋଡ଼ିଯିବ କାହାକୁ ମିଳିବ ନାହିଂ

ଏକ ଦିନକେ ଯେ ଯିବେଟି ତୁରୁକ କହିଲି ତୋତେ ବୁଝାଇ

 

କଟକରେ ଆସି ଯବନ ପଶିବେ ବାରବାଟୀ ଦ୍ୱାରେ ଜାଣ

ଦୁଇ ଘଡ଼ି ସେହୁ ସଂଗ୍ରାମ ଲାଗିବ ଚଣ୍ଡୀଙ୍କ ଅଗ୍ରତେ ପୁଣ

ତାହା ଦେଖି ଦେବୀ ବାଟ ଛାଡ଼ିଦେବେ କିଛି ବହିବ ରୁଧିର

ବାରବାଟୀରେ ଯବନ ପଶିକରି ବୋଲାଇବେ ଦଣ୍ଡଧର

 

ମଦିରା ସଙ୍ଗତେ ଅଭକ୍ଷ ଭକ୍ଷିଣ ନିତ୍ୟ ମତ୍ତ ହେଉଥିବେ

ଦର୍ପି ଯବନ ମିଟି ମିଟି ଚାହିଂଣ ମଦିରା ରସେ ମାତିବେ

ନିରିଦୋଷ ଲୋକଙ୍କୁ ଧରିଣ ଗରୁଡ଼ ଜୀବନେ ନାଶ କରିବେ

ଯମ ପ୍ରାୟ ଫାଶି ଗଳାରେ ଲଗାଇ ଡୋରରେ ନେଇ ବାନ୍ଧିବେ

 

 

ଦେବତା ବ୍ରାହ୍ମଣ କାହାକୁ ନ ମାନି ସବୁ ଏକାକାର ଜାଣ

ସାନ ବଡ଼ ଏକାକାର ସବୁ କରି ମଣନ୍ତି ସର୍ବ ସମାନ

ଠାବେ ଠାବେ ସବୁ ତରକ ଲାଗିବ କହିବା ଫିଟାଇ ତୋତେ

କାହାକୁ ଗରୁଡ଼ି ଫେଡ଼ି ନ କହିବୁ ରଖିଥିବୁ ହୃଦଗତେ

 

ଖଣ୍ଡ ଖଣ୍ଡାୟତ ସବୁକୁ ଆୟତ୍ତ ବଳେ କରିବେଟି ଜାଣ

ଘୋର ସଂଗ୍ରାମ ଉତୁପାତ ଲାଗିବ କହିବା ଏହା ପ୍ରମାଣ

ଖୋରଧା କଟକେ ପଶିବେ ଛଟକେ ରାଉତକୁ ଧରିନେବେ

କଟକରେ ଧରି ରଖିଣ ବନ୍ଦୀରେ ସ୍ୱୟଂସେ ଧନ୍ଦୀ ହୋଇବେ

 

ଦିନା କେତେ ରହି ସେ ଯୁବ ରାଉତ ଉତ୍ତର ଦିଗକୁ ଯିବେ

ଉତ୍ତର ଦିଗରୁ ଫେରିଣ ଗରୁଡ଼ ମୋହ ପାଶକୁ ଆସିବେ

ମୋହ ଛାମୁରେଟି ରହିବେ ରାଉତ ନିତ୍ୟ କରିବେ ଦର୍ଶନ

ମୋହର ଆଜ୍ଞାରେ ଏଠାରେ ରହିବେ ହୋଇ ଭକତି ନିଊନ

 

ଚୌଦ୍ଵାର କିଲ୍ଲା ଠାବରୁ ସେ ଜାଣ ହଂସନାଥଙ୍କର ଯାଏ

ଅଢ଼ାଇ ପୁରୁଷ ଶାସନ ମୁଗଲ ପଥେ ପଥେ ରଣ ମଏ

ବଜ୍ର କବାଟ ବୋଲି ଯେଉଂ ବାଟ କାଳିଆ ଘାଇଟି ସେହି

ଦେଖିବୁ ଗରୁଡ଼ ଯବନ ମରିବେ ସେହିଠାରେ ରୁଣ୍ଡ ହୋଇ

 

 

ରୁଧିର ବହିବ ଆଣ୍ଠୁଏ ବହଳେ ନଦୀ ପାଣି ରଙ୍ଗ ହେବ।

ଧବଳେଶ୍ୱର ଯେ ମହାଦେବ ଠାରୁ ଚିତ୍ରେଶ୍ୱର ମହାଦେବ

ଚଉଦ୍ଵାରଠାରେ ନିଶାଣ ଯେ ୟେକ ୟେକ ରାଜାଏ ପୋତିବେ

କମାଣ ବସାଇ ଗୁଳା ମାରିକରି କିଲ୍ଲାକୁ ଫୁଟାଇ ଦେବେ

 

ବାର ଅଙ୍କରେଟି ଅକାଳ ମରୁଡ଼ି ଦେଶରେ ନିଶ୍ଚେ ପଡ଼ିବ

ଇନ୍ଦ୍ରଙ୍କ ଅନ୍ୟାୟ ବର୍ଷା ଊଣା କରି କୃଷି ହାନି ଯେ ହୋଇବ

ତେର ଅଙ୍କରେ ସେ ତୁରୁକ ଆତଙ୍କ ତେର ଜଣ ଛେଦ ହେବେ

ବ୍ରହ୍ମହତ୍ୟା ସେ ଯେ ଯବନ କରିଣ ପରଜାକୁ ଦୁଃଖ ଦେବେ

 

ଦଶ ସସ୍ର ଚୋର ଧରି ରଖିଥବେ ଦଣ୍ଡ ଦେଉଥିବେ ଜାଣି

ଚୋର ଧରୁଥିବା ଯାଏ ସେ ଯବନ ପୃଥିରେ ରହିବେ ପୁଣି

ଅଥାନୀଯାକ ଯେ ଥାନୀ ବୋଲାଇବେ ଥାନୀ ଅଥାନୀ ହୋଇବେ

ଗୁହାରି କଲେ ସେ କେହି ନ ଶୁଣିବେ ଅଧିକ ମାରୁଣ ଥିବେ

 

ହାହାକାର ଯହୁଂ ହୋଇବ ସଂସାରେ ମାହାଳିଆ ସବୁ ଜାଣ

ପରଦ୍ରବ୍ୟ ଖାଇ ପରକୁ ମାରିବେ ଏହା କଳିଯୁଗର ଭିଆଣ

ତେର ଅଙ୍କ ଯାଇ ଚଉଦ ଅଙ୍କରେ ବୀଜ ମାରିଣି ହୋଇବ

ଘୋର ବୃଷ୍ଟି ପୁଣ ଅକାଳେ କରିଣ କୃଷି କେବେହେଂ ନୋହିବ

 

 

ଦୁର୍ଭିକ୍ଷ ପଡ଼ିବ କୃଷି ସେ ନୋହିବ ରାଜା କର ନ ଛାଡ଼ିବ

ଗଣ୍ଡାକ ବୋଡ଼ିକ ସହିତେ ଧରିଣ ମହାଜନ ନେଉଥିବ

ଆସୁରୀ ମାୟା ଅସୁରଙ୍କ ପ୍ରକୃତି କେହି ନ ଜାଣଇ ପୁଣ

ଏକର କଥା ଆରେକ ନ ଜାଣଇ ତୁରୁକ ଘୋର ପ୍ରମାଣ

 

ଅଭକ୍ଷ ଭକ୍ଷନ୍ତି ଗୋବଧ କରନ୍ତି ନ୍ୟାୟ ଧର୍ମ ଜାଣି ନାହିଂ

ଅସତ୍ୟ କଥାକୁ କେବେ ନ ଛାଡ଼ନ୍ତି ଲକ୍ଷ୍ମୀ ତାଙ୍କୁ ହିଂ ଛାଡ଼ଇ

ଏଣୁ ସେ ଅଥୟ କରିଣ ପ୍ରାଣୀଙ୍କୁ ପୃଥିରେଟି ଦଣ୍ଡଧର

ଚଉଦ ଅଙ୍କ ଉତ୍ତାରୁ ଏମାନ ପନ୍ଦର ଅଙ୍କ ଭିତର

 

ପନ୍ଦର ଅଙ୍କରେ ବିପତ୍ତି ଘଟିବ କାଳ ପଡ଼ିବ ଦେଶରେ

ପନ୍ଦର ଯାଇ ସତର ଅଙ୍କରେ କୃଷି ହୋଇବ ସଂସାରେ

ସତର ଅଙ୍କର ଆଶ୍ୱିନ ମାସରେ ଏକ ଶବଦ ହୋଇବ

ଭୂମିକମ୍ପ ବୋଲି ପରତେ କରିଣ ପୃଥିରେ ହୁରି ପଡ଼ିବ

 

ଭୂମିକମ୍ପ ବୀର କେବେ ସେ ହୋଇବ କହିବି ତୋହ ଆଗର

ଠାବେ ଠାବେ ହରି ଧ୍ୱନି ଯେ ଲାଗିବ ସତର ଅଙ୍କରେ ସାର

ଦିନାକେତେ ଖଳ ନିନ୍ଦିବେ ଗରୁଡ଼ କଳି ଧ୍ୱନି ହେବ ଜ୍ଞାନ

ଝିଙ୍କାରି ବୋଲିଣ ଏକ ଜାତି ପୋକ ଶୁନ୍ୟରେ ଉଡ଼ି ଆସିଣ

 

 

ଅଠର ଅଙ୍କରେ ବିନତା ନନ୍ଦନ ବିଚାର ରହିବ ନାହିଂ

ନିଊନ ଦୁଃଖ ଯେ ଜନମାନଙ୍କୁ କେହିଟି ଚାହିଂବେ ନାହିଂ

ଅତି ନିରାଶ ପ୍ରାଣୀମାନେ ହୋଇବେ ଦୟାପଦ ନ କହିବେ

ଲୋଭୀକ ହୋଇଣ ସଂସାରେ ଅନେକ ଚବିଶ ଅଙ୍କେ ମରିବେ

 

ଊଣାଇଶ ଅଙ୍କେ ଶୁଣ ହୋ ଗରୁଡ଼ ଧୂମ ଘୋଟିଣ ପଡ଼ିବ

ପଶ୍ଚିମ ଦିଗରେ ପାଞ୍ଚ ଘଡ଼ିଠାରେ ଶୂନ୍ୟରୁ ଖସି ଆସିବ

ସେହିଠାରୁ ଜାଣ ଜଳର କଷଣ ହୋଇବ ଦିନକୁ ଦିନ

ବିଦେଶରୁ ଆସି ଓଡ଼ିଶାରେ ଜନେ ବୋଲାଇବେ ମହାଜନ

 

ଏକୋଇଶ ଅଙ୍କେ ଏକୁ ଆରେକ ଯେ ସନ ଅଙ୍କ ସମତୁଲ

ପଶ୍ଚିମ ଦେଶରେ ଭୂମିକମ୍ପ ହେବ ଶିଶିର ମାସରେ ମୂଳ

ଏକୋଇଶ ଯାଇ ବାଇଶି ଅଙ୍କରେ ଜଳ ବରଷି ଗହଳ

ଚବିଶ ଅଙ୍କରେ ଗୁପତ ମାରଣ ଶୁଣ ବିନତାର ବାଳ

 

ଚବିଶଠାରୁ ଅଣତିରିଶ ଯାଏ ପ୍ରମାଦ ଅଛି ଅପାର

ତଦନ୍ତରେ କିଛି ବରଷ ଗଲେକ ତେଣିକି ଭଲ ସଂସାର

ଅଣଚାଳିଶ ଅଙ୍କରେ ହୋ ଗରୁଡ଼ ମୋହ କଳକୀ ଭିଆଣ

ସାକ୍ଷାତରେ ମୁହିଂ ଅବତାର ହେବି ଏକଥା କର ଧିଆନ

 

 

ନୀଳକେଶ୍ଵର ବୋଲିଣ ସେ ରାଜା ବଟେ ପାଟି ବନ୍ଧାଇବ

ଭୁବନେଶ୍ୱର ବିନ୍ଦୁ ସରୋବରୁ ଖଣ୍ଡା ବାହାର ହୋଇବ

ତେର ଅସୁଆର ସଙ୍ଗତରେ ଥିବେ ଉଗାଳିବା କେହି ନାହିଂ

ଦୁଷ୍ଟଯାକ ସବୁ ବିନାଶ ହୋଇବେ ସନ୍ଥକୁ ରଖିବି ମୁହିଂ

 

ଚିତ୍ରୋତ୍ପଳା ଅଭିଷେକ ହୋଇବେ ସେ କେଶରୀ ରାଜନ ଜାଣ

ଯବନଯାକ ଯେ ସାଧନ ହୋଇବେ କାଳିଆ ଘାଇରେ ପୁଣ

ଅଶୀ ସହସ୍ର କାଠ ମାଳିଆ ଯେ ମାଳ ମାଳ ଗଦା ହେବେ

ଏକାକ୍ଷର ଯେଉଂ ଜନ ଯେ କହିବେ ସେହୁ ପ୍ରଚ୍ଛନ୍ନେ ରହିବେ

 

ଶ୍ରୀକୃଷ୍ଣ ବଚନ ଶୁଣିଣ ଗରୁଡ଼ ବୋଲଇ ଶୁଣ ଶ୍ରୀହରି

ଏକାଏ ସଂଶୟ ଲାଗିଲାକ ମୋତେ କହିବା ହେ ଚକ୍ରଧାରୀ

ସାକ୍ଷାତରେ କି ଅବତାର ହୋଇବ ନୀଳାଞ୍ଚଳ ଛାଡ଼ି ସ୍ଥାନ

ଏକଥା ଗୋଟିକ ଫିଟାଇ କହିବା ଶୁଣି ହୋଇବି କାରଣ

 

ବାଆସ୍ତରି ଗଣ୍ଡା ଯୁଗ ଭୋଗ ହେଲେ ବ୍ରହ୍ମାକୁ ଘଡ଼ିଏ ଜାଣ

ଏହି ବର ମାଗେ ଶଏଟି ବରଷ ବ୍ରହ୍ମାଙ୍କ ଆୟୁଷ ଗଣ

ଏହି ରୂପେ କେତେ ବ୍ରହ୍ମା ନାଶଗଲେ ବିଷ୍ଣୁ ପ୍ରଳୟ ହୁଅଇ

ପ୍ରଳୟ ହୋଇଲେ କଳ୍ପବଟ ପୁଣି ଏହି ନୀଳାଞ୍ଚଳ ଥାଇ

 

 

ଏହି ରୂପେ ନୀଳଗିରିର ମହିମା ଯୁଗେ ଯୁଗେ ମୋର ନାଟ

ମୋହ ତେଜ ଘେନି ଏକଇ ରାଉତେ ବଟରେ ବାନ୍ଧିବ ପାଟ

ଯାଜପୁରଠାରେ ବଇତ୍ରଣୀ କୂଳେ ଅଶ୍ଵ ଉପରେ ଚଢ଼ିବେ

ଖଣ୍ଡା କରେ ଧରି ଦୃଷ୍ଟଙ୍କୁ ନିବାରି ସନ୍ଥକୁଟି ଉଧାରିବେ

 

ମୁଗଲ ଜାତିର ଏକଇ ରାଜନ ପଶ୍ଚିମୁ ସେହି ଆସିବ

ଶ୍ରାବଣ ମାସରେ ଲକ୍ଷ ଲକ୍ଷ ଅଶ୍ୱ ଘେନି କଟକେ ପଶିବ

ଏକାଙ୍ଗ ହୋଇଣ ମଉନେ ରହିବେ ନାମ ମଉନାଥ ଜାଣ

ଗୁହାରିକଲେ କେହି ନ ଶୁଣିବେ ଅଧିକେ ମାରିବେ ପୁଣ

 

ଅଜାତି ଜାତି ଏକାକାର କରିଣ ଜାତି ଅଜାତି କରିବ

ତାଙ୍କୁ ମାରିବାକୁ କେହିଟି ନଥିବେ ମୁହିଂ ସଂହାରିବି ଧ୍ରୁବ

ଦୋଷୀକୁ ଦଣ୍ଡ ସେ ମୁହିଂ ଦିଅଇ ମୁହିଂ ପାଳଇ ସଂସାର

ମୋହ ଭଗତଙ୍କ ଅପରାଧ ଯେଉଂ ନିବାରେ ଚକ୍ର ମୋହର

 

ଚବିଶ ଅଙ୍କରେ ଚାମଣ୍ଡା ମାତିବେ ଯୋଗ୍ନୀଗଣ ସହିତେଣ

ଅଣତିରିଶେ ନିଶୋଧନ ହୋଇବେ ଯେତେ ଥିବେକ ଯବନ

ତୁ ଯେଣୁ ଭଗତ ପଚାରିଲୁ ତତ୍ତ୍ୱ କହିଲଇଂ ମୁହିଂ ତୋତେ

ଗୁପତେ ରଖିବୁ କାହିଂ ନ କହିବୁ ମୋହର ରାଣଟି ତୋତେ

 

 

କପଟିଆ ଦାସ ଅନେକ ମରିବେ କଳିଆ ହୋଇବେ ନାଶ

ଲମ୍ପଟିଆ ଦାସ ଅନେକ ମରିବେ ଶୁଣ ବିନତାର ଶିଷ୍ୟ

ଧୂଆଂ ଖିଆ ଦାସ ଅନେକ ମରିବେ ପରହିଂସୁକେ ମରିବେ

ନିର୍ଦ୍ଦୋଷ ଜନକୁ ଯେହୁ ସେ ମାରନ୍ତି ସେହିମାନେ ନାଶଯିବେ

 

ବିରୂପା ବୋଲିଣ ଯେଉଂ ନଦୀ ସେହୁ ସିଦ୍ଧ ସ୍ଥାନଟି ଅଟଇ

ପର୍ବତ ଶିଖରେ ଜଳ ରହିଅଛି ପ୍ରଦ୍ମେକ ଫୁଟିବ ତହିଂ

ସେ ପଦ୍ମ ଫୁଟିଣ ଥିଲେ ହୋ ଗରୁଡ଼ କେହି ଦେଖି ନ ପାରନ୍ତି

ଅନେକ ସାଧୁ ସିଦ୍ଧମାନେ ମିଳିଣ ନାମ କୀର୍ତ୍ତନ କରନ୍ତି

 

ମଞ୍ଚେଶ୍ଵର ବୋଲି ଯେଉଂ ଗିରିବର ଉତ୍ତରାଙ୍ଗୀ ଧାର ତହିଂ

ସେହିଠାବରୁ ହିଂ ବନ୍ଧ ସେ ଫାଟିବ ତ୍ରିବେଣୀଶ୍ୱରକୁ ଧାଇଂ

ଚହଳ ପଡ଼ିବ ତହୁଂ ହୋ ଗରୁଡ଼ ତ୍ରିବେଣୀ ଧାର ହୋଇବ

ଚବିଶ ଅଙ୍କରେ ଭାଦ୍ରବ ମାସରେ କୁଶଇ ଧାର ଫିଟିବ

 

ମହାନଦୀରୁ ଫିଟିବ ସେ ଧାର କୁଶଇ ହୋଇବ ନାମ

ନଦୀଏ ଫିଟିଣ ଆରକେ ଆସିବ କୁଣ୍ଡି କଟକେ ସଙ୍ଗମ

ଅବଶ୍ୟ ଏକଥା ହୋଇବ ସେଦିନ ଚବିଶଠାରେଟି ଜାଣ

ଅଣଚାଳିଶ ଅଙ୍କରେ ହୋଇବ ମୋହ କଳକୀ ଭିଆଣ

 

 

ଏରୂପେ ଏଠାରେ ହେବ ହୋ ଗରୁଡ଼ ଏଥିରେଟି ଭୁଲ ନାହିଂ

ମୁଂ ଯାକୁ ରଖିବି ସେହିଟି ରହିବ କହିଲୁ ତୋତେ ଫିଟାଇ

ମୋହ ଭଗତଙ୍କ ଧନ ଏ ଅଟଇ ଭକ୍ତଙ୍କ ସଙ୍ଖାଳି ପୁଣ

ମୂର୍ଖ ପାଷାଣ୍ଡକୁ କେବେ ନ କହିବୁ କହିଲେ ଅପ୍ରାଧ ଜାଣ

 

ଏକଥାଟି ଅତି ଗୁପତ ବ୍ରହ୍ମଜ୍ଞାନ ଅଛି ତହିଂ ସାରସ୍ୱତ

ବ୍ରାହ୍ମଣ ପୂଜିଲେ ଜାଣି ନପାରିବେ ଗୁପତ ରଖ ନିୟତ

ଗରୁଡ଼ ଶ୍ରୀକୃଷ୍ଣ ଏମନ୍ତ ସମ୍ବାଦ ଶୁଣିଲେ ପାପ ନାଶଇ

ସନ୍ଥଜନେ ଏହା ଗୁପତେ ରଖିବ ହୀନ ଅଚ୍ୟୁତ କହଇ

 

ଇତିଶ୍ରୀ ମହା ଆଗତ ଭବିଷ୍ୟ ମାଳିକା କଥନେ

ଶ୍ରୀକୃଷ୍ଣ ଗରୁଡ଼ ସମ୍ବାଦେ ନାମ ଷଷ୍ଠ ଅଧ୍ୟାୟଃ

 

ସପ୍ତମ ଅଧାୟ

 

କଳି ଯୁଗରେ କଳ୍‌କୀ ଅବତାର ମ୍ଳେଚ୍ଛ ନିବାର କାରଣ

ସାନକୁ ବଡ଼ ବଡ଼କୁ ସାନ କରିପାର ହୋ ଗୋସାଇଂ ସୁଜାଣ

ତୁମ୍ଭ ଇଚ୍ଛା ଯେବେ ନୋହନ୍ତା ଗୋସାଇଂ ଯବନ ଆସନ୍ତା ମହୀ

ଏବେ ଏଣିକି କେମନ୍ତ ହୋଇବ ତାହା କହିବା ବୁଝାଇ

 

ଏବେ ଶୁଣିଲେ ମୁକତି ଲଭିବି ହେତୁ ରହିଥିବ ମୋର

ଆଉ କେଉଂ କଥା କରିବ ଗୋସାଇଂ ଶୁଣି ହୋଇବି ନିସ୍ତାର

ତୁହି ସେ କାରଣ ତୁହି ସେ ବିଧାନ ସବୁ ତୁମ୍ଭର ଭିଆଣ

ନ ହେଲା କଥା କରିପାର ଗୋସାଇଂ ତୁମ ବିନା ନାହିଂ ଆନ

କଳିଯୁଗରେ ଯେଉଂ ଲୀଳା ତୁମ୍ଭର କହି ଆରତନାଶନ

ଗରୁଡ଼ ମୁଖରୁ ଏମନ୍ତ ଶୁଣିଣ ବୋଲନ୍ତି ରମା ରମଣ

ଧନ୍ୟ ଗରୁଡ଼ ତୁ ଭଲା ପଚାରିଲୁ କହିବା ତୋହ ଆଗର

ଆଗତ ଭବିଷ୍ୟ ପ୍ରସଙ୍ଗ କହିବା ଶୁଣ ବିନତା କୁମର

ଅଣଚାଳିଶ ଭିତରେଟି ସଂସାରେ ସବୁ ଉତ୍ପାତ ଲାଗିବ

ଭଲ ଭଲ ଲୋକେ ଅକର୍ମ କରିବେ କୁଳ ଆଚାର ନଥିବ

ଭୁବନେଶ୍ୱରରେ ଭୈରବୀ ଡାକିବ ନିଶା ଅଧରେଟି ପୁଣ

ବାସୁଆ ବଳଦ ଉଭା ହୋଇଥିବ ବିରଜା ନାମ ଧରିଣ

ତିନି ଡାକରେ ଉଚ୍ଚାଟ ହେବେଟି ବଳେ ହୋଇବେ ବାହାର

ଖଣ୍ଡା ଖପର କରେ ଧରିବେ ଯୋଗ୍ନୀ ଥିବେ ସଙ୍ଗତର

ଦଶାଶନି ଘାଟ ଦେବୀ ଜଗିଛନ୍ତି ବରାହୀ ଦେବୀ ସେ ଯହିଂ

ସେହି ଠାବରେ ଦେବୀ ଉଭା ହୋଇବେ ଉତ୍ତର ଦିଗକୁ ଚାହିଂ

ସେହି ଡାକ ଜାଣ ଯେତେ ପାପୀଜନ ଶ୍ରବଣରେ ପଡ଼ିଯିବ

ଅକାଳ ମରଣ ହୋଇବ ତକ୍ଷଣି ଧରଣୀ ଭାରା କମିବ

ଏମନ୍ତ ବଚନ ଶୁଣିଣ ଗରୁଡ଼ କର ପତ୍ର ଯେ ଯୋଡ଼ିଲା

କଥାୟେ ସଂଶୟ ଲାଗିଲା ଗୋସାଇଂ ପଦ୍ମପାଦେ ଜଣାଇଲା

ଭୈରବୀ ଡାକରେ ବ୍ରହ୍ମାଣ୍ଡ କମ୍ପିବ ଦେବୀ ଆସ୍ଥାନ ଛାଡ଼ିବ

ସେ ଡାକ ସମସ୍ତ ଜନକୁ ଶୁଭିବ ହେତୁ ଆଉ ନ ରହିବ

ଏକଥା ସନ୍ଦେହ ଲାଗିଲା ଗୋସାଇଂ ତେଣୁ ଜଣାଉଛି ମୁହିଂ

କରପତ୍ର ଯୋଡ଼ି ଆଗେ ଜଣାଇଲା ମାନବେ ରହିବେ କାହିଂ

ଏହା ଫିଟାଇ କହିବା ନାରାୟଣ ମାନବେ କିଏ ରହିବେ

ବିଶ୍ୱାସଘାତକୀ ଅଘୋରୀ ପାତକୀ ଦୁଷ୍ଟଯାକ ନାଶଯିବେ

ହିଂସୁକ ମରିବେ କେହି ନ ରହିବେ ଶୁଣ ବିନତାର ବସି

ଆଉ କେଉଂ କଥା ଯେମନ୍ତ ବ୍ୟବସ୍ଥା ତାହା କରିଦେବା ବାଛି

ଯାଜପୁରଠାରୁ କ୍ଷେତ୍ରବର ଯାଏ ଠିକେ ଠିକେ ଦେଲି କହି

ଯେଉଂଠାରେ ମୋର ଭକ୍ତଗଣଛନ୍ତି କହିଦେଲୁ ତୋତେ ଫେଇ

ଲେମ୍ବାଳ ବଟ ପାଖରୁ ପୁଣ ଯେ ଜଳୁକା ଗିରି ସହିତେ

ମହାନଦୀ କୂଳ ହଂସନାଥ ଠାବୁ ଖଣ୍ଡଗିରି ପରିଯନ୍ତେ

ଠାବେ ଠାବେ ଭକ୍ତଗଣ ସବୁଛନ୍ତି କାଳ ପଶି ନପାରଇ

ଯାଜପୁରଠାରୁ ଲୋକନାଥ ଯାଏ ମୁହିଂ ସବୁଠିଂ ଅଛଇ

କ୍ଷେତ୍ରର ମହିମା କି ଦେବା ଉପମା ସାକ୍ଷାତେଟି ସର୍ବ ସାର

ଏହି ରୂପେ ଯୁଗେ ଯୁଗେ ମୁଂ ରହିଛି ଏହି ନୀଳଗିରି ମୋର

 

ଯୁଗେ ଯୁଗେ ତୁହି ଅଛୁ ମୋତେ ବହି ତୋଠାରୁ ବଡ଼ କେ ନାହିଂ

ତୁହି ନିଜ ଅଙ୍ଗ ଅଟୁ ହୋ ମୋହର କହିଲି ତୋତେ ଫିଟାଇ

ଗୁପତେ ରଖିବୁ କାହିଂ ନ କହିବୁ ପ୍ରଘଟ ନ କରି ବୀର

ଅନାଗତ କଥା ନିଶ୍ଚଳେ ଜାଣିଥା ରଖିଥିବ ନିଛିପର

 

ଅମୂଲ୍ୟ ପଦାର୍ଥ ରତ୍ନନିଧି ସାର ମୋହ ଶ୍ରୀମୁଖ ବଚନ

ଯେ ଜନ ଏହାକୁ ଶୁଣି ହାସ୍ୟ କରେ ଚକ୍ରେ ହେବେ ସେ ନିଧନ

ପାଷାଣ୍ଡ ଜନକୁ କେବେ ନ କହିବୁ କହିବୁ ସୁଜନ ମେଳେ

ମୋହ ଭକ୍ତ ଯେ କି ଧନଟି ଅଟଇ ଯେହୁ ସମ୍ଭାଳିଣ ପାରେ

 

କୁଜ୍ଞାନ ନୁହଇ ସୁଜ୍ଞାନକୁ ଧ୍ୟାଇ ଶୁଦ୍ଧ କରେ ନିଜ ଅଙ୍ଗ

ପୂର୍ବର ବାସନା ଯାହାରଟି ଥାଇ କରୁ ଥାଏ ସାଧୁ ସଙ୍ଗ

ଭକ୍ତମାନେ ମୋତେ ନିତ୍ୟ ଭଜୁଥାନ୍ତି ମୋହ ପାଦେ ମନ ଦେଇ

ନିରୋଳେ ଭଜନ୍ତି କାହିଂ ନ କହନ୍ତି ମଉନେ ଥାନ୍ତିଟି ରହି

 

ମୋହର ମହିମା ମୋ ଭକ୍ତେ ଜାଣନ୍ତି ଅନ୍ୟ ଭେଦି ନପାରଇ

ତୁ ଯେଣୁ ଭକତ ବିନତା ନନ୍ଦନ କହିଲି ତୋତେ ବୁଝାଇ

ନିର୍ମଳ ଭକ୍ତିରେ ଯେ ମୋତେ ପୂଜଇ ଭକତ ମଧ୍ୟରେ ସାର

କଳ୍ପଣା ଲଗାଇ ମେରୁ ତୁଲ୍ୟ ଦେଲେ ନକରଇ ଅଙ୍ଗୀକାର

 

 

ଅଭାବକୁ ଦୂର ଭାବକୁ ନିକଟ ଭାବରେ ବଶ ମୁଂ ହୋଇ

ମୋର ଭକ୍ତଠାରେ ଯେ ଜନ ପୀଡ଼ଇ ମୁହିଂ ତାହା ନ ସହଇ

ଯେତେବେଳେ ଭକ୍ତ ମୋ ନାମ ଭଜନ ଓଂ କାର ଅକ୍ଷର ଧରି

ମୋର ଗୀତା ପଠନରେ ଜାଣ ତାର ପାପ ସବୁକୁ ନିବାରି

 

ମିତ୍ର ଶତ୍ରୁ ବୋଲି କ୍ଷଣେ ନ ଚିନ୍ତଇ ଚକ୍ରରେ ମୁହିଂ ନିବାରି

କ୍ଷଣେ ଭକ୍ତ ଦୁଃଖ ସହି ନ ପାରଇ କହିଲି ସୁଦୃଢ଼ କରି

ଏ ବାଣୀଟି ଘୋର ବଡ଼ ହିଂ ଦୁସ୍ତର ବୁଝାଇ କହିଲି ତୋତେ

ଗୁପତେ ରଖିବୁ କାହିଂ ନ କହିବୁ ଏକାନ୍ତରେ ହୃଦଗତେ

 

ଦେବୀ ଚାମୁଣ୍ଡା ଯୋଗ୍ନୀ ଯେ ମୋଡ଼ିବେ ଘୋର ସଂଗ୍ରାମ ହୋଇବ

ଅଣଚାଳିଶ ଅଙ୍କରେ ହୋ ଗରୁଡ଼ କଳି ଉତ୍ପାତ ସରିବ

ଚବିଶ ଠାରୁ ଅଣଚାଳିଶ ଯାଏ ନିଗମ ମାରୁଣୀ ହେବେ

କାଠମାଳିଆ ଦାସ ଯେ ଅନେକ ମରିବେ ହାଣ ଖାଇବେ

 

ଅଣଚାଳିଶ ଅଙ୍କେ ଯେ କେଶରୀ ପାଟେ ଅଭିଷେକ ହେବ

ସେଠାରୁ ତେଣିକି ଜାଣିବୁ ଗରୁଡ଼ କଳି ଉତ୍ପାତ କମିବ

ଏମନ୍ତ ଶୁଣିଣ ବିନତା ନନ୍ଦନ ଚରଣ ତଳେ ପଡ଼ିଲା

ନିସ୍ତରିଲି ବୋଲି କରପତ୍ର ଯୋଡ଼ି ଶୋକଭରେ ସେ କାନ୍ଦିଲା

 

 

ଗରୁଡ଼କୁ ହରି କୋମଳେ ବୁଝାଇ ଦେଉଳକୁ ବିଜେକଲେ

ସନ୍ଥ ଜନଙ୍କ ହିତରେ ଶ୍ରୀହରି ଗରୁଡ଼ ଆଗେ କହିଲେ

ଶୁଣିଲା ଅଚ୍ୟୁତ ଶ୍ରୀକୃଷ୍ଣଙ୍କ ଭୃତ୍ୟ ଜନ୍ମେ ଜନ୍ମେ ମୁଂ ଅଟଇ

ସନ୍ଥ ଜନଙ୍କ ହିତରେ ଉଚାରିଲି ଦୟାକଲେ ଲକ୍ଷ୍ମୀସାଇଂ

 

ଆହେ ସନ୍ଥଜନ ଶୁଣ ମୋ ବଚନ ଗୁପତ ପ୍ରଘଟ ଧ୍ୟାନ

ଅଜ୍ଞାନୀ ଜନକୁ କେବେ ନ କହିବ କହିଲେ ଅପ୍ରାଧ ପୁଣ

ଗାଦିରେ ରଖିବ ନିତ୍ୟ ପୂଜୁଥିବ ବ୍ରହ୍ମଜ୍ଞ ମାନେହିଂ ଜାଣ

ନାରୀମାନେ ଏହି ଭଜନ ପଢ଼ିବେ ଶୁଣିବେଟି ବୃଦ୍ଧ ଜନ

 

ମହାଘୋର ଏଟି କଳିର ଦୁସ୍ତର ହରି ଆଶ୍ରେ କର ନର

ଶ୍ରୀକୃଷ୍ଣ ପାଦରେ ଚିତ୍ତ ଦେଇଥିଲେ ଘରେ ନ ପଶିବ ଚୋର

ଶ୍ରୀକୃଷ୍ଣ ଗରୁଡ଼ ସମ୍ବାଦ ଶୁଣିଲେ ସକଳ ଦୁରିତ ନାଶ

ସନ୍ଥଜନ ହିତେ ଶ୍ରୀହରି କୃପାରେ କହଇ ଅଚ୍ୟୁତ ଦାସ

 

ଇତିଶ୍ରୀ ମହା ଆଗତ ଭବିଷ୍ୟ ମାଳିକା ସହାଜୟେ ସମ୍ପୂର୍ଣ୍ଣ

 

ଭବିଷ୍ୟ ପୁରାଣ ବା କଳ୍ପଟୀକା

ପ୍ରଥମ ଅଧ୍ୟାୟ

 

ଶୁଣ ରାମ ଦାସ କହିବା ତୋତେ

ଭବିଷ୍ୟ ପୁରାଣ ଅତି ଗୁପତେ

ଅତିହଂ ଗୁପତୁଂ ଗୁପତ ଏହି

ତୋତେ କହଇ ହେତୁ ଦିଅ ତୁହି

 

ନୀଳାଦ୍ରି ଛାଡ଼ି ପ୍ରଭୁ ପୀତବାସ

ମଞ୍ଚରେ ଜନ୍ମ ଲଭିବେ ଅବଶ୍ୟ

ଗୁଣରେ ଭେଦି ଭେଦି ଅଙ୍କେ ଜାଣ

ଦେଲେ ଯେତେ ସାଲ ହେଲା ପ୍ରମାଣ

 

ଏହି ସାଲରେ ପ୍ରଭୁ ଜନମିବେ

ଅଙ୍କ ପ୍ରମାଣ ଯେ କହିଲୁ ଏବେ

ବିଂଶ ରେବ ଅଙ୍କ ଯେବଣ ଦିନ

ଇନ୍ଦୁ ପରେ ବିନ୍ଦୁ ଉଦେ ଗଗନ

 

ୟେମନ୍ତ ଲକ୍ଷଣ ଦେଖିବୁ ଯେବେ

ପ୍ରଭୁ ଜନମ ହୋଇଥିବେ ତେବେ

ରାମ ଦାସ ଶୁଣି ବୋଲଇ ପୁଣି

ଶୁଣିମା ହେ ପ୍ରଭୁ ଶିଖର ମଣି

ତୁମ୍ଭେ ଈଶ୍ଵର ମୋର ଗୁରୁଦେବ

ଫେଡ଼ିବା ପ୍ରଭୁ ୟେଥିର ଯେ ଭାବ

ଏହୁ ଆଜ୍ଞା ମୋତେ କରିବା ଗୁରୁ

ସର୍ବ ସଂଶୟେ ମୋ ମନରୁ ହରୁ

ରାମ ଦାସ ବାଣୀ ଶୁଣି ଅଚ୍ୟୁତ

କରନ୍ତି କଳି ଭବିଷ୍ୟ ବ୍ୟକତ

ଉତ୍ତର ଦେଶ ହଟକିଶୋରରେ

ପ୍ରଭୁ ଜନ୍ମିବେ ମହୁରା ଗ୍ରାମରେ

ମୁହୂର୍ତ୍ତୀ ମହୁରା ସେ ଗ୍ରାମ ନାମ

ଉତ୍ତର ପ୍ରଦେଶ ବୋଲିଣ ଜାଣ

ଝଟକେଶ୍ଵର ରାଜ୍ୟ ସେହୁ ବୋଲି

ଚକ୍ରଧର ଚକ୍ରବର୍ତ୍ତୀ ବୋଇଲି

ସେ ରାଜା ଅଟଇ ଅତି ଭକତ

ଭକ୍ତିଭାବରେ ପ୍ରଭୁ ହେବେ ଜାତ

ମୁହୂର୍ତ୍ତୀ ମହୁରା ଗ୍ରାମ ମଧ୍ୟରେ

ବିପ୍ର ୟେକ ଥାଇ ବହୁ ଦୁଃଖରେ

 

 

ବାଳେକ କାଳୁଂ ଭିକ୍ଷୁକ ଅଟଇ

ବହୁ ଶ୍ରମରେ ଦିନମାନ ନେଇ

ଅନନ୍ତ ପଣ୍ଡା ଯେ ତାହାର ନାମ

ତା ଘରେ ଯେ ପ୍ରଭୁ ହୋଇ ଜନମ

 

ତା ପତ୍ନୀ ନାମ ଅଟେ ପଦ୍ମାବତୀ

ତାର ଗର୍ଭରେ ହେବେ ଉତପତ୍ତି

କରେ ଶଙ୍ଖଚକ୍ର ଚିହ୍ନ ସେ ଥାଇ

ଉଦୟେ ଭଗତ ଦେଖିବେ ଯାଇଂ

 

ଉତ୍ତର ପାରୁଶେ ଗୃହ ଅନ୍ତରେ

କଦମ୍ବ ବୃକ୍ଷେକ ଥିବ ସେଠାରେ

ଦକ୍ଷିଣ ପାରୁଶେ ପିପଲ୍ଲ ବୃକ୍ଷ

ନିଶ୍ଚୟ ତହିଂଟି ହେବ ପ୍ରତ୍ୟକ୍ଷ

 

ଉଦୟେ ବେଳକୁ ବୃକ୍ଷ ସଂକେତ

ବ୍ରହ୍ମତତ୍ତ୍ୱେ ଥିବେ ଯେତେ ଭଗତ

ସଂକେତ କରିଣ ଚିହ୍ନିବେ ସେହୁ

ସଂସାରେ ଆନ ନ ଜାଣିମେ କେହୁ

 

ମୋହ ମହୁରା ଦକ୍ଷିଣରେ ଜାଣ

କର୍ଣ୍ଣାଟ ଦେଶ ଯେ ତାହାର ନାମ

ସେ ଦେଶେ ପଦ୍ମ କେଶରୀ ନୃପତି

ବଳଦେବ ତହିଂ ହେବେ ଉତ୍ପତ୍ତି

 

ଗୋ-ଖୀର ବର୍ଣ୍ଣ ଶୋହୁଥିବ କାୟ

ନାମ ହୋଇଥିବ ଯେ ଅନାମୟ

ଗୃହ ପଶ୍ଚିମ ଭାଗେଣ ଯେ ଜାଣ

ନିମ୍ବ ବୃକ୍ଷେକ ତହିଂ ଥିବ ପୁଣ

 

ଏମନ୍ତେ ସଂକେତେ ଭଗତ ଥିବେ

ଚନ୍ଦ୍ରମଣି ରୂପ ତେବେ ଚିହ୍ନିବେ

ଅନନ୍ତ କେଶରୀ ନାମ ଶ୍ରୀହରି

ବଳଦେବ ନାମ ଚନ୍ଦ୍ର ଶେଖରୀ

 

ଏମନ୍ତେ ରୂପ ହୋଇ ଦୁଇଜଣ

ପ୍ରକାଶ ହୋଇଥିବେ ତହିଂ ପୁଣ

ସତର ଅଙ୍କରେ ଖଣ୍ଡଗିରିରେ

ଗୋପନେ ରହିବେ ଆସି ସେଠାରେ

 

ଲଲାଟ କେଶରୀ ନୃପତି ଜାଣ

ଦେଖିବ ତହିଂ କଳଂକୀ ବଦନ

ଶିଖର ଦାସ ଯେ ଅତି ଭଗତ

ଖଣ୍ଡଗିରିରେ ସେ ଥିବେ ଗୁପତ

 

ନୀଳ ଧବଳ କଳଂକୀ ରୂପକୁ

ଦେଖିବେ ଆପେ ସ୍ଵରୂପ ପ୍ରଭୁଙ୍କୁ

ଅନ୍ଧପଟଳ ତାହାର ଫିଟିବ

ଅନନ୍ତ କେଶରୀ ରୂପ ଦେଖିବ

 

କୋଟିଏ ଭକ୍ତ ଯେ ଖଣ୍ଡଗିରିରେ

ଥିବେ ସେ ଗୁମ୍ଫା ଖୋଲର ମଧ୍ୟରେ

ଅଠର ଅଙ୍କ ଫାଲ୍‌ଗୁନ ମାସରେ

ନିର୍ଘାତ ହେବ ପଶ୍ଚିମ ଦେଶରେ

 

ଇନ୍ଦ୍ର ଅପାଳକ ହେବ ଯେ ଜାଣ

ଜନେ ବଞ୍ଚିବେ ବହୁତ କଷ୍ଟେଣ

ଓଡ଼ିଶା ଠାରୁ ବଙ୍ଗଦେଶ ଯାଏ

କାର୍ତ୍ତିକ ମାସ ନିର୍ଘାତ ପରାୟେ

 

 

ଏକଥା ହେବ ନିଶ୍ଚୟ ଅବଶ୍ୟ

ହେଜି କହିଲୁ ଶୁଣ ରାମ ଦାସ

ଯେବେ ଏ ସଂକେତ ପ୍ରମାଣ ହେବ

ପରୀକ୍ଷା ବେଳ ନିଶ୍ଚୟ ଜାଣିବ

 

ଜନ୍ମ ହୋଇଥିବେ ଶ୍ରୀ ବାସୁଦେବ

ଭକତଙ୍କ ଲୀଳା ତହିଂ ହୋଇବ

ବ୍ରହ୍ମ ଏକାକ୍ଷର ଭଜନ ଭକ୍ତେ

ସପ୍ତ ଏକାକ୍ଷର ଜାଣିମେ ଚିତ୍ତେ

 

ବ୍ରହ୍ମ ଗୁଣାଣ ଆଦି ତତ୍ତ୍ୱମାନ

ଅଣସାଧନେ ଚିତ୍ତକୁ ଭରିଣ

ୟେମନ୍ତେ ଥିବେ ଯେତେକ ଭକତ

ଉନବିଂଶରେ ମିଳିବେ ସମସ୍ତ

 

ପଦ୍ମେକ ଭକତ ହୋଇବେ ମେଳ

ପରୀକ୍ଷା ହେବ କୁମ୍ଭ ମାସ କାଳ

ପୂର୍ଣ୍ଣମୀ କଳାଠାରୁ ସପ୍ତଦିନ

ଏକାକ୍ଷର ମନ୍ତ୍ର ହେବ ପ୍ରଚ୍ଛିନ

 

 

ନବମୀଠାରୁ ତୃତୀୟାର ଯାଏ

ଏମଧ୍ୟେ ପରୀକ୍ଷା ହେବ ଥୋକାଏ

ଖଣ୍ଡଗିରିରୁ ତାମ୍ରକୋଟ ଯାଏ

ପରୀକ୍ଷା ଏଥି ହୋଇବ ନିଶ୍ଚୟେ

 

ଓଡ଼ିଶା ରାଜ୍ୟ ପାଣ୍ଡେବ ମଣ୍ଡଳ।

ଏ ପୁର ମଣ୍ଡଳ ଆଦି ସକଳ

ଅନନ୍ତ ମଣ୍ଡଳଠାରୁ ଯେ ଜାଣ

ବିରଜାଇ ବିମଳା ଆଦି ପୁଣ

 

ଏତେ ମଣ୍ଡଳ ଭକତ ଯେତେକ

ମେଳ ହୋଇବେ ଖଣ୍ଡଗିରି ପାଖ

ଏ ମାସେ ଭଗତ ପରୀକ୍ଷା ଜାଣ

ଶିଖର ଦାସେ କରିବେ ପ୍ରମାଣ

 

ବ୍ରହ୍ମାନନ୍ଦ ଯେ ଅଧିକାରୀ ତହିଂ

ଡାକୁଣଥିବେ ଭକ୍ତ ନାମ ରାଇ

ତାହାଙ୍କ ଜନ୍ମ ଜରିଆ ଗ୍ରାମରେ

ସତ୍ୟେ ଗୁପ୍ତ ବ୍ରହ୍ମା ନାମ ତାହାରେ

 

 

ତ୍ରେତୟାରେ ଯେ ସେହି ସୁଗ୍ରୀବର

ଦ୍ଵାପରେ ସୁରଥ ନାମ ତାହାର

କଳିରେ ତାର ବ୍ରହ୍ମାନନ୍ଦ ନାମ

ଜନମ ସେହୁ ଜରିଆ ଗ୍ରାମେଣ

 

ପିତାର ନାମ ଯେ ମୁକୁନ୍ଦ ହୋଇ

ମାତାର ନାମ ପାର୍ବତୀ ଅଟଇ

ଗୃହର ଅନ୍ତରେ ଏକଇ ଦ୍ରୁମ

ବୃକ୍ଷର ନାମ ଉଦୁମ୍ବର ଘେନ

 

ଭକତଙ୍କ ନାମ ଧରି ଡାକିବ

ପରୀକ୍ଷାମାନ ସବୁ କରାଇବ

ବ୍ରହ୍ମା ଏକାକ୍ଷର ଭଜନ ଭକ୍ତେ

ପରୀକ୍ଷା ଦେବେ ପ୍ରଭୁଙ୍କ ସାକ୍ଷାତେ

 

ଶିଖର ଦାସେ ବାମଭାଗେ ଜାଣ

ହାଡ଼ିବନ୍ଧୁ ହରେକୃଷ୍ଣ ତା ନାମ

ଭକ୍ତଙ୍କୁ ସଂଖ୍ୟା କରିବେଟି ସେହି

ଲେଖୁଥିବେ ଭକ୍ତ ନାମକୁ କହି

 

 

ଯେତେକ ସଂଖ୍ୟା ହୋଇବ ପ୍ରମାଣ

କହିବେ ପ୍ରଭୁଙ୍କ ଛାମୁରେ ପୁଣ

ସତ୍ୟରେ ନାମ ତାହାଙ୍କର ଯେହୁ

ଭାଗବତ ନାମ ଅଟଇ ସେହୁ

 

ତ୍ରେତୟାରେ ସେହୁ ଜାମ୍ବେବ ନାମ

ଦ୍ଵାପରେ ନାମ ବିଦୁର ସୁଜାଣ

କଳିରେ ହରେକୃଷ୍ଣ ନାମ ହୋଇ

ଏମନ୍ତେ ଭକ୍ତ ନାମ ଦେଲୁ କହି

 

ଡେରାବିଶ ଯେ ମଉଦା ଗ୍ରାମରେ

ଜନମିଥିବେ ଯେ ବ୍ରାହ୍ମଣ ଘରେ

ପିତା ନାମ ପରମାନନ୍ଦ ଜାଣ

ଚାରି ଭ୍ରାଥାରେ ଏକଇ ନନ୍ଦନ

 

ମାତାଙ୍କ ନାମ ଲକ୍ଷ୍ମୀବତୀ ହୋଇ

ତାହାଙ୍କ କୋଳେ ଜନ୍ମିଥିବେ ଯାଇଂ

ଗ୍ରାମ ପଶ୍ଚିମ ଭାଗେଣ ଯେ ପୁଣ

ଅଂଏଳା ବୃକ୍ଷେକ ଥିବ ପ୍ରମାଣ

 

 

ଗୃହ ଆଇତିରେ ବଦରି ବୃକ୍ଷ

ଏ କଥା ନିଶ୍ଚେ ଥିବଟି ପ୍ରତ୍ୟକ୍ଷ

ଉଦୟ କାଳକୁ ଖଣ୍ଡଗିରିରେ

ସଂଖ୍ୟା କରିବ ଯେ ଭକ୍ତଙ୍କ ଠାରେ

ଦେଶେ ଦେଶେ ବୁଲି ଚାହିଂ ବାଛିବେ

କଳଂକୀ ରୂପ ନୟନେ ଦେଖିବେ

ଏତେ ତଥ୍ୟ ବାକ୍ୟ କହିଲୁ ତୋତେ

କଳିରେ ପ୍ରକାଶ ହେବେ ଭଗତେ

ଦୀନ ଅଚ୍ୟୁତ କରିଅଛି ଆଶ

ଭଗତ ମେଳି ଦେଖିବ ଅବଶ୍ୟ

ଅତିହିଂ ଗୁପତ ଭବିଷ୍ୟ ଏହି

ଚେତା ଭକତ ଚାହିଂବେଟି ରହି

ଅନ୍ୟ କେହି ଯେ ନ ଜାଣିମେ ଏହା

ଅଚ୍ୟୁତ କହନ୍ତି ସତ୍ୟଟି ଏହା

ମହା କଳ୍ପଟୀକା ଏହୁ ପ୍ରାମାଣ

ଅଚ୍ୟୁତ ସ୍ଵହସ୍ତେ କଲେ ଲେଖନ

ଇତିଶ୍ରୀ କଳ୍ପଟୀକାୟାଂ ନାମ ତତ୍ତ୍ୱ ଭକ୍ତ ସଂଖ୍ୟା କରଣେ

ନାମତତ୍ତ୍ୱ ପରୀକ୍ଷା କଥନେ ନାମ ପ୍ରଥମ ଅଧ୍ୟାୟଃ

 

ଦ୍ଵିତୀୟ ଅଧ୍ୟାୟ

 

ରାମଦାସ ବୋଲଇ ଶୁଣିବା ଗୁରୁଦେବ

ଖଣ୍ଡଗିରି କେଉଂଦିନ ପରୀକ୍ଷା ହୋଇବ

ପରୀକ୍ଷାର ଅନ୍ତେ ପୁଣି କିସ ହେବ ତହିଂ

ଅନନ୍ତ କେଶରୀ ସ୍ୱାମୀ କାହିଂଥିବେ ରହି

 

କେଉଂ ମନ୍ତ୍ରେ ଭକ୍ତମାନେ ପରୀକ୍ଷା ଯେ ଦେବେ

ସଂଶୟ ଫେଡ଼ିଣ ତାହା କହିବାକ ଏବେ

ବଙ୍ଗଦେଶ ଉତ୍ତରେ ଯେ ପଶ୍ଚିମ ଦେଶହିଂ

ଏହୁ ଯେ କେଉଂ ପରୀକ୍ଷା ଦେବେ ପୁଣ କାହିଂ

 

ତାହାଙ୍କର କେଉଂ ମନ୍ତ୍ର ପରୀକ୍ଷା ହୋଇବ

କାହାର ଆଗରେ କେହୁ ପରୀକ୍ଷା ଯେ ଦେବ

ଏ ଯେଉଂ ସଂଶୟ ପ୍ରଭୁ ଫେଡ଼ିଣ କହିବ

ମନରୁ ସଂଶୟ ପ୍ରଭୁ ନିଶ୍ଚୟ ହରିବ

 

ରାମଦାସ ବାଣୀ ଶୁଣି ବୋଲନ୍ତି ଅଚ୍ୟୁତ

କହିବା ଭବିଷ୍ୟ କଥା ଅନୁମାନି ଚିତ୍ତ

ଯେଉଂ କଥା ପଚାରିଲୁ ଶୁଣ ରାମଦାସ

ଅତିହିଂ ଗୁପତ କଥା ଏହୁ ଯେ ଭବିଷ୍ୟ

ଖଣ୍ଡଗିରି ପୂର୍ଣ୍ଣଧାମ ପୂର୍ବେ ଦିଗେ ସ୍ଥିତି

ଉଦୟ ବଟର ପାଶେ ବାମ ବ୍ରହ୍ମ ଗତି

ଅନନ୍ତ କେଶରୀ ସେହି ବଟ ମୂଳେ ସ୍ଥିତ

ନାମ ବ୍ରହ୍ମ ଏକାକ୍ଷର କରିବେ ଉଦିତ

ପଦ୍ମେକ ଭକତ ମଧ୍ୟେ ତିନି ସସ୍ର ଜାଣ

ପରୀକ୍ଷା ହୋଇବ ଏହୁ କଥାଟି ପ୍ରମାଣ

ଊନଦଶ ଅଙ୍କ ଯେ କୁମ୍ଭ ମାସ ଜାଣି

ନବମୀଠାରୁ ତୃତୀୟା ପର୍ଯ୍ୟନ୍ତ ପ୍ରମାଣି

ଏହି ମଧ୍ୟେ ତିନିଲକ୍ଷ ପରୀକ୍ଷା ହୋଇବ

ତହୁଂ ପୂଥ୍ୱୀ କିଛି ଦିନ ବହିଣ ଯେ ଯିବ

ବିଂଶ ଅକେ ମଧୁମାସେ ଚତୁର୍ଦ୍ଦଶୀ ଦିନ

ବିରଜା ମିଳିବେ ଖଣ୍ଡଗିରିର ଭୁବନ

ଶ୍ରୋଣୀ କନ୍ୟା ରୂପେ ଜାତ ହୋଇଥିବେ ସେହି

ଭୈରବୀ ରହିଣ ଯେ ଡାକଦେବେ ତହିଂ

ନିର୍ଘାତ ପଡ଼ିଲା ପ୍ରାୟ ଶବଦ ଶୁଭିବ

ସେହି ଶବ୍ଦ ମ୍ଳେଚ୍ଛଙ୍କର ପ୍ରାଣ ଯେ ହରିବ

 

ମୋର ଭକ୍ତ ଚେତୁଥିବେ ବ୍ରହ୍ମକ୍ଷର ଧ୍ୟାୟୀ

ସପ୍ତ ମଣ୍ଡଳର ଭକ୍ତେ ଉଦେହେବେ ଯାଇଂ

ମଧୁମାସେ ପୁଣ ପୁଣ ପରୀକ୍ଷା ହୋଇବ

ପଦ୍ମେ ଭକତଙ୍କର ଯେ ପରୀକ୍ଷା ସରିବ

 

ବ୍ରହ୍ମ ଯେ ଗୁଣାଣ ଜାଣିଥିବେ ଯେ ଭକତ

ପ୍ରଭୁଙ୍କ ସଙ୍କେତ ଲୀଳା କରିବେ ନିୟତ

ଯେଉଂ ଭକ୍ତ ଅଣାକ୍ଷର ତତ୍ତ୍ୱ ଏକାକ୍ଷର

ପ୍ରଭୁଙ୍କ ଆଗରେ ସେହୁ କହିବେ ନିକର

 

ବ୍ରହ୍ମ ଯେ ଗୁଣାଣ ସେହିଠାରେ ହିଂ କହିବ

ତେବେ ସିନା କଳଙ୍କୀ ରୂପକୁ ଦେଖିବ

ଯେଉଂ ଭକ୍ତ ଅଣାକ୍ଷର କରିଛନ୍ତି ଧ୍ୟାନ

ନ ଜାଣନ୍ତି ବ୍ରହ୍ମତତ୍ତ୍ୱ ବୀଜଟି ଗୁଣାଣ

 

ଅତି ଦମ୍ଭେ ମଜ୍ଜିଥିବେ ଅଣାକ୍ଷର ଧ୍ୟାୟୀ

ମନେ କଳ୍ପିଥିବେ ଏଥିପରେ ଆନ ନାହିଂ

ଅତି ଦମ୍ଭେ ମଜ୍ଜିଥିବେ ସୁରାପାନ କରି

ଅଭକ୍ଷ ଭକ୍ଷୁଣ ଥିବେ ଆତ୍ମା ନ ବିଚାରି

 

 

ଏକ ପତ୍ରେ ବସିଣ ଯେ ଭୋଜନ କରିବେ

ବ୍ରାହ୍ମଣମାନେ ଶୂଦ୍ରର ଉଚ୍ଛିଷ୍ଟ ଭୁଞ୍ଜିବେ

ଏକ ଆଧାରୁ ଆରେକ କରିବେ ଯେ ଗ୍ରାସ

ଗଞ୍ଜାଇ ଖାଇଣ ସେ ଯେ ବୋଲାଇବେ ଦାସ

 

କୈବଲ୍ୟ ବୋଲିଣ ଅନ୍ନ ମଣ୍ଡଳୀ କରିବେ

ମଦ୍ୟ ମାଂସ ଏକତ୍ର ସେ ବସିଣ ଭୁଞ୍ଜିବେ

ନ ଜାଣିବେ ଆତ୍ମାତତ୍ତ୍ୱ ନ ଜାଣିବେ ଜ୍ଞାନ

ଦମ୍ଭରେ ବୋଲିବେ ଏହି ନିଶ୍ଚେ ବ୍ରହ୍ମଜ୍ଞାନ

 

ସାଧୁ ସଙ୍ଗ ଆତ୍ମାଜ୍ଞାନ ନିଶ୍ଚୟ ଛାଡ଼ିବେ

ଉଚ୍ଛିଷ୍ଟ ଭକ୍ଷିଣ ସାଧୁ ସଙ୍ଗେ ବସିଥିବେ

ଅତି ଅନ୍ୟାୟରେ ଭଜୁଥିବେ ଅଣାକ୍ଷର

ବ୍ରହ୍ମଜ୍ଞାନୀ ବୋଲି ଶିଷ୍ୟ କରିବେ ଅପାର

 

ଏତେ କ୍ରିୟା କଲା ଭକ୍ତେ ହୋଇବେ ବିନାଶ

ଦୁର୍ଗାଙ୍କ ଭକ୍ଷଣ ସେହୁ ହୋଇବେ ଅବଶ୍ୟ

ଦେହ ଶୁଦ୍ଧ ହୋଇଥିବ ତାହାଙ୍କର ପୁଣ

ଦୁର୍ଗାଙ୍କ ଖପରେ ସେହୁ ହୋଇବେ ନିଧନ

 

 

ବାଣ ସାଲ ବିଂଶରେବ ଅଙ୍କରେ ଏ ହେବ

ନିଶ୍ଚେ ନିଶ୍ଚେ ରାମଦାସ ପ୍ରମାଣ ହୋଇବ

ଚେତିଥିବେ ଦୁର୍ଗାମାନେ ସ୍ଥାନେ ସ୍ଥାନେ ରହି

ଗ୍ରାମେ ଗ୍ରାମେ ସେ ଦୁର୍ଗା ଯେ ରହିଥିବେ ଯାଇ

 

ଦୁର୍ଗାଙ୍କ ଶବଦ ଶୁଣି ଚେତନା ପାଇବେ

ମୈଷାସୁର ମଲାଦିନୁ ଆଶା କରିଥିବେ

ଚେତିବେ ସେ କଳଙ୍କୀ ଯେ ହୋଇଲେ ଉଦୟେ

ନିଶ୍ଚୟ ଭକ୍ଷିଣ ଯିଏ ହୋଇବେ ଥୋକାଏ

 

ଆୟୁର୍ବେଦ ଯୁଗ୍ମସାଲ ଠାରେ ଆମ୍ଭେ ଯିବା

କଳି ଭାରତ ହୋଇବ ରୁଧିର ଭକ୍ଷିବା

ଏମନ୍ତ ବୋଲିଣ ଦେବୀ ମନରେ ବିଚାରି

ରହିଥିବେ ଯେଝା ସ୍ଥାନେ ସେ ଯେ ଅନୁସରି

 

ରାମଦାସ ବୋଲେ ପ୍ରଭୁ ଶୁଣିମା ଗୋସାଇଂ

ବିରଜା ଯେ ଜନ୍ମ ପୁଣି ହୋଇଥିବେ କାହିଂ

କେବଣ କୁଳରେ ଜାତ ପିତା ମାତା କେହୁ

ଫେଡ଼ିଣ କହିବା ନାଥ ମୋ ସଂଶୟ ଯାଉ

 

 

ରାମ ଦାସ ବାଣୀ ଶୁଣି ଅଚ୍ୟୁତ କହନ୍ତି

ଭଲା ତୁ ପଚାରୁ ତୋର ଅଟେ ଧୀର ମତି

ଯାଜନଗ୍ର ତେଜି ମାତା ସେ ଯେ ଗୋସାମଣି

ଖିରିବଡ଼ ବୋଲିଣ ସେ ଗ୍ରାମ ନାମ ପୁଣି

 

କଇବର୍ତ୍ତ ନାମ ଅଟେ ଗୋବିଂଦ ରାଉତ

ତାହାରି ଗୃହରେ ମାତା ହୋଇଥିବେ ଜାତ

ନାମ ହୋଇଥିବ ଶ୍ରୋଣୀ ଶ୍ରୋଣୀକନ୍ୟା ସେହି

ସପ୍ତବାରେ ରଜସ୍ଵଳା ମାତା ହୋଇବଇଂ

 

ଲୋକେ ଦେଖି ବୋଲିବେ ଯେ ବ୍ୟାଧି ସେ ଅବଶ୍ୟ

ଅନ୍ଧ ପଟଳରେ କେହି ନ ପାଇବେ ଦୃଶ୍ୟ

ବଉଳ ବୃକ୍ଷେକ ଥିବ ତା ଗୃହ ମଧ୍ୟରେ

ଭକତ ଚିହ୍ନିବେ ବୃକ୍ଷ ସଂକେତ ଦେଖିଲେ

 

ଆଉ କେହି ନଜାଣିବେ ଏଥିର ତଦନ୍ତି

ଏମନ୍ତ ହୋଇଣ ମାତା ହେବେ ଉତପତ୍ତି

ତୋତେ ମୁଂ କହିଲି ରାମ ଅତି ଗୁପ୍ତ ଏହି

ହୃଦରେ ରଖିବୁ ଏହା ନ କହିବୁ କାହିଂ

 

 

କଳିରେ ସେ ଦୁଷ୍ଟଜନ ହୋଇବେ ବହୁତ

ଉପହାସ କରିବେ ସେ ଶୁଣିଲେ ଚରିତ

ତେଣୁକରି କହୁଅଛି ନ କହିବୁ କାହିଂ

ଗୁପତେ ରହିଣ ତୁ ଯେ ଦେଖୁଥିବୁ ଏହି

 

ଗୁରୁ ବଚନ ଶୁଣିଣ ବୋଲେ ରାମଦାସ

କଥାଏ ଫେଡ଼ିଣ ମୋତେ କହିବା ସନ୍ଦେଶ

ସ୍ୱାମୀଙ୍କ ଆଗରେ ସେ ଯେ ଖଣ୍ଡଗିରିଠାରେ

ଏତେ ଏତେ କୃତ୍ୟ ହୋଇବ ଯେ ଓଡ଼ିଶାରେ

 

ବଙ୍ଗଦେଶ ଠାରୁ ଯେ ପଶ୍ଚିମ ଦେଶ ଯାଏଂ

କିସ ଯେ ହୋଇବ ଏହା କହିବା ଥୋକାଏ

କେ କରିବ ପରୀକ୍ଷା ଯେ କେ ଭକତ ତହିଂ

ଫେଡ଼ିଣ ଯେ ଏହା ମୋତେ ପ୍ରଭୁ ଦେବା କହି

 

ଅଚ୍ୟୁତ କହନ୍ତି ତୁ ଯେ ରାମଦାସ ଶୁଣ

ଏହି ଦୁର୍ଗାଙ୍କର ଡାକ ଜଗତେ ବ୍ୟାଖ୍ୟାନ

ବଙ୍ଗଦେଶ ପଶ୍ଚିମେ ଯେ ତେଲଙ୍ଗା ଦେଶହିଂ

ପରୀକ୍ଷା ହୋଇବ ଯେ ଶିଆଲଦା ଠାଇଂ

 

 

ଋତୁ ସାଲ ବିଂଶ ନେତ୍ର ଅଙ୍କ ଯେ ପ୍ରମାଣ

ବଳଦେବ ପ୍ରବେଶିବେ କଲିକତା ସ୍ଥାନ

କାଷ୍ଠ ସୁରା ଚଉରାସ୍ତା ଯେବଣ ସ୍ଥାନରେ

ନବମ ବାସର ତହିଂ ରହିବେ ଯେ ଘରେ

 

ହରେକୃଷ୍ଣ ସଂକେତକୁ ପ୍ରମାଣ କରିବେ

ଦିଗ ବାରି ମହାପ୍ରଭୁ ଗମନ କରିବେ

ସିଆଲଦା ସ୍ଥାନେ ସ୍ଵାମୀ ହୋଇବେ ପ୍ରବେଶ

ହରେକୃଷ୍ଣ ଆଦି ସଙ୍ଗେ ଥିବେ ସପ୍ତ ଶିଷ୍ୟ

 

ଊନବିଂଶ ସେ ସଂକେତ ବୁଝୁଥିବେ ତହିଂ

ହରେକୃଷ୍ଣ ଧ୍ୱନି ଶୁଣି ସଂକେତକୁ ବହି

କିଂଚକ ନଗରଠାରେ ହୋଇବେ ଉଦୟେ

ବଡ଼ଲୋକେ ପୁତ୍ର ବୋଲି ଜାଣିବେ ଥୋକାଏ

 

କେହି ନ ଜାଣିବେ ଆପେ ମୋର ସ୍ୱାମୀ ବୋଲି

ମାୟା ମୋହେ ପଡ଼ି ଲୋକେ ମରୁଥିବେ ଭୁଲି

ନିକଟ ପଶ୍ଚିମ ଦିଗ ସଂକେତେ ଯେ ଥିବେ

ଅର୍ଜ୍ଜୁନ ରୂପକ ସ୍ଥାନ ସେ ନିଶ୍ଚେ ଜାଣିବେ

 

 

ପଶ୍ଚିମ ଭାଗରେ ସେ ଯେ ଥିବ ଜୁଇ ବୃକ୍ଷ

ନିଶ୍ଚୟ ଜାଣିବୁ ବେଳ ହୋଇଲା ପ୍ରତ୍ୟକ୍ଷ

ପିପଲ୍ଲ ଯେ ବୃକ୍ଷ ଥିବ ପଶ୍ଚିମ ଭାଗରେ

ତାର ବାମେ ବଦରି ଯେ ବୃକ୍ଷେକ ପ୍ରସରେ

 

ଅର୍ଜ୍ଜୁନ ଭୀମ ଯେ ଶସ୍ତ୍ର ରଖିଥିବେ ତହିଂ

ଊନବିଂଶ ନେତ୍ର ଅଙ୍କେ ପ୍ରକାଶିବ ୟେହି

ବାମଦେବ ମୁକୁନ୍ଦ ଯେ ହେବେ ସେନାପତି

ହରିଧ୍ୱନି କଲେ ଭକ୍ତେ ପ୍ରବେଶ ହୁଅନ୍ତି

 

ସିଂହନାଦେ ମ୍ଳେଚ୍ଛମାନେ ହୋଇବେ ସଂହାର

ଭକ୍ତ ଯେ ପରୀକ୍ଷା ଦେବେ ବ୍ରହ୍ମ ଏକାକ୍ଷର

କାଳଚକ୍ର ଧରି ବାମେ ଅର୍ଜ୍ଜୁନ ଯେ ଥିବ

ସପ୍ତ ଏକାକ୍ଷର ନ କହିଲେ ସେ ଛେଦିବ

 

ଅଗ୍ରେ ଥିବେ ଭୀମସେନ ଗଦାଗୋଟି ଧରି

ରତଥିବେ ଅବନା ଭଜନେ ସିଦ୍ଧେଶ୍ଵରୀ

ନବଲକ୍ଷ ଯବନ ଯେ ହୋଇବେ ସଂହାର

ସେହୁ ଏକା ଭଜୁଥିବେ ସୂର୍ଯ୍ୟ ଏକାକ୍ଷର

 

 

ଭୀମସେନ ଗଦାଘାତେ ହୋଇବେ ଯେ ନାଶ

ଏକଥା ନିଶ୍ଚୟ ରାମ ହୋଇବ ଅବଶ୍ୟ

ବ୍ୟାସଦେବ ଡାକୁଥିବେ ଭକ୍ତଙ୍କୁ ଆଦରି

ମୁକୁନ୍ଦ ଯେ ହରେକୃଷ୍ଣ ସଂଖ୍ୟା ଥିବେ କରି

 

ବେଦ ବେନି ସାଲେ ନିଶ୍ଚେ ପ୍ରମାଣ ଏକଥା

ହୋଇବ ନିଶ୍ଚୟେ ରାମଦାସ ତୁ ଜାଣିଥା

ରାମଦାସ ବୋଲଇ ହୋ ଶୁଣ ଗୁରୁଦେବ

କଳିଯୁଗ ପୁଣ କେତେ ଭୋଗ ଯେ ହୋଇବ

 

ଚାରିଲକ୍ଷ ବତ୍ରିଶ ସେ ସହସ୍ର ବରଷ

କେମନ୍ତେ ଯେ ଯୁଗ ପୁଣ ହୋଇବଟି ଶେଷ

ଏଡ଼େ ବଡ଼ ଯୁଗ ପୁଣି ବିନାଶ ହୋଇବ

ସଂଶୟ ଫେଡ଼ିଣ ମୋତେ କହ ଗୁରୁଦେବ

 

ରାମଦାସ ବାଣୀ ଶୁଣି ଅଚ୍ୟୁତ କହନ୍ତି

ତୋତେ କହୁଅଛି ରାମ ଶୁଣ ଦେଇ ମତି

ରାବଣ ଯେ ତ୍ରେତୟା ଯୁଗରେ ତପକଲା

ଛପନ ଗଣ୍ଡା ଯୁଗକୁ ବର ସେ ପାଇଲା

 

 

ପାପେ ଗଲା ତାର ତିନି ଭାଗ ଯେ ବିନାଶ

ଏକଭାଗ ଭୋଗ କଲା ବିଶ୍ରବାର ଶିଷ୍ୟ

ସ୍ଵର୍ଗେ ପଶି ଅପସରୀ ମାନଙ୍କୁ ହରିଲା

ପରଦ୍ରବ୍ୟ ହରି ଦେବେ ପାଦେ ଖଟାଇଲା

 

ଆପେ ଜଗତମାତା ଯେ ଜନକ ନନ୍ଦିନୀ

ତାଙ୍କୁ ହରିନେଲା ଗର୍ବେ ମୂଢ଼ ବିଂଶପାଣି

ସୁରାପାନ କଲା ସେ ଯେ କ୍ଷତ୍ରିଙ୍କୁ ବଧିଲା

ବ୍ରହ୍ମହତ୍ୟା ଆଦିକରି କେତେ ପାପକଲା

 

ପାପ ହେତୁ ତିନିଭାଗ ହୋଇଲା ବିନାଶ

ଏକଭାଗ ଭୋଗକଲା ବିଶ୍ରବାର ଶିଷ୍ୟ

ସେହିପରି କଳିଯୁଗ ବିନାଶ ହୋଇବ

ପାଞ୍ଚସସ୍ର ଭୋଗ ହେବ ଅନ୍ୟ ପାପେ ଯିବ

 

ଯବନ ଯେ ପାଞ୍ଚ କରେ ପ୍ରଜାଙ୍କୁ ଦଣ୍ଡିବ

ଧର୍ମବଳ ସଂସାରରେ କିଛି ନ ରହିବ

ମାଣକୁ ଯେ ପାଞ୍ଚଟଙ୍କା ନେବ କର ପୀଡ଼ା

ଜଳ କର ଫଳ କର ଗୃହ କର ସାରା

 

 

ପାଦ ଚଳିବାକୁ କର ଦେଉଥିବେ ପୁଣ

କ୍ଷୀର ପାତ୍ର ନୀର ପାତ୍ର ବିକିବ ସେ ଶୁଣ

ରାଜାମାନେ ଦାନ ଦୟା ତପ ଯେ ଛାଡ଼ିବେ

ମିଛୁଆଙ୍କ ବାକ୍ୟେ ପ୍ରଜାମାନଙ୍କୁ ଦଣ୍ଡିବେ

 

ରାଜାଙ୍କୁ ତଡ଼ିଣ ମନ୍ତ୍ରୀ ବଡ଼ ବୋଲାଇବେ

ଧର୍ମ ନ୍ୟାୟ ମାର୍ଗ ସବୁ ଛାଡ଼ିଣ ଯେ ଦେବେ

କୁଳ ସ୍ତିରୀମାନେ କରିବେ ଯେ ବେଶ୍ୟାବୃତ୍ତି

ଦେଢ଼ଶୂର ଭାଇବୋହୂଙ୍କର ଯେ ପିରତୀ

 

ମାତା ପୁତ୍ରଙ୍କର ପ୍ରୀତି ହୋଇବ ଅପାର

ଭଗ୍ନୀ ଭ୍ରାତା ପ୍ରୀତି ହେବ ଶ୍ଵଶୁର ବଧୂର

ପତିଙ୍କୁ ମାରିବେ ପର ପ୍ରୀତିରେ ମାତିଣ

ବିଷ ଯେ ଭୁଞ୍ଜାଇଦେବେ ଅନ୍ନ ସଙ୍ଗତେଣ

 

ମାତା ପିତାଙ୍କୁ ଯେ ପୁତ୍ର ଅନ୍ନହିଂ ନ ଦେବେ

ବହୁ ଆଡ଼ମ୍ବରେ ଯାଇଂ ଦାଣ୍ଡରେ କହିବେ

ଶାଶୁମାନଙ୍କୁ ଯେ ବୋହୂ କରିବେ ଅମାନ୍ୟ

ବଚନେ ବଚନେ ବୋହୂ କରିବେ ଉଚ୍ଛନ୍ନ

 

 

ପୁତ୍ରକୁ କହିଲେ ପୁତ୍ର କର୍ଣ୍ଣେ ନ ଶୁଣିବେ

କାମବାଣେ ମାତିଣ ଯେ କିଛି ନ କହିବେ

ପ୍ରୀତିରେ ମାତିଣ ପତ୍ନୀ ସଙ୍ଗେ ବଶହୋଇ

ମାତାଙ୍କୁ ସେ ଭର୍ତ୍ସନାରେ କଟୁବାକ୍ୟ କହି

 

ଭାଇ ଭାଇ ଭିନ୍ନାଭିନ୍ନ ପିତା ପୁତ୍ରେ ଭିନ୍ନ

ଭିନ୍ନ ଗୃହ କରିବେ ସେ ସ୍ତିରୀଙ୍କ ବାକ୍ୟେଣ

ଗୋଚରକୁ ଚାଷ ଯେ କରିବେ ମୂଢ଼ ପ୍ରାଣୀ

କଳିଯୁଗେ ବହୁଶିଷ୍ୟ ହେବେ ସେହୁ ପୁଣି

 

ଶସ୍ୟ ଜାତ ଭୂମିମାନ ନିକୃଷ୍ଟ ହୋଇବ

ବ୍ରାହ୍ମଣମାନଙ୍କ ଧର୍ମ କିଛି ନ ରହିବ

ସ୍ନାନ ସନ୍ଧ୍ୟା ଜପ ହୋମ ଏମାନ ଛାଡ଼ିବେ

ଗାୟତ୍ରୀ ଛାଡ଼ିଣ ସେ ଯେ ଗାରେଡ଼ି ପଢ଼ିବେ

 

ଦାସ ପ୍ରକୃତିରେ ପର ସେବାରେ ଲାଗିବେ

ପାପକରି ଶୂଦ୍ରଙ୍କୁ ସେ ଭୋଜନ ଯେ ଦେବେ

ଶୂଦ୍ର ଯୋନି ହରଣ ଯେ କରିବେ ନିୟତ

ବ୍ରାହ୍ମଣୀଙ୍କି ହରିବେ ସେ ଶୂଦ୍ର ଯେ ପତିତ

 

 

କୁଳ ସ୍ତିରୀମାନଙ୍କୁ ଯେ ଗୃହସ୍ଥ ଛାଡ଼ିବେ

ବେଶ୍ୟାବୃତ୍ତି କରିଣ ସେ ଉଦର ପୋଷିବେ

ଗୃହସ୍ଥମାନେ ଯେ ପର ସ୍ତିରୀଙ୍କୁ ହରିବେ

ପର ବଶ୍ୟେ ତାଙ୍କର ଯେ ଦିନ କଟାଇବେ

 

ବ୍ରାହ୍ମଣ ସ୍ତିରୀଙ୍କି ଶୂଦ୍ରେ କରିବେ ରମଣ

ନ ଜାଣିବେ ପାପ ପୁଣ୍ୟ ହୋଇବେ ଅଜ୍ଞାନ

ତତ୍ତ୍ୱଗୁରୁ ବୋଲିଣ ଯେ ଜଗତେ ନ ଜାଣି

ଅନାମ ଭଜିଣ ବୋଲାଇବେ ବ୍ରହ୍ମଜ୍ଞାନୀ

 

ବ୍ରହ୍ମଚାରୀ ବେଶ ଧରି ବଇଷ୍ଣବ ଜନ

ଛାୟା ଯେ ଅବାଡ଼ ଜ୍ୟୋତି ନ କରି ଦର୍ଶନ

ସାକ୍ଷୀ ଶବଦ ଅନେକ ଶିଖିଣ ଯେ ଥିବେ

ଚାଟୁ ବଚନ ଅନେକ ଶିଷ୍ୟଙ୍କୁ କରିବେ

 

ବ୍ରହ୍ମ ଏକାକ୍ଷର ବ୍ରହ୍ମ ଗୁଣାଣ ନ ଜାଣି

ଭଣ୍ଡ ଭାବେଣ ଭଣ୍ଡିଣ ଶିଷ୍ୟକୁ ସେ ପୁଣି

ଭଣ୍ଡ ରୂପ ଦେଖାଇଣ ମଦ୍ୟ ଯେ ଖାଇବେ

ଗଞ୍ଜାଇ ଖାଇଣ ସେ ଯେ ଦାସ ବୋଲାଇବେ

 

 

ପର ବଧୂକୁ ସେ ଯେବେ ଦେଖିବେ ସୁନ୍ଦର

ରମଣ କରିବେ ଯାଇଂ ଛଳି ତାହାଙ୍କର

ଶିଷ୍ୟକୁ ବୋଲିବେ ଦେଖ ଧର୍ମ ଏକାକ୍ଷର

ତୋର ପତ୍ନୀ ଧର୍ମପତ୍ନୀ ଏକ ସମତୁଲ

 

ଗୁରୁଙ୍କ ପତ୍ନୀକି ଶିଷ୍ୟ ହରିବେଟି ପୁଣ

ଶିଷ୍ୟଙ୍କ ପତ୍ନୀକି ଗୁରୁ କରିବେ ରମଣ

ବିଧବା ରମଣୀ ପୁଣ ହରିବେ ଅଜ୍ଞାନ

ପିତା ଦୁହିତାର ପ୍ରୀତି ହୋଇବ ବିଧାନ

 

ଶାଶୁଙ୍କ ସଙ୍ଗରେ ଜୋଇଂ କରିବେ ରମଣ

କଳି ଘୋଟିଥିବ ନ ଜାଣିବେ ପାପ ପୁଣ୍ୟ

ପୁରୁଷେ ପୁରୁଷ ପ୍ରୀତି ହୋଇବ ନିୟତ

ସ୍ତିରୀଙ୍କ ସ୍ତିରୀ ରମିବେ ଏ କଥାଟି ସତ୍ୟ

 

ଗୁରୁଙ୍କୁ ଯେ ଶିଷ୍ୟମାନେ ବିଶ୍ୱାସ ନୋହିବେ

ଗୁରୁମାନେ ଦ୍ଵାର ଦ୍ଵାର ହୋଇ ବୁଲୁଥିବେ

ନ ଜାଣିବେ ତତ୍ତ୍ୱ ଉପଦେଶର ବିଧାନ

ଭଣ୍ଡି କହୁଥିବେ ତର୍କ ଶାସ୍ତ୍ର ଦେଖାଇଣ

 

 

ଗୋପାଳମାନେ ଯେ ବ୍ରହ୍ମଚାରୀ ବୋଲାଇବେ

ଭେକଧାରୀ ହୋଇଣ ଜଗତେ ବୁଲୁଥିବେ

ସୋଦରେ ସୋଦରେ ହେବ ଅପ୍ରୀତିଟି ଜାଣ

ଜନ୍ତୁଙ୍କୁ ପୋଷୁଣ ଥିବେ ହିନସ୍ତାରେ ଜନ

 

ଲଗାଇଲା ବୃକ୍ଷକୁ ଯେ ମୂଳରୁ ଛେଦିବେ

ଶୂଦ୍ରମାନେ ବ୍ରାହ୍ମଣଙ୍କୁ ଶିଷ୍ୟ ହିଂ କହିବେ

ଗାଈମାନେ ଅଜାପ୍ରାୟେ ହୋଇବେଟି ପୁଣ

ଅଳ୍ପ କ୍ଷୀର ଦେବେ ପୁଣ ଅଭକ୍ଷ ଭକ୍ଷିଣ

 

ବିଶ୍ୱାସ ଘାତକା ହୋଇ ଜନଙ୍କୁ ନାଶିବେ

ମିଛୁଆ ଖଚୁଆ ହୋଇ ସଂସାରେ ମାତିବେ

ତେଣୁ ଶସ୍ୟମାନେ ପୃଥିବୀରେ ହେବ ହାନି

ଏହି ଯେ କାରଣୁ ପାପ ବୃଦ୍ଧି ହେବ ପୁଣି

 

ସତ୍ୟ ଏକ ଭାଗ ହେଲେ ମିଥ୍ୟା ଏକବିଂଶ

ଏ ପାପ ମାନରୁ କଳିଯୁଗ ହେବ ନାଶ

ବସୁ ସାଲ ବିଂଶ ବେଦ ଅଙ୍କେ ଯେ ପ୍ରମାଣ

ସପ୍ତଦିନ ଅନ୍ଧକାର ହୋଇବ ଯେ ଜାଣ

 

 

ମୀନ ମାସ ଚତୁର୍ଦ୍ଦଶୀ ଶୁକ୍ରବାର ବେଳେ

ଅନ୍ଧକାର ଘୋଟିଥିବ ଏ ମର୍ତ୍ତ୍ୟ ମଣ୍ଡଳେ

ନ ରହିବ ଜନ ପ୍ରାଣୀ ଭାନୁ ଉଦେ ନୋହି

ବୃଦ୍ଧଙ୍କର ପିତା ଆକାଶରେ ଯେ ନ ଉଇଂ

 

ନ ମିଳିବ ଅନ୍ନ ଫଳ ମୂଳ ଆଦି ଜାଣ

ମ୍ଳେଚ୍ଛଗଣ ତହିଂ ପୁଣ ହୋଇବେ ନିଧନ

ଭକତେ ଯେ ଟାକିଥିବେ ଏମନ୍ତ ବେଳକୁ

ମୂଳ ଚିହ୍ନିଥିବେ କ୍ଷୁଧା ତୃଷା ଜିଣିବାକୁ

 

ସୁପଲିକା ପୂର୍ବ ଭାଗୁ ଚେରମାନ ଆଣି

ବାସନିକା ଛେଲି ସଙ୍ଗେ ରଖିଥିବେ ପୁଣି

ଜିଭକର ମିଶାଇଣ ଭକ୍ଷଣ କରିବେ

ସପ୍ତଦିନ ଅନ୍ଧକାର କ୍ଷୁଧାକୁ ନାଶିବେ

 

ନଯାନିକ ପତ୍ର ତୋଳି ରଖିଥିବେ ପୁଣ

କାନନୀକ ମୂଳ ଘୋରି କରିବେ ଅଞ୍ଜନ

ଲବଣୀ ସଙ୍ଗତେ ଘୋରି ଚକ୍ଷୁରେ ଘେନିବେ

ଜ୍ୟୋତି କଳା ଉଦେକରି ଅନ୍ଧାର ନାଶିବେ

 

 

ୟେସନେ ବେଳରେ ରାଜ୍ୟ ହୋଇବ ବିନାଶ

କେ କାହାର ନ ଶୁଣିବେ ରାଜସ ତାମସ

ସେତିକି ବେଳରେ ସେ ଯେ ମୋହନା ମୁଗଲ

ଘୋଡ଼ା ଟାପୁ ପୃଥ୍ୱୀ ମଧ୍ୟେ ଠାବ ନଥିବାର

 

ଚତୁର୍ଦ୍ଦଶ ଦିନ ସେ ଯେ ରାଜତ୍ଵ କରିବ

କାହାରି ଯେ ଜାତି କୁକ ଜାଣି ନ ରଖିବ

ଏକାକାର କରିବ ସେ ପୃଥ୍ୱୀଯାକ ଜାଣ

ବ୍ରହ୍ମ ଏକାକ୍ଷର ବ୍ରହ୍ମା ଗୁଣନ ପୁଛେ ପୁଣ

 

ଯେ କହିବ ତାହା ପାଦେ ସେବା ଯେ କରିବ

ଚତୁର୍ଦ୍ଦଶ ଦିନ ଅନ୍ତେ ଚଡ଼କ ପଡ଼ିବ

ବହୁତ ଯେ ଯୁଦ୍ଧ ହେବ ସେ ମଧ୍ୟ ଭାରତ

ଧନୁ ଧରି ଅର୍ଜ୍ଜୁନ ଯେ ଭୀମଙ୍କ ସଙ୍ଗତ

 

ମୁଗଲ ସଙ୍ଗତେ ଯୁଦ୍ଧ କରିବେ ସେ ପୁଣି

ଅନନ୍ତ ରୂପ ପ୍ରକାଶ ହୋଇବ ବଖାଣି

ଛାଡ଼ିବେ ରାଇଜ ଗାଦି କରିବେ ସେ ତେଜ୍ୟା

ଶିଆଳଦାଠାରୁ ସେ ଯେ ଗଡ଼ମାଣ୍ଟୁ ଖୋଜା

 

 

ଯୋଦ୍ଧା କ୍ଷତ୍ରି ନାଶ ତହିଂ ହୋଇବେ ଥୋକାଏ

ରକତ ନଦୀ ବହିବ ଗଙ୍ଗା ମଧ୍ୟ ଯାଏଂ

ନବସସ୍ର ଯୋଗ୍ନୀ ଧରି ବସିବେ ଖର୍ପର

କେଡ଼େ କେଡ଼େ ଯୋଦ୍ଧା ନାଶହୋଇବେ ନିକର

 

ସପ୍ତ ଏକାକ୍ଷର ଭକ୍ତେ ନିଶ୍ଚୟ ରହିବେ

ତଦନ୍ତେ କଳି ଉଠିବ ଭୁଜ ତୋଳି ଭାବେ

ଆଜ୍ଞାଦେବେ ଯୋଗ୍ନୀମାନେ କରକୁ ଯେ ଚାଳି

କୋଟି କୋଟି ଯୋଗ୍ନୀ ଆଉ ଭକ୍ଷିବେ କଂକାଳୀ

 

ରୁଧିର ଯେ ବୃଷ୍ଟି ହେବ ଏ ମର୍ତ୍ତ୍ୟ ଭୁବନ

କହିଲି ମୁଂ ରାମଦାସ ଅତିହିଂ ଗହନ

ଶୁଣ ଆହୋ ରାମଦାସ ଅତି ହିଂ ଗୁପତ

ଭବିଷ୍ୟ ପୁରାଣ କହେ ପାମର ଅଚ୍ୟୁତ

 

ଇତିଶ୍ରୀ କଳ୍ପଟୀକାୟାଂ ନାମତତ୍ତ୍ୱ କଥନେ ନାମ ଦ୍ୱିତୀୟ ଅଧ୍ୟାୟଃ

 

ତୃତୀୟ ଅଧ୍ୟାୟ

 

ରାମ ଦାସ ଶୁଣି ଆନନ୍ଦିତ ହୋଇ ଗୁରୁଙ୍କ ପାଦେ ପଡ଼ିଲା

ଭୋ ନାଥ ତୁମ୍ଭର କୃପାରୁ ଏ ପଦ ଆମ୍ଭମାନଙ୍କୁ ଶୁଭିଲା

ତୁମ୍ଭ କୃପା ଯେବେ ହୋଇଲା ଗୋସାଇଂ ଶୁଣିଲି ଭବିଷ୍ୟ ମୁହିଂ

ଏମନ୍ତ ଲୀଳା ଯେ ସଂସାରେ ହୋଇବ ଆଜ୍ଞା କରିଲ ଗୋସାଇଂ

କଳକୀ ରୂପ ଯେ ହୋଇବ ଗୋସାଇଂ ଆପେ ପ୍ରଭୁ ପୀତବାସ

ବୌଦ୍ଧ ରୂପ ଧରି ଅନନ୍ତ ମୂରତି ହୋଇଥିବେ ହୃଷିକେଶ

ଅର୍ଜ୍ଜୁନ ଯେ ଭୀମ କାହୁଂ ଗୁଣ ଆଣି ପ୍ରବେଶ ହୋଇବେ ଜାଣ

ସଂଶୟ ଫେଡ଼ିଣ କହିବା ଗୁରୁହେ ମୁହିଂ ତୋହରି ଶରଣ

ଅମୋକ୍ଷ ପିଣ୍ଡକୁ ମୋକ୍ଷ କରାଇଲ ବ୍ରହ୍ମଜ୍ଞାନକୁ କହିଣ

ବ୍ରହ୍ମ ଏକାକ୍ଷର ବ୍ରହ୍ମ ଯେ ଗୁଣାଣ ଚେତାଇ କହିଲ ପୁଣ

ତୁମ୍ଭ ଆଜ୍ଞାରେ ମୁଂ ମନକୁ ଜିଣିଲି ଯମ ଯାତନା ଜିଣିଲି

ଆଶ୍ରା କରିଅଛି ଶ୍ରୀ ଚରଣତଳେ ଭବିଷ୍ୟ ଶୁଣିବି ବୋଲି

ଓଡ଼ିଶା ମଧ୍ୟରେ କାହିଂ ଯୁଦ୍ଧ ହେବ କେ ଯୁଦ୍ଧ କରିବ ତହିଂ

କାହିଂ ରକ୍ତ ନଦୀ ବହିବ ଗୋସାଇଂ ସଂଶୟ ଫେଇବ କହି

କେଉଂ ଭକ୍ତମାନେ ଲୀଳା ଯେ କରିବେ କଳକୀ ରୂପ ଦେଖିବେ

ଏ ବଡ଼ ସଂଶୟ ଲାଗିଲା ମନରେ କହିବାକୁ ହେବ ଏବେ

ବଙ୍ଗଦେଶ ନାମ ମହିମନି ଗ୍ରାମ ସିଲଙ୍ଗ ଦେଶରେ ଯାଇଂ

ମଣିପୁର ବୋଲି ତହିଂ ଏକ ଗ୍ରାମ କେଉଂ ଭକ୍ତ ଥିବେ ରହି

ପୁଣ୍ୟଗିରି ବୋଲି ସ୍ଥାନ ଅଛି ତହିଂ କହିଅଛ ପ୍ରଭୁ ମୋତେ

ତହିଂ କେତେ ଭକ୍ତ ପ୍ରକାଶିଣ ଥିବେ କହିବା ହେଉନ୍ତୁ ମୋତେ

 

କି ମନ୍ତ୍ର ତାଙ୍କର ଉପାସନା ଥିବ କିସ କରୁଥିବେ ଧ୍ୟାନ

କେଉଂଠାରେ ତାଙ୍କ ପରୀକ୍ଷା ହୋଇବ ଏହା ଯେ କହିବା ପୁଣ

କେଉଂ ଭକ୍ତ ତାଙ୍କ ରୂପକୁ ଦେଖିଣ ଚିହ୍ନମାନ ଯେ ବାରିବେ

ବ୍ରହ୍ମାଣ୍ଡରେ ଯେତେ ଯେତେ ଭକ୍ତ ଥିବେ ତାକୁ ପ୍ରକାଶି ଚିହ୍ନିବେ

 

ଏ ସର୍ବ ସଂଶୟ ଫେଇଣ କହିବ ପ୍ରଭୁ ଗୁରୁଦେବ ସ୍ୱାମୀ

ତେବେ ସିନା ମୋର ସଂଶୟ ଫିଟିବ ହୃଦେ ଥିବି ମୋର ଘେନି

ରାମଦାସ ବାଣୀ ଶୁଣିଣ ଅଚ୍ୟୁତ ଧୀରେ କହନ୍ତି ବଚନ

ଶୁଣ ରାମଦାସ ଯେତେକ ସଂଶୟ ଛେଦିବା ତୋହରି ପୁଣ

 

ଓଡ଼ିଶା ଦେଶରେ ଖଣ୍ଡଗିରିଠାରେ ବହୁତ ଯୁଦ୍ଧ ହୋଇବ

ଅନନ୍ତ କେଶରୀ ରୂପ ଧରି ହରି ଚକ୍ର ଧରି ବିନାଶିବ

ଅଶ୍ଵତ୍‌ଥମା ଶଲ୍ୟ ସଙ୍ଗତରେ ଥିବେ ନିଜ କ୍ଷତ୍ରିରୂପ ଧରି

ଅନେକ ମ୍ଳେଚ୍ଛ ସେ ବିନାଶ କରିବେ ଯୁଦ୍ଧକୁ ଥିବେ ଆବୋରି

 

 

ବ୍ରହ୍ମାନନ୍ଦ ଗୃହୀ ହରେକୃଷ୍ଣ ଆଦି ଦାମୋଦର ଦୟାନିଧି

ବାସୁଦେବ ଦାମ ଶମ୍ଭୁ ନରୋତ୍ତମ ଲୋକନାଥ ଯେ ଭିକାରୀ

ଅନନ୍ତ ଅଚ୍ୟୁତ ମୁକୁନ୍ଦ ମାଧବ ଆବର ଯେ ଲକ୍ଷ୍ମୀଧର

ପ୍ରଭୁଙ୍କ ପାଶରେ ନିଶ୍ଚିନ୍ତରେ ଥିବେ ଶିଷ୍ୟକୁ ଘେନି ସଙ୍ଗର

 

ବ୍ରହ୍ମ ଏକାକ୍ଷର ବ୍ରହ୍ମ ଯେ ଗୁଣାଣ ତତ୍ତ୍ୱ ସାଧନାରେ ଥିବେ

ଯୁଦ୍ଧ ଆଗମନ ଦେଖିଣ ଦୃଷ୍ଟିରେ ବହୁତ ସନ୍ତାପି ହେବେ

କଳକୀ ରୂପକୁ ଦେଖିଥିବେ ସର୍ବେ ଆନନ୍ଦ ଚିତ୍ତରେ ବହି

ତୋତେ ମୁଂ କହିଲି ଆହେ ରାମଦାସ ସଂଶୟ ଏଥିରେ ନାହିଂ

 

ନୀଳଗିରି ଠାରୁ ଉଠିବ କନ୍ଦଳ ବଇଷ୍ଣବମାନେ ଯେତେ

ଲଙ୍ଘା ଲମ୍ବ ହତା ନ ଧରିଣ ଛତା ଯୁଦ୍ଧ କରିବେ ତୁରିତେ

କଟକ ଯେ ପୁରୀ ଯେଉଂ ଭକ୍ତ ସରି ତାଙ୍କୁ ପ୍ରସନ୍ନ କରିବେ

ଦିବ୍ୟସିଂହ ବୀର ଦାସ ରଘୁବର ରହିଛନ୍ତି ଧ୍ୟାୟି ଏବେ

 

କାହାର ଆଜ୍ଞାରେ ରାଜାକୁ ତୁ ନେଲୁ ବଡ଼ଛତା ଉଠାଇଲୁ

ନିଶ୍ଚୟ ଜାଣିଥା ତୁମ୍ଭର ଆମ୍ଭର କନ୍ଦଳ ତୁ ଜାତ କଲୁ

ଉଚବାଚ ହୋଇ ଉଠିବ ଯେ ବୋବାଇ ଯୁଦ୍ଧ ହୋଇବ ଅପାର

ଯବନ ବଳ ଯେ ତହିଂ ନାଶହେବେ ନିଶ୍ଚୟ ତେର ହଜାର

 

 

ଲଙ୍ଘା ବୋଲିଣ ଯେ ଯାହାକୁ ବୋଲନ୍ତି ଅରେଖ ଭଜନ ସେହି

ଲମ୍ବ ହତା ବୋଲି ଯାହାକୁ ବୋଲନ୍ତି କଦଳୀ ପଟୁଆ ଯେହି

ଲଙ୍ଘା ଯେ ଏକଶ ତହିଂ ହେବେ ନାଶ କଦଳୀ ପଟ ଏଗାର

ଯୁଦ୍ଧେ ଏ ବିନାଶ ହୋଇବେ ନିଶ୍ଚୟ କହିଲି ବଡ଼ଦାଣ୍ଡର

 

ଅନନ୍ତ କେଶରୀ ଲଲାଟକେଶରୀ ଦିବ୍ୟସିଂହ ଯେ ରାଜନ

କଟକ ଚଉଦ୍ଵାରରେ ସେ ରହିବେ ଭକ୍ତଙ୍କୁ ଘେନି ସଙ୍ଗେଣ

ଅନନ୍ତ କେଶରୀ ରୂପେ ଜଗନ୍ନାଥ ରୂପ ଗୋପନରେ ଥିବେ

ଲଲାଟ କେଶରୀ ଧନୁ ଶସ୍ତ୍ର ଧରି ଆପେ ଯେ ଯୁଦ୍ଧ କରିବେ

 

ଦିବ୍ୟସିଂହ ଦେବ ନୃପତି ଯେ ଜାଣ ବୈଷ୍ଣବ ବେଶ ଛାଡ଼ିବ

କ୍ଷତ୍ରି ବୃତ୍ତି ଧରି ପଦାତିଙ୍କ ସଙ୍ଗେ ବହୁ ଯୁଦ୍ଧ ଆରମ୍ଭିବ

ମେଳଛ ଅଧର୍ମୀ କୋଟି କୋଟି ଜାଣ ତହିଂ ହୋଇବେ ଛେଦନ

ଲଲାଟ କେଶରୀ ଯୁଦ୍ଧ ଘାତେ ପୁଣ ମେଦିନୀ ଯେ କମ୍ପମାନ

 

ଶିରୀକ୍ଷେତ୍ର ଠାରୁ ଓଡ଼ିଶା ଦେଶରେ ଯେତେକ ବ୍ରାହ୍ମଣ ଥିବେ

ଗାୟତ୍ରୀ ମନ୍ତ୍ରକୁ ପରୀକ୍ଷା ନ ଦେଇ ସମସ୍ତେ ତହିଂ ମରିବେ

ଦିବ୍ୟସିଂହ ଦେବ ପରୀକ୍ଷା କରିବେ ଗାୟତ୍ରୀ ମନ୍ତ୍ରକୁ ଜାଣ

ଯେଉଂ ବ୍ରାହ୍ମଣ ଯେ ପରୀକ୍ଷା ନ ଦେବ ନାଶିବ ଯେ ସୁଦର୍ଶନ

 

 

ଭେକ ଧାରୀ ଯେତେ ବ୍ରାହ୍ମଣମାନଙ୍କୁ ଗାୟତ୍ରୀ ମନ୍ତ୍ର ପୁଚ୍ଛିବେ

ବ୍ରହ୍ମହତ୍ୟା ବୋଲି ବ୍ରାହ୍ମଣମାନଙ୍କୁ କେହି ବଧ ନ କରିବେ

ଅନନ୍ତ କେଶରୀ ସୁଦର୍ଶନ ଚକ୍ର ଶୂନ୍ୟ ଗଗନେ ରଖିବେ

ଚୌଷଠି ଅକ୍ଷର ପ୍ରମାଣ ନ ପାଇ ସୁଦର୍ଶନରେ ଛେଦିବେ

 

ତିନି ସସ୍ର ଯୋଗ୍ନୀ ମେଳି ଯେ ହୋଇବେ ଭକ୍ଷିବେ ଯେ ନରବଳୀ

ବିରଜାଙ୍କ ଆଜ୍ଞା ଘେନି ଦେବୀମାନେ ଶୂନ୍ୟେ କରୁଥିବେ କେଳି

କଟକ ଚୌଦାରେ ବହିବ ରୁଧିର ଖଣ୍ଡା ଖଣ୍ଡାୟତ ହତ

ଚଣ୍ଡୀମାନେ ମେଳି କରୁଥିବେ କେଳି ମାତାଙ୍କ ସଙ୍ଗେ ଭକତ

 

ଦାମୋଦର ଦାସ ଦତ୍ତ ହରି ଦାସ ହରେକୃଷ୍ଣ ଦାସ ତହିଂ

ବ୍ରହ୍ମାନନ୍ଦ ଅଧିକାରୀ ଆଦି ପୁଣ ଅନନ୍ତ ବାସୁଦେବ ହିଂ

ଏ ଆଦି ଯେ ପୁଣ ତେର ଜଣ ଜାଣ ସଙ୍ଗେ ସଖାମାନ ଘେନି

ଖଣ୍ଡଗିରି ଗୁମ୍ଫା ମଧ୍ୟରେ ଯେତେକ କୋଟିଏ ଯେ ବ୍ରହ୍ମମୁନି

 

ଅନନ୍ତ କେଶରୀ ଆପେ ଦଇତାରୀ ସେହି ପ୍ରଭୁ ଜଗନ୍ନାଥ

କଟକରୁ ପୁଣ ଅନ୍ତର ହୋଇଣ ବିରଜା କ୍ଷେତ୍ରେ ଆଗତ

ହରେକୃଷ୍ଣ ବ୍ରହ୍ମାନନ୍ଦ ସଙ୍ଗେଥିବେ ସଙ୍କେତ ଦେଖାଇଦେବେ

ଗୋହିରା ଟିକିରୀ ଯାଜନଗ୍ର ପୁର ମହୁରା ଗ୍ରାମେ ମିଳିବେ

 

 

ମହୁରା ଗ୍ରାମରେ ଅକ୍ରୂର ଯେ ଥିବ ଜନମ ହୋଇଣ ତହିଂ

ଜଗନ୍ନାଥ ବୋଲି ତାହାକୁ ବୋଲିବେ ଚିହ୍ନି ନ ପାରିବେ କେହି

ଏହି ଜନ୍ମେ ତାଙ୍କ ଭକ୍ତିକଳା ଶେଷ ହୋଇବଟି ରାମଦାସ

ଭକ୍ତିକଳା ଛାଡ଼ି ପ୍ରଭୁଙ୍କ ନାମକୁ ଯେଣୁ କରିବେ ପ୍ରକାଶ

 

ଅନେକ ଯେ ଜନ କରୁଥିବେ ସେବା ବୈଷ୍ଣବମାନେ ସେବିବେ

ଅଧର ଅମୃତ ପାନଛିଟା ମାନ ଚରଣାମୃତ ଭକ୍ଷିବେ

ମର୍ତ୍ତ୍ୟ ମହୁରା ଯେ ବୋଲି ନ ଜାଣିମେ ଝଟକେଶ୍ୱର ନ ଜାଣି

ଶଙ୍ଖ ଚକ୍ର ଚିହ୍ନ ବାରଣ ନ କରି ସେବା କରୁଥିବେ ପୁଣି

 

ଅନେକ ଧନ ଯେ ସମ୍ପତ୍ତି କରିଣ କରୁଥିବେ ପ୍ରଭୁ ପଣ

ଲଲାଟ କେଶରୀ ହରେକୃଷ୍ଣ ଦାସ ଯିବେ ସଂକେତ କରିଣ

ପ୍ରଭୁଙ୍କ ଆଗରେ ପ୍ରଣମି କହିବେ ଏହି ପ୍ରମାଣ ବହନ

କିସ ଆଜ୍ଞା ଏହୁ ହୋଇବ ଗୋସାଇଂ କହ ଆମ୍ଭଙ୍କୁ ବଚନ

 

ଅନନ୍ତ କେଶରୀ ଶୁଣି କୋପକରି ଆଣିବେ ତାଙ୍କୁ ଡକାଇ

ବୋଲିବେ ତକ୍ଷଣ ଅନନ୍ତ କେଶରୀ କଳକୀ ଯେ ଭାବଗ୍ରାହୀ

ଦ୍ଵାପର ଯୁଗରେ ଅକ୍ରୂର ତୋ ନାମ ହୋଇଥିଲା ଏହା ଜାଣ

ମୋହଠାରେ ଭକ୍ତି ଅନେକ ତୁ କଲୁ ଶ୍ରୀ ଚରଣକୁ ସେବିଣ

 

 

ତେଣୁକରି ସିନା ସର୍ବ ଅଧିକାରୀ ନାମ ଥିଲୁ ତୁହି ବହି

ସେ କାରଣେ ଏତେ ମହିମା ତୋହର ପ୍ରକାଶ ଏଠାରେ ହୋଇ

ଭକ୍ତକଳା ତୋର ହୋଇଲାଟି ନାଶ ସମ୍ପତ୍ତି ମଦେ ମାତିବୁ

ଭକ୍ତମାନେ ତୋତେ ଯେଉଂ ଦଣ୍ଡ ଦେବେ ତାହା ନିଶ୍ଚୟ ସହିବୁ

 

ଏମନ୍ତ ବୋଲିଣ ପ୍ରଭୁ ଜନାର୍ଦ୍ଦନ ବ୍ରହ୍ମାନନ୍ଦେ ଆଜ୍ଞା ଦେବେ

ଅନନ୍ତ ମିଶ୍ରର ଏପରା କୁମର ବନ୍ଧନ କର ତୁ ଏବେ

ଆଜ୍ଞା ଯେ ପାଇଣ ବ୍ରହ୍ମାନନ୍ଦ ଜାଣ ବନ୍ଧନ ତାକୁ କରିବ

ପ୍ରଭୁଙ୍କ ଛାମୁରେ ରଖାଇଣ ତାକୁ ଅନେକ ଦଣ୍ଡ ଦଣ୍ଡିବ

 

ଲଲାଟ କେଶରୀ ଥିବ ଯେ ଆବୋରି ଯେତେ ଦ୍ରବ୍ୟ ଥିବ ରହି

ଖଣ୍ଡଗିରିକି ସେ ବୁହାଇଣ ନେବେ ଏ ବାକ୍ୟ ନିଶ୍ଚେ ଅଟଇ

କିଛି ଦିନାନ୍ତରେ ପ୍ରଭୁ ନାରାୟଣ ସୁଦୟା ଚିତ୍ତେ ବହିବେ

ବ୍ରହ୍ମ ଏକାକ୍ଷର ବ୍ରହ୍ମ ଯେ ଗୁଣାଣ ଦାମୋଦରେ ପଚାରିବେ

 

ନ ପାଇ ପରୀକ୍ଷା ଅଣାକାର ଦୀକ୍ଷା ବୁଝିବେ ତାହାର ତହିଂ

ପୂର୍ବ ଭକ୍ତ ବୋଲି ସୁଦୟା ବହିବେ ବିନାଶ ଯେମନ୍ତେ ନୋହି

ରଘୁନାଥକୁ ଯେ ଆଜ୍ଞା ଦେବେ ହରି ପଞ୍ଚ କଲମ କରାଅ

ବ୍ରହ୍ମ ଏକାକ୍ଷର ବ୍ରହ୍ମ ଯେ ଗୁଣାଣ ଦାମୋଦର ଆଗେ କହ

 

 

ପୂଜାବିଧିମାନ ଅଣାଇ ବହନ ଯଥାବିଧି ମୋତେ କହି

ସପ୍ତ ଏକାକ୍ଷର ବୁଝାଇ କହିବୁ ମୋହର ଆଜ୍ଞାକୁ ବହି

ଆଜ୍ଞା ପାଇ ରଘୁନାଥ ଯେ ବହନ ବନ୍ଧନ ତାର ଫେଡ଼ିବେ

ପୂଜାବିଧିମାନ ସକଳ ଅଣାଇ ବ୍ରହ୍ମ ଗୁଣାଣ କହିବେ

 

ଆତ୍ମ ବଡ଼ିମାକୁ ଛାଡ଼ିଣ ସେ ପୁଣ ପଦ୍ମପାଦରେ ସେବିବେ

ସେହି ଦିନଠାରୁ ଛାଡ଼ିବେ ସେ ଗୃହ ପ୍ରଭୁଙ୍କ ସଙ୍ଗେ ରହିବେ

ଯାଜପୁର ନଗ୍ର ଗୋହିରୀ ଟିକରା କିଂକଟ ଗ୍ରାମ ଯେ ଜାଣ

ତହିଂ ଯେ ଅନେକ ଯୁଦ୍ଧ ୟେ କରିବେ ନାଶିବେ ଯେ କ୍ଷତ୍ରିଗଣ

 

ଦଶାଶ୍ୱଘାଟ ଠାବରେ ଯାଇଣ ପ୍ରବେଶ ହୋଇବେ ହରି

ଯମ ସାତ ଭଗ୍ନୀ ନିଜେ ସେ ରାଇଣ ଆଜ୍ଞା ଦେବେ ଆଗକରି

ବୋଲିବେ ଯେ ତୁମ୍ଭେ ବହନ ଯାଇଣ ପଞ୍ଚ କଦମ୍ବର ପାଶ

ପଞ୍ଚ କଦମ୍ବରେ ଆଶ୍ରେ କରିଅଛି ସେହି ଯେ ମଣିଆଂ ଦାସ

 

ଦ୍ଵାପର ଯୁଗରେ ଋକ୍ମଣ ତା ନାମ ଅନେକ ମାୟା ଜାଣଇଂ

ଋକ୍ମିଣୀ ହରଣ କାଳରେ ସେ ମୋତେ ଅପମାନ କରିଛଇଂ

ଏବେ କଳିଯୁଗେ ମଠେକ କରିଣ ଗୃହରେ ଆଶା ରଖିଛି

ପ୍ରଣବ ଯେ ଅଣାକ୍ଷର ବୋଲିକରି ଜଗତେ ଶିଷ୍ୟ କରୁଛି

 

 

ତିନିଶହ ଶିଷ୍ୟ କରିଅଛି ସେହି ତାହାକୁ ଯେ ତୁମ୍ଭେ ଖାଅ

ମାଂସ ଶୁଦ୍ଧ ତାହାଙ୍କର ହୋଇଅଛି ପ୍ରତିଷ୍ଠା ହୋଇଛି ଦେହ

ମଣିଆ ଦାସର କେଶ ଧରିକରି ମୋହରି ଆଗରେ ଦେବ

ତେବେ ସିନା ମୋହ ହୃଦୟ ସଂଶୟ ବିନାଶ ଯେ ହୋଇଯିବ

 

ଶୁଣିଣ ଏ ବାଣୀ ଶମନ ଭଉଣୀ ବେଗେ ତହିଂ ଚଳିଯିବେ

ତିନିଶ ଶିଷ୍ୟକୁ ଭକ୍ଷଣ କରିଣ ପଦକଣ୍ଠୁ କାଢ଼ିଦେବେ

ଉଗ୍ରତାରା ବୋଲି ଯେବଣ ଭଉଣୀ ପଦକ ତାର ହସ୍ତରେ

ମଣିଆ ଦାସର କେଶକୁ ଧରିଣ ଆଣିବେ ସେ ବାମକରେ

 

ଅନନ୍ତ କେଶରୀ ପ୍ରଭୁଙ୍କ ଛାମୁରେ ମଣିଆ ଦାସକୁ ଦେବେ

ଅନେକ କାକୁସ୍ଥ ହୋଇ ମଣିଦାସ ପଦ୍ମଚରଣେ ପଡ଼ିବେ

ମୋହର ଅପ୍ରାଧ କରିବା ଯେ କ୍ଷମା ଆହେ ପ୍ରଭୁ ପୀତବାସ

ଅନେକ ଅପ୍ରାଧ କରିଅଛି ମୁହିଂ ଚରଣେ କରିବା ଦାସ

 

ଅପ୍ରାଧ ଅର୍ଜିଲି ଶିଷ୍ୟ ମୁହିଂ କଲି ନ ଜାଣି ତୋର ମହିମା

ଅପ୍ରାଧରୁ ମୋତେ ତ୍ରାହି କରିବା ହେ ଆପେ ପୁରୁଷ ଉତ୍ତମା

ମଣିଦାସ ବାଣୀ କେଶରୀ ଯେ ଶୁଣି କୋପକୁ ଶାନ୍ତ କରିବେ

ବ୍ରହ୍ମ ଏକାକ୍ଷର ବ୍ରହ୍ମ ଯେ ଗୁଣାଣ ପ୍ରସଙ୍ଗ ତାକୁ କହିବେ

 

 

ମଣିଆ ଦାସ ଯେ ନ ଜାଣଇ ତାହା ପ୍ରଣବ ତତ୍ତ୍ୱ ଜାଣଇଂ

ଅଣାକ୍ଷର ବୋଲି ତାକୁ ଭଜୁଥିବ ତତ୍ତ୍ୱ ସେ ପାଇବ କାହିଂ

ତେଣୁକରି ସିନା ଅଣାକ୍ଷର ଜପ କରୁଥାଇ ମଣିଦାସ

ପ୍ରଣବ ଅକ୍ଷର ୟେଣୁକରି ସେହି କରୁଣ ଥାଇ ଅଭ୍ୟାସ

 

ପ୍ରଶନ କରିଣ ପ୍ରଭୁ ଜଗନ୍ନାଥ ମନେ ବିଚାର କରିବେ

ଅପ୍ରାଧ କରିଣ ଯେବେ ମୋ ଚରଣେ ଶରଣ ପଶିଲା ଏବେ

ଦତ୍ତହରି ବୋଲି ଯାହାକୁ କହନ୍ତି ତୋହରି ନାମ ହୋ ରାମ

ତୋତେ ଆଜ୍ଞାଦେବେ ପ୍ରଭୁ ପୀତବାସ ହୃଦୟ ଯାର ଉତ୍ତମ

 

ଦତ୍ତହରି ଦାସ ଶୁଣ ତୁହି ଏବେ ବୋଲିବେଟି ବାସୁଦେବ

ବ୍ରହ୍ମ ଏକାକ୍ଷର ଏହାକୁ ତୁ ଦିଅ ବ୍ରହ୍ମ ଗୁଣାଣ ପ୍ରସ୍ତାବ

ଦଶ ଅଶ୍ୱ ଘାଟେ ଦିଅ ଉପଦେଶ ପୂଜାବିଧି ମାନ ନିଅ

ଶୂନ୍ୟ କଲମକୁ ଏହାକୁ ଛୁଆଂଇ ପଞ୍ଚ କଲମ ଯେ ଦିଅ

 

ଆଜ୍ଞା ଅବଧାରୀ ତୁହି ରାମଦାସ ପଞ୍ଚ କଲମ କାରକ

ସୁବର୍ଣ୍ଣ କଲମେ ଜ୍ଞାନ ଚକ୍ଷୁ ଦେବୁ ଲେଖିବୁ ଯେ ପଞ୍ଚାତ୍ମିକ

ଚନ୍ଦନ କଲମେ ସପ୍ତ ମାତ୍ରା ଦେଇ କର୍ଣ୍ଣ ଚକ୍ଷୁରେ ଲେଖିବୁ

ସପ୍ତ ପଞ୍ଚାତ୍ମକ ରସନା ମଧ୍ୟରେ ମାଣିକ୍ୟରେ ବସାଇବୁ

 

 

ମଣିଆଂ ଦାସର ଯେତେ ହେତୁଥିବ ତା ଚିତ୍ତେ ନିଶ୍ଚେ ଧରିବ

ସୁବର୍ଣ୍ଣ ନୂତନ ବସନ ଶ୍ରୀଫଳ ଦେଇଣ ତୋତେ ପୂଜିବ

ତିନି ମାଢ଼ ଶୁଦ୍ଧ ସୁବର୍ଣ୍ଣକୁ ନେଇ ଯତନେ ସେ ଦେବ ଜାଣ

ନମସ୍କାର କରି ତୋର ପାଦ ଧରି ବୁଝିବ ବ୍ରହ୍ମା ଗୁଣାଣ

 

ସପ୍ତ ଏକାକ୍ଷର ବୁଝିଣ ସତ୍ୟରେ ବ୍ରହ୍ମରେ ଚିତ୍ତ ରଖିବ

ହରେକୃଷ୍ଣ ଦାସ ଦେବେ ତାର ନାମ ସାକ୍ଷାତରେ ସେ ଲେଖିବ

ସାକ୍ଷାତେ ଲେଖିଣ ତାହାର ଯେ ନାମ ପ୍ରଭୁଙ୍କ ଆଗରେ ଦେବେ

ତେବେ ସିନା ରାମ ମଣିଆଂ ଯେ ଦାସ ଭକତେ ଲେଖା ହୋଇବେ

 

ବିଂଶ ବେଦ ଯୁଗ୍ମ ରେବ ଘନ ସାଲେ ଯେତେ ଅଙ୍କ ହେବ ଜାଣ

ଦଶ ଅଶ୍ଵଘାଟୁଂ ବିଜୟେ ସେ ହେବେ ଛତିଆ ନାମେ ଗ୍ରାମେଣ

ଦଶ ଅଶ୍ଵଘାଟେ ଦାରୁବ୍ରହ୍ମ ମୂର୍ତ୍ତି ଜଗନ୍ନାଥ ସ୍ଵରୂପକୁ

ଭକ୍ତଙ୍କ ହାତରେ ଉଠାଇଣ ନେବେ ସେ ଯେ ଛତିଆ ଗ୍ରାମକୁ

 

ବଡ଼ଚଣା ଠାରୁ ହୋଇବ ଉତ୍ସବ ଭାବବଟ ଗାଦି ଯାଏଂ

ଜଗନ୍ନାଥ ମୂର୍ତ୍ତି ଗାଦି ପାଖେ ରଖି କରିବେ ସେ କ୍ଷେତ୍ର ପ୍ରାୟେ

ମହାପ୍ରସାଦ ଯେ ତହିଂରୁ ହୋଇବ କୈବଲ୍ୟ ହାଟ ବସିବ

କ୍ଷେତ୍ର ଜାତକରି ଅନନ୍ତ କେଶରୀ ଲୀଳା ତହିଂ ଆରମ୍ଭିବ

 

 

ନବସସ୍ର ଭକ୍ତ ସଙ୍ଗତରେ ଥିବେ ତେର ଜଣ ମୂଳ କରି

ପଞ୍ଚସଖା ଆମ୍ଭେ ପ୍ରକାଶ ହୋଇବୁ ଦେଖିବୁ ଇଚ୍ଛାବିହାରୀ

ଭକତଙ୍କ ମେଳ ହୋଇଥିବ ତହିଂ ଆନନ୍ଦ କଲ୍ଲୋଳ ହବ

ଆନନ୍ଦ ସମ ଏ ମୋହନା ମୁଗଲ ପୁତ୍ର ତହିଂ ଯେ ମିଳିବ

ନାମ ତା ଦୁର୍ଦ୍ଦୁର ରାକ୍ଷାସ ଶରୀର ନ ଜାଣଇଂ ଧର୍ମ ସେହି

ମୁଗଲ ବଳ ତା ସଙ୍ଗତରେ ଥିବେ ନବଲକ୍ଷ ଜାଣ ତହିଂ

ଭକତମାନଙ୍କୁ ବହୁ କଷ୍ଟ ଦେବ ସେ ଯେ ଦୁର୍ଦ୍ଦୁର ମୋଗଲ

ଭକତମାନେ ଯେ ଧ୍ୟାନ କରୁଥିବେ ବସି ବ୍ରହ୍ମ ଏକାକ୍ଷର

ଛତିଆ ବଟରୁ ନୀଳଗିରି ଯାଏଂ ଘାଟିବେ ମୋଗଲ ବଳ

ବଳେ ବଳିଆର ହୋଇଣ ରାକ୍ଷସେ ପଶିବେ ବଡ଼ଦେଉଳ

ଅତିହିଂ କଷ୍ଟରେ ଦେଖିଣ କେଶରୀ ହୃଦରେ ବିଚାର କରି

ଦ୍ଵାପର ଯୁଗରେ ଯେହୁ ପରଂବ୍ରହ୍ମ ସେହୁ ଲଲାଟ କେଶରୀ

ତାହାଙ୍କୁ ଅଣାଇଂ କେଶରୀ ଗୋସାଇଂ ଆଜ୍ଞା ଯେ ଦେବେ ବହନ

ମୁଗଲ ବଳକୁ ତୁହି ବେଗେ ଯାଇ କର ବହନ ଛେଦନ

ଲଲାଟ କେଶରୀ ଯୁଦ୍ଧକୁ ଆଚରି ବହୁ ଯୁଦ୍ଧ ଆରମ୍ଭିବେ

ମୁଗଲ ବଳକୁ ଜିଣି ନ ପାରିଣ ଅବଶ୍ୟ ସେହୁ ହାରିବେ

ପ୍ରଭୁଙ୍କ ଛାମୁରେ ଜଣାଇବେ ଯାଇ ଉପଦର୍ପ ତାହାଙ୍କର

ତାହାଙ୍କୁ ପ୍ରଭୁ ଯେ ଜାଣି ନ ପାରିବେ ବ୍ରହ୍ମ ଜପ ଯେ ତାଙ୍କର

ଶୁଣିଣ ଅନନ୍ତ କେଶରୀ ଗୋସାଇଂ ସହଦେବଙ୍କୁ ଚିନ୍ତିବେ

ନକୁଳ ଯେ ପୁଣ ଦୁଇ ଭ୍ରାତଯାକ ମଣିପୁର ଠାରେ ଥିବେ

ବଙ୍ଗ ଦେଶରେ ଯେ ମଣିପୁର ଠାରେ ବାୟୁମଣ୍ଡଳ ଗିରିରେ

ବ୍ରାହ୍ମଣ ରୂପରେ ତପ କରୁଥିବେ ସେ ଗିରି ଗୁମ୍ଫା ମଧ୍ୟରେ

ଅଶ୍ଵତ୍‌ଥମା ଶଲ୍ୟ ସେ ଗିରିରେ ଥିବେ କ୍ଷତ୍ରି ବୃତ୍ତିକୁ ଧରିଣ

ଧନୁର୍ବିଦ୍ୟାମାନ ତହିଂ ସାଧୁଥିବେ ଉତ୍ତର ବଟ ପାଶେଣ

ସହଦେବ ଧ୍ୟାନ ଭାଙ୍ଗିବଟି ପୁଣ ପ୍ରଭୁଙ୍କୁ ଚିନ୍ତିଲା ବେଳେ

ଅନନ୍ତ କେଶରୀ ମର୍ତ୍ତ୍ୟେ ଅବତରି ଜାଣିବେ ସେ ଯୋଗବଳେ

ନକୁଳ ଆଦି ଯେ ଅଶ୍ଵତ୍‌ଥମା ଶଲ୍ୟ ଘେନି ସଙ୍ଗତେ ଚଳିବେ

ଛତିଆ ଗାଦିର ପାରୁଶେ ଯାଇଣ ତିନିଦିନେ ସେ ମିଳିବେ

ପ୍ରଭୁଙ୍କ ଆଗରେ କ୍ଷତ୍ରି ଚାରିଜଣ ଦରଶନ ଦିଲେ ଯାଇଂ

କିସ ଆଜ୍ଞା ପ୍ରଭୁ ହୋଇବ ଗୋସାଇଂ କହିବ ହେ ଭାବଗ୍ରାହୀ

ଅନନ୍ତ କେଶରୀ ବୋଲିବେ ଯେ ତୁମ୍ଭେ ବେଗେ ଚାରିଜଣ ଯାଅ

ଦୁର୍ଦ୍ଦୁର ମୋଗଲ ବଳମାନ ମାରି ଭକ୍ତଙ୍କୁ ରକ୍ଷା କରାଅ

ଆଜ୍ଞା ପାଇ ଚାରି କ୍ଷତ୍ରିବୀର ଯାଇ ସମର କରିବେ ପୁଣ

ମୁଗଲ ବଳକୁ ବିନାଶ କରିବେ କ୍ଷତ୍ରିଙ୍କ ମଧ୍ୟରେ ଟାଣ

ମୁଗଲ ସକଳ ହୋଇବେ ବିନାଶ ନକୁଳର ଶସ୍ତ୍ର ଘାତେ

ମୁଗଲକୁ ନାଶ ସହଦେବ ଆଦି ମିଳିବେ ପ୍ରଭୁ ଅଗ୍ରତେ

 

ଅନନ୍ତ କେଶରୀ ଆଦି ସର୍ବ ଭକ୍ତେ ଛତିଆ ଠାବରେ ଥିବେ

ହରେକୃଷ୍ଣ ଆଦି ସର୍ବ ଭକତଙ୍କୁ ସହଦେବ ଯେ ଚିହ୍ନିବେ

ଶତେ ବିଂଶବାର ପୁଣ ତହିଂ ମିଳି କରିବେ ଭକ୍ତ ସକଳ

ଜଗନ୍ନାଥ ବଳଦେବ ସୁଭଦ୍ରାଙ୍କୁ ରଖିବେ ଗାଦି ପାଶର

 

ସପ୍ତବିଂଶ ଦିନ କ୍ଷେତ୍ର ଯେ ହୋଇବ ଭକତଙ୍କ ମେଳି ତହିଂ

ସେହି ଯେ ଠାବରୁ ଛତିଶା ନୃପତି ପ୍ରଭୁଙ୍କୁ ଭେଟିବେ ଯାଇଂ

ସଙ୍ଗେ ସେ ନୃପତି ଅନେକ ଯେ ଥିବେ ଭେଟ କର୍ଣ୍ଣାଟ ମହ୍ଲାରୀ

ନେପାଳ ନୃପତି ପଛିକୋଟ ରାଜା ମଣିପୁର ଆଦିକରି

 

ଉତ୍ତର କୋଶଳେ ଯେତେକ ନୃପତି ଚକ୍ରଧର ଚକ୍ରବର୍ତ୍ତୀ

କ୍ଷେତ୍ରରେ ଯେ ରାଜା ଦିବ୍ୟସିଂହ ଦେବ ତାହାଙ୍କ ସଙ୍ଗତେ ସ୍ଥିତି

ଆଳି ନରପତି କୁଜଙ୍ଗ ରାଜନ କନିକା ରାଜା ମିଳିବେ

ସକଳ ଯେ ରାଜା ମେଳି ତହିଂ ହେବେ ପ୍ରଭୁଙ୍କ ପାଦ ସେବିବେ

 

ଦେଖା ଦରଶନୀ ସକଳ ଦେଇଣ ପ୍ରଭୁଙ୍କ ପାଦେ ପଡ଼ିବେ

ସକଳ ଦୂରିତ କ୍ଷୟ କର ବୋଲି ଶ୍ରୀଛାମୁରେ ଜଣାଇବେ

ଅନନ୍ତ କେଶରୀ ବୋଲିବେ ବିଚାରି ଚାଲ ସର୍ବେ ଆମ୍ଭେ ଯିବା

ଶିଆଳଦାଠାରେ ବଳଦେବ ଛନ୍ତି ତାହାଙ୍କ ପାଶେ ମିଳିବା

 

ତାହାଙ୍କ ଆଗରେ ଆମ୍ଭର ବୃତ୍ତାନ୍ତ ସବୁ ଗୁହାରି କରିବା

ଛତିଆ ପାଶରେ କିଛି ଦୂରାନ୍ତରେ ସର୍ବେ ରଥରେ ବସିବା

ଗଙ୍ଗା କଟକାଇ କରିଣ ଯେ ତହିଂ ମୁକତି ଯେ ଫିଟାଇବ

ତୋତେ କହିଦେଲି ଆହେ ରାମଦାସ ସତ୍ୟ ବଚନଟି ଧ୍ରୁବ

ଏକତ୍ରିଂଶରେ ରାଜାଏ ମେଳି ହେବେ ଦୀନ ଅଚ୍ୟୁତ କହଇ

ତେଣୁକରି ସିନା ତୋତେ ଯେ କହିଲି ଅତିହିଂ ଗୁପତ ଏହି

ଶୁଣ ରାମଦାସ ପୁରାଣ ଭବିଷ୍ୟ କଳ୍ପଟୀକା ଏ ପ୍ରମାଣ

ଅଚ୍ୟୁତ କହଇ କଳ୍ପଟୀକା ଏହି ନକହିବୁ କାହିଂ ପୁଣ

ଇତିଶ୍ରୀ କଳ୍ପଟୀକାୟାଂ ଭବିଷ୍ୟ ତତ୍ତ୍ୱ ବର୍ଣ୍ଣନେ ନାମ ତୃତୀୟ ଅଧ୍ୟାୟଃ

 

ଅଚ୍ୟୁତାନନ୍ଦ ରଚନାବଳୀ ମାଳିକା ଖଣ୍ଡ

ଚତୁର୍ଥ ଅଧ୍ୟାୟ

 

ରାମଦାସ ଶୁଣିଣ ଯେ ଗଦଗଦ ହୋଇ

ଶ୍ରୀଗୁରୁଙ୍କ ଚରଣରେ ପ୍ରଣମିତ ହୋଇ

ବୋଲଇ ହୋ ଗୁରୁସ୍ୱାମୀ ଶୁଣ ମୋ ଉତ୍ତର

ସଂଶୟ ଫେଡ଼ିଣ ଗୁରୁ କହ ମୋ ଆଗର

 

ବିଧାନ ନୃପତି ବଡ଼ ପ୍ରତାପୀ ରାଜନ

କେମନ୍ତେ ଭେଟିବ ସେ ପ୍ରଭୁ ସନ୍ନିଧାନ

କେମନ୍ତେ ସେ ଏହୁ ରାଜ୍ୟେ ପ୍ରବେଶ ହୋଇବ

କେମନ୍ତ ସନ୍ଦେଶ ତାର ଆଗେ କେ କହିବ

ଦିବ୍ୟସିଂହ ଦେବ ସେ ଯେ କ୍ଷତ୍ରିୟ ରାଜନ

ତାହାଙ୍କୁ ମେଳେଛ କରିଥିବେ ଯେ ବନ୍ଧନ

ରାଜା ହତହେବେ ବୋଲି ଜଗତେ କହିବେ

ରାଣୀଙ୍କ ହସ୍ତ ଶାଙ୍ଖୁଳି କଢ଼ାଅ ବୋଲିବେ

ଏହି ଆଜ୍ଞା ପ୍ରଭୁଙ୍କର କହିଅଛ ମୋତେ

ସେହି ରାଜା ଆସି ପୁଣି ପୁଚ୍ଛିବେ କେମନ୍ତେ

ସେହି ରାଜା ଆସି ପୁଣି ତୁମ୍ଭଙ୍କୁ ଯେ କହି

ସଂଶୟ ଫେଡ଼ିଣ ମୋତେ କହିଦେବା ଫେଇ

ଯାହା ପଚାରିଲୁ ଏବେ ଶୁଣ ରାମଦାସ

ସଂଶୟ ଫେଡ଼ିଣ ତାହା କହିବା ଅବଶ୍ୟ

କ୍ଷେତ୍ରର ନୃପତି ଦିବ୍ୟସିଂହ ଯେ ରାଜନ

ତାହାଙ୍କୁ ଯେ ରଖିଥିବେ ଶ୍ରୀହରି ଗୋପନ

ଯେତେବେଳେ ଯବନ ଯେ ରାଜାଙ୍କୁ ଧରାଇ

କଟକରେ ରଖିଥିବ ବନ୍ଧନ କରାଇ

ଓଡ଼ିଶାର ଠାକୁର ଯେ ଦିବ୍ୟସିଂହ ରାଜା

ତାହାଙ୍କ ବନ୍ଧନେ ପୁତ୍ର ପାଇବେ ଯେ ଲଜ୍ୟା

 

ବନ୍ଧନର ଦୁଇଦିନ ପ୍ରରୁ ଶିରୀହରି

ରାତ୍ରକାଳେ ରାଜା ପାଶେ ବିଜୟେ ଯେ କରି

ରାଜାର ବନ୍ଧନ ଫେଇ ପ୍ରଭୁ ବାସୁଦେବେ

ଖଣ୍ଡଗିରି ତଳ ପୁରେ ଗୋପନେ ରଖିବେ

 

ଉତ୍ତର ପାରୁଶେ ସେ ଯେ ଆମ୍ରକୋଟ ସ୍ଥାନ

ତହିଂ ମଧ୍ୟେ ରାଜାଙ୍କୁ ଯେ କରିବେ ଗୋପନ

ରାଜାଙ୍କୁ ନ ପାଇ ସେହୁ ଲଜ୍ୟା ଯେ ପାଇବେ

ନିନ୍ଦା ଯେ ହୋଇବ ବୋଲି ବୁଦ୍ଧିଏ ପାଞ୍ଚିବେ

 

ଏକ ଯେ ବ୍ରାହ୍ମଣ ଦୋଷୀ ଥିବ ବନ୍ଦୀଘରେ

ତାହାଙ୍କୁ ଯେ ପୂରାଇବେ ଲୁହା ପିଞ୍ଜରାରେ

ଧରାଇଣ ତା ଉପରେ ଢାଙ୍କୁଣୀ ଦେଇଣ

ଲୁଗାମାନ ବେଢ଼ାଇବେ ପିଞ୍ଜରା ପାଶେଣ

 

ରାଜାଙ୍କୁ ଯେ ନେଲା ବୋଲି ଶବଦ ପୂରିବ

ବ୍ରାହ୍ମଣଙ୍କୁ ନେଇ କାହିଂ ଗୋପନେ ରଖିବ

ରାଜାକୁ ନେଲା ବୋଲିଣ ଜାଣିବେ ସକଳ

ଓଡ଼ିଶା ରାଜନମାନେ ହୋଇବେ ବିକଳ

 

 

ରାଜାର ଗୋପନ କଥା କେହି ନ ଜାଣିବେ

ରାଜା ଯେ ବିନାଶ ବୋଲି ଜଗତେ ଶୁଣିବେ

ୟେଣୁ ମହାଦେଈ ଶଙ୍କୁଳିକି ସେ କାଢ଼ିବେ

କାଢ଼ିବେ ଶଙ୍କୁଳି ସେ ଯେ ମନେ ଶଙ୍କାଭାବେ

 

ଜଗନ୍ନାଥଙ୍କୁ ଯେ ନିତ୍ୟେ କରିବେ ଗୁହାରି

ରାଜା ଯେ ଶବଦ ଭେଦି ଜାଣି ସତ୍ୟ କରି

ବୈଷ୍ଣବ ବେଶ ଧରିଣ କ୍ଷେତ୍ରରେ ମିଳିବେ

ଅତି ଗୁପ୍ତେ ଥିବେ କେହି ଜାଣି ନ ପାରିବେ

 

ରାଜାଙ୍କର ମୃତ୍ୟୁ ଶୁଣି ନିଯୋଗୀ ଯେ ଜନ

ସଂକେତ କହିବେ ଯାଇଂ ରାଣୀଙ୍କ ଆଗେଣ

ସଂକେତ ବୁଝିବା ପାଇଂ ରାଜାଙ୍କୁ ଡକାଇ

ଟେରାବାଡ଼ ପକାଇବେ ସିଂହଦ୍ୱାରେ ନେଇ

 

ପଚାରିବେ ବଚନ ସେ ବୈଷ୍ଣବକୁ ଚାହିଂ

ତୁମ୍ଭେ ଯେବେ ରାଜା ମୋତେ ସତ୍ୟବାକ୍ୟ କହି

ବଇଷ୍ଣବ ବୋଲିବ ଯେ ନିଶ୍ଚୟ ରାଜନ

ସତ୍ୟ ଯେ ବଚନ ଏହୁ ମୋର ବାକ୍ୟ ଘେନ

 

 

ମହାଦେଈ ବୋଲିବେ ଯେ ମୋ ପ୍ରାଣ ଈଶ୍ଵର

ଏକାନ୍ତ ସଂକେତ କଥା କହ ମୋ ଆଗର

ଉଆସ ମଧ୍ୟରେ ପୂର୍ବ ପାଖ ସିଂଘଦ୍ୱାରେ

ତହିଂ କି ସଂକେତ ଅଛି କହ ମୋ ଆଗରେ

 

ଯେବେ ଏ ସଂକେତ ତହୁଂ ହୋଇବ ପ୍ରମାଣ

ମୋର ହୃଦବୋଧ ହେବ ଶୁଣିଣ ବଚନ

ରାଜା ଯେ କହିବେ ଏବେ ଶୁଣ ପ୍ରାଣସହୀ

ଯେ ସଂକେତ ଅଛି ତୋର ଆଗେ ମୁଂ କହଇ

 

ପୂର୍ବଭାଗେ ଏକ ଯେ ପଥର ଖୋଲ ହୋଇ

ତାର ମଧ୍ୟେ ପିତଳ ଯେ ହଣ୍ଡାଏ ଅଛଇଂ

ପିତଳ ଯେ ହଣ୍ଡା ମଧ୍ୟେ ସୁନା ଯେ ତକତା

ପଚିଶି ତକତା ଅଛି ସତ୍ୟ ଏହୁ କଥା

 

ହୀରାକାଣୀ ପଥରରୁ ଶତେ ଖଣ୍ଡ ଅଛି

ଏହି ଗୁପ୍ତ କଥାମାନ ଘଟନା ହୋଇଛି

ତା ଉପରେ ପିତଳର ଢାଙ୍କୁଣୀ ଯେ ଦେଇ

ଢାଙ୍କୁଣୀ ପରେ ପଥର ତକତା ବିଛାଇ

 

 

ତା ଉପରେ ମୃତ୍ତିକା ଯେ ହୋଇଛି ମଣ୍ଡିତ

ତୋହର ଆଗେ କହିଲି ମୁହିଂ ଯେ ସଂକେତ

ଶୁଣିକରି ମହାଦେଈ ଆନନ୍ଦ ହୋଇବେ

କୋଳାଗ୍ରତ କରିବାକୁ ମନରେ ପାଞ୍ଚିବେ

 

ରାଜା ଯେ ବୋଲିବେ ଏହା ନ କରରେ ସହୀ

ପ୍ରମାଦ ହୋଇବ ଲୋକେ ଏହା ଜାଣିଲେ ହିଂ

ତୋର ମୋର ଭେଟ ଏହିକ୍ଷଣି ଯେ ନୋହିବ

ନେତ୍ର ରେବ ଅଙ୍କେ ନିଶ୍ଚେ ଭେଟ ଯେ ହୋଇବ

 

ଏହା କହି ରାଜା ଯେ ଅନ୍ତର ହୋଇଯିବେ

ରମ୍ଭାକୋଟ ମଧ୍ୟରେ ଯେ ଗୋପନେ ରହିବେ

ଅନନ୍ତ କେଶରୀ ଜାତ ହେବାକୁ ଯେ ସହୀ

ପଥ ଅନୁସରି ଥିବେ ରମ୍ଭାକୋଟେ ରହି

 

ଅନନ୍ତ କେଶରୀ ଉଦେ ହୋଇବେ ଯେ ଜାଣ

ଲୀଳା ଯେ କରିବି ରହି ତାଙ୍କ ସଙ୍ଗତେଣ

ରାଜ୍ୟମେଳି ହେଲେ ରାଜା ପ୍ରକାଶ ହୋଇବ

ସେ ରାଜା ନିମନ୍ତେ ରାଜାଙ୍କର ବାଦ ହେବ

 

 

ଏ ବଚନ ସତ୍ୟ ନିଶ୍ଚେ କହିଲି ହୋ ରାମ

ସତ୍ୟ ସତ୍ୟ ହେବ ନିଶ୍ଚେ ଅଚ୍ୟୁତ ବଚନ

ବିଧାନ ରାଜନ କଥା ପଚାରିଲୁ ମୋତେ

ଯାହା ସେ କରିବ ଏବେ କହୁଅଛି ତୋତେ

 

ରେବ ଶୂନ ବସୁ ଅଙ୍କେ ପ୍ରକାଶ ହୋଇବ

ଗୁପତରେ ସେ ଆସି ଯେ ବାଣିଜ୍ୟ କରିବ

ଓଡ଼ିଶା ଦେଶରୁ ସେ ଯେ ବଙ୍ଗଦେଶ ଯାଏ

କରିବ ସନ୍ଧାନ ସେହୁ ବିଧାନ ଯେ ରାୟେ

 

ବେନି ରେବ ମିଳି ଯେବେ ବେନି ଘନ କରି

ବୁଝିଲେ ଯେ ଏତେ ଅଙ୍କଠାରେ ସମସରି

ବିଖ୍ୟାତ ପଦ୍ମକେଶରୀ ରମ୍ଭାଦେଶ ରାଜା

ବୁଲିଣ ସକଳ ଦେଶ କରିବ ପରିଜା

 

ସତରହ ସାଲେ ଯେ ପ୍ରମାଣ ଏହୁ କଥା

ପ୍ରଜାମାନଙ୍କୁ ଏ ସାଲେ ହେବ ବଡ଼ ବ୍ୟଥା

ଶସ୍ୟ ନୋହିବଟି କୃଷି ହୋଇବଟି ହାନି

ତୃଣ ଦ୍ରବ୍ୟେ ଝିଣ୍ଟିକାଏ ରହିଥିବେ ପୁଣି

 

 

ବୁଣିବେ ବିହନ ଯେ ମରୁଡ଼ି ବୃଛ ହେବ

ବୁଛ ହେଲାମାତ୍ରେ ଇନ୍ଦ୍ର ଜଳେ ବୁଡ଼ାଇବ

ବୃତ୍ତିରେ ବାସକରି ନରହିବ ଧାନ ତହିଂ

ପ୍ରଜାଜନେ କଷ୍ଟେ ଥିବେ ବିହନ ନ ପାଇ

 

ଯେଉଂ ବୃତ୍ତି ଧାନ ଥିବ ଶସ୍ୟ ହେବ ହାନି

ପୋକଯୋକ ତିନିଭାଗେ ଭାଗେ ଧାନ ପୁଣି

ଏଣୁକରି ଶସ୍ୟହାନି ଜଗତ ହୋଇବ

କେହି ଯେ ମହତ୍ୱ ଧରି ଜଗତେ ନଥିବ

 

କୁଟୁମ୍ବଙ୍କ କଷ୍ଟ ରାଜାଙ୍କର ଦଣ୍ଡ ଜାଣ

ପ୍ରଜାଙ୍କୁ ପଡ଼ିବ ତହିଂ ବହୁତ କଷଣ

ଗୋପନରେ ରହି ରାଜା ଛତ୍ର ହିଂ କରିବ

ଦେଶେ ଦେଶେ ବୁଲିଣ ସେ ପ୍ରଜାଙ୍କୁ ପାଳିବ

 

ଋତୁ ଯୁଗ୍ମରେବ ମିଶାଇଲେ ଯେତେ ହେବ

ଏହୁ ସନ ନିଶ୍ଚେ ଏ ଯେ ପ୍ରମାଣ ହୋଇବ

ଏହି ଦୁଇ ସାଲରେ ୟେ ରାଇଜ ନୃପତି

ପ୍ରଜାକୁ ପାଳିଣ ନେବ ହେବ ବହୁ କୀର୍ତ୍ତି

 

 

ତଦଅନ୍ତେ ବଇଶାଖ ମାସରେ ଯେ ଜାଣ

ଯୁଦ୍ଧ ସେ କରିବ ପୁଣି ଯବନ ସଙ୍ଗେଣ

ବଙ୍ଗ ଦେଶ ଜିଣି ଓଡ଼ିଶା ରାଇଜେ ମିଳିବ

ସପ୍ତଦଶ ରାଜାଙ୍କୁ ସେ ସଙ୍ଗେ ଘେନିଥିବ

 

ଅନନ୍ତ କେଶରୀ ସ୍ଵାମୀ ଥିବେ ଖଣ୍ଡଗିରି

ଦିବ୍ୟସିଂହ ଦେବ ସେ ଯେ ଲଲାଟକେଶରୀ

ଖଣ୍ଡଗିରି ଠାବରେ ଯେ ପ୍ରଭୁଙ୍କୁ ଦେଖିବେ

ଲଲାଟ କେଶରୀ ଦିବ୍ୟସିଂହକୁ ଚିହ୍ନିବେ

 

ପ୍ରଭୁଙ୍କ ଆଗରେ ତହିଂ କହିଣ-ସନ୍ଦେଶ

ବୋଲିବେ ଭୋ ନାଥ ଚାଲ ଯିବା ବଙ୍ଗଦେଶ

ଗାର ବସୁ ମଉଳି ୟେ ଯେବଣ ସାଲେଣ

ସମସ୍ତେ ମିଳିବେ ଆସି ବଙ୍ଗଳା ଦେଶେଣ

 

ଅଙ୍ଗ ବଙ୍ଗ କଳିଙ୍ଗ ଯେ ତେଲେଙ୍ଗା ନୃପତି

ସମସ୍ତେ ମେଳ ହୋଇବେ ଶିଆଳଦା କତି

ବଳଦେବ ଥିବେ ତହିଂ ଅର୍ଜ୍ଜୁନ ଯେ ଭୀମ

ସେ ଯେ ପ୍ରବେଶ ହୋଇବେ ରାଜାଙ୍କ ସଙ୍ଗେଣ

 

 

ସର୍ବ ରାଜା ଆଗେ ଯେ ଅର୍ଜ୍ଜୁନ ଗଦାଧରି

ବିଚାର କରିବେ ତହିଂ ଅନନ୍ତ କେଶରୀ

ବୋଲିବେ ଯେ ଗଡ଼ମାଣ୍ଟୁ ମଧ୍ୟରେଣ ପଶ

ଯବନ ବଳ ଅଛନ୍ତି କରିବା ବିନାଶ

 

ବହୁ ଯୋଦ୍ଧା ଲୋକମାନ ମଧ୍ୟେଛନ୍ତି ରହି

ତାହାଙ୍କୁ ଯେ ନାଶ କର ଧନୁଶସ୍ତ୍ର ବହି

ଶୁଣିଣ ସକଳ ରାଜା ମେଳ ଯେ ହୋଇବେ

ଅନନ୍ତ କେଶରୀଙ୍କର ଆଗରେ ମିଳିବେ

 

ରାଇଜ ରାଜା ବୋଲିବ ଶୁଣ ବାସୁଦେବ

ଅନେକ ମାୟା ଜାଣଇ ଯବନ ଦାନବ

ମାୟା ଯୁଦ୍ଧ ତାର ସଙ୍ଗେ କଲେ ଯେ ଜିଣିବ

ହେଳା ଯୁଦ୍ଧ କଲେ ତାକୁ ଜିଣି ନ ପାରିବ

 

ଅନନ୍ତ କେଶରୀ ତହିଂ ବୋଲିବେ ଯେ ଶୁଣ

ଯେମନ୍ତେ ପାର ତାହାକୁ ବଳକରି ଜିଣ

ଗଜପ୍ତି ରାଜା ଯେ ତହୁଂ ବୋଲିବେ ବଚନ

ମୋର ସଙ୍ଗେ ଦେବା ପ୍ରଭୁ ଭୀମ ଯେ ଅର୍ଜ୍ଜୁନ

 

 

ତେବେ ସିନା ଜିଣିହୁଏ ଯବନ ରାଜୁସି

ବୁଦ୍ଧିଦେବେ ଅନନ୍ତ କେଶରୀ ବେଗେ ଯାସି

ବୁଦ୍ଧିବଳେ ଯବନକୁ ବିନାଶ କରାଅ

ଆଜ୍ଞା ପାଇ ତିନି ବୀର ହୋଇବେ ଅଥୟ

 

ଏହି ତିନି କ୍ଷତ୍ରି ତହିଂ କରିବେ ଯେ ଠଣା

ଏକତା ବାରଣ ତହିଂ ନୋହିବ ଯେ ଜଣା

ଦ୍ଵାପର ଯୁଗରେ ନନ୍ଦକାର ନାମ ତାର

ସେହି ପୁଣ ଜାତ ହୋଇଥିବ ମର୍ତ୍ତ୍ୟପୁର

 

ମଣିନଗ୍ର ପଶ୍ଚିମ କୋଶଳେ ତାର ଘର

ଜାତ ହୋଇଥିବ ସେ ଯେ ଯବନ କୁଳର

ଅବଦୁଲା ବୋଲିଣ ତା ହୋଇଥିବ ନାମ

ପିତାର ନାମ ତାର ଯେ ରହିମ ପଠାଣ

 

ମଣିନଗ୍ର ଗ୍ରାମେ ଏକ ନିମ୍ବ ବୃକ୍ଷ ଥିବ

ସେ ବୃକ୍ଷ ଉତ୍ତରେ ତାର ଗୃହ ଯେ ହୋଇବ

ଗଜପ୍ତି ରାଜା ତାର ଯେ ସଂକେତ କହିବ

ଅବଦୁଲା ଅଇଲେ ସେ ଯୁଦ୍ଧ ଯେ ହୋଇବ

 

 

ଅର୍ଜ୍ଜୁନ ବୋଲିବ ସେ ଯେ ହେବ କେତେ ଦୂର

ଗଜପ୍ତି ବୋଲିବେ ପଥ ଦ୍ୱିତୀୟ ମାସର

ଆଠଦିନ ମଧ୍ୟେ ତାକୁ ଯେ ପାରିବ ଆଣି

ତେବେ ସେ ଯବନକୁ ସମର ହୁଏ ଜିଣି

 

ଯେବେ ସେ ଏହି ଠାବରୁ କରିବ ବିବର

ତିନିସସ୍ର ହାତ ହୋଇଥିବ ଯେ ଓସାର

ନବସମ୍ର ହାତ ଯେ ଉତ୍ସର୍ଗ ହୋଇଥିବ

ଭୀମସେନ ହାତେ ସେହୁ ମାପ ଯେ ହୋଇବ

 

ଦ୍ଵାପର ଯୁଗରେ ଯେ ବିଦୁର ଯାର ନାମ

ସେ ଥିବ ବିବରେ ଖଲ୍ୟକାର ସଙ୍ଗତେଣ

ସପ୍ତଦିନ ମଧ୍ୟେ ଏହୁ ବିବର ହୋଇବ

ଗଡ଼ମାଣ୍ଟୁ କିଲା ଯାଏ ବିବର ଫିଟିବ

 

ପଦବଳ ନୃପତି ସେ ପଦ୍ମ ଯେ କେଶରୀ

ତାହାର ଯେ ଭ୍ରାତା ନାମ ନବୀନ କେଶରୀ

ଅତିଅ ବଳବାନ ସେ ଅଟଇଟି ଜାଣ

ତାହାଙ୍କୁ ଯବନ କରିଥିବ ଯେ ବନ୍ଧନ

 

 

ଗଡ଼ ମଧ୍ୟେ ତାହାକୁ ଯେ ଥିବଟି ରଖାଇ

ସାତ ବାଡ଼ ଲୁହା ବାନ୍ଧ ଦେଇଥିବ ତହିଂ

ତାହାର ପାରୁଶେ ଯାଇ ବିବର ଫିଟିବ

ତାହାଠାରୁ ବିଦୁର ଯେ ସଂକେତ ଆଣିବ

 

ଏମନ୍ତ ଘଟିବ ହେତୁ କରିଥାଅ ଚିତ୍ତ

ତେବେ ସେ ଯୁଦ୍ଧରେ ଆମ୍ଭେ ହେବା ଉପଗତ

ଶୁଣିଣ ଅର୍ଜ୍ଜୁନ ତହୁଂ ସ୍ତବଦ ହୋଇବ

ଏତେ ଦୂର ପଥ କେହୁ ଗମନ କରିବ

 

ବିଦୁର ଯେ କାହିଂଛନ୍ତି ଖୁଡ଼ୁତା ଆମ୍ଭର

କେମନ୍ତେ ସେ ଭେଟ ହେବେ ଆସି ଏ ଠାବର

ଅର୍ଜ୍ଜୁନ ବଚନ ଶୁଣି ଗଜପ୍ତି ନୃପତି

ବୋଲିବେ ଯେ ୟାକୁ ତୁମ୍ଭେ ନ କରିବ ଭୀତି

 

ଭୀମସେନ ଗଲେ ଅବଦୁଲାକୁ ଆଣିବ

ଆଜ ମଧ୍ୟେ ଆମ୍ଭ ପାଶେ ଆଣି ଭେଟାଇବ

ବିଦୁର ଅଛନ୍ତି ଆମ୍ଭ ଦଳର ମଧ୍ୟେଣ

ଭକ୍ତବୃନ୍ଦ ଘେନି ସଙ୍ଗେ ପ୍ରଭୁଙ୍କ ପାଶେଣ

 

 

ହରେକୃଷ୍ଣ ନାମ ଯେ ତାହାର ହୋଇଅଛି

ପୂର୍ବର ସଂକେତ ମାନ ସମସ୍ତ ଜାଣିଛି

ବ୍ରାହ୍ମଣ କୁଳରେ ସେ ଯେ ଅଛି ଜାତ ହୋଇ

କଳିରେ ତୁମ୍ଭ ସଙ୍ଗରେ ଲୀଳା କରିବଇଂ

 

ଶୁଣିଣ ଅର୍ଜ୍ଜୁନ ଅତି ଆନନ୍ଦ ହୋଇବେ

ଭୀମସେନକୁ ମଣିପୁର ପେଶିଦେବେ

ଅର୍ଜ୍ଜୁନ ବଚନେ ଭୀମ କରିବ ଗର୍ଜନ

ପଦାଘାତେ ଶୂନ୍ୟକୁ ଯେ ଉଠିବ ପବନ

 

ଅଣଚାଶ ମୂର୍ତ୍ତି ଧରି ପବନ ବହିବ

ପବନର ବଳେ ଭୀମସେନ ଚଳିଯିବ

ଯେଉଂପଥେ ଭୀମସେନ କରିବ ଗମନ

ଅନେକ ଅଟ୍ଟାଳିମାନ ହୋଇବ ଭଞ୍ଜନ

 

ମଣିପୁର ଠାରେ ଯାଇଂ ପ୍ରବେଶ ହୋଇବେ

ଏକ ନିମିଷକେ ଏତେ ଦୂର ପଥ ଯିବେ

ଅବଦୁଲା ନିଦ୍ରାଗତ ଶୟନ ମନ୍ଦିରେ

ପ୍ରବେଶ ହୋଇବେ ଭୀମ ଅତି ଆକଟରେ

 

 

ଅବଦୁଲା ଧରିକରି ଗମନ କରିବେ

ସଙ୍କେତ ଠାବରେ ସର୍ବେ ମେଳଣ ହୋଇବେ

ଗଜପ୍ତି ନୃପତି ଅବଦୁଲାକୁ କହିବେ

ବିବରେକ ଏହିଠାରେ କର ବାବୁ ଏବେ

 

ଅବଦୁଲା ବୋଲିବ ଯେ ମୋର ଶସ୍ତ୍ର କାହିଂ

କେମନ୍ତେ ବିବର ଏ ଯେ ମୁହିଂ କରିବଇଂ

କେହୁ ଏ ସଂକେତ ଏବେ ଦେଖାଇଣ ଦେବ

କେଉଂଠାକୁ ପୁଣ ଏହୁ ବିବର ହୋଇବ

 

ମୂର୍ତ୍ତିକା ମୋ ପାଶୁ କେହୁ ବାହାର କରିବ

ଏମନ୍ତେ ହୋଇଲେ ସିନା ବିବର ଫିଟିବ

ଗଜପ୍ତି ରାଜନ ଶୁଣି ଅବଦୁଲା ବାଣୀ

ହରେକୃଷ୍ଣ ଦାସଙ୍କୁ ଡକାଇ ଆଣି ପୁଣି

 

ପାଶରେ ବସାଇ ତାଙ୍କୁ ବଚନ କହିବେ

ଭୀମାର୍ଜ୍ଜୁନ ତେତେବେଳେ ଦର୍ଶନ କରିବେ

ଆନନ୍ଦରେ ପ୍ରେମ ଗଦଗଦ ବାଣୀ କହି

ଏତେବେଳେ ଭେଟ ତୁମ୍ଭେ ହୋଇଲ ଗୋସାଇଂ

 

 

ଅନେକ ଆନନ୍ଦ ଜାତ ତାହାଙ୍କର ହେବ

ଅର୍ଜ୍ଜୁନ ହରେକୃଷ୍ଣଙ୍କୁ ବଚନ କହିବ

ସବୁଦିନେ ତୁମ୍ଭେ ଯେ ଆମ୍ଭର ପ୍ରାଣ ପ୍ରିୟ

ଏ ଯୁଦ୍ଧରେ କେମନ୍ତେ ତରିବୁ ତୁମ୍ଭେ କୁହ

 

ହରେକୃଷ୍ଣ କହିବା ଯେ ତୁମ୍ଭେ ସର୍ବ ଜାଣ

ଧନଞ୍ଜୟ ନାମ ତୋର ଜଗତ ପ୍ରଚ୍ଛିନ୍ନ

ସମରେ ଘେନି ଅବଦୁଲା ବିଧାନେ ନୃପତି

ଯୁଦ୍ଧକୁ ଯେ ଆଉ କିସ ଅଛି ତୁମ୍ଭ ଭୀତି

 

ଗଜପ୍ତି ରାଜନ ହରେକୃଷ୍ଣଙ୍କୁ କହିବ

ତୁମ୍ଭର ଯୋଗେ ସିନା ଆମ୍ଭର ଯୁଦ୍ଧ ହେବ

ତୁମ୍ଭେ ପୂର୍ବେ ଆସି ଯେ ସଂକେତ ଅଛ ବାରି

ବିବର ଫିଟାଅ ସଙ୍ଗେ ଘେନି ଖଲ୍ୟକାରି

 

ଜୟ ଯେ ବିଜୟ ନେଇ ବେନି ସେ ଯାଆନ୍ତୁ

ଅବଦୁଲା ପାଶେ ଥାଇ ମୃତ୍ତିକା କାଢ଼ନ୍ତୁ

ଏମନ୍ତ ବୋଲି ସମସ୍ତେ ବିବର କରିବେ

ଖଲ୍ୟକାର ହସ୍ତେ ନେଇ ଶସ୍ତ୍ରଖଣ୍ଡି ଦେବେ

 

 

ଜୟ ଯେ ବିଜୟ ଦୁଇ ସେନାପତି ଜାଣ

ଥିବେ ଅବଦୁଲା ବାମ ଦକ୍ଷିଣ ଦିଗେଣ

ହରେକୃଷ୍ଣ ଦାସ ଦେବ ସଂକେତ ବତାଇ

ଖଲ୍ୟକାର ବିବରକୁ ଖୋଳିବ ଯେ ତହିଂ

 

ପ୍ରଥମେ ଶସ୍ତ୍ର ଧରି କରିବେ ପ୍ରହାରଣ

ନବଗ୍ରହ ହାତ ଯେ କାଟିବେ ତହିଂ ପୁଣ

ସେହିଠାରୁ ବିବର ଯେ ଉଦ୍ୟମ ହୋଇବ

ହରେକୃଷ୍ଣ ଦାସ ତାଙ୍କ ସଙ୍ଗତରେ ଥିବ

 

କ୍ଷୁଧା ତୃଷ୍ଣା କାଟିବା ଯେ ଥିବ ତାର ତହିଂ

ସପ୍ତଦିନ କ୍ଷୁଧା ନିବାରିକା ତାହା ଖାଇ

ଭୀମ ଯେ ବିବର ଦ୍ୱାର ପଥର କାଢ଼ିବ

ସପ୍ତଦିନେ ବିବର ଯେ ପ୍ରସ୍ତୁତ ହୋଇବ

 

ନେତ୍ର ମଉଳି ଅଙ୍କରେ ହୋଇବ ଏମନ୍ତ

ଏକଥା ତୁ ରାମ ଦାସ ଜାଣିବୁ ତଦନ୍ତ

ଏହୁ ଯେ ସଙ୍କେତ ତୋତେ କହୁଅଛି ମୁହିଂ

ସତ୍ୟ ସତ୍ୟ ବଚନ ଯେ ଅଚ୍ୟୁତ କହଇ

 

 

ରେବ ଅଙ୍କ ମଉଳି ଯେ ଯେବଣ ଅଙ୍କରେ

ଏମନ୍ତ ହୋଇବ ଏହି ଓଡ଼ିଶା ଦେଶରେ

ଭବିଷ୍ୟ ପୁରାଣ କଥା ହେତୁ ଚିତ୍ତ ଦେଇ

ଶୁଣ ରାମ ଦାସ ଏହା ଅଚ୍ୟୁତ କହଇ

 

ଜଗତ ଜୀବନ ପ୍ରଭୁ ଶିରୀ ଚକାଡୋଳା

ପ୍ରାଣୀଙ୍କୁ ଉଧରିବାକୁ ଭବନଦୀ ଭେଳା

ସୁଜନ ଜନ ମାନଙ୍କୁ କଳ୍ପଟୀକା କହି

ଅଚ୍ୟୁତ ଦାସ ଯେ ହୀନ ଗୀତରେ ଭଣଇ

 

ଇତିଶ୍ରୀ କଳ୍ପଟୀକାୟାଂ ଭବିଷ୍ୟ ନାମତତ୍ତ୍ୱ କଥନେ ନାମ

ଚତୁର୍ଥ ଅଧ୍ୟାୟଃ ଭବିଷ୍ୟ ପୁରାଣ ସଦାଜୟେ ସମ୍ପୂର୍ଣ୍ଣ

 

ଶିବକଳ୍ପ

ପ୍ରଥମ ନିର୍ଘଣ୍ଟ

 

ହେ ମହିମା ମେରୁ ବାଞ୍ଛା କଳ୍ପତରୁ ଜ୍ଞାନ ଜଳଧି ଶ୍ରୀଗୁରୁ

ସର୍ବ ତତ୍ତ୍ୱ ଜ୍ଞାତା ବ୍ରହ୍ମାଣ୍ଡ କରତା ଉଦ୍ଧାର ଭବ ସାଗରୁ

ଅଣାକ୍ଷର ତତ୍ତ୍ୱ ଅକର୍ମ ବିଦିତ ଅକର୍ମଦାୟକ ହରି

ଚ୍ୟୁତ ନୋହ ଯେଣୁ ଅଚ୍ୟୁତ ବଖାଣୁ ନାମବ୍ରହ୍ମ ବାଖ୍ୟାକରି

 

ସିଦ୍ଧି ସାରସ୍ଵତ ମଣ୍ଡଳ ଭକତ କାହିଂ ଗୁପ୍ତ କରିଅଛ

ହୁଅନ୍ତୁ ସଦୟ କରନ୍ତୁ ଉଦୟ ମନ ମୋ ହୋଇବ ସ୍ଵଚ୍ଛ

ଅଚ୍ୟୁତ ମନାସ ଜାଣି ରାମ ଦାସ ପଚାରେ ନିଉନ ହୋଇ

ପ୍ରଭୁ କୃପା ବାଣୀ ଶୁଣି ଅଛ ପୁଣି ହେ ମୋର ଗୁରୁ ଗୋସାଇଂ

 

କଳିକାଳ ମୋର କି ଭାବେ କଟିବ ଭକ୍ତ ରହିବେ କିପରି

କାହିଂ ଜନମିବେ କି ଲୀଳା କରିବେ ଦ୍ଵାଦଶ ଶିଷ୍ୟ ତୋହରି

ଶୁଣିଣ ଅଚ୍ୟୁତ ମନେ ହରଷିତ ଆତ୍ମାରାମ ହୃଦେ ଧ୍ୟାଇ

ପିଠି ଆଉଂସିଣ କୋମଳ ବଚନ ଶୁଣ ରାମଚନ୍ଦ୍ର ତୁହି

 

ମୋର ବଳ ତୁହି ଅଟୁରେ କୁମର ଭଲା ସନ୍ଧିକଥା ପୁଚ୍ଛୁ

ତୁ ଯେଣୁ ମୋହର ଆତ୍ମା ରାମଚନ୍ଦ୍ର ମାୟା ନାହିଂ କହୁଅଛୁ

ପଦ୍ମକଳ୍ପେ ଯେତେ କଥା କହିଥିଲି ଚିତ୍ତରେ ଚିତ୍ତୋଇଥିବୁ

ଅଜ୍ଞାନ ଅବିଜ୍ଞ ଲୋକରେ ବଖାଣ କଦାପି ତୁ ନ କରିବୁ

ଘୋର କଳିକାଳେ ଥୟ ନ ରହିବ ମୁନି ହେବେ ବାଟବଣା

ପ୍ରକୃତି ସଙ୍ଗତେ ପୀରତି କରିବେ ଜ୍ଞାନ କହି ଅକଳଣା

ଘରଭଙ୍ଗା ପ୍ରାଣୀ ସରବେ ହୋଇବେ ଫନ୍ଦା ଫିକରରେ ମାତି

ଫତୁରୀ ସଂସାର ଚିର ମଣିଥିବେ ତିଳେ ନ କରିଣ ଭୀତି      

ଶୁଣାଶୁଣି ଭାବେ ଗୁରୁ ବୋଲାଇବେ ସଂପ୍ରଦା ଜ୍ଞାନ ନ ଥିବ

ନାନା ଜାତି ନାନା ତିଳକ କରିବେ ଗୁରୁ ଧର୍ମ ନାଶ ଯିବ

ପଞ୍ଚସଖା ଗ୍ରନ୍ଥ ପାଇ ମନେ ଟେକ ଦମ୍ଭପଣ ଆଚରିବେ

ଦୟା ଧର୍ମ ତିଳେ ହୃଦରେ ନ ଥିବ ଜ୍ଞାନୀଅଜ୍ଞାନୀ ଲୋଡ଼ିବେ

ମୋହ ନାମ ଦେଖ ଗ୍ରଛରେ ରହିଛି ତୁମ୍ଭ ନାମ କାହିଂ ଦେଖା

ବିନ୍ଦୁ ବସି ନାହିଂ ମିଥ୍ୟା ଭେକ ବହି ବାବାଜୀ ନୁହନ୍ତି ଏକା

ନ ଜାଣିବେ ମୂଢ଼ କେଉଂ ତତ୍ତ୍ୱ ଗାଢ଼ ସର୍ବଘଟେ ବିଦ୍ୟମାନ

ଏକ ଆତ୍ମାରାମ କରିଛି ବିଶ୍ରାମ ଗୁରୁ ଶିଷ୍ୟ ମିଥ୍ୟା ଜ୍ଞାନ

ତୋ ନାମ ଅଚ୍ୟୁତ ମୋ ନାମ ଅଚ୍ୟୁତ ଅଜ୍ଞାନେ ଅସେବାକର

ଅଳପକେ ଶୁଭ୍ର ଭକତିରେ ତତ୍ତ୍ୱ ପୁରାଣେ ଭ୍ରମି ନ ମର

ଶୁଣୁଅଛଟିକି ଦ୍ଵାଦଶ ଗୋପାଳେ କାହିଂ ଏହା ନ କହିବ

ଚରଣକୁ ଛୁଅଂ ମୋ ନିୟମ ନିଅ କହିଲେ ଅପ୍ରାଧୀ ହେବ

 

ବୃକ୍ଷ ନାହିଂ ପୁଷ୍ପ କାହିଂ ବା ଫୁଟିବ କେମନ୍ତେ ଏ ଭକ୍ତିରସ

ସୁଦାମ ଦାରିଦ୍ର ଭଞ୍ଜନ ଶ୍ରୀହରି ଅନ୍ତ ନ ମିଳିବ ଲେଶ

ଅନ୍ତ ନ ପାଇଣ ଅନନ୍ତ ଦେଖିଲୁ ଅବ୍ୟକ୍ତ ନୋହିଲା ବ୍ୟକ୍ତ

ଆପେ ଆତ୍ମାରାମ ପ୍ରକୃତି ପରମ ଘଟରେ ଭଣେ ଅଚ୍ୟୁତ

 

ମେଷକୁ ବୃଷ ସଙ୍ଗତେ ମିଳାଇବୁ ମିଥୁନରେ ପ୍ରକାଶିଣ

ସପ୍ତର୍ଷିମଣ୍ଡଳ ଦକ୍ଷିଣରେ ଲେଖ ନ କହ ମୋହର ଗୁଣ

ମୀନ ଶନି ଗୁରୁବାରରେ ପଡ଼ିବ ଏହି ଅଙ୍କେ ଧ୍ରୁବ ଧ୍ରୁବ

ମିଥୁନ ମାସରେ ତେର ଦିନେ ପକ୍ଷ କାଳ ଧରଣୀ ଗ୍ରାସିବ

 

ଓଡ଼ିଶା ଦେଶରେ ଜଳବିମ୍ବ ହେବ ପ୍ରାନ୍ତ ଆଦ୍ୟ ମଧ୍ୟକାଳେ

ପାଣ ପଠାଣ ଯେ ଚାଉଳ ବାଣ୍ଟିବେ ଏକଥା ହୋଇବ ଢାଳେ

ହେଲା ହେଲା ବୋଲି ମହୀ ଉଛୁଳିବ ହେଳାରେ କାଟିବେ ଦିନ

ହରି ଭାବ ରସ କେହି ନ ଜାଣିବେ କର୍ମକାଣ୍ଡ ହେବ ଲୀନ

 

ଭକତଙ୍କୁ ନାନା କଷଣ ପଡ଼ିବ ଅନ୍ନ ଜଳ ନ ମିଳିବ

ମାତା ସୁତ ରତି ଭକ୍ତଲୀଳା ଶ୍ରୁତି ଇନ୍ଦ୍ର ସୃଷ୍ଟି ନ ପାଳିବ

ସେତିକିବେଳକୁ ତ୍ରାହି ତାହି ବୋଲି ଉଦାସେ ଦିନ ବଞ୍ଚିବୁ

ପନ୍ଦର ଦିନରେ ଥରେ ଅନ୍ନଜଳ ସମୀର ଅଙ୍କେ ଭୋଗିବୁ

 

ଅତ୍ରାହି ଭଞ୍ଜନ ଅଣାକର ବ୍ରହ୍ମ ଅଶୂନ୍ୟେ କର ସମ୍ଭବ

ତେବେ ଯାଇ ତତ୍ତ୍ୱ ସାରସତ୍ତ୍ୱ ହୋଇ ମନରୁ ଗ୍ଲାନି ପୋଛିବ

ଷୋଳ ମଣ୍ଡଳରେ ଚୈାଷଠି ଗୋପାଳ ଗୋପାଙ୍ଗନା ଷୋଳ କହି

ଷୋଳ ସରଦାର କଳିରେ ହୋଇବ ଏଥୁ ଆନ ବାଣୀ ନାହିଂ

 

ସତ୍ୟ ଯୁଗେ ମନୁ ଜନମ ହୋଇଲେ ସଂହିତା ଲେଖିଲେ ସାତ

ସୁରାସୁର ରଥେ ସାରଥି ହୋଇଲେ ତଦଅନ୍ତେ ସତ୍ୟ ଗତ

ଶିଷ୍ୟ ଅପରାଧୀ ଅଟନ୍ତି ସେ ଯେଣୁ ଏକାକ୍ଷର ଭୁଲାଇଲେ

ଆତ୍ମା ଭିନ୍ନ ମଣି ଆପଣା ଶାପରେ କ୍ଷତ୍ରିୟ ସେବକ ହେଲେ

 

ତ୍ରେତୟା ଯୁଗରେ ସୁଗ୍ରୀବର କପି ମଇତ୍ର ସେ ରାମଙ୍କର

ତାଙ୍କ ବୀର୍ଯୁ ଜାତ ଲବ ନାମ ଖ୍ୟାତ ସୁତ ସୀତା ସତୀଙ୍କର

ଦ୍ଵାପର ଯୁଗରେ ଯମଘୋଷ ରାଜା ଛିନ୍ନମସ୍ତାକୁ ସାଧୁଲେ

ପାର୍ଥର ବଳରେ ପରାସ୍ତ ହୋଇଣ ରଥେ ସାତବେଣ୍ଟି ହେଲେ

 

ତୁଙ୍ଗବିଦ୍ୟା ନାମ ପୁଣି ସେବାକଲେ କୃଷ୍ଣେ ହେଲେ ସମର୍ପଣ

ଶ୍ରୀ ଛାମୁରେ ରହି ଆଲଟ ବିଞ୍ଚଣୀ ଢାଳନ୍ତି ସେ ରାତ୍ରିଦିନ

ଗୁଜ୍ଜର ଦେଶରେ ପ୍ରଥମ ଜନମ କଳିଯୁଗ ଆଗମନ

ସରଯୁ ନାମରେ କନୌଜ ଗୋତ୍ରରେ ବେଭୋଳରେ ଗଲା ଦିନ

 

 

ପୁଣି କିଛିଦିନେ ଜନମେ ହୋଇଲେ ବଉଦ ଧରାଧୀଶ୍ଵର

ଗୀତ ଗୋବିନ୍ଦରେ ମନ ରଖିଥିବ ବଳଭଦ୍ର ନାମ ତାର

କାବ୍ୟ ଅଳଙ୍କାର ନାଟକ ଲେଖିବ ଅନୁକ୍ଷଣେ ଅନୁପ୍ରାସ

ନାରାୟଣ ପତି ମାରେ ପ୍ରାଣ ବିକି ଏ ଜନ୍ମ ହୋଇବ ଶେଷ

 

କୁମ୍ଭକାର ଗୃହେ ପ୍ରକାଶ ହୋଇବ ଦକ୍ଷ ବ୍ରହ୍ମପୁରେ ଯାଇ

ନୀଳକଣ୍ଠ ନାମ ନିଶ୍ଚୟ ହୋଇବ ଉପାଧି ପାଇବ ସେହି

ବସୁକଳ୍ପ ନୃପ ଗୁରୁ କରିଥିବେ ଏକଥା ଅଟଇ ଧ୍ରୁବ

ଦକ୍ଷିଣ କୋଠି ଯେ ଆଶ୍ରମ ହୋଇବ ମଧୁକର ନାମ ହେବ

 

କନକେଶ୍ୱରୀର ମୂଳରେ ସମାଧି ନିଶ୍ଚୟ ହୋଇବ ତାର

ଦକ୍ଷିଣ ପୂର୍ବ ଉତ୍ତର ପଶ୍ଚିମେ ଗୁମ୍ପାରେ ବାସ ତାହାର

ଯୋଜନେକ ଯାଏ ବିସ୍ତାର ହୋଇଛି ସପ୍ତଶାଳା ଗୁପ୍ତ ଅଛି

ସତୁରୀ ଭବନେ ଗୁପତରେ ଥିବେ ଏକଥା ବିହି ଲେଖିଛି

 

ଖଣ୍ଡ ଖଣ୍ଡାୟତ କୁଳେ ଜନମିବ ସମାଧିର ପୂର୍ବ ଭାଗେ

ରବି ଶାକର୍ଣ୍ଣବ ଦୟଣା ତା ନବଯୋଗ ଅଟେ ଯୋଗୀମାର୍ଗେ

ତୃତୀୟ ଦେବତା ମାତା ନାମ ତାର ନୀଳାଚଳେ ଲୟ କରି

ସାଧୁ ସାଧୁ ସାଧି ପିତା ନାମ ଭେଦି ଭକତଙ୍କୁ ଠାବ କରି

 

 

ଲବଣ ଧାରର ଉତ୍ତର ପାର୍ଶ୍ଵରେ ତହିଂକି ମୋ ଦୃଷ୍ଟିଥିବ

ଜିତେନ୍ଦ୍ରିୟ ଭକ୍ତ ଅବଧୂତ ଗତ ଅଚ୍ୟୁତ ବଚନ ଧ୍ରୁବ

ବେନି ପକ୍ଷ ଲେଖ ଋତୁ ବାମେ ଯୋଖ ବୃହସ୍ପତି ମିଥୁନରେ

ଶୁକ୍ଳ ଏକାଦଶୀ ଦ୍ଵାଦଶୀ ଯେ ବେନି ଲୀଳା ହେବ ସେହିଠାରେ

 

ଉଲଟି ଏଗାର ତ୍ରିଗୁଣକୁ ଧର ସେ ବସା ଭକ୍ତଙ୍କ ମେଳେ

ଦେହ ଲୁଚିଯିବ ଧ୍ୱନି ଜାଗିଥିବ ଦେଖିବୁ ତୁ ବେନି ଡୋଳେ

ନରସିଂହ ପୁରେ ତୋହର ଜନମ ବୀଣାକର ନାମେ ଖ୍ୟାତ

କୃପାସିନ୍ଧୁ ପଣ୍ଡା ପିଅର ହୋଇବେ ଗୁଣର ହୋଇବୁ ସୁତ

 

ମହୁରା ଗ୍ରାମରେ ଆମ୍ଭେ ଜନମିବୁ ତୋ ଜନ୍ମ କେଶ ନଗରେ

କମାର କୁଳରେ ଜନମ ହୋଇବ ତା ଜନ୍ମ ମଣି ନଗରେ

ଛତିଆ ବଟରେ ସୁଖ୍ୟାତି ବଢ଼ିବ ଚାହିଂବ ପ୍ରଭୁ ପଥକୁ

ଶ୍ରୀକ୍ଷେତ୍ରେ ଯେ ସାତ ଦିନ ବସିଥିବ ଭକତଙ୍କୁ ଲୋଡ଼ିବାକୁ

 

ଭାବ ବିନୋଦିଆ ଠାକୁରଙ୍କୁ ନେଇ ନନ୍ଦିଘୋଷେ ବସାଇବ

କଳା ପାହାଡ଼ର ବିଶାଦ ବାଣୀରେ ଅଭିମାନ ସବୁ ନେବ

ମାସ ଆଦ୍ୟକ୍ଷର ମୂର୍ଦ୍ଧନୀର ଶିର ବୃହସ୍ପତି ସନ୍ଧ୍ୟାକାଳେ

ଏକାଦଶୀ ତିଥି ଶୁକ୍ଳ ପକ୍ଷ ରାତି ସନ୍ଦେହ ନକର ବାରେ

 

 

ତେର ଜଣଙ୍କର କଳି ଲାଗିଥିବ ତରକିବେ ଭକ୍ତ ଗଣ

ବିରଜା କ୍ଷେତ୍ରରେ ଲୀଳା ଲାଗିଥିବ ନ ଜାଣିବେ ଦୁଷ୍ଟଗଣ

ମୋର ମୋର କହି ସରବେ ମରିବେ ଅଚ୍ୟୁତିର କିସ ଗଲା

ଚେତିଲା ପୁରୁଷ ଚେତାରେ ତରିବେ ବିହନ୍ତା ପୁରୁଷ ମଲା

 

ତିରିଶ ଅଠର ଭବିଷ୍ୟ ମଧ୍ୟରେ ନବଖଣ୍ଡ ନିରିଘଣ୍ଟ

ଷୋଳ ମଣ୍ଡଳର ଭକତ ରଖିବ ଅଚ୍ୟୁତ କରିଛି ଆଣ୍ଟ

ଇତିଶ୍ରୀ ଶିବକଳ୍ପେ ନବଖଣ୍ଡ ନିର୍ଘଣ୍ଟେ

ଅଚ୍ୟୁତ ରାମ ସମ୍ବାଦେ ନାମ ପ୍ରଥମ ନିର୍ଘଣ୍ଟଃ

 

ଦ୍ୱିତୀୟ ନିର୍ଘଣ୍ଟ

 

ପାଦ ତଳେ ପଡ଼ି କରପତ୍ର ଯୋଡ଼ି ଦ୍ଵାଦଶ ଗୋପାଳ ମୂଳେ

କହ ମହାପ୍ରଭୁ ତଦନ୍ତରେ କିସ ଶରଣ ପାଦ କମଳେ

କାକୁସ୍ଥ ହୋଇଣ ପଛଘୁଞ୍ଚା ଦେଇ ଦଣ୍ଡ ପ୍ରଣାମ କରିଲେ

ଶିରେ ପାଦୋଦକ ଗର୍ଭକୁ ଅର୍ଦ୍ଧେକ କ୍ଷେପି ନିସ୍ତରିଲେ ବୋଲେ

 

ସଞ୍ଚ। ବିଧି ଥୋଇ ପ୍ରଣିପାତ ହୋଇ ବୋଲେ ଗଦଗଦ ବାଣୀ

କଣ୍ଠ ରୁଦ୍ଧ ହୁଏ ଅଙ୍ଗ ଥରିଯାଏ ଶ୍ରୀମୁଖରୁ ବାକ୍ୟ ଶୁଣି

ଧନ୍ୟ କଳିକାଳ ମହିମା ତୋହର ଧନ୍ୟ ଅନନ୍ତ କୁମର

ତୋହ ଲାଗି ନାମ ତତ୍ତ୍ୱକୁ ଶୁଣିଲୁ ଶ୍ରୀଗୁରୁ ଶ୍ରୀମୁଖୁ ସାର

 

ଭକତିରେ ପ୍ରୀତି ଯାର ଥାଏ ନିତି ସେ ଅଟେ ପୁରୁଷୋତ୍ତମ

ଦ୍ଵାଦଶ ଗୋପାଳ ଆଶ୍ରିତ ମୋହର ତେଣୁ ଲକ୍ଷେ ଗ୍ରନ୍ଥ ଜାଣ

କ୍ଷୁଧାତୁର ହେଲେ ଅନ୍ନ ଲୋଡ଼ାହୁଏ ତେମନ୍ତ ରୀତି ମୋହର

ନ ପୁଛିଲେ ଅବା କାହିଂକି କହନ୍ତି ପ୍ରୟୋଜନ ନାହିଂ ମୋର

 

ଯେ ଯେମନ୍ତେ ଅବା ତେମନ୍ତ ତା ସେବା ପ୍ରକାଶି ଜଗତ ମୁଖେ

ନିଅଳସୀ ଯେହୁ ମୂଲିଆଟି ହେଉ ବୈକୁଣ୍ଠ ପାଇବ ସୁଖେ

ଚିତ୍ତ ଶୁଦ୍ଧି ହେଲେ ଶ୍ରଦ୍ଧା ଜାତ ହୁଏ ଶ୍ରଦ୍ଧାର ସାଧନା ସିଦ୍ଧି

ସିଦ୍ଧି ବିଧି କରି ସାଧୁ ବୋଲାବନ୍ତି ତରେ ସଂସାର ଜଳଧି

 

ତୁମେ ଯେଣୁ ମୋର ଆତ୍ମାରେ କୁମର କହିବି ଗୁପତ କଥା

ନ କହିବୁ କାହିଂ ଗୁପ୍ତେ ଥିବ ଥୋଇ ଜୀବ ପରମଙ୍କ ବାର୍ତ୍ତା

ଟାହି ଟାପରାରେ ସଂସାର ପୂରିବ ଟୋକାଏ ମାରିବେ ତାଳି

ଦେଉଳ ଦୁଆରେ କଣ୍ଟାବାଡ଼ ପୋତି ବୋଲିବେ ନ ଗଡ଼ାମାଳି

 

ଟାଣି ଧରିଥିବୁ ବ୍ରହ୍ମ ବୀଣା ଯନ୍ତ୍ର ଭ୍ରୂମଧ୍ୟେ ଚିତ୍ତକୁ ମାରି

ଅରେହରୁ ରେହ ଶବଦ ଫେରାଅ ଅନହତେ ରହଥିରି

ଓମତି ଅକ୍ଷର ନାମ ଏକାକ୍ଷର ଅଣାକାର ଯହିଂ ବିଜେ

ଓଂ କାରକୁ ଘେନି ଶୂନ୍ୟ ଯନ୍ତ୍ରେ ଭୂମି ଭଜନ କରାଅ ବିଜେ

 

 

ସପ୍ତ ଦ୍ୱୀପା ମହୀ ଚଉଦ ବ୍ରହ୍ମାଣ୍ଡ ନବଖଣ୍ଡ ପୃଥ୍ୱୀ ଏଥି

ନଜାଣିଲା ଲୋକ ଫୁକାରି କହିବ ଜଣାଜଣ ବୋଲା ପୋଥି

ମହିମା ନିନ୍ଦୁକ ଅନେକ ହୋଇବେ ମହୀ ହେବ ଜରାଗ୍ରସ୍ତ

ଶସ୍ୟ ନଫଳିବ ରସ ହାନି ହେବ ପ୍ରାଣୀ ହେବେ ଛଟପଟ

 

ମାଣେ ଚାଉଳକୁ କାହାଣେ କୁଣିଆ ନିର୍ମାଲ୍ୟ ପଡ଼ିବ ତୁଣ୍ଡେ

ଛତିଶ ପାଟକ ଭିକ୍ଷା ମାଗିଯିବେ କୁଳ ଭୁଆଷୁଣୀ ଦାଣ୍ଡେ

ପିତ ମାତୃ ଶ୍ରାଦ୍ଧ ବୁଡ଼ିବ ସଂସାରୁ ମଲା ପ୍ରାଣୀ କାହିଂ ଖାଏ

ଭଣ୍ଡି ଖାଇବାକୁ ବ୍ରାହ୍ମଣ ଜାତିଟା ଶାସ୍ତ୍ର ଗଢ଼ିଛନ୍ତି ପାଏ

 

ଗ୍ରାମେ ଗ୍ରାମଦିଅଂ ଅପୂଜା ରହିବେ ବୃନ୍ଦାବତୀ ଫିଙ୍ଗିଦେବେ

ମଣିଷ ତିଆରି କରିଛନ୍ତି ପରା କଥା କହିବ କି କେବେ

ପିତା ପୁତ୍ରଙ୍କର ଅନିଷ୍ଟ ବଢ଼ିବ ସୁତ ହେବ ଗୃହକାରୀ

ପିତା ଯଦି ତୀର୍ଥ ବ୍ରତ ଇଚ୍ଛା କରେ କହିବ ଠସିଲି କରି

 

ଗଙ୍ଗାକୁ ନିନ୍ଦିବେ ଗୋଦଣ୍ଡା ଚଷିବେ ଶାଶୁ ଜ୍ୱାଇଂରେ ପୀରତି

ବରାଙ୍ଗନା ହୋଇ କେହି ନ ରହିବେ ବାରାଙ୍ଗନା ସ୍ଥିରୀ ଜାତି

ଉଚ୍ଚିଷ୍ଟ ଭୁଞ୍ଜାଇ କଟୁକ୍ତି ଭାଷିବେ ସ୍ୱାମୀକି ମାରିବେ ମାଡ଼

ଟାପରା କରିଣ ଧିକାରି କହିବେ ନପୁଂସକ ଛାଡ଼ ହୁଡ଼

 

 

ଜଳ ନ ପଡ଼ିବ ମେଘ ଉଠାଇବ ଶୂନ୍ୟ ଘଡ଼ଘଡ଼ି ମାରି

ବତାସ ବହିବ ଘର ଭାଙ୍ଗିଯିବ ସଂସାରେ ପଡ଼ିବ ହୁରି

ଅଷ୍ଟ ପାଟବଂଶୀ ନିତ୍ୟସ୍ଥଳ ବାସୀ ତାଙ୍କୁ କି ଉପମା ଦେବା

ନବ ଦୁର୍ବାଦଳ ମୋହନ ସୁନ୍ଦର ଚନ୍ଦନ ବିନ୍ଦୁରେ ଲୋଭା

 

ପୂର୍ବେ ସତ୍ୟଯୁଗେ ଅଗସ୍ତି ମହର୍ଷି ଜନ୍ମିଲେ ଦୟା ସାଗର

ସୁମେରୁର ଗର୍ବ ଆଦ୍ୟରେ ଗଞ୍ଜିଲେ ଶୋଷିଲେ ସାଗର ନୀର

ଲକ୍ଷେ ବୟାଳିଶ ହଜାର ବରଷ ଦେହ ଧରିଣ ରହିଲେ

ଜ୍ଞାନ କଟାରିକୁ ମୁନିଙ୍କି ପଢ଼ାଇ ଶ୍ରୀବତ୍ସକୁ ଟେକ ଦେଲେ

 

ପୁଣି ମୁନି ଅଂଶେ ଜନମ ହୋଇଲେ ପୌଲସ୍ତ ନାମରେ ଖ୍ୟାତ

ନବ ମେଦିନୀକୁ ସଂହିତା ବାଣ୍ଟିଲେ ନ୍ୟାୟ କର୍ମ କଲେ ସାତ

ତ୍ରେତୟା ଯୁଗରେ ଦଶରଥ ଘରେ ରାମ ହେଲେ ଅବତାର

ନୃପତି କୁଳରେ ଅଗସ୍ତି ଜନ୍ମିଲେ ବିଶ୍ଵାମିତ୍ର ନାମ ଯାର

 

ତାଙ୍କ କୀର୍ତ୍ତିକଥା କେତେ ମୁଂ କହିବି ଶାସ୍ତ୍ରେ ପୁରାଣେ ପ୍ରଚାର

କୀରତି ରଖିବେ ଦର୍ପିଷ୍ଠ ନାଶିବେ ଅଚ୍ୟୁତ ବଚନ ସାର

ଦ୍ଵାପର ଯୁଗରେ ଜନମ ହୋଇଲେ ମେରୁଶୂଳ ରାଜା ହୋଇ

ବଶିଷ୍ଠ ଶାପରୁ ଅସୁର ହୋଇଲେ ଭକ୍ତି ତିଳେ ନ ଆସଇ

 

 

ଦୁହିତା ତାହାର ତ୍ରିପୁର ମୋହିନୀ ବଳେ କାମକୁ ବରିଲା

ଅର୍ଜ୍ଜୁନ ସଙ୍ଗରେ ସମର କରିଣ କୃଷ୍ଣ ବାଣେ ପ୍ରାଣ ଗଲା

ଗୋପରେ ଜନମ ହୋଇଲା ତାହାର ଶଶିରେଖା ସଖୀ କହି

ତାମ୍ବୁଳ ଭୋଜନେ କୃଷ୍ଣଙ୍କୁ ସେବିଲେ କୋଟିକଳ୍ପେ ସିଦ୍ଧଦେହୀ

 

ଆମ୍ଭେ ପଞ୍ଚସଖା ଗହଣେ ଖଟିଲୁ ଦ୍ଵାଦଶ ଗୋପାଳ ମୂଳେ

ସୁଦାମା ଦରିଦ୍ର ସେକାଳେ ମୋ ନାମ ଶରଣ ମୋ ପାଦତଳେ

ଦ୍ଵାପରର ଅନ୍ତେ କଳି ଉଦେହେଲା ଭକ୍ତକଳା ତନୁ ବହି

କିଂକଟ ନଗରେ ଜନମ ହୋଇଲେ ମହେନ୍ଦ୍ର ନାମ ଯେ ସେହି

 

ନେମାଳ ଗ୍ରାମରେ ଅଚ୍ୟୁତ ମୋ ନାମ ଦର୍ଶନ ସେ ବାଞ୍ଛାକଲେ

ବ୍ୟାଘ୍ର ପୃଷ୍ଠେ ଚଢ଼ି ଗମନ କରନ୍ତି ମନେ ଦମ୍ଭ ଆରମ୍ଭିଲେ

ଭଙ୍ଗା ମୃତ୍ତିକାକୁ ଆମ୍ଭେ ଯେ ବୋଇଲୁ ଦାନ୍ତ ଘଷିବାର ବେଳେ

ସିଦ୍ଧାନ୍ତ ବଚନ ଜାଣି ଓହ୍ଲାଇଲେ ମାନ୍ୟକରି ଫେରିଗଲେ

 

କୈବର୍ତ୍ତ କୁଳରେ ପୁଣି ଜନମିଲେ କାକଟପୁରରେ ଘର

ବାଳୁତ ଭାବରେ କାଳ କଟାଇଲେ ଅକଳନ୍ତି ଭକ୍ତ ତାର

କୁବେର କୁଳରେ ପୁଣି ଜନମିଲେ ବାରବର୍ଷ ଘଟାନ୍ତର

ବାଲିପାଟଣାରେ ଭକତି ସାଧିଲେ ସମାଧି ରହିଛି ତାର

 

 

ଖଣ୍ଡା ଖଣ୍ଡାୟତ କୁଳରେ ଜନମ ଲୀଳା ଆଦ୍ୟକାଳ ଜାଣି

ଦ୍ୱିତୀୟ ଅଙ୍କରେ ଜନମ ହୋଇବ କହିବ ପଦ ନିଶାଣୀ

କବିତା କର୍ମରେ ବଡ଼ ଚତୁରତା କପଟେ ଭ୍ରମିବ ମହୀ

ଷଡ଼ ବୀଜେ ମନ୍ତ୍ର ଭଜନ କରିବ ଏଥୁ ସାର ଆଉ ନାହିଂ

 

ଗୃହସ୍ଥ ଧର୍ମରେ କିଛିକାଳ ଯିବ ପଞ୍ଚାଶ ଶିଷ୍ୟ କରିବ

ସପ୍ତ ପଞ୍ଚାତ୍ମିକ ବ୍ରହ୍ମ ଗୁଣାଣକୁ ପ୍ରଣବରେ ପ୍ରଚାରିବ

ପିତା ଘନଶ୍ୟାମ ମାତା ତା ଜାନକୀ ତାର ନାମ ବ-ଅକ୍ଷର

ବାତ୍ସଲ୍ୟ ଧରମ କେହି ନ ଜାଣିବେ ଅବଧୂତ ବାଣୀ ତାର

 

ଖୋଜି ବୁଲୁଥିବେ ଅନେକ ଭକତ ଭେଟି ଭେଟ ନ ପାଇବେ

ପିତା ଯଜ୍ଞକାଳେ ମଧୁତ୍ରୋଟାଠାରେ ଶିଷ୍ୟ ଅନେଶ୍ୱତ ହେବେ

ଧାର ଗାର ପର କିଛି ନ ରହିବ ନ ମାନିବ ବାଣୀ ତାର

ଚୂନକାଳି ଦେବେ ଠକ ସଖା ସବୁ ଅଚ୍ୟୁତ ବଚନ ସାର

 

ତ୍ରିଶୂଳକୁ ସ୍ଥାପି ତ୍ରିଗୁଣକୁ ଲେଖି ଚାରିବେଦ ଯୋଗସାର

ଏହି ଅଙ୍କେ ନିଶ୍ଚେ ଘରୁ ବାହାରିବ ନଥିବ ଆପଣା ପର

ବାମ ଦକ୍ଷିଣରୁ ପେଟକୁ କିଳିବ ବେନି ବିନ୍ଦୁ ବସାଇଣ

ନବ ଯୁବତୀକୁ ଦକ୍ଷିଣେ ଲେଖିବୁ ତ୍ରୟତତ୍ତ୍ୱ ପଚାରିଣ

 

 

ଏହି ଅଙ୍କେ ନିଶ୍ଚେ କଳା ପ୍ରକାଶିବ ଖଣ୍ଡଗିରିରେ ରହିବ

ପାଦୁକା ଆଶ୍ରମେ ରାହାସ କରିବ କଳିଗୋଳ ଘୁଞ୍ଚିଯିବ

ଗୁପତ ଭକତ କାହିଂ ନ କହିବୁ ଗୁପତେ ଗୁପତ କର

ତିନିସସ୍ରେ ସାର ଗୁପ୍ତେ ଠାବକର ଲୀଳାଭୂଇଂ ଅଗୋଚର

 

ଦୃଷ୍ଟ ଜନମାନେ ଉପହାସ କରି ଭକତଙ୍କୁ ନିନ୍ଦୁଥିବେ

ଭକତଙ୍କ କଥା ଭକତେ ଜାଣନ୍ତି ଅନ୍ୟ କେହି ନ ଜାଣିବେ

ଲବଣ ଧାରର ଉତ୍ତର ପାରୁଶେ ମଧ୍ୟକ୍ରୋଟ ପୂର୍ବଭାଗେ

ଅଡ଼ମ୍ବରୁ ମୂଳ ପାଶେ ଜନମିବ କହିଦେଲି ବ୍ରହ୍ମଭାଗେ

 

ସୀତା ଠାକୁରାଣୀ ଅସତୀ ହୋଇବେ ପର୍ବତେ ଫୁଟିବ କଇଂ

ଅଚ୍ୟୁତ ବଚନ ତିଳେ ନ ଟଳିବ ପଥରର ଗାର ଏହି

ଶିବକଳ୍ପ ତତ୍ତ୍ୱ ଅମୃତ ରସ ଯେ ଶୁଣିଥାଅ ହେତୁକରି

ନ ମଣିବୁ ତୁଚ୍ଛ ବାବୁ ରାମଚନ୍ଦ୍ର କହୁଛି ପ୍ରଭୁଙ୍କୁ ସ୍ମରି

 

ଶ୍ରୀରଙ୍ଗାଚରଣ ବିନୁ ନ ଜାଣଇ ନୀଳାଚଳେ ମନ ମୋର

ତାଙ୍କ କଥା ମାନି ଯେ ହିତେ ଲେଖଇ ପାମର ଅଚ୍ୟୁତ ଛାର

ଇତିଶ୍ରୀ ଶିବକଳ୍ପେ ନବଖଣ୍ଡ ନିର୍ଘଣ୍ଟେ

ଅଚ୍ୟୁତ ରାମ ସମ୍ବାଦେ ନାମ ଦ୍ୱିତୀୟ ନିର୍ଘଣ୍ଟଃ।।

 

ତୃତୀୟ ନିର୍ଘଣ୍ଟ

 

କରପତ୍ର ଯୋଡ଼ି ରାମଚନ୍ଦ୍ର ପୁଣି ଅଚ୍ୟୁତଙ୍କ ପାଦେ ପଡ଼ି

ଭକ୍ତି ଗଦଗଦେ ବିହ୍ୱଳିତ ହୋଇ ପୁଚ୍ଛେ କରପତ୍ର ଯୋଡ଼ି

ଅନନ୍ତ ବଟରେ ବିଜେ କରିଅଛ ଦୁଃଖୀ ଦୁଃଖ ତାରିବାକୁ

ଅଯାଚିତେ ଚିତ୍ତେ ଭକ୍ତିତତ୍ତ୍ୱ ଆଉ କେହିନାହିଂ କହିବାକୁ

 

ଯାର ଆଜ୍ଞାପାଇ ସ୍ତମ୍ଭୀଭୂତ ହୋଇ ଧର୍ମ ଧରଣୀ ରହିଛି

ପଞ୍ଚଭୂତ ଆଦି ଯନ୍ତ୍ର ତନ୍ତ୍ର ଭେଦି ଧର୍ମାଧର୍ମ ନ ଲୋଡ଼ୁଛି

ତାଙ୍କୁ କି ଅପାର ଅଛି ଏ ସଂସାର ମାଗିବା କଥାଟା ଛାର

ବିଷ୍ଣୁ ହୋଇ ସୃଷ୍ଟି ସର୍ଜନା କରନ୍ତି ଲକ୍ଷ୍ମୀ ହୋଇ ପଡ଼ିକାର

 

ବ୍ରହ୍ମା ହୋଇ ବେଦ ଉତ୍ପତ୍ତି କରୁଛ ଶିବ ହୋଇ କର ଚୂର

ଏ ତ୍ରୟ ବୀଜକୁ ବର୍ଣ୍ଣିବାକୁ କାର ଶକତି ଅଛି ସଂସାର

ଏମନ୍ତ ପ୍ରଭୁଙ୍କ ଉଣା ଅବା କିସ ଯା ଚିତ୍ତ ଭକ୍ତ ବେଦନା

ପତିତମାନଙ୍କୁ ଉଦ୍ଧାରିବା ପାଇଂ ପତିତପାବନ ବାନା

 

ସାରସ୍ୱତ ଭକ୍ତ ସାରସ୍ୱତ ଯେବା ଷୋଳ ସରଦାର କହି

କେବଣ ପ୍ରକାରେ ଦେହ ଧରିଛନ୍ତି କହିବା ପ୍ରଭୁ ବୁଝାଇ

ଠାର ଗାର ଭାଷା ଗୁପତେ ରହିବ ତତ୍ତ୍ୱରେ ବୁଝାଇଦେବ

ତେର ଜଣ ମୂଳେ ଅଚ୍ୟୁତ ବଚନ ପଥରର ଗାର ହେବ

ଶୁଣିଣ ଅଚ୍ୟୁତ କହନ୍ତି ଉତ୍ତର ଏ ବଡ଼ ବିଷମ ସନ୍ଧି

ମୁନିମାନେ ଯାର ଭେଦ ନ ପାଇଲେ ତୁ ପଚାରୁ ତାହା ବିଧି

କଳିକାଳ ଏହୁ ହରିଲାର କାଳ କିଞ୍ଚିତେ କହୁଛି ସନ୍ଧି

ପ୍ରାଣୀମାନେ ବଡ଼ ଖଳବଳ ହେବେ ଭାବି ନ ଫେରୁଛି ବୁଦ୍ଧି

ମହିମା ନିନ୍ଦନ ହେବ ସ୍ଥାନେ ସ୍ଥାନେ ଦେବ ଧର୍ମ ନ ରହିବ

ମୂଳା କନ୍ଦମୂଳ ଅରଣ୍ୟେ ଭୁଞ୍ଜିବେ ଏ କଥା ଅଟଇ ଧ୍ରୁବ

ରବି ସୋମ ନେଇ ବିନ୍ଦୁରେ ବସାଅ ଅର୍ଦ୍ଧେ ରଖ ନବଗ୍ରହ

ତାରକ ଦଣ୍ଡକ କୁଣ୍ଡଳି ମଧ୍ୟରେ ପାଞ୍ଚଭୂତ ଖଞ୍ଜି ଦିଅ

ତାପନ ନାମରେ ତର୍ପଣ ରଖିବୁ ଉର୍ଦ୍ଧ୍ୱେ ସପ୍ତର୍ଷି ମଣ୍ଡଳ

ତ୍ରୟତତ୍ତ୍ୱ ବାମେ ଚାରିଶୂନ୍ୟ ଥିଲେ ସମୁଦ୍ର ଲଙ୍ଘିବ କୂଳ

ବାଇଶି ପାବଚ୍ଛେ ମୀନ ଖେଳୁଥିବେ ସିଂହାସନରେ ବରୁଣ

ମକା ମଦିନାରେ ଘୋର ଯୁଦ୍ଧ ହେବ ମରିବେ ପଠାଣଗଣ

ପୂର୍ବେ ସତ୍ୟଯୁଗେ ଚାରିଲକ୍ଷ ବର୍ଷ ତପ ଆରାଧି ବସିଲେ

ଗୌତମ ମହର୍ଷି ଅହଲ୍ୟାର ପତି ତ୍ରେତୟାରେ ଜାତହେଲେ

ଦସ୍ୟୁ ରତ୍ନାକର ତା ନାମ ହୋଇଲା ମାଇଲା ଧନୀ ଦରିଦ୍ର

କାମ ଜଡ଼ିତରେ ବିଷୟା ବିଷରେ ବୁଡ଼ିଲା କାମିନୀ ହ୍ରଦ

 

କଳ୍ପଜୀବୀ ଋଷି ସୁଦୟା ବହିଣ ନାମତତ୍ତ୍ୱ ପଢ଼ାଇଲେ

ମରା ମରା ଭଜି ବାଲମିକ ମୁନି ଶେଷେ ରାମାୟଣ କଲେ

ଦ୍ଵାପର ଯୁଗରେ ମଥୁରା ନଗରେ ଉଗ୍ରେସେନ ନାମ ତାର

କୃଷ୍ଣ ଦରଶନ ମହିଂମା ବିକାଶ ଧ୍ୟାନେ ରତ ନିରନ୍ତର

 

କଳିଯୁଗେ ତାର ଜନମ ହୋଇଲା ନାମ ନାରାୟଣ ଦାସ

ତତ୍ତ୍ୱବେତ୍ତା ବୋଲି ବଡ଼ ଦମ୍ଭକଲା ନହେଲା ସେ ହରିବଂଶ

ସେହି ନାରାୟଣ ମାତୁଳ ବଂଶରେ ବ୍ରାହ୍ମଣ କୁଳରେ ଜନ୍ମ

ଅରକେଣ୍ଡା ଗ୍ରାମ କାଠଯୋଡ଼ି କୂଳେ ଶାରଦା ମଣ୍ଡଳେ ପୁଣ

 

ଦାସ ଦାସଙ୍କର ନାତି ଶିଷ୍ୟ ହେବ ତାଙ୍କ ବଂଶେ ଉତପତ୍ତି

ନିତ୍ୟାନନ୍ଦ ନାମ ହୋଇବ ତାହାର କବିତା ଚାତୁରୀ ଅତି

ଆରତ ଧ୍ୱଂସନ ଗ୍ରନ୍ଥେକ ଲେଖିବ ଦାରୁବ୍ରହ୍ମଙ୍କ ଜଣାଣ

ମାଳାର ଧର୍ମରେ ସେହି ଜନମିବ ଏକଥା ନିଶ୍ଚୟ ଜାଣ

 

ତିଳ କଇବର୍ତ୍ତ କୁଳେ ଜନମିବ ନରଣା ଗ୍ରାମରେ ଜାଣ

କଇଂଶିରା ଦାସ ସିଦ୍ଧ ସମାଧିକି ପୂଜି ହେବ ପୂଣ୍ୟବାନ

ନରସିଂହ ପୁରେ ଶିଶୁ ଅନନ୍ତ ଯେ ଉଦୟ ହୋଇବେ ବେଳେ

ଚକ୍ରଧର ଦାସ ନାମ ହୋଇଥିବ ଗୁପତେ ରଖିବ ବାଳେ

 

 

ଅରକ୍ଷିତ ଦୀକ୍ଷା ଅଘୋର ନୀତିକୁ ଶିଶୁ ଆଚରିଣ ଥିବେ

ଏକ ଶିଷ୍ୟ ତାଙ୍କ ବେନି ଶିଷ୍ୟ ନାହିଂ ବିଭୋଳରେ ଦିନ ନେବେ

ସପ୍ତକ୍ଷର ପ୍ରାନ୍ତ ମୂଳ ନବାକ୍ଷର ଦକ୍ଷିଣରେ ସିଂହ ପ୍ରାନ୍ତ

ଉକାର ବଇଠି ନିମ୍ନରେ ଥୋଇଣ ନାମ ନିଧି କର ଅନ୍ତ

 

ମଠ ନିତ୍ୟ ତାର ଗୁପତ ରହିବ ଭକତଙ୍କୁ ପଚାରିବୁ

ବ୍ରାହ୍ମଣ କୁଳରେ ନିରଞ୍ଜନ ହେବ ପ୍ରାଚୀ କୂଳରେ ଭେଟିବୁ

ତାଙ୍କ ଗୁରୁଙ୍କର ଜନମ କହିବା ଚିଲିକାର ଉତ୍ତରରେ

ଅଭିନ୍ନ ସୁନ୍ଦର ନାମ ହେଇଥିବ ହେତୁ କରିବ କୁମରେ

 

ଲକ୍ଷେ ଶିଷ୍ୟ ଯେଉଂଦିନ ପୂର୍ଣ୍ଣ ହେବ ସେଦିନ ଛାଡ଼ିବ ଦେହ

ବୀରସିଂହ ଦେବ ହେତୁ ତାଙ୍କୁ ଦେବ ଋତୁ ପଞ୍ଚଭୂତେ ଥୁଅ

ପାଞ୍ଚଜଣ ଶିଷ୍ୟ ମୁକତି ପାଇବେ ସର୍ବେ ଯିବେ ଖପରରେ

କରମଳା ନାମ ବିଖ୍ୟାତ ହୋଇବ ଶ୍ରୀକ୍ଷେତ୍ର ହେବ ସେଠାରେ

 

ଅଭିରାମାଷ୍ଟକ ସକଳେ ପଢ଼ିବେ ନାମ ହେବ ବଡ଼ ଟେକ

ମୂଳ ପଦାର୍ଥରୁ ଅନେକ ସରିବ ନ ଜାଣିବେ ଅବିବେକ

ତାର ଜନ୍ମକଥା ନ ଜାଣିବେ ସେହି ମାୟାରେ ମୋହିତ ହେବ

ମାତଙ୍ଗୀ ସାଧନ ଭବ ପୂଜାକରି ବହୁ କରଣୀ କାଟିବ

 

 

ନେମାଳ ଗ୍ରାମରେ ପ୍ରଣବ ପରେ ନିଶ୍ଚେ ଯଜ୍ଞହୋତ୍ରୀ ହେବ

ଚାରିଶତ ମାଣ ଘେନିଣ ରାହାସ ରତ୍ନ ବଟରେ କରିବ

ତହୁଂ ଅର୍ଦ୍ଧ ସ୍ଥାପି ପଞ୍ଚଭୂତ ଲେଖି ମଧୁମାସ ଦଶମୀରେ

ବୃହସ୍ପତି ମାସେ ଗୋଳଯୁଦ୍ଧ ହେବ ମହୀରେ ଜାଣିବେ ଖରେ

 

ଘୋଡ଼ା ଟାପୁଘାତେ ମହୀ ଦୁଲୁକିବ ନରହବି ଥଳକୂଳ

ଶୂନ୍ୟେ ଘଡ଼ଘଡ଼ି ଚମକ ପଡ଼ିବ ଛେଦିଦେବେ ମୂଳଡାଳ

ଦକ୍ଷିଣୁ ଆସିବେ ତେଲଙ୍ଗା ବଳ ସେ ଧନଧାନ୍ୟ ହରିନେବେ

ବିଶେଷ ଉତ୍ପାତ ଅନ୍ୟାୟେ ବହୁତ ସମନ ସଦନେ ଯିବେ

 

ବତ୍ରିଶ ସହସ୍ର ସାଧୁ ନାଶଯିବେ ମାତଙ୍ଗୀ ସାଧନ କରି

ନାଗାନ୍ତ ବେଦାନ୍ତ ଯୋଗାନ୍ତ ସିଦ୍ଧାନ୍ତ ସର୍ବେ ହେବ ହତଶିରୀ

ପଞ୍ଚଦଶ ମାତ୍ର ନିରାକାର ମନ୍ତ୍ର ବ୍ରହ୍ମ ଗାୟତ୍ରୀର ସଙ୍ଗେ

ସପ୍ତ ପଞ୍ଚାତ୍ମକ ବ୍ରହ୍ମ ଗୁଣାଣକୁ ବାଛିବ ପ୍ରଣବ ଅଙ୍ଗେ

 

ଅକଳନା ଭକ୍ତି ଅକର୍ମ ବିଭୂତି ସାଧନରେ ସାଧିପାର

ଉଦ୍ଧାର ହେବାକୁ ଭବ ସାଗରରୁ ଅଚ୍ୟୁତ ବଚନ ସାର

କାଇଂଚ ମାଳିଆ ଢଗ ଢମାଳିଆ ଅନେକ ଲୋଡ଼ିବେ ସେହି

ମଣିନାଗଠାରେ ପରୀକ୍ଷା କରିବ ଦମନ ବେଶରେ ରହି      

 

 

ଆଜ୍ଞା ଆଦେଶ ଯେ କରିବେ ଅନେକ ବେଳକୁ ହୋଇବେ ବଣା

ଭୀଷ୍ମ କୁଣ୍ଡୀଠାରେ କନକ ବେଦୀରେ କୋଟିଏ ହୋଇବେ ହଣା

ତାଳଚେରଠାରେ ନାଗେଶ୍ୱରୀ ବଣ ସପ୍ତମୂର୍ତ୍ତି ଚଣ୍ଡୀ ତହିଂ

ନାଗାନ୍ତ ବେଦାନ୍ତ ଯୋଗାନ୍ତ ମାନଙ୍କ ଗୋଷ୍ଠୀରୁ ବାଛିବେ ସେହି

 

ଅମହତ ପଣେ ମହତ ହୋଇବେ ଶୁଣାଶୁଣି ଭାବେ ଗୁରୁ

ନୀଚ ଲୋକ ସଙ୍ଗେ ଗୋଷ୍ଠୀ ଆରମ୍ଭିବେ ତେଣୁ ହେବ ମହାମାରୁ

ଗହ ଗହ ନାଦ ଗ-ଅକ୍ଷରେ ଭେଦ ବେଲକୁଣ୍ଡା ନାମ ମହୀ

ଗରିବ ମାନଙ୍କ ତଣ୍ଟି ଚିପୁଥିବେ ଭାରତେ ହୋଇବ ଧୋଇ

 

ମୁଖେ ହରିନାମ ହାତେ ଦାନ ପୂଣ୍ୟ ପୃଥ୍ୱୀ କରି ପର୍ଯ୍ୟଟନ

ଅନ୍ୟାଅନ୍ୟ ନାହିଂ ଆତ୍ମାକୁ ଯେ ଧ୍ୟାଇ ନିତ୍ୟ ନେଉଥିବ ଦିନ

ଏମନ୍ତ ଜନର ପଦେ ଶିର ରଖି ଗହଣରେ ବସାଇବି

ବଳଦେବ ରାଜା କାହ୍ନୁ ପରିଚାର ସତ ସଙ୍ଗେ ମାତିଥିବି

 

ହେତୁ ମନେରଖ ଦ୍ୱାଦଶ ବାଳକ ଗୁପତୁ ଗୁପତ ଅତି

ମୂର୍ଖଙ୍କୁ କହିଲେ ଉପହାସ ହେବ ତେଣୁ ଲାଗୁଅଛି ଭୀତି

ଚେତୁଆ ଭକତମାନଙ୍କ ନିମନ୍ତେ ତିନିଶ ଅଠର ଖଣ୍ଡ

ଭବିଷ୍ୟ ଲେଖିଲା ପାମର ଅଚ୍ୟୁତ ନଜାଣନ୍ତି ଦୁରୁ ଦଣ୍ଡ

 

ଇତିଶ୍ରୀ ଶିବକଳ୍ପେ ନବଖଣ୍ଡ ନିର୍ଘଣ୍ଟେ

ଅଚ୍ୟୁତ ରାମ ସମ୍ବାଦେ ନାମ ତୃତୀୟ ନିର୍ଘଣ୍ଟଃ

 

ଚତୁର୍ଥ ନିର୍ଘଣ୍ଟ

 

ନମୋ ଅନାଦି କାମପାଳ

ଗୁରୁ ଗୋବିନ୍ଦ ନନ୍ଦବାଳ

।।

ତୁମ୍ଭ କରୁଣା ଯେବେ ହେଲା

କୋଟି ଜନ୍ମର ପାପ ଗଲା

।।

ତୋତେ ତୁ ରଖି ହୁଅ ସୁଖୀ

ମୁଂ ଦାସ ବଡ଼ ନିରିମାଖି

।।

ଭକତ କଷଣକୁ ଶୁଣି

କ୍ରୋଧ ଆସଇ ପୁଣି ପୁଣି

।।

ଆଉ କି ହେବ କୁହ ମୋତେ

ତରିବେ ଭକତ କେମନ୍ତେ

।।

କି ଲୀଳା ଅଛି ପ୍ରଭୁ ଭେଇ

ଅନନ୍ତ ଗର୍ଭ ସ୍ଥୂଳ ଦେହୀ

।।

ଏ ଧର୍ମ କାଳେ ହେବ ନାଶ

ପ୍ରାଣୀ ହୋଇବେ ଦୀନଦାସ

।।

ପ୍ରଭୁଙ୍କ ସୁଖ ଏଥି କିସ

କହହେ ପ୍ରଭୁ ପୀତବାସ

।।

ମରିବା ଜୀଇବା ଏ ଦୁଇ

କାହିଂ କି କଲ ଭାବଗ୍ରାହୀ

।।

କି ସୁଖ ଅବା ତହିଂ ଅଛି

କହନ୍ତୁ ପ୍ରଭୁ ଶିରୀବଚ୍ଛି

।।

ଏମନ୍ତ ନିବେଦନ ଶୁଣି

ବୋଲନ୍ତି ଯାହା ବେଣୁପାଣି

।।

ଗୋପନ ସେହି କଥା ସାର

ଶୁଣ ହୋ ଦ୍ୱାଦଶ କୁମର

।।

ଏ ଅତି ଗଣ୍ଠି କଥାମାନ

କଷଟି କୃଷି ରଖ ଧନ

।।

ମୋହର ସୁତ ରାମ ଦାସ

ରାମର ସୁତଟି ଦ୍ଵାଦଶ

।।

ମୁକୁନ୍ଦ ଅନନ୍ତ ଆନନ୍ଦ

ପବନ ବତ୍ସ ଯେ ଗୋବିନ୍ଦ

।।

ମଥୁରି ଆବର ଉତ୍‌ଥାନ

ବାଳକ ଦାସ ବୃନ୍ଦାବନ

।।

ଏତକ ଗୁପତ ବଖାଣ

କହିବ ନାହିଂ ଆନେ ପୁଣ

।।

ଅଚ୍ୟୁତ ବଚନ ଘୋଷିବ

ହେତୁ ଚିତ୍ତରେ ଧରିଥିବ

।।

ନ ଲାଗେ ସଂସାର କଳୁଷ

ଅନ୍ତେ ବୈକୁଣ୍ଡେ ହେବ ବାସ

।।

ନ କହ କାହିଂ ଗୁପ୍ତେ ଥୁଅ

ସହସ୍ର ବାର ପାଦ ଛୁଅଂ

।।

ପୂର୍ବେ ଗାର୍ଗବ ମୁନି ଥିଲେ

ତପନ ତର୍ପଣ ସେ କଲେ

।।

ପ୍ରାନ୍ତେ ତ୍ରେତୟା ଜନ୍ମ ତାର

ଯେ ନୃପ ହରିଶ୍ଚନ୍ଦ୍ର ବୀର

।।

ବିଶ୍ୱାମିତ୍ରଙ୍କୁ ସର୍ବ ଦେଲା

ଶ୍ମଶାନେ ହାଡ଼ିପା ହୋଇଲା

।।

ସେ କୁଳେ ରାମ ହେଲେ ଜାତ

ହନୁ ଜାମ୍ବେବ କଲେ ଖ୍ୟାତ

।।

ମନ୍ତ୍ରୀ ପଣରେ ଦିନ ନେଲା

ସେ ଜନ୍ମ ରାମ ସଙ୍ଗେ ଗଲା

।।

ପୁଣି ଦ୍ଵାପର ଉପଗତ

ସେ ଜନ୍ମ ତାର ଯେ ସୁଖ୍ୟାତ

।।

ନୃପତି କିଛି ଦିନ ହେଲା

ପ୍ରାନ୍ତେ ବୈଷ୍ଣବ ବୋଲାଇଲା

।।

ଗୋପେ ଗୋବିନ୍ଦ କରେ ଲୀଳା

ସେ ମଧୁମତୀ ଅଷ୍ଟକଳା

।।

କଳିରେ ଜନମ ତାହାର

ଶ୍ରୀକ୍ଷେତ୍ରେ ନୃପତି ଠାକୁର

।।

ସେ ବୀରସିଂହ ଦେବ ଜାଣ

ଦୃଢ଼ତା ଭକତିଟି ଜାଣ

।।

ତା ଅନ୍ତେ କୋଳିଅଣ୍ଟା ଗ୍ରାମେ

ନୀଳାଦ୍ରି ଭକତ ସେ ଭୂମେ

।।

ସେ ଅନ୍ତେ ବାରଙ୍ଗ ଗ୍ରାମରେ

ଉଦୟ ପୋଟଳି କୁଳରେ

।।

ଦେଖ ମାଳତୀ ଅତି ଶୋଭା

ଦକ୍ଷିଣ ଦ୍ୱାରେ ରଙ୍ଗ ଜବା

।।

ପୂର୍ବେ ସାହାଡ଼ା ବୃକ୍ଷ ଏକ

ତା ପିତା ମଦନ ନାୟେକ

।।

ମାତାର ନାମ ଅନସୂୟା

ଗନ୍ଧର୍ବ ଚିତ୍ରକେତୁ ଜାୟା

।।

ତା ଗର୍ଭେ ଶମ୍ବୁଦାସ ଜାତ

ଆରଦ୍ରା ମୀନ କର୍କଟେ ତ

।।

ଶୂନ୍ୟ ଭଜନ ତାର ମୂଳ

ଜ୍ୟୋତିରେ ମତି ସଦା ଭୋଳ

।।

ତା ଶୂନ୍ୟ ଗୁରୁ ଅରକ୍ଷିତ

ସତ୍ୟେ ଶ୍ରୀବତ୍ସ ବ୍ରହ୍ମ ଜାତ

।।

ତେର କଦମ୍ବ ଉଦେ ଯହିଂ

ଅପୋଡ଼ା ଭୂଇଂ ମଠ ତହିଂ

।।

କୃଷ୍ଣାବେଣୀ ଯେ ନଦୀ କହି

ମଧୁ ସାଗର ଖ୍ୟାତ ହୋଇ

।।

ତା ତୀରେ ଆଶ୍ରମ ତାହାର

ଅତ୍ୟନ୍ତ ପଣ୍ଡିତ ଚତୁର

।।

ଶାସ୍ତ୍ର ପୁରାଣ ସେ ଲେଖିବ

ବେଦରୁ ସାର ସେ ବାଛିବ

।।

ପଞ୍ଚ ସଂସ୍କାର ଥିବ ତାର

ପ୍ରଣବ ତତ୍ତ୍ୱ ନିଷ୍ଠାସାର

।।

ସେଠାରେ ତିନି ଜନ୍ମ ଯିବ

ଯୋଗେଶ୍ୱର ତା ନାମ ହେବ

।।

ପୂର୍ବ ଆଜ୍ଞାରେ ବଳିୟାର

ତାହାର ତିନୋଟି କୁମର

।।

ଏ ତତ୍ତ୍ୱ ତହିଂ ଅନ୍ତ ନୋହେ

ଭକତ ଛନ୍ତି ମହୀ ଦେହେ

।।

ବାରବାଟିରେ ଶ୍ରୀମଦନ

ଭ୍ରମର ବିଦ୍ୟାଧର ନାମ

।।

ମୁକୁନ୍ଦ ବୀର ନାମ ବହି

ମହତ ଭକ୍ତ ହେବ ତହିଂ

।।

ବୈଶ୍ୟ କୁଳରେ ତାର ଜନ୍ମ

ରଖିବ କିଛି ଯଶ ଗୁଣ

।।

ଆଳି ସୋରଡ଼ା ମାଳିହତା

ନବ ଗୋବିନ୍ଦ ଜଗଜ୍ଜିତା

।।

ସର୍ବେ ଉଦୟ ହେବେ ବେଳେ

ଲୀଳା ଦେଖିବେ ବେନି ଡୋଳେ

।।

ମୋହର ବଂଶ ନାଶ ଯିବେ

ମୋ ଧର୍ମ କେହି ନ ପାଳିବେ

।।

ଅଳ୍ପ ଗାରିମା ବଡ଼ ପଣ

ମୋ ବଂଶ କରିବ ନିର୍ଧନ

।।

ବଢ଼ିବେ ଶୁକ୍ଳପକ୍ଷ ପ୍ରାୟେ

କୃଷ୍ଣର ପ୍ରାୟେ ହେବେ କ୍ଷୟେ

।।

ହରେ ତ୍ରିଗୁଣ ରାମ ବେନି

ମଧୁ ମାସରେ ହେବ ପୁଣି

।।

ଶୀତେ ଲାଗିବ ବଡ଼ଗୋଳ

ପୃଥ୍ୱୀ ପଡ଼ିବ ଚହଳ

।।

ରତ୍ନବଟରେ କିଣା ଦାସ

ପତାକା ବାନ୍ଧିବ ଅବଶ୍ୟ

।।

ସେକାଳେ ପୀତାମ୍ବର ନାମ

ମଧୁ ବଇଶ୍ୟ କୁଳେ ଜନ୍ମ

।।

ବଡ଼ଚଣାରେ ଶାଢ଼ୀ ପାଇ

ସର ଲବଣୀ ଥିବ ନେଇ

।।

ସମ୍ବଳ କଟକେ ପ୍ରବେଶ

ଗୁପତେ ହେବ ନିତ୍ୟ ରାସ

।।

ଆମ୍ଭେ ସେ ଥିବୁ ସେହିଠାରେ

ଗୌରାଙ୍ଗ ବରଜ କୁଳରେ

।।

ଶୂନ୍ୟରେ ଲୀଳା ଚହଟିବ

କଳି ଦମନ ନାଶଯିବ

।।

ରତ୍ନ ପାଦୁକା ଆଦ୍ୟେ ଦେଇ

ଚାରି ସୁତକୁ ତହିଂ ଥୋଇ

।।

ସମୁଦ୍ର ଦେଇ ଋତୁ ହର

ପ୍ରଣବ ଦେଇ ଠାବ କର

।।

ମିଥୁନ ମାସେ ମୀନ ଚନ୍ଦ୍ରେ

ରେବତୀ ରତି ବସୁ ଯୋଗେ

।।

ଅନ୍ଧାର ହେବ ସାତଦିନ

ବିଜୁଳୀ ମାରି ଘନ ଘନ

।।

ଆବର୍ତ୍ତ ସମ୍ବର୍ତ୍ତକ ଦ୍ରୋଣ

ପୁଷ୍କର ଘେନି ମେଘମାନ

।।

ସଂସାର କରି ଜଳମୟ

ଜାଣିବେ ପ୍ରାଣୀ ଅପଚୟ

।।

ଭକତେ ଏହା ନ ଜାଣିବେ

ଉଦୟ ଅସ୍ତ ଦେଖୁଥିବେ

।।

ଖଣ୍ଡଗିରିରେ ଗୁପ୍ତ ସ୍ଥାନ

ଯେ ଜାଣେ ପାଦୁକା ଆଶ୍ରମ

।।

ରତ୍ନ ପାଦୁକା ଅଛି ତହିଂ

ଉଦ୍ଧବ ନେବ ଯୋଗ ଧ୍ୟାଇ

।।

କୃତ୍ତିକା ରୋହିଣୀ ବାସରେ

ମୀନ ଶନି ଯେ ସେବେଳରେ

।।

ନ ଥିବ କାର ଜାତି କୁଳ

ଭୁଞ୍ଜିବେ ଗୋଟିଏ ପତର

।।

ସର୍ବେ ହୋଇବେ ଅବଧୂତ

ବାନା ଉଡ଼ିବ ତ୍ରିଜଗତ

।।

ଆଗହୁଂ ହୁଅ ସାବଧାନ

ଆତ୍ମା ଭକତି କର ଜ୍ଞାନ

।।

ଆମ୍ଭର ବିଚାର ଯେ ଚାରି

ଗ୍ରହଣେ ପଡ଼ିଯିବ ହୁରି

।।

ବିରଜା ସ୍ଥାନ ଛାଡ଼ିଯିବ

ଦ୍ରୌପଦୀ ଖର୍ପର ପୂରିବ

।।

ଏଥକୁ ଆଶ୍ରେ ନିରାକାର

ଭଜ ତୁ ଶ୍ରୀହରି ପୟର

।।

ହରି ନ କର ଲୋକହସା

ଅଚ୍ୟୁତ କରିଛି ଭରସା

।।

ଇତିଶ୍ରୀ ଶିବକଳ୍ପେ ନବଖଣ୍ଡ ନିର୍ଘଣ୍ଟେ ଅଚ୍ୟୁତ ରାମ ସମ୍ବାଦେ ନାମ ଚତୁର୍ଥ ନିର୍ଘଣ୍ଟଃ

ପଶ୍ଚମ ନିର୍ଘଣ୍ଟ

ଶୁଣ ବାରସୁତ ନିଗମ ବଚନ ଧାତା ସର୍ଜନାର ଗୁରୁ

ରୂପକୁ ରୂପରେ ମିଳାଇ ପାରିଲେ ତେବେ ଅବା ବୁଝିପାରୁ

ପିଣ୍ଡ ପ୍ରାଣ ଘେନି ସୁତ ବିତ୍ତ ଆଦି ସର୍ବ ସମର୍ପିଛି ପାଦେ

ଅଯାଚିତେ ତତ୍ତ୍ୱ ତେଣୁ ଦାନ କଲି ସବୁତ ବିଷୟା ମଦେ

ତତ୍ତ୍ୱ ସାରସ୍ୱତ ମନୁ ଆଦି ଭକ୍ତ ଯନ୍ତ୍ରରେ ବୁଝାଇ ଦେବା

ଏକଥା ଯେ ଜାଣେ ମହାଜନ ସେହି ନ ଜାଣନ୍ତି ସୁର ଦେବା

କାହିଂ ନ କହିବ ବରଜ ତନୟ ଗୁପତୁ ଅତି ଗୁପତ

ଆଜ୍ଞା ଭ୍ରଷ୍ଟହେଲେ ବିପତ୍ତି ପଡ଼ିବ ନର୍କଗତି ଜନ୍ମ ସାତ

ତ୍ରିଶୂଳ ସ୍ଥାପିଣ ବସୁପଣ ସ୍ଥାପ କଡ଼ା ଲେଖ ଦକ୍ଷିଣରେ

କୁମାର ତୀର୍ଥକୁ ଉର୍ଦ୍ଧରେ ସ୍ଥାପିଣ ସମୁଦ୍ର ଲେଖ ବାମରେ

ଶୂନ୍ୟ ସ୍ଥାପି ତଳେ ରଜୁ ଉର୍ଦ୍ଧେ ଦିଅ ଐରାବତ ତହିଂ ତଳେ

ବ୍ରହ୍ମ ଗାୟତିରୀ ପାବଚ୍ଛ ହୋଇଛି ବେଦ ରଖ ପାଦତଳେ

 

ଓଢ଼ଣୀ ବେଢ଼ଣୀ ଯୁଗଳେ ଖଞ୍ଜିଣ ବ୍ରଜ ଛନ୍ଦକୁ ତା ପାଶେ

ତେତିଶ କିଳିଣୀ ଲଗାଇ ଦେଉଳେ ଦିଅଂକୁ ଦେଖ ହରଷେ

ଉର୍ଦ୍ଧେ ଅଷ୍ଟବସୁ ଗୋରଚନା ସ୍ଥାପି ସପ୍ତଫେଣୀ ଆଭରଣ

ଆଶା ଭରସାକୁ ଦେହରୁ ଛଡ଼ାଇ ଆକାଶକୁ କର ଧ୍ୟାନ

 

ନାମବ୍ରହ୍ମ ଘେନି ଶବଦ ଫେରୁଛି ତ୍ରୟ ବୀଜେ ଆତଯାତ

ଷଡ଼ବୀଜ ଘେନି ଭଜନ କରିଲେ ଦୟାହେବେ ବେଦମାତ

ତ୍ରିବେଣୀ ବହୁଛି ଲିଭାଇବା ପାଇଂ ତ୍ରିକୂଟ ସନ୍ଧିରେ ହୁଳା

ତ୍ରିଗୁଣ ତେଜିଣ ତ୍ରିପୁରାକୁ ସେବ ମନ ଅମନରେ ଗଳା

 

ବାରଯୁଣ ମଧ୍ୟେ ଚମକି ପଡ଼ୁଛି ଗୋପ ବୃନ୍ଦାବନ ଯହିଂ

ମଥୁରା ନଗର କଂସ ବଧକଲେ ରାଧିକା ପ୍ରାଣ କହ୍ନାଇ

କାଳନ୍ଦୀ ହ୍ରଦରେ କମଳ ଫୁଟିଛି ଚନ୍ଦ୍ର ସୂର୍ଯ୍ୟ ତଲେ କର

ଯେ ଜାଣିବ ସେହି ଗୁପତ ଭକତି କୃଷ୍ଣ ବଶ ଅଟେ ତାର

 

ପଞ୍ଚଦଶ ମାତ୍ରା ପଚିଶ ପ୍ରକୃତି ଷୋଳକଳା ଯେ ଅଟନ୍ତି

ପାରିଲେ ବନ୍ଧନ ହୋଇବେ ବହନ ତେବେ ଉପୁଜିବ ଭକ୍ତି

କୃଷ୍ଣ ଭାବରସ ନୁହେଂ ବେଦାଭ୍ୟାସ ପୂର୍ବ ଭାଗ୍ୟ ଯାର ଥିବ

ତାକୁ ଏକା ଦୟା ଝଳି ଦିଶେ କାୟା ନିଶ୍ଚେ ବାସନା ବାସିବ

 

ତେର ମୂଳେ ବାର ଘେନି ଠାବକର ଋତୁ ଦକ୍ଷିଣେ ତ୍ରିଗୁଣ

ଏଥିମଧ୍ୟେ ଲୀଳା ଚହଟି ପଡ଼ିବ ଉଦେ ହେବେ ଭକ୍ତଗଣ

ସତ୍ୟେ ଶେଷଦେବ ନୃସିଂହ ହୋଇଲେ ତାଙ୍କ ମନ୍ତ୍ରୀ ନାମ ଯାହା

ତ୍ରେତୟା ଯୁଗରେ ଅଯୋଧ୍ୟା ନଗରେ ଗୁହ୍ୟକ ପାଇଲା ତାହା

 

ଦଶରଥ ଦିନେ ଭ୍ରମି ଯାଉଥିଲେ ନୈମିଷା ଅରଣ୍ୟ ପଥ

ଅତି ଶୋଭାବନ ଦେଖି ହୃଷ୍ଟ ମନ୍ତ୍ରୀ ବିଚାରି ରଖିଲେ ରଥ

ବ୍ୟାଘ୍ରମାନଙ୍କର ମେଘ ଘଡ଼ଘଡ଼ି ଗାଈ ହମ୍ବା ହମ୍ବା ରଡ଼ି

ପକ୍ଷୀମାନଙ୍କର ପ୍ରକୃତି ବିଲଗ ଆଚାର୍ଯ୍ୟ ଗଣିତ ଧାଡି

 

ଶାସ୍ତ୍ର ବିଶାରଦ ସମସ୍ତେ ଅଟନ୍ତି ଜ୍ୟୋତିର୍ମୟ ସର୍ବକାୟ

କାବ୍ୟ ଅଳଙ୍କାର ନାଟକ ସଙ୍ଗୀତ ସୁଖେ କରୁଥାନ୍ତି ବ୍ୟୟ

ଶଶକ ଗୋଟିଏ ଗୁହ୍ୟକକୁ ଡାକି ବୋଇଲା ଏ ବିପରୀତ

ଶବ୍ଦଭେଦି ବାଣ ଏଠି ନ କାଟିବ ଫେରିଯାଅ ଦଶରଥ

 

ଗୁହ୍ୟକ ଶୁଣିଣ ପାଦେ ପ୍ରଣମିଣ କାରଣ କରିବା ହେଉ

ମାନବ ହୋଇଣ ଆମ୍ଭେ ଯା ନ ଜାଣୁ ପଶୁ ହୋଇ ତାହା କହୁ

ଶଶକ ଶୁଣିଣ ବୋଇଲା ମଧୁରେ ଉଦୟରୁ ଅସ୍ତ ଯାଏ

ପଶୁପକ୍ଷୀ ରୂପ ସରବେ ଧରନ୍ତି ରାତ୍ରେ ନିଜରୂପ ହୁଏ

 

 

ଚୌରାଶି ସହସ୍ର ଋଷିଙ୍କର ଲୀଳା ଚାରିସସ୍ର ଚାରି ଋଷି

ନାମବ୍ରହ୍ମ ଗୀତା ସଂହିତା ପଢ଼ନ୍ତି ନ ଲାଗଇ କାଳ ନିଶି

ମିଷ୍ଟକ ଫଳଟି ପାଦତଳେ ଥୋଇ ନାମବ୍ରହ୍ମ ପଚାରିଲା

ସହସ୍ର କଳ୍ପର ତପସ୍ୟା ମେଣ୍ଟିଲା ତତ୍ତ୍ୱ ପାଇ ବାହୁଡ଼ିଲା

 

ଦ୍ୱାପରରେ ସେହି ବିଶାଖା ଅଟଇ ରତ୍ନ ଅଳଙ୍କାର ଦିଏ

ଶ୍ରୀକୃଷ୍ଣଙ୍କ ପାଦେ ସର୍ବ ସମର୍ପିଣ କଳିରେ ହେଲେ ଉଦୟେ

ପଶ୍ଚିମ ଦେଶରେ ଜନମ ତାହାର ତୁଳସୀ ବୋଲି ତା ନାମ

ଓଡ଼ରାଷ୍ଟ୍ର ମଧ୍ୟେ ଜନମ ସେ ପୁଣି ଭକ୍ତ ଦାସ ତାର ନାମ

 

କେରକେରା ଭୂଇଂ ବ୍ରାହ୍ମଣ କୁଳରେ ସଦାନନ୍ଦଙ୍କର ପିତା

ମାତା ଯଶୋବନ୍ତୀ ଗର୍ଭରୁ ଜନ୍ମିବ ଲେଖିବ କବିତା ଗୀତା

ରତ୍ନବଟ ସ୍ଥଳେ ଜନମ ତାହାର ଭକତର ଚୂଡ଼ାମଣି

ଓଲଟ ଛନ୍ଦର ଉଜାଣି ବାହିବ କିଣୁ ଦାସ ହେବ ପୁଣି

 

ଭୀଷ୍ମକୁଣ୍ଡିଠାରେ ଜନମ ତାହାର ପଦନ ଖୁଣ୍ଟିଆ ନାମ

ବାଲିଆ ଗ୍ରାମରେ ପରୀକ୍ଷା କରିବ ଚାରିଲକ୍ଷ ଭକ୍ତ ଜାଣ

ମହିମା ବିଖ୍ୟାତ ପଶ୍ଚାନ୍ତେ ହୋଇବ ଜଳଯଜ୍ଞ ସେ କରିବ

ଲକ୍ଷେ ଜାତି ପୁଷ୍ପ ପ୍ରଭୁଙ୍କୁ ଘେନାଇ ଛାଟ ଖମ୍ଭଠାରେ ଦେବ

 

 

ଜାର ଜାତ ସୁତ ପାଣ୍ଡବଙ୍କ ନାଥ ତା ବାମେ କକଡ଼ା ରଖ

ଚତୁର୍ଥ ସମର ସେଦିନ ଆରମ୍ଭ ଭକତେ ହେବେ ବିମୁଖ

ତେର ଜଣଙ୍କର କଳି ଲାଗିଥିବ ଟିକିରା ଗୋହିରୀ ସାହି

ରକତ ନଈରେ ଗଛ ଭାସିଯିବ ମନେ ରଖିଥିବୁ ତୁହି

 

ଛୟାଲବେ ସସ୍ର ଦମନ ମରିବେ କାଳିଆ ଘାଇ ପ୍ରମାଣ

ବଳଦେବ ନୃପ କାହ୍ନୁ ପରିଚାର ଯାଜନଗ୍ରେ ସେହିଦିନ

ପ୍ରଣବକୁ ଲେଖି ଗାୟତ୍ରୀକୁ ସ୍ଥାପି ଓଲଟ ପାଲଟ କର

ଏହି ଅଙ୍କଠାରୁ ଏହି ଅଙ୍କଯାଏ ଗୋଳ ହୋଇବ ଅପାର

 

ଘର ମାନଙ୍କରେ ମଡ଼ା ପୂରିଯିବ ତୋଳି ନ ପାରିବେ କେହି

ଶ୍ଵାନ ଶୃଗାଳଙ୍କ ଦେବସତ୍ତା ହେବ ନୟନେ ଦେଖିବୁ ତୁହି

ଗାଲୁଆ ମାଲୁଆ ଭକତ ଯେତେକ ସେକାଳେ ହୋଇବେ ବଣା

ଶୁନ୍ୟ ଭଜନକୁ ଯେ ଜନ କହିବ ସେ ହେବ ଭକତେ ଗଣା

 

ଏକବିଂଶ ନାମ କେହି ନ ବୁଝିବେ ନିଜ ନାମ କାରବାର

ନ ଜାଣିଲା ଲୋକ ଖପରେ ପଡ଼ିବେ ଦମ୍ଭ ଖମ୍ବ ହେବ ଚୂର

ପଞ୍ଚସଖା ସର୍ବେ ତାଟକା ହେଲେଣି ଦେଖି ଏ କଳିର ଦଶା

ଠାକୁର ପୂଜିବା ବିଅର୍ଥ ହୋଇବ କର ନିଜ ନାମ ଆଶ୍ରା

 

 

ନେମାଳ ଭୂମିରେ ଭରସା କରିଛି ଶରଣ ଶ୍ରୀପାଦ ପଦ୍ମେ

ସନ୍ଥ ମହନ୍ତ ଯେ କେହି ନ ଚିହ୍ନିବେ ଅଚ୍ୟୁତ କହୁଛି ଛଦ୍ମେ

ଇତିଶ୍ରୀ ଶିବକଳ୍ପେ ନବଖଣ୍ଡ ନିର୍ଘଣ୍ଟେ

ଅଚ୍ୟୁତ ରାମ ସମ୍ବାଦେ ନାମ ପଞ୍ଚମ ନିର୍ଘଣ୍ଟଃ

 

ଷଷ୍ଠ ନିର୍ଘଣ୍ଟ

 

ଅଗତିର ଗତି ଦାତା ମହାପ୍ରଭୁ ଦୀନ ଦୁଃଖୀ ନିବାରଣ

ପତିତରେ ଦୟା ନ ଲାଗଇ ମାୟା ନିର୍ଗୁଣ ବ୍ରହ୍ମ ଆପଣ

ଜୟ ଜଗତ୍‌ଗୁରୁ ସ୍ୱାମୀ ମହାମେରୁ ରୂପେ ଅରୂପେ ପ୍ରକାଶ

ତ୍ରିକାଳ ବାରଣ ଜାଣନ୍ତି ଆପଣ କହି ନୁହେଂ ଗୁଣ ଲେଶ

 

ଧରମ ସ୍ଥାପନ ସଂସାର କାରଣ ଆପେ କାରଣ ବୋଲାଅ

ହରିହର ଧନ ଅନ୍ଧର ନୟନ ଗୁରୁ ଅବତରି ଥାଅ

ପାମର ଗୁଆଂର ବୁଦ୍ଧି ନାହିଂ ମୋର ପଚାରିବି କେଉଂ କଥା

ତୁମ୍ଭ ସୁଦୟାରୁ ରହି ଜ୍ଞାନ ଫେରୁ କୁହ ଜ୍ଞାନର ବ୍ୟବସ୍ଥା

 

ଷଡ଼ ବୀଜ ମନ୍ତ୍ର ଭଜନ ପ୍ରଣାଳୀ ପୂର୍ବରୁ କହିଛି ମୋତେ

ପଞ୍ଚବୀଜ ମାତ୍ରା ଷଷ୍ଠକୁ ଘେନିଣ ବତ୍ରିଶ ହୋଏ କେମନ୍ତେ

ଗୁପ୍ତନାମ ତାଙ୍କ ପ୍ରକାଶି କହିବ ଯା ସଙ୍ଗେ ମୋ ପ୍ରୀତି ଥିବ

କଳାଗିରିଠାରେ କେତେ ଭକ୍ତଥିବେ ଦୟାକରି କହିଦେବ

 

ଠୁଳବ୍ରହ୍ମ ଜ୍ୟୋତି ଅରୂପ ବୋଲାନ୍ତି ଦର୍ଶନ କାହାକୁ କରି

ଅଶ୍ରୁତି ଅମୂର୍ତ୍ତି ଅପାଦ ଅପାଣି କେଉଂ କେଉଂ ଭକ୍ତି କରି

ଲକ୍ଷେ ପଞ୍ଚାଅଶୀ ଗ୍ରନ୍ଥ ଯେ କହିଲ ଶ୍ରେଷ୍ଠ ଅଟଇ ଯେ କେହୁ

ପଥରେ ପଥିକ ବିଚାରି ପାରିବ ଭୟ ନ କରିବ ଆଉ

 

ଶବଦ ବ୍ରହ୍ମକୁ ଆଶ୍ରେ କରିଛନ୍ତି ବହୁ ପ୍ରାଣୀ ଏ ସଂସାରେ

ମୂଳମନ୍ତ୍ର ମାନ ଭଜନ ନଥିଲେ ବର୍ତ୍ତିବେ କି ମହାଘୋରେ

ବିରଜା ଚରଣେ ଶରଣ ପଶୁଛି ଦୟା ରହୁ ଦାସ ଠାରେ

ଦୀନ ଜନ ବନ୍ଧୁ କରୁଣାର ସିନ୍ଧୁ ଆଜ୍ଞାରେ ଭ୍ରମେ ସଂସାରେ

 

ଧନ୍ୟ ରାମଚନ୍ଦ୍ର ଧନ୍ୟ ମାତା ପିତା ଧନ୍ୟ ତୁମ୍ଭ ସଦ ଗୁରୁ

ଶ୍ରୋତା ପଣେ ସାର ଅଗାଧ ସାଗର ଗଣ୍ଠି କଥାକୁ ପଚାରୁ

କୋଟିକେ ଗୋଟିଏ ଜାଣନ୍ତି ଏ ରସ ତିନି ସସ୍ରେ ଗଣା ସେହି

ମହିମା ପ୍ରକାଶ ନିଶ୍ଚେ ସେହି ଦାସ ଆନେ ମୁଂ କହନ୍ତି ନାହିଂ

 

ଆତ୍ମା ପରେ ଲୟ କରିବାକୁ ଦମ୍ଭ ଅନୁଭବେ ଜ୍ଞାନ କର

ହକାର ଉକାର ହର ଆଦ୍ୟକ୍ଷର ରାଧାକୃଷ୍ଣ ଶ୍ରୀପୟର

ଏଥିର ଉପରେ ଅଣାକାର ବ୍ରହ୍ମ ନାଦବିନ୍ଦୁ ପରେ ଛନ୍ତି

ହ୍ଳୀଂ ଶ୍ଳୀଂ କ୍ଳୀଂ ଧ୍ଳୀଂ ପ୍ଳୀଂ ସେହି ପ୍ରଣବେ ପଞ୍ଚ ମୂରତି

 

 

ନିରଞ୍ଜନ ବୀଜ ନବଧା ଭକତି ଘେନି ଆତଯାତ ହୋଇ

ପଞ୍ଚ ବୀଜ ତତ୍ତ୍ୱ ପଞ୍ଚରେ ମିଳାଇ ପଞ୍ଚ ଆତ୍ମାକୁ ଘେନଇ

ପ୍ଳୀଂ ହର ଧ୍ଳୀଂ ହରି ହରେ ହ୍ଳୀଂ ହର ବୋଲି ମନେ ଘେନ

ଶ୍ଳୀଂ ହରେ କ୍ଳୀଂ ହରେ ହରେ ଅଙ୍ଗେ ବେଷ୍ଟିତ ଏ ପଞ୍ଚ ଗୁଣ

 

ଷଡ଼ାଙ୍ଗେ ପଞ୍ଚାଙ୍ଗେ କ୍ଳୀଂ ହରେ ନାମ ସତ୍ୟ ଆଭରଣ ଏହି

ଶ୍ରୀମତୀ ଶ୍ରୀପତି ଉଲଟ ପାଲଟ ଗୋଟିଏ ଅକ୍ଷର କହି

ନିତ୍ୟରୁ ଅନିତ୍ୟ ଅନିତ୍ୟରୁ ନିତ୍ୟ ଭୂମି ନାମ ନାନାକାର

ପ୍ରକୃତି ବିକୃତି ଆକୃତି ସୁରତି କୃଷ୍ଣ ବୀଜରେ ବିହାର

 

ହକାର ରକାର ଭାବେ ଅସ୍ତ୍ର ଘେନି ଚନ୍ଦ୍ର ସୂର୍ଯ୍ୟ ଠାବକର

ହକାର ଶ୍ରୀମତୀ ରକାର ଶ୍ରୀପତି ବିଜେ ନୀଳାଦ୍ରି କନ୍ଦର

ଶିବ ଶକ୍ତି ଘେନି ସ୍ଵରୋଦୟ ବହେ ବେନି ନାସା ରନ୍ଧ୍ରେ ବାରି

ଶବଦକୁ ଛାଡ଼ି ନିଶବ୍ଦ ଧରିଲେ ସଂସାରୁ ହୋଇବୁ ପାରି      

 

ହକାରଟି ରଜ ରକାରଟି ବୀଜ ପୃଥିବୀକୁ ଛାଡ଼ି ବସ

ଦେହ ଭିତରେ ତ ସର୍ବ ସମ୍ଭାଇଛି ଶୂନ୍ୟରେ ଶୂନ୍ୟପୁରୁଷ

ପୂର୍ବ ହେତୁ ଥିଲେ ପ୍ରକାଶ ପାଇବ ଜ୍ଞାନକଳା ଏହି ଦେହେ

ଧ୍ୟାନ ଧାରଣାରେ ଗମି ନ ହୁଅଇ ନିଷ୍କାମ ପ୍ରାପତ ହୁଏ

 

 

କୂଟ ସୁବିଚାର ତ୍ରିକୂଟରେ ଘର ତ୍ରିବେଣୀରେ ସ୍ନାନ କର

ତ୍ରିଗୁଣକୁ ତେଜ ତ୍ରିପୁରାକୁ ହେଜ ଆପେ ଆପଣା ଠାକୁର

ଏଥିର ଉପରେ ଆଉ କିସ ଅଛି ଅଚ୍ୟୁତ ବଚନ ସାର

କେ କହିବ କହୁ ଆମ୍ଭ ଗୁରୁ ହେଉ ତ୍ରିକାଳରେ ସତ୍ୟ ମୋର

 

କହିବା ବୁଝାଇ ଶୁଣ ରାମଚନ୍ଦ୍ର ପଞ୍ଚଭୂତ ଛାଡ଼ି ବୁଝ

ପରା ଅପରାଏ କରଣ ଅଟନ୍ତି ଅକର୍ମେ ଅନାଦି ହେଜ

ଷୋଳ ମଣ୍ଡଳକୁ ଆବୋରି ରହିଛି ସିଂହାସନ ବିନ୍ଦୁବ୍ରହ୍ମ

ରାମ ହେତୁକର ଧର୍ମ ବ୍ରହ୍ମ ନାମ ସରୁଆ ମନରେ ଚିହ୍ନ

 

ଗୁରୁ ସୁଦର୍ଶନ ଅର୍ଦ୍ଧମାତ୍ରା ଘେନ ରାମ ଶାମ ଦୁଇ ବତ୍ସେ

ଯୁଗଳ ଭାବରେ ଏ ଚାରି ଅକ୍ଷର ଧାମବୀଜେ ପରକାଶେ

ଇକାରଟି ବଳଦେବ ହ୍ଳୀଂ ହର ନନ୍ଦ ସାଧୁ ଚାରି ନାମ

ଉକାର ଏକାର ଏକ ଏକ ଅଂଶ ସୁଭଦ୍ରାଟି ମନେ ଘେନ

 

ରମା ବୀଜେ ରାମଚନ୍ଦ୍ର ମଧୁ ନାମ ମହାମନ୍ତ୍ର ବୁଝି ହେଜ

ସୁଗତି ଲଭିବ ଆତ୍ମା ନିବେଦିଲେ ହେତୁ ଚେତାଦେଇ ଭଜ

କକାର ଏକାର ଏକ ଆତ୍ମା ହୋନ୍ତି ପଞ୍ଚଧାରେ ଜଗନ୍ନାଥ

କ୍ଳୀଂ ବୀଜ ନାମ କୃଷ୍ଣ ଦୀନ କାମ ଆପଣେ କମଳାକାନ୍ତ      

 

 

ଆଦ୍ୟେ ନାମବୀଜ ପ୍ରାନ୍ତେ କାମବୀଜ ମଧ୍ୟରେ ଭ୍ରମନ୍ତି ଜ୍ଞାନୀ

ପରା ରମା ଧାମ ପରମକୁ ଘେନି ଚାରି ବେଦ କଲେ ମୁନି

ସିଷୁ ବେଦ ବୋଲି ସମସ୍ତେ କହନ୍ତି ସୁଗତି ନପାନ୍ତି କେହି

ଅଣାକାର ଯନ୍ତ୍ରେ ମନ୍ତ୍ର ବୁଝାଇଲେ ତନ୍ତ୍ର ଚେତାପାରେ ଧ୍ୟାଇ

 

କ୍ଳୀଂ ବୀଜ ଯେହୁ ରାଧା କୃଷ୍ଣ ସେହୁ ଅଟନ୍ତି ଜୀବ ପରମ

ଉଦେ ଅସ୍ତ ହୋଇ ଦିବା ନିଶି ନାହିଂ ଭେଟି ନାହିଂ ହୀନ କର୍ମ

ଯନ୍ତ୍ରବ୍ରହ୍ମ ମନ୍ତ୍ରବ୍ରହ୍ମକୁ ମିଳାଇ ତନ୍ତ୍ରକୁ ଅଲଗେ ଥୋଇ

ଏ ଦେହ ଭେଦିଲେ ସ୍ୱତନ୍ତ୍ର ପ୍ରକାଶ ନାମବ୍ରହ୍ମ ଉଦେ ହୋଇ

 

ମରଣ କାଳକୁ ଶରଣ ତୁ ପଶ କରୁଣା କରିବେ ହରି

ନାମ ବ୍ରହ୍ମ ଦୁହେଂ ଏକତ୍ୱ ହୋଇବେ ଶୁନ୍ୟରେ ଶୁନ୍ୟବିହାରୀ

କେବଳ ଭକତି ଆନେ ନାହିଂ ପ୍ରୀତି ଭାବି ଭକତ ଲେଖୁଛି

ଯେ ଯେତେ କହିବ ସର୍ବ ମିଥ୍ୟ ହେବ ଭାବନାରେ ସବୁ ଅଛି

 

ଅନୁଭବେ ଜ୍ଞାନ ପ୍ରକାଶ ହୁଅଇ ନୂଆ ଭାବ କର ମୂଳ

ଭବିଷ୍ୟ ବିଚାର ଏଣିକି କହିବା ଜ୍ଞାନେ ନାହିଂ ଥଳକୁଳ

ଗିରି ଗୁପ୍ତେ ଅଛି ଚିତ୍ରୋତ୍ପଳା କୂଳେ ଉତ୍ତରରେ କଳାଅଗ୍ନି

ଶୈବ ଶାକ୍ତ ଭକ୍ତ ତିନି ତିନି ଜଣ ଅଛନ୍ତି ଗିରିରେ ପୁଣି

 

 

କାରଣ୍ୟ ଯେ ବନ ନାମଟି ତାହାର ଗୋପୀ ଅଂଶ ଭକ୍ତ ତହିଁ

ସଦାଶିବ ବ୍ରହ୍ମା ଘେନି ସପ୍ତଋଷି ସେଠାବେ ଅଛନ୍ତି ରହି

ଆହୁରି କହିବା ଗୁପତ ବିଚାର ତହିଂ ତଳେ ମୋ ଆଶ୍ରମ

କଦମ୍ବ ବିହାରୀ ନାମ ବହିଥିବ ଚାଚକାଈ ଠାରେ ରାମ

 

ସତ୍ୟ ତ୍ରେତୟା ସେ ଗୁପତେ ରହିଲା ଦ୍ଵାପରର ବାଣୀ ଶୁଣ

ଦୂତିକା ଯେ କଳି ଯୁଗରେ ଜନମ ରାମ ଦାସ ନାମ ଚିହ୍ନ

କୁଶଭଦ୍ରା କୂଳ ଉତ୍ତର ପାରୁଶେ ବିରିବଲ୍ଲୀ ନାମେ ଗ୍ରାମ

ମାତା ଜେମାଦେଈ ପିତା ସୁଦର୍ଶନ ଗୁପତ ଏ ପ୍ରଘଟନ

 

ପୁଣି ବିଦ୍ୟାଧର ତା ନାମ ହୋଇବ କଦଳୀ ବଣରେ ଘର

ବ୍ରାହ୍ମଣୀ କୂଳରେ ଆଶ୍ରମ କରିବ ନାଭି ଗୟା କ୍ଷେତ୍ରଠାର

ଠାକୁର ପାଟଣା ହରି ସେଣ ସୁତ ହୋଇବ ସେକାଳେ ପୁଣି

ଅସ୍ଥି ବୀଜ ଥୋଇ ପକ୍ଷ ବସାଇଲେ ଜାଣିବୁ ଠିକଣା ବାଣୀ

 

ବାସୁ ଦାସ ନାମ ହୋଇବ ତାହାର ଚିହ୍ନି ନ ପାରିବେ କେହି

ଶ୍ରୀମତୀ ଶ୍ରୀପତି ଭେଟ କରାଇବ ମଣିନାଗ ଠାରେ ଯାଇଂ

ସ୍ଥାନେ ପ୍ରକାଶିତ ସ୍ଥାନେ ଲୁକାୟିତ ଗୁପତେ ଯମୁନା ବହେ

ତହିଂ ତଳେ ଜଳକେଳି ଲାଗିଥିବ ଅଚ୍ୟୁତ କରିବ ଥୟେ

 

 

ଅଗାଧ ସାଗର ନାହିଂ ପାର ତାର ମହିମା କେ କହିପାରୁ

ବର୍ଣ୍ଣି ନ ପାରିଲେ ଦେବୀ ସରସ୍ଵତୀ ମୋତେ ବା କେତେ ପଚାରୁ

ଗୁପତ ପ୍ରଘଟ କରି ତ ନୁହଂଇ ଆଚମ୍ବିତ ଅଟେ ବାଣୀ

ଚେତିଲା ଭକତ ଗୁପତ କଥାକୁ ବେଳସୁ ଅଛନ୍ତି ଜାଣି

 

ହେତୁ ରସାଇବା ପାଇଂକି ଅଚ୍ୟୁତ ଶାହାସ୍ତ୍ର ପୁରାଣ କଲା

କଳିକାଳଠାରୁ ବଳି କଳ ଯହିଂ ଠିକ କଥାଟି ଲେଖିଲା

ଯୁଗ ଯା ନକହେ ପ୍ରାଣୀ ତା କରନ୍ତି ଦୋଷ ଦ୍ୟନ୍ତି ବୃଥାଟାରେ।

ଅଚ୍ୟୁତ ବଚନ କେହି ନ ପାଳିବେ ଗାଇ ବୁଲିବେ ଥଟ୍ଟାରେ

 

ଇତିଶ୍ରୀ ଶିବକଳ୍ପେ ନବଖଣ୍ଡ ନିର୍ଘଣ୍ଟେ ଅଚ୍ୟୁତ ରାମ ସମ୍ବାଦେ ନାମ ଷଷ୍ଠ ନିର୍ଘଣ୍ଟଃ

 

ସପ୍ତମ ନିର୍ଘଣ୍ଟ

 

ଦୟାନିଧି ପ୍ରଭୁ ଅଗାଧ ସାଗର ଦାସ ଦୋଷ କ୍ଷମାକର

ଚରଣାଶ୍ରିତକୁ ଶରଣ ରଖିବ ଏହି ନିବେଦନ ମୋର

ଆହୁରି ଯେତେକ ଗୁପତ ରହିଲା ସର୍ବ ପ୍ରକାଶିବ ମୋରେ

ପରମ ଦୟାଳୁ ଦୀନଜନ ପାଳୁ ସୁଦୟା କରିବ ବାରେ

 

ଆହୁରି ଗୁପତ କଥା ଯା ରହିଛି ପ୍ରକାଶି କରିବ ମୋଦ

ଦଶ ମହାଜନ ଆହୁରି ଅଛନ୍ତି ମନେ ମୋ ରହିଲା ଖେଦ

ଶୁଣିଣ ଅଚ୍ୟୁତ ସନ୍ତୋଷ ମନରେ କହନ୍ତି ବଚନ ଧୀରେ

ଯେତେ ଜ୍ଞାନ ସାଧୁ ଗୁରୁ ନ ଛାଡ଼ିବୁ ଚାବିଟି ତାଙ୍କ ହାତରେ

ମୋହଠାରେ ଯେଣୁ ଅତ୍ୟନ୍ତ ବିଶ୍ୱାସ ତୁମ୍ଭରେ କରୁଣା ହେଲା

ତୁମ୍ଭ ପୂର୍ବଜନ୍ମ ବରଜ କୁଳରେ କୃଷ୍ଣ ପ୍ରସାଦ ମିଳିଲା

ଘୋର କଳିକାଳେ ଥୟ ନ ରହିବ ପ୍ରାଣୀ ହେବେ କୁଆବୁଆ

ପୂର୍ବ ସମୁଦ୍ରରୁ ଲବଣ ଉଠିବ କମ୍ପିବ ପ୍ରାଣୀଙ୍କ ହିଆ

ଆଗେ କୃଷିକାରୀ ବିନାଶ ହୋଇବେ ତଦନ୍ତେ ଧନୀକ ଲୋକ

ରାଜ ସେବାୟତ ତା ପରେ ବିନାଶ ପଡ଼ିବ ଘୋର ମଡ଼କ

ମଧୁ ମାସ ପ୍ରାନ୍ତ ଶୁକ୍ଳ ଏକାଦଶୀ ବୃହସ୍ପତି ମୀନ ଶନି

ଦେବୀ ନଦୀ କୂଳ କୁଶଭଦ୍ରା ଯାଏ ଭାଙ୍ଗିବ ତ୍ରିକୋଣ ଭୂମି

କୁଜଙ୍ଗ ଅଞ୍ଚଳ ଜଳେ ବୁଡ଼ାଇବ ନୃପ ସିଂହାସନ ଯିବ

ପାରାଦ୍ୱୀପଠାରେ ଆମ୍ଭର ସମାଧି ସେଦିନ ପୂଜା ପାଇବ

ଧାରେକ ଫିଟିବ ଚିତ୍ରୋତ୍ପଳା ଯାଏ ଦାମୋଦର ପୁରେ ଦୋଷ

ଭୀଷ୍ମକୁଣ୍ଡୀ ଠାରୁ ଗଣ୍ଡୁକୀ ପର୍ଯ୍ୟନ୍ତ ନଦୀ ବହିବ ସେ ରୋଷ

 

ଗଣ୍ଡ ନାମ ସାତ କୋଶିଆ ହୋଇଛି ଜିଲ୍ଲା ନାମ ଢେଙ୍କାନାଳ

ଯାଉଂଳି ବନ୍ଧର ପଶ୍ଚିମ ଭାଗରେ କୁମ୍ଭୀର ରହିଛି କାଳ

ପୂର୍ବଭାଗ ମାଛ ଚିତଳ ରହିଛି ସେଦିନ ଦର୍ଶନ ଯୋଗ

ଶାରଦା ମଣ୍ଡଳେ ଦର୍ଶନ ମାଗିବେ ସେଦିନ କୂଳ ଭାଙ୍ଗିବ

 

ରତ୍ନବଟ ମୂଳେ ଧାରେକ ଫିଟିବ ରତ୍ନାବତୀ ନାମ ହେବ

ଛତିଆ ବଟରେ ଉଭୟେ ମିଳିବେ ବଚନ ଅଟଇ ଧ୍ରୁବ

ଏରୁଣ୍ଡି ବନ୍ଧ ସେ ଚିତଳ କଣ୍ଠ ତଟେ ପଞ୍ଚମୁଖୀ ଦେଉଳରେ

କୁମ୍ଭୀର ହାଡ଼ରେ ଶୂଳକାଠ ହେବ ମଣିନାଗ ଗୁମ୍ଫାଠାରେ

 

ବାଇଶି ମଉଜା ପ୍ରାଣକୃଷ୍ଣ ସେ ଯେ ସୁତ ନାମ ହନୁମାନ

ନିଶ୍ଚୟ ପବନ ସୁତ ହୋଇଥିବ ହାଣିବ ନାଗାନ୍ତ ଗଣ

ଲୀଳା ଉଦେହେବ ଶୂନ୍ୟେ ଚହଟିବ ଗହ ଗହ ଛତିଆରେ

ଶ୍ରୀରଙ୍ଗା ଚରଣେ ସରବେ ଖଟିବେ ଶ୍ରୀକ୍ଷେତ୍ର ହୋଇବ ବାରେ

 

ରାଜନ ସେକାଳେ ଦାରୁଙ୍କ ନିମନ୍ତେ ପଡ଼ିବ ଦେବୀ ଦେଉଳେ

ଦାରୁ ନ ପାଇବ ପଥ ହୁଡ଼ିଯିବ ମିଳିବ ମାର୍କଣ୍ଡଠାରେ

ବେଲୁଡ଼ି ହାଟରେ ଶିଆଳଦାଠାରେ ଯାନେକ ହୋଇବ ଥୁଆ

ଯବନ ପଶିବ ଉଜାଣି ଆସିବ ଜନେ ହେବେ କୁଆବୁଆ

 

ଯାନରେ ବସାଇ ଦାରୁକୁ ସେ ନେବ ଲକ୍ଷେମାଢ଼ ସୁନାସହି

ବଇରି ଗ୍ରାମରେ ଯାନ ଯେ ଭାଙ୍ଗିବ ଶୁନ୍ୟ ହେବେ ଭାବଗ୍ରାହୀ

ଯବନ ଦୃମତି କରିବ ରାଜୁତି କୀର୍ତ୍ତି କରିବ ସ୍ୱ ଚକ୍ଷୁ

ଘୋର ରଣାଘାତେ ଯବନ ମହତ୍ୱ ଧ୍ୱଂସ ହେବ ଦେଖୁ ଦେଖୁ

 

ଗଙ୍ଗା କୂଳଠାରୁ ମହାନଦୀ ଯାଏ ଖଳ ଗୋଳେ ପୂର୍ଣ୍ଣହେବ

ଦିବ୍ୟସିଂହ ବୀର ନାମ ଖ୍ୟାତ ତାର ବାଷଠି ଅଙ୍କରେ ହେବ

ବଳେ ବଳିୟାର ହୋଇବ କୁମର ପଢ଼ିବ ଅସୁର ପାଠ

ଯେ ଜାଣଇ ସେହି ଚେତୁଆ ଭକତ ଅଟଇ ସେ ଗୁରୁଶ୍ରେଷ୍ଠ

 

ଯବନ ମୋଗଲ ରାଜୁତି କରିବେ ବର୍ଷେ ଏକାଦଶ ମାସ

ବଳ ଯୋଜନାରେ ଦେଶ ଚଳାଇବେ ପୁଣି ଏଗାର ପୁରୁଷ

ଶଏ ତେର ବର୍ଷ ରାଜୁତି କରିବେ ପଞ୍ଚାଅଶି ଜଣ ରାଜା

ଅଠତ୍ରିଶ ଠାରୁ ଅଣଚାଳିଶ ଯାଏ ବାଜିବ ଡିଣ୍ଡିମ ବାଜା

 

ତାର ବିଧାନରେ ଭାରତ ଚଳିବ ନଥିବ କା ବୁଝାମଣା

ରାଇଜ ଭଣ୍ଡାରୁ ଧାତୁ ହରିନେବେ କର ହେବ କଟକଣା

ନୂଆ ନୂଆ ନୀତି ଦିନୁଦିନ ହେବ ପ୍ରଜା ହେବେ ଛଟପଟ

ଗ୍ରାମେ ଗ୍ରାମେ ହାଣଗୋଳ ଲାଗିଯିବ ସରବେ ପାଇବେ କଷ୍ଟ

 

ସ୍ଥାନ ଛାଡ଼ିଦେଇ ପ୍ରଜା ପଳାଇବେ ରଜା ନ ଶୁଣିବେ ତାହା

ପର୍ବତ ଗୁହାରେ ନିୟମ ଗଢ଼ିବେ ମାତିବେ ପୋଇଲୀ ଛୁଆ

ଉଭା ଧନମାନ ରାଜା ହରିନେବେ ପୋତା ହରିବ ବାସୁକୀ

ବଡ଼ବଡ଼ିଆ ଯେ କେହି ନ ରହିବେ ହେତୁକର ରାମ ନିକି

 

ବାରେ ବାରସ୍ଵତୀ ନାମ ଯାର ଖ୍ୟାତି ଅନ୍ଧମୁନି ତ୍ରେତୟାରେ

ଚନ୍ଦ୍ରାବଳୀ ଗୋପୀ ଦ୍ଵାପର ଯୁଗରେ ସେବାକରେ ପଶ୍ଚିମରେ

ବତ୍ରିଶ ନାୟିକା ସଙ୍ଗତରେ ନିତ୍ୟ ରାଧା ଅଙ୍ଗେ ସେବାକରେ

ଗୋପୀ ଦଶାକ୍ଷର ମଣୋହି କରିଣ ଆଲଟ ଚାମର ଧରେ

 

ଉତ୍ତର କୋଶଳେ ଜନମ ତାହାର ସୁର ଦାସ ବୋଲି ଜାଣ

ଓଡ଼ିଶା ଦେଶରେ ଭକ୍ତ ଦାସ ନାମ ଭକତି ଅଟଇ ଟାଣ

କବିତା ଚାତୁରୀ ଜ୍ୟୋତିରେ ଶରଧା ଅଘୋରୀରେ ଦିନ ନେବ

କୃଷ୍ଣରେ ଆଶ୍ରିତ ଥିବାରୁ ତା ମନୁ ଦୟା କେବେ ନ କଟିବ

 

ତେନ୍ତଲ ଗ୍ରାମରେ ଜନମ ହୋଇବ କୈବର୍ତ୍ତ କୁଳରେ ଯାଇଂ

ବ୍ରହ୍ମାନନ୍ଦ ଦାସ ତା ନାମ ହୋଇବ ତ୍ରିପୁରା ସାଧିବ ସେହି

ତ୍ରିପୁରା ବରରେ ଓଡ଼ିଶା ଦେଶରେ ହୋଇବ ଗୁରୁ ବୈଷ୍ଣବ

କାମାକ୍ଷୀ ଦେବୀର ବରପ୍ରାପ୍ତ ହୋଇ ନାଗାନ୍ତ ପଦ ଲେଖିବ

 

ଅର୍ଦ୍ଧେକ ପୋଛିଣ ଅକାରକୁ ଲେଖ ଋତୁରାଜ ଦକ୍ଷିଣରେ

ଯାହା ହେଲା ଏଥି ଶୁଣ ରାମଚନ୍ଦ୍ର ଭାବନା ହୃଦ କମଳେ

ଏହି ଅଙ୍କେ ଜାଣ ଗୋଳଯୁଦ୍ଧ ଶେଷ ତେର ଟୋପି ଆଦି ନାଶ

ସତ୍ୟ କଳି ଆଦି ଉଦୟ ହୋଇବ ନଥିବେ ଯବନ ବଂଶ

 

ହିନ୍ଦୁ ଧର୍ମାଚାର ହିନ୍ଦୁ ଧର୍ମ ନଷ୍ଟ ସଂସାରକୁ ସୁଖ ଦେବ

ଗୋଟିଏ ପାତ୍ରରେ ସମସ୍ତେ ଭୁଞ୍ଜିବେ ବର୍ଣ୍ଣାବର୍ଣ୍ଣ ନରହିବ

ପବିତ୍ର କୁଳରେ ଜନମ ହୋଇବ ନାମ ହେବ ନିରାକାର

ଏକାଳେ ଭକ୍ତଙ୍କୁ କଳ୍ପ ବାଣ୍ଟି ଦେବେ ଖଣ୍ଡଗିରିରେ ଅପାର

 

ପାଦୁକା ଆଶ୍ରମେ ସପ୍ତଦିନ ବ୍ୟାପି ହୋଇବ ନିତ୍ୟ ରାହାସ

ଜଡ଼ ପ୍ରତିମା ଯେ ବଚନ ଭାଷିବେ ଅଚ୍ୟୁତ ବଚନ ଘୋଷ

ଶୁଣ ରାମ ତୁହୋ ସଙ୍ଗେ ବାର ଶିଷ୍ୟ ଆଗତ ଭବିଷ୍ୟ କଥା

ଅଚ୍ୟୁତ ପାମର ପଚାରି କହଇ କହିଲେ ଯା ଜଗନ୍ନାଥା

 

ଇତିଶ୍ରୀ ଶିବକଳ୍ପେ ନବଖଣ୍ଡ ନିର୍ଘଣ୍ଟେ

ଅଚ୍ୟୁତ ରାମ ସମ୍ବାଦେ ନାମ ସପ୍ତମ ନିର୍ଘଣ୍ଟଃ

 

ଅଚ୍ୟୁତାନନ୍ଦ ରଚନାବଳୀ ମାଳିକା ଖଣ୍ଡ

ଅଷ୍ଟମ ନିର୍ଘଣ୍ଟ

 

ବନ୍ଦେ ପଞ୍ଚଭୂତ ଅନାଦି ଗୁରୁ ଅନନ୍ତ ଦେବ

ତୋ ଦୟା ନ ହେଲେ ଏ ଦାସ ଗ୍ରନ୍ଥ କାହୁଂ କହିବ

ହାନି ଲାଭ ସର୍ବ ବିଚାରି ସବୁ କର ଆପଣ

ପତିତ ଜନ ତାରିବାକୁ ବାରେ ଗୁହାରି ଶୁଣ

ଅଚ୍ୟୁତର ପ୍ରାଣ ଜଗତ ନାଥ ମହିମା ଭାରି

ବ୍ରହ୍ମ ଅବତାର ମୁରଲୀ ଧରା ମୁରାରି ହରି

ଆହୁରି ଗୁପତ ରହିଲା ସର୍ବସିଦ୍ଧ କହିବା

ପୂର୍ବ ହେତୁ ତୋର ନ ଥିଲେ ସ୍ଥଳ କାହୁଂ ପାଇବା

ପ୍ରଭୁ କୃପା ଯେଣୁ ହୋଇଲେ ବ୍ରହ୍ମା ପାଇଲେ ବେଦ

ପ୍ରଭୁ କୃପା ବଳେ ତରିଲେ ଶିବ କପିଳା ବଧ

ଜନ୍ମ ଜନ୍ମାନ୍ତର ଚରଣ ସେବାରେ ମୁଂ ରହିବି

ଅତ୍ରାହି ଭଞ୍ଜନ ପ୍ରଭୁହେ ଏହି ବର ପାଇବି

ରାମ ଦାସ କହେ ଗୁରୁହେ ମୋର ଶକତି ନାହିଂ

ତୁମ୍ଭ ଦୟା ଯାହା ହୋଇବ ତାହା ଶୁଣିବ ମୁହିଂ

ଆତ୍ମା ନିବେଦିଛି ପୟରେ ତୁମ୍ଭ କରୁଣାବଳେ

ଯାହା ତୁମ୍ଭ ଇଚ୍ଛା କହିବ ପ୍ରଭୁ ଯାହା ବୋଇଲେ

 

ଅଚ୍ୟୁତ ଆସନୁ ଉଠିଣ ପିଠି ଆଉଂଷି ଧୀରେ

ଉଠ ବାବୁ ରାମଚନ୍ଦ୍ର ହେ କପଟ ନାହିଂ ତୋରେ

ନିର୍ଦ୍ଦୋଷ ଦୋଷ କ୍ଷମା କଲେ ଧର୍ମେ ବଢ଼ଇ କର୍ମ

ପୟରେ ଶିର ପାତିଥିଲେ ଭକ୍ତିର ବଡ଼ ମର୍ମ

 

ଦାନରେ ଅନ୍ନବସ୍ତ୍ର ଦେଲେ ହୁଅଇ ବଡ଼ ପୁଣ୍ୟ

ଭଜନରେ ନାମ ସ୍ମରଣ ଅଟେ ଅକର୍ମ ଜାଣ

ଜ୍ଞାନରେ ନିର୍ଗୁଣ ବିଚାର ସତ୍ୟ ନିଷ୍ଠା ଆବର

ନିର୍ଲୋଭ ନିସ୍ପୃହା ସର୍ବଦା ଉଦାସୀନ ଯେ ନର

 

ତାହାରେ କରୁଣା କରନ୍ତି ପ୍ରଭୁ ରଙ୍ଗ ଅଧର

ତାଙ୍କ ହସ୍ତୁ ଯାହା ପାଇବ ପୂରେ ତାଙ୍କ ଆଦର

ଅନ୍ନ ବିନା ଜୀବ ରହିବ ଭକ୍ତ ବିହୁନେ ହରି

ଅଛଟକେ ପ୍ରାଣ ଚଳିବ ମନେ ଥାଅ ବିଚାରି

 

ତୁମ୍ଭେ ନ ପୁଛିବା ଆଗରୁ ସବୁ କହିବି ମୁହିଂ

ହେତୁଚିତ୍ତେ ଧରିପାରିଲେ ଅଚ୍ୟୁତ ଭାବନାହିଂ

ମହା ବିନାୟକ ଠାବରୁ ଧନିଆ ଗିରିଯାଏ

ତେରଟି ମଣ୍ଡଳେ ରହିଛି ଧନ ରତ୍ନ ଥୋକାଏ

 

ଚିକ୍ରିବିଲ ମାତା ମଠରୁ ଚଣ୍ଡୀଖୋଲ ନିକଟ

ପାଞ୍ଚଟି ସୁଡ଼ଙ୍ଗ ରହିଛି ଯୁଧିଷ୍ଠିର ଆକଟ

ଧନିଆରେ ଆଠ ରହିଛି ପାଞ୍ଚକୋଟିରେ ଧନୀ

ତିନିରେ ଅର୍ଜ୍ଜୁନ ରହିଛି ବଛା ଶର ବିନ୍ଧାଣୀ

 

ବାଲିଆ କଟକେ ରହିଛି ଗୁପ୍ତ ବାରୁଣା ନଦୀ

ତୋଟା ଖମ୍ବଠାରେ ରହିଛି ଭଗବତୀଙ୍କ ଗାଦି

ପୂର୍ବେ ରାଜସୂୟ ଯଜ୍ଞରେ ଯୁଧିଷ୍ଠିର ଅଙ୍କରେ

ପତାକା ମାରି ଯୁଦ୍ଧଭୂମି ଓଡ଼ରାଜ୍ୟକୁ କରେ

 

ଏକ ଯଜ୍ଞ ତହିଂ ହୋଇଛି ଆରେକ ଯେ ହୋଇବ

ଶରଦ କୁମାର ତିଥିରେ ତ୍ରୟ ଲୋଚନ ଥିବ

ଚମ୍ପାବନ ମଧ୍ୟେ ମୁକତି ଯେବେ ଦୃଶ୍ୟ ହୋଇବ

ଜଳରୁ ପତାକା ଉଠିବ ଭଇରବୀ ଡାକିବ

 

ତ୍ରିଲୋଚନ ନାମ ଯାହାର ବୁଣା କୁଳରେ ଜାତ

ବାସନାରେ ହେବ ପୂଜିତ ଗ୍ରାମେ ହେବ ବିଖ୍ୟାତ

ସମ୍ବରାରି ଯାଇ ସେଠାରେ କୃଷ୍ଣ ଜ୍ୟେଷ୍ଠ ପୁତ୍ର ତ

ପୁଷ୍ପଧନୁ ପୁଷ୍ପ ବେଉସା ପୂର୍ବେ ନାମ ଲିଖିତ

 

ପରଖିବ ଭକ୍ତଗଣଙ୍କୁ ଲୀଳା ହେବ ଚହଟ

ଯନ୍ତ୍ର ବୀଜ ଷୋଳ ଉଚ୍ଚାରି ସାଧ ପାଞ୍ଚରେ ହଟ

ଶେଷଦେବ ଗାଦି ସେଠାରେ ବଟ ନାମ ବଉଳ

ବେଲ ବଉଳ ଦାରୁ ବୃକ୍ଷ କୁଣ୍ଡି କୂଳରେ ଠୁଳ

 

ସିଦ୍ଧ ସାଧୁଙ୍କର ସମାଧି ପୂର୍ବ କୋଣେ ରହିଛି

ପରାଶର ମୁନି ସେଠାରେ ରହି ଯୋଗ ସାଧୁଛି

ସୁବର୍ଣ୍ଣ ସିନ୍ଦୁକ ସେଠାରେ ଅଛି ତିନି ସଂଖ୍ୟକ

ବୃଷଭ ପତି ଜଗିଛନ୍ତି ମୁଦ୍ରା ଅଛି ଅନେକ

 

ଲକ୍ଷେ ଛୟାନବେ ଭକତ ଲୀଳା କରିବେ ତହିଂ

ପେଜନଳା ନାମ ବହିବ ଦିନେ ସେ କୁଣ୍ଡି ନଈ

ବାଉନ କୋଟି ଯେ ଭଣ୍ଡାର ସେହିଠାରେ ସରିବ

ଅକାର ଅର୍ଦ୍ଧେକ ପୋଛିଣ ଅଂଶୁମାଳି ଗୁଣିବ

 

ଅଷ୍ଟବୀଜ ମାତ୍ରା ମିଶାଇ ସୁଗୋଷ୍ଠିରେ ପଚାର

ବସୁ ଅଙ୍କ ଯୁଗ୍ମ ହୋଇଲେ ଯଜ୍ଞ ହେବ ସେଠାର

ସହଦେବ ତହିଂ ଜନମ ତା ନାମ ଜଗନ୍ନାଥ

ଯୁଧିଷ୍ଠିର ଭୂୟାଂ ପିଅର ସୂର୍ଯ୍ୟ ବଂଶରେ ଜାତ

 

ତ୍ରିକାଳ ବାରିଣ କହିବ ସହଦେବଟି ସେହି

ପାଛୋଟି ଆଣିବେ ସେକାଳେ ଚନ୍ଦ୍ରଭାଗାରୁ ଯାଇଂ

ସୁନାଖଳା ଗ୍ରାମ ଆଶ୍ରମ ପୂର୍ବ ତୁଳସୀ ଦାସ

ବୀରକିଶୋର ଯେ ଭକତ ତହିଂ ହେବ ପ୍ରକାଶ

 

ବିଶ୍ଵନାଥ ବୋଲି ଭକତ କଳାମାଟିରେ ଘର

ପଞ୍ଚତତ୍ତ୍ୱ ଯଜ୍ଞ କରିବ ରତ୍ନଗିରି ଠାବର

ଯାଚଜ୍ଞା ଭକତ ଅଟଇ ଆତ୍ମ ସେବାରେ ମନ

ଭୟ ଦେଖାଇଣ ଲୋକଙ୍କୁ ନେବେ ଧନ ରତନ

 

ଗୁପତ ବାରୁଣାବନ୍ତରେ ଯୁଧିଷ୍ଠିର ପ୍ରକାଶ

ପ୍ରକାଶ ହୋଇବ ସେଠାରେ ତିନି ସସ୍ର ଭବିଷ୍ୟ

ନଟବର ସାହୁ ଭକତ ଅଚ୍ୟୁତ ଯେ କହିବ

ଚରଣ ଶିଷ୍ୟ ସେ ଆମ୍ଭର ଦାସ ଦାସ ହୋଇବ

 

ହଳଧର ପୁରେ ଭକତ ଅନେଶ୍ୱତ ଅଛନ୍ତି

ମୁରଲୀ ବୈଷ୍ଣବ ପାଣୁଆ ଖଣ୍ଡାୟତ ଅଟନ୍ତି

ପୂର୍ବେ ଭୃଗୁମୁନି ଜନମ ଶାସନ ଥିଲା ଜାଣ

ଜାତିରେ ବ୍ରାହ୍ମଣ ଅଟଇ ମାୟାଧର ପ୍ରମାଣ

 

ତ୍ରେତୟାରେ ଶୂଳି କାଠରେ ବସିଥିଲାଟି ସେହି

ସତୀ ବ୍ରାହ୍ମଣୀକୁ ଶାପ ସେ ଦେଲା କ୍ରୋଧକୁ ବହି

ଉଲଟ ଶାପ ଯେ ତାହାକୁ ସାତ ଦିନ ଅନ୍ଧାର

ଶାସ୍ତି ଭୋଗୁଂ ରକ୍ଷାପାଇଲେ ପୂର୍ବଭାଗ୍ୟୁ ଯେ ବୀର

 

ହାରାନ ପଠାଣ ହୋଇଲା କଳି ଯୁଗରେ ସେହି

ଏମନ୍ତେ ଭକତ ଜନ୍ମନ୍ତି ନାନା ଯୋନିକି ବହି

ମୋଗଲ ରାଜୁତି କାଳରେ ଶିଶୁପାଳ ଜନମ

ପରଖିବ ସାଧୁ ସନ୍ଥକୁ ଦେବ ନାନା କଷଣ

 

ବାମେ ଅସ୍ତୁ ନେତ୍ର ଦକ୍ଷିଣେ ତ୍ରିଗୁଣକୁ ଖଞ୍ଜିବୁ

କୃଶ ହେବେ ନଦୀ ସକଳେ ଶ୍ରମ ନିଶ୍ଚେ ଦେଖିବୁ

ପଂକିଳ ଯେ ଶୂନ୍ୟ ହୋଇବ ପଙ୍କ ଫାଟିଣ ଯିବ

ବିନ୍ଦୁ ନ ପଡ଼ିବ ମହୀରେ ତିନି ବରଷ ଯିବ

 

ଓଡ଼ିଶାରେ ଖଣ୍ଟ ହୋଇବେ ସର୍ବ ଅଞ୍ଚଳ ପ୍ରାଣୀ

ଅନନ୍ତ ମସ୍ତକେ ଚନ୍ଦନବିନ୍ଦୁ ବୁଝାଏ ବାଣୀ

ଗୌତମ ମୁନି ଯେ ଜନମ ଦ୍ଵାପରର ଏକଥା

କେଉଟ କୁଳରେ ଜନମ ଗ୍ରାମଟି ମାଳିହତା

 

ପୁଣି ଖଣ୍ଡସାହି ଗ୍ରାମରେ ସ୍ଵପ୍ନାନନ୍ଦ ତା ନାମ

ଉଦେ ଅସ୍ତ ଦରଶନରେ ବଳିଥିବ ତା ମନ

ତ୍ରିପୁରା ସାଧକ ଅଟଇ ଦାରୁବ୍ରହ୍ମରେ ଭକ୍ତି

କବିତା ପୁରାଣ ଲେଖିବ ସାକ୍ଷୀ ରଖି ଶ୍ରୀପତି

 

ମହାକାଳ ପଡ଼ା ଗ୍ରାମରେ ଜନ୍ମ ତାର ହୋଇବ

ଶେଷଦେବ ବିଜେ ସ୍ଥଳୀରେ ମଠ ସେହି ବାନ୍ଧିବ

ପ୍ରହଲାଦ ନାମ ଗାଇବ ତା ପିତା ଗୋପୀନାଥ

ହେମଲତା ମାତା ଅଟଇ ଓଡ଼ ପ୍ରଧାନ ଜାତ

 

ଭକ୍ତ ହୃଦାନନ୍ଦ ଜାଣିବ ଦରଶନ ସଂହିତା

ଅଣ ନିଶାଣୀରେ ଲେଖିବ ତିନି ଶହ କବିତା

ଷୋଳ ମହାଜନ ଗୋଟିକେ ଅଷ୍ଟ ଅଷ୍ଟ ଅଟଇ

ରେବି ବାଇଦରେ ତୋଷିବେ ନିଶ୍ଚେ କଳାକହ୍ନାଇ

 

ଯହିଂ ରାସସ୍ଥଳୀ ସଦୟ ମଣିନାଗ ସେଠାରେ

ଅଷ୍ଟ ପାଟବଂଶୀ ସହିତେ ଭେଟ ହେବେ ସେଠାରେ

ବାରେ ବାରମାତ୍ରା ଥାଇଣ ଦଶଦିଗ ତା ତଳେ

ନୟନ ପୂରାଇ ଦେଖିବୁ କଳାଗିରିର ତଳେ

 

 

ଅରକ୍ଷ ରକ୍ଷଣ କାରଣ ପ୍ରଭୁ ରଙ୍ଗା ଅଧର

ଆତ୍ମ ନିବେଦିଲେ ପୟରେ ବଚନ ହେବ ସ୍ଥିର

ଅଚ୍ୟୁତଠାରୁ ଯେ କହିବ ନିଶ୍ଚେ ଭକତ ସେହି

ଦୁଇଶ ଛପନ ଜଣଙ୍କୁ ଏହି ଗ୍ରନ୍ଥ ମିଳଇ

 

ଚିତ୍ରୋତ୍ପଳା ନଦୀ ଉତ୍ତରେ ତିଳକଣା ଗ୍ରାମରେ।

ପଡ଼ିଛି ଅଚ୍ୟୁତ ପାମର ଛାଡ଼ି ରଙ୍ଗା ପୟରେ

ବିଷମକୁ ସମ କରନ୍ତି ସମ ପୁଣି ବିଷମ

ତାଙ୍କ ଇଚ୍ଛାହେଲେ ହୋଇବ ଲୀଳା ଶୂନ୍ୟ ଅଙ୍କେଣ

 

ବାର ଡାଳ ଶିରେ ଲାଗିବ ଲୀଳା ଚହଟିଯିବ

କଳି ଶେଷ ଗୁରୁବାରରେ ଅଷ୍ଟ ନୃପତି ହେବ

ସ୍ଥାନେ ସ୍ଥାନେ ମୋର ଭକତ ମହିମାକୁ ଗାଇବେ

ଦୀନ ଅଚ୍ୟୁତକୁ ଶରଣ ମାଗି ଦେଶ ଫେରିବେ

 

ଦ୍ଵାଦଶ ଅଚ୍ୟୁତ ହୋଇବେ ଭ୍ରମି ନୋହିବୁ କାହିଂ

ସପ୍ତଚିତା ଚିହ୍ନ କପୋଳେ ତେବେ ପରତେ ଯାଇଂ

ନୀଳଚକ୍ର ଧ୍ଵଜା ଖସିବ ପ୍ରଭୁ ରଙ୍ଗା ଅଧର

ଯାଜ ନଗ୍ରେ ଜନ୍ମ ହୋଇବେ ବିଷ୍ଣୁ ଶର୍ମା ଗୃହର

 

ତେବେ ସିନା ଲୀଳା ପ୍ରକାଶ ହେବ ତେର ତ୍ରିଗୁଣେ

ପଞ୍ଚମନ ରଖି ବିଚାର ଅଚ୍ୟୁତ ସତ୍ୟ ଭଣେ

ବ୍ରଜ ଗଦାଧର ଯାଇଛି ମାୟା ଗ୍ରାସିଛି ମୋତେ

କାଲି ପ୍ରଭାତରେ କହିବି ରାମ ଯାଅ ତୁରିତେ

 

ଶରଣ କାରଣ କରିବେ ରାମ ଶରଣ ଘୋଷ

ହରେ ରାମକୃଷ୍ଣ ତିନିରେ ଅଚ୍ୟୁତ ହେଲା ବଶ      

ଇତିଶ୍ରୀ ଶିବକଳ୍ପେ ନବଖଣ୍ଡ ନିର୍ଘଣ୍ଟେ

ଅଚ୍ୟୁତ ରାମ ସମ୍ବାଦେ ନାମ ଅଷ୍ଟମ ନିର୍ଘଣ୍ଟଃ

 

ନବମ ନିର୍ଘଣ୍ଟ

 

ସଞ୍ଚା। ବିଧି ଥୋଇ ପ୍ରଣମିତହୋଇ ସାଷ୍ଟାଙ୍ଗେ ବାର ଗୋପାଳ

ରାମଚନ୍ଦ୍ର ମୂଳେ ଗୁହାରି ଜଣାନ୍ତି ମହିମା ଦୀନ ଦୁଲାଳ

ନବ ବ୍ୟାକରଣ ଷଡ଼ ଶାସ୍ତ୍ର ମାନ ଅଳଙ୍କାରରେ ମଣ୍ଡିତ

ସେହି ପୁସ୍ତକକୁ ଓଲଟାଇ ପାରେ ବଳି କେ ଅଛି ପଣ୍ଡିତ

 

ବାର ବରଷରେ ସତର ହଜାର ଗୁପ୍ତେ ପିପଳ ମୂଳରେ

ଗନ୍ତାଘରେ ରଖି ଚାବି ଲଗାଇଲେ ବାସ କି ତାର ତଳରେ

ଏମନ୍ତ ସାମନ୍ତ ରବିଚନ୍ଦ୍ର ସୁତ ତାକୁ କି ଉପମା ଅଛି

ପୂର୍ବ ଭାଗ୍ୟବଳୁ ଶରଣ ପଶିଲୁ ଯାହାଙ୍କ ଗୁରୁ ଶ୍ରୀବତ୍ସି

ନବଖଣ୍ଡ ମହୀ ଭ୍ରମଣ କରିଛି ପାତକୀ ତାରିବା ପାଇଂ

ଉତ୍କଳେ ସୁଦୟା କାହିଂ ନାହିଂ ତୁମ୍ଭେ ହେତୁରେ ଦେଲ ବୁଝାଇ

କାଲି ଯା ପ୍ରଭାତୁ ଆଜ୍ଞା ହୋଇଥିଲା ସୁଦୟା କରିବ ବାରେ

କରୁଣା ସାଗର ଚିତ୍ରୋତ୍ପଳା ଧାର ତତ୍ତ୍ୱାମୃତ ତହୁଂ ଝରେ

ଅନାଦିଙ୍କ ଶିଷ୍ୟ ଅନନ୍ତ ବଟରେ ଅଚ୍ୟୁତ ଯେ ଆଜ୍ଞାକାରୀ

ଅରି ବିମର୍ଦ୍ଦେନ ଦ୍ଵାପର ସୁଦାମ କହନ୍ତି ସୁଦୟା କରି

ହରି ହରି ବୋଲି ମହୀ ଲୋଟୁଥିବ ସରୋଜ ପୟର ଭାଳି

ମହା ଘୋର କଳି ଦଳି ନପାରିବ ଦେବେ ନିପାରିବେ କଳି

ଗୀତା ଭାଗବତ ପୁରାଣ ଶାହାସ୍ତ୍ର ଚାରି ବେଦୁଂ ଜାତ ହେଲା

ଚାରିବେଦ ଯାହା ବେଦ ପ୍ରକାଶିଛି ପ୍ରକୃତିରେ ସମ୍ଭାଇଲା

ରଜ ତମ ଦୁହେଂ ଅଲଗା ହୋଇବେ ସତ ହେବ ଶକ୍ତିମାନ

ବେଦ ଥାଉଂ ଥାଉଂ ନାମବ୍ରହ୍ମ ପାଇ ଶିର ହେବ ସମର୍ପଣ

ଭାବଦାତା ହରି ଭକତର ଶିରୀ କରୁଣା କଟାକ୍ଷ ପାତେ

ହୃଦୟ କମଳେ ବିରାଜ ହୁଅନ୍ତି ତତ୍ତ୍ୱ ଦ୍ୟନ୍ତି ଅନ୍ତର୍ଗତେ

ଅନ୍ତର ଦେବତା ଆଗରେ ପାଇବୁ ନ ପୁଛିଲେ ତତ୍ତ୍ୱ ଗାଢ଼

ଯୁଗ ଯୁଗାନ୍ତରେ ପ୍ରଳୟ ଜଳରେ ନାଶିଯିବୁ ହୋଇ ମୂଢ଼

 

ଭାବିବା ମାତ୍ରକେ ବିସ୍ମରଣ ହୁଏ ବିଷୟା ଟାଣୁଛି ବାରେ

ବାରାଙ୍ଗନା କାହିଂ ବରାଙ୍ଗନା ହେବ ବିକାର ନଥିଲେ ତାରେ

ଶାନ୍ତ ଦାନ୍ତ କ୍ଷାନ୍ତ ସମଭାବେ ଚିତ୍ତ ସର୍ବ ଘଟେ ନାରାୟଣ

ବିହ୍ୱଳ କରୁଛି ପ୍ରକୃତ ପୁରୁଷ ବୁଦ୍ଧିନାଶେ କ୍ଷଣେ କ୍ଷଣ

 

ଏଥକୁ ସୁଦୟା କର ଗୁରୁଦେବ ଚେତନା ମୋ ତହିଂ ରଖ

ଦୁର୍ଦ୍ଦିନକୁ ନାଶି ସୁଦିନ କରିବେ ହେ ପ୍ରଭୁ ଦୀନ ନାୟକ

ମଣି ମଣ୍ଡପରେ ଭବିଷ୍ୟ କହିବେ ଶୁଣିବୁ ଦ୍ଵାଦଶ ବାଳେ

ପତିତ ଜନକୁ ତୀର୍ଥ ସ୍ନାନ ହେବେ କଥାଥିବ କାଳେ କାଳେ

 

ମହନ୍ତ ପଣରେ ମୁଣ୍ଡ ମାରୁଥିବେ ପୁରୁଷ ଉତ୍ତମ ଯେଣୁ

ମହା ମହାଜ୍ଞାନୀ ତୋ ପାଶେ ହାରିବେ ଶ୍ରୀମନ୍ତ ନାମ ବଖାଣୁ

ଶୁଣିଣ ଅଚ୍ୟୁତ ଅଟ୍ଟହାସେ ହସି ଆଉଂସି ରାମର ପିଠି

ଧନ୍ୟ ତୋ ଭାବନା ଧନ୍ୟ ତୋ ଚେତନା ଅଚ୍ୟୁତ ବସିଲା ଉଠି

 

କୃମି କୀଟ ପରି ମୋହ ହୋଇଅଛି ତହିଂରେ କି ଆତ୍ମା ଥାଇ

ଥିଲେ ଅବା କାହିଂ ଏ ଦଶା ଭୋଗନ୍ତା ତେଣୁ ଦୀନ ଦୁଃଖୀ ମୁହିଂ

ତୁମ୍ଭ ପଦାର୍ଥରେ ଉଦର ପୋଷୁଛି ପଙ୍ଗୁ ନୁହେଂ ପଶୁପରି

ମୁଂ କିସ କହିବି ସମର୍ଥ ନୁହଂଇ ଦୟାକଲେ ଗିରିଧାରୀ

 

ତୁମ୍ଭ ଭାବଗୋଟା ସତ୍ୟ ହୋଇଅଛି ମୋ ଚେତା ବିଷମ ହେଲା

ସରୁ ଧୋତି ପିନ୍ଧି ମୁଣ୍ଡେ ଖଣ୍ଡେ ବାନ୍ଧି ଏହାକି ମହନ୍ତ ଚେଲା

ତୁମ୍ଭେ ମୋହଠାରୁ ବଳିଲ କୁମର ଉଦ୍ଧରିବ ଭବଜଳୁ

ପୂର୍ବହୁଂ ନଥିଲେ ଏବେବା କେମନ୍ତେ ତୋପରି ସନ୍ତାନ ମିଳୁ

 

ଧନ୍ୟ ମୋର ପ୍ରାଣ ଧନ୍ୟମୋ କର୍ଷଣ ତୁମ୍ଭଙ୍କୁ ପାଇଲି ଧନ୍ୟ

ଆଜ୍ଞାକୁ ଛାଡ଼ିଲେ ମେଣ୍ଟି ନ ପାରିବ ଅଚ୍ୟୁତ ବଚନ ମାନ

କାଲି ଯା ରହିଛି ଆଜି ତା କହିବି ସନ୍ଦେହ ନ ରଖ ହେଳେ

ତତ୍ତ୍ୱ ପୋଥି ଥୋଇ ଶରଣ ପଶୁଛି ଦୟାକର ନନ୍ଦବାଳେ

 

ବାରଣ ବେଳକୁ ଗୁପତ ରଖିଛି ପଦ୍ମେ ଭକତଙ୍କୁ ବାଛି

ତିନିସମ୍ର ମୋର ନାମ ଚିହ୍ନିଥିବେ ଚଉଷଠୀରେ ରଖିଛି

ହେତୁଦିଆ ପାଞ୍ଚ ନିତ୍ୟ ପାଞ୍ଚସଖା ଦୁଇଶ ଛପନ ଆଉ

ଓଳାଶୁଣୀଠାରେ ଦାସେକ ଜନ୍ମିବ ସର୍ବପରେ ଶ୍ରେଷ୍ଠ ହେଉ

 

ପଞ୍ଚସଖା ଠାରୁ କହିବା ପାଇଂକି ଏଥୁ ବଳି କେହି ନାହିଂ

ଛନ୍ଦିବାନ୍ଧିକରି ଯେ ଯେତେ କହିବେ ତା ପେଟ ପୋଷିନୁହଇଂ

ପତାକା ଧରିବେ ଜ୍ଞାନୀ ବୋଲାଇବେ ଯଜ୍ଞକରି ସ୍ଥାନେ ସ୍ଥାନେ

ଅଭ୍ୟାଗତ ନେଇ କୁଟୁମ୍ବ ପୋଷିବେ ଭେକ ବହି ମିଛପଣେ

 

କିସ ତୁମ୍ଭ ଗୋତ୍ର କିସ ତୁମ୍ଭ ବର୍ଣ୍ଣ ପଚାରିବ ନିଷ୍ଠାକରି

ତ୍ରିବୀଜ ମିଶାଇ ତିଳକ ପୁଛିବୁ ମନେ ହେତୁଥାଅ ଧରି

ମାତଙ୍ଗୀ ସାଧିବେ ଗୋପୀ ଅଙ୍ଗ ହେବେ ଟାଣ ଦେଖାଇ ଅନେକ

ଠିକଣା ବେଳକୁ ଠାବ ନ ପାଇବେ ଚିର ନୁହେଂ ମାୟାଭେକ

 

ବାନା ନାମ ଯେଣୁ ପତିତ ପାବନ ପତିତରେ ଦୟା ହେଲା

ପଚରା କନାରେ ଗରମ ରହିଛି ବୁଝି ସୁଝି ଧନ ଖେଳା

ବାରଣ ବେଳକୁ ବିହନ ବାଣ୍ଟିବି ଚିହ୍ନି ନ ପାରିବେ କେହି

ଲକ୍ଷେ ପଞ୍ଚାଅଶି ଗ୍ରନ୍ଥ ବୁଝାଇବି ସମ୍ବଳରେ ଉଦେ ହୋଇ

 

ଶିରେ ଶାଢ଼ୀ ଆମ୍ଭେ ପଞ୍ଚସଖା ନେବୁ ଅଚ୍ୟୁତ ମୂଳରେ ତତ୍ତ୍ୱ

ପଦ୍ମେ ଭକତଙ୍କୁ ଜ୍ଞାନ ବୁଝାଇବି କଳଙ୍କୀ ମନୁ ସାରସ୍ଵତ

ସତ୍ୟାର୍ଥ ଚନ୍ଦ୍ରିକା ପ୍ରକାଶ ହୋଇବ ଜ୍ଞାନ ବୁଝାଇବି ତହିଂ

ଯନ୍ତ୍ର ମନ୍ତ୍ର କଥା ଏବେ ନ ପୁଚ୍ଛିବି ଭକ୍ତ ନାମ ଶୁଣି କହି

 

ଶିଷ୍ୟ ପ୍ରତିଶିଷ୍ୟ ଜ୍ଞାନ ଉପଦେଶ ମୋହଠାରୁ ପ୍ରକାଶିବ

ସଖା ପ୍ରତିସଖା ଚିହ୍ନି ନ ପାରିବେ କଳି ମାୟା ଭ୍ରମାଇବ

ଏକାକ୍ଷର ଘୋଷ ଅଣାକ୍ଷର ଭାଷ ଛାୟା ଜ୍ୟୋତି ଅବାଡ଼ରେ

ଧ୍ୱନି ଅନାହତ ସହଜ ସମାଧି ତତ୍ତ୍ୱ ଚିହ୍ନ ବିରାଟରେ

 

ସପ୍ତାଙ୍ଗ ଅଷ୍ଟାଙ୍ଗ ସିଦ୍ଧି ସାଧ୍ୟମାନ ଯନ୍ତ୍ରେ ଚୌରାଶି ଆସନ

ଷଡ଼କର୍ମ ସିଦ୍ଧି ଜ୍ଞାନ ଧ୍ୟାନ ବିଧି ଯୋଗେ ହର ଯୋଗୀ ମନ

ଅର୍ଚ୍ଚନ ବନ୍ଦନ ସ୍ମରଣ ଭଜନ ଜପ ତପ ମାର୍ଗ ବିଧି

ଯଜନ ଯାଜନ ଆଦି ବେଦାଧ୍ୟାନ ବୁଝାଇବା ନାଟକାଦି

 

ନାଗାନ୍ତ ଯୋଗାନ୍ତ ବେଦାନ୍ତ ସିଦ୍ଧାନ୍ତ ବେଦ ନିର୍ବେଦ ବିଚାର

ନ୍ୟାୟ ତର୍କ ଶାସ୍ତ୍ର ସର୍ବ ମୁଂ ଲେଖିଛି ଅନାଦି ଦୟାରୁ ସାର

ସବୁ ଜାତି ମଧ୍ୟେ ମୋର ଟେକଥିବ ଭବରଙ୍ଗେ ଉଡ଼ି ବାନା

ଗୁରୁବାର ପରେ ଜନମ ହୋଇବି ଭକ୍ତ ହିତେ ଶୁଣୁକିନା      

 

ଭକତମାନଙ୍କୁ ସୁଦୟା କରିବେ ଚେତାଘରେ ତତ୍ତ୍ୱ ଦେଇ

ମୋହର ମାୟାରେ’ ଚଣ୍ଡୀ ବୁଲିଯିବେ ଆଦିମାତା ଥିବେ ଚାହିଂ

ଚାରି ଦିଗେ ରଖ ଚତୁର୍ଦ୍ଧା ମାତ୍ରାକୁ ମୁଖେ ରଖ ଚତୁର୍ଥକୁ

ବେଦ ଶିକ୍ଷାକୁ ଯେ ଦକ୍ଷିଣେ ରଖାଇ ଭଜ ଶ୍ରୀ ସୁଦର୍ଶନକୁ

 

ଏହି ଅଙ୍କେ ବାବୁ ଛତ୍ର ଉଦେହେବ ଚହଟିବ ଦିଗ ଚାରି

ହରିହର କ୍ଷେତ୍ରେ ଜନମ ମୋହର ନୋହିଲା ପଡ଼ିବ ହୁରି

ଗୁପତ ଭୂଇଂରେ ଖେଳ ଖେଳୁଥିବେ ମଦନ ଗୋପଳ ରହି

ପଞ୍ଚକୋଶୀ ମଧ୍ୟେ ନାଭିଗୟା କ୍ଷେତ୍ର ଅଚ୍ୟୁତ କହେ ନିଠାଇ

 

ଏଥୁ ଆନ ଯଦି ହୋଇବ ମୋ ବାଣୀ ନିନ୍ଦାହେବ ତାଙ୍କୁ ସିନା

ବଂଶୀରେ ମୋହିବେ ବଂଶୀ ବିନୋଦିଆ ପରୀକ୍ଷା ତେର ଅବନା

ହେତୁ ଉଦେହେବ ବାସନା ବାସିବ ଗୋମତୀ କୂଳରେ ମୁହିଂ

ବଟ ତଳେ ରହି କଳ୍ପ ବାଣ୍ଟୁଥିବି ଚେତୁଆ ଭକତ ଚାହିଂ

 

ନାଗରୀ ଅକ୍ଷର ତ୍ରିଶୂଳର ଗାର ପଢ଼ିବେ ଆଶ୍ରିତ ଜନ

ଆନ ନ ଜାଣିବେ ସ୍ଥାନ ଛାଡ଼ିଯିବେ ନ ମିଳିବ ଜଳ ଅନ୍ନ

ଅନ୍ନ ଜଳଛତ୍ର ଆମ୍ଭେ ଦେଉଥିବୁ ଆସିବେ ଲେଉଟି ପୁଣି

ତିନି ପୁରେ କେହି ରଖି ନ ପାରିବେ ଖର୍ପରରେ ଯିବା ପ୍ରାଣୀ

 

ପୁରାତନ ଆଖ୍ୟା ଭକତଙ୍କ ଶିକ୍ଷା ମୋଠାରୁ ହୋଇବ ଶେଷ

ସମ୍ବଲପୁରରେ ଭକତଙ୍କ ମେଳ ବ୍ରହ୍ମା ନ ଜାଣିବେ ଲେଶ

କୋଠଦଳ ଭକ୍ତ ଉପଗତ ହେବେ ବାରଣ ବେଳକୁ ଆସି

ଯେଝା ଅନୁକ୍ରମେ ସେବା ବାଣ୍ଟିଦେବି ପାଇହେବେ ଭକ୍ତ ଖୁସି

 

ସପ୍ତ ଆଭରଣ ବାସୁକୀ ଯନ୍ତ୍ରରେ ମନ୍ତ୍ର ପ୍ରଚ୍ଛନ୍ନ ହୋଇବ

ସପ୍ତ ପଞ୍ଚାତ୍ମିକା ଭେଦାଇ କହିବି ଚନ୍ଦନ ମଳୟ ହେବ

ମୁହିଂ ରହିଥିବା ଭକତଙ୍କ ମେଳେ ପ୍ରଭୁ ଜଗନ୍ନାଥ ବାଣୀ

ଲକ୍ଷେ ପଞ୍ଚାଅଶି ଗ୍ରନ୍ଥ ବୁଝାଇବି ଶ୍ରୀମୁଖୁ ଯାହା ମୁଂ ଶୁଣି

 

କ୍ଷୀର ସିନ୍ଧୁତଟ ଉତ୍ତରାଙ୍ଗୀ ବାଟ ବଟ ତହିଂ ଉଦେ ହେବ

ଉଦୟଗିରିରେ ଆଦ୍ୟ ଲୀଳା ହେବ ଅଚ୍ୟୁତ ବଚନ ଧ୍ରୁବ

ସୋମନାଥ ସଙ୍ଗେ ଲୀଳା ଆରମ୍ଭିବେ ତେନ୍ତୁଳି ପଦାରେ ଖ୍ୟାତ

ନିତ୍ୟ ଦଳ ସେବା ଅବଶ୍ୟ ପାଇବେ ଜାଣନ୍ତି ନିଗମ ତତ୍ତ୍ୱ

 

ଅଠର ନଳାରେ ବାସ ଭବନ ତା ପିତା ନାମ ଗିରିଧାରୀ

ମାତା ନାମ ତାର କୌଶଲ୍ୟା ହୋଇବ ଊନବିଂଶ ଗର୍ଭଧାରୀ

ଦ୍ଵାପର ଯୁଗରେ ବିଶାଖ ଅଟଇ ତ୍ରେତୟାରେ ମାନଧାତା

କଳିଯୁଗେ ହେଲା ଗୋରେଖ ଯତୀନ୍ଦ୍ର ଲେଖିବେ ଶାହାସ୍ତ୍ର ଗୀତା

 

ଏରକଣା ଗ୍ରାମେ ସମାଧି ପାଇବ ଶାରଦା ମଣ୍ଡଳ ଯହିଂ

କରଣୀ କାଟିବ ସମାଧି ମଧ୍ୟରୁ ପାଞ୍ଚ ଭକ୍ତ ଥିବେ ତହିଂ

ନିତ୍ୟାନନ୍ଦ ଦାସ ଉଦାସୀ ଭକତ ଶ୍ରୀଚରଣ ସେବାକାରୀ

ନାମ ଖ୍ୟାତି କିଛି ସେଠାରେ କରିବ ଗହଣରେ ବେତଧରି

 

ତିନି ଜନ୍ମ ତାର ଗୁପତ ରଖିଲୁ ପ୍ରାନ୍ତେ କଲୁ ପରକାଶ

ସେ ଗୋରେଖ ଯତି ଫଗୁ ଦାସହେବ ଅଘୋରୀରେ ଦିନ ଶେଷ

ନାଉପାଳ ଗ୍ରାମେ ଯୋଗପୀଠ ତାର ଗୃହସ୍ଥ ବୈଷ୍ଣବ ସେହି

ଉଦୟ ବେଳକୁ ଯୋଗୀ ବେଶ ହେବ ହନୁ ମଞ୍ଚଶ୍ୱରେ ଯାଇ

 

ନାଗା ଆଖଡ଼ାରେ ଭେକ ପାଇଥିବ ରଘୁରାମ ସେବାକରି

ଆଜ୍ଞା ଖଟାଇଣ ଦିନ ହରୁଥିବ କଷଣ ପାଇବ ଭାରି

ଦେବସଭାଠାରେ ଯଜ୍ଞ ଆରମ୍ଭିବ ବରଣ କରିବ ମୋତେ

ଭକ୍ତ ସଂଖ୍ୟାକରି ଆମ୍ଭଙ୍କୁ କହିବ ଶାଢ଼ୀ ଦେବୁ ତାର ହାତେ

 

ଭୂମିଡ଼ା କ୍ଷତ୍ରିୟ କୁଳରେ ଜନମ ନାଳିଆ ମୁହଂରେ ଘର

ଶଙ୍ଖ ମୁହଂଠାରେ ନାମ ଯଜ୍ଞକରି ବୋଲାଇବ ସରଦାର

ଅରଖ ପୁରରେ ସୁଦାମ ଭକତ ମୁଣ୍ଡାଳ ଗ୍ରାମେ ମାଗୁଣି

ଛତିଆ ଠାବରେ ଆମ୍ଭଙ୍କୁ ଚିହ୍ନିବେ ହେତୁ ତତ୍ତ୍ୱ ମାନ ଶୁଣି

 

ଚନ୍ଦ୍ରାଦେଇ ପୁରେ ସତର ଭକତ ଚମ୍ପାପୁରେ ତିନି ଜଣ

କୋଳିଅଠାଠାରେ ଜଣେ ଭକ୍ତ ଥିବେ ନାମ ଅଟେ ନାରାୟଣ

ବାଇଆ ବାତୁଳା ହୋଇଣ ବୁଲିବେ ଚିହ୍ନି ନପାରିବେ କେହି

ଏ ଜନମେ ତାଙ୍କ କରମ ସରିବ ଉଦେହେବେ ନୂଆ ସେହି

 

ବିରୂପା କୂଳରେ ଯଶୋବନ୍ତ ନାମ ଫକୀର ତା ସହ ହେବ

ଆଶ୍ରମ ଧର୍ମରେ କାଳ କଟାଇବ ମୋଠାରେ ବିଶ୍ୱାସ ଥିବ

ନରସିଂହ ପରେ ନାରାୟଣ ପଣ୍ଡା ଉଦାସୀ ଭକତ ସେହି

ବଳଦେବ ନୃପ ଯେତେବେଳେ ହେବେ ଦେଖିବୁ ବିରଜା ଭୂଇଂ

 

ଭାଟପଣେ ଦିନ ହରୁଥିବେ ସେହି ମୁଗଲଙ୍କ ପଦ ଗାଇ

ପୂର୍ବ ହେତୁ ଅଛି ବାସନା ବାସିବ ନିତ୍ୟ ଭକ୍ତ ସଙ୍ଗୀ ସେହି

ଗୃହ ମଧ୍ୟେ ତାର ଶିବ ଲିଙ୍ଗ ଅଛି ବାରଣକୁ ପ୍ରକାଶିବ

ତାର ସୁତଠାରୁ ବଂଶ ବୁଡ଼ିଯିବ ଗହଣ ଖୁଣ୍ଟିଆ ହେବ

 

କିଛି ଅଲୋକିତ ପ୍ରକାଶ କରିବ ନ ଚିହ୍ନି ପାରିବେ କେହି

ଫୁଲ ଚନ୍ଦନରେ ଭକ୍ତଙ୍କୁ ପୂଜିବ ସେବାରେ ଭକତ ରହି

ସେହି ଗ୍ରାମେ ତାର ଜନମ ହୋଇବ ସୁଧାକର ସୁତ ହେବ

ବୁଧ ବଂଶ ଜାତ ନାମ ହେବ ଖ୍ୟାତ ଗୁପତ ଲୀଳା ଦେଖିବ

 

ଶୂନ୍ୟ ସଂହିତାରେ କେତେକ କହିଛୁ ତତ୍ତ୍ୱ ବୋଧିନୀକୁ ଦେଖ

ସପ୍ତମ ଖଣ୍ଡରେ ସର୍ବ ଲେଖାଅଛି ପାଇ ମନ ହେବ ସୁଖ

କଣ୍ଟିଲୋ ଗ୍ରାମରେ ପଦନ ବାବାଜି ଗୁପତରେ ଦିନ ନେବ

ବେଲାର ପୁରରେ ନାପିତ କୁଳରେ ନିତ୍ୟାନନ୍ଦ ଜାତ ହେବ

 

ଉଦୟ ଗିରିରେ ଲୀଳା ସେ ଦେଖିବ ତତ୍ତ୍ୱ ନ ପାରିବ କହି

ଆଦିମାତାଙ୍କର ଯେଣୁ ଶିଷ୍ୟ ପୁତ୍ର ଉବୁରି ଯିବଟି ସେହି

କସର୍ଦା ଗ୍ରାମରେ ମୋ ଭକ୍ତ ଅଛନ୍ତି ତେରଜଣ ସାଧୁ ମେଳେ

ପାଞ୍ଚଜଣ ଭକ୍ତ ମଧୁର କୁଳରେ ଭେଟିବେ ବିରୂପା କୂଳେ

 

ଆମ୍ଭ ଜ୍ଞାନ ପାଇ ବାହାର ହୋଇବେ ପ୍ରଭୁଙ୍କ ଛାମୁକୁ ଯିବେ

ଚିଟାଉ ଥୋଇଣ ଭକତଙ୍କୁ ଲୋଡ଼ି ଗହଣରେ ପ୍ରବେଶିବେ

ଅଷ୍ଟଗିରି ମଧ୍ୟେ ଭାଗବତ ସ୍ଥଳ ତହିଂ କିଛି ଲୀଳା ହେବ

ସୁଫଳା ଗ୍ରାମରେ ଜଗନ୍ନାଥ ଦାସ ତତ୍ତ୍ୱ ପ୍ରଚ୍ଛିନ୍ନ କରିବ

 

ପ୍ରତି ପ୍ରତି କରି ପଦ୍ମ କଳ୍ପ ମଧ୍ୟେ ଭକ୍ତ ନାମ କହିଅଛି

ସାରସତ୍ତ୍ୱ ବାଛି ଗ୍ରନ୍ଥେକ କହିଲି ଯୁଗ ଯୁଗାନ୍ତରୁ କିଛି

କାଲି ପ୍ରଭାତରୁ ଆଉ ଯା ରହିଲା କହିବା ତାହା ବୁଝାଇ

ଅଚ୍ୟୁତ ବଚନ ହୃଦେ ଘୋଷାଥିଲେ କଛି ମଳି ନ ଲାଗଇ

 

ଇତିଶ୍ରୀ ଶିବକଳ୍ପେ ନବଖଣ୍ଡ ନିର୍ଘଣ୍ଟେ

ଅଚ୍ୟୁତ ରାମ ସମ୍ବାଦେ ନାମ ନବମ ନିର୍ଘଣ୍ଟଃ

 

ଦଶମ ନିର୍ଘଣ୍ଟ

 

ପ୍ରଭାତରୁ ଉଠି ରାମଚନ୍ଦ୍ର ଦାସ ବଟ ତଳେ ଉଭା ହେଲେ

ନିତ୍ୟକର୍ମ ସାରି ଚିତ୍ରୋତ୍ପଳା କୂଳେ ଶ୍ରୀଗୁରୁ ଦର୍ଶନ କଲେ

କାକୁସ୍ଥ ହୋଇଣ ବଚନ ଭାଷଇ ଗଡ଼ଘାଲି ପଦେ ଶୋଇ

ତବ ଆଜ୍ଞା ଗୋଟି ପ୍ରକାଶ ହୋଇବ ଚରଣେ ପଡ଼ି ଅଛଇ

 

ଶୁଣିଣ ଅଚ୍ୟୁତ ଆନନ୍ଦ ମନରେ ଶିରେ କର ଲଗାଇଲେ

ଉଠ ରାମଚନ୍ଦ୍ର ଅଧୀର କିମ୍ପାଇ କହିବି ଦ୍ଵାଦଶ ମୂଳେ

ପଶ୍ଚିମ ବଟରେ ଆସନ କରଯା ଆମ୍ଭେ ଆସୁ ନଦୀ ତୀରୁ

କବୀର ପଠାଣ ଗରବ ଗଞ୍ଜିବା କହିବାଟି କଳ୍ପାନ୍ତରୁ

 

ଶୁଣି ରାମଚନ୍ଦ୍ର ବହନ ଚଳିଲେ ମିଳିଲେ ବଟ ତଳରେ

ବ୍ୟାଘ୍ର ଛାଲପାତି ତୁଳିପରେ ଯାଇଂ ଚନ୍ଦନର ଛେରା ପାରେ

ଗନ୍ଧ ଚନ୍ଦନ ଯେ ଅକ୍ଷତର ମାଳ ଧୂପ ଦୀପ ନଇବେଦ୍ୟ

ଆଦ୍ୟେ ସଞ୍ଚାଥୋଇ ଆସ୍ଥାନ ଜଗିଲେ ବାଇଲେ ସୁରସ ବାଦ୍ୟ

 

ପ୍ରଭାତୀ ଗାଇଲେ ଦ୍ଵାଦଶ ବାଳକେ ଶିଙ୍ଗା ଶଙ୍ଖା ବଜାଇଲେ

ପୂଜା ବିଧି ସାରି ଅନନ୍ତ ବଟରେ ଅଚ୍ୟୁତ ଶରଣ ନେଲେ

ପ୍ରବେଶିଲେ ଗୁରୁ ମହିଂମା ସାଗର ଆଶ୍ୱାସ ବଚନ ଭାଷି

ତୁମ୍ଭ ସୁକର୍ମରୁ ମୋ ଦେହ ରହିବ କୁଣ୍ଡଳୀରେ ଯାଅ ବସି

 

ଖେଦା ଲେଖନକୁ ଭରତ ଯେ ନେଲେ ଦ୍ୱିତୀୟ ପାଳିଆ ରାମ

ଯମ ନିୟମରେ ପୁରାଣ ଭାଷିଲେ ହେତୁକର ବାର ଜଣ

କାହିଂ ନ କହିବ ଗୁପତ ରଖିବ ଭକ୍ତ ସାରସ୍ଵତ ଏହି

ତିନି ତେର ମଧ୍ୟେ ଭକତଙ୍କ ମେଳ ମନେରଖ ବାର ପୋଇ

 

ଯୋଗାଧି ଅନ୍ତରୁ ଯୁଗାନ୍ତରୁ ଆଦ୍ୟ ପ୍ରଳୟ ହେତୁ ବିଚାର

ସାବଧାନେ ଶୁଣ ତୁମ୍ଭଙ୍କୁ କହିବା ସତ୍ୟ ମୁନୀନ୍ଦ୍ର କୁମର

ନାନା ଅବତାର ଶ୍ରୀହରି ହୁଅନ୍ତି ସନ୍ଥଜନ ପାଳିବାକୁ

ନାଭି କମଳରୁ ଉଦୟ ହୁଅନ୍ତି ସନ୍ଥଜନ ପାଳିବାକୁ

 

କଳଙ୍କୀ ମହାମନ୍ତ୍ର ମହାଯନ୍ତ୍ର ତତ୍ତ୍ୱ ନିଶ୍ଚେ ପ୍ରଭୁ ଶିଖାଇବେ

ସତ୍ୟଧର୍ମ ପାଳି ଦୁଷ୍ଟଜନ ମାରି ପ୍ରଭୁ ଶ୍ରୀସ୍ଥାନକୁ ଯିବେ

ମଧୁ କୋଶ ଦ୍ୱୀପ ମହିଂମା ଅଶେଷ ଗୁପତ ଦ୍ଵାରିକା ପୁର

ଦାରୁବ୍ରହ୍ମ ରୂପ କୋଟି କଳ୍ପ ଦେଖ ଏଥିମଧ୍ୟୁଂ ଅବତାର

 

ଜାଣି ନ ପାରିବେ ମାୟାରେ ଭ୍ରମିବେ ବିଷ୍ଣୁ କୂଟଚକ୍ର ଏହା

ସେ ତାଙ୍କୁ ଜଣାଇ ଅନ୍ୟ ପ୍ରମାଣଇ ଜଟାଜଟିରେ ସୁରେହା

ମହୀରେ ଚାଲିଲେ ଚିହ୍ନ ନ ପଡ଼ିବ ଏମନ୍ତ ପୁରୁଷ ଯହିଂ

ନିଶ୍ଚେ ବ୍ରହ୍ମମୁନି ଅବତାର ସେହି ଅଟନ୍ତି ନନ୍ଦ ତନୟୀ

 

ଦେହ ଜୀବନକୁ ପାଦେ ସମର୍ପିଲେ ନ ଜାଣିଲେ ଗୋପାଙ୍ଗନା

ଶ୍ରୀଗୁରୁ ପୟରେ ଚିତ୍ତ ନିବେଶିଲେ ଜାଣିବୁ ତାଙ୍କର ସୀମା

ଯୋଗ ଶବଦରେ ପ୍ରକାଶ ହୁଅନ୍ତି ଅନନ୍ତ ଗୁପତ ହୋଇ

ଅନ୍ତ ନାହିଂ ଯହିଂ କେ ପାରିବ କହି ସ୍ଵରୂପ ଶବଦ ଭୂଇଂ

 

ତୁମ୍ଭରି ନିମନ୍ତେ ପ୍ରକାଶ ହୋଇଛି ଶୁଣ ଯୋଗେନ୍ଦ୍ର କୁମର

ନ କହିବ କାହିଂ ଗୁପ୍ତେ ଥିବ ଥୋଇ ନାମ ଯେସନ ମନ୍ଦର

ନିବେଦି ଭଜନ ନାହିଂ ଦେହ ଜ୍ଞାନ ମହୀ ଭ୍ରମି କେତେକାଳ

ଏକତ୍ରିଂଶ ବିଂଶ ପ୍ରକାଶ ହୋଇବ ଅମର ଭୂଇଂରେ ଖେଳ

 

ଅଭୟ ପଞ୍ଜର ମହିମା ମନ୍ଦର କଳନା କେ କରିପାରି

କୋଟି କଳ୍ପେ ବ୍ରହ୍ମା ଚିହ୍ନି ନ ପାରିଲେ ଆସିବେ ସେ ମର୍ତ୍ତ୍ୟପୁରୀ

ଅଖିଳ ବ୍ରହ୍ମାଣ୍ଡ ତାରଣ କାରକ ଦେବ ଦ୍ୱିଜ ଘରେ ଜାତ

ବିରଜା ମଣ୍ଡଳେ ଅବତରୀ ଥିବେ ବିଷ୍ଣୁ ଅଂଶେ ହେବେ ଜାତ

 

କାମ ରମା ପରା ବୀଜ ବସାଇଣ ଧ୍ୟାନ ସୂତ୍ର ଶିଖାଇବେ

ଚିହ୍ନା ନ ପଡ଼ିବେ ଚିହ୍ନି ନ ପାରିବେ ବ୍ରଜସୁତ ବାଛିନେବେ

ପରା ଅପରାରେ ବିଚାର ନ ଥିବ ନିର୍ବିକଳ୍ପ ନିରଞ୍ଜନ

ନିର୍ମାଲ୍ୟ ଭୁଞ୍ଜାଇ ଲୀଳା କରୁଥିବେ ଭକ୍ତ ଘରେ ଭଗବାନ

 

ଯହିଂ ଅଷ୍ଟନିଧି ତହିଂପରେ ଧ୍ୟାନ ପଶ୍ଚିମେ ପଦ୍ମ ପୋଖରୀ

ଶୂନ୍ୟରୁ ଶବଦ ହେବ ନିରିଘୋଷ ବିଜେ କରିବେ ଶ୍ରୀହରି

ଏକତ୍ରିୟ ତ୍ରିଂଶ ବାର ବାର ଘୋଷ ସର୍ବେ ବୋଲ ହରି ହରି

ଥୟ ନ ରହିବ ପୃଥ୍ୱୀ ନାଶଯିବ ଲୀଳା ହେବ ଭାରି ଭାରି

 

କଳିଯୁଗେ ପ୍ରାଣୀ ଅନେକ ପ୍ରକାରେ ଭକ୍ତିପଥ ଆବୋରିବେ

ମୁନି ଅଙ୍ଗ ମୁନି ଖେଳ କରୁଥିବେ କେ କାହାକୁ ନ ଚିହ୍ନିବେ

ସର୍ବେ ମତ୍ତଭୋଳେ କାଳ କଟାଇବେ ହୋଇବ ଭକତି ହାନି

ଧର୍ମ ବୋଲି ଯେଉଂ ଯୋଡ଼ିଏ ଅକ୍ଷର ନ ଜାଣି ହୋଇବେ ଜ୍ଞାନୀ

 

ମୁନି ହେବେ ନଷ୍ଟ ପାଇ ବହୁ କଷ୍ଟ ଏ ଯୋଗ ଦିଶିବ ଯେବେ

ଧର୍ମ ବର୍ଣ୍ଣ ହେବ ପୃଥ୍ୱୀ ନାଶଯିବ ପ୍ରିୟ ଗୁଣାବିଂଶ ଯେବେ

ଅଦ୍ଭୁତେ ସାଗର ହେବ ବଳିୟାର ଛୁଇଂବ ପର୍ବତ ଶିଖ

ଭକତଙ୍କ ଲୀଳା ହେବ ଅନର୍ଗଳ ଋତୁ ପକ୍ଷେ ମନେ ରଖ

 

ଯୋଗ ତତ୍ତ୍ୱବାଣୀ ଦେବେ ବେଦେ ଭଣି ଦଶ ସହସ୍ର ବରଷ

ଅଗମନା ଭୂଇଂ ଗମିତ ନୁହଇଂ କଳିଯୁଗର ଭବିଷ

ଅନୁମାନ ବିନା କିଛି ନ ଜାଣିବ ଯୋଗ ସାଧି ନପାରିବ

ହୀନ ହେବ ବାଣୀ ବିଦ୍ୟା ନ ଆସିବ କି ତତ୍ତ୍ୱ ଠିକଣା ହେବ

 

ସର୍ବତ୍ୟାଗ କରି ଶ୍ରୀଚରଣ ଧର ଆଉ ଯେ ଅଧିକ କଥା

ପୂର୍ବର ବାସନା ଯେପରି ବା ଥିଲେ ଜିଣନ୍ତେ ସେ ସାମରଥା

ଦଶ ସହସ୍ରରେ କଳି ନାଶ ହେବ ଏ ଅଟେ ବିଷମ ବାଣୀ

ଯୋଗୀ ଯୋଗମାର୍ଗେ କି ତତ୍ତ୍ୱ ଲେଖିବେ ଅନ୍ୟ ନପାରିବେ ଜାଣି

 

ସବୁ ଜାଣୁ ବୋଲି ବଡ଼ିମା ପଣରେ ଚିତାକାଟି ବୁଲୁଥିବେ

ନିଜ ମୁଚୁଳାକୁ ପର ମୁଣ୍ଡ ତଳେ ଚେତାଇଲେ ରାଗିଯିବେ

ସବୁଠାରୁ ମାଡ଼ ଖାଇଲେ ତ ରାମ କାହିଂ ନ ହାତ ଉଞ୍ଚାଅ

ଏଯେ କଳି କାଳ ଚହଟି ଉଠିବ ମହୀ ହେବ ଭକ୍ତମୟ

 

ତ୍ରିବୀଜକୁ ଥୋଇ ସପ୍ତଫଣୀ ଦେହେ ମହୀ ହେବ ଉତପାତ

ରାହୁର ଦକ୍ଷିଣେ ବାରିଅଙ୍କ ଥିଲେ ନଦିଶିବ କାହିଂ ପଥ

ତ୍ରିୟେ ତ୍ରିୟେ ବୀଜ ଯେବେ ପ୍ରକାଶିବ ନୃପତି ହୋଇବେ ହତ

ଦେଶ ବିଦେଶରେ ଦଳ ଗଢ଼ୁଥିବେ ନାଶଯିବ ନଟ କୂଟ

 

ତ୍ରିଭି ତ୍ରିଭି ଶୂନ୍ୟ ଥାଆ ତୁ ଭେଦିଣ ମହାଗୋଳ ଜାତ ସାର

ରେହ ଅରେହକୁ ମିଶାଇ ଭଜିବୁ ମହୀ ହେବ ହତଶିର

ଖଡ଼ିକାର ଖଡ଼ି ବଣା ହୋଇଯିବ ତିଥି ଇଗ୍ନ ନ ରହିବ

ମ୍ଳେଚ୍ଛ ନିବାରଣେ ପ୍ରଭୁ ଦାଶରଥି ସେକାଳେ ଉଦୟ ଧ୍ରୁବ

 

ଅଠାଇଶ ଠାରୁ ଅଣତ୍ରିଂଶ ଯାଏ ଦେବଧ୍ୱଜା ପଡ଼ିଯିବ

ପୂର୍ବ ଉତ୍ତରରେ ହିଙ୍ଗୁଳା ମାତିବେ ଦକ୍ଷିଣରେ ଖେଳହେବ

ସେ ଯେ ଅନାହତ ଶବଦ ହୋଇବ ଅଣଚାଶ ପ୍ରକାଶିବ

କୃଷିକାର କୃଷି କୀଟ ନାଶଯିବେ ବୃକ୍ଷେ ମୃଗତୃଷ୍ଣା ହେବ

 

ଗ୍ରାମ ନାଶହୋଇ ଜଳଯେ ଉଠିବ ହସ୍ତୀ ଶୁଣ୍ଢ ପଡ଼ୁଥିବ

ଅବାରଣ ଭୂଇଂ ବାରଣ ନଥାଇଂ ପରାତ୍ପରେ ପୂରିଯିବ

ମହାଖେଳ ହେବ ଅପାରୁ ଅପାର ଆଦିତ୍ୟ ଯେ ନ ଚଳିବେ

ଦକ୍ଷିଣ ଦିଗରୁ ହିଙ୍ଗୁଳା ବହିଣ କଳ୍ପ ବୃକ୍ଷ ଜାଳିଦେବେ

 

ସପ୍ତ ଗୁମ୍ଫା ମଧ୍ୟେ ଭକତ ପଶିବେ କାନ୍ଦୁ ଦିନ ନ ସରିବ

ଅତ୍ରାହି ଭଞ୍ଜନ ତୋତେ ତୁହି ରଖ ସମର୍ପଣ ଜ୍ଞାନ ହେବ

ଏକବିଂଶ ଦିନ ଅନାହାରେ ରହି ଡାକିବେ ଚକାଡୋଳାଙ୍କୁ

କଷଣ ନାଶନ ତେବେ ଉଦେହେବେ ଉଦ୍ଧରିବେ ପତିତଙ୍କୁ

 

ଧନିଆ ଗିରିରେ ଧନ ରହିଅଛି ସେହି ସେ ଦୁର୍ଦ୍ଦିନ ପାଇଂ

ମାନଧାତା ଧର୍ମରାଜ ରଖିଗଲେ କଳିଯୁଗ ଲୀଳା ଧ୍ୟାଇ

ଶାସ୍ତ୍ର ପୁରାଣର ମୂଳ ନ ମିଳିବ ନାନା ମତ ପ୍ରକାଶିବ

ଦ୍ରୌପଦୀ ଆରତ କୃଷ୍ଣଙ୍କୁ ବିଚିତ୍ର ସେପରି ଏକଥା ହେବ

 

ଦେବଦେବ ଠାର କେହି ନ ଜାଣିବେ ଉପହାସ କରୁଥିବେ

ଜଟାଜୁଟ କାଟି ଝୁଲା ଛଡ଼ାଇବେ ଭକ୍ତ ଜ୍ଞାନୀ କହୁଥିବେ

ଭିକ୍ଷା ମାଗି ମାଗି ସଂସାର ଭ୍ରମିଲେ ଚୋରି କରୁଛନ୍ତି ପର

ଏମନ୍ତ ଉଚ୍ଚାରି ଟୋକାଏ ମାତିବେ ଭକ୍ତ ପିଠି ହେବ ସାର

 

ଜାତିସ୍ମର ଭକତଙ୍କୁ ସବୁ ଜଣା ବଣା ତ ନୋହିବେ କିଛି

ବିଦ୍ୟା ବିଶାରଦ ସର୍ବ ଶାସ୍ତ୍ର ଭେଦ ଜାଣି ନକହିବେ କିଛି

ଉଦେ ଅସ୍ତ ଘେନି ଆଠ ଆଠ ଭୃଙ୍ଗ ଶେଷ ମଠ ଏହିଠାରେ

ଜ୍ଞାନ ଢାଳି ଭକ୍ତ ଷୋଳ ଗୋଟିଛନ୍ତି ବୁଝି ଅକ୍ଷର ବ୍ରହ୍ମରେ

 

କୃଷ୍ଣ କଳା ଘେନି ସର୍ବେ ଜନମିବେ ଗୌର ବର୍ଣ୍ଣ ତାଙ୍କ ଦେହ

ପଞ୍ଚରେଖା ତାଙ୍କ କପୋଳେ ବିରାଜେ ଗଭୀର ଅଟେ ହୃଦୟ

ପୃଥୁଳ ଶରୀର ନିରୀକ୍ଷଣ ଦେହି ନାଭି ଗଭୀର ସବୁରି

ଜ୍ୟୋତିରେ ଶରଧା ସେ ଶାସ୍ତ୍ର ନବଧା ଦେହକୁ ଥିବେ ପାଶୋରି

 

ତ୍ରେତୟା ଯୁଗରେ ଜନକ ସନକ ବେନି ଭ୍ରାତା ଜନ୍ମ ହେଲେ

ଜଣେ ରାଜା ଋଷି ଜଣେକ ସନ୍ୟାସୀ ଶିକାରରେ ଦିନ ନେଲେ

ଦ୍ଵାପର ଯୁଗରେ ଭୀଷ୍ମ ଭୁରିଶ୍ରବା ନାମ ତାଙ୍କ ଟେକ ହେଲା

ଏ ଯେ ଭୁରିଶ୍ରବା ଜନକ ମହର୍ଷି ହାନିଲାଭ ନ ଜାଣିଲା

 

ପାଗ ବାନ୍ଧୁ ବାନ୍ଧୁ ଯୁଦ୍ଧ ଶେଷହେଲା କୁରୁସାଇଂ କୋପକଲା

ବିଷ୍ଣୁ ଭକତର ଅପାର ମହିମା ତାହାକୁ ଜଣା ନ ଗଲା

ସୁରେଖା ସଖୀ ସେ ପୂର୍ବେ ହୋଇଥିଲେ ଅଷ୍ଟପାଟବଂଶୀ ସଙ୍ଗେ

କୃଷ୍ଣେ ପ୍ରାଣ ବିକି ଯଶ ରୁହାଇଲେ ଲୀଳା କରି ନାନାରଙ୍ଗେ

 

କଳିଯୁଗେ ସେହି ହାଡ଼ିପା ଅଟନ୍ତି ଗୋବିନ୍ଦଚନ୍ଦ୍ରଙ୍କ ଗୁରୁ

ଶ୍ରୀବନ୍ତ ନଗରେ ଆଶ୍ରମ ବାନ୍ଧିବେ ମହିମା କେ କହିପାରୁ

ବ୍ୟାସ ସରୋବର ଉତ୍ତର ପଶ୍ଚିମେ ହାଡ଼ିପା ମଠ ଯେ କହି

ହର ଉଦ୍ୟାନରୁ ଗ୍ରନ୍ଥେକ ପାଇବ ଦାଣ୍ଡେ ବୁଲୁଥିବ ଗାଇ      

 

ବହୁରଙ୍ଗୀ ନାମ ତାଙ୍କର ହୋଇବ ଅଘୋରୀରେ ଦିନ ଯିବ

ଲୀଳା ଉଦେ କାଳେ ଲେଣ୍ଡୁରା ଗ୍ରାମରେ ନିଶ୍ଚୟେ ଉଦୟ ହେବ

ମ-ଅକ୍ଷରରେ ତାର ନାମ ହେବ ପିତା ନାମ ବଂଶୀଧର

ମାତା ନାମ ସୀତା ଅଟଇ ଯେ ଚେତା ମୋ ବଟରେ ମନ ସ୍ଥିର

 

ମହିମା ପ୍ରକାଶ ଅନେକ କରିବ ରାମାନନ୍ଦୀ ଧର୍ମ ନେବ

ତ୍ରିଶୂଳ ଘେନିଣ ମହୀରେ ବୁଲିବ ଭକତଙ୍କୁ ଲୋଡ଼ୁଥିବ

ମେଳା ମହୋତ୍ସବ ଅନେକ ହୋଇବ ଶାଳଶୀଳ ବଟେ ରହି

ଶେଷକୁ କରଣୀ ଆଉ ନ କାଟିବ ଦେଶରୁ ଯିବ ପଳାଇ

 

ପାଦୁକା ମନ୍ତ୍ରକୁ ସେହି ସାଧୁଥିବ ନାନାରୂପ ହୋଇପାରେ

ମକ୍‌କା ମଦିନାରେ ଶିବଙ୍କୁ ପୂଜିବ କ୍ଷୀର ଢାଳିବ ତା ଶିରେ

ତାର ହସ୍ତେ ଶିବ ପତିତ ହୋଇବେ ଦେଉଳଟି ଭାଙ୍ଗିଯିବ

ପିନାକୀ ଧରିଣ ବାହାର ହୋଇବେ ଦମନ ବେଶରେ ଧ୍ରୁବ

 

ଯବନ ବଂଶକୁ ବିନାଶ କରିବେ ଲୁହା ମଇ ବୁଲାଇବେ

ଦିଲ୍ଲୀ ଦରବାରୁ ଲକ୍ଷେ ଭକତଙ୍କୁ ନିଶ୍ଚେ ମୁକୁଳାଇ ନେବେ

ଏକଗୋଟି ମୁଖ ଦକ୍ଷିଣ ଭାଗରେ ଟିକିରା ଗୋହିରୀ ଯହିଂ

ଛୟାନବେ ସସ୍ର ଦମନ ହାଣିବେ ରକ୍ତନଦୀ ଯିବ ବହି

 

ସେଦିନ ବିରଜା ଆସ୍ଥାନ ଛାଡ଼ିବେ ଭୀମ ସିଂହନାଦ ହେବ

ଗର୍ଭସ୍ଥିତ ଶିଶୁ ଭୂମିରେ ପଡ଼ିବେ ଭୁବନେଶ୍ୱରକୁ ଯିବ

ତହିଂ ତିନିରଡ଼ି ନିଠାଇ ମାରିବେ ଶାରଳା ଛାଡ଼ିବେ ଗାଦି

ସିଂହ ଦୁଆରରେ ଅନ୍ନ ଲୁଟପାଟ ଲାଗିଥିବ ଭକ୍ତ ଆଦି

 

ଗୁପତ ଗଙ୍ଗାରୁ ଭକ୍ତ ବାହାରିବେ ସିଦ୍ଧ ଖଣ୍ଡଗିରି ଯହିଂ

ସିଦ୍ଧ ସାଧୁଗଣ ଏକତ୍ୱେ ଚାଲିବେ ଜୟ ଦାରୁବ୍ରହ୍ମ କହି

ବିରାଟ ନଗରେ ପ୍ରବେଶ ହୋଇବେ ବଳରାମ ସଙ୍ଗେ ଯିବେ

ସକଳ ଘଟଣା ଶୂନ୍ୟେ ଭାଙ୍ଗିଯିବ ଗୁପ୍ତେ କେହି ନ ଜାଣିବେ

 

ଶ୍ଵାନ ଶୃଗାଳଙ୍କ ଲୀଳା ଲାଗିଥିବ ସ୍ଥାନ ଛାଡ଼ି ଯିବେ କାଳୀ

ଗୋପ ବୃନ୍ଦାବନେ ଆଦ୍ୟଲୀଳା ଠାବ ହୋଇବ ଭକ୍ତ ଗହଳି

ଚଣ୍ଡୀ ଚାମଣ୍ଡା ୟେ ସଙ୍ଗେ ଗୋଡ଼ାଇବେ ଗହଗହ ନାଦ ହେବ

ମୋହ ପ୍ରିୟଭୂମି ମହୁରା ଗ୍ରାମରେ ତ୍ରିବିଂଶରେ ଉଦେହେବ

 

ଆରତ ନାଶନ ଆରତ ନାଶିବେ ଫେଡ଼ିବେ ଭକ୍ତ କଷଣ

ଏକଥା ନିଶ୍ଚୟ ଦିନେକ ହୋଇବ ଅପ୍ରତେ ନ ଯାଅ ରାମ

ନେମାଳ ବଟରେ ଲୀଳା ଚହଟିବ ଦେବଧ୍ୱଜା ଉଡ଼ୁଥିବ

ମକର ମାସରେ କାକର ଜଳରେ ନଦୀମାନ ବଢ଼ିଯିବ

 

ଇନ୍ଦ୍ରପୁର ମଧ୍ୟେ ଲୀଳା ଚହଟିବ ଶିଶୁ ଅନନ୍ତରେ ପାଳି

ଚଗଲା ବଳିଆ ମନକୁ ନ ଯିବ ହସି ମାରୁଥିବେ ତାଳି

ସବୁଦିନେ ସେହି ବାଳୁତ ପରାଏ ହଟାପଟା ନୀତି ଜାଣେ

ଭକ୍ତ ଶିରୋମଣି ବଳିଆ ଦାସ ଯେ ମୋଠାରୁ ସହସ୍ର ଗୁଣେ

 

ହରି ହରି ଘୋଷ ପାପତାପ ନାଶ ଶରଣ ସରୋଜ ପଦେ

ଏଥୁ ବଳି ଭାବ ଆଉ ନ ମିଳିବ ନ ମିଳନ୍ତି ହରି ବେଦେ

କଳିକାଳ ରୀତି ବଡ଼ ବିପରୀତ ଜ୍ଞାନୀ ହେବେ ବାଟବଣା

ହରିନାମ ଯେଉଂ ଅମୀୟ ରସସେ ବେଳହୁଂ କର ଠିକଣା

 

ନାମବ୍ରହ୍ମ ଅଟେ ଅତି ବଳୀୟାନ ତା ସାନ୍ନିଧ୍ୟ ଲାଭକର

ସଦଗୁରୁ ପାଦେ ଆଶ୍ରୟଟି ନେଲେ କହିବେ ଭେଦ ବିଚାର

ବେଳହୁଂ ଆଶ୍ରୟ କରିଥିବୁ ରାମ ଏଥି ମଧ୍ୟେ ସବୁ ତତ୍ତ୍ୱ

ଶିବକଳ୍ପ ତତ୍ତ୍ୱ ନିର୍ଘଣ୍ଟ ପୁରାଣ ଭଣଇ ଦୀନ ଅଚ୍ୟୁତ

 

ଇତିଶ୍ରୀ ଶିବକଳ୍ପେ ନବଖଣ୍ଡ ନିର୍ଘଣ୍ଟେ

ଅଚ୍ୟୁତ ରାମ ସମ୍ବାଦେ ନାମ ଦଶମ ନିର୍ଘଣ୍ଟଃ

 

ଏକାଦଶ ନିର୍ଘଣ୍ଟ

 

ଶୁଣ ରାମଚନ୍ଦ୍ର ଗୁପତ ବିଚାର କଳି ଆଗମ ପ୍ରମାଣ

ପୂର୍ବରୁ ଘଟଣା ଯାହା ହୋଇଅଛି କେ କରି ପାରିବ ଆନ

ମୁଂ କହୁଛି ବୋଲି ମୋର କଥା ନୁହେଂ ଆଦ୍ୟୁ ଖଞ୍ଜିଛନ୍ତି ଧାତା

କର୍ମ ବାମ ହେଲେ କଳ୍ପନା ଗ୍ରାସିବ ପ୍ରକୃତି କାଟିବେ ଚିତା

 

ଆଶ୍ୱାସନା ବାଣୀ ସର୍ବଠାରେ ଭଣି ସମଭାବେ ଚିତ୍ତ ରଖ

ଗୁରୁ ଅପରାଧୀ ଏ ଯୁଗେ ହୋଇଲେ ଶେଷରେ ହେବ ବିମୁଖ

ପ୍ରତି ଉଦୟରେ ବ୍ରହ୍ମବଧ କରେ ଯେଉଂ ପ୍ରାଣୀ ଏ ସଂସାରେ

ତାହାର ଆୟୁଷ ଅଧିକ ହୋଇବ ଲକ୍ଷ୍ମୀ ଥିବେ ତାର ଘରେ

 

ଦାନ ପୁଣ୍ୟ ଯାର ଜାତକରେ ନାହିଂ ସଭାରେ ଟେକିବେ ମୁଣ୍ଡ

ଆଗକୁହା ହୋଇ ଫୁଟିକି ମାରିବେ ଜ୍ଞାନୀଙ୍କି କହିବେ ଭଣ୍ଡ

ଅସତ ଜନ ଯେ ଜ୍ଞାନ ଅଭ୍ୟାସିବେ ସତ୍ୟବନ୍ତେ ଭାଷେ ଥଟ୍ଟା

ନିର୍ଗୁଣ ଲୋକର ଗୁଣ ଦୋଷ ହେବ ଲାଗିଥିବ ହଟ୍ଟହଟା

 

ଭିକ୍ଷାସୀ ଲୋକକୁ ଯାତନା କରିବେ ପରିହାସ କରୁଥିବେ

ରାଜା ହୋଇ ପ୍ରଜା ଗୁହାରି ନ ଶୁଣି ବନ୍ଦୀଘରେ ପୂରାଇବେ

ପୁରୁଣା ଘରୁଆ ଉଜୁଡ଼ି ପଡ଼ିବେ ନୀଚ ହେବେ ଉଚ୍ଚକୁଳ

ସର୍ବ ଜାତି ମିଳି ଭୋଜି ଆରମ୍ଭିବେ ଭାଙ୍ଗିବେ ଦିଅଂ ଦେଉଳ

ବାଟ ଚାଲୁଥିବେ ବ୍ରାହ୍ମଣ ବୈଷ୍ଣବ ଜାଲବାଡ଼ି କରେ ଧରି

 

ଧର୍ମାଧର୍ମ କଥା ତାହାଙ୍କୁ କହିଲେ ଅଶ୍ଳୀଳ ଭାଷିବେ ଭାରି

କୁଳ ବେଉସାକୁ ସକଳେ ତେଜିବେ ଧନ ଅଧିକରେ ମାତି

ବାଣିଜ୍ୟ ବଢ଼ିବ ମୂଳ ବୁଡ଼ିଯିବ ଦୁର୍ଦ୍ଦିନେ ପାହିବ ରାତି

 

ପ୍ରବଳ ହୋଇବେ ଚୋର ପୃଥିବୀକି ଧନୀଙ୍କି କରିବେ ଧ୍ୱଂସ

ବିନାହତିଆରେ ଚୋରି ନ କରିବେ ଥୋକେ ପ୍ରାଣୀ ହେବେନାଶ

ପିତା ପୁତ୍ର ମଧ୍ୟେ ଘୋର କଳିହେବ ସୁତାହରିନେବେ ସୁତ

ବ୍ରାହ୍ମଣ କନ୍ୟାକୁ ଚାଣ୍ଡାଳ ହରିବେ ଜାତି ଗୋତ୍ର ହେବ ଭ୍ରଷ୍ଟ

 

ଅଛୁଆଂ ଜାତିଯେ ନୃପତି ହୋଇବେ ଦେଶ କରିବେ ଶାସନ

ବ୍ରାହ୍ମଣଙ୍କଠାରୁ ମାନ୍ୟ ଧର୍ମ ପାଇ ଅକାଳରେ ଦେବେ ପ୍ରାଣ

ହିଙ୍ଗୁଳା ବୁଲିବ ସପ୍ତବାର ମହୀ ବୁଦ୍ଧିବଳ ନ ଅଣ୍ଟିବ

କୁମାର ନାମରେ ରଘୁନାଥ ଭ୍ରାତ ସେକାଳରେ ଯୁକ୍ତହେବ

 

ମେଷ ମାସ କୃଷ୍ଣ ଦ୍ଵାଦଶୀ ଦିନରୁ ଆରମ୍ଭ ହୋଇବ ଏହା

ରେବତୀ ମୀନ ଯେ ନବଦିନ ବ୍ୟାପି କାହିଂ ନ ମିଳିବ ରାହା

ତ୍ରେତୟାର ମଲ୍ଲ ଥୋକେ ରହିଥିବେ ଜାଣିବେ ଏସବୁ ରୀତି

ଗୁପତ ଗୁମ୍ଫାରେ ଖାଦ୍ୟ ସଞ୍ଚୁଥିବେ କଟାଇବେ ଦିନ ରାତି

 

ପୁରୁଣା ହୋଇଣ ଯେଉଂମାନେ ଥିବେ ଚିହ୍ନିବେ ତାହାଙ୍କୁ ପୁଣ

ସାତ ପାଞ୍ଚବାର ଆଠକୁ ଘେନିଣ କରି ନାମ ସଂକୀର୍ତ୍ତନ

ଯେବେ ଛାୟାସୁତ ରବି କୁମ୍ଭ ଘେନି ମୀନରେ ପ୍ରବେଶ ହେବେ

ମେଦିନୀ କମ୍ପିବ ଭୂମିକମ୍ପ ହେବ ଭଣ୍ଡ ପାପୀ ନାଶଯିବେ

 

ତ୍ରିନୟନ ତ୍ରିୟ ବୀଜରେ ମିଶାଅ ଯନ୍ତ୍ର ବୀଜପରେ ଥୋଇ

ତାରକ ଦଣ୍ଡକ କୁଣ୍ଡଳୀକି ଲେଖ ନାଦ ପରେ ବିନ୍ଦୁ ଦେଇ

ହରେ ରାମ କୃଷ୍ଣ ଦକ୍ଷିଣରେ ଥିବେ ବାମେ ଥିବେ ପଞ୍ଚାନନ

ମିଥୁନ ମାସରେ ଶୂନ୍ୟ ଶବ୍ଦ ହେବ ଜାଣିବେ ଭକତଗଣ

 

ତ୍ରିବୀଜ ଭକତ ଜନମ ହୋଇବ କାଞ୍ଚି ନଗ୍ର ପାଟଣାରେ

ଗୌର ଶ୍ୟାମଳ ଯେ ବର୍ଣ୍ଣ ହୋଇଥିବେ ଖେଳିବେ ଏହି ମହୀରେ

ନୀଳ ଲୋହିତ ଯେ ବର୍ଣ୍ଣ ହୋଇଥିବ ଚୌରାଶି ଯନ୍ତ୍ର ସାଧନା

ଯୋଗ ଯଜ୍ଞମାନ ବହୁତ କରିବେ କହି ନୁହେଂ ଗୁଣ ସୀମା

 

ଉଦୟ ବେଳକୁ ପ୍ରକାଶ ହୋଇବ ତିନି ପାଟଣାରେ ଯହିଂ

ନୀଳ ପଦ୍ମବନେ ଲୀଳା ଲୁଚିଥିବ ଜନ୍ମହେବେ ଭାବଗ୍ରାହୀ

ଯୋଗୀମାନେ ଯୋଗ ଅନ୍ତ ନ ପାଇବେ ଆଉ କେବା ସାମରଥା

ଯାହା ଲାଗି ଖେଳ ତାହା ଲାଗି କାଳ ଏ ବେଳକୁ କାଳ କଥା

 

ଯେ ଜଳୌକା ନାମ ଗନ୍ଧମାରଦନ ଅଷ୍ଟକୁଳା ଅଷ୍ଟନିଧି

ଅଷ୍ଟ ପାଟବଂଶୀ ଯହିଂରେ ବିଶ୍ରାମ ଅଷ୍ଟବସୁ ମେଦାମେଦି

ଭୈରବୀ ମୁଣ୍ଡିଆ ଗୁପତ ହୋଇବ ଦେବୀ ଡାକ ଯେ ଶୁଭିବ

ଯିଏ ଯେଉଂ ସ୍ଥାନେ ସିଏ ସେହି ସ୍ଥାନେ କାଠଖମ୍ବ ପ୍ରାୟ ହେବ

 

ପୂର୍ବ ପଶ୍ଚିମ ଯେ ରଙ୍ଗବର୍ଣ୍ଣ ହେବ ଗିରିମାଳା ଚମକିବ

ଲୁହା ଖଣ୍ଡାମାନ ଭାରତ ବୁଲିବ ବିଦେଶୀ ଶାସନ ହେବ

ଉତ୍କଳ ଦେଶରେ ଯାଜନଗ୍ର ଭୂଇଂ ଅଟଇ ଗୁପତ ଠାବ

ଗୁପତ ଭକତ ଯୁଗ କଳୁଥିବେ ମାର୍କଣ୍ଡେୟ ପ୍ରିୟ ଧ୍ରୁବ

 

ନିଆଳି ଠାବରୁ ଚଣ୍ଡୀଖୋଲ ଯାଏ ଅହି ପ୍ରବଳ ହୋଇବେ

ପଦଗଦ କିଛି ତାଙ୍କୁ ନ କାଟିବ ପ୍ରଭୁ ବୀଜ ହରିନେବେ

ମଣିଭଦ୍ରା ତଟେ ପୀଢ଼ ବାନ୍ଧିଥିବେ ଅନେକେ ଆକଟକରି

କାଳ ବଳ ହେବ ସବୁ ଭାଙ୍ଗି ଯିବ ଦେଖିବେ ଜଳକା ପରି

 

ହରି ହରି ବୋଲି ଶବଦ ଫେରିବ କମ୍ପିଯିବ ଚାରିଦ୍ଵାର

ପଞ୍ଚସଖା ଯହିଂ ଗଡ଼ ବାନ୍ଧିଥିବେ ଚନ୍ଦ୍ର ସୂର୍ଯ୍ୟ ଅଗୋଚର

ମଣି ନୀଳଗିରି ହେବ ଦିବ୍ୟ ସ୍ଥାନ ଗୁପତ ତ୍ରିବୀଜ ଶ୍ରେଣୀ

କଳାଗିରି ପୁଣି ଡାଳିମ୍ବ ପର୍ବତ ଗୁପ୍ତ ଗିରି ପଞ୍ଚ ପୁଣି

 

ଚାରି ଚାରି କୋଶ ସୀମା ରହିଅଛି ପାଦୁକା ଲହଡ଼ି ହେବ

ଗଗନ ମାର୍ଗକୁ ବିବର ଫୁଟିଣ ଧାତୁ ପ୍ରଳୟ ହୋଇବ

ବିବର ଦୁଆର ପାଶରେ ରହିଛି ପର୍ଶୁଧର ସଦାନାମ

କଳ୍ପବୃକ୍ଷ ମୂଳେ ବାସୁକୀ ରହିଛି ମଲ୍ଲଯୋଦ୍ଧା ସଙ୍ଗତେଣ

 

ବିଭୂତି ଭୂଷଣ ତାଳପତ୍ର କରେ ପରାଶର ତପ ପାଶେ

ଧାରେକ ଫିଟିବ ଅମରାବତୀକୁ ଚମ୍ପାପୁର ଗ୍ରାମ ପାଶେ

ଅଗ୍ନିଜଳା ଗଦ ତହିଂ କୂଳେ ଥିବ ବାସ ତାର ଚମ୍ପାପ୍ରାୟ

ନୟନେ ରଞ୍ଜିଲେ ଆଲୋକ ହୋଇବ ଅନ୍ଧାର ହୋଇବ କ୍ଷୟ

 

ମଣିନାଗ ଗୁମ୍ଫା ମହିମା ଅପାର ପାତାଳକୁ ଦ୍ଵାର ଥିବ

ଦୁଇସସ୍ର ମୁନି ସିଦ୍ଧ ସାଧୁଛନ୍ତି କୋଟିଏ ଅଛି ଆଶ୍ରମ

ଉତ୍ତର ପଶ୍ଚିମେ ବାଟ ଫିଟିଅଛି ସପ୍ତଫେଣୀ ଗୁମ୍ପା ଯାଏ

ତାଳ ମୃଦଙ୍ଗ ଯେ ବୀଣା କରତାଳି ତୂରୀ କୋଳାହଳ ହୁଏ

 

ଦ୍ଵାଦଶ କୁମର କାଲି ଦେଖାଇବି ତହିଂତଳେ ମୋ ଆଶ୍ରମ

ନାନା ଜାତି ଫଳ ପୁଷ୍ପ ଲଗାଇବି ଭକତଙ୍କ ନିମନ୍ତେଣ

ତହିଂ ଉପରକୁ ନଳି ଗୁମ୍ଫା ଅଛି ବିବରଟି କ୍ଷୁଦ୍ରକାୟ

ବିରଜା ଗାଦିକୁ ବିବର ଫୁଟିବ ଦେଖିଲେ ଲାଗିବ ଭୟ

 

ରାମ ଆଶ୍ରିତରେ ପଶ୍ଚିମା ଭକତ ତହିଂ ପାଶେ ରହିଥିବ

କିଛି କିଛି ସେହି ମହିମା ଜାଣିବ ଭକତଙ୍କୁ ଦେଖାଇବ

ପୂର୍ବ କଥାମାନ ପଚାରି ବୁଝିବ ଜାଣନ୍ତି ମହିମା କିଛି

ଛୟାନବେ ସସ୍ର ଭକତଙ୍କୁ ଘେନି ଲୀଳାସ୍ଥାନେ ଜଗିଅଛି

 

ଅଷ୍ଟାଙ୍ଗ ଯେ ସରୋବର ଭଦ୍ରାଙ୍ଗିନୀ ଅଟେ ଯେ ଗ୍ରାମର ନାମ

ପଦ୍ମକଳ୍ପ ଧାର ଏ ଗ୍ରାମେ ବହିବ ଜଳ କ୍ଷୀରମୟ ସମ

ଚଢ଼ାଇ ଗୁଆଂରେ ଭକତ ଅଛନ୍ତି ଘରଣିଆ ସେହି ହେବେ

କ୍ଷୀରି ଖେଚଡ଼ିରେ ଅଷ୍ଟକାଳ ନୀତି ଗହଣରେ ଯୋଗାଇବେ

 

କୋଟପଦା ଗ୍ରାମେ ବଇଷ୍ଣବ ଜଣେ ଖଣତକାର ସେ ହେବ

କ୍ଷୀରୋଦଚନ୍ଦ୍ର ଯେ ଗୋବିନ୍ଦପୁରରେ ବୈଶ୍ୟକୁଳେ ଜାତହେବ

ଲୟାଙ୍ଗୀ ଭକତ ରସିକ ପ୍ରବର ଲୀଳାକରେ ତାଙ୍କ ସଙ୍ଗେ

ଗିରିତଳେ ଗୋପ ଗୁପତ ହୋଇଛି ସିଦ୍ଧଗିରି ପୂର୍ବଭାଗେ

 

ଦିନେ ଗୋପଲୀଳା ସେଠାରେ ହୋଇବ ଯତି ହରିଆର ସଙ୍ଗେ

ଶାହାସ୍ତ୍ର ପୁରାଣ ଅଚ୍ୟୁତ ଲେଖିବ ଦିନ କଟାଇବ ରଙ୍ଗେ

ବ୍ରହ୍ମା ବିଷ୍ଣୁ ଶିବ ତିନି ଶିଷ୍ୟ ମୋର କଳି ହେବ ସମକଚ୍ଛି

ଏପରି ସୁଯୋଗ ଆଉ ନ ପାଇବ ଭକ୍ତ ହେବେ ବେଗେ ଆସି

 

ତାର ବେନି ଶିଷ୍ୟ ସ୍ଵୟଂ ବ୍ରହ୍ମ ବୋଲି ଭଣି ହେଉଥିବେ ପଦ

ଠିକଣା ବେଳକୁ ନିତ୍ୟ ପରିଚାର ନିତ୍ୟ ଦଳେ ନାହିଂ ଭେଦ

ଓରିକଣ୍ଟା ଗ୍ରାମେ ସୁଦାମ ଗୋପାଳ ନିତ୍ୟଦଳ ଅଧିକାରୀ

ଶାସ୍ତ୍ର ପୁରାଣରେ ମନରଖିଥିବ ମୋ ସଙ୍ଗେ ବୁଲିବେ ଖେଳି

 

ତ୍ରେତୟା ଯୁଗରେ ସନକ ସନ୍ନ୍ୟାସୀ ଭୀଷ୍ମ ନାମ ଦ୍ଵାପରରେ

ଭାରତ ଯୁଦ୍ଧରେ ବଡ଼ ମଲ୍ଲ ଜଣେ ଶଯ୍ୟା କରିଥିଲା ଶରେ

ଗଙ୍ଗାଙ୍କର ପୁତ୍ର ଅତି ଜ୍ଞାନବନ୍ତ ଧନୁର୍ବିଦ୍ୟା ପଢ଼େ ସେହି

ରତ୍ନରେଖା ସଖୀ ନାମ ହୋଇଥିବ କୃଷ୍ଣ ମନ ନିଏ ମୋହି

 

ଯତୀନ୍ଦ୍ର ହେବାକୁ ମନ ବଳାଇଲା ନୋହିଲା ସେ ତଦକାଳେ

ବାଞ୍ଛା କଳ୍ପତରୁ ବାଞ୍ଛା ପୂର୍ଣ୍ଣ କଲେ ଅଙ୍ଗ ଫାଟି ରେତ ଗଳେ

କଳିଯୁଗେ ନାମ ଖୁଲିଆ କବୀର ବହୁ ନାମ ଖ୍ୟାତ ହେବ

ତଦନ୍ତେ ତା ନାମ ଭାବିଆ ଦାସ ସେ ଭବିଷ୍ୟ ଗୀତା ଲେଖିବ

 

ଦେବୀ ନଦୀ କୂଳେ ଆଶ୍ରମ ବାନ୍ଧିବ କରଣୀ କାଟିବ ଭାରି

ବୃନ୍ଦାବନ ଦାସ ତା ପରେ ହୋଇବ ବାସ ତାର ନୀଳଗିରି

ପୁଣି ନାମ ହେବ ତା କୁଞ୍ଜବିହାରୀ ପାରାଦ୍ୱୀପ ସ୍ଥାନେ ଯିବ

କିଆ ଡିଙ୍ଗିରୀରେ ଆଶ୍ରମ ବାନ୍ଧି ସେ ରାଜପଣ ଧର୍ମେ ଥିବ

 

ସର୍ବ ସମଭାବ ଜ୍ୟୋତି ସାଧନାରେ ମନ ରତ ନିରବଧି

ଆତ୍ମଜ୍ଞାନ ସାଧି ପୁଜ୍ୟମାନ ହେବ ପ୍ରାନ୍ତେ ହେବ ଦୟାନିଧି

ନାଦ ଉଲଟାଇ ବିନ୍ଦୁସାରେ ଦେଇ ବାମ ଦକ୍ଷିଣରୁ ଫେରା

ମୀନ ଶନି ଯୋଗେ ରବିଚନ୍ଦ୍ର ଭାଗେ ଖେଳିବ ମେଦିନୀ ସାରା

 

ଚାରି ବରଷର ବାଳୁତ କୁମର ନିତ୍ୟ ଲୀଳା କରୁଥିବ

ତା ହାତ ବାଜିଲେ ଗଙ୍ଗା ବହିଯିବ କଳାଗିରିଠାରେ ଧ୍ରୁବ

ନୀଳକଣ୍ଠେଶ୍ଵର ପର୍ଶୁରାମ ବଟ ବଡ଼ ଗୁମ୍ଫା ତିନି ସ୍ଥାନ

ବାଲିଆର ଘାଟ ବ୍ରାହ୍ମଣୀର ତଟ ଋଷି ଥିବେ ପରିପୂର୍ଣ୍ଣ

 

ବଡ଼ଡ଼ିହ ଯାଏ ପଞ୍ଚପଡ଼ା ଅଛି ବେନି ବୃକ୍ଷ ବେନି ଭାଗେ

ବାମ ଡାହାଣରେ ବେନି କୁଦ ଅଛି ଲୀଳା ଚହଟିବ ଆଗେ

ଏହି ଲୀଳା ବେଳେ ଭଣ୍ଡ ଭକ୍ତ ନାଶ ବୁଦ୍ଧି ଜ୍ଞାନ ନ ଆସିବ

ଗୁରୁ ଆଜ୍ଞା ବୋଲି କେବଳ କହିବେ ବୁଦ୍ଧିବାଟ ନ ଦିଶିବ

 

ହନୁମାନ ଥିବେ ତାର ଉତ୍ତରରେ ପ୍ରବେଶ ହୋଇବେ ତହିଂ

ନିର୍ବେଦ ଭାବକୁ ହୃଦେ ବହିକରି ଗୁରୁଦୀକ୍ଷା ଦେବେ ଫେଇ

ସର୍ବ ସମଭାବ ବଇଷ୍ଟମ ଦୀକ୍ଷା ବ୍ରାହ୍ମଣ ଜାତି ସହିତେ

ପର୍ଶୁରାମ ଖଡ଼ଗେ ମୁଣ୍ଡ ଛେଦିଦେବେ ତାରିବା ବିଚାର ଚିତ୍ତେ

 

ଲକ୍ଷେ ବୟାଳିଶ ସହସ୍ର ଭକତ ପଟୁଆରୀ ପଡ଼ିଯିବ

ବିରଜା ଖର୍ପର ନିମିଷେ ଫେରିବ ଖଣ୍ଡଗିରି ଯାଏ ଥିବ

ଚୌଷଠି ସିଦ୍ଧଙ୍କୁ ସଙ୍ଗତରେ ଘେନି ବନ୍ଦ ଦ୍ଵାର ଫିଟାଇବେ

ପାଞ୍ଚଦିନ ତହିଂ ନିତ୍ୟଲୀଳା କରି ବାଲି ପାଟଣାକୁ ଯିବେ

 

ଶିଶୁ ଅନନ୍ତଙ୍କ ମଠର ନିକଟେ ତହିଂ କିଛି ଲୀଳା ହେବ

ଗ୍ରନ୍ଥ ପୁରାଣକୁ ହାତ କରିନେବେ ଭକ୍ତଙ୍କ ବୁଦ୍ଧି ସରିବ

ନିରିମାଖୀ ଭାବେ ତିରଣ ସୋଡ଼କା ମାଗିଆଣି କିବା ଦେବେ

ନିଜ ଅନୁଭବ ପ୍ରକାଶି ପାରିଲେ ଉବୁରିବେ ଦେବୀ ଆଗେ

 

କହନ୍ତା ବହନ୍ତା ଶୋରତା ବକତା ଥୟ ନପଡ଼ିବେ କେହି

ମାତ୍ର ଆତ୍ମା ଜ୍ଞାନ ଯେ ଅଭ୍ୟାସିଥିବ ପଣତ ପାଇବ ସେହି

ଦରଶନ ବିଧି ଜ୍ୟୋତି ସମାଧିକି ଯେଉଂ ଭକ୍ତ ସାଧିଥିବ

ନବନାମ ଦେବୀ ପଥର ଉପରେ ଭକ୍ତଙ୍କୁ ଜ୍ଞାନ କହିବ

 

ଅଠାଅଶି ପର ଯାହାର ବିଚାର ଆଠ ଆଠ ଧ୍ୟାୟ କରି

ତିନି ସସ୍ର ମଧ୍ୟେ ଗଣିତା ଅଟନ୍ତି ଭେଟିବେ ନିଶ୍ଚେ ଶ୍ରୀହରି

ତୋହ ରୂପ ତୁହି ଦର୍ଶନ କରିବୁ ଭୟ ନ କରିବୁ ମନେ

ଅନନ୍ତ ଗୋସାଇଂ ଅକାରଣ ଭୂଇଂ ସର୍ବ ସ୍ଥାନ ଗମାଗମେ

 

ବିଚାର ଦେହ ଅଦେହରେ ନଥିବ ସର୍ବେଟି କରୁଣା ଦାସ

ଭବରଙ୍ଗ ଭୂଇଂ ଭଗାରି ନାଶିବ ପ୍ରଭୁଙ୍କୁ ନଦେବୁ ଦୋଷ

ଆର୍ତ୍ତ ବିମୋଚନ ବିଶ୍ରବା ନନ୍ଦନ ମୃତ୍ୟୁ ଭେଦ ସେ ଜାଣନ୍ତି

ତାର କର୍ମ ଦଣ୍ଡ ତାହାକୁ ମାରିବ ନିର୍ଗୁଣ ବ୍ରହ୍ମ ବୋଲନ୍ତି

 

ଆପଣା ହସ୍ତରେ ଜିହ୍ୱାକୁ ଛେଦିଲେ ପ୍ରତିଦ୍ୱନ୍ଦୀ କେହି ନାହିଂ

ସୁକର୍ମ କୁକର୍ମ ବିଚାରି ପାରିଲେ ପାଦପଦ୍ମେ ଲୀନ ହୋଇ

ହରେ ରାମ କୃଷ୍ଣ ଚରଣେ ଆକୃଷ୍ଟ ହୋଇଥିବୁ ଦିବାନିଶି

ପାମର ଅଚ୍ୟୁତ ନିର୍ଘଣ୍ଟ ଭଣିଲେ ନ୍ୟାୟେ ଚିତ୍ତ ରଖ ବାଛି

 

ଇତିଶ୍ରୀ ଶିବକଳ୍ପେ ନବଖଣ୍ଡ ନିର୍ଘଣ୍ଟେ

ଅଚ୍ୟୁତ ରାମ ସମ୍ବାଦେ ନାମ ଏକାଦଶ ନିର୍ଘଣ୍ଟଃ

 

ଅଚ୍ୟୁତାନନ୍ଦ ରଚନାବଳୀ ମାଳିକା ଖଣ୍ଡ

ଦ୍ଵାଦଶ ନିର୍ଘଣ୍ଟ

 

ଜୟ ଜୟ ଗୁରୁବ୍ରହ୍ମା ପରମ କାରଣ

ଜୟ ଅନାଦି ଈଶ୍ଵର ପ୍ରଭୁ ନାରାୟଣ

ନର ଅଙ୍ଗ ବହି ପ୍ରଭୁ କେତେ ଲୀଳାକର

ନିରଞ୍ଜନ ଶକ୍ତି ତବ ଦେବେ ଅଗୋଚର

ଉଦେ ଅସ୍ତ ହୁଅ ନୀତି ରବି ସୋମ ହୋଇ

ପିଣ୍ଡରେ ଜୀବ କାରଣ ବାୟୁ ନାମ ବହି

ଧରଣୀ ଆକାଶ ହୋଇ ସ୍ଥୂଳ ସୂକ୍ଷ୍ମ ହୁଅ

ଅଗ୍ନିରେ ଭଜନକରି କାରଣ ବୋଲାଅ

ପଞ୍ଚତତ୍ତ୍ୱ ପଞ୍ଚଭୂତ ପ୍ରଣବ ଶକତି

ତ୍ରିବୀଜ ଆପଣ ବ୍ରହ୍ମା ବିଷ୍ଣୁ ପଶୁପତି

ଶ୍ରୀମୁଖ ବଚନ ପୂର୍ଣ୍ଣ ଆଚାର ବୋଲାଅ

ସିଦ୍ଧି ବ୍ରହ୍ମା ଓମତିରେ ଅନନ୍ତ ଅଜେୟ

କିରଣ ଶଯ୍ୟାରେ ତ୍ରିବୀଜକୁ ତ୍ୟାଗକରି

ଅଦେହ ଅନାମ ବ୍ରହ୍ମ ପ୍ରଭୁ ନରହରି

ଭୂ ର୍ଭୂବ ସ୍ଵ ତିନିଧାର ସର୍ବ ଅନାହତ

ଭୂ ମଧ୍ୟେ ସପତ ସିନ୍ଧୁ ବନ୍ଧ ସପ୍ତ ସତ

 

କାଳନ୍ଦୀ ହ୍ରଦରେ ଜୀବ ଶରଣ ଆପଣ

କ୍ଷୀର ସିନ୍ଧୁ ମଧ୍ୟେ ପଦ୍ମ ପୁଷ୍ପେ ନାରାୟଣ

ଓଂକାର ଯେ ପଞ୍ଚତତ୍ତ୍ୱ ପରେ କାମବୀଜ

ତହିଂପରେ ଏକାକ୍ଷର ମନ ମତ୍ତଗଜ

 

ଅବର୍ଣ୍ଣା ଅରୂପା ନଳ ତହିଂର ଉପରେ

ଅନ୍ତରେ ଅନନ୍ତ ହରି ଅଗୋଚର ଧାରେ

କୋଟି କଳ୍ପ ବହିଲାଣି ନୋହେ କାର ସିଦ୍ଧି

ସତ୍ୟ ମଣି ମାୟାଗୋଟା କାରଣ ବାରିଧି

 

ଆଦି ଅନ୍ତ ନାହିଂ ଯାର ଅବିଦ୍ୟା ବନ୍ଧନେ

ବିଦ୍ୟା ବିରଚିତ କହେ ପ୍ରକୃତି ପୁରାଣେ

ପୂର୍ଣ୍ଣାନନ୍ଦ ପୂର୍ଣ୍ଣ କର ସକଳ ବାସନା

ପ୍ରକୃତି ଅରୂପ ଜୀବ ପରମ ଭାବନା

 

ରବି ରଶ୍ମି ପ୍ରକୃତି ଏ ସ୍ଵଭାବ ପ୍ରକାଶ

ଜୀବରୂପେ ଅବତାର ଭ୍ରମେ ଦଶଦିଶ

ଭାବିଲେ ଯୁଗଳ ହୁଅ ପରମ ମୁରାରି

ଅପ୍ରାକୃତ ପ୍ରେମାନନ୍ଦ ଜୟ ରାଧା ହରି

 

କହି ନୁହେଂ ଗୁଣ ଯାର କୋଟି କଳ୍ପାନ୍ତରେ

ଅଚ୍ୟୁତ ଚିନ୍ତଇ ତୋତେ ନେମାଳ ଗ୍ରାମରେ

ପୂର୍ବ ତପବଳେ ରାମ ଚରଣ ସେବିଲୁ

କୋଟି କଳ୍ପ ପାପମାନ ବିସର୍ଜନ କଲୁ

 

ଶୁଣି ପାଦେ ପଡ଼ି ହୋଇ ଅତ୍ୟନ୍ତ ବିନୟ

କହନ୍ତି ରାମ ସହିତ ଦ୍ଵାଦଶ ତନୟ

ଯୁଗେ ଯୁଗେ ତୁମ୍ଭ ଦାସ ଆମ୍ଭେ ହୋଇଥିବୁ

ହରିନାମ ପ୍ରେମରସେ ଦିନ କଟାଇବୁ

 

ଅକାରଣ କାରଣକୁ କାରଣ ଆପଣ

କଳି ମଳି ନାଶ ଗୁରୁ ଅଧମ ସନ୍ତାନ

ଅଜିତ ଇନ୍ଦ୍ରିୟ ମାନେ କରନ୍ତି ବିନାଶ

ଅନାୟସେ ଖଣ୍ଡି ପାର ଭବ ମାୟା ଫାଶ

 

କହିବା ବୁଝାଇ ପ୍ରଭୁ ଆଉଯା ରହିଲା

କାରଣ ବେଳକୁ ଚିତ୍ତ ଛନ୍ନଛନ୍ନ ହେଲା

ନିର୍ମଳ ମୂରତି ତବ କରୁଣା ଅପାର

କହିବା ଗୁପତ ସନ୍ଧି ପାପହେବ ଦୂର

 

ଆପଣଙ୍କ ଇଚ୍ଛା ଯାହା ତାହା ବୁଝାଇବେ

ନିତ୍ୟ ଦଳ ଷୋଳସଖା ସେବା ନଭୁଲିବେ

ପୂର୍ଣ୍ଣ କର ପୂର୍ଣ୍ଣାନନ୍ଦ ପତିତ ଭାବନା

ତୁମ୍ଭ କୃପା ବଳେ ଯାହା ସ୍ମରେ ନିବେଦନା

 

ଉଠ ଉଠ ବାବୁ ରାମ ବିଳାପ ନ କର

ଯାର ସଖା ଶ୍ୟାମବନ୍ଧୁ ତାକୁ କି ପଚାର

ତୁମ୍ଭଙ୍କୁ କରୁଣା କଲେ ଯଶୋଦା କୁମର

ସେ ଘେନି ପାଞ୍ଚିଲେ ଜ୍ଞାନସିଦ୍ଧି ଅଗୋଚର

 

ମୋତେ କୃପା ହେଲା ତେଣୁ ରାମ ଶିଷ୍ୟଠାରେ

ରାମ କୃପା ହେବ ତେଣୁ ଦ୍ଵାଦଶ କୁମରେ

ଦ୍ଵାଦଶଙ୍କୁ କୃପା ହେବ ଚବିଶ ଗୋପାଳେ

କହିବେ ଜ୍ଞାନ ବୁଝାଇ ଭକତେ ବିହ୍ୱଳେ

 

ଚବିଶ କୃପା କରିବେ ବାର ସହସ୍ରଙ୍କୁ

ବାର ସସ୍ର କୃପା ହେବ ପଦ୍ମେ ଭକତଙ୍କୁ

ବାରଣ ବେଳକୁ ସର୍ବେ ଅଚ୍ୟୁତ ଘୋଷିବେ

ମୋର ଗ୍ରନ୍ଥ ପଢ଼ି ସର୍ବେ ଜ୍ଞାନୀ ବୋଲାଇବେ

 

ମୋର କୋଠଧନ ନିଶ୍ଚେ ମୁକୁଳା ହୋଇବ

ଅଚ୍ୟୁତର ଆଜ୍ଞା କେହି ତିଳେ ନ ପାଳିବ

ଏଣୁକରି ନଷ୍ଟଭ୍ରଷ୍ଟ ହୋଇବେ ସକଳେ

ବଇଷ୍ଣବ ଦୀକ୍ଷା ନଷ୍ଟ ହୋଇବ ସେବେଳେ

 

ହକାରି କହେ ଅଚ୍ୟୁତ ବାର ବାର କରି

ଶୂନ୍ୟକୁ ସାଧନ କର ନାମ ସୂତ୍ର ଧରି

ସେବକ ହୋଇଣ ସେବାକର ନିରନ୍ତର

ସେବା ସାଧନାରେ ଜାଣି ବ୍ରହ୍ମସୂତ୍ର ଧର

 

ବାଟ ଅଜଣା ପ୍ରାଣୀଙ୍କୁ ସଙ୍କଟ ପଡ଼ିବ

ବୁଦ୍ଧି ବାଟ ନ ଦିଶିବ ଅନ୍ଧାର ଘୋଟିବ

ସିଂହ ଆଗେ ତ୍ରିଶୂଳକୁ ଯୋଖିବା ବିଅର୍ଥ

ଭୋଗୀହୋଇ ବୈଦ୍ୟ ଶାସ୍ତ୍ର ଶିକ୍ଷା ଅସଙ୍ଗତ

 

ଅଜ୍ଞ ହୋଇ ସଭାମଧେ ହାରିବା ନିୟତି

ପ୍ରାନ୍ତେ ବ୍ୟାକରଣ ସିଦ୍ଧ କେଉଂ କାରଣେ ତ

ଅଗ୍ନି ଦାହି ଜଳଭାଣ୍ଡ ପଛାନ୍ତେ ଲୋଡ଼ିବ

ବେଦ ମନ୍ତ୍ର ଶିକ୍ଷା ନାହିଂ ତ୍ରୟୀତ୍ରିୟ ଦେବ

 

ନାବିକ ନ ଲୋଡ଼ା ନାବ ବାହିବ ଯେମନ୍ତ

ଗୁରୁ ନ ଲୋଡ଼ିବେ ପ୍ରାଣୀ ମହୀରେ ତେମନ୍ତ

ତେଣୁ ତୁମ୍ଭ ପୂର୍ବ ହେତୁ ଅଚ୍ୟୁତ ଭେଟିଲ

ଆଜ୍ଞା ନିର୍ବେଦି ପୟରେ ସର୍ବତତ୍ତ୍ୱ ନେଲ

 

ହେତୁ ମନେ ରଖିଥିବ ବେଳକୁ କାରଣ

କଷଟୀ କଷି ରଖିବ ଏ ଭକ୍ତଙ୍କ ଧନ

ଶୁଣ ରାମ ଗୁପ୍ତକଥା ନ କହିବୁ କାହିଂ

ମୋ ଚରଣ ଛୁଇଂଥାଅ ଦ୍ଵାଦଶ ତନୟୀ

 

ପ୍ରାଣୀ ନିନ୍ଦା ପ୍ରାଣ ପରେ ସନ୍ତାପିତ ହେଲେ

ଜୀବ ବଧ କଲା ପରେ ଶିବକୁ ସେବିଲେ

ଶିବ ଅପରାଧ ନାଶ ବିଷ୍ଣୁଙ୍କୁ ପଚାରେ

ବିଷ୍ଣୁ ଅପରାଧ ପାପ ଗୁରୁ ନାଶିପାରେ

 

ଗୁରୁ ଅପରାଧ ଗୋଟି ଅକ୍ଷୟ ସଂସାରେ

ଜୀବରୂପେ ଖେଳୁଛନ୍ତି ଏ ମହୀ ମଣ୍ଡଳେ

ତେଣୁକରି ଗୁରୁଠାରୁ ମନ୍ତ୍ର ଯନ୍ତ୍ର ନିଅ

ଭିକ୍ଷାମାଗି ପେଟ ପୋଷ ଗୁରୁ ଆଜ୍ଞା ବହ

 

ଖୋଳ କରତାଳ ଧରି କୃଷ୍ଣ ନାମେ ରସ

ହରେ ରାମ ହୃଦେ ଧ୍ୟାଇ କଳି ମଳି ନାଶ

ଜଟାଜୁଟ କଉପିନ କଠାଉ ପାଦରେ

ରୁଞ୍ଜ ଗୁଞ୍ଜ ମାଳ ବହି ଭ୍ରମିବ ସଂସାରେ

 

ଗୁରୁ ଭକ୍ତି ଗୀତା ଗୋଟି ତୁମ୍ଭଙ୍କୁ କାରଣ

ସେ ଗ୍ରନ୍ଥେ କହିଛି ତୁମ୍ଭ ତତ୍ତ୍ୱ ବିଧିମାନ

ହସ୍ତିନା ଜୟନ୍ତା ପୁଣି ବାରୁଣା ପାଟଣା

ଏଥିମଧ୍ୟେ ଭକ୍ତ ଥିବେ ନୁହଇଂ କଳନା

 

ଗୋପାଳ ଭକତମାନେ ଊଦୟ ସେଠାରେ

କଳଙ୍କି ରାମ ଧ୍ୟାନ ନୀତି କରିବେ ଗୁମ୍ପାରେ

ଜରିପଡ଼ା ଜୟନ୍ତା ଯେ ବିରୂପାର ସୀମା

ମାଳ ଯେ ଲେଖନ ପୁର ଦକ୍ଷିଣ ହସ୍ତିନା

 

ଉତ୍ତରରେ ଶିବଲିଙ୍ଗ ପର୍ବତ ଶିଖରେ

ଗିରି ନାମ ମଞ୍ଚେଶ୍ୱର ରଖ ତୁ ମନରେ

ଅପର ଭୂଇଂ ଯେ ଇନ୍ଦ୍ରପ୍ରସ୍ଥ ବୋଲି ଜାଣ

ପଦ୍ମ ବେଶରୀ ନୃପତି କଟକେ ପ୍ରମାଣ

 

ସହସ୍ର ଶୀଳା ଅଛଇ ଗୁପତ ସେ ସ୍ଥାନ

ଅନନ୍ତ ମହିମା ମୁଖେ ନୁହଇ ବର୍ଣ୍ଣନ

ନୀତି ସିଂହନାଦ ହୁଏ ଜାଣନ୍ତି ସୁଜ୍ଞାନୀ

ବାଞ୍ଛାନିଧି ଭକ୍ତେ ବିଭୀଷେଣ ଥିବ ଚିହ୍ନି

 

କହିବ ଆଗତ କଥା ନ ଜାଣିବେ କେହି

ଦ୍ରୌପଦୀ ଖର୍ପର ତହିଂତଳେ ଲୁଚିଛଇଂ

ଏ ଜନ୍ମ ଗୁପତେ ଯିବ ଲେଖନ ପୁରରେ

ମାଳି ଘରେ ଜନ୍ମହେବ ନିତ୍ୟାନନ୍ଦ ଘରେ

 

ଉଦୟ ବେଳକୁ ବାରବର୍ଷ ହୋଇଥିବ

ବଦରି ବୃକ୍ଷର ମୂଳେ ଗୁପ୍ତ ହୋଇଥିବ

ଭୀମ ଗଦା ସେହି ସ୍ଥାନେ ଗୁପତ ହୋଇଛି

ଅମରାବତୀର ନାଦ ନିତି ବାଜୁଅଛି

 

ଗୁପ୍ତ ବ୍ୟାସ ସରୋବର ବିନାୟକଠାରେ

ଲକ୍ଷ୍ମୀ ଶମ୍ଭୁ ଅଛନ୍ତି ତା ଗୁପତେ କୁଳରେ

ଆରଡ଼ି ଗ୍ରାମରେ ପାଣ୍ଡୁ ପୁଝାରୀ ପୂଜୁଛି

କେହି ନ ଜାଣଇ ଯୁଗ କଳଣା କରୁଛି

 

ବାରେ ବାରମାତ୍ରା ଥିବ ବେଦଚାରି ବାମେ

କାଠମାଳିଆଙ୍କ ଶିର ଚ୍ଛେଦନ ସେ ସ୍ଥାନେ

ମନମୋଟ କହି ନୁହେଂ ନାମେ ରସିଥାନ୍ତି

ତତ୍ତ୍ୱ ନ ଜାଣିଣ ବୃଥା କାଳ ସେ କଟାନ୍ତି

 

ଚତୁକ୍ରିୟା ସଂପ୍ରଦାୟୀ ପ୍ରେମଭକ୍ତି ହୀନ

ମେଳାସ୍ଥାନେ ଜଣେହେଲେ ନ ପାଇବେ ସ୍ଥାନ

ଗଙ୍ଗାଦେବୀ ବହୁଅଛି ପଶ୍ଚିମ ଭାଗରୁ

ପତାକା ଉଡ଼ୁଛି ସ୍ଥାନେ ଅନନ୍ତ ଯୁଗରୁ

 

ପରାଶର ଋଷିଙ୍କର ଆଶ୍ରମ ସେ ସ୍ଥାନେ

ଦୁଇସସ୍ର ଗୁମ୍ଫାଅଛି ତାର ପୂର୍ବକୋଣେ

ଚମ୍ପାନାଳ ବେନିପାଖେ ବହଇ ନିରୋଳେ

ବଡ଼ାଇ ନିର୍ଜନ ତିନି ପୁରକୁ ସେ ବଳେ

 

ନାଳଦ୍ଵାରେ ଅଜଗର ଦୁଇଟି ଅଛନ୍ତି

ବେନି ବୀର ବେନି ଅଜଗରକୁ ଜଗନ୍ତି

ବଚନ ମଧୁର ତାଙ୍କ ମଲ୍ଲ ତ୍ରେତୟାର

ବୁଢ଼ା ଲିଙ୍ଗ ପରିଯନ୍ତେ ଭ୍ରମଣ ତାଙ୍କର

 

ନୀଳକଣ୍ଠ ବାଳିସୁତ ଅଙ୍ଗଦ ଅଟଇ।

ଆରକ ଯେ ନାଭିଦୈତ୍ୟ ବିଷ୍ଣୁଭକ୍ତ ସେହି

ଅଘୋରୀମାନଙ୍କୁ ଅଜଗର ମୁଖେ ଦେବେ

ଯବନ ସୈନ୍ୟମାନଙ୍କ ଗାରିମା ଭାଙ୍ଗିବେ

 

ଏହି ସ୍ଥାନେ ତାରାମାନେ ଆକାଶୁ ଖସିବେ

ନ ଜାଣିବେ ଜପୀ ତପୀ ଗୁପତରେ ଥିବେ

କୁହୁକ ଦିଶିବ ମହୀ କଳା ପଡ଼ିଯିବ

ଅମରଗଣଙ୍କ ଧାଡ଼ି ମର୍ତ୍ତ୍ୟକୁ ଲାଗିବ

 

ଅମରାଧି ବଟ ତଳେ ଚହଟିବ ଲୀଳା

ଅଯୋଧ୍ୟାରେ ଲାଗିଥିବା ଯୁଦ୍ଧ ଅନର୍ଗଳା

ଓଡ଼ିଶାକୁ ଲୁଟିନେବେ ସେ ଯବନ ବଳ

ଚାରିଆଡ଼େ ପଡ଼ିବ ଯେ ଭକ୍ତଙ୍କ ଚହଳ

 

ଶନି ସ୍ଥାପି ଶବଦକୁ ଲେଖ ଦକ୍ଷିଣରେ

ବୀଜମନ୍ତ୍ର ପ୍ରାପ୍ତହେବ ଭକ୍ତଙ୍କୁ ସେକାଳେ

ଭକତମାନଙ୍କ ଲାଗି ଲୀଳା ପ୍ରକାଶିବ

ଗୁପତ ଭକ୍ତଙ୍କ ପାଇଂ ମହିମା ବାସିବ      

 

ଦେବଗଣ ମେଳିହେବେ ଖଣ୍ଡଗିରିଠାରେ

ଗୁପତ ଖେଳ ଖେଳିବେ ଭକ୍ତଙ୍କ ସଙ୍ଗରେ

ଅଗ୍ନିମୁଂହୀ ଦେବୀ ସେହି ଗ୍ରାମରେ ଅଛନ୍ତି

ସିଦ୍ଧମାଂସ ଖାଇବାକୁ ଯୋଗ ସାଧୁଛନ୍ତି

 

ମୁଣ୍ଡମାଳା ଧଣ୍ଡାପରି ଗଳେ ଲମ୍ବାଇବେ

ଦେବୀଙ୍କ ପଛେ ଗୋଡ଼ାଇ ସଂସାର ଖେଦିବେ

ଯୋଗ୍ନୀମାନେ ଗୋଡ଼ାଇବେ ତାଙ୍କରି ପଛରେ

କିଳିକିଳା ନାଦକରି ମୋଡ଼ିବେ ପାମରେ

 

ବହୁସଂଖ୍ୟା ମ୍ଳେଚ୍ଛମାନେ ନିଧନ ହୋଇବେ

ମନ୍ଦ ବୃଷ୍ଟି ନିତି ହେବ ମୀନଶନି ଯୋଗେ

କାମ ପରାବୀଜ ବେନି ଠିକଣା ତୁ କର

ଓଂ କାର ଆକାର ଘେନି ବ୍ରହ୍ମସୂତ୍ର ଧର

 

ଧ୍ଳୀଂ ପ୍ଳୀଂ ବୋଲିଣ ଯେ ଓମତି ଯୋଗରେ

ଓଲଟି ଶବଦବ୍ରହ୍ମ ଶୂନ୍ୟରେ ବିହାରେ

ଇକାର ଆକାର ଯୋଗ ଶବଦକୁ ପୁଣି

ହ୍ଳୀଂ ଶ୍ଳୀଂ ଉକାର ଯେ ମକାରକୁ ଘେନି

 

ବିଜୟ ଶବଦ ଜ୍ୟୋତି ଶୂନ୍ୟର ଉପର

ନାମମାତ୍ରା ଭଜନ ଯେ ସାରସ୍ଵତ ବୀର

ତ୍ରେତୟା ତାରକ ବ୍ରହ୍ମ ନାମ ଏ ହୋଇବ

ତତ୍ତ୍ୱ ଦଶାକ୍ଷରେ ରାମତାରକ ଘୋଷିବ

 

ତ୍ରେତୟାର ମଲ୍ଲମାନେ ଜାଣନ୍ତି ଏହାକୁ

ପ୍ରାଚୀକୂଳେ ନିରଞ୍ଜନ ବାଣ୍ଟିବେ ନାମକୁ

ଯମଦଗ୍ନି ଜନ୍ମହେଲେ ଜୟଦ୍ରଥ ହୋଇ

ପ୍ରେମରୂପା ଚନ୍ଦ୍ରାବଳୀ କୃଷ୍ଣଜନ୍ମ କହି

 

ସତ୍ୟବ୍ରତ ରାଜାହେଲେ ତୃତୀୟ ଜନ୍ମରେ

ଚତୁର୍ଥରେ କଳିକାଳେ ମାରୁଆଡ଼ି ଘରେ

ରଖିବ ଯଶ କୀରତି ଗୁହସ୍ଥ ଧର୍ମରେ

ବୃନ୍ଦାବନେ ଅନ୍ନଛତ୍ର ଦେବେ କେତେକାଳେ

 

ପ୍ରାନ୍ତେ ନାରାୟଣ ଦାସ ଶ୍ରୀକ୍ଷେତ୍ରରେ ହେବେ

ହରିବଂଶ ପୁରାଣକୁ ସ୍ଵହସ୍ତେ ଲେଖିବେ

ପୁଣି ଦିବ୍ୟସିଂହ ରାଜା ହୋଇବେ କ୍ଷେତ୍ରରେ

ନରୋତ୍ତମ ଦାସ ହେବ ପାଟଣା ଗ୍ରାମରେ

 

ଲେଖିବ କବିତା ଶାସ୍ତ୍ର ଚୈତନ୍ୟ ପ୍ରେମରେ

ହରିନାମେ ମତ୍ତ ଥିବ ରାତ୍ର ଦିବସରେ

କଳଙ୍କୀ ରାମଦାସ ହେବ ଶ୍ରୀକ୍ଷେତ୍ରରେ ଯାଇଂ

ଉଦୟ ବେଳକୁ ନର ଅଙ୍ଗ ଥିବ ବହି

 

ବଡ଼ପଣ୍ଡାଙ୍କର ସେ ଯେ କୁମର ହୋଇବ

ଉପାଧି ଶାସ୍ତ୍ର ପଢ଼ିଣ ସଂସାରେ ଭ୍ରମିବ

ଅଠର ନଳାରେ ଋଷି ଯଜ୍ଞ ଆରମ୍ଭିବ

ଷାଠିଏ ହଜାର ଶିଷ୍ୟ ଆପଣେ କରିବ

 

ପ୍ରେମ ଷୋଡ଼ଶ ମନ୍ତ୍ରରେ ଦୀକ୍ଷିତ ହୋଇବ

ରାଧାକୁଣ୍ଡେ ଦେବଧୂଜା ଆପଣେ ଥାପିବ

ଚହଟିବ ଲୀଳା ତହିଂ ଏଗାର ଦିବସ

ଖଣ୍ଡଗିରି ପର୍ବତରେ ପ୍ରଭୁ ପୀତବାସ

 

ପୁରୀ ଭକ୍ତଙ୍କର ବାଞ୍ଚା ପ୍ରଭୁ ଆଗୁଆଣି

ପଛେ ଥିବେ ଭକ୍ତଗଣ ନ ପାରିବେ ଜାଣି

ଅଶ୍ଵାରୋହୀ ଗଜାରୋହୀ ପଦାତିକ ସୈନ୍ୟ

ମାଳସ୍ଥାନ ଆବୋରିବେ ଦୁଷ୍ଟଙ୍କ ନିଧନ

 

ଦେବ ଅସୁରଙ୍କ କଳି ଏକତ୍ର ହୋଇବ

ପାଖେ ମଡ଼ା ପାଖେ ଭୋଜି ଲୀଳା ଲାଗିଥିବ

ଦେବ ନାରାୟଣଙ୍କର ମହିମା ଅପାର

ଅନନ୍ତ ମହିମା ନୁହେଂ ମୁଖରେ ପ୍ରଚାର

 

ଅର୍ଦ୍ଧ ଉର୍ଦ୍ଧ ମଧ୍ୟ ପ୍ରାନ୍ତ ଶାସ୍ତ୍ରର ମହିମା

ତ୍ରିଗୁଣ ତେଜିଲା ପ୍ରାଣୀ ଜାଣିବେ ସେ ସୀମା

ପୂର୍ଣ୍ଣହେବ ଲୀଳା ରାମ ହରି ହରି ଘୋଷ

ସେ ପଦାରବିନ୍ଦେ ସଦା ଶରଣ ତୁ ପଶ

 

ସଂସାର ବାରିଧି ବ୍ୟାଧି ନିଶ୍ଚେ ନାଶଯିବ

ଅଚ୍ୟୁତ ନିର୍ଘଣ୍ଟ ଲେଖେ ଭାବି ରାଧାଧବ

ଇତିଶ୍ରୀ ଶିବକଳ୍ପେ ନବଖଣ୍ଡ ନିର୍ଘଣ୍ଟେ

ଅଚ୍ୟୁତ ରାମ ସମ୍ବାଦେ ନାମ ଦ୍ଵାଦଶ ନିଘଣ୍ଟଃ

 

ତ୍ରୟୋଦଶ ନିର୍ଘଣ୍ଟ

 

ମହୀ ଆଲୋକିତ ଉଷା ଆଗମ

ଶ୍ରୀଗୁରୁ ଭଜି ଉଠେ ଦାସ ରାମ

।।

ଦ୍ଵାଦଶ ଗୋପାଳ ପଛେ ଅଛନ୍ତି

ଅଚ୍ୟୁତ ମହିମା ମୁଖେ ରଟନ୍ତି

।।

ମାନଭଞ୍ଜନ ସେ ଦୟା ଅପାର

ମୁନି ଋଷି ଅନ୍ତ ନ ପାନ୍ତି ଯାର

।।

ତାଙ୍କୁ ଭଜି ଜାତ ତିଳକଣାରେ

ବିଜେ ଦେଖ ସଖା ବଟମୂଳରେ

।।

ଦେହଜୀବନକୁ ପାଶୋରି ବାଳେ

ଅଚ୍ୟୁତ ଭେଟିଲେ ପିପଳ ମୂଳେ

।।

ସପ୍ତାଙ୍ଗ ଅଷ୍ଟାଙ୍ଗ ପ୍ରଣାମ କରି

ପାଦୋଦକ ନେଇ ତୁଣ୍ଡରେ ଭରି

।।

କାକୁସ୍ଥ ହୋଇ କରପତ୍ର ଯୋଡ଼ି

ପୁଣି ପୁଣି ଭାଷି ପାଦରେ ପଡ଼ି

।।

କାଲି ଯା ଆଜ୍ଞାହେଲା ପ୍ରଭାତରେ

ଘେନି ବିଜେ ହେଲି ବାରଦାସରେ

।।

ଆପଣ ଶ୍ରୀଗୁରୁ ମହିମା ମେରୁ

ଜ୍ୟୋତିରାନନ୍ଦ ଜ୍ଞାନ କଳ୍ପତରୁ

।।

ପୁଣି କିସ ହେବ କହିବା ଫେଇ

ଯେଭାବେ ସଂଶୟ ମୋଚନହୋଇ

।।

ବେଦ ଯାର ଅନ୍ତ ନପାଇ ତିଳେ

ତାଙ୍କ ଲୀଳା ଯାହା ମହୀମଣ୍ଡଳେ

।।

କିକର୍ମ କରି ଭବୁ ହେବୁ ପାର

ବିଷୟ ବଶ ହୋଇଯିବ ଦୂରI

।।

ଭକ୍ତ ନାମାବଳି ମୋ କଣ୍ଠେ ଥାଉ

ଭାବବିନୋଦିଆ ପାଶୋରି ନୋହୁ

।।

ଭବିଷ୍ୟ ପୁରାଣ ଗୁପତ ପାଣ୍ଠି

କହି ଛଡ଼ାଇବି ବିଷୟା ଗଣ୍ଠି

।।

କଳିମଳି ଯେବେ ଲାଗଇ ନାହିଂ

ତେମନ୍ତ ସୂତ୍ର ପ୍ରଭୁ ଦେବ କହି

।।

ଯେଉଂ କଥା ଜାଣ କିସ ପୁଛିବି

ହସ୍ତେକେ ସମୁଦ୍ର ମନ୍ଥି ପାରିବି

।।

ଅଶେଷ ଶେଷ ନୋହି ଗୁଣଗାଥା

ଟେକାରେ ପର୍ବତ ଭାଙ୍ଗିବା ବୃଥା

।।

କରୁଣାସାଗର କରୁଣା କର

ଯାହା ଇଚ୍ଛା ତାହା କର ପ୍ରଚାର

।।

ଦାସ ଦୋଷ ବାରେ କ୍ଷମାକରିବ

ଅଯାଚିତେ ତ ଫେଡ଼ି କହିବ

।।

ପୂର୍ଣ୍ଣାନନ୍ଦ ପୁଣ୍ୟ ଭାଗ୍ୟ ବଳରୁ

ଭେଟିଛି କରୁଣା ମହିମାମେରୁ

।।

ଶୁଣି ଅଚ୍ୟୁତ ମନରେ ହରଷ

ବୋଲନ୍ତି ବାବୁରେ ଶୁଣ ଭବିଷ୍ୟ

।।

ଭକ୍ତିର ମୂଳଟି ଭାବନା ଚିତ୍ତ

ଜ୍ଞାନର ମୂଳଟି ସେବକ ମତ

।।

ବାସନାର ମୂଳ ଶାସ୍ତ୍ର ଅଭ୍ୟାସ

ଅଭ୍ୟାସର ମୂଳ ନାମକୁ ଘୋଷ

।।

ସାର ଅସାର ବାଛିକରି ଘେନ

ହଂସ କ୍ଷୀରନୀର ବାଛିବା ସମ

।।

ସତ୍ୟକୁ ସାରଥି କର ଏ ରଥେ

ଆବର ମୂଳ ଜପଟି ତୁରିତେ

।।

ଶୁଣ ରାମଚନ୍ଦ୍ର କହୁଛି ମୁହିଂ

କଳି ଆଗତ ଜାଣିବୁ ଯେଠାଇଂ

।।

ସତର ତେର ପରେ ଚାରି ଲେଖ

ଋତୁ ଓଲଟାଇ ଲେଖିଣ ଶିଖ

।।

ବିନ୍ଦୁ ବସାଇ ପଞ୍ଚମାତ୍ରା ଦିଅ

କାଳରେ କାଳ ପୁଣିକରି ଥୁଅ

।।

ଜନ୍ମଭକ୍ତ ହେବେ ଅପାରୁପାର

ଅପ୍ରୀତି ହେବେ ସଂସାର ଲୋକର

।।

ଦୁଷ୍ଟଜନଙ୍କୁ ଭୟ କରୁଥିବେ

ଶାକ କନ୍ଦମୂଳେ ଦିନ ବଞ୍ଚିବେ

।।

ବିନ୍ଦୁ ସ୍ଥାପି ବିନ୍ଦୁ ଉର୍ଦ୍ଧରେ ଦିଅ

ବିସର୍ଗକୁ କିଛି ଅଧେ ଲିଭାଅ

।।

ବାମ ଦକ୍ଷିଣରୁ ପେଟକୁ କିଛି

ନାମ ଯେତେହେବ ଦେବ ତ୍ରିଶୂଳି

।।

ମୋଗଲ ପଠାଣ ରାଜୁତି ନେବ

ପ୍ରଜାପୀଡ଼ା ମହାକଷ୍ଟ ହୋଇବ

।।

ଭିକ୍ଷାଶୀମାନଙ୍କୁ ଦଣ୍ଡିବ ଦଣ୍ଡ

ଦେବଭୂମି ହରି ହେବ ପ୍ରଚଣ୍ଡ

।।

ସାଧୁଶାଳା ଧର୍ମଶାଳାରେ ପୁଣି

କର ଆଦାୟ କରିବ ସେ ଜାଣି

।।

ତଦନ୍ତେ ସାଧବ ରାଜୁତି ହେବ

ଧର୍ମ ନ୍ୟାୟ ଶାନ୍ତି ଫେରି ଆସିବ

।।

ଶ୍ରୀକ୍ଷେତ୍ରରୁ ଖଂଜା ଆପଣେ ନେବ

ଅତିଥି ଶବଦ ବୁଡ଼ାଇ ଦେବ

।।

ପର୍ବତ ଗୁହାରେ ବୁଲିବ ଯାଇଂ

ସନ୍ନ୍ୟାସୀ ଭକ୍ତଙ୍କୁ ଖୋଜିବ ସେହି

।।

ଶିଖିବ ଶାହାସ୍ତ୍ର ପୁରାଣ କଥା

ଥାପିବ ଦେଉଳ ଧର୍ମ ଦେବତା

।।

ବିଧର୍ମୀ ରାଜୁତି ହୋଇବ ବେଳେ

ଦେବଧର୍ମ ବୃହସ୍ପତିର ବଳେ

।।

ଯିବା ଆସିବା କେହି ନ ଜାଣିବ

ନିଶାଅର୍ଦ୍ଧେ ଆସି ସ୍ୱଧର୍ମେ ଯିବ

।।

ରାଜ୍ୟେ ରାଜ୍ୟେ ତାର ଅଙ୍କ ଚାଲିବ

ଗୁପତ ରାଜୁତି କେ ନ ଜାଣିବ

।।

ପୁଣ୍ୟକାଳେ ଘେନି ଉଦୟ ସେହି

ଏକଛତ୍ର ରାଜା ହୋଇବ ମହୀ

।।

ତା ଅନ୍ତେ ଧରମ ହୋଇବ ହାନି

ମୋହନ ରାଜୁତି ହୋଇବ ପୁଣି

।।

ଗୁଳି ଚୋଟେ ତାର ପ୍ରାଣ ଛାଡ଼ିବ

ସର୍ତ୍ତ ଖୋଳି କଳି ମଞ୍ଜି ପୋତିବ

।।

ଜାଣି ନ ପାରିବେ ସଂସାର ପ୍ରାଣୀ

ଟେକି କହୁଥିବେ କଥା ନିଶାଣି

।।

ପୁଣ କହିବା ଭକ୍ତ ନାମାବଳି

ଜାତିସ୍ମର ଭକ୍ତ ଯେତେକ ମିଳି

।।

କପଟ କରି ଦେହ ରଚୁଥିବେ

ତୃଣ ଭୂଇଂରେ ଲୁଚିକରି ଥିବେ

।।

ଅତିହିଂ ଦୁସ୍ତର କର୍ମ କରିବେ

ବେଦ କହି ତତ୍ତ୍ୱବାଦୀ ହୋଇବେ

।।

ଆପଣା କରିବା କର୍ତ୍ତବ୍ୟ ମାନ

ପରକୁ ବାଣ୍ଟିବେ ଗୁପତ ଜ୍ଞାନ

।।

କେବଳ ପେଟ ପୋଷିବାରେ ମାତି

ଗୃହୀ ଜଟାବାନ୍ଧୀ ଛାଡ଼ିବେ ଭୀତି

।।

ଭିକ୍ଷା ଡଙ୍ଗା ଗୋଟି ବୁଡ଼ାଇଦେବେ

ଶିକ୍ଷା କଥା କହି ସାଧୁ ନିନ୍ଦିବେ

।।

ପୁଣି କହିବେ ମୁଂ ଅବତାରେକ

ଗଦାପଦ୍ମଚିହ୍ନ ମୋ ପାଦେ ଦେଖ

।।

ଏଠାରୁ ଶ୍ରବିବ ଯେ କ୍ଷୀରଧାର

ମାରିବ ମେଳେଛ ବୁଲି ସଂସାର

।।

ମିଥ୍ୟାରେ ଭାଷିବେ ମହତ ସର୍ବ

ପରୀକ୍ଷା କରିବେ ଓଡ଼ିଶା ବର୍ଗ

।।

ଉଦ୍ଧାର ହୋଇବ ଯେବେ ସଂସାରୁ

ନାମତତ୍ତ୍ୱ ଦେବୁ କରିଲେ ଗୁରୁ

।।

ଠକ ହରି ନେବେ ଧନ କଉଡ଼ି

ଦରିଦ୍ର ହୋଇବେ ପଥକୁ ହୁଡ଼ି

।।

ପାଞ୍ଚ ସାତଗ୍ରାମ ଦିନକେ ଯିବେ

ଅଗ୍ନିହୁଳାରେ ବ୍ରହ୍ମାଣ୍ଡ ପୂରିବେ

।।

ଶ୍ରାବଣ ମାସରେ ଶୁଖିବ ନଈ

ଝାଟା ହେବ ବୃକ୍ଷ ଫଳ ନ ହୋଇ

।।

ଶୁଣ କହିବା ବରଜ ଗୋପାଳ

ଗୁପତ ଏ କଥା ଭକ୍ତ ଦୁଲାଳ

।।

ମହେନ୍ଦ୍ର ଭକତ ଶୂଦ୍ର କୂଳରେ

ବାଲିସାହି ଗ୍ରାମେ କରଣ ଘରେ

।।

ବାମଙ୍ଗି ଭଜନ ଅଟଇ ତାର

ଶାନ୍ତ ଦାନ୍ତ ମତି ଅତି ଚତୁର

।।

ତ୍ରିବେଣୀଶ୍ଵର ବୋଲି ନାମ କହି

ସେହିଠାରେ ତିନି ଭକ୍ତ ଅଛଇ

।।

ଖତୁଆ ବେହେରା ଶୂଦ୍ରକୂଳରେ

ଜନ୍ମ ଯଶୋବନ୍ତୀ ମାତା କୋଳରେ

।।

ବାଲି ଉତ୍ତାପ ପଡ଼ା କୁଜଙ୍ଗରେ

ମଧୁ ନାମ ଖ୍ୟାତ ତାମ୍ବିଳି ଘରେ

।।

ଲଳିତ ଗିରିରେ ଝରି ବେହେରା

ଅମରାଧି ବାସେ କାମ ସୁନ୍ଦର

।।

ବିରିବାଟିରେ ଗୋବିନ୍ଦ ଭକତ

କୁସୁପୁରରେ ନୀଳମଣି ଖ୍ୟାତ

।।

କନ୍ତିଆ ଗ୍ରାମରେ ବଟିଆ ଜେନା

ମଧୁଦାସ କ୍ଷେତ୍ରେ ଉଡ଼ିବ ବାନା

।।

ଅନୁଭବ ବିଦ୍ୟା ସାଧନ କରେ

ଅପଡ଼ା କଥାରେ ଲୋତକ ଝାରେ

।।

କୁଣ୍ଡି କଟକର ବିରଜା ଭୂଇଂ

ଯାଜନଗ୍ରେ ତିନି ଭକ୍ତ ଅଛଇ

।।

ଭୃଗୁ ସେ ଅଙ୍ଗିରା ପୌଲସ୍ତ ମୁନି

ନିଶାରେ ଭ୍ରମଣ ମହିମା ଘେନି

।।

ପାଟପୁରେ ନରହରି ବିଖ୍ୟାତ

ସପ୍ତଶିଷ୍ୟ ଘେନି ଲେଖିବ ଶାସ୍ତ୍ର

।।

ଅତୁଳ ଅଭିନ୍ନ ଶିରିପା ଦିଆ

ଅଜପା ମନ୍ତ୍ରରେ ବଡ଼ ସୋରେହା

।।

ଦଶାଶନୀ ଘାଟି ଦକ୍ଷିଣାଞ୍ଚଳ

ଶାରଦା ମଣ୍ଡଳେ ଶୁଭିବ ଗୋଳ

।।

ଧ୍ରୁବ ତପସ୍ୟା ସ୍ଥାନ ଅଛି ତହିଂ

ମଉଳି କୁଦେ ଗିରିଧାରୀ ଥାଇ

।।

କପଡ଼ା ମଠେ ନିତ୍ୟାନନ୍ଦ ଦାସ

ଦାମ ଦାସ ଗାଦିଠାରେ ପ୍ରକାଶ

।।

ଈଶାଣି ଗ୍ରାମରେ ବ୍ରାହ୍ମଣ ଘରେ

କିଣା ଯେ ସରବା ଥିବେ ସେଠାରେ

।।

ମୋଗଲ ଭକତ ଅଛଇ ଏକ

ସଇଦ ନାମଟି ଅଟଇ ଟେକ

।।

ଗନ୍ଧର୍ବମାନଙ୍କ ବସତି ତହିଂ

ମଣିଭଦ୍ରା ଗନ୍ଧମାର୍ଦ୍ଦନ ଦୁଇ

।।

ଅଷ୍ଟଗିରି ଅଷ୍ଟ ନୃପତି ଛାଳି

ଅଷ୍ଟସଖୀ ସଙ୍ଗେ ଶ୍ରୀଫଳ କେଳି

।।

ପାତାଳକୁ ବାଟ ଅଛି ସେଠାରେ

ସପ୍ତାଙ୍ଗ ବଇକୁଣ୍ଠର ପାଖରେ

।।

ଭୂତାଦିଶ୍ୱର ଗିରି ଅର୍ଦ୍ଧଭାଗେ

ଭଦ୍ରପୁରେ ଖେଳ ଗନ୍ଧର୍ବ ସଙ୍ଗେ

।।

ଯହିଂ ଯୋଗୀଙ୍କ ସ୍ଥାନ ରାସସ୍ଥଳୀ

ନାରଦ ମଣ୍ଡପେ ଶ୍ରୀ ବନମାଳି

।।

ଏମନ୍ତ ମହିମା ନାହିଂ ନା ଅନ୍ତ

ସେଠାରେ ଅଛି ବୀର ହନୁମନ୍ତ

।।

ସପତ ସିନ୍ଧୁ ଯେ ତା ହାତେ ଅଛି

କଳଙ୍କିରେ ଶ୍ୟାମଳୀ ଧରିବ ବାଛି

।।

ଗିରିତଳେ ଗ୍ରାମ ଯେଉଂଠି ଅଛି

ମୁନିଙ୍କ ମଢ଼ିଆ କହିଲୁ ବାଛି

।।

ଦେଖ ପଶ୍ଚିମେ ରସିକ ନଗର

ଲୟାଙ୍ଗ ଲୀଳାଙ୍ଗ ଋଷି ବିହାର

।।

ସେ ଗ୍ରାମେ ବସୁଦାସ ଭକ୍ତ ଥିବେ

ପଥୁରିଆ କୁଳେ ଜନମ ହେବେ

।।

ବାସନା ବାସିବ ଜାଣିବେ ନାହିଂ

ରଜକ ଶିଷ୍ୟ କରିଥିବ ସେହି

।।

ତ୍ରେତୟାରେ ମାନଧାତା ସେ ହେଲା

ଗୋପରେ ବତିଶ ସଖୀ ହୋଇଲା

।।

କୁରୁ ପାଣ୍ଡବେ ଗୁରୁଦିକ୍ଷା ଦାତା

ଦ୍ରୋଣଗୁରୁ ବୋଲି ଅତି ଯୋଗ୍ୟତା

।।

ଖୋରଧା ଗଡ଼ରେ ଆଦ୍ୟ ଜନମ

ବେନୁପଡ଼ା ଗାଦି ତାହାରି ନାମ

।।

ସିନ୍ଦୁରାନନ୍ଦ ହୋଇ ତତ୍ତ୍ୱ ଦେବୁ

ଗହଣ ଭକତ ବାଛି ଘେନିବୁ

।।

ପୁଣି ଉଦେ ହେବୁ ବାଲୁବିଶିରେ

ଗିରିଧାରୀ ନନ୍ଦି ପାଟରା ଘରେ

।।

ଉଦୟ ବେଳକୁ ଦଶ ବରଷ

ଚହଟିବ ଲୀଳା ଅମର ବାସ

।।

ହଟିଆ ନାଗର ସେ ଦାମୋଦର

ହଟକରନ୍ତି ସେ ଏଥି ମଧ୍ୟର

।।

ଭକ୍ତି ବିନା ଅନେକ ଜାଣିପାରେ

ବାର ବେନିଭାଗ ଶମ୍ଭୁ ନେତ୍ରରେ

।।

ଷୋଳକଳା ଘେନିହେବ ଉଦୟ

ଭକ୍ତ ସଙ୍ଗେ ପ୍ରଭୁ ସେ ଲୀଳାମୟ

।।

ଅନୁଭବ ଜ୍ଞାନ ବାଣ୍ଟିବେ ହରି

ଦୁର୍ବାସନା ଯିବ ପାରିଲେ ବାରି

।।

ଛୋଟ ବଡ଼ ତାଙ୍କ ସମାନ କଥା

ବାହ୍ମଣେ ଚଣ୍ଡାଳେ ଏକ ବାରତା

।।

ପ୍ରକୃତି ସାଧନା ମହିମା ସ୍ଥିତ

କୃମି କୀଟ ହେବ ପ୍ରଭୁ ଭକତ

।।

ତପ ଯେଉଂମତେ ଭଜୁ ଫଳ ଅଛି

ନିଷ୍କାମ ଭକତି ସିନା ଲେଖୁଛି

।।

ତେଣୁ ବଡ଼ହେଲେ ଗାଦି ପାଇଲେ

ସଂସାର ଜନଙ୍କୁ ମୂଢ଼ କହିଲେ

।।

ଶ୍ରୀବିରଜା ପାଦେ ସର୍ବ ସମର୍ପ

ସୁଧାକର ସୁଧା ନାମକୁ ଜପ

।।

ହସ୍ତେ ଲେଖି ହରି ଗୁଣ କୀରତି

ସୁଖେ ରଟୁଥାଅ ଦିବସ ରାତି

।।

ଆତ୍ମାରେ ସମଭାବେ ଚିତ୍ତ ରଖି

ସେରେ ଥିଲେ ପୋଷେ ଦେବଟି ଦେଖି

।।

ଶତ୍ରୁକୁ ମଇତ୍ର ପରାଏ ମଣ

ଆପଣା ପ୍ରକୃତି କର ସାଧନ

।।

ସଂସାର ବିଷରେ ନ ମାତ ରାମ

ବୀଜ ଅଙ୍କୁରିବା ପୂର୍ବର କାମ

।।

ତୋତେ ଚିହ୍ନିଥିଲେ ଚିହ୍ନିବୁ ପର

ଦେହ ଯନ୍ତ୍ର ମଧ୍ୟେ ହରିଙ୍କି ଧର

।।

ଘୋର କଳିକାଳ ଅମର ସଭା

ଭକ୍ତ ହେଲେ ସୁଧା ହରିବ ଲୋଭା

।।

କଲା କରମରେ ଭକତ ନାହିଂ

କହିଲେ ପୋଛିଲେ ଭକତ କାହିଂ

।।

ଅନୁଭବ ଗଣ୍ଠି ହୃଦରେ ପକା

ଯେତେ କହିଲେ କି ସିଉକା ଟଙ୍କା

।।

ଭକତ ନିମନ୍ତେ ଗୁପତ କଥା

ନିର୍ଘଣ୍ଟେ ଭଣିଲେ ଦୀନ ଅଚ୍ୟୁତା

।।

ଇତିଶ୍ରୀ ଶିବକଳ୍ପେ ନବଖଣ୍ଡ ନିର୍ଘଣ୍ଟେ ଅଚ୍ୟୁତ ରାମ ସମ୍ବାଦେ ନାମ ତ୍ରୟୋଦଶ ନର୍ଘଣ୍ଟଃ

 

ଚତୁର୍ଦ୍ଦଶ ନିର୍ଘଣ୍ଟ

 

ଜୟ ଶ୍ରୀହରି ନିକୁଞ୍ଜ ବିହାରୀ ଚରଣେ ଶରଣ ଗଲି।

ତ୍ରାହି ତ୍ରାହି ବୋଲି ପ୍ରଦାରବିନ୍ଦରେ ପିଣ୍ଡ ପ୍ରାଣ ସମର୍ପିଲି

ନେମ୍ବାଳ ବଟରେ ଧ୍ୱଜାଚକ୍ର ତଳେ ଅଚ୍ୟୁତ ଗୋତ୍ରେ ଦୀକ୍ଷିତ

ସଦା ଶାନ୍ତି ଭକ୍ତି ଲୟାଙ୍ଗେ ସୁଷୁପ୍ତି ଭକତି ହୋଇବ ପ୍ରାପ୍ତ

 

କହନ୍ତା ବଦନ୍ତା ଶୋରତା ବକତା ଯେତେ ଏ ମହୀମଣ୍ଡଳେ

ସର୍ବପରେ ସାର ଶ୍ରୀଗୁରୁ ପୟର ଭେଟ ପୂର୍ବ ଭାଗ୍ୟବଳେ

ତୁମ୍ଭ ଦୟାହେଲେ ସାଗର ମେଣ୍ଟିବ ବଟପୁଟେ ବିଶ୍ଵ ରାୟ

ଭବାଦି ଧାରଣ ଗୁରୁ ନାରାୟଣ ମହିମା କେ ଅନ୍ତରାୟ

 

ଗୁପତ ବିଚାର ଯେତେକ କହିଲ କଳି କଳ୍ପନା ବିଚାର

ଭବିଷ୍ୟ ବଖାଣି ପାପ ବିନାଶିଲ ଜନ୍ମେ ଜନ୍ମେ ମୁଂ କିଙ୍କର

କରନ୍ତୁ ସୁଦୟା ଆଉ ଯା ରହିଲା ଅଗତିର ଗତି ଜାଣ

ସନ୍ଦେହ ଖଣ୍ଡିବା ହୃଦ ଚେତାଇବା ଦାସକୁ କର ସୋରଣ

 

ସୁଚିତ୍ତରେ ଗୁଣ ବାରଟିଆ ଦାସ ମନ ଆବେଗ ପ୍ରକାରେ

ଗୁପତ କଥାକୁ ଗଜ ମୁକ୍ତାପରି ରଖ ନ ଖୋଲି ତୀର୍ଥରେ

ଯହିଂ ସମାଗମ ଅଶେଷ ଅଶେଷ ତହିଂକି ମୋ ଭୀତି ଥାଇ

ଅଚ୍ୟୁତ ହସ୍ତରେ ଚାବିକାଠି ଅଛି ହେତୁକର ବାର ପୋଇ

 

ଶିଷ୍ୟକୁ ଅନ୍ତରେ ଗୁରୁ ମାନୁଥିବେ ବାହ୍ୟ ତତ୍ତ୍ୱ ପ୍ରକାଶିବ

ଅନ୍ତର କଥାକୁ କାହାକୁ ନ କହି ଚିତ୍ତେ ଅନୁମାନ ଥିବ

ରବି ଶଶୀ ଦୁଇ ଖେଳନ୍ତି ସେ ଥାଇ ମାଈ ଅଣ୍ଡିରାରେ ଭେଟ

ଏହି ସେହି ସିନା ଏକଇ ପୁରୁଷ ଆରକୁ ଅଟେ ସଙ୍କଟ

 

ଏଥୁ ଅନନ୍ତରେ ଶୁଣ ସୁବିଚାର ଶ୍ରଦ୍ଧାବନ୍ତେ କହ ଫେଇ

ମୋ ନିୟମ ଯାକ ଆଗରୁ କହିବପଛେ ତତ୍ତ୍ୱ କଥା ଦେଇ

ମୋତେ ସାକ୍ଷୀ ରଖି ତତ୍ତ୍ୱ ଦେଉଥିବ ତୁମ୍ଭ ତହିଂ ନାହିଂ କିଛି

ଦୀନ ସହସ୍ରଙ୍କ ନିମନ୍ତେ ଅଚ୍ୟୁତ ଶୂନ୍ୟ ଗାଦି ଯେ ଥାପିଛି

 

ଯୁଗ ଓଲଟିବ କ୍ରିୟା ପାଲଟିବ ପ୍ରାଣୀ ହେବେ ରଣଭଣ

ଭକତିଆ ହୋଇ ସଂସାରେ ଭ୍ରମିବେ ମନରୁ ନ ତେଜ ଟାଣ

ଆଠ ଆଠ ଆଠ ତ୍ରିଗୁଣରେ ଭେଟ ଚିତ୍ରି ଚତୁର୍ବେଦୀ ତଳେ

ଅଚ୍ୟୁତ ପୁରାଣ ଚ୍ୟୁତ ହୋଇଯିବ ହାତ ମାରିଲେ କପାଳେ

 

ଲେଖା ଯନ୍ତ୍ରମାନ ଓଲଟି ପଡ଼ିବ ପଢ଼ା ଜ୍ଞାନୀ ହେବେ ବଣା

ମଙ୍ଗ ମଙ୍ଗୁଆଳ ବୋଲି ନ ମାନିବେ ପ୍ରାଣୀ ହେବେ ଅକଳନା

ମୀନ ନାଶ ହେବେ ମିଥୁନ ମାସରେ ମହୀ ହେବ ଭାରାଗ୍ରସ୍ଥ

ବିଂଶ ବେନି ନବ ସମୀର ସଂଯୋଗ ବାସୁକି ଯେ ଅସ୍ତବ୍ୟସ୍ତ

 

ବାର ବାର କରି ମୁଣ୍ଡ ହଲାଇବ ସହି ନ ପାରିବେ ଭାରା

ସ୍ଥାନେ ସ୍ଥାନେ ଜଳ ଉତ୍ପାତ ହୋଇବ ପ୍ରାଣୀ ହୋଇଯିବେ ସାରା

ନିଜ ପ୍ରାଣ ଘେନି ସର୍ବେ ପଳାଇବେ ଚିହ୍ନା ଅଚିହ୍ନା ନ ବାରି

ମାତା ପିତା ସୁତ ସୁତା ନ ଲୋଡ଼ିବେ ପଳାଇବେ ସ୍ଥାନ ଛାଡ଼ି

 

ଟିକିରା ଗୋହିରା ବାଲିପାଟଣା ଯେ ଚଉଦ୍ଵାରେ ଚିତାଜଳା

ଅଠର କ୍ଷଉଣୀ ମେଳେଛ ମରିବେ ମାତିବେ ପର୍ବତମାଳା

କୁକୁଟମାନଙ୍କ ରାବ ଶୂନ୍ୟ ହେବ ଗୋଧୂମ୍ର ଗଗନ ଛୁଇଂ

ଯିବା ଆସିବାର ପଥ ରୁଦ୍ଧ ହେବ ଅଚ୍ୟୁତ ଚେତାଇ

 

ଅଣତିରିଶରେ ଅନାହତ ଘରୁ ଶବଦ ହେବ ପ୍ରଖର

ଗୁରୁ ଆଗେ ଶିଷ୍ୟ ଜ୍ଞାନ ବଖାଣିବେ କଥାକେ ହେବ ଅନ୍ତର

ସେବ୍ୟ ହେବାପାଇଂ ମନ ବଳାଇବେ ଭୀତି ନ କରିବେ କେହି

ଶୂଦ୍ର ହୋଇ ଶିଷ୍ୟ ବ୍ରାହ୍ମଣ ସେବକ ନୋହିବେ ଚକିତ କେହି

 

ମତ୍ତଗର୍ବ ପଣେ ବାଟ ଭାଙ୍ଗିଯିବେ ମାନ୍ୟଧର୍ମ ନ କରିବେ

ଦାଣ୍ଡ ଦୁଆରରୁ ଗୁରୁଙ୍କୁ ଫେରାର ଧିକାର ବାକ୍ୟ କହିବେ

ଓଡ଼ିଶା ଛାଡ଼ିଣ ଅନନ୍ତ ଚଳିବେ ଅନ୍ତ ନ ପାଇବେ କେହି

ଜଟାଜୁଟ ବାନ୍ଧି ସାଧୁ ବୋଲାଇବେ ଭକ୍ତ ସଙ୍ଗେ ଥିବେ ରହି

 

ଝିଙ୍କାରୀମାନେ ଯେ ଶସ୍ୟ ଖାଇଯିବେ ବୁଦ୍ଧିବାଟ ନ ଖଟିବ

ସନ୍ତାନ ଜନ୍ମିବେ ହୀନବୀର୍ଯ୍ୟ ହେବେ ପଶୁ ସଙ୍ଗେ ତୁଲ୍ୟ ଧ୍ରୁବ

ଏକ ମାତାଠାରୁ ତିନି ଶିଶୁ ଜାତ ବିକଳାଙ୍ଗ ଅଙ୍ଗ ହେବ

କାର ପାଞ୍ଚ ପାଦ ଦୁଇ ତିନି ମୁଣ୍ଡ କାର ପିଣ୍ଡଳା ହୋଇବ

 

ଜନ୍ମ ହେବା ମାତ୍ରେ କଥା ଯେ କହିବ ଅସୁର ଅଂଶରେ ଜାତ

ଦେବତା ବୋଲିଣ ଦର୍ଶନ କରିବେ ଭୋଗ ସମ୍ଭାରରେ ମତ

ପୁରୁଷମାନେ ଯେ ସ୍ତିରୀ ହୋଇଯିବେ ସାଧ୍ୟ ସିଦ୍ଧି ଦେଖାଇବେ

କଳାବିଦ୍ୟା ଚର୍ଚ୍ଚା ଅନେକ କରିବେ ତା ଶେଷେ ଯଜ୍ଞ କରିବେ

 

ସୁତା ସଙ୍ଗେ ପ୍ରୀତି ପିଅର କରିବେ ଧର୍ମ କଥା କହୁଥିବେ

ସାବିତ୍ରୀ ବ୍ରତ ଯେ ଘରେ ଘରେ ହେବ ଜଣେ କେ ସତୀ ନଥିବେ

ନାନା ଦେବଙ୍କର ମେଳା ଉପୁଜିବ କାମନାରେ ମନ ମତ୍ତ

ନାମବ୍ରହ୍ମ ଯଜ୍ଞ ସମ୍ପନ୍ନ କରିବେ ଦମ୍ଭ ଭରି କରି ଚିତ୍ତ

 

ଦାମ୍ଭିକ ଖଚୁଆ ଅନେକ ହୋଇବେ ଭେଙ୍ଗଟା ହୋଇବେ ସାଧୁ

ବଡ଼ଲୋକ ନିନ୍ଦା ସରବେ କରିବେ ଦିନ ଯିବା କାନ୍ଦୁ କାନ୍ଦୁ

ସନ୍ଧ୍ୟାରେ ପ୍ରଣବ ଗାୟତ୍ରୀର ବୀଜ ଶୂନ ରଖ ଦକ୍ଷିଣରେ

ଅର୍ଦ୍ଧପରେ ବିନ୍ଦୁ ତାପାଖେ ରଖିଣ କଳି ପୋଷ ସୁମନରେ

 

ପଞ୍ଚୁଆତି ସ୍ଥାପି ପଞ୍ଚାଶ ଦିନକୁ ଛନ୍ଦ କର ଛପନରେ

ଏହିଠାରୁ ଖେଳ ଆରମ୍ଭ ହୋଇବ ଶନି ଥିବେ ପଶ୍ଚିମରେ

ଦେବ ଦେବୀଠାରୁ ମାନବ ବିଚାର ନ ଜାଣି ପାରିବେ ପ୍ରାଣୀ

ହାଉଳି ଖାଇବେ ତତ୍ତ୍ୱ ନପାଇବେ ବୁଦ୍ଧି ଦେବେ ଚକ୍ରପାଣି

 

ଏଣୁକରି ପ୍ରାଣୀ ଥୋକେ ନାଶଯିବେ କହୁଥିବେ ଟାଣକରି

ଯିବା ଆସିବାର କଥା ନଜାଣିବେ ଦମ୍ଭ କରୁଥିବେ ଭାରି

ବାଣ ଋତୁ ରେବ ଭାଦ୍ରବରେ ଧ୍ରୁବ ଥୟ ନପଡ଼ିବେ କେହି

ଝାଡ଼ ଜଙ୍ଗଲରେ ଯେତେକ ରହିବେ କୁଳକୁ ବିହନ ସେହି

 

ପାତାଳେ ବାସୁକୀ ଚମକି ପଡ଼ିବ ଭୈରବୀ ଛାଡ଼ିବେ ରଡ଼ି

ଅନ୍ଦିସନ୍ଧି ଭେଦି ପର୍ବତ ମାହାଳେ ଯୋଗ୍ନୀ ଦେଉଥିବେ ଧାଡ଼ି

ଚାରିଦିଗ ଯାକ ଅନ୍ଧାର ହୋଇବ ଉତ୍ତରୁ ବହିବ ହିମ

ଚାରିଦିନ ମଧ୍ୟେ ପୃଥ ନାଶଯିବ ଅଗ୍ନିକୁଣ୍ଡ ନ ମାନିବ

 

ବାରହାତ ଦୀର୍ଘ ବରଫ ପଡ଼ିବ ମାଟି ନ ଦିଶିବ କାହିଂ

ଚତୁର୍ଦ୍ଦଶ ଦିନ ଦ୍ଵାର ନ ଖୋଲିବ ହେତୁକର ବାର ପୋଇ

ମତ୍ତ କରୀ ପ୍ରାଏ ଦଳି ପକାଇବ ଛପ୍ନାକୋଟି ରମ୍ଭାବନ

ନଦୀ ପୁଷ୍କରିଣୀ ଶୁଷ୍କ ହୋଇଥିବ ନମିଳିବ ଜଳ ଅନ୍ନ

 

ଦଶଦିନେ ଥରେ ଆହାର କରିବେ ବରଫ ଶିଉଳି ଆଣି

ମାୟାବୀମାନଙ୍କ ପ୍ରାଣ ବଡ଼ଟାଣ ନୁହେ ବୋଲୁଥିବେ ପୁଣି

ଏତେ କଷଣରେ ଚେତି ନପାରିବେ ତୁଣ୍ଡେ ନ ଆସିବ ହରି

ନାନା କଲବଲ କପାଳେ ଫଳିବ ଦଣ୍ଡ ଦେବ ଦଣ୍ଡଧାରୀ

 

ପୁଣ ପୁଣ ଯାଇ ଗୁହାରି କରିବେ ମହାଦେବୀ ପାଦତଳେ

ମନ୍ଦ ବିଜିଘୋଷ ବଳି ବଳ ନାଶ ଭୋଗହେଲା ଏତେକାଳେ

ପାଞ୍ଚଜନ୍ୟ ଶଙ୍ଖ ପ୍ରଭୁ ବଜାଇବେ ଆସ୍ଥାନ ଛାଡ଼ିବେ ଦେବୀ

ଅଷ୍ଟ ଯୋଗମାୟା ଖର୍ପର ବୁଲିବ ଦିଶିବ ଦ୍ରୋପଦୀ ଛବି

 

ସାକଲ୍ୟ ଦ୍ୱୀପରେ ଜନମ ତାହାର ମହା ଭୟଙ୍କର ରଡ଼ି

ନବକୋଟି ଯୋଗ୍ନୀ ସଙ୍ଗେ ଗୋଡ଼ାଇବେ ପୃଥିବୀକୁ ଦେବେ ଧାଡ଼ି

ହର ଉଦ୍ୟାନରେ ମାୟା ପ୍ରକାଶିଣ ମେଳେଛକୁ ଗ୍ରାସୁଥିବେ

ନୀଳଚକ୍ର ବାନା ଛିଡ଼ିବ ନିଶ୍ଚୟ ଭକତଙ୍କୁ ଭୟ ଦେବେ

 

ପିପିଲି ଗ୍ରାମରେ ପଡ଼ିବ ସେ ଯାଇ ଶୁନ୍ୟ ଗାଦି ପ୍ରକାଶିବ

ପିପଳ ମୂଳରେ ରୌପ୍ୟ ସିଂହାସନ କହିଲେ କେ ପ୍ରତେ ଯିବ

ବରଜ କୁଳରେ ବାସନା ବାସିବ ଗିରିଧାରୀ ନାମ ତାର

ଅବକାଶ ଗୀତା ସଂହିତା ଲିଖନ ପ୍ରକାଶ ହୋଇବ ସାର

 

ଦ୍ଵାଦଶ ରାହାସ ତହିଂ ମୋର ହେବ ଚହଟିବ ଲୀଳା ଚାରି

ଅଷ୍ଟ ସଖୀଙ୍କର ବିଗ୍ରହ ସ୍ଥାପିଣ ବୋଲାଇବ ବ୍ରହ୍ମଚାରୀ

ସମ୍ଭତ୍ସର ବ୍ୟାପି ଗୀତା ଯଜ୍ଞ ହେବ ଚିନ୍ତାଧନ ପାଇଥିବ

ଆତ୍ମସେବାରେ ତା ମନ ଶୁଦ୍ଧ ହେବ ଲକ୍ଷେ ସାଧୁଙ୍କୁ ଭେଟିବ

 

ଚିତ୍ରାଙ୍ଗୀର କୂଳ ମହାନଦୀ ଧାର ବିରୁପାକ୍ଷ ନାମ ତାର

ତା ତହିଂ ବଟରେ ବାସେଳି ଦେବତା ଡାକିବ ସପତ ଥର

ରେବତୀ ମୀନରେ ମୁଳା ସପ୍ତାଙ୍ଗରେ ମଧୁମାସ ଦଶମୀରେ

ତ୍ରିକାଳ ଋତୁରେ ଚାରି ସୁତ ହେଲେ ଚାରିମେଘ ଏକାବେଳେ

 

ମଞ୍ଚେଶ୍ୱର ଗିରି ଜଳେ ବୁଡ଼ିଯିବ ଚଉଦ୍ଵାର ନାଶଯିବ

ଛୟାନବେ ଜଣ ଭକ୍ତଙ୍କ ସଙ୍ଗରେ ମହା କନ୍ଦଳ ଲାଗିବ

ଥୋକେ କହୁଥିବେ ଜନମ ହେଲେଣି ଦର୍ଶନ କରିଛି ମୁହିଂ

ଥୋକେ କହୁଥିବେ ଜନ୍ମ ହେବେ ପ୍ରଭୁ ଠାର ଏବେ ବୁଝ ତୁହି

 

ବୁଦ୍ଧି ବିବେକକୁ ପ୍ରଭୁ ହରିନେବେ ବଣାହେବେ ସୁଜ୍ଞଜନ

ଆପଣା ହାତରେ ସ୍କନ୍ଧ ଛିଡ଼ାଇବେ କରିବେ ଦେବୀ ଭଜନ

ମୁନି ଋଷିଙ୍କି ଯେ ଥାପିବେ ନେଇଣ ମହାକାଳେ ଶନି ଥିବେ

ମହାଘୋର ଗୋଳ ହୋଇବ ସେଠାରେ ପରଂବ୍ରହ୍ମକୁ ନିନ୍ଦିବେ

 

କଳିଙ୍ଗ ଏ ଭୂଇଂ ବିରଜା ମଣ୍ଡଳେ ପଡ଼ିବ ବିପତ୍ତି ଭାରି

ବିତିପାତ କଥା କାନରେ ବାଜିଲେ ଅଙ୍ଗ ହେବ ମୂର୍ଚ୍ଛାପରି

ଯାଜନଗ୍ରଠାରୁ ମୁଣ୍ଡୁଳା ପର୍ଯ୍ୟନ୍ତ ମହିମା ପ୍ରକାଶ ହେବ

ପାଦରୁ ମସ୍ତକେ ଭକତ ଅଛନ୍ତି ଅଚ୍ୟୁତ ଗୋତ୍ରରେ ଧ୍ରୁବ

 

ଅଳତି ଶାସନ ବାଲିପଡ଼ା ତୁଠ ବ୍ରାହ୍ମଣୀ ତୁଠକୁ ଅନା

ବାଲେଶ୍ୱରଠାରୁ କଦମ୍ବ ରସାଳ ଉଡ଼ିବ ୟା ମଧ୍ୟେ ବାନା

ଧନ୍ଦା ଲାଗିଥିବା ଧଉଳି ଗିରିରେ ଉଦେବଟ ପଶ୍ଚିମରେ

ପରଖର ଜ୍ୟୋତି ପ୍ରକାଶ ହୋଇବ ଦରପା କନ୍ଦରଠାରେ

 

ରେବ ବିଂଶ ଲେଖି ନବଗ୍ରହ ଥାପି ସୁଗୋଷ୍ଠୀରେ ପରିତାଳ

ପ୍ରଚ୍ଛିନ୍ନ ଭକତ ଅନେକ ଠିକିବେ ନିଶ୍ଚେ ଯିବେ ଯମଆଳ

ଗୋକନ ପାହାଡ଼ ଗୋବର୍ଦ୍ଧନ ଗଡ଼ ବାଲିଚନ୍ଦ୍ର ପୁର ଯାଏ

ଯାହାର ଖଣ୍ଡାରେ ବଡ଼ାଇ ମୁରାଟ ଭୂମି ରକ୍ତମୟ ହୋଏ

 

ବୃହସ୍ପତି ଅଂଶେ ଜନମ ହୋଇବ ଶିବାନନ୍ଦ ନାମ ତାର

ପ୍ରଭୁଙ୍କ ଛାମୁରେ ଗହଣୀ ହୋଇବ କହିବ ଯୋଗ ବିଚାର

ଖୁରୁଧା ଗ୍ରାମରୁ ବାଗସର ଯାଏ ନାମ ଯଜ୍ଞ ହେଉଥିବ

ଗୁଣପୁର ଠାରୁ ଅଢ଼ଙ୍ଗ ପର୍ଯ୍ୟନ୍ତ ଅମରେଶ୍ଵରଙ୍କ ଠାବ

 

କୁଣ୍ଡୀ ନଗ୍ର ଯହିଂ ଭକ୍ତ ଭାବେ ରହି ନାନା ଲୀଳା ପ୍ରକାଶିବ

ମୂଳବସନ୍ତରେ ବସୁଦେବ ଜନ୍ମ ଲୀଳାବେଳେ ଉଦେହେବ

ସେକାଳେ ଜନମ ସହଦେବ ହେବେ କଳାଗିରିଠାରେ ଯାଇ

ଆଗତ ଭବିଷ୍ୟ କହିବେ ଛାମୁରେ ପ୍ରଭୁ ଯେ ଲୋଡ଼ିଲେ ତହିଂ

 

ସୁଙ୍ଗୁଡ଼ା ପ୍ରଗନା ଚତୁର୍ଥ ଯୋଜନ ଆୟତନେ ଅଣାକାର

ଅବନା ସହିତେ ବିଚାରି ପାରିଲେ ଲୀଳା ଦେଖିବୁ ସେଠାର

ବେନୁପଡ଼ା ଗାଦି ଆଦ୍ୟରୁ ସ୍ଥାପିଛି ନାଗେଶ୍ୱର ଗଛ ଅଛି

ବେନିଜଣ ମୁନି ଶିଷ୍ୟ ଥିବେ ତହିଂ ମହିମା ଗାଇବେ କିଛି

 

ଉତ୍ତରେ ବାରୁଣା ବିରୂପାର ଧାର ଦକ୍ଷିଣରେ ଗୋବର୍ଦ୍ଧନ

ବାଳକୃଷ୍ଣ ମୋର କୋଠ ଦଳ ଭକ୍ତ କରିବ ମହିମାଗାନ

ଏକାକ୍ଷର ବୀଜ ପ୍ରେମ ଷୋଡ଼ଶୀରେ ତ୍ରିଗୁଣ ରଜ୍ଜୁରେ ଜାଣ

ହରେ ରାମ କୃଷ୍ଣ ଓଲଟ ପାଲଟ ବିରଜା ପୁଚ୍ଛିବେ ପୁଣ

 

ସେବା ସୂତ୍ର କଥା କିଛି ନ ଜାଣନ୍ତି ପାଟି ହେବ ଆଫୁ ଆଫୁ

ଅମରାବତୀରେ ହନୁ ଖଡ଼ଗରେ ନାଶଯିବ ବଳ ବପୁ

କହନ୍ତା ବହନ୍ତା ଶୋରତା ବକତା କେହି ନପଡ଼ିବେ ଥୟେ

ଏକ ଅନୁଭବ କଥା ଗୋଟି ସାର ନିରଞ୍ଜନ ନିରାମୟେ

 

ସଇତ୍ରିଂଶଠାରୁ ଷଡ଼ଚାଳିଶ ଯାଏ ପରୀକ୍ଷା ଗୋଟାଏ ହେବ

ଜ୍ଞାନୀ ଅଜ୍ଞାନୀଏ ଧରା ପଡ଼ିଯିବେ ଭୀଷ୍ମ କୁଣ୍ଡି ନଗ୍ର ଠାବ

କନକ ବେଦୀରେ ରାହାସ ହୋଇବ ଭକତ ହୋଇବେ ମେଳ

ତାଳ ପରିତାଳ ପରଖା ପରଖି ଗ୍ରାମ ନାମ କୁଣ୍ଡିକୁଳ

 

ଖଣ୍ଡାୟତ କୁଳେ ଜନମ ହେବ ସେ ନାମ ତାର ଦିବାକର

ଜଳ ଯଜ୍ଞ କୁଣ୍ଡ ମାପ ସେ କରିବ ଜନ୍ମ ବଳରାମ ପୁର

ଶାହାସ୍ତ୍ରର ବୀଜ ଶାସ୍ତ୍ରରେ ରହିଛି ଅର୍ଥ ଅର୍ଥାନ୍ତରେ ନାହିଂ

ଯେ ଜାଣିବା ସେହି ଜାତିସ୍ମର ହେବ ଥୋକେ ଥିବେ ଯହିଂତହିଂ

 

କଟରପା ଗ୍ରାମ ଉତ୍ତମ ପଣ୍ଡା ଯେ କାଛେଣି ବେଶ ତାହାର

ହନୁମାନ ସିଦ୍ଧି ଜ୍ଞାନ କଲା ନିଧି ଗୁପତେ ଖେଳିବ ଖେଳ

ଏ ଜନମ ତାର ଅନ୍ତ ହୋଇଯିବ ପ୍ରାନ୍ତେ ବଳଭଦ୍ର ପୁରେ

ଉଦୟ ବେଳକୁ ଦ୍ୱାଦଶ ବରଷ ଅଶ୍ୱତ୍ଥମା ଦ୍ଵାପରରେ

 

ଏରକଣା ଗ୍ରାମେ ଗାଦି ସ୍ଥାପିଥିବ ନ ଜାଣିବେ ତାହା କେହି

ବେଳକୁ ସେଠାରେ ଲୀଳା ଚହଟିବ ଭକ୍ତ ଥିବେ ପାଦ ଧ୍ୟାଇ

ମଲ୍ଲୀପୁର ଗ୍ରାମେ ଭକତ ଜନ୍ମିବେ ଶହେ ଚୌରାଳିଶ ଜଣ

ଆନନ୍ଦ ସୁଦାମ ନାରାୟଣ ଦେବ ଜାତିସ୍ମର ତିନି ଜଣ

 

ଅଚ୍ୟୁତ ପୀଠରେ ଲୀଳା ଚହଟିବ ପଞ୍ଚ ପାଣ୍ଡବଙ୍କ ସ୍ଥଳି

ଅସୁରେଶ୍ୱରରେ ବିଶ୍ୱଦେବ ଗାଦି ତହିଂ ବିଜେ ବନମାଳି

ଉତ୍ତରାଣୀ ନାମେ ଭଗବତୀ ଥିବେ ତହିଂ ଭୀମ ଗଦା ଅଛି

ବଉଳ ମୂଳରେ ଶିବ ଶକ୍ତି ଜାଣି ମହିମା ଗାଇବ କିଛି

 

ଅଳସ ଗ୍ରାମରେ ତିନିଜଣ ଥିବେ ଗୋପନରେ ଦିନ ନେବେ

ହରି ପ୍ରହଲାଦ ସୁଦାମ ପ୍ରମାଣ କ୍ଷତ୍ରିୟ କୂଳରେ ଥିବେ

ବ୍ରାହ୍ମଣ କୁଳରେ ଜନମ ତାହାର ନବଘନ ନାମ ଥିବେ

ତିତଲ ଗ୍ରାମରେ ଯାଜନଗ୍ରଠାରେ ତରଣୀସେନା ଜନ୍ମିବ

 

ବୁହାଳ ଗ୍ରାମରେ ଆଠଜଣ ଛନ୍ତି ବଶ୍ୟ କୁଳେ ନୀଳମଣି

ମହିମା ବର୍ଣ୍ଣନ ନିତ୍ୟ ଲୀଳାରସ ଜାଣନ୍ତି ନିର୍ଲୋଭ ଜ୍ଞାନୀ

ନରସିଂହପୁରେ ମାଗୁଣି ଭକତ ଶମ୍ଭୁ କୁଳେ ହେବ ଜାତ

ବିଶ୍ୱକର୍ମା ଘରେ ନଟବର ଖ୍ୟାତ ଲେଖିବ ଢମାଳି ଗୀତ

 

କରିଲୋ ଗ୍ରାମରେ ତିନିଜଣ ଥିବେ କରଣ କୁଳରେ ଖେଳ

ପାଣୁ ଦିବାକର ରତ୍ନାକର ନାମ ପାଟଣାରେ ଦଶ ଦଳ

ଖଣ୍ଡସାହି ଗ୍ରାମେ ଖଣ୍ଡାୟତ କୁଳେ ବାସୁ ମହାନ୍ତି ତା ନାମ

ଗୁରୁ ଅପରାଧୀ ହୋଇବ ବେଳକୁ ଅପାତ୍ରେ କରିବ ଦାନ

 

ଜଳଙ୍କର ଛାପ ତା ଅଙ୍ଗେ ପଡ଼ିବ ନ ଚିହ୍ନିବେ ଆଉ କେହି

କବିତା ଲେଖିବ ପୁରାଣ ଛାପିବ ଶୂନ୍ୟ ବ୍ରହ୍ମ ଥିବ ଧ୍ୟାୟୀ      

ତେଣ୍ଡାକୁଡ଼ା ଗ୍ରାମେ ଆଠଜଣ ଥିବେ ପଠାଣ ସେବକ ମୋର

ରହସ୍ୟ ପୁରାଣ ଅନେକ ଦେଖିବେ ଆନେ ଅଟେ ଅଗୋଚର

 

ଭଗବାନ ପୁରେ ବିଶ୍ୱନାଥ ଥିବ ମହିମା ଗାଇବ କିଛି

କବିତା ପଣରେ ଚେତୁଆ ଅଟଇ ଜ୍ୟୋତିରେ ମତି ରଖିଛି

ଗୁଆଳି ଗ୍ରାମରେ ମୋ ଭକତ ଥିବେ ନାମ ତାର ନାରାୟଣ

ତିନିସସ୍ର ଗ୍ରନ୍ଥ ତା ଘରେ ରହିବ ଜାତିରେ ମଳିକ ଜାଣ

 

କରଣ କୁଳରେ ସଦାନନ୍ଦ ଖ୍ୟାତ ବଣିକୁଦ ଗ୍ରାମ ନାମ

ଶ୍ରୀବନ୍ତ ଯେ ବ୍ରହ୍ମାନନ୍ଦ ଖ୍ୟାତ ନାମ ପାଗଳରେ ନେବ ଦିନ

ମଧୁର କୁଳରେ ଜନମ ହୋଇବ ମଧୁଦାସ ନାମ ଖ୍ୟାତ

ପ୍ରାଚୀ କୂଳରେ ତା ଆଶ୍ରମ ହୋଇବ ଯାଗ ଯଜ୍ଞରେ ତା ମତ

 

ପବିତ୍ର ପଡ଼ାରେ ବଟେକ ରହିଛି ତିନି ଭକ୍ତ ତହିଂ ଥିବେ

ଗଉରାଙ୍ଗ ନାମ କରଣ କୁଳରେ ମୋର ଶେଷ ଶିଷ୍ୟ ହେବେ

ଯଶୋବନ୍ତ ଦାସ ବଡ଼ ସଖା ଜନ୍ମ ବୈଶ୍ୟ କୁଳେ ଉତ୍ତରରେ

ମଣିଦାସ ନାମ ବିଖ୍ୟାତ ହୋଇବ କ୍ଷେତ୍ରବର କୁଣ୍ଡିଠାରେ

 

ଭୂମିକ କ୍ଷତ୍ରିୟ କୁଳେ ଜନମିବ ନାମ ହେବ ନିରାକର

ଏତ୍ରଡ଼ା ଗ୍ରାମରେ ଆଶ୍ରୟ ବାନ୍ଧିବ ପିତା ନାମ ସୁଧାକର

ପାଟରା କୁଳରେ ଜନମ ହୋଇବ ଅରକ୍ଷିତ ଖ୍ୟାତ ସେହି

ସୁନେଇଲ ଗ୍ରାମେ ବିଖ୍ୟାତ ହୋଇବ ଦୀନବନ୍ଧୁ ନାମ ବହି

 

ତେର ତେୟାଳିଶ ତେପନରେ ଘୋଷ ତୁରୀୟ ତୀରର ଭାଗେ

ମୋହ ବଂଶେ ମୁହିଂ ଜନମ ହୋଇବି ନାମ ଖୋଜ ଯୋଗମାର୍ଗେ      

ବାରଣ ବେଳକୁ ବାରିଦେବି ମୁହିଂ ସିଂହ ଶାରଳାର ବାମେ

ସତୁରୀ ସତର ସାତ ବିଭାଗରେ ଦକ୍ଷିଣ କାଳୀର ଧାମେ

ସେତିକି ବେଳକୁ ଚେତିଥିବୁ ରାମ ଅନୁଭବ କର ସାର

ପଲକ ପତନ ହୋଇଲା ତୁମ୍ଭର ନିଜ ସ୍ଥାନେ ଏବେ ଚଳ

କାଲି ପ୍ରଭାତରେ ଆଉ ଯା ରହିଲା କହିବା ପରତେ କରି

ଅଷ୍ଟାଙ୍ଗ ଉପରେ ସାଧନା କରିଲେ ଭବ ସାଗରରୁ ପାରି

ତିଳକଣା ଗ୍ରାମେ ଜନମ ମୋହର ଅନନ୍ତ ବଟରେ ଧ୍ୟାନ

ହୀନ ପତିତ ଯେ ଅଚ୍ୟୁତ କହିଲା କଳିକି ମେଣ୍ଟିବା ଜ୍ଞାନ      

ଇତିଶ୍ରୀ ଶିବକଳ୍ପେ ନବଖଣ୍ଡ ନିର୍ଘଣ୍ଟେ

ଅତ୍ୟୁତ ରାମ ସମ୍ବାଦେ ନାମ ଚତୁର୍ଦ୍ଦଶ ନିର୍ଘଣ୍ଟଃ

ପଞ୍ଚଦଶ ନିର୍ଘଣ୍ଟ

ଆହେ ପ୍ରାଣପତି ଅଗତିର ଗତି ଦାତା ମୋର ଭଗବାନ

ପାପ ପରବଳ ଦହି ପକାଉଛି କରାଳ ଉଆଂସ ଯେସନ

ନବଖଣ୍ଡ ମହୀ ଗୋଟାକୁ ଘୋଟିଲା ଗୁରୁଦେବ ତ୍ରାହିକର

ତୁମ୍ଭ ଶ୍ରୀମୁଖରୁ ସିଦ୍ଧାନ୍ତ ଶୁଣିଲେ ପାପତାପ ହେବ ଦୂର

 

ପୃଥ୍ୱୀ ପଞ୍ଚଭୂତ ଯା ପାଦେ ଶରଣ ଏକା ମନମୋଟ ହେଲା

ଅଚଳ ଜଳଧି ନିଶ୍ଚଳ ନୁହଂଇ ଦୟା କିମ୍ପା ଉଣାହେଲା

ଅନାମରୁ ନାମ ଉଦୟ ହୋଇଛି କେ ଜାଣିବା ସାମରଥ

ନିଶବଦ ଘରୁ ଶବଦକୁ ବାରି ଭଜିବାକୁ ଅସମର୍ଥ

 

ନାହିଂ ଥଳକୂଳ ଏକ ବ୍ରହ୍ମ ଦେଖି ସିନ୍ଧୁ ସମ ପରଚଣ୍ଡ

ଖଣ୍ଟ ପରଜାକୁ ଝାସି ପଶିବାକୁ କେ ଅବା ପାତିବ ମୁଣ୍ଡ

ନିରାମୟ ପୁର ଅଦ୍ଭୁତ ମନ୍ଦିର ଜ୍ଞାନ ନେତ୍ର ସ୍ଥିର ଯହିଂ

ଶବ ବ୍ରହ୍ମା ଯାକୁ ମେଣ୍ଟି ନ ପାରିବେ ପଞ୍ଚଆତ୍ମା ଥୟ କାହିଂ

 

ବ୍ରହ୍ମ ବ୍ରହ୍ମ ବୋଲି ସରିବେ କହନ୍ତି ପଥହରା ପ୍ରାଣୀ ଯେହି

ଏ କଳି ଯୁଗରେ ମିଛପଣେ ନର କପଟରେ ଛନ୍ତି ଧାୟୀ

ନିଷ୍କାମ କର୍ମରେ ବଡ଼ିମା ନଥାଏ କହିଥିଲ ପୂର୍ବେ ମୋତେ

ଶ୍ରୀଗୁରୁ କରୁଣା ଦିନକୁ ହେଲେ ବି ଭେଟ ନାହିଂ ଲେଖା ଯନ୍ତ୍ରେ

 

ଜାଣିବାର ଲୋକେ ନିଉନ ହୁଅନ୍ତି ପ୍ରଚଣ୍ଡ ମୁଂ ବେଳେ ବେଳ

ମୋହ ଜୀବ ମୋତେ ଅଥୟ ହେଉଛି ମୋହ ମନ ମୋତେ କାଳ

ପ୍ରକୃତି ପାଷାଣୀ ଦିନେ ନ ମାନିଲା କରାଇଲା ହୀନ ଗତି

ଶ୍ରୀଗୁରୁ କରୁଣା ଚରଣ ବିନାରେ ଆନେ ନାହିଂ ପରିତୃପ୍ତି      

 

ଅନ୍ନ ମାତ୍ର ଘେନି ଏ ଜୀବ ରହିଛି ଦିନେ ହାନିହେଲେ ବଣା

ପନ୍ଦର ଦିନରେ ଦିନେ ଅନ୍ନ ଜଳ ନିଶ୍ଚେ ହଜିବ ଚେତନା

ଅଙ୍ଗ ଅବୟବ ନିଶ୍ଚଳ ହୋଇବ ତୁଣ୍ଡ ନ ଖୋଲିବ ଯେବେ

କଳି ତ୍ରାସ ପ୍ରାଣ କିପରି ସହିବ ବୁଝାଇ କହନ୍ତୁ ଏବେ

 

ଚିନ୍ତା ଅନେକ ଯେ ପିଣ୍ଡକୁ ଦହିଲା ଭକତ କଷଣ ଶୁଣି

ଆଡ଼ନୟନରେ ଥରେ ନ ଚାହିଂଲେ ନାଶ ଛପ୍ନାକୋଟି ପ୍ରାଣୀ

ଆରତ ନାଶନ ସୁଦୟା ବହିଣ କହିବା ଗୁପତ କଥା

ଅସ୍ଥିଗତ ପ୍ରାଣ କିପରି ହୋଇବ ନଇଂବ ସିନା ଏ ମଥା

 

ଦେବୀ ବୀଣାପାଣି ସୁଦୟା ହୋଇଲେ ଏହି ଜ୍ଞାନ ଜଣାହେବ

ପରୀକ୍ଷା ବେଳକୁ ଶିଷ୍ୟ ପ୍ରଶିଷ୍ୟରେ ମୋ ଗୁରୁବାନା ଭଜିବ

ପଞ୍ଚଭୂତ ସ୍ୱାମୀ ପରାପରେ ପୂରି ଆପେ ଆପଣାକୁ ନାଶ

ପ୍ରକୃତି ଯତ୍ନରେ ପୁତ୍ରକୁ ପକାଇ ଗୁଣ ଅଗୁଣରେ ବାସ

 

ଜାଜୁଲ୍ୟ ଜଗତ ଅନ୍ତଃକରଣ ଯେ ଜନ୍ତୁପତି ବୋକା ହୋଇ

ଯେ ଯାହାକୁ ଭଜି ତରିବ ସଂସାର ତାହା ଭିନ୍ନ ଆନ ନାହିଂ

ମନ୍ତ୍ରଣା ପାଇଲେ ଯନ୍ତ୍ରଣା ମେଣ୍ଟିବ କଳିଗୋଳ ନ ଲାଗିବ

ଭବିଷ୍ୟ ପୁରାଣ ଆଉ ଯା ରହିଲା କୃପା ଦୀନ ଜନେ ହେବ

 

ଶରଣ ସୋଦର କାରଣ କରିବ ତହିଂ ମୋ ଭକତି ଥାଉ

ତୁମ୍ଭ ଦୟା ବିନା ଭଜନ ଅସାର ବାରସୁତେ ଦୟାହେଉ

ସରୋଜ ଚରଣେ ଶରଣ ମୁଂ ଗଲି ପ୍ରଭାତକୁ ଆଜ୍ଞା ଥିଲା

ଆହେ ବ୍ରହ୍ମବେତ୍ତା ଉଦ୍ଧାର କରତା ମୋ ଚିନ୍ତାକି ନ ଲାଗିଲା

 

ଶୁଣିଣ ଅଚ୍ୟୁତ ହସ ହସ ଚିତ୍ତ କହନ୍ତି ମଧୁର ବାଣୀ

ସମ ବେଦାଚାର ଆତ୍ମାଟି ଯାହାର ଏଣୁକି ଭିନ୍ନତା ପୁଣି

ତୁମ୍ଭ ଚିନ୍ତା ଗୋଟା ଆଗରୁ ଲାଗିଛି ଆଗରୁ ସଞ୍ଚିଛି ପୋଥି

ତୁମ୍ଭ ଅନ୍ନ ଖାଇ ପ୍ରତିପାଳିତ ମୁଂ ମାୟା ନକରେ ଅଚ୍ୟୁତି

 

ଗୁପତ ପ୍ରଘଟ କାହିଂ ନ କହିବ ନୟନେ ନୟନ ମିଳା

ପଶ୍ଚିମ ବଟରେ ମୋ ଚରଣ ଛୁଅଂ ରାମ ଘେନି ବାର ଚେଲା

ଅଭିଚାର ଗୋଟା ଗୁପତ ହୋଇଲା କର୍ମକୁ ବିକର୍ମ କଲେ

ଅକର୍ମ କରିଣ ଦଣ୍ଡ ବିଧାନିବେ ଗୁରୁ ବଚନ ମେଣ୍ଟିଲେ

 

ସାଷ୍ଟାଙ୍ଗରେ ଅଷ୍ଟ ପ୍ରଣିପାତ ହୋଇ ସଞ୍ଚା। ବିଧିମାନ ଥୋଇ

ଲେଖନ ପତ୍ରକୁ ଆନନ୍ଦକୁ ଦିଅ ବାସ ପଚାରିବ ଚାହିଂ

ପୃଥ୍ୱୀ ଆପ ତେଜ ବାୟୁ ଆକାଶକୁ ଗୁରୁପଣେ ନିଷ୍ଠାକର

ଅବାରଣ ଭୂଇଂ ବାରଣ ନ ଥାଇ ଅମନରେ ମନ ଭର

 

ଅଇଶୁର୍ଯ୍ୟ ଥାପି ଅନାଦି ଚକ୍ରରେ ଅବନା ବାୟୁରେ ମିଶି

ରାଧାକୃଷ୍ଣ ଯହିଂ ଏକ ଅଙ୍ଗ ତହିଂ ତ୍ରିପୁରାକୁ କର ଆଶ

ହର ପରେ ଝର ତହିଂ ପରେ ଝର ନିତ୍ୟାଚାର ତହିଂ ସାର

ଧବଳଗିରିରେ ଜ୍ଞାନ ମୁର୍ତ୍ତିକାକୁ କପାଳରେ ହାତ ମାର

 

ତତ୍ତ୍ୱ ଆତ୍ମା ଧ୍ୟାଇ ଦ୍ୱାଦଶ ସୂର୍ଯ୍ୟଙ୍କୁ ସାକ୍ଷୀ ରଖି ହୃଦଗତେ

ଜୀବ ପରମକୁ ଏକ ଭାବେ ଦେଖ ଛନ୍ଦ ଶାହାସ୍ତ୍ରର ପଥେ

ନାମବ୍ରହ୍ମ ତହିଂ ଯୁଗଳ ସ୍ଵରୁପ ଏକ ଅଙ୍ଗେ ଭିନ୍ନା ଭିନ୍ନ

କାଳନ୍ଦୀ ହ୍ରଦରେ କମଳ ଫୁଟିଛି କ୍ଷୀନ ନାଳପରେ ଚିହ୍ନ

 

ବାଜୁଛି ବାଜଣା ବ୍ରହ୍ମ ତହିଂ ବଣା ବାର ବଙ୍କୁନାଳ ଶିଖ

ସପ୍ତ ଚକ୍ର ଭେଦି କ୍ଳୀଂ ବୀଜ ଦର୍ପଣେ ଆପେ ଆପଣାକୁ ଦେଖ

ବାରି ଧରିଥାଅ ହରି ହରି ବୋଲି ଏଥିପରେ ନାହିଂ ଆଉ

ଦୀନ ଅଚ୍ୟୁତ ଯେ ଏହିଠାରେ ଭଜେ କେ କହିବ ଆଉ କହୁ

 

ଯେ ଯେତେ କହିବ ମନ ନମାନିବ ମୋର ଅନୁଭବ ଏହି

ପୂର୍ବ ଭାଗ୍ୟବଳେ ଯାହାକୁ ସୋରିବ ଜାତିସ୍ମର ଭକ୍ତ ସେହି

ସିଦ୍ଧବ୍ରହ୍ମ ଗୋଟି ଭୂମିରେ ଥାପିଣ ତ୍ରିବୀଜ ଗଣନା କର

ସପ୍ତ ଚକ୍ରପରେ ଶେଷ ବୀଜ ଗୋଟି ଠାବକର ତଥିପର

 

ସିନ୍ଧୁ ପରେ ସିନ୍ଧୁ ପଞ୍ଚାଙ୍ଗରେ ବିନ୍ଦୁ ଚଉଦ ବ୍ରହ୍ମାଣ୍ଡ ଉଚ୍ଚ

ବଜ୍ର କବାଟରେ କିଳିଣୀ ପଡିଛି ଥାପନ ହରାଦି ବାଛ

ଅନନ୍ତ ପୁଝାରୀ ସେବା କରୁଅଛି ବ୍ରହ୍ମ ରନ୍ଧ୍ରେ ଗଳି ପଶ

ଅସ୍ଥି ବୀଜ ଗୋଟି ବିକାରେ ଥୋଇଣ ଶରଣ ତା ପାଦେ ପଶ

 

ରେବତୀ ମୀନରେ ସମ ସପ୍ତାଙ୍ଗରେ ତ୍ରିପୁର ବରଣ କର

ବିଷ୍ଣୁ ବୃକ୍ଷ ସ୍ଥାପି ତ୍ରୟ ଶାଖା ଲେଖି ଭକ୍ତଜନ ଭାବସାର

ଉଦେ ଅସ୍ତ କାଳେ ଗର୍ଭ ଯେ ପୋଡ଼ିବ ସପ୍ତ ସୂର୍ଯ୍ୟ ମର୍ତ୍ତ୍ୟକୋଳେ

ହବିଷାନ୍ନ ନୀତି କର ନିତି ପ୍ରତି ମଧ୍ୟାହ୍ନ ଭୋଜନ ବେଳେ

 

କ୍ଷୁଧା ତୃଷା ନିଶ୍ଚେ ନିବାରଣ ହେବ ଇଛା ହେଲେ ଭୋଗକର

ବାରଣ ବେଳକୁ ଏକଥା ଲିହିଛି ଅଚ୍ୟୁତ ବଚନ ଧର

ମୁଖରେ ଭଜନ ହୋଇବ ନିୟୁତ ଅସ୍ଥିଗତ ପ୍ରାଣ ହେବ

ଭକତଙ୍କ ମାୟା ବିଷ୍ଣୁଠାରୁ ବଳି କଳି ଅବା କେ ପାରିବ

 

ମୋହ ଜନ୍ମଠାରୁ ଜନମ ହୋଇଲା ନଦିଆରେ ଅବତାର

ତିନିଗୋଟି ନାମ ଚୈତନ୍ୟ ବାଣ୍ଟିଲେ ଗୁପ୍ତକଲେ ଆଉ ତେର

ମୋତେ ଆଜ୍ଞା ଦେଲେ ଅନାଦି ଗୋସାଇଂ ସାମ ବୀଜ ଭଜିବାକୁ

ତେର ତିନି ଷୋଳ ନାମକୁ ରଖିଲି ଦେବି ଗୁପ୍ତ ଭକତଙ୍କୁ

 

ମୋହ ଯୋଗପୀଠେ ଲୀଳା ପ୍ରକାଶିବ ଦେବ ଅସୁର ମିଳିବେ

ବୀଜ ହରିମନ୍ତ୍ର ଭଜନ କରିଣ ଭକ୍ତ ପ୍ରିୟ ବୋଲାଇବେ

ଗୁରୁ ନ କହିଲେ ଭବ ସାଗରରୁ ଏ ଜୀବ କେମନ୍ତ ତରୁ

ଅଷ୍ଟ ଗୁଣନିଧି କେହି ନ ରହିବେ ତେଣୁ ନାମ ଗୁପ୍ତ କଲୁ

 

ଏହି ନାମ ଗୋଟା ପ୍ରଚାର ହୋଇବ ସ୍ଥାନେ ସ୍ଥାନେ ଚହଟିବ

ଅଜ୍ଞାନ ପଣରେ କାଳ କଟାଇବେ ଖର୍ପରରେ ପ୍ରାଣ ଯିବ

କୃଷ୍ଣ ସଙ୍ଗେ ପ୍ରୀତି କାହାର ନଥିବ ନାମ ଗାଇବେ ଅନେକ

ମୋର କୋଠଧନ ମୁକୁଳା ହୋଇବ ଅନ୍ଧପାଶେ ଦୀପ ରଖ

 

କାଠମାଳିଆ ଯେ ଉଚ୍ଚାଟ ହୋଇବେ ବ୍ରାହ୍ମଣଙ୍କୁ ଘେନିଯିବେ

ତତ୍ତ୍ୱ ନଜାଣିଣ ନାମ ଗାଉଥିବେ ବାଟ ଚାଲୁଥିବେ ଦମ୍ଭେ

ଢମାଳି କଥାକୁ ଆଗ୍ରହୀ ହୋଇବେ ଶାସ୍ତ୍ର ପୁରାଣ ନିନ୍ଦିବେ

ଚେତୁଆ ହୋଇଲେ ଚେତାରେ ରହିବେ ଆଉସବୁ ମୋହ ହେବେ

 

ଶିବକଳ୍ପ ବାଣୀ ନିର୍ଘଣ୍ଟ ଶବଦ ହେତୁ ରଖିଥାଅ ରାମ

ଯେଉଂଦିନ ଏହା ପ୍ରତ୍ୟକ୍ଷ ଫଳିବ ବୁଝିବୁ ଏହାର ମର୍ମ

ନାହିଂ ବେଶିଦିନ ହେଲାଣି ନିକଟ କଳି ଯିବ ଅପସରି

ସର୍ବେ ଏକମୁଖେ ଡାକିବେ ନିଶ୍ଚୟ ଜୟ ରାମ କୃଷ୍ଣ ହରି

 

 

ମୋର ଭକତ ଯେ ନାହିଂ କରୁଥିବେ କଥା କେହି ନ ମାନିବେ

ଅଚ୍ୟୁତ ଶାହାସ୍ତ୍ର ସମସ୍ତେ ପଢ଼ିଲେ ଅସିଦ୍ଧିରେ ସିଦ୍ଧି ହେବେ

ଇତିଶ୍ରୀ ଶିବକଳ୍ପେ ନବଖଣ୍ଡ ନିର୍ଘଣ୍ଟେ ଅଚ୍ୟୁତ ରାମ ସମ୍ବାଦେ ନାମ

ପଞ୍ଚଦଶ ନିର୍ଘଣ୍ଟଃ ସଦାଜୟେ ସମ୍ପୂର୍ଣ୍ଣ